Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Kamala Satpathy

Inspirational Thriller

4.6  

Kamala Satpathy

Inspirational Thriller

ଏକ ବର୍ଷା ରାତିର କଥା

ଏକ ବର୍ଷା ରାତିର କଥା

7 mins
14.2K


ସନ୍ଧ୍ୟା ପରଠୁ ଘର ବାହାର, ଘର ବାହାର ହେଇ ହେଇ ରାତି ଅଧ ହେଇସାରିଲାଣି । ଗୋଟି ଗୋଟି କରି ତା’ ଜାଣତର ସବୁ ଲୋକ ଘରକୁ ଫେରି ଆସିଲେଣି । ହେଲେ ସୁରଜିତର ଏପର୍ଯ୍ୟନ୍ତ ବି ଦେଖା ନାହିଁ । କୋଉଠି ଅଛି, କେମିତି ଅଛି, ଅନେକ ଚେଷ୍ଟା କରି ବି କିଛି ଖବର ପାଉନାହିଁ ଜୟା । ଅଫିସ୍ ରୁ ବାହାରିଲା ବେଳକୁ ଫୋନ୍ କରିଥଲା ସେ, ହେଲେ ତା’ ପରଠୁ ଯେତେ ଥର ଜୟା କଲାଣି, ପ୍ରତି ଥର ଫୋନ୍ ବନ୍ଦ ଥିବାର ମେସେଜ୍ ଆସୁଛି । ବ୍ୟାଟେରୀ ସରି ଯାଇଥିବ .. ଅଥବା ବର୍ଷା ପବନ ପାଇଁ ନେଟ୍ ୱାର୍କ ମିଳୁନଥିବ – ଏମିତି କିଛି ତଥ୍ୟକୁ ମାନି ନେବାକୁ ନିଜକୁ ବାରମ୍ବାର ବାଧ୍ୟ କରୁଥିଲେ ବି ସମୟ ଗଡିବା ସହିତ, ସେ ସବୁ ତଥ୍ୟକୁ ମନ ଅଗ୍ରାହ୍ୟ କରିଦେଇ କେବଳ ନକାରାତ୍ମକ ଘଟଣା ଆଡକୁ ମାଡି ଯାଉଥିଲା ।

ମଝିରେ ମଝିରେ ଚାଲୁଥିବା ଟିଭିରେ ସାରା ସହରର ଯେପରି ଭୟଙ୍କର ଅବସ୍ଥା ଦେଖୋଉଛି, ସେଥିରେ ତା’ର କଅଁଳ ମନଟା କୁଙ୍କୁରି କାଙ୍କେରି ହେଇଯାଉଛି । କ’ଣ କରିବ ସେ ! କାହାଠୁ ସାହାଯ୍ୟ ପାଇବ ! ଏ ସହରରେ ସେ ପୂରାପୂରି ନୂଆ । ସୁରଜିତ ଛଡା ଆଉ କାହାରିକୁ ଚିହ୍ନିନି, ଏପରିକି ପଡିଶା ଘରେ କିଏ କିଏ ଅଛନ୍ତି, ସେକଥା ବି ଜାଣିନି । ଘର ଛାଡି ଆସିଲା ବେଳେ ବାପା ବୋଉ କହିଥିଲେ – ଅଜଣା ରାଇଜକୁ ଯାଉଛୁ, ଦେଖି ଚାହିଁ ଚଳିବୁ । ହୁଣ୍ଡୀଙ୍କ ପରି ସମସ୍ତଙ୍କ ସହିତ ଉପରେ ପଡି ମିଶିଯିବୁ ନାହିଁ । ବଡ ସହରର କଥା, ପରିବେଶ ପରିସ୍ଥିତି କ’ଣ ଥିବ, କେମିତି ଥିବେ ସେଠିକାର ଲୋକବାକ, କିଛି ଜଣାନାହିଁ । କାହାକୁ ବିଶ୍ବାସ ନାହିଁ ଆଜିକା ଦିନରେ । ହାତେ ମାପି ଚାଖଣ୍ଡେ ଚାଲିବୁ । ନିଜ ସୁବିଧା ଅସୁବିଧା କାହା ଆଗରେ ଗପିଦେଇ ସେମାନଙ୍କୁ ସୁଯୋଗ ଦେବୁନାହିଁ ଗଲତ ଫାଇଦା ଉଠେଇବାକୁ । ସେଇଟା ତ ଆଉ ଆମର ଗାଁ ନୁହେଁ – ମାୟା ନଗରୀ, ଯୋଉଠି ସବୁକିଛି ମାୟାରେ ପୂର୍ଣ୍ଣ !

ଗଲା ରାତିରୁ ଆକାଶର ଛାତି ଚିରି ଧାରା ପ୍ରବାହ ବର୍ଷା ଚାଲିଛି । ଘର ସାମନାରେ ଅଣ୍ଟାଏ ଉଞ୍ଚର ପାଣି । ତାରି ଭିତରେ ଲୋକ ଅଣ୍ଡାଳି ଅଣ୍ଡାଳି ଚାଲିଛନ୍ତି , କୋଉଠି କାଳେ ଖାଲ କି ଢିପ କି ଗାତ କିଛି ରହି ଯାଇଥିବ .. ଅଥବା ମ୍ୟାନ୍ ହୋଲ୍ ଟା ଖୋଲା ରହି ଯାଇଥିବ । ସମସ୍ତଙ୍କ ମୁହଁକୁ ଦେଖିବାକୁ ଚେଷ୍ଟା କରୁଛି ଜୟା । ଅଳ୍ପ ଅନ୍ଧାର ଅଳ୍ପ ଆଲୁଅ ଭିତରେ ରେନ୍ କୋଟ୍ ଆଉ ଛତା ତଳେ ଏକମୁହାଁ ହେଇ ଧାଉଁଥିବା ସବୁ ମଣିଷମାନେ ତାକୁ ସମାନ ଦେଖା ଯାଉଛନ୍ତି । ହେଲେ ସେମାନଙ୍କ ଭିତରୁ କେହି ଜଣେ ବି ସୁରଜିତ ହେଇ, ତା’ କମ୍ପାଉଣ୍ଡ୍ ର ଗେଟ୍ ଖୋଲି ଭିତରକୁ ପଶି ଆସୁନାହାନ୍ତି।

ତାକୁ ଭୀଷଣ କାନ୍ଦ ମାଡୁଥିଲା ଏବେ, ଆଉ ଭୟ ବି । ରାତି ଏଗାରଟା ବାଜିବାକୁ ବସିଲାଣି । ଆଉ କେତେ ସମୟ ଅପେକ୍ଷା କରିପାରିବ ସେ ! ଏ ବର୍ଷା ପବନ ତ ଆଜି ରାତିରେ ବନ୍ଦ ହେଇଗଲା ପରି ଲାଗୁନାହିଁ । ହେଇଗଲେ ବି କଣଟା କରି ପକେଇବ ସେ ! କୋଉ ବାଟଘାଟ ଜାଣିଛି ନା କେହି ଚିହ୍ନା ପରିଚିତ ଅଛନ୍ତି ! ଘଣ୍ଟା କଣ୍ଟା ମିନିଟ୍ କଣ୍ଟା ଦ୍ରୁତ ବେଗରେ ଆଗେଇ ଚାଲିଛନ୍ତି, ଆଉ ତାଙ୍କଠୁ ଦ୍ରୁତ ବେଗରେ ଧକ୍ ଧକ୍ କରୁଛି ତା’ ଛାତି। ଆଖିର ଲୁହ ବନ୍ଧବାଡ ମାନୁନି । ତଥାପି ଧୈର୍ଯ୍ୟ ଧରି ବାଲକୋନିରେ ବର୍ଷା ମାଡ ଖାଇ ସନ୍ଧ୍ୟା ପରଠୁ ସେ ଠିଆ ହେଇଛି ଯେ ହେଇଛି ।

ମାତ୍ର କେତେ ସମୟ ? ଏଥର ତ ସବୁ ପ୍ରକାରର କାଳ କଥାଗୁଡା ମନକୁ କବଳିତ କରି ସାରିଲାଣି । ନା, ଆଉ ନୁହେଁ । ଯାହା ହେବା କଥା ହେଉ, ଯିଏ ଫାଇଦା ଉଠେଇବା କଥା ଉଠୋଉ, ସେ କିନ୍ତୁ ପଡିଶା ଘରର ସେଇ ବୟସ୍କା ଆଣ୍ଟିଙ୍କ ପାଖକୁ ଯାଇ ସାହାଯ୍ୟ ମାଗିବ । ଥରେ ଅଧେ ଏଇ ସିଢିରେ ହି ଦେଖାସାକ୍ଷାତ ହେଇଛି ତା’ର । ତା’ ସହିତ ପଦେ ଅଧେ କଥା ହେବାକୁ ସେ ଆଗ୍ରହ ବି ଦେଖେଇଛନ୍ତି, ହେଲେ ସେ ହିଁ ମୁହଁ ବୁଲେଇ ଚାଲିଆସିଛି ଉତ୍ତର ନଦେଇ । ସେଇ କଥାକୁ ନେଇ ସୁରଜିତ କେତେ ଥର ତାକୁ ବିରକ୍ତ ବି ହେଇଛି – ସାହିପଡିଶାଙ୍କ ସହିତ ମିଶିବା ଅତ୍ୟନ୍ତ ଜରୁରୀ ବୋଲି ଶିକ୍ଷା ଦେଇଛି । ହେଲେ ବାପାବୋଉଙ୍କ କଥା ସହିତ, ଭାଷାଗତ ସମସ୍ୟା ତାକୁ ଏ ଦିଗରେ ଆଗକୁ ବଢିବାକୁ ଦେଇନି ।

ଆଜି କିନ୍ତୁ ତା’ ପାଖରେ ଅନ୍ୟ ଉପାୟ କିଛି ନାହିଁ । ସେଇ ଅଙ୍କଲ୍ ଆଣ୍ଟିଙ୍କ ଛଡା ଆଉ କାହାରି ପାଖକୁ ସେ ଯାଇପାରିବ ନାହିଁ । ରାତି ବେଶ୍ ବିଳମ୍ବ ହୋଇ ସାରିଥଲେ ବି ସାହାସ କରି ଆଗେଇଗଲା ତାଙ୍କ ଦରଜା ବାଡେଇବାକୁ ।

ଅବିଳମ୍ବେ ଖୋଲିଗଲା ଦରଜାଟି । ସେପଟେ ଦୁଇ ଯୋଡି ବିସ୍ଫାରିତ ଚକ୍ଷୁ ପ୍ରଶ୍ନାତୁର ଦୃଷ୍ଟିରେ ତା’ ଆଡକୁ ଚାହିଁ ରହିଥିଲେ । ଓଦା ସରସର ଦେହକୁ ଶୁଖିଲା ତଉଲିଆରେ ପୋଛୁଥିବା ବୟସ୍କ ବ୍ୟକ୍ତିଜଣଙ୍କ ଏଇ ମାତ୍ର ବାହାରୁ ଆସିଥିବା ପରି ଲାଗୁଥିଲେ । ମୁହଁରେ ଥିଲା ଅତି ବେଶି ଆପଣାର ଭାବ, ସତେ ଯେମିତି ଦୀର୍ଘ ବର୍ଷର କେହି ଏକଦମ୍ ଚିହ୍ନାଜଣା ଲୋକ ! କିଛି କହିବାକୁ ପାଟି ଖୋଲିବା ପୂର୍ବରୁ ଛାତି ତଳର କୋହ ସବୁ ଲୁହର ରୂପ ନେଇ ଝର ଝର ହେଇ ଝରି ଚାଲିଗଲା । ସବୁ କିଛି ଜାଣିଗଲା ପରି ସେ ତାକୁ ଭିତରକୁ ଡାକିନେଲେ । ପାଣି ପିଆଇଲେ । ଆଶ୍ବାସନାର ଲମ୍ବା ଲମ୍ବା ଭାଷଣ ନଛାଡି କେବଳ ନିଜ ଛାତି ଉପରକୁ ତାକୁ ଆଉଜେଇ ନେଲେ ଏକ ସ୍ନେହମୟୀ ମା’ ଭାବରେ ।

ଏକ ଅନନ୍ୟ ଉଷ୍ମତାର ପ୍ରଭାବରେ ପ୍ରକୃତିସ୍ଥ ହେଇଉଠିଲା ଜୟା । ଖଣ୍ଡି ଖଣ୍ଡି ଭାଷାରେ ସୁରଜିତର ଏପର୍ଯ୍ୟନ୍ତ ଫେରିକି ନଆସିବା କଥାଟା ଜଣେଇ ଦେଲା । ଅବଶ୍ୟ ସେତେବେଳକୁ ସେମାନେ ସବୁକିଛି ଅନୁମାନ କରି ସାରିଥିଲେ । ସ୍ୱାମୀ ତାଙ୍କର ଗାଡି ଚାବି ଧରି ସେଇ ଓଦା ଦେହରେ ତଳକୁ ଓହ୍ଲେଇ ବି ସାରିଥିଲେ ସୁରଜିତର ଅଫିସ୍ ନାଁ ଆଉ ଫୋନ୍ ନମ୍ବରଟା ପଚାରି ଦେଇ।

ବୟସ୍କା ମହିଳା ଏଥର ତାକୁ କହିଲେ, “ସନ୍ଧ୍ୟା ପରଠୁ ତୁମେ କିଛି ଖାଇଛ କି ନାହିଁ ଆଗ କୁହ ।“

ତେବେ ସେ କିଛି ଉତ୍ତର ଦେଲା ପୂର୍ବରୁ ହି ରୋଷେଇ ଘର ଭିତରକୁ ପଶିଯାଇ ଫ୍ରିଜ୍ ରୁ କିଛି ବଳକା ଖାଦ୍ୟକୁ କାଢି ଗରମ କରି ନେଇଆସିଲେ । “ଚିନ୍ତା କରନାହିଁ, ତୁମ ସ୍ୱାମୀ ଫେରିଆସିବେ ଶୀଘ୍ର । ମନୋହର ଗଲେଣି ମାନେ ତୁମେ ନିଶ୍ଚିନ୍ତ ହୋଇ କିଛି ଖାଇଦିଅ ଆଗ । ନଚେତ୍ ଦେହ ଖରାପ ହେଇଯିବ । ସେ ଆସିବା ପର୍ଯ୍ୟନ୍ତ ତୁମେ ଏଇଠି ବସିରୁହ ..”

“ହେଲେ ତାଙ୍କ ଫୋନ୍ ତ ଲାଗୁନି .. ଅଙ୍କଲ୍ କେମିତି ଜାଣିବେ ସେ କୋଉଠି ଅଛନ୍ତି !” ଆକାଶ ଆଡକୁ ଚାହିଁ କହିଲା ଜୟା । ବର୍ଷାର ବେଗ ଆହୁରି ବଢି ବଢି ଚାଲିଛି । ଶବ ଶିବ ଏକାକାର ହେଇଗଲା ପରି ବର୍ଷା । ଆଜିର ଏ ବର୍ଷା କିଛି ଗୋଟେ ବିରାଟ କ୍ଷତି ନକରିକି ଲେଉଟି ଯିବ ନାହିଁ ସତେ ଯେମିତି !

“ତଳେ ଲାଗିଯାଇ ପାରେ ! ନହେଲେ ବି କିଛି ନା କିଛି ବ୍ୟବସ୍ଥା ସେ ନିଶ୍ଚୟ କରିବେ । ତୁମେ ଭୟ କରନାହିଁ ।“

“କିନ୍ତୁ ଏତେ ବର୍ଷାରେ ..?” ସତରେ ଭାରି ଖରାପ ଲାଗୁଥିଲା ଜୟାକୁ, ଏମିତି ଅସମୟରେ କାହାକୁ ହଇରାଣ କରିଥିବାରୁ ।

“କ’ଣ ହେଇଗଲା ସେଇଠୁ ? ଅସୁବିଧା ସମୟରେ ହି ତ କେହି କାହାକୁ ସାହାଯ୍ୟ କରିବାର ସୁଯୋଗ ପାଇଥାଏ ! ଆଉ ସେଇ ସମୟରେ ଯଦି ଝଡ ତୋଫାନ ବର୍ଷାକୁ ଡରି ସାହାଯ୍ୟ କରିବାକୁ କେହି ପଛଘୁଞ୍ଚା ଦେବ, ତେବେ ତାକୁ କ’ଣ ମଣିଷ କୁହାଯିବ ! ଆମ ଝିଅ ହେଇଥିଲେ କ’ଣ ଆମେ ଯାଇନଥାନ୍ତୁ ?”

“ଝିଅ ..?” ଏକ ଅନନ୍ୟ ଆବେଗରେ ଶିହିରି ଉଠିଲା ଜୟା । ଘରୁ ଆସିଲା ପରେ ଏଇ ଆପଣାର ଶବ୍ଦଟା ଆଉ ତା’ କାନରେ ସିଧାସଳଖ ପଡିନାହିଁ । ଆଜି ଏତେ ଦିନ ପରେ ତାଙ୍କ ମୁହଁରୁ ଶୁଣିକି ଭାରି ଭଲ ଲାଗିଲା ।

ଖୁବ୍ ଶୀଘ୍ର ଫେରି ଆସିଥଲେ ଅଙ୍କଲ୍ ସୁରଜିତକୁ ସାଙ୍ଗରେ ଧରିକି । ଟ୍ରେନ୍ ବସ୍ ସବୁ ବନ୍ଦ ପଡି ଯାଇଥିବାରୁ ପାଣି କାଦୁଅରେ ପଶି ଚାଲି ଚାଲି ଫେରୁଥଲା ସେ । ଦୀର୍ଘ ସମୟରୁ ବର୍ଷା ମାଡ ଖାଇ ଏମିତି ଚାଲି ଚାଲି ଆସିବା ଫଳରେ ହାଲତ ପୂରା ଖରାପ ହେଇଯାଇଥିଲା ତା’ର । ଆସୁ ଆସୁ ଧମ୍ କରି ବସି ପଡିଲା ସିଢି ଉପରେ । ପାଟିରୁ କଥା ହି ବାହାରିଲାନି । କିଛି ସମୟ ପରେ କହିଲା, ସନ୍ଧ୍ୟା ସାତଟାରୁ ଅଫିସ୍ ଛାଡିଲାଣି ସେ । ଅନ୍ଧେରୀ ଷ୍ଟେସନ୍ ରେ ଗୋଟିଏ ବି ଟ୍ରେନ୍ କି ବସ୍ ନଥିଲା । ବହୁତ ସମୟ ଅପେକ୍ଷା କରି କରି ହାଲିଆ ହେଇଗଲା ପରେ କିଛି ଲୋକ ଚାଲି ଚାଲି ଆସୁଥିବାର ଦେଖି ତାଙ୍କ ସହିତ ସେ ବାହାରି ଆସିଲା । ଫୋନ୍ ଟାରେ ପାଣି ପଶିଗଲା ବୋଧେ, ବନ୍ଦ ହେଇଯାଇଛି ସେଟା । ହେଲେ ତାକୁ କାଢିକି ଥରେ ଦେଖିବାକୁ ବି ଚିନ୍ତା କରିନାହିଁ କି ସମୟ ବି ପାଇନାହିଁ । .. ଯାହା ହେଉ ଅଙ୍କଲ୍ ଗାଡି ନେଇକି ଗଲେ ବୋଲି କିଛି ବାଟ ତ ସେ ଆସିପାରିଲା ! ନହେଲେ ଆହୁରି ଘଣ୍ଟାଏ ନିଶ୍ଚୟ ଲାଗି ଯାଇଥାଆନ୍ତା ।

କୃତଜ୍ଞତାରେ ମୁଣ୍ଡ ନଇଁ ଯାଇଥିଲା ଜୟାର । ଘରକୁ ଫେରି ଆସିବା ପୂର୍ବରୁ ଆଣ୍ଟି ତାକୁ ଆଉ ଥରେ ଆବେଗରେ କୁଣ୍ଢେଇ ପକେଇଲେ । ସେ ବି ସେତିକି ବିଭୋର ପଣରେ ତାଙ୍କୁ ଜାବୁଡି ଧରି ନେଇଥିଲା ।

ପରଦିନ ସକାଳେ ସବୁକଥା ଶୁଣିଲା ପରେ ଗମ୍ଭୀର ହୋଇଗଲା ସୁରଜିତ । କହିଲା, “ଏବେ ବି ସେଇ ରାତିର କଥାକୁ ସେମାନେ ଭୁଲି ନାହାନ୍ତି ତ !”

“କୋଉ ରାତିର କଥାକୁ ?”

“ଏମିତି ଏକ ଝଡ ତୋଫାନିଆ ବର୍ଷଣ ମୁଖର ରାତିକୁ ! ଯୋଉ ଦିନ ତାଙ୍କର ଏକମାତ୍ର ଝିଅ ସିଲ୍କ ଅଫିସ୍ ରୁ ଫେରିବା ବାଟରେ ସବୁଦିନ ପାଇଁ ହଜି ଯାଇଥିଲା କୁଆଡେ ! ସାରା ରାତି ଖୋଜି ଚାଲିଲେ ବାପ ମା’ .. ସାହିପଡିଶା .. ସାଙ୍ଗସାଥୀ, ସମସ୍ତେ । କିନ୍ତୁ କିଛି ପତ୍ତା ପାଇଲେ ନାହିଁ । ପୁଲିସ୍ ପାଖକୁ ବି ଗଲେ ।

ସାରା ରାତି ସମସ୍ତ ସମ୍ଭାବ୍ୟ ସ୍ଥାନକୁ ଯାଇ ପଚରା ଉଚୁରା କରି ନିରାଶ ହେଲା ବେଳକୁ କିଏ ଜଣେ ଆସି କହିଲା – ରାସ୍ତା କଡରେ ଥିବା ଖୋଲା ମ୍ୟାନ୍ ହୋଲ୍ ରେ ତାକୁ ଖସି ପଡୁଥିବାର ଦେଖି ସେ ଜୋର୍ ରେ ପାଟି କରିଥିଲା । ହାତ ବଢେଇ ତାକୁ ଧରିବାକୁ ଚେଷ୍ଟା ବି କରିଥିଲା । ମାତ୍ର ପାଣିର ସୁଅ ଏତେ ବେଶି ଥିଲା ଯେ ତା’ ଭିତରୁ ତାକୁ କେମିତି ବାହାର କରିହେବ, ସେକଥା ଚିନ୍ତା କରିବା ପୂର୍ବରୁ ହି ସେ ଭାସି ଯାଇଥିଲା । ସେ ବି ଏତେ ଭୟଙ୍କର ବର୍ଷାକୁ ଡରି ତା’ ଭିତରକୁ ପଶିବାର ସାହାସ କରିନଥିଲା । ଆଖପାଖରେ କିଛି ଲୋକ ଥିଲେ । କିନ୍ତୁ କେହି ଜଣେ ବି ସାହାଯ୍ୟ କରିବା ପାଇଁ ଆଗେଇ ଆସିଲେ ନାହିଁ । ମାତ୍ର କିଛି ମୁହୂର୍ତ୍ତ ପାଇଁ ‘ବଞ୍ଚାଅ .. ବଞ୍ଚାଅ ..’ ବୋଲି ପାଟି ଶୁଭିଥିଲା । ତା’ପରେ ସବୁ ଶୂନ୍ ଶାନ୍ ହେଇଯାଇଥିଲା, କେବଳ ପାଣି ବୋହିବାର ଶବ୍ଦକୁ ଛାଡି ।

ମ୍ୟୁନିସିପାଲଟି, ଦମକଳ, ସବୁଆଡେ ଖବର ଦେଇଥିଲେ ସେମାନେ, ହେଲେ ସେତେବେଳକୁ ଗୋଟିଏ ସୁନ୍ଦର ଜୀବନ ସମୁଦ୍ରର ଅଥଳ ଜଳରେ ଲୀନ ହୋଇ ସାରିଥିଲା । ହାର୍ ମାନିଗଲା ଜୀବନ ମୃତ୍ୟୁ ପାଖରେ ଆଉ ସବୁଦିନ ପାଇଁ ଶୂନ୍ୟ ହେଇଗଲା ଅଙ୍କଲ୍ ଆଣ୍ଟିଙ୍କ କୋଳ ! ଡହଳ ବିକଳ ହୋଇ କାନ୍ଦିଥଲେ କେତେ .. ଚାରି ଦିନ ପରେ କୋଷ୍ଟ୍ ଗାର୍ଡମାନେ ପାଣିରେ ଫୁଲି ଯାଇଥବା ତା’ର ଦେହକୁ ଉଦ୍ଧାର କରିଥଲେ । କାନ୍ଧରେ ତା’ର ସେପର୍ଯ୍ୟନ୍ତ ବି ଅଫିସ୍ ବ୍ୟାଗ୍ ଗୁଡେଇ ହେଇ ରହିଥିଲା .. ଦେହରେ ରେନ୍ କୋଟ୍ ଆଉ ହାତମୁଠାରେ ମୋବାଇଲ୍ ବି ଥିଲା, ନଥିଲା ତ ଖାଲି ଜୀବନ ଟିକକ ..! ଆଉ ଝିଅକୁ ନେଇ ବାପା ମା’ଙ୍କ ଆଖିରେ ଭରି ରହିଥିବା ଅମାପ ସ୍ୱପ୍ନ ଆଉ ସମ୍ଭାବନାର ଦୁର୍ବଳ ଡୋର ଟିକକ ! .. ବଦଳି ଯାଇଥିଲା ଜୀବନର ମାନଚ୍ଚିତ୍ର ଶ୍ରାବଣର ଓଦା ଓଦା ତୂଳୀରେ !

ସେଦିନ ପରଠୁ ବର୍ଷା ହେଲା ମାତ୍ରେ ଅଙ୍କଲ୍ ନିଜେ ଗାଡି ନେଇ ସାରା ରାତି ବୁଲି ବୁଲି ଲୋକମାନଙ୍କୁ ଘରେ ପହଞ୍ଚେଇବାର କାମରେ ଲାଗିପଡନ୍ତି । ବିଶେଷ କରି କମ୍ ବୟସର ପୁଅ ଝିଅମାନଙ୍କୁ, ଯୋଉମାନଙ୍କୁ ସାହାଯ୍ୟ କରି ସେ ନିଜ ଝିଅକୁ ଘରେ ପହଞ୍ଚେଇ ପାରିଥବାର ଆଶ୍ୱାସନାକୁ ବୋଧେ ଆଜି ବି ଅନୁଭବ କରନ୍ତି !

-0-


Rate this content
Log in

Similar oriya story from Inspirational