କଙ୍କଡା
କଙ୍କଡା
ପିଲା ଦିନେ ଦୁଷ୍ଟ ଚିଲ ଆଉ ଚତୁର କଙ୍କଡା କାହାଣୀ ଗପ ବହିରେ ପଢିଥିଲି। ସେଥିରେ କଙ୍କଡ଼ାକୁ ଏକ ବୁଦ୍ଧିମାନ ପ୍ରାଣୀ ରୂପରେ ବର୍ଣ୍ଣନା କରିଥିଲେ ଗାଳ୍ପିକ। ମାଛ ମାନଙ୍କ ଜୀବନକୁ ରକ୍ଷା କରିଥିଲା ସେଦିନ ସେ ଚତୁର କଙ୍କଡା ରାମ୍ ଲେଖା । କିନ୍ତୁ ସେଦିନ ମୋ ଜୀବନ ତ ମାରି ଦେଇଥାନ୍ତା ସେ କଙ୍କଡା।
ମୁଁ ପିଲା ଦିନେ ବହୁତ ଡ଼ରୁଆ ଥିଲି। ରାସ୍ତାରେ କୁକୁର ଭୁକିଲେ ମୁଁ ଛାନିଆରେ ପ୍ୟାଣ୍ଟରେ ଏକ କରି ଦେଉଥିଲି। ଅନେକ ଥର ବୁଲା କୁକୁରକୁ ହାତ ଯୋଡି ନେହୁରା ହୋଇଛି ମୋତେ ନ କାମୁଡିବା ପାଇଁ। ଧୀରେ ଧୀରେ ମୋର ସାହସ ବଢ଼ିଲା। ମୁଁ ଷଷ୍ଠ ଶ୍ରେଣୀରେ ପଢ଼ୁ ଥାଏ। ଆମେ ୨/୩ ଜଣ ସାଙ୍ଗ ସ୍କୁଲ ଛୁଟି ହେଲା ପରେ ପୋଖରୀକୁ ଧାଉଁ ବନସି ଧରି ମାଛ ଧରିବାକୁ। ମୋର ତ ବନସି କଣ୍ଟା ନଥାଏ କଣ କରିବି। ସେ ଦୁଇଜଣ ସାଙ୍ଗ ମୋତେ କହିଲେ.. ତୁ କଙ୍କଡା ଧର।
ମୁଁ କହିଲି ନାଇଁରେ ଭାଇ ମୁଁ ପାରିବିନି ଡର ଲାଗୁଛି। ଜଣେ ପ୍ରାକ୍ଟିକାଲ କରି ମୋତେ ଦେଖାଇ ବି ଦେଲା । ବହୁତ ସହଜରେ ସେ କଙ୍କଡା ଗାତରେ ହାତ ପୁରେଇ ଗୋଟେ ପରେ ଗୋଟେ କଙ୍କଡା ଟାଣି ଆଣେ। ତାକୁ ଦେଖି ମୋର ବି ସାହସ ବଢିଗଲା। ଶକ୍ତି ଶକ୍ତି ଶକ୍ତି ଶକ୍ତିମାନ ....ଶକ୍ତି ଶକ୍ତି ଶକ୍ତି ଶକ୍ତିମାନ.... ଗାଇ ଗାଇ ମୁଁ କଙ୍କଡା ଗାତରେ ସାହସ ଜୁଟାଇ ହାତ ପୁରେଇ ଦେଲି। ଯଦି ଓ ମୋ ସାଙ୍ଗ ମୋତେ ପୁରା ତାଲିମ ଦେଇଥିଲା କଙ୍କଡା ଧରିବାର,ହେଲେ ମୋ ପାଳି ପଡିବାରୁ ଡର ଟିକେ ଟିକେ ଲାଗୁଥାଏ। କାନ୍ଧ ପର୍ଯ୍ୟନ୍ତ ହାତ ପୁରେଇ ଦେଲି ଆଉ ତା ପରେ ଯାହା ହେଲା ନକହିବା ଭଲ। ଗୋଟେ ବୁଢ଼ା ବିଲୁଆ କଙ୍କଡା ମୋ ହାତର ମଝି ଅଙ୍ଗୁଳିକୁ କାମୁଡି ଧରିଲା ରଟ୍ କିନା।
ମୁଁ ଆକୁଳ ଚିତ୍କାର କରିବାକୁ ଲାଗିଲା। ଶକ୍ତିମାନ ଗୀତ ଏକାଥରେ ବନ୍ଦ। ମୋ ପ୍ରଶିକ୍ଷକ ମୋତେ ସ୍ଥିତି ସାମ୍ନା କରିବାର କୌଶଳ ଶିଖାଇଲେ ପାଖକୁ ଆସି। କେମିତି କଙ୍କଡା କବଜାରୁ ରକ୍ଷା ପାଇବି। କେମିତି ମୋ ଅଙ୍ଗୁଳିକୁ ରକ୍ଷା କରି ତା ମୁଣ୍ଡକୁ ଆଉ ତାର ଗୋଡ଼ ଗୁଡିକୁ ମୋଡି ମକଚି ତାକୁ କରାୟତ କରି ଗାତରୁ ଟାଣିବି। ସବୁ ଶିଖାଇଦେଲା। ଆଉ ମୁଁ ବି ଶିଖିଗଲି କିଛି । ଯେପରି ଅଭ୍ୟାସ ବଳେ ସର୍ବ ସିଦ୍ଧି।
ମୁଁ ବି ଧୀରେ ଧୀରେ କୌଶଳ ଶିଖିଗଲି। ଘରକୁ ଫେରି କଙ୍କଡା ଗୁଡିକୁ ଗୋଟେ ବାଲ୍ଟିରେ ଭରୁଥାଏ। ହଠାତ୍ ଗୋଟେ ଦୃଶ୍ୟ ଦେଖି ମୋ ଆଖି ଅଟକି ଗଲା। କଙ୍କଡା ମାନେ ବାଲ୍ଟିରୁ ବାହାରିବାକୁ ଚେଷ୍ଟା କରୁଥାନ୍ତି। ଜଣେ ଅନ୍ୟ ଜଣେ ଉପରେ ଚଢି ।ଆଉ ପରସ୍ପର ଟଣା ଟାଣି ବି ହେଉଥାନ୍ତି। ଜଣେ ଆଉ ଜଣକୁ ବାଲ୍ଟି ବାହାରକୁ ଯିବାକୁ ଦେଉନଥାଏ।
କଥାଟା କିଛି ବୁଝିହେଲାନି।
କାହାକୁ ପଚାରିବି ।କିଏ ମୋତେ ସନ୍ତୋଷଜନକ ଉତ୍ତର ଦେଇ ପାରିବ! ବୋଉକୁ ପଚାରିଲି ।ବୋଉ ଉତ୍ତର ଦେଲା ସେମାନେ କଳି ଝଗଡା ବା ମାଡ଼ ଗୋଳ ହେଉଛନ୍ତି। ଯଦିଓ ଏହା ଏକ ସନ୍ତୋଷଜନକ ଉତ୍ତର ନଥିଲା ।କିନ୍ତୁ ମନକୁ ଏହା କହି ବୁଝାଇ ଦେଲି ବୋଧହୁଏ ସେମାନଙ୍କୁ ଗୋଟେ ବାଲ୍ଟିରେ ଜାଗା ହେଉନି ସେଥିପାଇଁ ଟିକେ ଫାଙ୍କା ଜାଗା ଖୋଜୁଛନ୍ତି।
ଏହା ଭିତରେ ଅନେକ ସମୟ ବିତିଯାଇଥାଏ ।ମୁଁ ବି ବାଳକରୁ ଯୁବକ ହୋଇ ସାରିଥାଏ। କିନ୍ତୁ ସେ ପହେଳିର ସଠିକ୍ ଉତ୍ତର ମୁଁ ଖୋଜୁଥାଏ। ଅନବରତ ଭାବରେ ।
ଦିନେ ମୁଁ ଠିକ୍ ସେହିପରି ଦୃଶ୍ୟ ଦେଖିଲି ।କଙ୍କଡା ମାନେ ବାଲ୍ଟିରୁ ବାହାରିବାକୁ ଚେଷ୍ଟା କରୁଛନ୍ତି ।ଜଣେ ଉପରକୁ ଉଠିଲା ବେଳକୁ ଆଉ ଜଣେ ତାର ଗୋଡ଼କୁ ଟାଣି ଧରୁଛି ।କେହି ବି ବାହାରି ପାରୁନାହାନ୍ତି ସେ ବାଲ୍ଟି ଭିତରୁ .... ଚିନ୍ତା କଲି ବୋଧହୁଏ ଏହି କଙ୍କଡା ଗୁଡିକ ଗୋଟେ ଗୋଟେ ସ୍ୱାର୍ଥପର। କେହି କାହାରି କି ସହି ପାରୁନାହାନ୍ତି ।କେହି କାହାରି ଉନ୍ନତି ଦେଖିପାରୁନାହାନ୍ତି।
ଠିକ୍ ଯେମିତି ଆମ ସମାଜରେ ଜଣେ କେହି ନାଁ କମାଇଲେ ଆଉ ଅଗ୍ରଗତି କଲେ ତାକୁ ତାର ପଡୋଶୀ ସହି ପାରୁନି। ଜଣେ ଯଦି ଧନ ଅର୍ଜନ କଲା ଅନ୍ୟ ଜଣେ ତାକୁ ସନ୍ଦେହ ଦୃଷ୍ଟିରେ ଦେଖୁଛି। ସତ୍ୟାସତ ନଜାଣି କହି ପକାଉଛି ସେ ବୋଧେ କେଉଁଠାରେ ଚୋରି କରି ଏତେ ଧନ ଦୌଲତ ଠୁଳ କରିଛି।
ତା ପରେ ଆରମ୍ଭ ହୁଏ ଈର୍ଷା ,ପରଶ୍ରୀକାତରତା । ସେ ଦଶ ଗୋଡ଼ିଆ ସରୀସୃପ ପରି ଆମ ସମାଜର ଦୁଇ ଗୋଡ଼ିଆ ଜନ୍ତୁ ମଣିଷ ବି କମ୍ ନୁହେଁ। ଆମେ ବି ପରସ୍ପର ଗୋଡ଼ ଟଣାଟଣିରେ ବ୍ୟସ୍ତ। ଜଣେ ଅନ୍ୟ ଜଣକୁ ପରାସ୍ତ କରିବାରେ ଧୁରିଣ।
ଫଳ ସ୍ୱରୂପ ଆମ ସମାଜର ବି ସାମଗ୍ରିକ ଉନ୍ନତି ହୋଇପାରୁନି। ସଜ ମାଛରେ ବି ଲୋକେ ପୋକ ପକାଇ ଦିଅନ୍ତି। ଏହି ତ ଆମ ସମାଜ। ଆମ ବୃତି ଗତ ଜୀବନରେ ଜଣେ ଅନ୍ୟ ଜଣେ ସହକର୍ମୀର ଉନ୍ନତି ଦେଖିପାରେ ନାହିଁ ।ତା ନାଁରେ ଚୁଗୁଲି କରିବାକୁ ପଛଘୁଞ୍ଚା ଦିଏ ନାହିଁ।
ଆଜିକାଲି ରାଜନୀତିରେ ବି ସେମିତି ଦେଖାଗଲାଣି ।ଗୋଟେ ଦଳ ଆଉ ଗୋଟିଏ ଦଳର ବଦ ଗୁଣ ଖୋଜିବାରେ ବ୍ୟସ୍ତ ।ଆମେ ଖାଲି ଅନ୍ୟର ନିନ୍ଦା କରିବା ଶିଖୁଛେ ।କିନ୍ତୁ କାହାର ପ୍ରଶଂସା ଦେଖି ଆମେ ସହି ପାରୁନେ ।ଠିକ୍ ସେହି କଙ୍କଡା ମାନଙ୍କ ପରି ଜଣେ ଅନ୍ୟ ଜଣକ ଉପରେ କାଦୁଅ ଫିଙ୍ଗିବାରେ ବ୍ୟସ୍ତ। ମୁଁ ବଡ଼ । ଆଉ ଆପେ ବଞ୍ଚିଲେ ବାପର ନାଁ ନ୍ୟାୟରେ ସମସ୍ତେ ଚାଲୁଛନ୍ତି।
ବଳରାମ ବାରିକ।