Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Anil Kumar Parhi

Drama Abstract

3  

Anil Kumar Parhi

Drama Abstract

ମା' ବଉଳାଣୀ

ମା' ବଉଳାଣୀ

5 mins
7.2K


ମୁଁ ଭାବୁଛି ପ୍ରତ୍ୟେକ ଗାଁରେ ଜଣେ ଅଧିଷ୍ଟାତ୍ରୀ ଠାକୁରାଣୀ ଥିବେ। ତାଙ୍କର ଆସ୍ଥାନ ପଛକେ ସେହି ଗାଁରେ ନହୋଇ ପାଖ ଗାଁରେ ହୋଇଥାଉ ହେଲେ କୌଣସି ବିବାହବ୍ରତ ଠାକୁରାଣୀଙ୍କ ମାର୍ଜଣା ବିନା ହୋଇପାରିବ ନାହିଁ। ଆମ ଗାଁ ଠାକୁରାଣୀ ମା ବଉଳାଣୀ। ତାଙ୍କ ଆସ୍ଥାନ ଆମ ଗାଁରେ ନୁହେଁ। ପାଖ ଗାଁ ପାଟୁଳିଦାରେ। ମୁଁ ମୋର ଶୈଶବ ଠୁଁ ଆଜି ପର୍ଯ୍ୟନ୍ତ ମାତ୍ର ଦୁଇଥର ସେ ଜାଗାକୁ ଯାଇଛି। କିଛି ଭବ୍ୟ ମନ୍ଦିର ନାହିଁ ମା'ଙ୍କର। ଏତେ ଅବହେଳିତ ହୋଇ ପଡିବା ସତ୍ତ୍ବେ କେମିତି ଯେ ମା ବଉଳାଣୀ ଆମ ଗାଁକୁ ଟେକି ଧରିଛନ୍ତି ତାହା ମୋତେ ଚକିତ କରେ। ବିଚାରୀ ଖରାବର୍ଷାକାକର ସହି ପଡିଛନ୍ତି ଅନାଥ ପରି!

କୌଣସି ମାଙ୍ଗଳିକ କାର୍ଯ୍ୟର ଶୁଭ ଦିଆଯାଏ ମାର୍ଜଣାରୁ। ଜଣେ ଅନ୍ତକୋଷିଆ ଦୁର୍ବଳିଆ ବୁଢା ନଇଁନଇଁ ଆସି ଆମ ଦାଣ୍ଡରେ ସିଧା ଠିଆହୋଇଯାଏ। ମା କୁ ଡାକେ - ବାବୁଝିଅ, ଏ ବାବୁଝିଅ! କଛାମାରି ପିନ୍ଧିଥାଏ ଗାମୁଛା। ଖାଲି ଦେହ। କିଟିକିଟି କଳା। ବେକରେ ବି ଗାମୁଛାଟିଏ। ସିଏ ଆମ ଶନା ବାରିକ। ରୁଷ ଗାଁରୁ ଆସେ। ତା ପାଟି ଶୁଣି ମା ବାହାରି ଆସେ। ଗୋଟେ କୁହ୍ଲାରେ ରଖିଥାଏ ଖଇ, ଟିକେ ଗୁଡ, ନଡିଆଟେ, ସାଲୁ କନା, ସିନ୍ଦୂର ଆଉ ଧୂପ। ଏତକ ମା'ଙ୍କ ପାଇଁ। ମାର୍ଜଣା କରେ ଶନା ବାରିକ।

ପ୍ରତିବର୍ଷ ଧାନକଟା ପରେ ଆମ ଗାଁର ବାର୍ଷିକ ଠାକୁରାଣୀ ପୂଜାର ଆୟୋଜନ ହୁଏ। ବେହେରା ସାହି ପୋଖରୀ ଆଢିରେ ଝୁଣା ଧୂଆଁ ମଶାମାନଙ୍କୁ ହଇରାଣ କରେ। ଆଢିରେ ପ୍ରଶସ୍ତ ଜାଗାରେ ବସିଥାନ୍ତି ବାପା,ବୁଧିଆକକା, ବାଜୁ ପିଇସା, ଡୁମାଦାଦି ଆଦି। ପୂଜା ଆରମ୍ଭ ହୁଏ। 

କାଳିସୀ ଲାଗେ ଶିବଦାଦିକୁ। ସେ କଲିକତାରେ ଛେନା ବେଉସା କରେ। ତାଙ୍କ ଘର ଆମ ଗାଁର ପ୍ରଥମ ଟାଇଲ୍ ଘର। ସେ କଲିକତାରୁ ଗାଁକୁ ଆସେ ସେହି ସମୟରେ। ସେ ଆସିବାଟା ଆମେ ଘରେ ଥାଇ ଜାଣିପାରୁ। ଶିବଦାଦିର ଦୁଇ ସ୍ତ୍ରୀ। ବଡଖୂଡୀ ଗୋଟେ ଆଲୁମିନିୟମ ଗିନାରେ ଦି'ଟା ସନ୍ଦେଶ ନେଇ ଆସେ। ଆମର ବ୍ରାହ୍ମଣ ଘର। ସେ ସନ୍ଦେଶକୁ ବାପା, ମା, ବୁଢୀମା କେହି ଖାଇବେନି। ଘରେ ସାନଭାଇ ବାପି ଆଉ ବଡଭଉଣୀ ପାକନାନୀ। ନାନୀ ଆମ ଠୁ ଆଠଦଶ ବର୍ଷ ବଡ। ଆମେ ତା କୁନିଭାଇ। ବୋଧେ ସେ ମୋତେ ଗୋଟେ ଆଉ ବାପିକୁ ଗୋଟେ ଦେଇଥିବ।

ଶିବଦାଦି ତକତକ ଗୋରା। ଠାକୁରାଣୀ ପୂଜାଦିନ ସେ ଗମ୍ଭୀର ଦିଶେ ଓ ତା ମୁହଁ ଲାଲ ପଡିଯାଇଥାଏ। ବୁଧିଆକକାଙ୍କ ପରେ ଯଦି ଆମେ ପିଲାମାନେ ଦ୍ବିତୀୟ କାହାକୁ ଡରୁଥାଉ ସେ ହେଲା ଶିବଦାଦି। ହେଲେ, ସେ କଣ ପ୍ରକୃତରେ ଶିବଦାଦି। ସେ ଯେ ମା ବଉଳାଣୀ। ମା ବଉଳାଣୀଙ୍କୁ ବହୁବାର ସଞ୍ଜ ସମୟରେ ଦେଖିଥିବାର ଆମ ଗାଁର ବହୁ ସ୍ତ୍ରୀଲୋକ ଦାବୀ କରନ୍ତି। ଆମ ଠାକୁର ଘର ପାଖ ମଙ୍ଗଳା ଖୁଣ୍ଟ ପାଖରେ ମା ବହୁଥର ମା' ଲୋ କହି ଡରରେ ଚିତ୍କାର କରେ। ପଚାରିଲେ କହେ - ଦେଖ୍ ଦେଖ୍ ମୋ ରୁମ ମୂଳ ( ଲୋମ ) କେମିତି ଠିଆହୋଇଛି! କେହି ପଚାରେ - କିଅ ନିକି?( କାହିଁକି ) ମା କହେ - ବୁଢୀ ଆସିଥିଲା। ନାଲି ଶାଢି। ମୁଣ୍ଡର ବାଳ ମୁକୁଳା। ପୁଣି କିଏ ପଚାରେ - ବଉଳାଣୀ ପରା ଠାକୁରାଣୀ, ତୁ ଡରିଲୁ କାହିଁକି! ପ୍ରଥମେ ମା ସେହି ଦୃଶ୍ୟକୁ ମନେପକେଇ ଥରିଉଠେ, ତା ପରେ ଆମ ଉପରେ ବିରକ୍ତ ହେଇ କହେ - ବ, ବ, ଯାଃ। ଭାରି ଗୋଟେ ପାଠପଢିଲା ଘୁଷ୍ ପଣ୍ଡିତ ଆଇଲେ! ମା ଭାବେ ଆମେ ତାକୁ ବିଜ୍ଞାନ ପଢୁଥିବାରୁ ଅବିଶ୍ବାସ କରୁଛୁ।

ବାପାଲୋ ବାପା! ଆମେ କାହିଁକି ସେପରି କରିବୁ! ଶିବଦାଦିର ମେଦିନୀ ଫଟା କୁହାଟ କିଏ ନଶୁଣିଛି! ମନମଥିଆ ବୁଝାଏ - ଶୁଣ! ଶିବାଦି ସେତେବେଳେ ମା ବଉଳାଣୀ। ମାନେ ବୁଝୁଛ ତ! ମାନେ ଠାକୁରାଣୀ। ଯାହା ବର ମାଗିବ ଦେଇଦେବେ।

ଏ ଘୋଷଣା ଆମକୁ ଅତି ମାତ୍ରାରେ ଲୋଭାନ୍ବିତ କରେ। ଗଜ ପଚାରେ - ବିଜ୍ଞାନ ଆଉ ଅଙ୍କରେ ପାସ୍ କରେଇଦବ ମା? ମନମଥିଆ ବିକଟାଳ ହସ ହସେ ସତେ ଯେମିତି ଏହି ସାମାନ୍ୟ ବର ଟା ତା ହାତରେ ଅଛି। ମୁଁ ବି ମନେମନେ ଭାବୁଥାଏ କଣ ମାଗିବି, କଣ ମାଗିବି। ନାନୀଟା କଥା କଥାକେ ପିଟୁଥାଏ ମତେ। ସବୁବେଳେ ପାଠ ପଢ୍ କହୁଥାଏ। ମାଗିବି କି ତା ବାହାଘର ଜଲ୍ଦି ହୋଇଯାଉ। ପାକ ନାକ। ଟିକେ ଢୁଳେଇପଡିଲେ ମା ଉଦ୍ଦେଶ୍ୟରେ ଡାକ ଛାଡିବ - ମା ଦେଖିବୁ ଆ ସଞ୍ଜଟାରେ ଟିକନ ପାଠ ନପଢି ଶୋଇଲାଣି। ମା ଦୁମଦୁମ୍ ହୋଇ ଆସିବ ଆଉ ପିଠିରେ କୁନ୍ଦିଦେଇଯିବ। କିଏ କେତେ କଥା ଭାବେ। ଏମିତି ତ ଆମେ ସବୁ ସାଙ୍ଗ ଭାବିଥିଲୁ ଅମୃତ ମାଗିବୁ ବୋଲି! ଅମୃତ ଖାଇଲେ କାଳେ ଆଉ ମରିବନି!

ବିଡମ୍ବନାର ବିଷୟ ହେଲା, ସାଧାରଣତଃ ସ୍ତ୍ରୀଲୋକ ଆଉ ଛୋଟ ପିଲାଙ୍କୁ ବେହେରା ସାହି ପୋଖରୀ ଆଢିକୁ ବିଶେଷ କାରଣ ନଥିଲେ ଛଡାଯାଏନି। ଏଣୁ, ଅମୃତ ମାଗିବୁ କେମିତି! ମୋର ଟିକେନାକୁ ଅମୃତ ଦରକାର ଥିଲା। ବାପି, ବାପା, ମା ଆଉ ବୁଢୀମା ପାଇଁ। ପାକନାନୀ ଉପରେ ରାଗି ମୁଁ ତାକୁ ଅମୃତ ଦେବିନି ଭାବିଥିଲି ଆଉ ମୋର ଧାରଣା ଥିଲା ମୁଁ ମରିବିନି! ଦୁଃଖ ବି ଲାଗୁଥିଲା ଏତେ ପାଠଶାଠ ପଢିଥିବା ବାପା,ବୁଧିଆକକା କଣ ଅମୃତ ମାଗିପାରନ୍ତେନି!

ଫିବର୍ଷ ମୋତେ ଟାଇଫଏଡ ହୁଏ। କେତେ ମାନସିକ, କଣ ନାଇଁ କଣ କରିସାରିଲାଣି ମା। ଫଳ କିଛି ହେଉନି। ବୁଢା ( କୁଳଦେବତା ରଘୁନାଥଙ୍କୁ ଶ୍ରଦ୍ଧାରେ ଏଇ ନାମରେ ଡାକେ ମା ) ଡାକ ଶୁଣୁନି କି କଣ! ମା ବଉଳାଣୀ ପାଖରେ ସେ ମାନସିକ କରିଥିଲା। ଏଣୁ, ବେହେରା ସାହି ଆଢିକୁ ମୁଁ ଯାଇପାରିବି। ଆଗ୍ରହ ଥିଲେ ବି ଡର। ଶିବଦାଦିର ସେ ରୂପ କିଏ ନଦେଖିଛି! ବିଶେଷ ଭାବରେ ମା ବଉଳାଣୀଙ୍କୁ ନେଇ ଆମ ସାଙ୍ଗମାନଙ୍କ ଭିତରେ ଭଲ ଭାବନା ନଥିଲା। ଆମେ ତାଙ୍କୁ ଭୂତପ୍ରେତ ପରି ଏକ କଦାକାର ରୂପରେ କଳ୍ପନା କରିଥିଲୁ। ଠାକୁରାଣୀ ପୂଜାଦିନ ରାତି ଆଠଟା ସୁଦ୍ଧା ଗାଁର ତାଟିକବାଟ ପଡିଯାଏ। ହଠାତ ପାଣୁଆବାଡି ଆଡୁ ଶୁଭେ ବିକଟାଳ କୁହାଟ ଶିବଦାଦିର। ସେ ଏବେ ମା ବଉଳାଣୀ। ସେ ଦୁମୁଦୁମୁ କରି ଗାଁ ରାସ୍ତାରେ ଧାଏଁ ବହର ଆଡକୁ। କିଛିସମୟ କୁହାଟ ଶୁଭେନାଇଁ। ମୁଁ ଡରିମରି ମା କୁ ପଚାରେ ଶିବଦାଦି ଗଲା କୁଆଡେ! ମା ଦୁଇହାତ ଯୋଡି କପାଳରେ ଲଗାଏ। ମୋ ମୁଣ୍ଡ ସାଉଁଳେଇ ଦିଏ। କହେ - ବାପାରେ ମା ପରା ସାରା ବିଶ୍ବବ୍ରହ୍ମାଣ୍ଡ ବୁଲି ଦେଖିବାକୁ ଯାଇଛି! ଠିକ କେତେ ସମୟ ପରେ ତା କୁହାଟ ଶୁଭେ। ଗାଁ ଦାଣ୍ଡରେ ଶିବଦାଦି କୁହାଟୁଥିଲା ବେଳେ ଯିଏ ଦେଖିଦେବ ସେ ମଲା। ଚର୍ମଚକ୍ଷୁ। ମା କୁ କଣ ଦେଖିହେବ।

ଶିବଦାଦିର କୁହାଟ ପାଖ ହୋଇ ଆସିଲେ ମା ଆମ ଦାଣ୍ଡ କବାଟ ଖୋଲିଦିଏ। ମୋ ଆଖି ଭୟରେ ବନ୍ଦ ହୋଇଆସେ। କୁହାଟିକୁହାଟି ଶିବଦାଦି ଆମ ଠାକୁର ବଙ୍ଗଳାରେ ମୁହଁମାଡି ପଡିଯାଏ। ଗାଁର ବିପଦଆପଦ ବିଷୟରେ ଭବିଷ୍ୟବାଣୀ କରେ। ତା ପରେ ମୂର୍ଛ୍ଛା ଯାଏ। ପାଣିଛାଟି ତାକୁ ସାଷ୍ଟାମ କରିବାକୁ ପଡେ। ଶିବଦାଦି ଉଠିବସେ ଓ ମୋ ମା ଉଦ୍ଦେଶ୍ୟରେ ପଚାରେ - ବୋଉ କଣ ହୋଇଥିଲା ମୋର?

ସେଥର ହୁଳହୁଳି, ବାଜା , ଘଣ୍ଟଧ୍ବନି, ଶଂଖରେ ପୂରିଉଠିଥାଏ ବେହେରା ସାହି ପୋଖରୀ ଆଢି। ବାପା ମା'ର ମାନସିକ ପାଇଁ ମୋତେ ନେଇକି ଯାଇଥାନ୍ତି। ପୋଖରୀ ଆଢିରେ ଥିବା ଭୂତପ୍ରେତମାନଙ୍କୁ ଡରନଥାଏ। ଶଂଖ ହୁଳହୁଳିରେ ସେମାନେ ଡରିକି ଲୁଚିଯାଇଥାନ୍ତି। ମୁଁ ମନେମନେ ସେମାନଙ୍କ ଉପରେ ପ୍ରତିଶୋଧ ନେଉଥାଏ - ଭଲ ହୋଇଛି। ଶିବଦାଦି ମାଟି ଉପରେ ବସି ମୁଣ୍ଡ ହଲାଉଥାଏ, ଚିତ୍କାର କରୁଥାଏ, ମୁହଁମାଡି କି ପିଠେଇ ପଡିଯାଉଥାଏ। କୁଦୁଥାଏ। ଯେତେ ବେଶୀବେଶୀ ସେ ଏମିତି କରୁଥାଏ ସେତେ ଅଧିକ ଝୁଣା ପଡୁଥାଏ ନିଆଁରେ। ଏତେ ଧୂଆଁ ଯେ ମୁହଁକୁ ମୁହଁ ଦିଶୁନଥାଏ।

ସେଦିନ ହଠାତ୍ ଗୋଟେ ଅଘଟଣ ଘଟିଲା। ଦେଖଣାହାରୀଙ୍କ ଭିତରେ ବସିଥିବା ଆମ ବାରମାସିଆ ନାରଣ ହଠାତ ଝୁମିବାକୁ ଲାଗିଲା। ଶିବଦାଦି ପରି କୁଦିବାକୁ ଲାଗିଲା। ଲୋକେ ଇତସ୍ତତ ହେଲେ।

ତୁ କିଏ? ପଚାରିଲା ବଉଳାଣୀରୂପି ଶିବଦାଦି। 

କହିବି ନାଇଁ। କହିଲା ଅନ୍ୟ କଣ ରୂପି ନାରଣ।

କହିବାକୁ ହେବ - ବଉଳାଣୀ କହିଲେ। ଏମିତି ବାଦାନୁବାଦ ପରେ ନାରଣ ମୁହଁରୁ ସତ ବାହାରିଲା - ମୁଁ କାଳୀବସନ୍ତେଈ।

ତୋତେ ଏଠିକି ଆସିବାକୁ ଅନୁମତି କିଏ ଦେଲା! ତୁ ଖସାଗାଡିଆର ଠାକୁରାଣୀ ( ନାରଣ ଘର ଆମ ଗାଁ ଠୁ ଗୋଟେ କିଲୋମିଟର ଦୂର ଖସାଗାଡିଆ )।

ମୋତେ କିଏ ଅନୁମତି ଦେବ! ହାଃ, ହାଃ, ହାଃ। ମୁଁ କାଳୀବସନ୍ତେଇ। କହିଲା ନାରଣ।

ଯା, ଚାଲିଯା ଏଠୁ। ନହେଲେ ତୋର ନିସ୍ତାର ନାହିଁ। କହିଲା ଶିବଦାଦି।

ତୋ ବଳ ପରୀକ୍ଷା କରିବାକୁ ଆସିଛି। କହିଲା କାଳୀବସନ୍ତେଈ।

ବାପାବୁଧିଆକକା ହେରିକା କିଛି ବୁଝିପାରୁନଥାନ୍ତି। କଣ କରିବେ ସେମାନେ! ହେଲେ, ଅଭାବିତ କାଣ୍ଡଟି ଘଟିଲା। ଶିବଦାଦି ହାତରେ ଠାକୁରାଣୀ ବେତ ଆଉ କାଳୀବସନ୍ତେଈର ପିଠି! ଓଃ! କି ମାଡ! ବିଜୁଳି ଖସିପଡିବ। କାଳୀବସନ୍ତେଈ ମୂର୍ଚ୍ଛା। କିଛି ଲୋକ ନାରଣକୁ ଟେକିଟେକି ଆମ ଘରକୁ ନେଇଗଲେ। ମା ତା ପିଠି ଘା ମଲମ ବୋଳି ପକେଇଥିଲା। ମୁଁ ଘରକୁ ଫେରିଲାବେଳକୁ ନୂଆବଙ୍ଗଳାରେ ନାରଣ କବାଟ ବନ୍ଦକରି ଶୋଇସାରିଲାଣି।

ତା ପରଦିନ ସକାଳ। ମୁଁ ଜଲ୍ଦି ଉଠିପଡିଥିଲି। ନାରଣ ସେଇସେଇ ଉଠିଥାଏ। ପଚାରିଲି - ଟିକେ ଦରଜ କମିଛି ନା! ସେ ମୋତେ ଅବଜ୍ଞା କଲାପରି ଅନେଇ କହିଲା - ଦରଜ! କି ଦରଜ! କାହିଁ ମୋର କଣ ହେଇଛି କି! କାଳୀବସନ୍ତେଇକୁ ପୁଣି ବଉଳାଣୀ ବଳିଯିବ! ଜାଣୁ, ଏତିକି ମାଡ ଯଦି କାଳୀବସନ୍ତେଇ ବଉଳାଣୀକୁ ଦେଇଥାନ୍ତା ସେ ସେଇଠି ଚିତ୍ ପଟାଙ୍ଗ! ନାରଣ ଏତକ କହିଲାବେଳେ ଯନ୍ତ୍ରଣାରେ ତା ମୁହଁ କାନ୍ଦୁରାକାନ୍ଦୁରା ଲାଗୁଥିଲା।।

ଅନୀଲ କୁମାର ପାଢୀ


Rate this content
Log in

Similar oriya story from Drama