Quotes New

Audio

Forum

Read

Contests


Write

Sign in
Wohoo!,
Dear user,
ଝରାଫୁଲ
ଝରାଫୁଲ
★★★★★

© Dillip Kumar Parida

Drama

4 Minutes   1.6K    12


Content Ranking

ଝରାଫୁଲ

ଦିଲ୍ଲୀପ କୁମାର ପରିଡା

             ସବୁଦିନ ପରି ମର୍ଣ୍ଣଂୱାକ୍ ଯିବା ପୂର୍ବରୁ ସରିତାଙ୍କର ଚା’ କପ୍‍ଟା ନଦେଖି ସରୋଜଙ୍କର କାଲି ରାତିରେ ହୋଇଥିବା ଆର୍ଗୁମେଣ୍ଟ କଥା ମନେପଡିଗଲା । ସତରେ କ'ଣ ଯିଏ ପ୍ରେମ କରେ ସେ ଚରିତ୍ରହୀନା ? ଶେଫାଳୀ କଥାକୁ ନେଇ ସରିତା ସହ ଆଗରୁ ମଧ୍ୟ ଅନେକ ଥର ଯୁକ୍ତି ହୋଇଛି । ସେସବୁ ନୂଆନୂଆ ବାହାଘର ବେଳର କଥା । ୟା’ ଭିତରେ କିନ୍ତୁ ବାହାଘରର ୧୮ବର୍ଷ ବିତିଗଲାଣି । ଗତ ଦୁଇ ଦଶନ୍ଧି ଧରି ଶେଫାଳୀ ବିଷୟରେ ନା ସରିତା କେବେ କିଛି କଥା ଉଠାଇଛନ୍ତି ନା ସରୋଜ କେବେ ସରିତାଙ୍କୁ କିଛି ତା'ର ସୁଯୋଗ ଦେଇଛନ୍ତି । କାଲି କ'ଣ ହେଲା କେଜାଣି ? ଗୋଟିଏ ଛୋଟ କଥାକୁ ନେଇ ଏମିତି କଥାଟା ବଢିଗଲା ଯେ, ସରିତା କହୁକହୁ କହିଦେଲେ- "ସେ ଚରିତ୍ରହୀନା ବିଷୟରେ ମୁଁ କିଛି ଶୁଣିବାକୁ ପସନ୍ଦ କରେନି ।" ସରୋଜ ବି କହିଦେଲେ- "ଶେଫାଳୀ ବିଷୟରେ ଯାହା କହିଲେ ବି ମୁଁ ସହିଯିବି, କିନ୍ତୁ ତାକୁ ଚରିତ୍ରହୀନା କହିଲେ, ମୁଁ କାହାକୁ ବି କ୍ଷମା କରିପାରିବିନି ।" ବାସ୍‍ ଏତିକି କଥାରେ ଦୁହେଁ ଚୁପ୍‍ ହୋଇଯାଇଥିଲେ ।  

             ହଁ, ଶେଫାଳୀ । ସରୋଜ ବାବୁଙ୍କ ହୃଦୟ-ବଗିଚାର ଏକ ଝରାଫୁଲ । ଆଜି ବି ସେ ଭୁଲିପାରି ନାହାନ୍ତି ଏ ଝରାଫୁଲର କଥା । ଆଜି ବି ତାଙ୍କ ବଗିଚାରେ ସାଇତା ହୋଇ ରହିଛି ସେ ଝରାଫୁଲର ପ୍ରତ୍ୟେକ ସ୍ମୃତିପାଖୁଡା । ଦେହମନକୁ ହୁଏତ ବାର୍ଦ୍ଧକ୍ୟ ଛୁଇଁଲାଣି, ହେଲେ ହୃଦୟ ? ଆଜି ବି ହୃଦୟ ଯଥେଷ୍ଟ ସତେଜ ସେଇ ପୁରୁଣା ସ୍ମୃତିକୁ ପାଥେୟ କରି । କାରଣ ନିହାତି ଅଜଣା ।

             ବିନା ଚା’ରେ ଦିନର ଅୟମାରମ୍ଭ କରିବାକୁ ମନେମନେ ସ୍ଥିର କରି, ସରୋଜ ବାହାରିପଡିଲେ ମର୍ଣ୍ଣିଂୱାକ୍ ରେ । ସେଦିନ ଆଉ ଇଚ୍ଛା ହେଲାନି ପାର୍କର ଫୁଟ୍‍ପାଥ୍ ଉପରେ ପାଦ ଚଳେଇବା ପାଇଁ । ଚୁପ୍‍ଚାପ୍‍ ବସିପଡିଲେ ପାର୍କର ସିମେଣ୍ଟ ବେଞ୍ଚ  ଉପରେ । ମନକୁ ହାଲ୍କା କରିବାକୁ କେତେବେଳେ ଇଆଡେସିଆଡେ ଅନେଇ ରହୁଥାଆନ୍ତି ତ କେତେବେଳେ ଭଜନ ଗାଉଗାଉ ଭଜନଟା ଅଜାଣତରେ ରୋମାଣ୍ଟିକ୍‍ ଗୀତର ରୂପ ନେଇଯାଉଥାଏ । ତାଙ୍କର ଭାବନାକୁ ପ୍ରତିହତ କରି ହଠାତ୍‍ ଜଣେ ସମବୟସ୍କ ବ୍ୟକ୍ତି ହାତ ବଢେଇଦେଲେ ହ୍ୟାଣ୍ତସେକ୍‍ କରିବା ଆଶାରେ, "ହାଏ..ଦିସ୍‍ ଇଜ୍‍ ସୁବ୍ରତ । ଆପଣ ଜଣେ ସତରେ କୌତୂହଳପୂର୍ଣ୍ଣ ବ୍ୟକ୍ତି । ଦୀର୍ଘ ଦଶ ମିନିଟ୍ ହେଲା ଦେଖୁଛି ଆପଣ ଭଜନକୁ ବିନା କାରଣରେ ସିନେମା ସଙ୍ଗୀତ ବନେଇଦେଉଛନ୍ତି । କ’ଣ ହେଇଛି ? କିଛି ଟେନ୍‍ସନ୍ ରେ ଅଛନ୍ତି କି ? କୁହନ୍ତୁ, ମୁଁ ଚୁଟ୍‍କିରେ ସଲ୍‍ଭ କରିଦେବି ।" ଏମିତି ଅପରିଚିତ ବ୍ୟକ୍ତିଙ୍କଠାରୁ ଉପଦେଶ ଗ୍ରହଣ କରିବାକୁ ଇଚ୍ଛା ନଥିଲେ ବି ମନକୁ ଶାନ୍ତ କରିବାକୁ ଚିନ୍ତା କଲେ ସରୋଜ । ନିଜ ହାତକୁ ବଢେଇ ଦେଉଦେଉ  କହିଲେ- "ରିୟଲି ! ଆପଣ ବି ଜଣେ ଇଣ୍ଟ୍ରେଷ୍ଟିଙ୍ଗ୍ ବ୍ୟକ୍ତି । ସମବୟସର ବି । କ’ଣ ଆଉ ଲୁଚେଇବି ? କହିଲେ ଦେଖି, ୟେ ବୟସରେ ଯଦି ଆପଣଙ୍କ ସ୍ତ୍ରୀ ଆପଣଙ୍କ ପ୍ରେମିକାକୁ ନେଇ କିଛି ଆର୍ଗୁମେଣ୍ଟ୍ କରେ, ଆପଣ କ’ଣ କରିବେ ? ମୋ'ରି ପରି ଏମିତି ଗୀତ ଗାଇବେ ?"  "ଓଃ ! କଥା ତା'ହେଲେ ଏମିତି !ଆରେ ଭାଇ, ୟେ ବୟସରେ ନା ପ୍ରେମିକା ଫେରିବ ନା ସ୍ତ୍ରୀ ଆମକୁ ଛାଡିକି ଯିବ । ତେଣୁ ଆମକୁ ହିଁ ପରିସ୍ଥିତିକୁ ହାଲ୍କା କରିବାକୁ ପଡିବ । ଘରକୁ ଯାଆନ୍ତୁ ଆଉ ଭାଉଜଙ୍କୁ କୁହନ୍ତୁ ଯେ ଚା’ ନଦେଲେ ଆପଣ ପ୍ରେମିକା ଘରକୁ ଚାଲିଯିବେ ଚା’ପିଇବାକୁ । ତା’ପରେ ସବୁ ସଲ୍‍ଭ । ଦେଖିବେ, ଭାଉଜ ନିଶ୍ଚୟ ହସିବେ ଆଉ ଚା’ ବି ଦେବେ ।" ଏତିକି କହି ସେ ହସିଉଠିଲେ । ସରୋଜ ବି ହସିହସି ପଚାରିଦେଲେ- "ୟେ ମେଡିସିନ୍‍ କିଏ ବତେଇଲେ ଆପଣଙ୍କୁ ? କ'ଣ ଭାଉଜ ?"

       "ଅଫକୋର୍ସ, ଆପଣ ଜାଣନ୍ତି ! ସେ ବି ଜଣଙ୍କୁ ଭଲପାଉଥିଲେ । ବଟ୍‍  ଲଭ୍‍ ସକ୍ସେସ୍ ହେଲାନି ଯେ ମୋତେ ବାହାହେଇ ଗଲେ । ମୁଁ ବି ଏସବୁ ଜାଣିବାପରେ ସବୁ ସ୍ୱାମୀଙ୍କ ପରି  ପ୍ରଥମେ ପ୍ରଥମେ ଏ ବିଷୟରେ କିଛିକିଛି କହିବା ଆରମ୍ଭ କଲି, କିନ୍ତୁ ସିଏ ଦିନେ ବି ମୋ ସହ ଆର୍ଗୁମେଣ୍ଟ୍ କରିନାହାନ୍ତି, ବରଂ ପ୍ରତିଥର ମୋ କଥାକୁ ହସରେ ଉଡେଇ ଦେଇ କହିବେ,"କ’ଣ ଆଉ କରିବି ? ଜଣେ ଅନ୍ ସକ୍ସେସ୍ ଲେଡି, ସକ୍ସେସ୍ ହେବା ପାଇଁ ତ ତମ ପାଖକୁ ଆସିଛି । ଯଦି ତମେ ଛାଡିଦେବ, ତା'ହେଲେ ଆଉ କାହାକୁ ଖୋଜିବି ଆଉ କ'ଣ । ବାସ୍‍, ଆଠ-ଦଶ ଥର ପରେ ମୁଁ ବି କହିବା ଛାଡିଦେଲି । ଏବେ ଯାଏ ଦୁହେଁ ବହୁତ ଖୁସ୍‍ । କିନ୍ତୁ ହଁ, ଏବେ ବି ଯଦି ସରୋଜ ସୁନ୍ଦରାୟଙ୍କ ଗପ କି କବିତା ବହି ହାତରେ ତାଙ୍କର ପଡିଯାଏ, ମୋ'ରି ସାମନାରେ ବହିଟିକୁ ଚୁମିଯା’ନ୍ତି । ଆଉ ବହି ଶେଷ ନକରିବା ଯାଏ କୁଆଡେ ବି ଉଠନ୍ତିନି । ଈର୍ଷା ହେଲେ ବି ଚୁପ୍ ରୁହେ । କ'ଣ ଆଉ କରିବି, କେତେଥର ଆଉ ସେଇ ଗୋଟିଏ ଉତ୍ତର ଶୁଣିବି ?” ଅତି ଉତ୍ସୁକତାର ସହ ସରୋଜ ପ୍ରଶ୍ନ କଲେ, "କି ଉତ୍ତର ? ଏଇଆ ଯେ... ତମେ କ'ଣ ଜାଣିଛ ପ୍ରେମ କ’ଣ ? ପ୍ରେମ କରିଥିଲେ ସିନା ଜାଣିଥାଆନ୍ତ ଯେ ମାଇଣ୍ତ୍ ଆଉ ହାର୍ଟ କେମିତି ଅଲଗା । ଭାଇ, ମୁଁ ଚାଲିଲି, ଆଠଟା ପରେ ଆଉ ଚା’ କପ୍‍ ବି ମିଳିବନି ।ହାଃ...ହାଃ...ହାଃ... ।"

             ଏତିକି କହି ସୁବ୍ରତ ଚାଲିଗଲେ । ସରୋଜ ତାଙ୍କ ଯିବା ରାସ୍ତାକୁ ଅନେଇ ନିଜକୁ ନିଜେ କହିଉଠିଲେ, "ଶେଫାଳୀ, ତମେ ଏତେଦିନ ହେଲା ଏଇ ସହରରେ ରହିଛ ! ହେଲେ ମୋତେ ସେଦିନ ମିଛ କହିଲ ଯେ ତମେ ଆମେରିକା ଚାଲିଯାଉଛ ବୋଲି ? ଏତେ ପରେ ବି ତମେ ଜୀବନଟାକୁ ଏତେ ସହଜ କରିଦେଇଛ କେମିତି ? ଆମର ପ୍ରେମ ସନ୍ତକ ମୋ ବହିଗୁଡିକୁ ଏବେ ବି ସମାଜ ଆଗରେ ଏତେ ସହଜରେ ନିଜର କରିପାରୁଛ କେମିତି ?" ନିଜ ଅଜାଣତରେ ବୋହିଯାଇଥିବା ଲୁହଭିଜା ଆଖିକୁ ପୋଛୁପୋଛୁ ଦଲକାଏ ଥଣ୍ତା ପବନର ତରଙ୍ଗ ତାଙ୍କ କାନପାଖରେ କହିଯାଉଥିଲା- "ଜଲଦି ଫେରିବ, ନହେଲେ ଆଠଟା ପରେ ଆଉ ଚା' ମିଳିବନି ।"  

             ଉଁହୁଁ... ସ୍ୱରଟା ଶେଫାଳୀଙ୍କର ନୁହେଁ, ସରିତାଙ୍କର ଥିଲା ।     

********

 

ସତରେ କ'ଣ ଯିଏ ପ୍ରେମ କରେ ସେ ଚରିତ୍ରହୀନା ?

Rate the content


Originality
Flow
Language
Cover design

Comments

Post

Some text some message..