Quotes New

Audio

Forum

Read

Contests

Language


Write

Sign in
Wohoo!,
Dear user,
ନାସ୍ତି ବାଣୀ
ନାସ୍ତି ବାଣୀ
★★★★★

© Satyaprakash Sethy

Others Tragedy

10 Minutes   14.3K    21


Content Ranking

କେଡ଼େ ମନ ଖୁସିରେ କୁଳୁ କୁଳୁ ହୋଇ ବହି ଯାଉଛି ବିଟପା । ସତେକି ତା’ର ଜଳକାଚବେଣୀଟା ବେଶ୍ ଅସ୍ତବ୍ୟସ୍ତ ହୋଇ ପଡ଼ୁଛି । ନୀଳ ଭୂଜଙ୍ଗୀ ପରି ପର୍ବତର ବକ୍ଷ ଉପରୁ ହସି ହସି ଗଡ଼ି ଆସୁଥିଲା ତଳକୁ । ମନ ତଳେ କେତେ ରଙ୍ଗୀନ ଆଶା, ସୁନେଲି ଭବିଷ୍ୟତର ପରିକଳ୍ପନା ଠୁଳ ହୋଇଥିଲା–ତା’ର । କେତେବେଳେ ସେ ସମୁଦ୍ରର ବକ୍ଷ ମଧ୍ୟରେ ମିଶିଯିବ, ଉତ୍ତାଳ ତରଙ୍ଗର କାନ୍ଧରେ ହାତ ପକାଇ ଝୁଲି ଖେଳିବ, ପୁଣି ଡ଼େଇଁ ଡ଼େଇଁ ସମୁଦ୍ରର ବେଳା ଭୂମି ସ୍ପର୍ଷ କରିବ- ଅନୁଭବ କରିବ ଅନନ୍ତ ପ୍ରକୃତିର ଶୋଭା । ସେଇଥିରେ ତା’ର ଜନ୍ମ ହେବ ସାର୍ଥକ, ସେଇଥିରେ ସେ ଲାଭ କରିବ ତୃପ୍ତି । ସେଇଥି ପାଇଁ ସେ ବିଶ୍ରାମ ରହିତାହୋଇ ଛୁଟି ଚାଲିଛି ଆଗକୁ । ପଥରେ କେଉଁଠି ପଥରଟାଏ କି ପଟାଳ ମାଟିରେ ଝୁଣ୍ଟି ପଡ଼ୁଛି ସେ । ପୁଣି ଉଠି ପଡ଼ି ଅସ୍ତବ୍ୟସ୍ତ ହୋଇ ଧାଇଁ ଚାଲିଛି । ମନରେ ତା’ର ବେଳେ ବେଳେ ଜମି ଆସୁଛି ଦୁଃଖ– ସମୟଟାକୁ ଆୟତ୍ତ କରି ପାରୁନାହିଁ । ସବୁବେଳେ ସମୟ ତାକୁ ଅତିକ୍ରମ କରି ଚାଲିଛି । ସମୟଟାକୁ ଧରି ରଖିବ କେମିତି ? ସେ ତ ଅଜୟ, ସେ ତ ନିର୍ବିକାର, ସେ ବାଧାଶୂନ୍ୟ । କେତେବେଳେ କେମିତି ବିଟପା ସମୟରେ ବାହୁ ଛାୟା ତଳେ ରହି ହସି ହସି ଶୁଖି ଯାଉଛି ତ ପୁଣି କେତେବେଳେ କାନ୍ଦି କାନ୍ଦି କୂଳ ଉଲଙ୍ଘନ କରୁଛି– ନାଚି ନାଚି ଅଧିର ହୋଇ ପଡ଼ୁଛି ତାହାର ବକ୍ଷ ମଧ୍ୟରେ ।

ଅସ୍ତମିତ ସୂର୍ଯ୍ୟର ଗୋଧୂଳି ଲଗ୍ନରେ ହିମ ପ୍ରବାହମାନ ଆକାଶରେ ଉଡ଼ନ୍ତା ପକ୍ଷୀ ବାଦଲର ଉପରି ଭାଗରେ ପଇଁନ୍ତରା ମାରୁଥିଲେ । ଝିରି ଝିରି ହୋଇ ପର୍ବତ ଚୁଳରୁ ଝରି ଆସୁଥିଲା ହିମଧାରା । କେତେଟା ରଙ୍ଗୀନ ପ୍ରସ୍ତର ପଶ୍ଚିମ ସ୍ତମ୍ଭରେ ଖେଳେଇ ହୋଇ ପଡ଼ିଥିଲା । ସେମାନଙ୍କ ପଛରେ ଅପେକ୍ଷା କରିଥିଲା ଗ୍ରାସାକାଂକ୍ଷି ଲୋଳଜିହ୍ୱ ତିମିର ପଟଳ । ପର୍ବତର ଘନନୀଳ କାନ୍ତି ଏହାର ଦର୍ଶକ । ସେମାନେ ନିଶ୍ଚଳ, ନିରୁତ୍ତର । ସତେକି ନିଜ ସ୍ଥିତି ଉପରେ ଅଟଳ ବିଶ୍ୱାସ । ଦୀର୍ଘଦିନ ପାଇଁ ନିଜର ନୀଳିମାକୁ ବଜାୟ ରଖିବେ । ସମୟ ବଜ୍ରର ଗୁରୁ ଗମ୍ଭୀର ସ୍ୱର ତାଙ୍କ ଉପରେ ଅଜାଡ଼ି ହୋଇ ପଡ଼ିଲେ ଦୃଢ଼ କଣ୍ଠରେ ଜବାବ ଦେବେ । କାହିଁକି ସମସ୍ତଙ୍କୁ ଭିକ୍ଷୁ କାଙ୍ଗାଳ କରିବା ପାଇଁ ତୁମ୍ଭର ଇଚ୍ଛା? କାହିଁକି ଉଚ୍ଚ ନୀଚ୍ଚର ଭେଦଭାବ ସୃଷ୍ଟି କରିବାକୁ ତୁମ୍ଭେ ବ୍ୟଗ୍ର ? କାହିଁକି ତୁମ୍ଭ ମଧ୍ୟରେ ପୂରି ରହିଛି ଧ୍ୱଂସ କରିବାର ମୋହ ? ଦିକ୍ ପଟାନ୍ତରର ଦୁର୍ଦମନୀୟତା, ହସିଉଠିବା ?

ବିଟପାର କୂଳେ କୂଳେ ଲମ୍ବି ଯାଇଛି ସେତୁର ଅପରିମିତ ସମାହାର, ତା’ରି ପରକୁ ଗହୀର ବିଲର ଧାନ କ୍ଷେତ, ଗାଁ ପରେ ଗାଁ ଲମ୍ବିଯାଇଛି ସେଇଠି । ଧୂଳିଆ ରାସ୍ତାଟି, ବ୍ୟସ୍ତହୋଇ ଧାଇଁ ଯାଇଛି ସେଇ ଆଡ଼କୁ । ମଣିଷର ବନ୍ଧନ ଦେଖି ସେ କାନ୍ଦି ଉଠିବ, କେତେ ଦୁଃଖୀ ରଙ୍କିର ଶରୀରକୁ ନିଜ ଉପରେ ରଖି ପୁଣି ଧାଇଁ ଯିବ କେଉଁ ରାଇଜକୁ । ଭର୍ସନା କରିବ ଉତ୍ଫୁଲ୍ଲ ମନା କଳ ନିନାଦିନୀ ବିଟପାକୁ । ଦୁନିଆର ଦୁଃଖ ଦାରିଦ୍ର୍ୟର ମଞ୍ଚସଜ୍ଜା ବିରୁଦ୍ଧରେ ପ୍ରତିବାଦ କରି ପ୍ରକୃତିର ମଞ୍ଚସଜ୍ଜା ନିକଟରେ ଛିଡ଼ାହେବ ଦୀର୍ଘ ପ୍ରଶ୍ନବାଚୀ ନେଇ । ଦୂର ଗାଁ ଗୁଡ଼ିକ ମୁହଁ ଅନ୍ଧାର ତଳେ ଝାପସା ଦିଶିଲେଣି । ନଈ ଏପଟକୁ ସେ ବନ୍ଧ ଉପରେ ଦୁଇଜଣ କିଏ ଗଡ଼ି ଧରି ଆସୁଛନ୍ତି ଖୁବ୍ ଧିର ମନ୍ଥର ଗତିରେ । ସେମାନଙ୍କର ମନରେ ଯେପରି ଭୟର ଲେଶ୍ ମାତ୍ର ନାହିଁ ।

ଅନ୍ଧାର ପ୍ରତି ଭ୍ରୂକ୍ଷେପ ନାହିଁ । ସମାଜର ବାଦ ପ୍ରତିବାଦକୁ ସହି ସହି ଯେମିତିକି ଦେହଟା ତାଙ୍କର ପଥର ହୋଇଯାଇଛି । ସେଇଥିପାଇଁ ଏ ଅନ୍ଧାର ମଧ୍ୟରେ ଗତି ତାଙ୍କର ଅଞ୍ଚଳ । ନନ୍ଦ ସାହୁ ଅଟକି ଗଲେ ରାସ୍ତା ଉପରେ କାଳେ ଗୋଟାଏ କିଛିି ଲାଭ ମିଳିବ । ଏ ଦୁର୍ଭିକ୍ଷରେ ଅଣ୍ଟାକୁ କନାଖଣ୍ଡେ ମିଳୁନାହିଁ କି ପେଟକୁ ଦାନା ଖଣ୍ଡେ ମିଳୁନାହିଁ । ଏ ଚାରି ପାଖରେ ଲୋକେ ତାଙ୍କରି ଉପରେ ଆଶା ଭରସା ରଖିଛନ୍ତ । ଗହଣା ଗାଣ୍ଠି ଜମିବାଡ଼ି ସବୁ ଯାଉ ପଛକେ ଗଣ୍ଡେ ଖାଇବାକୁ ମିଳୁ । ସାହୁଙ୍କର ମନରେ ଆନନ୍ଦ କାଳେ କିଏ ଗହଣା ଗାଣ୍ଠି ଖଣ୍ଡେ ଆଣିଥିବ, ଧାନ ମୁଠେ ନେବାକୁ । କିଛି ଲାଭ ହେବତ– ସେଇଥିପାଇଁ ସେ ଏମାନଙ୍କୁ ଅପେକ୍ଷା କରିଛନ୍ତି ।

ପାଖକୁ ଆସିଗଲେଣି ସେମାନେ । ଖୁବ୍ ପାଖକୁ । ପିଲା ଦୁଇଟି, ଦୁଇ ଭାଇ ସେମାନେ । ଏଇ ନରୁ ପ୍ରଧାନର ପୁଅ ସେମାନେ । ବାପା ସେମାନଙ୍କର ଏ ଦୁର୍ଭିକ୍ଷରେ ଖାଇବାକୁ ନପାଇ ହଇଜାରେ ଯାଇଛି । ଚାରିଆଡ଼େ ତ ହଇଜା ଆମାଶୟ ଲାଗିରହିଛି । ଯିଏ ତ ଗଲା ଗଲା । ଯେଉଁମାନେ ବଞ୍ଚିରହିଛନ୍ତି ସେମାନଙ୍କୁ ରକ୍ଷା ମିଳୁଛି କେଉଁଠୁଁ । ଲୋକମାନେ ମରିଗଲେ, ଗାଁ ଜମିବାଡ଼ି ସବୁ ଗାଁ ମହାଜନ ମାନଙ୍କର । ପିଲା ଦୁଇଟିକି ଦେଖି ନନ୍ଦ ସାହୁଙ୍କର ସେମାନଙ୍କ ଉପରେ ବହୁତ ରାଗ ହେଲା । ଏତେ ଆଶା କରି ସେ ଛିଡା ହୋଇ ଥିଲେ କିଛି ମିଳିବ ବୋଲି । କିନ୍ତୁ ଏ ପିଲା ଦୁଇଟା ଭିକମାଗି ଫେରୁଛନ୍ତି ଗାଁକୁ । କିଏ ଜାଣିଥିଲା ଏ ସଂନ୍ଧ୍ୟାଟାରେ ଏପରି ଅଶୁଭ ଦର୍ଶନ ହେବ ବୋଲି ? ପୁଣି ସେମାନେ କ’ଣ ଚୁପ୍ ଚୁପ୍ ଚାଲିଯିବେ? ତାଙ୍କର ସବୁ ଯେମିତି ନେଇ କେହି ଗଣ୍ଡେ ଖାଇବାକୁ ଦେଲେ ନାହିଁ, ବାଟଯାକ ବାବୁ, ମୁଠେ ଖାଇବାକୁ ଦିଅନ୍ତୁ, ପଇସାଟାଏ ଦିଅନ୍ତୁ– ଏଇମିତି ବକର ବକର ହେବେ । କି ଅନାର୍ଯ୍ୟ ଏଗୁଡ଼ାକ । କିରେ କାଙ୍ଗାଳ ପଲ! ତୁମ ଜମି କଅଣ ମାଗଣାରେ ନେଲୁ ? ତୁମ ବାପା ମା’ ଧାର କରଜ କରିଥିଲେ । ଦେଇପାରି ନଥିଲେ । ସେଇଥି ପାଇଁ ଜମି ନେଲୁ । ତୁମ୍ଭର ସେଥିରେ ହେଲା କ’ଣ ? ଖାଇବାକୁ ନ ପାଇଲେ କେଉଁଠି ମରି ଯାଉନା । ଖାଲି ଦିଅ ଦିଅ । ଦେହରୁ ଝାଳ ଦେଇ କଳ କୈାଶଳ ଖଞ୍ଜି ଧନକଲୁ, କ’ଣ ଦାନ କରିବା ପାଇଁ ? ଏହିଭଳି କେତେ କଥା– ସାହୁଏ ଚିନ୍ତା କରିଯାଉଥିଲେ ମନେ ମନେ ।

ପାଖରେ ପିଲା ଦୁଇଟିକୁ ଦେଖି ଟିକେ ହସିନେଲେ– ସାହୁଏ । ସତେକି ସେ ହସରେ କ’ଣ ଗୁଡ଼ାଏ ଛପି ରହିଛି ,ଅଠା କାଣ୍ଡିଆ ଭଳି କ’ଣ ଗୁଡାଏ ଲାଖି ରହିଛି ସେ ହସରେ । ଛି….., ଛି……, ପାକୁଆ ପାଟିକୁ ହସଟା ଅନ୍ଧାର ମଧ୍ୟରେ କାଳିଆ ରଙ୍ଗରେ ଜୁଡ଼ୁ ବୁଡ଼ୁ ହୋଇ ଯାଉଛି । କେମିତି ଗୋଟାଏ ଦେଖା ଯାଉଛି ସତେ ?

— “କିରେ ଦୁଃଖା! ଆଜି କେତେ ଭିକ ମିଳିଲା” ?

— “ନା ବାବୁ! କେଉଁଠୁଁ ଭିକ ମିଳିବ । ଆମ୍ବ ତୋଟାରେ କିଏ କେଜାଣି ଗଣ୍ଡେ ଖାଉଥିଲା । ମାଗିବାରୁ ସେଇ ଗଣ୍ଡିଏ ଦେଇଥିଲା” ।

— ଯାହା ହେଉ ଦୁଃଖା ଏ ଦୁର୍ଭିକ୍ଷରେ ଦି ଭାଇ ଯାକ ଖୁସିରେ ଚଳି ଯାଉଛ ।

ବାସ୍ ସେତିକି । ଗରିବ ମାନଙ୍କ ପ୍ରତି ଏଇ ହେଉଛି ଶ୍ରେଷ୍ଠ ଆଘାତ । ଦର ଭୋକିଲା ପେଟରେ ଆତ୍ମା କାନ୍ଦି ଉଠୁଥିଲା । ସତେକି ସେ ଚର୍ମର ବନ୍ଧନ ଛିନ୍ନ କରି ଉଡିଯିବ, ବାପାର କଥା ମନେ ପକାଇ, ଏହି ସାନ ଭାଇଟା ପାଇଁ ଦୁଃଖାର ଅନ୍ତରରେ କୋହ ଉଠୁଥିଲା । ଇଚ୍ଛା ହେଉଥିଲା କହିଦେବାକୁ– “ସାହୁ ବାବୁ, ତୁମ୍ଭ ଭଳି ଲୋକ ଏ ସଂସାରରେ ଥିବା ପର୍ଯ୍ୟନ୍ତ, କେହି କେବେ ଖୁସିରେ ଚଳି ପାରିବ ନାହିଁ” । କିନ୍ତୁ ନୀରବ ରହିଥିଲା ସେ । କିଛି କହି ପାରିନଥିଲା । ପୁଣି ସାହୁଏ ପ୍ରଶ୍ନ କରିଥିଲେ– “କିରେ! ଧାମରା ବନ୍ଦରରେ ତ ବେଶ୍ କାମ ମିଳୁଛି, ସେଇଠିକି ଚାଲି ଯାଉନା ଭଲରେ ଚଳନ୍ତ । ଏଠି ନୁଖୁରାଟାରେ କାହିଁକି ପଡ଼ି ରହିଛ?” । ଗାଁ ମୁଣ୍ଡର ଦୋହରା ବାଟରେ ଏକ ଆଶ୍ୱସ୍ତିର ନିଃସ୍ୱାସ ନେଇ ସାହୁଏ ବାଟ ଭାଙ୍ଗିଥିଲେ ।

ନିଜ ଗାଁର ଲୋକ ମାନଙ୍କ ହୃଦୟକୁ ଦୁଃଖା ବେଶ୍ ଚିହ୍ନି ପାରିଥିଲା । ସେ ଭଲ ଭାବରେ ଜାଣିଥିଲା — ଏ ଗାଁରେ ଖାଇବାକୁତ ଗଣ୍ଡେ ମିଳିବ ନାହିଁ । ତାହା ବ୍ୟତୀତ ରହିବାକୁ ମଧ୍ୟ ତଳକୁ ଓଳାଟିଏ ବି ମିଳିବ ନାହିଁ । ସେମାନେ ଆହୁରି ଆଗକୁ ଚାଲିଯିବେ– ଆର ଗାଁକୁ, ସେଇଠି ହୁଏତ ସେମାନେ ଟିକେ ଶାନ୍ତି ପାଇବେ– ଏ ରାତିକ ପାଇଁ । ଭାଇଟି ତା’ର ଶୀତରେ ଥରି ଯାଉଥାଏ । ସାନ ଭାଇକୁ ପାଖକୁ ଟାଣି ନେଇ ତା’ର ହାତ ଧରି ଚାଲିଯାଇଥିଲା । ଜନ୍ମ ମାଟିର ମୋହ ତା’ର ଆଖିରୁ ଝରାଇ ଦେଇଥିଲା ପୁଳାଏ ଲୁହ– ସେଇଠି ।

ଆର ଗାଁର ଘରଟିଏ । ମିଞ୍ଜି ମିଞ୍ଜି ହୋଇ ଆଲୁଅ ଟିଏ, ଘର ମଧ୍ୟରେ ଦେଖା ଯାଉଥାଏ । ପିଣ୍ଡା ଉପରକୁ ଦୁଇ ଭାଇ ଉଠିଲେ । ମନରେ କେତେ ଆଶା– କାଳେ ମୁଠିଏ ଖାଇବାକୁ ମିଳିବ । ଦାଣ୍ଡ ପଥର ଉପରେ ଛିଡ଼ାହୋଇ ମାଗିଲା– ମା’ ଗଣ୍ଡିଏ ଖାଇବାକୁ ମିଳିବ? “ସେପଟୁ ସ୍ୱରଟିଏ ଭାସି ଉଠିଲା– କିଏ, କି,ରେ ଅଳପଇସ, କାଙ୍ଗାଳ କାହିଁକି ଏଠିକି ଆସିଛୁ ? ମଣିଷ, ମଣିଷକୁ ଟିକେ ଶାନ୍ତି ମିଳିବ ନାହିଁ । ଯା’ ଯା’ ବାହାରି ଯା’ ଏଠୁ, କେଉଁ ଗଛ ମୂଳକୁ ନହେଲେ ଦାଣ୍ଡ ଧୂଳିକୁ ଅନାଇ– ସେଇଠି ମାଗ ମିଳିବ” । କବାଟ ବନ୍ଦ ହେଲା । ଦୁଃଖାର ଆଖିରୁ ଝରି ଆସୁଥିଲା ଅନବରତ ଳୁହଧାରା ।

ଫେରି ଯାଇଥିଲା ଦୁଃଖା ଗାଁ ଭିତରକୁ । କ’ଣ ଗୋଟାଏ କୋଳାହଳ ଶୁଣା ଯାଉଛି କେଜାଣି– “ଆଉଗଣ୍ଡେ”, “ଦି’ଟା”, “ମୋତେ ଦିଅ”, “ନା ନା ମୋତେ”, “ଟୋପେ ତୋରାଣି ଦିଅ” । କୈାଣସି ସଦୟ ବ୍ୟକ୍ତି ଗଣ୍ଡେ ଦାନ କରୁଛନ୍ତି ବୋଧହୁଏ– ଦୁଃଖା ଜାଣିଲା । ଭାଇକୁ କାଖରେ ଜାକି ଦଉଡ଼ି ଗଲା ସେଇଠିକି । ସମସ୍ତେ ଭାତ ନେଇ ଫେରୁଛନ୍ତି । କିଏ କେମିତି ବସି ଖାଉଛନ୍ତି । ଆଗେଇ ଯାଇ ମାଗିଲା — “ମୋତେ ମୁଠିଏ ବାବୁ!”

“କିଏରେ ଏତେବେଳ ଯାଏଁ କେଉଁଠି ଥିଲୁ ? ସବୁତ ସରିଗଲାଣି, ଆଉ ଅଛି କ’ଣ?” ଆଖିଲୁହ ଆଖିରେ ଲିଭି ନଥିଲା ଦୁଃଖାର । ଆଦ୍ର କଣ୍ଠରେ ପୁଣି କହିଲା– “ମୁଠିଏ ଭାତ ବାବୁ!” ଗୃହ କର୍ତ୍ତା ଭାରି ଦୟାଳୁ ଖାଇବାକୁ ଦି’ମୁଠା ଦେଇଥିଲେ । ନିଜ ପେଟକୁ ଦରପୂରା ରଖି ଭାଇକୁ ପେଟଭରି ଖୁଆଇଲା । କେଉଁଠି ପୁଣି ରାତିଟି କଟାଇବେ – ସେମାନେ ? ଖାଇବାକୁ ସିନା ଗଣ୍ଡେ ମିଳିଲା । ଗାଁ ମଝିର ଲିମ୍ବ ଗଛମୂଳେ ଭାଇକୁ ପାଖକୁ ଯାକିଆଣି ଶୋଇ ପଡ଼ିଲା ଧୂଳିରେ । ଘୋଡ଼ି ହେବାକୁ ଲୁଗା ନାହିଁ । ନିଜେ ଯେମିତି ହେଲେ ଶୀତକୁ ସହିଯିବ । କିନ୍ତୁ ଭାଇର ନରମ ଚମ ସହିବ କେମିତି ? ବାପା ମା ପରା ତା’ରି ହାତରେ ଜଗାକୁ ମଣିଷ କରିବା ପାଇଁ ଛାଡ଼ି ଦେଇ ଯାଇଛନ୍ତି । ତା’କୁ ଏ ଭାଇ ବଞ୍ଚାଇ ରଖି ମଣିଷ କରି ପାରିବ ତ ?

ଶିତୁଆ ରାତିର ଲିମ୍ବ ଗଛ ଛାଇରେ ସେ କେତେବେଳେ ଶୋଇ ଯାଇଛି ଜାଣେ ନାହିଁ । ଜଗା ଡ଼ାକିଲା-

ଭାଇ!, ଭାଇ!!

— ଏଁ

— ବେଳ କେତେ ହେଲାଣି । ଉଠ୍ କୁଆଡ଼େ ଯିବୁ ପରା ?

ଦିନସାରା ବୁଲି ବୁଲି ଥକ୍କା ଲାଗି ଯାଇଥିଲା ତା’କୁ । ଆଖିମଳି ମଳି ନିଦରୁ ଉଠିଲା । “ଜଗା ଆରେ କେତେବେଳ ହୋଇଗଲାଣି ସତେ ? ଟିକେ ସକାଳେ ଉଠିଥିଲେ କେତେବାଟ ଚାଲି ଯାଆନ୍ତେଣି ସେମାନେ । “ଧିକ୍ ଏ ଜୀବନକୁ । କାହିଁକି ଏତେବେଳ ଯାଏଁ ଶୋଇଗଲି?” । ନିଜ ଉପରେ ନିଜେ ଗାଳି ବର୍ଷଣ କରିବାକୁ ଲାଗିଲା । “ଯେଉଁଠି ଯେମିତି ଗଣ୍ଡେ ଖାଇବାକୁ ମିଳିବା କଥା, ସେଠୁତ ଆଗରୁ ଯାଇ ସମସ୍ତେ ମାଗିନେଇ ଯିବେଣି । ଆଜି ଦିନକ ଉପାସରେ କଟିବ ସିନା” । ଭାଇକୁ ଗୋଟାଏ ହାତରେ ଧରି ଧିରେ ଧିରେ ଆଗକୁ ଚାଲିଲା । ମନରେ କେତେ ଚିନ୍ତାର ବଉଦ ଉଙ୍କି ମାରୁଥାଏ । ଆଗରେ କେତେ ବାଧା ବିଘ୍ନ ଛିଡ଼ା ହୋଇଥାଏ । ଗରିବ ମଣିଷ ଏଇ ଦୁଃଖା । ତା’ର ଶକ୍ତି କ’ଣ ତାକୁ ଦଳି ଦେଇପାରିବ ?

ଦିଗନ୍ତକୁ ଅନାଇଲା ଦୁଃଖା । ପୃଥିବୀ ବକ୍ଷରେ ଆକାଶଟା ମିଶିଯାଇଛି ସେଇଠିକି । ଏଇଠି ଦିଗର ଅନ୍ତ ହୋଇଛି । ତା’ର ଏପଟକୁ ସବୁଜ ପୃଥିବୀର ରଙ୍ଗ କେଉଁଠି ଖେଳୁଛି । କେଉଁଠି ନିଃସ୍ତବ୍ଧ ମହାଭୃଜଙ୍ଗୀ ପରି ନିଃଶ୍ଚଳ ତାହାରି ଶରୀର । ସତେକି କେତେବେଳେ ଉନ୍ମାଦିନୀ ପରି ନାଚି ଉଠିବ ବିଭିଷିକାମୟୀ । ହସି ଉଠିବ ପୁଣି । ଧ୍ୱଂସ ହୋଇଯିବ ଏ ଦୁନିଆଟା । କିନ୍ତୁ ଦୁଃଖା ଭବିଷ୍ୟତର ଦିଗନ୍ତ ନାହିଁ । ପୃଥିବୀ ଭଳି ସେ ଖୁସି ହୋଇ ପାରୁନାହିଁ କି ବିଭୀଷିକାମୟ ମଧ୍ୟ ହୋଇ ପାରୁନାହିଁ । ନିଜ ଦେହରେ କ୍ଷୁଧିତ ଆତ୍ମା ଯେମିତି ଗୋଟାଏ ଚିତ୍କାର କରି ତାକୁ ପରିହାସ କରୁଛି । ସବୁଠି ତା’ ପାଇଁ ସଂଗ୍ରାମର ଆହ୍ୱାନ । ସେ ସଂଗ୍ରାମ କରିବ । ଏଇ ସାନ ଭାଇଟି ପାଇଁ ସଂଗ୍ରାମ କରିବ । ଦେହକୁ ଖଣ୍ଡ ବିଖଣ୍ଡ କରି ସେ ତାକୁ ବଞ୍ଚାଇବ ।

କେଉଁ ଏକ ଗାଁ ପାଖରେ ପହଁଞ୍ଚିଛନ୍ତି ସେମାନେ । କେତେ ମନ ଖୁସିରେ ଦୁଃଖା ଗାଁ ଭିତରେ ଭିକ ମାଗିଲା । ଗୋଟି ଗୋଟି ହୋଇ ସବୁ ଘର ତାଟ ପଡ଼ିଗଲା । ମୁଠାଏ ଚାଉଳ ଯାହା ମିଳିଲା ସେତିକି ନେଇ ସେମାନେ ଏ ଗାଁରୁ ନେଲେ ବିଦାୟ । ପୁଣି ଚାଲିଲେ ଅନ୍ୟ ଗୋଟାଏ ଗାଁକୁ । ଦେହରେ ଶକ୍ତି ନାହିଁ । ବାଲିଆ ରାସ୍ତାରେ ଗୋଡ ବେଳେ ବେଳେ ହାଲିଆ ହୋଇ ଉଠୁଛି । ମୁଣ୍ଡ ଉପରେ ସୂର୍ଯ୍ୟ ରଶ୍ମି ଛିଡିକି ପଡ଼ୁଛି । ତଥାପି ସେ ଅନ୍ୟ ଗାଁକୁ ଯିବ । ନିଜକୁ ବଞ୍ଚାଇବା ପାଇଁ ନୁହେଁ । ଏହି ସାନ ଭାଇଟିକୁ ବଞ୍ଚାଇବା ପାଇଁ ।

ପୁଣି ସମୟ କ୍ରମେ କ୍ରମେ ଅତିକ୍ରମ କରୁଛି । ଅନ୍ଧକାରର ଆହ୍ୱାନ ପ୍ରାଣୀ ଜଗତକୁ ଅସ୍ତବ୍ୟସ୍ତ କରି ପକାଉଛି । କିନ୍ତୁ ଦୁଃଖାର ସେଇ ମୁଠିକ ଚାଉଳ । ସେତିକି ଆଜି ଦିନର ସମ୍ବଳ । ନିରାଶ ହୋଇଛି ସେ ଆଜି । ଗତ ଦୁଇ ଦିନରେ ଥରେ ମାତ୍ର ଭାତ ପେଟପୂରା ଖିଆ ହୋଇଛି । ତାହା ପରେ ମାତ୍ର ଦୁଇମୁଠି ଚାଉଳ ସେମନଙ୍କ ଭୋକ ଏଥିରେ ଦୂରିଭୂତ ହେବ ତ ? ନା ସେ ନିଜର ସଂଗ୍ରାମ ଜାରି ରଖିବ । ଅନ୍ୟ ପନ୍ଥା କିଛି ନାହିଁ । ଟିକିଏ ଦୂରକୁ ଅନାଇଲା ଦୁଃଖା । ଟିକେ ଉଚ୍ଚ ଜାଗାରେ କେତେଟା ଆଲୁଅ ଜଳୁଛି । ବୋଧହୁଏ ସେଇଠି କିଛି ଖାଇବାକୁ ମିଳିବ । ସେଇଠିକି ଚାଲିଲେ ସେମାନେ । କଲେଜର ସୁଦୀର୍ଘ ପାଚେରୀଟି ଛିଡ଼ା ହୋଇଛି । ଝିଅ ପୁଅ ମାନେ ପଢ଼ାପଢ଼ିରେ ବ୍ୟସ୍ତ । ଗରିବ ମାନଙ୍କର ଦୁଃଖରେ ସେମାନେ ଦୁଃଖି ହୁଅନ୍ତି । ଅନ୍ୟାୟ ବିରୁଦ୍ଧରେ ସଂଗ୍ରାମ କରନ୍ତି ।

ଆଲୋକ ମାଳିନୀ । ଗୋଟାଏ ଧନୀ ନଗରୀ ଭଳି ଶୋଭାମାନ– ଏହି କଲେଜ । ସୀମା ମଧ୍ୟକୁ ପ୍ରବେଶ କଲେ ଦୁଇଭାଇ । ପିଚୁ ରାସ୍ତା ଗୁଡ଼ିଏ ଉଚ୍ଚ ଉଚ୍ଚ ପ୍ରାସାଦ ଗୁଡ଼ିକର ସୂଚକ ହୋଇଥାଏ । ସେମାନଙ୍କ କଡ଼େ କଡ଼େ ଝାଉଁ ନଡ଼ିଆ ଗଛର ଧାଡ଼ି । କେଉଁଠି କେମିତି ଫୁଲଗଛ ଗୁଡ଼ିଏ ସଜ୍ଜାହୋଇ ଲଗା ଯାଇଛି । ସ୍ଥାନେ ସ୍ଥାନେ ବହୁଳ ଆମ୍ବ ଗଛର ତଳେ ଅନ୍ଧକାରର ସମସ୍ୟା । ଲକ୍ଷ୍ୟକଲା ଦୁଃଖା– ଆଗରେ କିଏ ଦୁଇଜଣ ବାବୁ ଆସୁଛନ୍ତି । ଅପେକ୍ଷା କଲା ସେମାନଙ୍କୁ । ଚିହ୍ନିଲା ଦୁଃଖା- ତାଙ୍କ ଗାଁର ଦୁଇଜଣ ବାବୁ– ଏ କଲେଜରେ ପଢ଼ୁଛନ୍ତି! ଦୁଃଖା କହିଲା– ବାବୁ! କାଲିଠୁ ଦି’ଟା ଖାଇବାକୁ ପାଇନାହୁଁ । ମୁଠିଏ ଖାଇବାକୁ ଦିଅ । “ଆରେ ଦୁଃଖା ନାଁ କିଏ ? ଆଛା, ଆଛା ଏଇ ଛାତ୍ରାବାସକୁ ଚାଲ, ବ୍ୟବସ୍ତା କରିଦେବୁ” – ବାବୁ ଦୁଇଜଣ କହିଲେ । ତା’ପରେ ଅନାଇଲା ଦୁଃଖା– ବାବୁମାନେ ଅଟୋ ରିକ୍ସା ଚଢ଼ି ଚାଲି ଯାଉଛନ୍ତି ।

ପୁଣି ଚାଲିଲେ ଦୁହେଁ ଛାତ୍ରାବାସ ମଧ୍ୟକୁ । ସେଇଠି ହୁଏତ ଦି’ମୁଠି ଖାଇବାକୁ ମିଳିବ । ଦି ପଇସା ପାଇବେ । କେତେ ଦୟାଳୁ ବାବୁ ଅଛନ୍ତି । ଆଉ ନ ହେଲେ ବି ଖାଇବାକୁ ତ ଗଣ୍ଡେ ମିଳିବ । ଆଗେଇ ଗଲେ ଦ୍ୱାର ଦେଶକୁ ।

ପ୍ରହରୀର କଠୋର ଗଳା କମ୍ପି ଉଠିଲା– “କିଏରେ ଏଠିକି ଆସିଛୁ ? ଏତେ ରାତିରେ କୁଆଡ଼େ ? ଯା, ଯା ବାହାରକୁ ପଳା” ।

— “ବାବୁ! ମୁଁ ଭିକାରୀ । କାଲିଠୁ ଖାଇ ନାହୁଁ । ଗଣ୍ଡେ ଖାଇବାକୁ ମିଳୁ ।

— ଆରେ କ’ଣ କହିଲୁ! ଖାଇବାକୁ ମିଳୁ”? ତୁ ଖାଇବାକୁ ଖୋଜୁଛୁନା,

ଚୋରି କରିବାକୁ ଆସିଛୁ ? ଯା, ଯା -ଆରେ ଯାଉଛୁନା ପୁଣି ମାଡ଼ ଦରକାର କରୁଛୁ”?

ଛାତିର ଗଭୀର ପ୍ରସ୍ଥରରେ ଧକ୍କା ଲାଗିଲା ଦୁଃଖାକୁ । କେତେ ଆଶା ଭରସା ରଖି ଧାଇଁ ଆସିଥିଲା ସେ । ତେବେ କ’ଣ ଫେରିଯିବ ଏଠୁ ? ବାବୁ ମାନଙ୍କୁ ନିଜର ଦୁଃଖ ସମ୍ବନ୍ଧରେ ପଦେ କହି ପାରିବ ନାହିଁ ? ସେ ବାବୁ ଦୁଇ ଜଣକ ଆଉ ଫେରି ନାହଁନ୍ତି । ତେବେ କିପରି କ’ଣ କରିବ ସେ ? ଝରକା ପାଖରେ କ’ଣ ବାବୁ ମାନଙ୍କ ପାଖରେ ଗୁହାରି କରିବ ? କେତେ କାନ୍ଦି କାନ୍ଦି ମୁଠେ ଖାଇବାକୁ ସେଦିନ ଝରକା ପାଖେ ପାଖେ ବାବୁ ମାନଙ୍କୁ ମିନତି କଲା । ସେମାନଙ୍କ ପାଖରୁ ମଧ୍ୟ ସେ କେତେ ଗାଳି ଶୁଣିଛି, କେତେ ଧିକ୍କାର । ମନ ଗହୀରରେ କେତେ ଦୁଃଖ ଆସିଛି । କିନ୍ତୁ କାହା ଆଗରେ ସେ ଏ ସବୁକୁ ବଖାଣିବ । ଯେଉଁ ମାନଙ୍କ ପାଖରେ କହିବ ବୋଲି ସେ ଆସିଥିଲା, ସେମାନେତ କେବେ ଠାରୁ ଚାଲିଗଲେଣି ଆଉ କାହିଁ ଫେରିଲେ ନାହିଁ । ସତରେ ସେ ଆଉ କ’ଣ ବଞ୍ଚିପାରିବ ନାହିଁ ? ଆଉ ସେ ସହିପାରିବ ନାହିଁ ମଣିଷ ଜାତିର ଅହଙ୍କାର ?

ତେବେ ସେ କ’ଣ ଫେରିଯିବ ? ନିଜେ ସିନା ମରିଯିବ । ହେଲେ ତା’ ହାତରେ ଯେଉଁ ସାନ ଭାଇଟିର ଭାର ଲଦା ହୋଇଛି, ତା’ର ଅବସ୍ଥା କ’ଣ ହେବ ? ସେ ମଣିଷ ହେବ କେମିତି ? ନା ନା ଯେତେ ବାଧାବିଘ୍ନ ଆସୁ ପଛେ ତା’ ସହିତ ଯୁଦ୍ଧ କରିବାକୁ ହେବ । ପୁଣି ଆଗେଇଲା ଦୁଃଖା ଆଗ ଝରକା ପାଖକୁ ।

–ବାବୁ! ପଇସାଟିଏ ମିଳୁ ।

ଗୋଟିଏ କୋଠରୀରେ କିଏ ଜଣେ ବାବୁ ପଢ଼ୁଛନ୍ତି । ପଚାରିଲେ —

— “କିଏ ସେ” ?

— “ବାବୁ କାଲିଠୁଁ କିଛି ଖାଇନୁ । ପଇସା ଗୋଟିଏ ମାଗୁଛି ।

ନିଜ ସ୍ଥାନରୁ ଉଠି ଟଙ୍କାଟିଏ ବଢ଼ାଇଦେଲେ– ବାବୁ ଜଣକ । ମନେ ମନେ କ’ଣ ଚିନ୍ତା କରୁଥାନ୍ତି କେଜାଣି ଜଣାପଡ଼ୁଥାନ୍ତି ଖୁବ୍ ବ୍ୟସ୍ତଭଳି ।

ମୁହଁରେ ଥାଏ ଦୁଃଖାର ବ୍ୟଗ୍ରତାର ଚିହ୍ନ । ପଇସାତକ ନେଇ ପଛକୁ ଫେରିଲା ସେ । ପୁଣି ଭାବିଲା ଖାଇବାକୁ ଗଣ୍ଡେ ମାଗିବ । ପଇସା ସିନା ମିଳିଲା, ଖାଇବାକୁ ପାଇବ କେଉଁଠୁଁ ? ଏଥିରେ କ’ଣ ତାଙ୍କର ପେଟ ପୁରିବ ? ପୁଣି ଡ଼ାକିଲା– ବାବୁ !

–କ’ଣ ? କିଛି ଦରକାର ଥିଲା ମୋ ପାଖରେ ।

— ବାବୁ! ଗଣ୍ଡେ ଖାଇବାକୁ ମିଳୁ ।

— ଆଗକୁ ଆସ ମୁଁ ଚେଷ୍ଟା କରିବି ।

— ଦୁଃଖାର ମନରେ ଆଶା ଜାଗ୍ରତ ହେଲା । ଭିତରକୁ ଯିବାପାଇଁ ଚେଷ୍ଟାକଲା । ଦ୍ୱାର ପାଳ ସେଇଠି ଛିଡ଼ା ହୋଇଥିଲା । ଦୁଃଖା ଭରସି ପାରିଲା ନାହିଁ । ତାହାରି ଆଖି ବୋଧହୁଏ ଦୁଃଖା ଉପରେ ପଡ଼ିଲା । ପୁଣି ସେ ଚିତ୍କାର ଛାଡ଼ି କେତେ ଗାଳି ଗୁଲଜ କଲା । ବାହାର କରି ଦେଲା ତାକୁ ପୁଣି ।

ପଛକୁ ଫେରିଲା ଦୁଃଖା । ଆଖିରେ ଭରିଥିଲା ଲୁହ । ମନରେ ଉଙ୍କି ମାରୁଥିଲା କେତେ ପଦ କଥା-ଚୋର ନା ଭିକାରୀ, ଯା’ ଏଠୁ ଚାଲିଯା । ଆଗରେ ଅନ୍ଧାର ଗହଳି ଅପେକ୍ଷା କରି ରହିଥିଲା । ଭାଇକୁ ପୁଣି ଗୋଟାଏ ହାତ ଧରି ସେହି ଅନ୍ଧାର ଭିତରକୁ ଚାଲିଗଲା । ଖୁବ୍ ଅନ୍ଧାର ଭିତରକୁ । ଯେଉଁଠି ଘନ ଅନ୍ଧାରର ବନ୍ଧନ ସ୍ୱାଭିମାନରେ ଝରିପଡ଼େ ।

ଦୁଃଖା ବିଟପା ଭିକାରୀ

Rate the content


Originality
Flow
Language
Cover design

Comments

Post

Some text some message..