Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Writer Roja Panda

Inspirational Tragedy

5.0  

Writer Roja Panda

Inspirational Tragedy

ଅନ୍ତିମ ଦେଖା

ଅନ୍ତିମ ଦେଖା

4 mins
7.6K


ପ୍ରତ୍ୟେକ ଜୀବନରେ ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ସେହି କ୍ଷୁଦ୍ର ଶରୀରରୁ ବୃଦ୍ଧ ଶରୀର ପର୍ଯ୍ୟନ୍ତ ଯାହା ସବୁ ଘଟିଥାଏ ,ସବୁ କଥା , ସବୁ ଘଟଣା ,ଦୁର୍ଘଟଣା କିଛି କିଛି ମନେ ରହେନାହିଁ । ତଥାପି କିଛିଟା କଥା... ମନରେ ଅଲିଭା ଛାପ ଛାଡିଯାଏ ଯାହା ସମୟର ତାଳେ ତାଳେ ଧୁମିଳ ହୋଇଯାଏ ସିନା ,ହେଲେ ଭୁଲି ହୁଏନା । ସମୟେ ସମୟେ ତାହା ଚଳଚିତ୍ରର ଦୃଶ୍ୟ ପଟ୍ଟ ପରି ଆଖି ଆଗରେ ନାଚି ଉଠେ । ମଣିଷର ସବୁ ସ୍ୱପ୍ନ ପୁରା ହୁଏନା । କିଛି ଭାଙ୍ଗିଯାଇଥିବା ସ୍ୱପ୍ନର ସମାଧିରୁ ଖୋଜିବାକୁ ପଡେ ବଞ୍ଚିବାପାଇଁ ରାହାଟିଏ ।

ଆଉଥରେ ଛୋଟ ଆଶାଟିଏ ମନରେ ଜାଗ୍ରତ କରିବାକୁ ପଡେ । ଆଉ ସେଇ ଛୋଟ ଆଶା ବଳରେ ସେ ଜୀବନ ଜିଇଁବାର ସ୍ପର୍ଦ୍ଧାରେ ନିଜକୁ ଆଗେଇ ନିଏ । କିଛି ଲୋକ ମଧ୍ୟ ସେହିପରି ପାଖରେ ନଥାଇବି ମନ ଭିତରେ ସବୁ ଦିନ ପାଇଁ ଏକ ସ୍ମୃତି ହୋଇ ରହିଯାନ୍ତି । ତାଙ୍କର ଦେଇଥିବା କ୍ଷଣିକ ସ୍ନେହ ହିଁ ସମ୍ପୂର୍ଣ୍ଣ ଜୀବନକୁ ଆଲୋକରେ ଭରିଦିଏ ।

ସେଦିନର କଥା ମୋର ଠିକ ମନେ ଅଛି । ସେଦିନ ରବିବାର ଥାଏ । ଆମ ଘରକୁ ମତେ ଦେଖିବାପାଇଁ ମୋ ଶ୍ୱଶୁର ଘର ଲୋକ ଆସିଥାନ୍ତି । ଓଡ଼ିଆ ଘରେ ସାଧାରଣତଃ ଶ୍ୱଶୁରଙ୍କୁ ବାପା ସମ୍ବୋଧନ କରାଯାଏ । ମୁଁ ମଧ୍ୟ ସେଇ ପରମ୍ପରାକୁ ଆଖି ଆଗରେ ରଖି ମୋ ଶ୍ୱଶୁରଙ୍କୁ ବାପା ସମ୍ବୋଧନ କରୁଥାଏ । ତେଣୁ ସେଦିନ ବାପା ପ୍ରଥମ ଥର ପାଇଁ ଆସିଥାନ୍ତି ମତେ ଦେଖିବାପାଇଁ । ତାଙ୍କର କୌଣସି ବିଳାସବ୍ୟସନ ମୁଁ ଦେଖିପାରୁନଥିଲି ସେଦିନ । ଖୁବ ସରଳ ଥିଲେ ସେ । ମୁଁ ଆସି ତାଙ୍କ ପାଦ ଛୁଇଁ ପ୍ରଣାମ କଲି । ବାପା ମତେ ବସିବାକୁ କହିଲେ । ମୋ ପାଇଁ ଚେୟାର ପଡିଥିଲା ହେଲେ ମୁଁ ଡରିଯାଇ ତଳେ ବସିବାକୁ ଉଦ୍ୟମ କଲି । ବାପା ମତେ ଚେୟାରରେ ବସିବାକୁ ଇଙ୍ଗିତ ଦେଲେ । ଆମେ ବସି କିଛି କ୍ଷଣ କଥା ହେଲୁ । କିଛି ଖାଇବା ପିଇବା ବି ହେଇଥିଲା ତା ମଧ୍ୟରେ । ତାପରେ ମୁଁ ମୋ ରୁମ ଆଡକୁ ଗଲି । ବାପା ଓ ମୋ ଜନ୍ମିତ ବାପା ଦୁହେଁ ମିଶି କଥାବାର୍ତ୍ତା ହେଲେ ଯେ କିଛି ଜରୁରୀ କାର୍ଯ୍ୟ ବଶତଃ ବାହାଘର କିଛିଦିନ ଡେରିରେ କରିବାପାଇଁ । ଏଥିରେ ଉଭୟ ପରିବାର ରାଜି ହୋଇ ଏଇ ପ୍ରସ୍ତାବକୁ ଆପଣେଇ ନେଲେ ।

ମୁଁ ସବୁବେଳେ ମୋ ପାଖରେ ଏକ ଛୋଟ କୃଷ୍ଣ ମୂର୍ତ୍ତିଟିଏ ରଖୁଥାଏ । ମୁଁ ତାକୁ ହାତରେ ଧରି ବୁଲୁଥାଏ ସବୁବେଳେ । ସେଦିନ ବି ସେଇ କୃଷ୍ଣ ମୂର୍ତ୍ତିଟିକୁ ହାତରେ ଧରିଥିଲି । ଅତିଥି ମାନଙ୍କୁ ଖାଇବା ପିଇବା ଚର୍ଚ୍ଚା କଲାବେଳେ ମୁଁ ସେଇ କୃଷ୍ଣ ମୂର୍ତ୍ତିଟିକୁ ଡାଇନିଂ ଟେବୁଲ ଉପରେ ରଖିଦେଇଥିଲି । ମୁଁ ଆସି ମୋ ରୁମର କବାଟ ପାଖରେ ଡରି ଡରି ଠିଆ ହେଇଥାଏ । ହଠାତ ବାପା ଡ୍ରଇଂ ରୂମରୁ ଉଠିଆସି ମୋ ହାତରେ ସେଇ କୃଷ୍ଣ ମୂର୍ତ୍ତିଟିକୁ ଧରାଇଦେଲେ ଆଉ କହିଲେ ଯେ , ଏହାକୁ କେବେବି ନିଜଠୁ ଦୁରେଇ ଦେବୁନି । ସବୁବେଳେ ନିଜ ପାଖରେ ରଖିବୁ । ଆଉ କ୍ଷଣିକ ଭିତରେ ସେ ନିଜ ଜୀବନର ବହୁତ ରହସ୍ୟ ମୋ ସାମ୍ନାରେ ବଖାଣି ବସିଲେ । ନିଜ ଜୀବନରେ ଘଟିଥିବା ଘାତ ,ପ୍ରତିଘାତ ସବୁ ସେ ମାତ୍ର ଅଳ୍ପ କେଇ ମୁହୂର୍ତ୍ତରେ ମୋ ଆଗରେ କହି ଚାଲିଲେ । ଅଳ୍ପ ସମୟରେ ସବୁକିଛି ତାଙ୍କ ବିଷୟରେ ଜାଣିବା ତ ମୋପାଇଁ ସମ୍ଭବ ନଥିଲା । ମାତ୍ର ଯେତିକି ସଂକ୍ଷେପରେ ତାଙ୍କ ମୁହଁରୁ ଶୁଣିଲି ସେତିକି ଭାବି ବସିଲେ ମୋର ଲୋମ ଟାଙ୍କୁରି ଉଠୁଛି । କେତେ କଠୋର ଜୀବନ ସଂଗ୍ରାମ ହୋଇନଥିବ ସତେ !

ବାସ ସେତିକି ମୋର ବାପାଙ୍କ ସହିତ ଦେଖା । ସେଇ କ୍ଷଣିକ ଦେଖାକୁ ଅନ୍ତିମ ଦେଖା ବୋଲି କହିଲେ କିଛି ଭୁଲ ହେବନାହିଁ । ତାପରେ ବହୁତ ଦିନ ବିତିଯାଇଥାଏ । ମୁଁ ଦିନେ କଲେଜରୁ ଫେରିଥାଏ । ମୋର ଭାବି ସ୍ୱାମୀ ହଠାତ ମତେ ଫୋନ କରି କହିଲେ ଯେ ଆପୋଲୋ ହସ୍ପିଟାଲ ଯାଇ ନିଉରୋଲୋଜି ଡିପାର୍ଟମେଣ୍ଟରେ କିଏ ହେଡ଼ ଅଛନ୍ତି ସେଠି ପଚାରି ବୁଝି କି କହିବାପାଇଁ । ମୁଁ କାରଣ ପଚାରିବାରୁ ସେ ମତେ କିଛି କହିଲେ ନାହିଁ କେବଳ ହସ୍ପିଟାଲ ଯାଇ ବୁଝିବାକୁ ଆଦେଶ ଦେଲେ । ମୁଁ ବି ତାଙ୍କ ଆଦେଶ ମାନି ସଂଗେ ସଂଗେ ତିନିଟାରେ ଯାଇ ହସ୍ପିଟାଲ୍ ରେ ପହଞ୍ଚି ହସ୍ପିଟାଲର ରିସିପସନ କାଉଣ୍ଟରରୁ ଡ଼କ୍ଟରଙ୍କ ନାଁ ବୁଝି ତାଙ୍କୁ ଜଣାଇଲି । ସେଇ ସମୟରେ ସେ ମତେ କହିଲେ ଯେ ବାପାଙ୍କର ଆକ୍ସିଡେଣ୍ଟ ହେଇଚି । ସେ ଆପୋଲୋ ହସ୍ପିଟାଲ ଆସିବେ । ଏକଥା ଶୁଣି ମୋ ପାଦ ତଳୁ ମାଟି ଖସିଗଲା । ମୁଁ ସେଇଟି ଅପେକ୍ଷା କରି ବସି ରହିଲି । ସନ୍ଧ୍ୟା ହେଲାଣି ହେଲେ ବାପାଙ୍କୁ ନେଇ କେହିତ କାହିଁ ଏ ଯାଏଁ ହସ୍ପିଟାଲକୁ ଆସୁନାହାନ୍ତି । ମୁଁ ଚାରିଅଡକୁ ଦେଖି ଖୋଜୁ ଥାଏ । ମନରେ ଭୟ ଆଉ ଦୁଃଖର ତାଣ୍ଡବ । ହଠାତ ଆମ୍ବୁଲାନ୍ସର ସାଉଣ୍ଡ ବାଜି ଉଠିଲା । ଆମ୍ବୁଲାନ୍ସଟି ଏମର୍ଜେନ୍ସି ବିଭାଗକୁ ଗଲା । ମୁଁ ଆମ୍ବୁଲାନ୍ସକୁ ଦେଖି ତା ପଛେ ପଛେ ଦୌଡ଼ିବାରେ ଲାଗିଲି । ପାଖରେ ପହଂଚିଲା ବେଳକୁ ବାପାଙ୍କୁ ଭିତରକୁ ନେଇ ସାରିଥିଲେ । ତାଙ୍କ ସହିତ ଆସିଥିବା ଜଣେ ଅଙ୍କଲଙ୍କୁ ଭେଟିଲି ଯିଏ ବାପାଙ୍କ ରକ୍ତରେ ପୁରାପୁରି ଜୁଡ଼ୁବୁଡ଼ୁ ଥିଲେ । ତାଙ୍କୁ ପଚାରିବାରୁ ଘଟଣାଟି ଜାଣିଲି ଯେ ବାପା ବିନା ହେଲମେଣ୍ଟରେ ଗାଡି ଚଳାଉଥିବାବେଳେ ଆକ୍ସିଡେଣ୍ଟ ହେଇ ତାଙ୍କ ମୁଣ୍ଡରେ ଖୁବ ଜୋରରେ ଆଘାତ ଲାଗିଛି । ସେଇ ହସ୍ପିଟାଲ୍ ରେ ବାପା ତିନି, ଚାରିଦିନ ରହିଥିଲେ ମାତ୍ର ଚେତାଶୂନ୍ୟ ଅବସ୍ଥାରେ । ମୁଁ ଭାବିଥିଲି ବାପା ଠିକ ହେଇ ଘରକୁ ଫେରିବେ । ହେଲେ ମୋ ଭାବନା ସମ୍ପୂର୍ଣ୍ଣ ଭୁଲ ଥିଲା । ବାପା ଏକ ଅଫେରା ବାଟୋଇ ହୋଇ ଘରକୁ ନଫେରି ସିଧା ଭଗବାନଙ୍କ ପାଖକୁ ଚାଲିଗଲେ । ବାପା ସାରା ଜୀବନ କାହାର ଅମଙ୍ଗଳ କରିନଥିଲେ । କାହାରି ବିଷୟରେ କେବେ କିଛି କୁଚିନ୍ତା ମଧ୍ୟ କରିନଥିଲେ । ନିଜେ ଭଲ ତ ଦୁନିଆ ଭଲ ସିଦ୍ଧାନ୍ତରେ ସେ ଚାଲିଥିଲେ । ସେ ସିନା ଆଜି ନାହାନ୍ତି ହେଲେ ତାଙ୍କର ଅମୂଲ୍ୟ ଚକ୍ଷୁ ଦୁଇଟି ଆଜିବି କାହାର ଅନ୍ଧକାରମୟ ଜୀବନକୁ ଆଲୋକିତ କରୁଛି । ସେ ଯଦି ହେଲମେଣ୍ଟ ପିନ୍ଧିଥାନ୍ତେ ହୁଏତ ସେ ଆଜି ମୋ ପାଖରେ ଥାଆନ୍ତେ । ସେଇଥିପାଇଁ ସେଇ ଦିନଠୁଁ ମୁଁ ରାସ୍ତାରେ ଗଲାବେଳେ ଯାହାକୁ ବିନା ହେଲ ମେଣ୍ଟରେ ଗାଡି ଚଳାଉଥିବାର ଦେଖେ ତାଙ୍କୁ ହେଲମେଣ୍ଟ ପିନ୍ଧି ଗାଡି ଚଳାଇବାକୁ ଅନୁରୋଧ କରେ ।

ଜୀବନଟା ବହୁତ ମୂଲ୍ୟବାନ । ନିଜ ଜୀବନ କେବଳ ନିଜର ନୁହେଁ, ନିଜ ପରିବାର, ନିଜ ବନ୍ଧୁ ପରିଜନଙ୍କର ମଧ୍ୟ । ସେଥିପାଇଁ ମୋର ସମସ୍ତ ବନ୍ଧୁ , ପାଠକ ବୃନ୍ଦ , ପରିବାର ଓ ସମସ୍ତ ପୃଥିବୀ ବାସୀଙ୍କୁ ଏହି ଛୋଟ କଥାଟି ହାତଯୋଡ଼ି ଅନୁରୋଧ କରୁଛି ଯେ, ଦୟାକରି ଗାଡି ଚଳାଇବା ସମୟରେ ହେଲମେଣ୍ଟ ପିନ୍ଧନ୍ତୁ ଏବଂ ଟ୍ରାଫିକ ନିୟମ ମାନି ଗାଡି ଚଲାନ୍ତୁ । ନିଜେ ସୁରକ୍ଷିତ ରହିବା ସହିତ ଅନ୍ୟକୁ ସୁରକ୍ଷିତ ରଖନ୍ତୁ । ନିଜେ ହେଲମେଣ୍ଟ ପିନ୍ଧି ଗାଡି ଚଲାଇବା ସହିତ ନିଜର ଚତୁଃର୍ପାର୍ଶ୍ୱରେ ଥିବା ସମସ୍ତ ଲୋକଙ୍କୁ ଏହା ଅବଗତ କରାନ୍ତୁ । ବିନା ହେଲମେଣ୍ଟରେ ଗାଡି ଚଳାଉଥିବା ଲୋକଙ୍କୁ ହେଲମେଣ୍ଟ ପିନ୍ଧି ଗାଡି ଚଲାଇବାପାଇଁ ଅନୁରୋଧ କରନ୍ତୁ । ଦୟାକରି ସଂସାର ପାଇଁ ନିଜର ଦାୟିତ୍ୱ ଆଉ କର୍ତ୍ତବ୍ୟକୁ ଆଜି ହିଁ ଆରମ୍ଭ କରନ୍ତୁ ଏହି ଛୋଟ ପ୍ରୟାସରୁ ।

ରୋଜା ପଣ୍ଡା,

ପୂର୍ଣ୍ଣାନନ୍ଦ ଭବନ

ନେତାଜୀ ନଗର, ମଧୁପାଟଣା


Rate this content
Log in

Similar oriya story from Inspirational