Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Chinmayee Barik

Others

2.5  

Chinmayee Barik

Others

ମେଂଚାଏ ଛେପ

ମେଂଚାଏ ଛେପ

4 mins
7.5K


ଦୁନିଆରେ ଯଦି ସେ କାହାକୁ ବେଶୀ ଘୃଣା କରୁଥିଲା ସେ ଥିଲି ମୁଁ ,ଆଉ ଦୁନିଆର ମୋର ସବୁଠୁ ପ୍ରିୟ ମଣିଷ ଥିଲା ସେ । ସେ ଘୃଣା କରିବାର ଅନେକ କାରଣ ବି ଥଲା କାରଣ ଯଦିଓ ପଢାରେ ମୁଁ ଅନେକ ଭଲ ଥିଲି ହେଲେ ଦେଖିବାକୁ ଜମାରୁ ସୁନ୍ଦର ନୁହେଁ । ପୁରା ଟମ୍ ବୟେ । ଶୁଦ୍ଧ ଭାଷାରେ ଅଣ୍ଡିଆ ।

ସେ ଆମଘର ସାମନା ଦେଇ ଯାଉଥିଲା ...ତାକୁ ଖାଲି ଟିକିଏ ଦେଖିବାକୁ ମୁଁ ଘଣ୍ଟା ଘଣ୍ଟା ଅପେକ୍ଷା କରୁଥିଲି ।ଗଲାବେଳେ ସେ ମୋତେ ଦେଖି ଥୁ କରି ଛେପ ମେଂଚାଏ ପକାଇ ଯାଉଥିଲା । ମୋତେ ଲାଗୁଥିଲା ତା ମେଂଚାଏ ଛେପ ମୋ ମୁହଁରେ ବୋଳି ହୋଇ ଯାଇଛି ।

ମୁଁ କିନ୍ତୁ ପୁରା ବେହିୟାଟା ଥିଲି । ପର ଦିନ ପୁଣି ସେଇଠି ଠିଆ ହେଉଥିଲି ତାକୁ ଟିକେ ଦେଖିବିବୋଲି ।

ସେ ଖୁବ୍ ପଢୁଥିଲା । ଗୋଟିଏ ଚାଉଳରେ ଗଢା ମଣିଷ ଭଳି । ଗୋରା ଓ ଡେଙ୍ଗା ଆଉ ସୁସ୍ଥ ସବଳର ଚେହେରା । ଦେଖିଲେ ଯେ କେହି ଲୋଭେଇ ଯିବ । ଖୁବ୍ ଟେଲେଣ୍ଟ ଥିଲା ସେ । ମୁଁ ତା ପ୍ରେମରେ ପଡି ଯାଇଥିଲି ଏଇଥି ଲାଗି ଯେ ସେ ଖୁବ୍ ସୁନ୍ଦର ଇଂଲିଶ୍ କହି ପାରୁଥିଲା ।

ପ୍ରେମରେ ପଡିବାକୁ ଗୋଟିଏ କାରଣ ବି ଯଥେଷ୍ଟ ଥାଏ ଆଉ ବିନା କାରଣରେ ବି ହେଇ ପାରେ । ମୋର କହିବାର ବାହୁଲ୍ୟ ଏହା ଯେ ସେ ଯଦି ଇଂଲିଶ୍ କହୁ ବି ନ ଥାଆନ୍ତା ତେବେ ବି ମୁଁ ତାକୁ ଭଲ ପାଇଥାଆନ୍ତି ।କାରଣ ସେ ମୋତେ ଭଲ ଲାଗୁଥିଲା ।

ସେ ମୋତେ ଘୃଣା କରୁଥିଲା । ସମସ୍ତେ ଜାଣିଥିଲେ କାରଣ ସେ ମୋତେ ରଣଚଣ୍ଡି ବୋଲି ଡାକୁଥିଲା ।

ତା 'ମା 'ଆଉ ମୋ 'ବୋଉ' ସାଙ୍ଗ ଥିଲେ । ତା 'ମା' ମୋତେ ଖୁବ୍ ଭଲ ପାଉଥିଲେ । ଘରକୁ ଆସିଲେ ଆଗେ ମୋତେ ଖୋଜା ପଡେ ।

ତାକୁ ଖାଲି ଦେଖି ଦେଖି ମୋର ଛଅ ବର୍ଷ କଟିଗଲା । ପଦଟେ କଥା ହେବାର ସାହାସ କୁଳାଇ ନ ଥିଲି ।

"ତାର ମେଂଚାଏ ଛେପ ହିଁ ମୋତେ ସୂଚାଇ ଦେଉଥିଲା ମୋର ଅସ୍ତିତ୍ୱ ତା ପାଖରେ ।"

"ସେ ଅନେଶତ ରାଣୀର ରଜା ଥିଲା"...ମାନେ ତା ଆଗରେ ନାମୀ ଦାମୀ ସୁନ୍ଦରୀ ଝିଅଙ୍କ ଭିଡ ଜମୁଥିଲା ।କିନ୍ତୁ ସେ ଯେ କାହା ପ୍ରେମରେ ପଡିଛି ସେ ଗୁଜବ କେବେ ଉଠୁ ନ ଥିଲା । ସେମିତି କିଛି ଶୁଣିଥିଲେ ମୁଁ ବୋଧେ ନିଜକୁ ସଂଭାଳି ନେଇ ଥାଆନ୍ତି ।

"ଗୋଟିଏ ଛୋଟ ଦୁଃଖକୁ ଭୂଲିବାକୁ ଗୋଟେ ବଡ ଦୁଃଖ ଜରୁରୀ ହୋଇ ପଡେ"। ସେ କାହା ପ୍ରେମରେ ପଡିବା ବୋଧେ ମୋ ଜୀବନର ସବୁଠୁ ବଡ ଦୁଃଖ ହୋଇ ଥାଆନ୍ତା...ହେଲେ ସେମିତି କିଛି ହୋଇ ନ ଥିଲା । ମୁଁ ଦିନ ରାତି ତାରି କଥା ହିଁ ଭାବୁଥିଲି ।

ଟିକିଏ ସାହାସ କରିଥିଲେ ବୋଧେ ଭଲ ହୋଇ ଥାଆନ୍ତା । ମନ କଥା ଖୋଲି କହି ପାରି ଥାଆନ୍ତି ହେଲେ ମୁଁ ଜୀବନ ସାରା ମୁଁ ପଙ୍ଗୁ ଭଳି ବଂଚିଛି ....ନିଜ ଭାବନା ଠିକ୍ ଭାବରେ ଉପସ୍ଥାପନା କରି ନ ପାରି ଉପହାସ ହୋଇଛି ।ଏଥି ଲାଗି ଦାୟୀ ମୁଁ ନିଜେ ଥିଲି ।

"ସମସ୍ତଙ୍କୁ କଣ ସବୁ ମିଳିଯାଏ ଯେ ମୋତେ ମୋ ପସନ୍ଦ ଜିନିଷ ମିଳିଯିବ"?ଜନ୍ମ ଆଗରୁ ଆମ କପାଳରେ କିଛି ରେଖା ଟଣା ହୋଇଥାଏ ବୋଧେ । ସେ ହିଁ ଆମ ଭାଗ୍ୟ ନିର୍ଦ୍ଧାରଣ କରେ । ଯେତେ ବିଦାରି ହେଲେ କଣ ହେବ?

ବାବାଙ୍କର ବଦଳି ଅର୍ଡର ଆସିଯାଏ । ଆମ ଘରେ ସାଇ ପଡିଶାଙ୍କ ଭିଡ ସବୁ ଦିନେ । ମୋ ଆଖି ଝରକା ଦେଇ ବାହାରି ଯାଏ ତା ଘର ବାଲକୋନିକୁ । ଯଦିଓ ବାଲକୋନି ଅଧା ସମୟରେ ଖାଲି ପଡିଥାଏ ।

ଶେଷ ଦିନ...ରାତିରେ ଆମେ ଛାଡିବୁ ସେ ଯାଗା । ତା "ମା" ଆମକୁ ନିମନ୍ତ୍ରଣ କରିଥିଲେ ଖାଇବାକୁ । ଆମ ଘରେ ସମସ୍ତେ ଯାଇଥିଲେ ତାଙ୍କ ଘରକୁ ହେଲେ ମୁଁ ଯାଇନ ଥିଲି । ବାହାନା କରି ସାଙ୍ଗ ଘରକୁ ଚାଲି ଯାଇଥିଲି ।କାରଣ ଗୋଟିଏ ହିଁ ଥିଲା...ଶେଷ ଦିନରେ ମୋ ମୁହଁଟା ତା ଛେପରେ ଜୁଡୁବୁଡୁ ନ ହେଉ ।

ସଂଧ୍ୟାବେଳେ ଅନେକ ସମୟ ଠିଆ ହେଲି ଗେଟ୍ ପାଖରେ ତାକୁ ଟିକେ ଦେଖିବାକୁ । ସେ ବାହାରିଲାନି ଥରେ ବି ।ରାତି ଦଶଟା ହୋଇ ସାରିଥିଲା । ମୋତେ ଡକା ହେଲା ଘରକୁ ପ୍ରସ୍ତୁତ ହେବାକୁ ଯିବା ଲାଗି ।

ମୁଁ ସେ ଘରର କାନ୍ଥ ଗୁଡିକରେ ହାତ ସାଉଁଳେଉ ଥିଲି । ମୋ ପଢା ଘର ଚଟାଣରେ ପେଟେଇ ଶୋଇ ମୋ ପିଲାଦିନକୁ ଚାଟୁଥିଲି । ସାମ୍ନାରେ ଚକ୍ ଖଡିଟିଏ ପଡିଥିଲା । ତାକୁ ଗୋଟାଇ ଆଣି ଘରସାରା ଆଉ କବାଟ ଝରକାରେ ମୋ ନାଁ ଲେଖି ଦେଇଥିଲି ।

ମୋ ପଢା ଟେବୁଲ ପାଖ ଝରକା କବାଟରେ ମୋ ନାଁ ଲେଖିଲି । ହଁ,ସେ ଦିନ ଗୋଟିଏ କଥା କରିଥିଲି ଯାହା କେହି ଜାଣି ନ ଥିଲେ । ଝରକା ପଛରେ ଗୋଟିଏ କୋଣରେ ମୁଁ ମୋ ନାଁ ସହ ଯୁକ୍ତ କରି ତା ନାଁଟା ଲେଖି ଦେଇଥିଲି

ଛଅ ବର୍ଷ ଭଲ ପାଇବା ପରେ ମୁଁ ଏତିକି ହିଁ କରି ପାରିଥିଲି ନିଜକୁ ଟିକେ ବଦନାମ କରିବାକୁ ତା ସହ ।ଏହା ପଛରେ ବି ଗୋଟିଏ ନିରାପଦର କାରଣ ଥିଲା ।କାରଣ ସେ ଘରଟି ଅଫିସ୍ କ୍ୱାଟର ଥିଲା ।ଅନ୍ୟ କେହି ପଡିଶା ଲୋକ ଜାଣିବାର ସମ୍ଭାବନା ନ ଥିଲା ।

--------************-----------

ଦୀର୍ଘ ଦଶ ବର୍ଷ ପରେ ଗୋଟିଏ କାମରେ ବୋଉ ସହ ମୁଁ ସେ ସହରକୁ ଯାଇଥିଲୁ । ତାଙ୍କ ଘର ଛଡା ଆମର ରହିବାର ସୁବିଧା ଆଉ କେଉଁଠି ନ ଥିଲା । ଅନେକ ଚିହ୍ନା ପରିଚିତ ଥିଲେ ହେଲେ ରାତିଟି ରହିବାର ସୁରକ୍ଷିତ ଜାଗାଟି କେବଳ ତାଙ୍କ ଘର ଥିଲା । ହଠାତ୍ ଆମେ ତାଙ୍କ ଘରେ ପହଂଚିଗଲୁ । ତା "ମା"ଆମକୁ ଦେଖି କୋଳେଇ ନେଲେ । ବୋଉ ଓ ସେ କନ୍ଦାକନ୍ଦି ହୋଇଗଲେ । ମୋ ଆଖି ତାଙ୍କ ଘର ଚାରିପଟେ ବୁଲି ଆସିଲା । ତା "ମା"ତତ୍ କ୍ଷଣାତ୍ ବଗିଚାକୁ ଦଉଡି ଯାଇ କହିଲେ ଆରେ ,ଦେଖିଲୁ କିଏ ଆସିଛି ? ସେ ସେଠି ତା ସାଙ୍ଗ ସହ ବସିଥିଲା ।ମୋ ନାଁ ଶୁଣିବା ମାତ୍ରେ ଚମକି ଉଠିଲା । ମୁଁ ତାକୁ ଦୂରରୁ ଦେଖୁଥିଲି । ସେ ଚଟାପଟ ଉଠି ଆସିଲା କିନ୍ତୁ ମୋ ସହ କଥା ହେଲାନି ,ବୋଉ ସହ କଥା ହେଲା ।

ମୋତେ ଲାଗିଲା ମୋ ମୁହଁରେ ମେଂଚାଏ ଛେପ ବୋଳି ହୋଇଗଲା । ସେଦିନ ଖୁବ୍ ବୁଲିଲି ସାଙ୍ଗ ମାନଙ୍କ ଘରକୁ ଯାଇ । ଭାରୀ ଖୁସିଥିଲି । ସଂଧ୍ୟା ବେଳେ ତାଙ୍କ ଘରକୁ ଫେରିଲି । ସକାଳୁ ଫେରିବାକୁ ପଡିବ । ସବୁ ପେକିଂ ବି କଲି । ମନଟା ଭାରୀ ଅସ୍ଥିର ଲାଗୁଥାଏ । ତାଙ୍କ ବାଲକୋନିରେ ଲାଇଟ୍ ଅଫ୍ କରି ଚୁପଚାପ ବସିଥିଲି । ମୋ ଆଖି ଆମ କ୍ୱାଟର ଆଡକୁ ଥିଲା । ପଛ କଥା ଅନେକ ଭାବିଲି ।

ଅନୁଭବ ହେଲା ମୋ ପଛରେ କେହି ଜଣେ ଠିଆ ହୋଇଛି । ହଁ...ସେ ଅନେକ ବେଳୁ ଠିଆ ହୋଇଥିଲା । ମୁଁ ଦେଖିଲା ପରେ ଚେୟାରଟେ ଟାଣି ମୋ ପାଖରେ ବସିଲା । ପ୍ରଥମ ଥର ଲାଗି ଭଲ ମନ୍ଦ ପଚାରିଲା । ଜୀବନ ସାରା ଯାହା ସହ ପଦେ କଥା ହେବାକୁ ଡହଳ ବିକଳ ହେଉଥିଲି ତାକୁ ସାମ୍ନାରେ ପାଇଲା ପରେ ମୋ ପାଟି ଅଠା ଅଠା ହୋଇଗଲା । କଣ କହିବି ବୋଲି ସବୁ ଜବାବ ଗୁଡା ହୁଁ ହାଁ ରେ ସାରିଦେଲି । ପୁଣି ଦୁଇ ଜଣଙ୍କ ମଝିରେ ନୀରବତା ।

ଅନେକ ସମୟ ପରେ ସେ କହିଲା ...ଏ ରଣଚଣ୍ଡି ମୁଁ ତୋତେ ଟିକେ ଛୁଇଁବାକୁ ଚାହୁଁଛି ...

ମୁଁ "ହାଁ "ଟା ମାରି ତାକୁ ଅନେଇଲି । ଛାଇ ଆଲୁଅରେ ତା ମୁହଁ ମୋତେ ଝାପ୍ସା ଦେଖା ଯାଉ ଥିଲା । ମୁଁ କିଛି କହିବା ଆଗରୁ ସେ ମୋ ଗାଲରେ ତା ଓଠ ଛୁଆଁଇ ସାରିଥିଲା । ମୋ ଗାଲ ସାରା ତା ଛେପରେ ଓଦା ହୋଇ ସାରିଥିଲା । ମୁଁ ବଦନାମ ତ ହୋଇ ସାରିଥିଲି ସେଇଦିନ ହିଁ ଯେଉଁ ଦିନ ଝରକା ପଛପଟେ ତା "ନାଁ" ସହ ମୋ ନାଁ ଟା ଲେଖି ଦେଇଥିଲି ।

ସେ ଝଡ ପରି ବାହାରି ଗଲା ମୁଁ କିଛି ବୁଝିବା ଆଗରୁ ...କିଛି ଅନୁଭବ କରିବା ଆଗରୁ ।

ରାତି ସାରା ଶୋଇ ପାରିଲିନି...ସକାଳେ ଫେରି ଆସିଲି । ଆସିଲା ବେଳକୁ ଦେଖିଲି ସେ ତାଙ୍କ ଗେଟ୍ ପାଖରେ ଠିଆ ହୋଇଛି ମୋତେ ଚାହିଁ ଯେମିତି ମୁଁ ତାକୁ ଟିକେ ଦେଖିବାକୁ ଘଣ୍ଟାଘଣ୍ଟା ଅପେକ୍ଷା କରୁଥିଲି ।

ତା ଆଖିରେ ଲୁହ ଥିଲା ...ଆଉ ମୋ ଗାଲରେ ତାର ମେଂଚାଏ ଛେପ....

ହସିବି କି କାନ୍ଦିବି ଜାଣି ପାରୁ ନଥିଲି ..... ।

Lucy


Rate this content
Log in