Quotes New

Audio

Forum

Read

Contests


Write

Sign in
Wohoo!,
Dear user,
ନିରିମାଖି ଝିଅର ଭାଗ୍ୟ
ନିରିମାଖି ଝିଅର ଭାଗ୍ୟ
★★★★★

© ଓଡିଆ ଶିଶୁ ଗପ

Classics

8 Minutes   332    10


Content Ranking

କାଶୀନାଥ ବାବୁଙ୍କର ପୁଅଟିଏ ଓ ଝିଅଟିଏ । ପୁଅ ବଡ ଆଉ ଝିଅ ସାନ । ପୁଅଟିର ନାମ ପ୍ରଭାକର । ଝିଅଟିର ନାମ ପ୍ରମିଳା । ପ୍ରମିଳା ତା’ ବାପାଙ୍କର ଅତି ଅଲିଅଳି ଝିଅ । ପ୍ରମିଳାକୁ ଜନ୍ମ ଦେଇ ତା’ ମାଆ ଚିରଦିନପାଇଁ ଏ ସଂସାର ଛାଡି ଚାଲିଗଲେ । ତାପରେ ସେ କାଶୀନାଥ ବାବୁ ପିଲା ଦୁହିଁଙ୍କୁ ସରକାରୀ ସ୍କୁଲ୍ରେ ପାଠ ପଢାଇଲେ । ବେଶ୍ ଆରାମ୍ରେ ପିଲାମାନେ ବି ଥାଆନ୍ତି । ବାପା ବି ତାଙ୍କ ପିଲାମାନଙ୍କୁ ଭଳିକିଭଳି ରଙ୍ଗ ବେରଙ୍ଗର ପୋଷାକ ପିନ୍ଧିବାକୁ ଦିଅନ୍ତି । ଭଲ ଖାଇବାକୁ ବି ଦିଅନ୍ତି । ଏପରିକି ମାଆ ଭଳି ପିଲାମାନଙ୍କର ଯତ୍ନ ମଧ୍ୟ ନିଅନ୍ତି । ପୁଅ ପ୍ରଭାକର ଅପେକ୍ଷା ସେ କାଶୀନାଥ ବାବୁ ଝିଅ ପ୍ରମିଳାକୁ ଖୁବ୍ ଭଲ ପାଆନ୍ତି । ପ୍ରମିତି ତା’ ମାଆ କଥା ପଚାରିଲେ, କାଶୀନାଥ ବାବୁ କହନ୍ତି ସେ ହିଁ ତା’ର ମାଆ, ଆଉ ସେ ହିଁ ତାର ବାପା । ଝିଅକୁ ଅତି ସ୍ନେହ ଶ୍ରଦ୍ଧା କରନ୍ତି । ତାକୁ ତଥା ସେ ଝିଅକୁ ତା ବାପା କେବେବି ନାଆଁ ଧରି ଡାକନ୍ତି ନାହିଁ । କେବଳ ମାଆ ମାଆ ବୋଲି ଡାକନ୍ତି । କାଶୀନାଥ ବାବୁ କହନ୍ତି ମାଆ ପ୍ରମିଳା ତୁ ଯାହା କହିବୁ ତୋତେ ମୁଁ ତାହା ଆଣିଦେବି ।

କ୍ରମେ ସେ ପିଲାମାନେ ବଡ ହେଲେ । ପୁଅ ପ୍ରଭାକର ଡାକ୍ତରୀ ପାଶ୍କରି ଆମେରିକା ଚାଲିଗଲେ । ସେଇଠି ଯାଇ ପ୍ରଭାକର ଚାକିରି କଲେ । ଏମିତି କିଛି ବର୍ଷ ଚାଲିଗଲା । ପ୍ରଭାକର ଆମେରିକାର ଗୋଟିଏ ଝିଅକୁ ବିବାହ କଲେ । ବାପ କାଶୀନାଥ ପାଖକୁ ଚିଠି ଦେଲେ । ତା’ପରେ ଆଉ ଚିଠିପତ୍ର କିଛି ବି ନାହିଁ । ତେଣେ ପ୍ରଭାକର ଆମେରିକାରେ ବାହା ହୋଇ ସେଠାକାର ସ୍ଥାୟୀବାସିନ୍ଦା ଭାବରେ ରହିଗଲେ । କେତେ ଆଶା କରିଥିଲେ ସେ କାଶୀନାଥ ବାବୁ । ହେଲେ ପୁଅ ପ୍ରଭାକରର ଏଭଳି କର୍ମ ଦେଖି ସେ କାଶୀନାଥ ବାବୁ ଅତ୍ୟନ୍ତ ମର୍ମାହତ ହେଲେ । ତାଙ୍କୁ ନ ପଚାରି ପୁଅ ତାଙ୍କର କେତେ ବଡ ଭୁଲ୍ ନ କଲା । ଏଭଳି ଭାବି ଭାବି ଶେଷରେ ସେ କାଶୀନାଥ ବାବୁ ପାଗଳ ହୋଇଗଲେ । ଦିନେ ରାତିରେ କାଶୀନାଥ ବାବୁ ତାଙ୍କ ଘର ଛାଡି କେଉଁଆଡେ ଚାଲିଗଲେ । ଆଉ କେବେବି ଫେରିଲେ ନାହିଁ । ବାପ ଓ ଭାଇ କେଉଁଆଡେ ଚାଲି ଯିବାର ଦେଖି ପ୍ରମିଳା ଏକଦମ୍ ନିଃସହାୟ ହୋଇ ପଡିଲା । ତାପରେ ସେ ଅନେକ କାନ୍ଦିଲା । ସେତେବେଳେ ସେ ପ୍ରମିଳାକୁ ତ ମାତ୍ର କୋଡିଏ, ଏକୋଇଶ ବର୍ଷ ବୟସ । ସେ ଗାଆଁରେ ବି ତା’ର ମାଉସୀ ଘର । ମାଉସୀକୁ ଛାଡି ଦେଲେ ସେ ପ୍ରମିଳାର ଆଉ ନିଜର ବୋଲି କେହି ବି ନାହାଁନ୍ତି । ତେଣୁ ସେ ପ୍ରମିଳା ତା’ ମାଉସୀ ଘରେ ହିଁ ରହିଲା । କଥାରେ କହନ୍ତି ମାଆ ଅଧା ମାଉସୀ ଓ ବାପ ଅଧା ପିଉସୀ । କିନ୍ତୁ ସେ ପ୍ରମିଳାର ମାଉସୀ ମାଆ ନୁହେଁ ବରଂ ଗୋଟେ କାଳ ନାଗୁଣୀ । ରନ୍ଧା ବଢାଠାରୁ ଆରମ୍ଭ କରି ଘରର ଯାବତୀୟ କାମ ପ୍ରମିଳା ହାତରେ କରାଇ ପ୍ରମିଳାର ମାଉସୀ କେବଳ ଆରାମ୍ରେ ଖାଆନ୍ତି ଏବଂ ଶୁଅନ୍ତି । ପ୍ରମିଳା ସବୁ ସହିଯାଏ । କିଛି ବି କହେ ନାହିଁ । ଚିରା ଶାଢି ଛିଣ୍ଡା ବ୍ଲାଉଜଟିଏ ପିନ୍ଧିଥାଏ । ନୁଖୁରା ବାଳ । ପ୍ରମିଳାର ମାଉସୀ ପ୍ରମିଳାକୁ ତେଲ କି ସାବୁନ୍ ଏମିତି କିଛି ବି ଦିଏ ନାହିଁ । ତେଣୁ କିଏ କେତେ କଥା ତାକୁ କହନ୍ତି । ଥଟ୍ଟା ପରିହାସ ବି କରନ୍ତି । ହେଲେ ସେ ପ୍ରମିଳା କାହାରି କଥା ଆଦୌ ଶୁଣେ ନାହିଁ । କାନ ବନ୍ଦ କରିଦିଏ ଦୁଇ ହାତରେ । ପ୍ରମିଳା ନଈକୁ ଗାଧୋଇ ବାହାରିଲେ ଛୋଟ ଛୋଟ ପିଲାମାନେ ପାଗଳୀ କହି ତାକୁ ଚିଡାନ୍ତି । ସେସବୁ ଶୁଣି ପ୍ରମିଳା ହସିଦିଏ । ହେଲେ କାହାରିକୁ କିଛି ବି କହେ ନାହିଁ ।

ତା’ ବାପା କଥା ମନେପକାଇ ପ୍ରମିଳା ବେଳେ ବେଳେ କାନ୍ଦେ । ପୁଣି ଲୁହକୁ ପଣତରେ ପୋଛିଦିଏ । ନଈ ତୁଠରେ ଘସା ପଥରରେ ପ୍ରମିଳା ତା’ ଗୋଡ ଘସି ମଳି ଛଡାଏ । କିଏ ସାବୁନ ହଳଦୀ ଲଗାଉଥିବାର ଦେଖିଲେ ତାକୁ ଏ ପ୍ରମିଳା ନିରେଖି ଚାହେଁ । ସମସ୍ତେ ଗାଧୋଇ ସାରି ଘରକୁ ଫେରିଲେ ପ୍ରମିଳା କିଏ ଛାଡିଥିବା ସାବୁନକୁ ଏଣିକି ତେଣିକି ଅନାଇ ନିଜ ଦେହ ହାତରେ ତରବର ହୋଇ ଲଗେଇ ପକାଏ । ଆଉ ସାବୁନ୍ ନ ପାଇଲେ ବେଳେ ବେଳେ ସେ ପ୍ରମିଳା କାଦୁଅ ଲଗାଏ ।

ପ୍ରମିଳା ମନେ ପକାଏ ତା’ର ବାପା ତାକୁ କେତେ ରକମର ସାବୁନ, ବାସନା ତେଲ ଇତ୍ୟାଦି ଦିଅନ୍ତି । ଆଉ କେତେ ମନହାରୀ ଜିନିଷ ବି ଦିଅନ୍ତି । ହେଲେ ଏବେ ତାକୁ ସାବୁନ୍ ଖଣ୍ଡେ ବି ମିଳୁନି । ଗାଧୋଇ ସାରି ପ୍ରମିଳା ତା’ଘରକୁ ଫେରେ । ଗୋଟିଏ ପାଖ ଲୁଗା ଶୁଖିଗଲେ ସେଇ ପାଖ ପିନ୍ଧେ । ଆରପାଖ ପୁଣି ଶୁଖାଏ ।

ଦିନକର ଘଟଣା । ପ୍ରମିଳାକୁ ସେ ଗାଆଁ ଚୌକିଦାର ଚରଣ ସିଂ କହିଲା, ପ୍ରମିଳା ତୁ ନିହାତି ନିରିମାଖି ଝିଅଟିଏ । ତୋ ବାପା ମାଆ ଥିଲେ ତୁ ଆଜି କ’ଣ କେବେବି ଏତେ ଦୁଃଖରେ ଥାଆନ୍ତୁ? ପ୍ରମିଳା ସେ ଚୌକିଦାର ଚରଣ ସିଂଠାରୁ ଏତିକି ଶୁଣି ପିଲାଙ୍କ ଭଳି ଖାଲି ଭୋ ଭୋ ହୋଇ କାନ୍ଦି ପକାଇଲା । ସେ ଗାଆଁ ଚୌକିଦାର ଚରଣ ସିଂକୁ ତ ବୟସ ପଚାଶରୁ ପଂଚାବନ ବର୍ଷ ମଧ୍ୟରେ । ତେଣୁ ସେ ଚରଣ ସିଂ ପ୍ରମିଳାକୁ ସାନ୍ତ୍ୱନା ଦେଲେ । ତାପରେ ସେ ପ୍ରମିଳା ନିଜ ଦୁଃଖ କାହାଣୀ ସବୁ ଗୋଟି ଗୋଟି କରି ଚୌକିଦାର ଚରଣ ସିଂକୁ କହିଲା । ସବୁ ଶୁଣି ସେ ଚରଣ ସିଂ ପ୍ରମିଳାକୁ କହିଲା, ତୁ ତ ଯାହା ବି ହେଲେ ଅଳ୍ପ ବହୁତ ପାଠ ଶାଠ ପଢିଛୁ । ଛୋଟ ପିଲାମାନଙ୍କୁ ପାଠ ପଢାଇଲେ ପଇସା କିଛି ତୁ ବି ରୋଜଗାର କରିବୁ । ଟିଉସନ୍ କରିବୁ?

ତହୁଁ ସେ ପ୍ରମିଳା କହିଲା ଚରଣ ଅଜା, ମୋତେ ତ ଏ ଗାଆଁରେ ଛୋଟ ଛୋଟ ପିଲାମାନେ ପାଗଳୀ କହି ମୋ ପଛରେ ଗୋଡାନ୍ତି । ମୁଁ ପୁଣି ସେମାନଙ୍କୁ ପାଠ ପଢାଇବି କେମିତି? ଏପରି କଥା ଶୁଣି ସେ ଚରଣ ସିଂ କହିଲା, ପ୍ରମିଳା ତୁ ପୁରା ଠିକ୍ କହିଛୁ? ତୋର ଏ ଛିଣ୍ଡା ଲୁଗା, ଛିଣ୍ଡା ବ୍ଲାଉଜ, ମଇଳା ବେଶ ପୋଷାକ ଆଉ ନୁଖୁରା ବାଳ ଓ ଦୁର୍ବଳ ସ୍ୱାସ୍ଥ୍ୟ ଦେଖି ସମସ୍ତେ ତ ତୋତେ ପାଗଳୀ ବୋଲି କହୁଛନ୍ତି । ତେଣୁ ତୁ ଗୋଟେ କାମ କରିବୁ । ମୁଁ ତୋତେ ତେଲ ସାବୁନ୍ ଦେବି, ଭଲ ଶାଢି, ବ୍ଲାଉଜ୍ ବି ଦେବି । ତୁ ତାକୁ ପିନ୍ଧିବୁ । ମୋ ଘରେ କିଛିଦିନ ରହିବୁ । ତା’ପରେ ମୁଁ ତୋତେ ମୋ ମଇତ୍ର ମହେଶ୍ୱର ଘରେ ଛାଡି ଦେବି । ସେ ମହେଶ୍ୱରକୁ ଏ କଳିଯୁଗର ଦୟାଳୁ ବୋଲି କହନ୍ତି । ଏବେ ଚାଲ୍ ମୋ ଘରେ କିଛିଦିନ ରହିବୁ । ମୁଁ ତୋତେ ଖାଇବାକୁ ଦେବି, ପିନ୍ଧିବାକୁ ଦେବି । ପ୍ରମିଳା ସେତେବେଳେ ଭାବୁଥିଲା ଏ ଗାଆଁ ଚୌକିଦାର ଚରଣ ସିଂର ମନଟା କେତେ ଉଦାର, କେତେ ଦୟାଳୁ ଲୋକ ତାଙ୍କୁ କିପରି କୃତଜ୍ଞତା ଜଣାଇବ ବୋଲି ପ୍ରମିଳା କିଛି ବି ଭାବିପାରୁ ନଥିଲା । ପୁଣି ଚରଣ ସିଂ କହିଲେ ପ୍ରମିଳା ତୁ ତ ଝିଅଟା କାଲି ସକାଳେ ତୋର ଜନମ । ବୟସ ମାତ୍ର କୋଡିଏ କି ବାଇଶି ବର୍ଷ ହେବ । ହେଲେ ତୁ ତ ବୁଢୀଟିଏ ଭଳି ଦେଖାଯାଉଛୁ ।

ତାପରେ ସେ ଗାଆଁ ଚୌକିଦାର ଚରଣ ସିଂ ଏ ପ୍ରମିଳାକୁ ନିଜ ଘରକୁ ଡାକିନେଲା, ଖାଇବାକୁ, ପିନ୍ଧିବାକୁ ଦେଲା, ତେଲ, ସାବୁନ ଲଗାଇବାକୁ ଦେଲା । ପ୍ରମିଳା ଏବେ ବହୁତ ଭଲରେ ଅଛି । ତା’ ସ୍ୱାସ୍ଥ୍ୟରେ ବି ଧୀରେ ଧୀରେ ପରିବର୍ତ୍ତନ ଆସିଛି ।

ଏମିତି କିଛିଦିନ ଚାଲିଗଲା । ଦିନକର ଘଟଣା ସେଇ ଗାଆଁରେ ସୈନିକମାନଙ୍କ ଟ୍ରେନିଂ କ୍ୟାମ୍ପ ପିଡିଲା । ପଚାଶ କି ଷାଠିଏ ଜଣ ସୈନିକ । ସେହି ସୈନିକମାନଙ୍କୁ ରୋଷେଇ କରି ଖାଇବାକୁ ଦେବାକୁ ତ କେହି ବି ନ ଥିଲେ । ତେଣୁ ସେମାନେ ନିଜେ ନିଜେ ରୋଷେଇ କରି ଖାଉଥିଲେ । ଦିନେ ଚରଣ ସିଂ ସେ ସୈନିକ ମାନଙ୍କ କ୍ୟାମ୍ପକୁ ଗଲେ । ଜଣେ ସୈନିକ ଯୁବକକୁ ଚରଣ ସିଂ ପଚାରିଲେ, ବାବୁମାନେ ଆପଣମାନେ କ’ଣ ନିଜେ ହାତରେ ରୋଷେଇ କରି ଖାଉଛନ୍ତି । ମୋ ଝିଅଟି ଆସି ଆପଣମାନଙ୍କୁ ରୋଷେଇ କରି ଦିଅନ୍ତା, ମୁଁ ନିହାତି ଗରିବ ଲୋକ । ତା’ ପ୍ରତିବଦଳରେ ଆପଣ ମୋ ଝିଅର ପାରିଶ୍ରମିକ ବାବଦକୁ ଯାହା କିଛି ପଇସା ଦିଅନ୍ତେ । ଯାହା ବି ଦିଅନ୍ତୁ ସେଥିରେ ମୋର କିଛିବି କହିବାର ନାହିଁ ।

ଚରଣ ସିଂ ଯେଉଁ ସୈନିକ ଯୁବକକୁ ଏ କଥା ପଚାରିଲେ, ସେ ଯୁବକଟି ହେଉଛନ୍ତି ସୈନିକମାନଙ୍କର ଟ୍ରେନଂ ମାଷ୍ଟର । ଚରଣ ସିଂଙ୍କର ଏ କଥା ଶୁଣି ସେ ଟ୍ରେନିଂ ମାଷ୍ଟର କହିଲେ ମଉସା କ’ଣ ଆଉ କହିବାକୁ ଅଛି । ମୁଁ ମଧ୍ୟ ମନେ ମନେ ମନେ ଏହିଭଳି ଏକ ସୁଯୋଗକୁ ଅପେକ୍ଷା କରିଥିଲି । ମନେ ମନେ ଭାବୁଥିଲି କେହି ଗରିବ ଝିଅଟିଏ ଯଦି ଆମକୁ ଏଇ ମାସେ ଦୁଇ ମାସ ରୋଷେଇ କରି ଖାଇବାକୁ ଦିଅନ୍ତା ତେବେ ଖୁବ୍ ଭଲ ହୁଅନ୍ତା । ତାହେଲେ ଠିକ୍ ଅଛି ମଉସା, କାଲି ଆପଣ ଆପଣଙ୍କର ଝିଅକୁ ସାଙ୍ଗରେ ଧରି ଆସନ୍ତୁ । ଏଣେ ସେ ଚରଣ ସିଂଙ୍କ ମନ ବହୁତ ଖୁସି । ଚରଣ ସିଂ ପ୍ରମିଳାକୁ ଏ ସବୁ କଥା କହିଲେ । ପ୍ରମିଳା ବି ଚରଣ ସିଂଙ୍କର ଆଦେଶକୁ ଶିରୋଧାର୍ଯ୍ୟ କରି ଚରଣ ସିଂଙ୍କ ସାଙ୍ଗରେ ସେ ଟ୍ରେନିଂ କ୍ୟାମ୍ପକୁ ଆସିଲା । ସୈନିକମାନେ ପ୍ରମିଳାକୁ ଦେଖିଲେ । ହେଲେ ସେ ତ ଝିଅ ନୁହେଁ ବୁଢୀଟିଏ । ସୈନିକମାନଙ୍କର ଟ୍ରେନିଂ ମାଷ୍ଟର ଯୁବକ ଏସବୁ ଦେଖି କହିଲା, ଏ ତୁମ ଝିଅ ନାଁ ମାଆ । ଏକଥା ଶୁଣି ଚରଣ ସିଂ କହିଲେ ଯାହା ଆପଣ ଭାବୁଛନ୍ତି । ଝିଅ ବୋଲି ତ କହିଲି ହେଲେ ଆପଣ କ’ଣ ତାକୁ ମାଆ ବୋଲି କହିଲେଣି । ଝିଅ ଆଉ ମାଆ କ’ଣ ଏକା କଥା । ଝିଅମାନଙ୍କୁ ଶ୍ରଦ୍ଧାରେ କେବଳ ତାଙ୍କ ବାପମାନେ ହିଁ ମାଆ ବୋଲି ଡାକନ୍ତି । ଏଥିରେ ସେ ଚରଣ ସିଂ କିଛି ବି ଭାବିଲେ ନାହିଁ । ସେହି ସୈନିକମାନଙ୍କର ତ ଜଣେ ସ୍ତ୍ରୀ ଲୋକ ରୋଷେଇ କରିଦେବାକୁ ନିହାତି ଆବଶ୍ୟକ ଅଛି । ତେଣୁ ସେ ଝିଅ ହେଉ କି ବୁଢୀ ହେଉ ସୈନିକମାନଙ୍କୁ ଗଣ୍ଡେ ରୋଷେଇ କରିଦେଲେ କଥା ସରିଲା । ସେହି ଦିନଠାରୁ ପ୍ରମିଳା ସେ ସୈନିକ ଭାଇମାନଙ୍କୁ ରୋଷେଇ କରି ଖାଇବାକୁ ଦେଲା । ସେ ସୈନିକମାନଙ୍କର ତ ଆଉ ସାଧାରଣ ଖାଦ୍ୟ ନୁହେଁ । ନିହାତି ରାଜକୀୟ ଖାଦ୍ୟ । ପ୍ରତିଦିନ ଛ’ତରକାରୀ ନ’ ଭଜା, ମାଛ ମାଂସ, ଫଳ ମୂଳ ଏମିତି କେତେ କ’ଣ ଖାଦ୍ୟ । ଖାଦ୍ୟ ସବୁକୁ ସୈନିକମାନଙ୍କୁ ବାଂଟି ଖାଇବାକୁ ଦିଏ ପ୍ରମିଳା । ପ୍ରମିଳା ନିଜେ ଖାଏ ଓ ସୈନିକ ଭାଇମାନଙ୍କୁ ବି ଖାଇବାକୁ ଦିଏ । କେବଳ ରୋଷେଇରେ କେହି ସୈନିକ ଭାଇ ଜଣେ କିମ୍ବା ଦୁଇ ଜଣ ସେ ପ୍ରମିଳାକୁ ସାହାଯ୍ୟ କରନ୍ତି । ପ୍ରମିଳା ତା’ ଅଂଟାରେ ଲୁଗା ଭିଡି ସବୁକାମ ନିର୍ବିକାର ଭାବରେ କରିଯାଏ ।

ଏମିତିକା କିଛିଦିନ ଚାଲିଗଲା । ପ୍ରମିଳା ସେ ସୈନିକ ମାନଙ୍କ ଶିବିରରେ ରହି ସୈନିକମାନଙ୍କର ରାଜକୀୟ ଖାଦ୍ୟ ଖାଇ ତା’ର ବି ସ୍ୱାସ୍ଥ୍ୟରେ ଅଦ୍ଭୁତ ପରିବର୍ତ୍ତନ ଘଟିଲା । ସରଗର ପରୀ ଭଳି ସେ ପ୍ରମିଳା ମଧ୍ୟ ବହୁତ ସୁନ୍ଦର ଦେଖାଗଲା । ସତେ କି ରାଜା ଝିଅ । ଖାଦ୍ୟ ବିନା ସେ ପ୍ରମିଳା ଅତ୍ୟନ୍ତ ଋଗ୍ଣ ଆଉ ବୁଢୀ ଭଳି ଦେଖାଯାଉଥିଲା । ସୈନିକ ମାନଙ୍କ ଟ୍ରେନି ମାଷ୍ଟର ସେ ପ୍ରମିଳା’ର ଏଭଳି ପରିବର୍ତ୍ତନ ଦେଖି ପ୍ରମିଳାକୁ ତା’ର ବୟସ ପଚାରିବାରୁ ସେ କହିଲା ତାକୁ ମାତ୍ର ବାଇଶ ବର୍ଷ ବୟସ । ଚରଣ ସିଂ ବି ପ୍ରମିଳାର ସ୍ୱାସ୍ଥ୍ୟ ଦେଖିଲେ ଓ ସୈନିକମାନଙ୍କୁ କହିଲେ ବାବୁମାନେ ଖାଦ୍ୟ ବିନା ଏ ଝିଅ ବୁଢୀ ଭଳି ଦେଖାଯାଉଥିଲା । କେବଳ ଖାଦ୍ୟ ହିଁ ତା’ର ସ୍ୱାସ୍ଥ୍ୟ ସମ୍ପଦକୁ ତା’ଠାରୁ ଛଡାଇ ନେଇଥିଲା । ଏକଥା ଶୁଣି ସୈନିକମାନେ ଚରଣ ସିଂଙ୍କୁ କହିଲେ କ’ଣ ଆପଣ ବାପା ହୋଇ ନିଜ ଝିଅର ଯତ୍ନ ନେଇ ପାରୁନଥିଲେ । ଏମିତିକି ଝିଅଟିକୁ ଗଣ୍ଡେ ଖାଇବାକୁ ମଧ୍ୟ ଦେଇ ପାରୁନଥିଲେ । ଆପଣଙ୍କ ସ୍ୱାସ୍ଥ୍ୟ ତ ବେଶ୍ ଠିକ୍ ଅଛି । ବାପା ହୋଇ ନିଜ ଝିଅ ପ୍ରତି ଏତେ ଅବହେଳା ।

ଚରଣ ସିଂ ସେ ସୈନିକମାନଙ୍କ ମୁହଁରୁ ଏକଥା ଶୁଣି ହଠାତ୍ କାନ୍ଦି ପକାଇଲେ ଓ କହିଲେ ମୁଁ ତ ଏ ଝିଅର ବାପା ହିଁ ନୁହେଁ । ତାପରେ ପ୍ରମିଳାର ଦୁଃଖ କାହାଣୀ ସବୁ ଗୋଟି ଗୋଟି କରି ଚରଣ ସିଂ ସେ ସୈନିକମାନଙ୍କୁ କହିଲେ । ସବୁ କଥା ଶୁଣି ସମସ୍ତେ ଖୁବ୍ ଦୁଃଖ ପ୍ରକାଶ କଲେ । ସବୁ ସତ୍ୟାସତ୍ୟ ଘଟଣା ପରସ୍ପର ପଚାରି ବୁଝି ଜାଣିଲେ । ଏହାପରେ ସେ ସୈନିକମାନଙ୍କର ଟ୍ରେନିଂ ମାଷ୍ଟର ଏ ଚରଣ ସିଂଙ୍କୁ କହିଲେ ଆପଣଙ୍କର ଯଦି କୌଣସି ଆପତ୍ତି ନଥାଏ ତେବେ ମୁଁ ଆପଣଙ୍କ ଝିଅ ପ୍ରମିଳାକୁ ବିବାହ କରିବି ।

ଏହା ଶୁଣି ସେ ଚରଣ ସିଂ ଅତ୍ୟନ୍ତ ଆନନ୍ଦରେ ଆତ୍ମହରା ହୋଇ କହିଲେ ବାବୁ, ଏଥିରେ ଆଉ ଆପତ୍ତି କ’ଣ ବା ଅଛି । ଆପଣ ଯେତେବେଳେ ଏକ ନିଃସହାୟ ନିରିମାଖି ଝିଅକୁ ବିବାହ କରିବାକୁ ଚାହୁଁଛନ୍ତି ଈଶ୍ୱର ଆପଣଙ୍କର ନିଶ୍ଚୟ ମଙ୍ଗଳ କରିବେ? ମୁଁ କେବଳ ମୋ କର୍ତ୍ତବ୍ୟ କରିବି । ସୈନିକ ମାଷ୍ଟର ଯୁବକ ସହିତ ପ୍ରମିଳାର ବିଭାଘର ବିଧିବଦ୍ଧ ଭାବରେ ହେଲା । ଚରଣ ସିଂ ସେ ପ୍ରମିଳାର ବାପ ହୋଇ ଟ୍ରେନିଂ ମାଷ୍ଟର ହାତରେ ପ୍ରମିଳାକୁ ସମର୍ପଣ କଲେ । ସେତେବେଳେ ସେ ପ୍ରମିଳାର ଆଖିରୁ ଖାଲି ଧାର ଧାର ହୋଇ ଆନନ୍ଦର ଲୁହ ନିଗିଡି ପଡୁଥିଲା । ସେ ପ୍ରମିଳା କେବେ ବି ଚିନ୍ତା କରି ନଥିଲା, ତା’ ଭାଗ୍ୟରେ ପୁଣି ଦିନେ ଏଭଳି ସୌଭାଗ୍ୟ ଆସିବ । ସେ ସୈନିକ ମାଷ୍ଟରକୁ ବିବାହ କରି ପ୍ରମିଳା, ଘର ସଂସାର କରି ଅତି ସୁଖରେ ରହିଲା । ସାଧାରଣ ଜଣେ ଗାଆଁ ଚୌକିଦାର ନିଃସହାୟ ଝିଅ ପ୍ରତି ଏତେ ବଡ କର୍ତ୍ତବ୍ୟ କଲେ । ବାପର କର୍ତ୍ତବ୍ୟ କରି ସେ ଚରଣ ସିଂ ପ୍ରମିଳାକୁ ବିବାହ ଦେଲେ ଅଥଚ ପ୍ରମିଳାର ଅତି ଆପଣାର ରକ୍ତ ସମ୍ପର୍କୀୟ ମାଉସୀ ପ୍ରମିଳାକୁ ସାତ ପର କଲେ । ଶେଷରେ ସେ ଗାଆଁ ଚୌକିଦାରକୁ ସମସ୍ତେ ଧନ୍ୟ ଧନ୍ୟ କହିଲେ ।

କାଶୀନାଥ ପୁଅ ପ୍ରଭାକର

Rate the content


Originality
Flow
Language
Cover design

Comments

Post

Some text some message..