Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Dr. Diptiranjan Behera

Inspirational

3.3  

Dr. Diptiranjan Behera

Inspirational

ଅନୁଚିନ୍ତା - ୧

ଅନୁଚିନ୍ତା - ୧

7 mins
7.4K


ବହୁତ ଦିନ ପରେ ମୁଁ ଗାଁକୁ ଫେରିଥାଏ | ଖରାବେଳେ ଖାଇ ସାରିବା ପରେ ବାହାର ଘର ଚାଳିଆ ତଳେ ସଉପଟା ପକେଇ ଟିକେ ଗଡ଼ପଡ଼ ହେବା ସମୟରେ ଦେଖିବାକୁ ପାଇଲି କି ଦୂରରୁ ଜଣେ ଚଷମା ପିନ୍ଧା ଭଦ୍ର ମହିଳା ଆମ ଘର ଆଗ ରେ ଯାଇଥିବା ଗଳି ଦେଇ କୁଆଡେ ତରଭରିଆ ଭାବରେ ଚାଲିଯିବାକୁ ଚେଷ୍ଟା କରୁଛନ୍ତି | ହଠାତ ତାଙ୍କ ନଜର ମୋ ଉପରେ ପଡିଯିବାରୁ କେବେ ଆସିଛୁ ବୋଲି ପଚାରି ଦେଇ ଚାଲିଗଲେ | ବୋଧ ହୁଏ ବ୍ୟସ୍ତ ଥିବାରୁ ତାଙ୍କ ପ୍ରଶ୍ନର ଉତ୍ତର ଶୁଣିବା ଆଗରୁ ଚାଲିଯିବାକୁ ପଡିଲା ତାଙ୍କୁ | ମୋ ବୋଉ କିନ୍ତୁ ଏଇ କଥାକୁ ଘର ଭିତରୁ ନଜର କରୁଥିଲା | ଆଉ କହିବାକୁ ଲାଗିଲା ବୋଧ ହୁଏ ତା ନାତିଆ ଟୋକାକୁ ଦେଖି ଯିବାକୁ ବାହାରିଛି, ଗାଡି ସମୟ ହେଇ ଗଲାଣି ତ ସେଥିପାଇଁ ବୋଧେ ଚାଲିଗଲା | ଝିଅ ତାର କଟକରେ ବାହା ହେଇଛି ଏଇ ଦୁଇ ବର୍ଷ ହେଲା | ହଠାତ ମୋ ପାଟିରୁ ବାହାରି ଆସିଲା ଆଉ ତା ପୁଅ? ବୋଉ କହିବାକୁ ଲାଗିଲା ଏବେ ସେ ବଡ ହେଇ ଗଲାଣି ଆଉ କାମ ଧନ୍ଦା ବି କଲାଣି, ଏବେ ଗାଡି ଖଣ୍ଡେ କିଣିଛି | ଆଉ କିଛି ଦିନ ହେବ ତା ଜୁଆଁଇ ପୁଅ ତା ଆଖି ପରୀକ୍ଷା କରି ଗୋଟେ ଚଷମା ବି ଆଣିଦେଇଛି | ଯାହା ହଉ ବିଚାରିଟା ଏବେ ଟିକେ ଖୁସିରେ ଅଛି | ଏତିକି କହି ଦେଇ ବୋଉ ସେଠୁ ଚାଲିଗଲା |


ସମାନ୍ତରାଳ ଭାବେ ସେଦିନ ସନ୍ଧ୍ୟାରେ ଚା ଗିଲାସଟା ଓଠକୁ ନଉ ନଉ, ଲକ୍ଷ କରି ବୋଉ କୁ ପଚାରିଲି ଏଇ ଲୋକଟା କ’ଣ ଏଇ ବାଟେ ତିନି ଥର ଗଲାଣି | ବୋଉ କହିଲା ସଭା ବସୁଛି ଆମ ସମାଜର, ହେଲେ ଦଶ ଥର ନଡାକିଲେ କିଏ କଣ ସଭାରେ ପହଁଚୁଛି | ହେଲେ ଏଇ ଗୋଟିଏ ଲୋକ କାହିଁକି ସମସ୍ତଙ୍କୁ ଘରେ ଯାଇ ବାର ବାର ଡାକୁଛି ବୋଲି ମୁଁ ପଚାରିଲି | ବୋଉ କହିବାକୁ ଲାଗିଲା, ତାକୁ ଆଉ ତା ଘର ଲୋକଙ୍କୁ ଜାତି ବାଲା ବାଛନ୍ଦ ରଖିଛନ୍ତି ପରା | ତେଣୁ ବହୁତ ଥର ଜାତି ବାଲାଙ୍କୁ ବସେଇଲାଣି ଏକାଠି କରି | ହେଲେ ତା କଥା କେହି ବୁଝୁ ନାହାନ୍ତି କି ଶୁଣୁ ନାହାନ୍ତି | କହୁଛନ୍ତି ଭୁଲ କଲା ବେଳେ କ’ଣ ଆମ ସମସ୍ତଙ୍କୁ ପଚାରି କି କରିଥିଲୁ, ତ ଏବେ କାହିଁକି ଆମକୁ ପଚାରୁଛୁ | ଏମିତି କହି ସଭାରୁ ଉଠି ଯାଉଛନ୍ତି | ବିଚରାଟା ବଡ କଷ୍ଟ ପାଇଲାଣି | ଆଗକୁ ତା ଝିଅ ବାହାଘର ନା ସେଥିପାଇଁ ବଡ ବ୍ୟସ୍ତ ହଉଛି | ହେଲେ ଯଦି ଆଜି ସଭା ହବ କେଜାଣି କ’ଣ କରିବେ | ସମସ୍ତଙ୍କଠୁ ପଇସା ନେଇ ମିସଉଛନ୍ତି ଯିଏ ଯାହା କଲା, ଆଉ ଆକୁ କହୁଛନ୍ତି ବାଟ ନାହିଁ | ମାଧିଆ ପୁଅଟା କୋଠ ଘରୁ ଧାନ ଚୋରି କରିଥିଲା ଯେ ତାକୁ ୨୧୦୦୦/- ଟଙ୍କା ଜୋରିମାନା କଲେ ଆଉ ଅଲଗା ରଖିଲେ ଜାତିରୁ | ଏଇ କିଛି ଦିନ ହେବ ବଡ କାକୁତି ମିନତି ହେଇ କି କହିବାରୁ ମିସେଇଛନ୍ତି ଜାତିରେ ଶେଷରେ ୧୫୦୦୦/- ଟଙ୍କା ଜୋରିମାନା ନେଇକି | ଏମିତି ଯିଏ ଯାହା ଭୁଲ କରୁଛି ଟଙ୍କା ନେଇ ମିସଉଛନ୍ତି | ଆଉ କାହାକୁ ପୁଣି ହଇରାଣ କରୁଛନ୍ତି | ବୋଉ କହିଲା ବେଳେ ମୁଁ ଯେମିତି ଆଖି ସାମ୍ନାରେ ଦେଖି ପାରୁଥିଲି, ଅନୁଭବ କରିଥିବା ପ୍ରତିଟି ମୁହୂର୍ତ୍ତ ଜାତି ନୀତି କଥା କୁ ନେଇ ମୋ ସମାଜର |


ଏତିକି ବେଳେ କେହି ଜଣେ ଅସଭ୍ୟ ଭାଷାରେ ଗାଳି ଗୁଲଜ କରୁଥିବାର ସୁଭିବାକୁ ମିଳିଲା | ଭାଷା ଗୁଡିକ ଅସ୍ପଷ୍ଟ ଥିଲା ଆଉ ଏତିକି ବେଳକୁ ବୋଉ କହିବାକୁ ଲାଗିଲା ସବୁ ଦିନ ଭଳି ଆଜି ବି ଆରମ୍ଭ ହେଇଗଲା ତାର | ଯେତେ ଯିଏ ତାକୁ ବୁଝେଇଲେ କଣ ମାନୁଛି ସିଏ ନା ମଦ ଛାଡ଼ୁଛି | ତା ପିଲା ଗୁଡା ବଡ ହେଲେଣି, ବେଳେ ବେଳେ ମାଡ ବି ଦେଉଛନ୍ତି ହେଲେ ସେତ ସୁଧୁରିବାର ନା ଧରୁନି | ଏଇ ସବୁ ଭିତରେ ସନ୍ଧ୍ୟା ସମୟ ଗାଡିବାକୁ ଲାଗିଥିଲା | ବୋଉ ହଠାତ ମୋ ପାଖରୁ ଉଠି ଯାଇ ସନ୍ଧ୍ୟା ଆଳତି ଦେବାପାଇଁ ପ୍ରସ୍ତୁତି ଆରମ୍ଭ କରୁଥାଏ | କିନ୍ତୁ ମୋ ମନ ଭିତର କେମିତି କାହିଁକି ଅସ୍ତବ୍ୟସ୍ତ ହେଉଥାଏ | ମନକୁ ମନ ମୋ ଭିତରେ ଅନେକ ଗୁଡିଏ ପ୍ରଶ୍ନବାଚୀ ସୃଷ୍ଟି ହେଉଥିଲା | ଉତ୍ତର ଖୋଜିବାକୁ ଯାଇ ନିରାଶ ହେବାକୁ ପଡୁଥିଲା ବାର ବାର | ଜାଣିବାକୁ ଇଛା ହେଉଥିଲା ଭୁଲ କାହାର |


ଭାବୁଥିଲି, ସକାଳେ ଦେଖା ହୋଇଥିବା ଚଷମା ପିନ୍ଧା ଭଦ୍ର ମହିଳା ଜଣକ ବୟସର ଅପରାହ୍ନରେ ହୁଏତ ଟିକେ ଖୁସି ସାଉଁଟିବାକୁ ଚେଷ୍ଟା କରୁଛନ୍ତି ନିଜ ନାତି, ଝିଅ, ଜୁଆଁଇ ଆଉ ପୁଅକୁ ନେଇ | ହେଲେ ଆମେ ଯଦି ଫେରିଯିବା ତାଙ୍କ ଜୀବନର ପୂର୍ବାହ୍ନକୁ ତାହାଲେ ଆମେ ସମସ୍ତେ ଭୁଲିଯାଇ ଥିବା ଏକ ନିରାଟ ନିଷ୍ଠୁର ସତ୍ୟକୁ ଖୋଜି ପାଇବା | ବାହାଘରର ମାତ୍ର ୪ ବର୍ଷ ଭିତରେ ବାସନ୍ତୀ ନାନୀ ସାଜି ଥାଏ ୨ଟି ପିଲାର ମା’ | ବୋଧ ହୁଏ ସେତବେଳକୁ ତାକୁ ୨୭ କି ୨୮ ବର୍ଷ ବୟସ ହୋଇଥିବ | ହଠାତ ଏକ ଅଜଣା ରୋଗରେ ଆର ପାରିକୁ ଚାଲିଗଲେ ତାଙ୍କ ଈହ ଏବଂ ପର କାଳର ଦେବତା | ସାତ ଜନ୍ମକୁ ସାଥି ହୋଇ ରହିବା ପାଇଁ ପ୍ରତିଶୃତି ବଦ୍ଧ ନିଜର ମଣିଷ ଟା ଯେତେ ବେଳେ ଜୀବନର ଚଲା ପଥକୁ ଅତିକ୍ରମ କରିବାର ପ୍ରାରବ୍ଧରେ ଆର ପାରିକୁ ଚାଲିଯାଏ, ୩୦ ବର୍ଷ ତଳେ ନୂଆ କରି ଆସିଥିବା ଝିଅ ଟିର ଅବସ୍ଥା ଯେ କ’ଣ ହେଉଥିବ ଭାବିଲା ବେଳକୁ ଲୋମ ଟାଙ୍କୁରି ଉଠୁଛି | ହେଲେ ଅଦିନିଆ ଝଡକୁ ଖାତିରି ନକରି ବଢି ଚାଲିଛି ବାସନ୍ତୀ ନାନୀ | ହାରି ନଯାଇ ଠିଆ ହୋଇଛି ଏକା ଏକା | ନିଜକୁ ସମ୍ଭାଳି ବାଟ ଚାଲିଛି | ଟାହି ଟାପରାକୁ ଖାତିରି ନକରି ନିଜର ଶେଷ ସମ୍ବଳ ନିଜ ମା ଦେଇଥିବା ସୁନା ହାରଟିକୁ ବନ୍ଧକ ରଖି ୨ଟି ଛେଳି କିଣି ପାଳିବା ଆରମ୍ଭ କରିଛି | ସବୁ ଦିନ ସକାଳୁ ସକାଳୁ ଛେଳି ଚରେଇବାକୁ ଦି’ ଦି’ଟି ଛୁଆଙ୍କୁ ସାଙ୍ଗରେ ନେଇ ଯାଏ | ଖୁଦ ଚାଉଳ ଯେତେ ବେଳେ ଯାହା ମିଳେ ତାକୁ ଖାଇ ଦେଇ ପାଣି ପି ଶୋଇପଡେ | ନିଜ ସ୍ୱାମୀଙ୍କର ପୈତୃକ ସମ୍ପତି ବୋଲି କିଛି ଜମି ଥାଏ | ତାକୁ ନିଜେ ନିଜେ ଚାଷ କରେ | ପ୍ରତିଦିନ ରାତ୍ରି ସମୟରେ ଗାଁ ମୁରବିଙ୍କ ଘରେ ରୋଷେଇ କରିବାର କାମ ବି ମୁଣ୍ଡକୁ ନେଇଥାଏ | ୩୦ ବର୍ଷ ବିତି ଯାଇଥିଲେ ମଧ୍ୟ କାହା ଆଗରେ ହାତ ପାତିନି ଆଜି ପର୍ଯ୍ୟନ୍ତ ସେ | ଆଜି ସମୟରେ ତା ପାଖରେ ୬୦ ରୁ ୭୦ ଛେଳି ଅଛନ୍ତି | ଦୁଇ କି ତିନି ମାସରେ ଗୋଟେ ଗୋଟେ ବିକ୍ରି କରେ | ପିଲାମାନେ ବି ବଡ ହେଇଗଲେଣି ତା ପୁଅ କାମ ଧନ୍ଦା କରୁଛି | ଝିଅକୁ ବି ବାହା କରିଛି | ସମାଜର ମୁଖ୍ୟ ସ୍ରୋତରେ ନିଜକୁ ନିଜେ ସାମିଲ କରିଛି |


ଏଇ ସମୟରେ ବୋଉ ସନ୍ଧ୍ୟା ଆଳତି ସାରିବା ପରେ ମୋ ପାଖକୁ ଆସି କହିବାକୁ ଲାଗିଲା ଆଗରୁ ଗାଁରେ ସେ ଶୁଣ୍ଡି ପିଲାଟା ମଦ ଆଣି ବିକୁଥିଲା | ହେଲେ ଗାଁରେ ଏବେ ଦି ଦିଟା ଦେଶୀ ମଦ ଭାଟି | ଆଉ ଜଙ୍ଗଲ ରାସ୍ତା ଆଡକୁ ଗୋଟେ ବିଦେଶୀ ମଦ ଦୋକାନ | ଏଇ ମଦ ପିଇକି ଆଜି କାଲି କ’ଣ କିଏ ମଣିଷ ଭଳିଆ ହଉଛନ୍ତି | ଭେଣ୍ଡାରୁ ବୁଢ଼ା ସମସ୍ତେ ପିଇକି ଉଳୁକୁମତା ହଉଛନ୍ତି | ବୋଉ କହିବାକୁ ଲାଗିଲା ମଦ ନ ପିଇଥିବା ବେଳେ ଭାରି ସୁନା ପିଲାଟା, ଯିଏ ଟିକେ ଆଗରୁ ଗାଳିଗୁଲଜ କରୁଥିଲା | ବୋଉ ବାହା ହେଇ ଆସିବା ବର୍ଷ ମାଟ୍ରିକ ପରୀକ୍ଷା ଦେଇଥିଲା ପବିତ୍ର ଓରଫ ପବନି | ହେଲେ ଧୀରେ ଧୀରେ ମଦ ନିଶାରେ ପଡି ବିଗିଡ଼ିଗଲା |


ଏତେ ବେଳକୁ ସଭା ଆରମ୍ଭ ଆରମ୍ଭ ହଉଥାଏ | ଏବେ ଯାଏଁ ବି ମୁରବିଙ୍କ ସମେତ ଆଉ କିଛି ଭଦ୍ର ବ୍ୟକ୍ତି ସଭାକୁ ଆସିନଥାନ୍ତି | ସେଥିଲାଗି ସଭା କାର୍ଯ୍ୟ ସମ୍ଭବତଃ ଡେରିରେ ଆରମ୍ଭ କିମ୍ବା ନହେଲା ଭଳିଆ ଲାଗୁଥାଏ | କିଛି ଲୋକ କହିବାକୁ ଲାଗିଥାନ୍ତି ଆମେ ବି ଯାଉଛୁ ତାହାଲେ | ଯେତେ ବେଳେ ସମସ୍ତେ ଆସିବେ ଆମକୁ ଡାକିବୁ | ରତନାଟା କାନ୍ଦୁଣୁ ମାନ୍ଦୁଣୁ ହେଇ ତଳେ ନମଦଣ୍ଡ ହେଇ ଯାଉଥାଏ | କାକୁତି ମିନତି ହେଇ ନଯିବା ପାଇଁ ଅନୁରୋଧ କରୁଥାଏ | ଭୁଲ ହେଇଛି ଭୁଲ ହେଇଛି ବୋଲି ମିନତି କରୁଥାଏ | ଏତିକି ବେଳକୁ ମୁରବି ସଭାରେ ପହଁଟିଲେ | ସାଙ୍ଗେ ସାଙ୍ଗେ ମୁରବି କହିବାକୁ ଲାଗିଲେ କୋଉ ଭାଇ ମାନେ ଆସି ନାହାନ୍ତି? ବସିଥିବା ଲୋକ ମାନଙ୍କ ମଧ୍ୟରୁ ଜଣେ କହିବାକୁ ଲାଗିଲା ଦି ଘର ଭାଇ ଆସିନାହାନ୍ତି | ଏଇ ସମୟରେ ଆଉ ଜଣେ ଭାଇ କହିବାକୁ ଲାଗିଲା ଠିକରେ ଡାକିନି ବୋଧେ | ସବୁ ଶୁଣିବା ପରେ ରତନା କହିବାକୁ ଲାଗିଲା ଆଜ୍ଞା ସକାଳେ କହିଥିଲି, ଏବେ ଦି ଥର ଡାକିକି ଆସିଛି କହିଲେ ଟିକେ ଡେରିରେ ଆସିବେ | ମୁରବି ତାପରେ କହିବା କୁ ଲାଗିଲେ କଣ ଭାଇ ମାନେ ଆପଣ ମାନଙ୍କ ନିଷ୍ପତି କ’ଣ ? ଏତିକି ବେଳେ ଜଣେ ଭଦ୍ର ବ୍ୟକ୍ତି ଅପାଠୁଆ ହେଲେ ବି କହିବାକୁ ଲାଗିଲେ ତୁମ ପିଲା ଯାହା କଲା ସେଇଟାକୁ ତୁମେ ପ୍ରସୟ ଦେଇ ଯାହା କଲ କ’ଣ ଠିକ କଲ | ଆଉ ଜଣେ କହିବାକୁ ଲାଗିଲା ତୁମେ ଜାତି ଭାଇ ସହିତ ଚଳିବ ନା ନିଜ ପିଲାକୁ ନେଇ ଚଳିବାର ଅଛି ସ୍ପଷ୍ଟ କର | ରତନାଟା ଦି’ ଆଡୁ ଫସି ଥାଏ | ନା ପୁଅକୁ ଛାଡି ପାରିବ ନା ଜାତି କି ଛାଡିବାର ଭୁଲ କରି ପାରିବ, ଯେହେତୁ ଝିଅ ବାହାଘରଟା ମୁଣ୍ଡ ଉପରେ | ଜାତି ନୀତି ଖୋଜା ହବ ବାହାଘର ସମୟରେ | ଖାଲି ଭୁଲ ହେଇଛି କ୍ଷମା କରନ୍ତୁ କହି ମୁଣ୍ଡିଆ ମାରି ଚାଲିଥାଏ | ଏଇ ସବୁ ବିଷୟ ଗୁଡିକୁ କୋଠଘର ର ପାଚେରୀ ପାଖରୁ କିଛି ମହିଳା ଆଉ ଛୁଆ ଲକ୍ଷ କରିବା ସହିତ କାନ ଡେରି ଶୁଣୁ ଥାନ୍ତି | ସେମାନଙ୍କ ଭିତରେ କୌତୁହଳ ସୃଷ୍ଟି ହେଉଥିବାର ଲକ୍ଷ କଲି | ସଭାକୁ କେବଳ ଘରର ମୁରବି ତଥା ପୁରୁଷ ମୁଖ୍ୟ ହିଁ ଯାଇପାରିବେ ସେଥି ଲାଗି ବୋଧେ ଏଇ କୌତୁହଳ ପାଚେରୀ ଏପାଖରେ ଜାଣିବାକୁ ପାଇଲି | ଦୀର୍ଘ ସମୟ ଆଲୋଚନା ପରେ ୨୫୦୦୦ ଟଙ୍କାରେ କଥା ଶେଷ ହେଲା | ରତନା କହୁଥାଏ ଗରିବ ଲୋକ କୋଉଠୁ ଏତେ ପଇସା ଆଣିବି, ଆଜ୍ଞା କ୍ଷମା କରନ୍ତୁ | ଶେଷକୁ ସେଇ ୨୦୦୦୦ ଟଙ୍କାରେ କଥା ଛିଡା ହେଲା | ଭୁଲ ରତନାର ଏଇଆ ଥିଲା କି ଯୌବନରେ ନୂଆ କରି ପାଦ ଦେଇଥିବା ତା ପୁଅ ପଡିଶା ଘର ଝିଅକୁ ଏକ ପ୍ରେମ ପତ୍ର ପ୍ରଦାନ କରିଥିଲା, ଯାହାକି ଝିଅଟିର ବାପାଙ୍କ ହସ୍ତଗତ ହୋଇଛି | ତେଣୁ ସାତ ମାସ ହେଲା ଏଇ ସବୁ ନାଟ | ସଭା ଶେଷ ବେଳକୁ ସମୟ ସୀମା ମଧ୍ୟ ଧାର୍ଯ୍ୟ କରାଗଲା ଜୋରିମାନା ପୈଠ କରିବାର ନହଲେ ପୁଣି ବାଛନ୍ଦ | ଏସବୁକୁ ଲକ୍ଷ୍ୟ କଲାବେଳକୁ ଯେମିତି ଲାଗୁଥିଲା ମଣିଷ ସମାଜ ଯେମିତି ଅର୍ଥ ସର୍ବସ୍ଵ ପାଲଟି ଯାଇଛି | ପିଲାଟିକୁ ପ୍ରକୃତ ତଥା ଉଚିତ ଶିକ୍ଷା, କିମ୍ବା ଠିକ ରାସ୍ତା ଦେଖାଇବା ପରିବର୍ତ୍ତେ ତାର ଭୁଲ କୁ ଟଙ୍କା ସହ ତୁଳନା କରାଯାଇ ଭୁଲ କରିବା ପାଇଁ ପ୍ରୋତ୍ସାହନ ର ମାର୍ଗ ତିଆରି କରାଯାଉଥିବା ଭଳି ହୃଦବୋଧ ହେଲା |


ଏଇ ସବୁ ଭିତରେ କେମିତି କାହିଁକି ନିଜକୁ ଅଣନିଶ୍ଵାସୀ ଲାଗୁଥିଲା | ସମାଜ ଭିତରେ ରହି ସାମାଜିକ ଚାଲି ଚଳଣିକୁ ଗୁରୁତ୍ତ୍ୱ ଦେବା କର୍ତ୍ତବ୍ୟ ହେଲେ ବି, ପରିବର୍ତ୍ତିତ ସମୟ ସହ ତାଳ ଦେଇ ତଥାକଥିତ ବିଧି ବ୍ୟବସ୍ତାକୁ ବି ବଦଳିବାକୁ ପଡିବ ବୋଲି ଅନୁଭବ ହେଲା | ମନେ ହେଉଥିଲା ପିଲାଟିର ଭୁଲ ପାଇଁ ଯଦି ସମାଜ ଏତେ ତତ୍ପର ତାହାଲେ ସମାଜ କରୁଥିବା ଭୁଲ ପାଇଁ ତତ୍ପର ହେବ ଆମ ମାନଙ୍କର କର୍ତ୍ତବ୍ୟ ନୁହେଁ କି? ମନରେ ସ୍ଵତଃ ପ୍ରଶ୍ନ ଆସୁଥିଲା ଯେତେ ବେଳେ ବାସନ୍ତୀ ନାନୀ ନିଜ କୁ ନିଜେ ସମାଜ ର ମୁଖ୍ୟ ସ୍ରୋତରେ ସାମିଲ କରିବାକୁ କଷ୍ଟ କରୁଥିଲା, ଯେତେ ବେଳେ ଓଳିଏ ଖାଇ ଓଳିଏ ଉପାସ ରହୁଥିଲା, ବଞ୍ଚିବା ପାଇଁ ସଂଘର୍ଷ କରୁଥିଲା ସେତେ ବେଳେ କଣ ଏଇ ସମାଜ ତାର କର୍ତ୍ତବ୍ୟ ଭୁଲିଯାଇନଥିଲା କି? ସବୁ ଦେଖି ଜାଣି ନଜାଣିବାର ଅଭିନୟ କରୁନଥିଲା କି ? ଯଦି ସେତେ ବେଳେ ସମାଜ ର ହାତ ତା ଭଳି ଲୋକ ମାନଙ୍କ ପାଇଁ ପାଇଁ ଲମ୍ବି ଅସିଥାନ୍ତା ତାହାଲେ ଆଜିର ସମାଜରେ ବାସନ୍ତୀ ନାନୀ ଭଳି କେତେ ଯେ ନୀରିହା, ପୀଡିତା, ମା, ଭଉଣୀ ମାନେ ଖୁସିରେ ଜୀବନ ଅତିବାହିତ କରୁନଥାନ୍ତେ ସତରେ | ଯଦି ସମାଜ ତାର କର୍ତ୍ତବ୍ୟ ଠିକରେ ପରିଚାଳନା କରୁଥାନ୍ତା ହୁଏତ ଆଜି କେତେ ଯେ ପବିତ୍ର ଆଉ ମଦ ନିଶା ରେ ନିଜକୁ ନଷ୍ଟ କରୁନଥାନ୍ତେ | ଯୁବକ ସମାଜ ଆଜି ମଦ ସମୁଦ୍ରରେ ନିଜକୁ ଡୁବେଇ ରଖି ନଥାନ୍ତା | ଛତୁ ଫୁଟା ମଦ ଦୋକାନ ଗାଁ ଗହଳିରେ ନଥାନ୍ତା | ଆମ ମାନଙ୍କୁ ତଥା ସମାଜକୁ ଏକ ଜୁଟ ହୋଇ ଶିକ୍ଷା, ସ୍ଵାସ୍ଥ୍ୟ, ପରିବହନ, କୃଷି, ସୁରକ୍ଷା, ଭାଇଚାରା, ଆଦି କଥା ବିଷୟରେ ପୁଂଖାନୁ ପୁଙ୍ଖ ଆଲୋଚନା କରି ପ୍ରକୃତ ସମସ୍ୟାର ସମାଧାନ କରି ସମସ୍ତଙ୍କୁ ସମୃଦ୍ଧ କରିବାକୁ ପଡିବ | ନା କି ରତନା ପୁଅ ଭଳି ସମସ୍ୟା ଓ ଧାନ ଚୋରି ଭଳି ସମସ୍ୟା ଇତ୍ୟାଦିର ସମାଧାନ ବର୍ଷ ବର୍ଷ ପାରମ୍ପରିକ ପଦ୍ଧତିରେ ସମାଧାନ କରିଚାଲିଥିବା |


Rate this content
Log in

Similar oriya story from Inspirational