Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Santosh Kumar Misra

Others

0.2  

Santosh Kumar Misra

Others

ଅନୁଭୂତି–୧୦(ବଡ ଘର ବଡ ଗୁମର କଥା)

ଅନୁଭୂତି–୧୦(ବଡ ଘର ବଡ ଗୁମର କଥା)

4 mins
800


ଚାକିରୀ ଜୀବନର କଥାଟିଏ ମନେ ପଡୁଛି। ଆଜିକାଲି ସାହିତ୍ୟରେ ବ୍ୟଭିଚାର ଓ ଭବିଷ୍ୟତକୁ ନେଇ ଅନେକ ରୋଚକ ମତାମତ ପଢିଲା ପରେ ମୋର ଏହି ଅନୁଭୂତି ଯେ ସେହି ସବୁ ଆଲୋଚ୍ୟ ବିଷୟ ସହିତ ଅନେକ ମାତ୍ରାରେ ମେଳ ଖାଉଛି ଏଥିରେ ମୁଁ ନିଶ୍ଚିତ ହେଉଛି। ମୁଁ ଆଗ ଆଗ ଅନ୍ୟ ଲେଖକ ମାନଙ୍କ ପରି ମୋର ଲେଖାଟିକୁ କୌଣସି ପତ୍ର ପତ୍ରିକାରେ ଛାପିବାରେ ଅନେକ ଆଗ୍ରହ ପ୍ରକାଶ କରୁଥିଲି। ମୋର ଲେଖାକୁ ନିଜ ପତ୍ରିକାରେ ଛାପି ମୋର ଉତ୍ସାହ ବଢେଇଥିବା ଜଣେ ଗୁରୁତୂଲ୍ୟ ପ୍ରାକ୍ତନ ସଂପାଦକ ଏବେ ଆମ ଗହଣରେ ନାହାନ୍ତି। ମୁଁ ତାଙ୍କୁ ପ୍ରଣାମ କରୁଛି। ସେତେବେଳେ ମୋର ଲେଖା ପ୍ରକାଶିତ ହେଲେ ମୁଁ ଖୁସି ହେଉଥିଲି। କିନ୍ତୁ ମୋର ଚାକିରୀ କ୍ଷେତ୍ରରେ ମୋର ସହକର୍ମୀ ବନ୍ଧୁମାନେ ମୁଁ ଯେ ସେହି ଲେଖକ ହୋଇଥିବି ତାକୁ ଗ୍ରହଣ କରି ପାରୁନଥିଲେ ବରଂ ସେମାନେ ମୋତେ ଥଟ୍ଟା ଟାପରା କରି ଅନେକ କଥା ଶୁଣାନ୍ତି। ଏପରିକି ତାଚ୍ଛଲ୍ୟରେ ଅନେକ କଟୁ କଥା ମଧ୍ୟ କୁହନ୍ତି। କିନ୍ତୁ ସବୁ ସତ୍ତ୍ବେ ମୋର ଜଣେ ଘନିଷ୍ଠ ବନ୍ଧୁ ମୋତେ କ୍ରମାଗତ ଉତ୍ସାହିତ କରୁଥାଆନ୍ତି।

କିଛିଦିନ ପରେ ସେହି ସହରରେ ସେତେବେଳକାର ଗୋଟିଏ ସାହିତ୍ୟ ପତ୍ରିକା ତରଫରୁ ସମସାମୟିକ ଲେଖକ ମାନଙ୍କୁ ନେଇ ଏକ ଲେଖକ ସମ୍ମିଳନୀର ଆୟୋଜନ କରାଗଲା ଏବଂ ସମ୍ମିଳନୀ ଆରମ୍ଭର ଠିକ୍‌ ପୂର୍ବରୁ ଉକ୍ତ ପତ୍ରିକାର ସଂପାଦକ ଆୟୋଜକଙ୍କୁ ମୁଁ ସଭାକୁ ଆସିଛି କି ନାହିଁ ପଚାରିଲେ ଓ ନଆସିପାରିଥିଲେ ମୋତେ ନେଇ ଆସିବାକୁ ଅନୁରୋଧ କଲେ। ସଭାର ଆୟୋଜକ କିନ୍ତୁ ବିଶ୍ବାସ କରିପାରୁନଥିଲେ କି ମୁଁ ସେହି ଲୋକ ଯାହାକୁ ସଂପାଦକ ମହୋଦୟ ସାଙ୍ଗରେ ନେଇ ଆସିବାକୁ ଅନୁରୋଧ କଲେ। ଆୟୋଜକ ମୋତେ ସାଧାରଣ ଭଦ୍ରତା ଦୃଷ୍ଟିରୁ ମଧ୍ୟ ଖଣ୍ଡେ ନିମନ୍ତ୍ରଣ ପତ୍ର ଦେଇ ନଥିଲେ ଯଦିଓ ଅନ୍ୟ ସମସ୍ତ ଲେଖକ ଅଲେଖକଙ୍କୁ ସେ ବ୍ୟକ୍ତିଗତ ଭାବରେ ସଭାକୁ ଆସିବାପାଇଁ ଅନୁରୋଧ କରିଥିଲେ। ଯାହା ବି ହେଉ ଆୟୋଜକମାନେ ଆସି ମୋତେ ସଂପାଦକଙ୍କର ଅନୁରୋଧ ଜଣାଇବାପରେ ମୁଁ ସଭାକୁ ଗଲି। ସେତେବେଳକୁ ସଂପାଦକ ମହୋଦୟଙ୍କ ପାଖରେ ବସିବା ଲାଗି ମୋ ପାଇଁ ଏକ ଚୌକି ନିର୍ଦ୍ଦିଷ୍ଟ ହେଇସାରିଥାଏ। ମୋତେ ସେଠାରେ ବସିବା ଦେଖି ଅନ୍ୟ କିଛି ମୋର ସହକର୍ମୀ ଅଧିକାରୀ ଟୁପୁରୁଟାପର ହେଲେ। ମୋ କାନରେ ସବୁ ପଡୁଥାଏ। ଅନ୍ୟ ଭାଷାରେ ମୁଁ ଶୁଣି ପାରିଲା ଭଳି ହିଁ ସେମାନେ କଥା ହେଉଥିଲେ। ସେଥିରେ ଆଶ୍ଚର୍ଯ୍ୟାନ୍ବିତ ହେବାର ଆଭାସ ଥିଲା, ଇର୍ଷା ଥିଲା, ଅନେକ ନାକଟେକା ବି ଥିଲା । ମୁଁ କିନ୍ତୁ ଚୁପ ରହିଲି। ସଭା ଆରମ୍ଭ ହେଲା।

ସଭାରେ ମୂଖ୍ୟ ଅତିଥି ଥିଲେ ସେଠାକାର ଜିଲ୍ଲାପାଳ। ସେ ମୋତେ ଭଲ ଭାବରେ ଜାଣିଥିଲେ କାରଣ ମୁଁ ତାଙ୍କର ପୂର୍ବ ନିଯୁକ୍ତି ସ୍ଥାନରେ ତାଙ୍କର ସହକାରୀ ଭାବେ କାମ କରି ସାରିଥିଲି। ତଥାପି ସେ ମଧ୍ୟ ଜାଣି ନଥିଲେ କି ମୁଁ କେବେ କେମିତି କ୍ଷୁଦ୍ର ଗଳ୍ପ କି କବିତା ଲେଖା ଲେଖି କରେ । ଏବେ କିନ୍ତୁ ଘଟଣା କ୍ରମ ଭିନ୍ନ । କନିଷ୍ଠ ଅଧିକାରୀ ମାନେ ବରିଷ୍ଠଙ୍କୁ ଖୁସି କରେଇବା ପାଇଁ ବା ନିଜ ସରହଦ ଭିତରେ ନିଜର ଏକ ଭିନ୍ନ ପରିଚୟ ସୃଷ୍ଟି କରିବା ପାଇଁ ନିଜକୁ ନିଜେ ଲେଖକ ଭାବରେ ପ୍ରକ୍ଷେପିତ କରିବାକୁ ବିଶେଷ ଆଗ୍ରହି ଏବଂ ସେଥିପାଇଁ ଭିନ୍ନ ଭିନ୍ନ ଚେଷ୍ଟାର ପ୍ରତିଯୋଗୀତା ମଧ୍ୟ ଚାଲୁଛି। ସେହି ବିବର୍ତ୍ତନ ସାହିତ୍ୟ କୁ ଯେ କେତେ ଆଗକୁ ନେଲାଣି ବା ନେଉଛି ବା ସମୃଦ୍ଧ କରୁଛି ସେ କଥା ଅନ୍ୟ ଏକ ଭିନ୍ନ ଉପାଖ୍ୟାନ। ସଭାରେ ସଂପାଦକ ମହୋଦୟ ତାଙ୍କ ଭାଷଣରେ ମୋ ବିଷୟ ଉଲ୍ଲେଖ କଲାପରେ ଜିଲ୍ଲାପାଳ ମଧ୍ୟ ଆଶ୍ଚର୍ଯ୍ୟ ହେଲେ। କବି ଭାବରେ ନିଜର ଡିଣ୍ଡିମ ପିଟୁଥିବା ମୋର ଜଣେ ସହକର୍ମୀ ବନ୍ଧୁ ଶ୍ରୀଯୁକ୍ତ ଅମୁକ ( ଛଦ୍ମ ନାମ ) କିନ୍ତୁ ଘଟଣାଟିକୁ ସହଜରେ ହଜମ କରି ପାରିଲେ ନାହିଁ। ସେ ଖାଲି ରକ୍ତ ଚାଉଳ ଚୋବେଇବାକୁ ଲାଗିଲେ। କିନ୍ତୁ ସେଠାକାର ପରିବେଶ ଯାହା ଥିଲା ସେ ଚୁପ୍‌ ରହିବାକୁ ବାଧ୍ୟ ଥିଲେ। ପର ଦିନ ଅଫିସ୍‌ ଖୋଲିବା ପରେ ଦେଖାଗଲା ସେ ତାଙ୍କ ରଚିତ କିଛି ବହି ଓ ସେ ପୁରସ୍କାର ପାଇଥିବା ତଥା ସମ୍ମାନିତ ହୋଇଥିବା ବେଳର କିଛି ଫଟୋ ଧରି ଜିଲ୍ଲାପାଳଙ୍କ ଆବାସିକ ଅଫିସ୍‌ ରେ ହାଜର । ଜିଲ୍ଲାପାଳଙ୍କୁ ସେ ବୋଧେ ସୂଚିତ କରିବାକୁ ଚାହୁଁଥିଲେ କି ସେ ମୋ ଅପେକ୍ଷା ଜଣେ ଉଚ୍ଚମାନର କବି ବା ଲେଖକ। ତାଙ୍କର ଜିଲ୍ଲାପାଳଙ୍କ ସହିତ ଆଲୋଚନା ଚାଲୁଥିବା ସମୟରେ ଜିଲ୍ଲାପାଳଙ୍କର ଡାକରା ପାଇ ମୁଁ ମଧ୍ୟ ହାଜର ହେଲି। ଜିଲ୍ଲାପାଳ ଔପଚାରିକ ଭାବରେ ତାଙ୍କୁ ପ୍ରଶଂସା କଲେ ଓ କିଛି କାମ ବରାଦ କରି ତାଙ୍କୁ ଯିବାକୁ କହିଲେ। ପରେ ପରେ ମୁଁ ଅନୁଭବ କଲି ଜିଲ୍ଲାପାଳ ତାଙ୍କର ନିଜ ଡିଣ୍ଡିମ ପିଟାରେ ହୁଏତ ଖୁସି ନଥିଲେ। ମୋ କାମ ସାରି ମୁଁ ମଧ୍ୟ ଫେରି ଆସିଲି।

କିଛିଦିନ ଗଡିଗଲା। ଦିନେ ମୁଁ ଅଫିସ୍‌ କାମରେ ଆମ ସଦର ମହକୁମାରୁ ଟିକିଏ ଦୂରକୁ ଯାଇଥାଏ। ଖବର ପହଞ୍ଚିଲା ତୁରନ୍ତ ଜିଲ୍ଲାପାଳଙ୍କୁ ଦେଖା କରିବାକୁ ପଡିବ। ମୁଁ ଫେରିଆସି ଜିଲ୍ଲାପାଳଙ୍କୁ ସାକ୍ଷାତ କରିବାକୁ ଗଲା ବେଳକୁ ସମସ୍ତଙ୍କର ନଜର ମୋ ଉପରେ ଥାଏ । ମୋର ମନରେ ଛନକା ପସିଲା। ତଥାପି ମୁଁ ଜିଲ୍ଲାପାଳଙ୍କର ପ୍ରକୋଷ୍ଠ ଭିତରେ ପସିଲି। ମୋତେ ବସିବାକୁ କହି ଜିଲ୍ଲାପାଳ ଗୋଟିଏ ପୁରୁଣା ସମ୍ବାଦପତ୍ର ମୋ ହାତକୁ ବଢେଇଦେଲେ । ମୁଁ ସେଥିରେ ପ୍ରକାଶିତ ଫଟୋକୁ ଦେଖି ଅନୁମାନ କରିନେଲି ଯେ ସେହି ଅମୁକ ବାବୁ ( ଛଦ୍ମ ନାମ ) ପୂର୍ବଦିନ ସେହି ସମ୍ବାଦପତ୍ରଟି ନିଶ୍ଚୟ ଜିଲ୍ଲାପାଳଙ୍କୁ ଦେଇଥିଲେ। ଫୋଟୋଟିରେ ଦୁଇଟି ଭାଗ ସ୍ପଷ୍ଟ ଦିଶୁଥିଲା। ଗୋଟିଏ ହେଲା କୌଣସି ଏକ ସଭାରେ ସେ ନିଜେ ବେକରେ ଖଣ୍ଡେ ଉତ୍ତରୀୟ ପକେଇ ଜଣେ ବ୍ୟକ୍ତି ବିଶେଷଙ୍କ ଠାରୁ ଫୁଲତୋଡାଟିଏ ଗ୍ରହାଣ କରୁଛନ୍ତି ଓ ଅନ୍ୟଭାଗରେ ଉକ୍ତ ପ୍ରେକ୍ଷାଳୟରେ ବସିଥିବା ଦର୍ଶକ ମାନଙ୍କର ଚିତ୍ର। ମୁଁ ଜିଲ୍ଲାପାଳଙ୍କୁ କହିଲି ଅମୁକ ବାବୁ ଆମର ହୁଏତ କେଉଁ ଅନୁଷ୍ଠାନରେ ସମ୍ବର୍ଦ୍ଧିତ ହେଉଛନ୍ତି । ଜିଲ୍ଲାପାଳ ଜାଣିବାକୁ ଚାହିଁଲେ ସେଇଟି କେଉଁସଭା ଯେଉଁଠି ପ୍ରେକ୍ଷାଳୟରେ ଆମମାନଙ୍କର ଉପସ୍ଥିତିରେ ସେ ସମ୍ବର୍ଦ୍ଧିତ ହେଲେ। ମୁଁ ଚୁପ୍‌ ରହିଲି କାରଣ ସେପରି କୌଣସି ସଭା ମୋର ମନେ ପଡୁନଥିଲା। ଦର୍ଶକ ମାନଙ୍କ ଗହଣରେ ପ୍ରେକ୍ଷାଳୟର ଆଗ ଧାଡିରେ ଆମେ କେତେଜଣ ଜିଲ୍ଲା ଅଧିକାରୀ ଜିଲ୍ଲାପାଳଙ୍କ ସହିତ ବସିବା ଫଟୋରୁ ସ୍ପଷ୍ଟ ହେଉଥିଲା। ପରେ ମନେ ପଡିଲା ଯେ ସେହି ଫଟୋଟି ଆମର ଏକ ଜିଲ୍ଲାସ୍ତରୀୟ ତାଲିମ ଶିବିର ଚାଲିଥିବା ସମୟର ଫଟୋ। ସେହି ଫଟୋଟି କିପରି ଏବଂ କେଉଁ ପରିସ୍ଥିତିରେ ଏଠି ଯୋଡିହେଲା ସେ ବିଷୟରେ ଜିଲ୍ଲାପାଳ ଖୋଳତାଡ ଆରମ୍ଭ କଲେ। ଯାହା ଜଣାପଡିଲା ସମସ୍ତଙ୍କ ମୁଣ୍ଡ ଗରମ କରିଦେଲା।

ଶ୍ରୀଯୁକ୍ତ ଅମୁକ ବାବୁ ଆମର ଏକ ସମ୍ବର୍ଦ୍ଧନା ସଭାର ଢାଞ୍ଚାରେ ଏକ ଫଟୋ ଉଠାଇଥିଲେ ସ୍ଥାନୀୟ ଏକ ଫଟୋ ଷ୍ଟୁଡିଓରେ ଯଦିଚ ବାସ୍ତବରେ ସେପରି କୌଣସି ସଭା ସହରରେ ଅନୁଷ୍ଠିତ ହୋଇନଥିଲା। ଫଟୋରେ ଯିଏ ତାଙ୍କୁ ସମ୍ବର୍ଦ୍ଧିତ କରୁଥିବାର ଦେଖାଯାଉଥିଲା ତାଙ୍କୁ ମଧ୍ୟ ସହରରେ କେହି ଜାଣି ନଥିଲେ। ସମ୍ବର୍ଦ୍ଧିତ କରୁଥିବା ଅନୁଷ୍ଠାନ ର ନାମ ଯାହା ଫଟୋରେ ଦୃଶ୍ୟମାନ ହେଉଥିଲା ବ୍ୟାନରରୁ ସେପରି ଆନୁଷ୍ଠାନ ବି ସହରରେ ନଥିଲା । ସବୁକିଛି ଏକ ମିଛିମିଛିକା ଖେଳ ଥିଲା। ଫଟୋ ଷ୍ଟୁଡିଓର ମାଲିକ ଭୁଲ କ୍ରମେ ସରକାରୀ କର୍ଯ୍ୟକ୍ରମର ଏକ ପ୍ରେକ୍ଷାଳୟ ଫଟୋକୁ ସେହି ଫଟୋରେ ଯୋଡିଦେବାରୁ ଘଟଣା ଟି ଧରା ପଡିଗଲା। ଅମୁକ ବାବୁଙ୍କର ସମ୍ବର୍ଦ୍ଧନାର ଅସଲ ମୁଖା ଖୋଲିଗଲା। ସହକର୍ମୀ ମାନେ ବେଶ କିଛିଦିନ ଟାହି ଟାପରା କଲେ । ଗୋଟିଏ କଥା କିନ୍ତୁ ସ୍ପଷ୍ଟ ହେଇ ପରିନଥିଲା ଯେ ଯେଉଁ ବହି ସବୁ ସେ ଜିଲ୍ଲାପାଳଙ୍କୁ ଭେଟି ଦେଇଥିଲେ ସେଗୁଡିକର ପ୍ରକୃତ ରଚୟିତା କିଏ?

କିଏ ଜାଣେ ରେ ବାବା ବଡଲୋକଙ୍କର ବଡ ଗୁମର କଥା। ଏହି ଘଟଣା ପରେ କିନ୍ତୁ ପୁରସ୍କାର କି ସମ୍ବର୍ଦ୍ଧନା ଶବ୍ଦ ଶୁଣିଲେ ମନଟା କାହିଁକି ମରି ଯାଏ , ହେଇପାରେ ନଦେଖିଲା ଓଉ ଛ’ ଫଡା।


Rate this content
Log in