Rajib Gopal Swain

Drama Abstract


3  

Rajib Gopal Swain

Drama Abstract


କିଛିଗୋଟେ ସକାରାତ୍ମକ ଦିଗର ସନ୍ଧାନରେ

କିଛିଗୋଟେ ସକାରାତ୍ମକ ଦିଗର ସନ୍ଧାନରେ

4 mins 7.2K 4 mins 7.2K

-ମାଉସୀ ଏଠି ଏମିତି କାହିଁକି ବସିଛ ? 

ଆଜି ମରିବା ଯାଏଁ ଏଇଠି ବସିବାକୁ ଆସିଛି ପୁଅ । ଏଠୁ ଗଲେ କଉଠିକି ଯିବି ? ସାତ ପୁରୁଷର ଭିଟା ମାଟିକୁ ଖଣ୍ଟ ଖାଇଲେ ! ମୋ କଥା କେହି ବୁଝିଲେ ନାହିଁ !ଗେରସ୍ତ ମଲା ପରେ ଭାଇ ଭଗାରି ହେଲା । ଜାଣି ପାରିଲି ନାହିଁ । କେତେ ଦୁଆରରେ ଗିଡି ଗିଡେଇଲି, ବାରଦ୍ଵାର ଶୁଣ୍ଢୀ ପିଣ୍ଡା ହେଇ ନେହୁରା ହେଲି ,ହେଲେ କେହି ଶୁଣିଲେନି। ଏଇଟା ବଡ ଅଫିସ , ଏଠି କୁଆଡେ ବଡ ଅଫିସର ବସେ  । ତା’ଠି ମୋର କାମ । ଚାରି ଦିନ ହେବ ଏଇ ପିଣ୍ଡାରୁ ଲେଉଟି ଲେଉଟି ଯାଉଛି । କେହି ବୁଝିବାକୁ ନାହିଁ । ବାବୁର ଦେଖା ମିଳୁନି । ଆଜି ଗାଁରୁ ବାହାରି ଆସିଛି । ମୋ ଗୁହାରି ନ ଶୁଣିଲେ ଏଇଠି ମରିବି ପଛେ ଘରକୁ ଲେଉଟିବି ନାହିଁ ।

ବିଭୁଦତ୍ତ ସ୍ଥାଣୁ ପାଲଟି ଯାଉଥିଲା । ବୁଢୀ ମାଉସୀର ବୟସ ଷାଠିଏରୁ ଉର୍ଦ୍ଧ୍ଵ ହେବ କି କଣ । ଏଇଠି ରହିବାର ଦୁର୍ବାର ପ୍ରତିଜ୍ଞାଟିଏ ନେଇ, ସାଥିରେ ଆଣିଛି କନ୍ଥା, ମସିଣା, ଗଣ୍ଠୁଲି, ଗଣ୍ଠୁଲିରେ ନା ନା ଜାତି ଜିନିଷ । କହୁଛି ଏଇ ବାରଣ୍ଡାରୁ ଚାରି ଚାରି ଥର ଲେଉଟିଛି । 

ଅଥଚ ବିଭୁଦତ୍ତକୁ ଅଫିସର ପିଅନ ପର୍ଯ୍ୟନ୍ତ କେହି କହିନାହାନ୍ତି  । 

ଏଠିକି ତହସିଲଦାର ଭାବରେ ଆସିବାର ଦୁଇମାସ ହେଲାଣି ନୂଆ ନୂଆ ପଣ ତଥାପି ରହିଛି । ସେ ସମସ୍ତଙ୍କ କାର୍ଯ୍ୟ, ବ୍ୟବହାର ଓ ମାନସିକତା ପଢିବାକୁ ଆଉରି କିଛି ଦିନ ଲାଗିପାରେ । ତେଣୁ କାହାକୁ କିଛି ନକହି ସେମିତ, ନିଜେ ନିଜ ବାଗରେ ଘଟଣାଟିକୁ ସମାଧାନ କରିବାକୁ ଚିନ୍ତା କଲା ।  

-ମାଉସୀ ତୁମେ ମୋ ସହିତ ଆସ । ମୁଁ ତୁମ କଥା ବୁଝିବି । 

ବିଭୁଦତ୍ତ ମୁହଁକୁ ନିରେଖି ଚାହିଁଲା ସେ, ଯେଉଁଠି ଭରିରହିଥିଲା ଆତ୍ମବିଶ୍ଵାସ ଆଉ ସାହାଯ୍ୟ କରିବାର ଆଶାଭରା କିରଣ । 

ସେ ସ୍ଵତଃସ୍ପୁର୍ତ ଉଠି ଠିଆ ହେଲା   । 

-ଗେରସ୍ତ ଥିବା ପର୍ଯ୍ୟନ୍ତ ଭାଇ ଭାଇରେ କେବେ ବି ମନାନ୍ତର, ମତାନ୍ତର ନଥିଲା । ଆମର କେବଳ ଝିଅଟିଏ ଯାହାକୁ ବାହା ଦେଇ ସାରିଥିଲୁ । ତାର ଠିକ ପରେ ପରେ ସିଏ ଅଜଣା ରୋଗରେ ଚାଲିଗଲେ । କେବେ ବି ବିଲ ମୁଣ୍ଡ ଦେଖି ନଥିବା ମୋ ପରି ଘରୋଇ ସ୍ତ୍ରୀ ଲୋକଟି ବାଧ୍ୟରେ ବଞ୍ଚିବା ପାଇଁ ଘରୁ ଗୋଡ଼ କାଢିବାକୁ ଯେତେବେଳେ ମନ ସ୍ଥିର କଲି, ସେତେବେଳେ ଦିଅର ମନା କଲେ । ପ୍ରତି ସନ ଘରକୁ ଠିକରେ ଭାଗ ବଖୁରା ଗଣ୍ଡକ ଆସୁଥାଏ । ମୋ ପରି ଗୋଟେ ସାଧାରଣ ମଣିଷକୁ ଚଳିବାରେ କେବେବି କିଛି ଅସୁବିଧା ହୋଇନି । କିନ୍ତୁ ଅଚାନକ ଦିନେ ଝିଅ ତା'ଘର ଛାତ ପକେଇବାକୁ ପଇସା ମାଗିଲା । ପାଖରେ ସଞ୍ଚିତ ଧନ ବୋଲି କିଛି ନଥାଏ । ବାଧ୍ୟରେ ଦିଅରଙ୍କୁ ଏ କଥା କହିଲି । ସେ ସବୁ କଥା ଶୁଣି ବାଆଁରେଇ ହେଲେ । ମାସେ ଦୁଇମାସ ଚାଲିଗଲା ।  ମୋ ଭାଗରୁ କିଛି ଜମି ବିକିବାକୁ କହିଲି । ସେ କିଛି ଶୁଣିଲେ ନାହିଁ  । ପରିସ୍ଥିତିରେ ପଡି ନିଜେ ଚେଷ୍ଟା କରିବାରେ ଜାଣିଲି ,ଜମି ଆଉ ନାହିଁ। ଯେଉଁ ଜମି ବିଷୟରେ ଭାବୁଛି ତାହା ବିକ୍ରି ସରିଛି । ମୁଣ୍ଡରେ ବଜ୍ର ପଡିଲା । ମୋ ଅଜ୍ଞାତରେ ଦିଅର ଆଉ ଜଣକୁ ଜମି ବିକିଥିଲା ବେଳେ, ସେ ଲୋକ ନାମରେ ପଟ୍ଟା ହେଇସାରିଛି । ଏବେ ସେଇ ଲୋକ ଆଉ ଜଣକୁ ଜମି ବିକିବା ପାଇଁ ମସୁଧା ଚଳେଇଛି । ମୁଣ୍ଡରେ ବଜ୍ର ପଡିଲା । ଗାଁ ଭୂଇଁରେ ନ୍ୟାୟ ନିଶାପ ହେଲା ,ଦିଅର କିଛି ହେଲେ ବି ମାନିଲା ନାହିଁ । ସରପଞ୍ଚ ଥାନାକୁ ଯିବାକୁ କହିଲେ । ଥାନା ବାବୁ ଇୟେ ଜମିବାଡି କେସ୍ ଆର.ଆଇ. ଙ୍କ ପାଖକୁ ଯିବାକୁ ପଡିବ କହି ପୋଛି ପାଛି ହୋଇପଡିଲେ । ଆମିନ, ଆର.ଆଇ. ଙ୍କୁ ଫେରାଦ ହେଲି, ହେଲେ କିଛି ବି ଫଳ ମିଳିଲାନି। ବୁଢୀ ଲୋକଟେ କେତେ କୁଆଡେ ଦୌଡିବି । ଆର. ଆଇ. ଅଫିସ ବାରଣ୍ଡାରେ ଜଣେ ପୁଅ କହିଲା ‘ତୁ ମାଉସୀ ତହସିଲଦାରଙ୍କ ପାଖକୁ ଯା’ । ତାରି କଥା ଶୁଣି ଏଇଠିକି ଚାରିଥର ଆସିବା ପରେ ତୁମ ସହିତ ଦେଖା ମିଳିଲା । ବଞ୍ଚିବାକୁ ରାହା ସାହା ଭରଷା ବୋଲି କିଛି ନାହିଁ । ମୋତେ ସାହାଯ୍ୟ କରିପାରିବୁ ପୁଅ ??

ନୀରବ ଓ ଧୈର୍ଯ୍ୟର ସହିତ ବୁଢୀ ମାଉସୀର ସବୁ କଥା ଶୁଣୁଥିଲା ବିଭୁଦତ୍ତ । 

ପ୍ରାୟ ପାଞ୍ଚ ବର୍ଷ ତଳେ ରହିଥିବା ବ୍ୟବସ୍ଥାର ସୁଯୋଗ ନେଇ ପ୍ରତାରଣା କରିଥିବା ସେଇ ଦିଅରଟି ଉପରେ କେଉଁ ପ୍ରକାରର କାର୍ଯ୍ୟାନୁଷ୍ଠାନ ହୋଇପାରିବ ସେଇ କଥା ତାକୁ ଆନ୍ଦୋଳିତ କରୁଥିଲେ ବି ବୁଢୀ ମାଉସୀ କେମିତି ନ୍ୟାୟ ପାଇ ପାରିବ ତାହା ତାକୁ ଅଧିକ ବିବ୍ରତ କରି ତୋଳୁଥିଲା । ଯଦି ସବୁ ସରକାରୀ କଳ ତାଙ୍କ ସ୍ଥାନରେ ସଠିକ୍ କାମ କରି ଥା'ନ୍ତେ , ତେବେ କଣ ଆଜି ଏମିତି ଜଣେ ଦୁସ୍ଥ ସ୍ତ୍ରୀ ଲୋକ ପ୍ରବଞ୍ଛନାର ଶିକାର ହୋଇଥାନ୍ତେ ?? 

ଗୋଟିଏ ବହୁମୂଲ୍ୟ ପ୍ରଶ୍ନ ,ମନ ତଳେ ଦୌଡୁଥିଲା ଠିକ ଗୋଟେ ମଣିଷର ଜୀବନ ରେଖା ପରି । 

-ହଁ ମାଉସୀ ତୁ ପୁଅ ବୋଲି ଡାକିଲୁଣି ଯେବେ, ତୋ କଥା କଣ ଅବୁଝା ରହିବ ? ମୁଁ ତୋତେ ନ୍ୟାୟ ଦେବା ପାଇଁ ସବୁ କିଛି କରିବି !! 

ଆଗକୁ ଦଶହରା ଛୁଟି ତଥାପି....

ବୁଢୀ ମାଉସୀ ମୁହଁରେ ଫୁଟି ଉଠୁଥିବା ହସ ଓ ଉଜ୍ଜ୍ଵଳତା ବିଭୁଦତ୍ତକୁ ଦେଉଥିଲା ଅପାର ଆନନ୍ଦ । ତାକୁ କେବଳ ଆଉ କେବଳ ନ୍ୟାୟ ପ୍ରଦାନ କରିବା ପାଇଁ ଗୋଟେ ପ୍ରଶାସନିକ ଉଷ୍ମତା ବିଭୁଦତ୍ତକୁ ଆଚ୍ଛନ୍ନ କାରିତୋଳୁଥିଲା ବେଳେ ,ସେ ପୁରା ଅଫିସକୁ ଏକାକାର କରିଦେଇ କାମରେ ଲଗାଇ ଦେବାକୁ ଚାହୁଁ ଥିଲା ନିଶ୍ଚୟ ।     

ରାଜୀବ ଗୋପାଳ ସ୍ଵାଇଁ

ମାତୃକୁଟୀର, କୁରୁଣ୍ଟି, ମେରାମଣ୍ଡଳୀ, ଢେଙ୍କାନାଳ-୭୫୯୧୨୧


Rate this content
Originality
Flow
Language
Cover Design