ବନ୍ଧୁ
ବନ୍ଧୁ
ପାରିକୁଦିଆ........... ନିରିବୁଦ୍ଧିଆ
ଧରନ୍ତି ମୀନ........... ବିକନ୍ତି ଲୁଣ
ସିଏ କ ଜାଣିବେ ବନ୍ଧୁର ଗୁଣ???
ଏହିପରି କିଛି କହି ସାନ ନଣନ୍ଦ ଦୁହେଁ ମୋତେ ବାରଣ କରୁଥିଲେ ଯାଆର ଭାଇ ବାହାଘରକୁ ଯିବା ପାଇଁ l ସେହି ଗୋଟିଏ ତିଥିରେ ମଝିଆ ଯାଆର ପୁତୁରା ବାହାଘର ଥିଲା ହୋଟେଲ୍ ମେଫେଆରରେ ଓ ସାନ ଯାଆର ଭାଇ ବାହାଘର ଥିଲା ମାଲୁଦରେ l ନଣନ୍ଦମାନେ ଗଲେ ମେଫେଆର୍ ଓ କିଛି ନ ହେଲେ ବି ଚିଲିକା, କାଳିଜାଇ ଇତ୍ୟାଦି ଦେଖିବାର ଲୋଭରେ ମୁଁ ଗଲି ମାଲୁଦ l ରାତିରେ ସମସ୍ତେ ଏକାଠି ହେଲା ବେଳକୁ ପୁଅ ବର୍ଣ୍ଣନା କରୁଥିଲା ମାଲୁଦ
ଅନୁଭୂତି l କେମିତି ଗଛ ତୋଳା ପଇଡ ପିଇଲା, କେମିତି ସେମାନେ ମଜା କଲେ l
ଆହୁରି ଘରର ଅନ୍ୟାନ୍ୟ ସଦସ୍ୟଙ୍କ ପାଇଁ ଯାଆର ବାବା ପ୍ୟାକ୍ କରି ଭୋଜି ରନ୍ଧା ଦେଇଥିଲେ l କେବଳ ସେତିକି ନୁହେଁ ବିଭିନ୍ନ ପ୍ରକାର ଲୁଣି ଶୁଖୁଆ, ପଇଡ, ନଡିଆ, ଖଡିକା ଝାଡୁ ଇତ୍ୟାଦିରେ ଭର୍ତ୍ତି କରି ଦେଇଥିଲେ ଡିକି l
ନଣନ୍ଦଙ୍କ ପୁଅ କହିଲା, “ମୁଁ ବି ଯଦି ଯାଇଥାଆନ୍ତି…… ଏଠି ଆମକୁ କେହି ପଚାରିଲେ ମଧ୍ୟ ନାହିଁ l ଏତେ ଜଣଙ୍କୁ ଦେଖି ସେମାନେ ନାକ ଟେକିଲେ l ମଝିଆ ମାଇଁଙ୍କ ଭଉଣୀ କହିଲେ ଏଠି ପ୍ଲେଟ୍ ୭୫୦ ଟଙ୍କା l ଆମେ କେହି ନ ଖାଇ ପଳେଇ ଆସିଲୁ l କେହି ରହ ବୋଲି ବି କହିଲେ ନାହିଁ l” ସାନ ଯାଆ ଘରୁ ଆସିଥିବା ଭୋଜି ଖାଦ୍ୟ ଖାଉ ଖାଉ ସମସ୍ତେ ଯେମିତି ନୀରବରେ ସମ୍ମତି ଦେଉଥିଲେ l
ମୁଁ ନିଜକୁ ନିଜେ କହୁଥିଲି, ସେମାନେ ବନ୍ଧୁ ମର୍ଯ୍ୟାଦା କରି ଜାଣନ୍ତି, ସେଥିପାଇଁ ବୋଧେ ନିର୍ବୁଦ୍ଧିଆ l