Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Rajabala Tripathy

Tragedy

3  

Rajabala Tripathy

Tragedy

ପରିତ୍ୟକ୍ତା

ପରିତ୍ୟକ୍ତା

6 mins
654


"ଏ ସିଏ ନା ଯାହାକୁ ତାଙ୍କ ହଜବ୍ୟାଣ୍ଡ ଛାଡି ଦେଇଛନ୍ତି।" ଚାଲି ଯାଉ ଯାଉ କଥାଟି କାନରେ ବାଜିଲା ସୁଚରିତାଙ୍କର । "ଆଃ ଆଃ ବିଚାରୀ, ଭାରି ଭଲ ପରି ତ ଦେଖା ଯାଉଚି। ହେଲେ ଭିତର କଥା କିଏ ଜାଣେ ରେ ବାବା" ତୀର ପରି ଫୋଡି ଯାଉଥିଲା କଥା ସବୁ ସୁଚରିତାଙ୍କ ମନରେ। ବିବାହ ବିଚ୍ଛେଦ ପରେ ପରେ ଏହି ପରି କଥା ସବୁ ଶୁଣି ଶୁଣି କାନ ବଧିରା ପଡ଼ିଗଲାଣି ତାଙ୍କର। କିଏ ବିଚାରୀର ଟ୍ୟାଗ ଦେଲାଣି ତ କିଏ ଚରିତ୍ରହୀନର । ଯେମିତି କିଛି ଗୋଟେ ଗର୍ହିତ ଅପରାଧ କରି ପକେଇଛନ୍ତି ସେ। ସେଥି ପାଇଁ ଆଲୋଚନା, ସମାଲୋଚନା, ସରବ୍ୟର ପାତ୍ରୀ ହେବାକୁ ଉପଯୁକ୍ତ। ସେ ଜଣେ ବିବାହ ବିଚ୍ଛେଦ ପାଇଥିବା ମହିଳା, କେବଳ ତାଙ୍କ ଜୀବନର ସେହି ଗୋଟିଏ ଘଟଣା ହିଁ ଏକମାତ୍ର ଗୁରୁତ୍ୱପୂର୍ଣ୍ଣ। ଚାକିରୀରେ ହେଉଥିବା ତାଙ୍କର ପ୍ରମୋସନ,ଫି ବର୍ଷ ବେଷ୍ଟ ଏମ୍ପ୍ଲୟୀର ଆୱାର୍ଡ, ଏ ସବୁର ଯେମିତି କିଛି ମାନେ ହିଁ ନାହିଁ ସମାଜ ପାଇଁ। ସବୁ କଥାରୁ ବଙ୍କା ତେଢା ହୋଇ ପହଂଚି ଯାଏ କେବଳ ସେହି ଗୋଟିଏ ଜାଗାରେ " ସ୍ୱାମୀ ଛାଡି ଦେଇଛନ୍ତି ନା"। ଏହି ପରି ଅଣନିଶ୍ୱାସୀ ପରିବେଶରୁ ବଂଚିବା ପାଇଁ ସେ କିଛି ଦିନ ହେବ କୌଣସି ପାର୍ଟି ବା ଫକ୍ସସନରୁ ନିଜକୁ ଦୁରେଇ ରଖିଛନ୍ତି ସେ। ସତେ ଯେମିତି ଏକ ନିର୍ଯ୍ୟାତିତ ବିବାହରୁ ନିଜକୁ ମୁକ୍ତ କରିନାହାନ୍ତି ଯେ ଚୋରି କରିଛନ୍ତି, ଚୋରଙ୍କ ଭଳି ଲୁଚି ଲୁଚି ବଞ୍ଚିବାକୁ ପଡୁଛି। ବହୁତ ବାଧ୍ୟ କଲା ପରେ କ୍ଲୋଜ ଫ୍ରେଣ୍ଡ ପଲ୍ଲବୀର ଭଉଣୀ ମେରେଜକୁ ଆସିଥିଲା ସେ ।

"ମାଡମ..କଫି" ଡାକରେ ସମ୍ବିତ ଫେରି ପାଇଲା ସୁଚରିତା । ହଲର ଗୋଟିଏ କୋଣରେ ବସି କେତେବେଳୁ ଯେ ଭାବନାରେ ବୁଡି ଯାଇଛି। କଫି କପଟି ଉଠେଇ ନେଇ ଓଠରେ ଛୁଆଁଉ ଛୁଆଉଁ ପୁଣି ନିଜ ଭାବନାରେ ବୁଡିଗଲା ସେ। ସମାଜରେ ନାରୀର ସମସ୍ତ ଅସ୍ତିତ୍ୱ କଣ କେବଳ କେନ୍ଦ୍ରୀଭୁତ ବିବାହ ବୋଲି ଏକ ବ୍ୟବସ୍ଥାରେ । ତାର ସାମାଜିକ ମର୍ଯ୍ୟାଦା, ସ୍ଥାନ, ସୁରକ୍ଷା ସବୁ କିଛି ପାଇଁ ସେ ନିର୍ଭରଶୀଳ କାହିଁକି ପୁରୁଷର ହାତ ଟେକାକୁ । କାହିଁକି ଏ ପରି ବ୍ୟବସ୍ଥା, କିଏ କଲା କାହା ସ୍ୱାର୍ଥରେ। "ଦେଲା ନାରୀ ହେଲା ପାରିର ଆଳରେ" ବାପମାଆ ନିଜ କାନ୍ଧର ଦାୟିତ୍ୱକୁ ଅନ୍ୟ କାନ୍ଧକୁ ଟେକି ଦେଇ ଶାନ୍ତିରେ ନିଶ୍ୱାସ ମାରନ୍ତି। "ମରିବା ପୂର୍ବରୁ ଶାଶୁଘରର ଏରୁଣ୍ଡି ଡେଉଁବୁନି" "ପଥର ପଡିଲେ ସହି "ଇତ୍ୟାଦି କହି କହି ଝିଅଟିକୁ ସବୁ ଅନ୍ୟାୟ ସହ ସାଲିସ କରି ରହିବାକୁ ବିବଶ କରନ୍ତି। ବିବାହ ନ ହେଲେ ତ ହତଭାଗୀ, ହେଲା ତ ସେ ବିବାହକୁ ବଞ୍ଚେଇ ରଖିବାର ସବୁତକ ଦାୟିତ୍ୱ କେବଳ ନାରୀଟିର ଯେମିତି ପୁରୁଷଟିର ଏଥିରେ କୌଣସି ଭୂମିକା ନାହିଁ। ପୁଣି ପତି ମରିଗଲା ତ ନାରୀଟି ବଂଚି ଥାଉ ଥାଉ ମୃତ ପରି ବଞ୍ଚିବାକୁ ବାଧ୍ୟ ହୁଏ। ସେ ବିବାହ ଯେତେ ନିର୍ଯ୍ୟାତିତ ହେଉନା କାହିଁକି ସେଥିରୁ ମୁକ୍ତି ପାଇବାର ବାଟ ନାହିଁ। ସାତ ଜନ୍ମ ଯାଏଁ ବନ୍ଧା ପଡ଼ିଯାଏ ଜୀବନ। କେବଳ ଛାଟି ପିଟି ହେବା ହିଁ ସାର ହୁଏ। ତଥାପି ମଧ୍ୟ ଯଦି କେହି କେବେ ସେ ବନ୍ଧନରୁ ମୁକୁଳି ଆସେ, ସଂଗେ ସଂଗେ ସେ ଚରିତ୍ରହୀନ ଟ୍ୟାଗ ତା ପାଇଁ ପ୍ରଯୁଜ୍ୟ ହୋଇଯାଏ। ଭୁଲ ଯାହାର ଥାଉ ନା କାହିଁକି । ଯିଏ ଯାହାକୁ ଛାଡିବାକୁ ନିଷ୍ପତ୍ତି ନେଇଥିଲେ ମଧ୍ୟ, ସମାଜ ପାଇଁ ସବୁବେଳେ ସ୍ତ୍ରୀଟିକୁ ତା ସ୍ବାମୀ ଛାଡି ଦିଏ। ନାରୀଟିର ସାମାଜିକ ସ୍ଥାନ ତତକ୍ଷଣାତ୍ ଭୁଲୁଣ୍ଠିତ ହୁଏ। ସବୁ ପଦ ପଦବୀ ସବୁ ଗୁଣ ଗାରିମା ଲୁଚି ଯାଏ ସେ କେବଳ ଚିନ୍ହିତ ହୁଏ ସ୍ୱାମୀ ପରିତ୍ୟକ୍ତାରେ।

କିଛି ଦିନ ପୂର୍ବେ ତା ଫ୍ଲାଟରେ ହୋଇଯାଇଥିବା ଏକ ଛୋଟ କାଟିଆ ଚୋରିକୁ ରିପୋର୍ଟ କରିବାକୁ ଯାଇ ଜୈନେକ ଖବର କାଗଜ " ଏକୁଟିଆ ରହୁଥିବା ସ୍ୱାମୀ ପରିତ୍ୟକ୍ତା ମହିଳାଙ୍କ ଘରୁ ଦିନ ଦ୍ବୀପହରେ ଲୁଟ" ଶୀର୍ଷକରେ ପ୍ରକାଶ କରିଥିଲା। ଶୀର୍ଷକଟି ଦେଖି ଖୁବ ମର୍ମାହତ ହୋଇଥିଲା ସେ। ସେ ପରିତ୍ୟକ୍ତା । ତାକୁ ଅନୁଭବ ହେଲା,ରାସ୍ତା କଡ଼ରେ ପଡିଥିବା ଛିଣ୍ଡା ମସିଣା, ଏଣେ ତେଣେ ପଡିଥିବା ପରିତ୍ୟକ୍ତ କପଡା ଆଉ ଏକ ପ୍ରତିଷ୍ଠୀତ କମ୍ପାନୀରେ ଉଚ୍ଚପଦବୀରେ ଥିବା ସୁରଚିତା ଭିତରେ କୌଣସି ଫରକ ନାହିଁ। ସେମାନଙ୍କ ପରି ସେ ବି ଅଧିକାର ଭୁକ୍ତ ବସ୍ତୁଟିଏ ନିଜ ମାଲିକ ଦ୍ୱାରା ପରିତ୍ୟକ୍ତ। ସେ ମାଲିକକୁ ଛାଡୁ ବା ମାଲିକ ତାକୁ, ସବୁବେଳେ ସେ ହିଁ ପରିତ୍ୟକ୍ତ ବୋଲି ଚିନ୍ହିତ ହେବାକୁ ବାଧ୍ୟ। ସ୍ୱାମୀ ଯେତେ ଦୁଶ୍ଚରିତ୍ର, ଅଳସୁଆ, ନିକମ୍ମା ହୋଇଥିଲେ ବି ତାକୁ ଛାଡିବାର ଅଧିକାର ସ୍ତ୍ରୀର ନାହିଁ। ସେ ଅଧିକାର କେଵଳ ସ୍ୱାମୀର। ସ୍ତ୍ରୀ ଯେ କନ୍ୟାଦାନର ବସ୍ତୁ, ପିତୃଦତ୍ତ କନ୍ୟା। ସେ ସ୍ୱାମୀ ସହ ସମ୍ପର୍କ ତୁଟାଉ ବା ସ୍ୱାମୀ ତା ସହ, ପରିତ୍ୟକ୍ତ ହେବାର ପାଳି ସବୁବେଳେ ସ୍ତ୍ରୀର । ସ୍ୱାମୀ କେବେ ପରିତ୍ୟକ୍ତ ହୁଏନା କେବେ କେହି ସ୍ୱାମୀକୁ ତାର ସ୍ତ୍ରୀ ଛାଡ଼ିଦେଇ ପାରେନା। ଏ ଯେ ଅସମ୍ଭବ।

ବିବାହ ବିଚ୍ଛେଦ ପରେ ସବୁକିଛି ଯେମିତି ବଦଳି ଯାଇଥିଲା ତା ଜୀବନରେ, କେବଳ ପରିତ୍ୟକ୍ତ ନୁହେଁ ଅନ୍ୟମାନଙ୍କ ପାଇଁ ସହଜଲବ୍ଧର ଟ୍ୟାଗ ଯେପରି ଲାଗି ଯାଇଥିଲା ତା ଦେହରେ। ଅଶ୍ଳୀଳ ଆଖି, ଚାପା ଇଙ୍ଗିତସବୁକୁ ପ୍ରାୟ ଅଫିସରେ ସାମ୍ନା କରିବାକୁ ପଡୁଥିଲା ତାକୁ । ହଠାତ ତାର ସବୁ ସମସ୍ୟାର ସମାଧାନ ପାଇଁ ଯେପରି ଭୀଷ୍ମ ପ୍ରତିଜ୍ଞା କରିପକେଇଥିଲେ ପୁରୁଷ ମଣ୍ଡଳୀ। ଅଯାଚିତ ସମାଧାନର ସୂତ୍ର ନେଇ କେବେ ପହଁଚି ଯାଉଥିଲେ ଘରର ଡ୍ରଇଂ ରୁମରେ ତ କେବେ ମୋବାଇଲରେ। ବ୍ୟତିବ୍ୟସ୍ତ ହୋଇପଡୁଥିଲା ସୁଚରିତା। " ଝିଅଟିଏ ପାଇଁ ଆଜିର ଦୁନିଆରେ ଏକୁଟିଆ ଜୀବନ ବଂଚିବା ବହୁତ କଷ୍ଟ, ନୁହେଁ କି ମ୍ୟାଡ଼ମ" ଚଷମା ତଳୁ ତା ପୁରା ଶରୀରକୁ ସ୍କାନ କରୁ କରୁ କହିପକେଇଥିଲେ ବୟସରେ ଯଥେଷ୍ଟ ବଡ଼ ତାର ଉପରିସ୍ଥ କର୍ମଚାରୀ ମି ମିଶ୍ର। ତାଙ୍କ ଚରିତ୍ର ସହ ବେଶ ଭଲ ଭାବରେ ପରିଚିତ ସୁରଚିତା ତାଙ୍କର ଉଦେଶ୍ୟଟି ଖୁବ ବୁଝିପାରିଥିଲା। " ହଁ ନିଶ୍ଚୟ କିନ୍ତୁ ତୋ ଭଳି ବୃଦ୍ଧ ଶୃଗାଳର ସହଚର୍ଯ୍ୟ ଏକୁଟିଆ ଜୀବନରୁ ଅଧିକ ଭୟଙ୍କର" ମନେ ମନେ କହିଥିଲା ସୁଚରିତା।

ଅବିନାଶଙ୍କ ସହ ବାହାଘର ଠିକ ହେଲା ବେଳେ ବାପାଙ୍କୁ ବାରମ୍ବାର କରି କହିଥିଲା ସେ ,"ଦେଖ ବାପା ଯାହା ବି ହେଇଯାଉ ଜବ ଛାଡିବାକୁ କେବେ ବି କହିବ ନାହିଁ। ପଛେ ବାହା ହେବି ନାହିଁ। "ଅନେକ କଷ୍ଟ କରି ଚାକିରୀଟି ପାଇଥିଲା ସୁରଚିତା। ତା ପାଇଁ ଚାକିରୀଟି ଥିଲା ବହୁମୂଲ୍ୟ। ସେ ଚାକିରୀ କରିବ, ଅର୍ଥନୈତିକ ସ୍ୱାବଲମ୍ବୀ ହେବ କେବଳ ତାର ନୁହେଁ, ଥିଲା ତାର ଛୋଟ ପରିବାରର ସ୍ବପ୍ନ। ଅନେକ କଷ୍ଟ କରି ବାପା ତାକୁ ଦୂର ସହରରେ ପାଠ ପଢେଇଥିଲେ। ତାର ଚାକିରୀ ସୁଖର ଏକ ସ୍ରୋତ ଥିଲା ତା ପୁରା ପରିବାର ପାଇଁ।

ଅବିନାଶ ସ୍ପଷ୍ଟ ଭାବରେ ରାଜି ହୋଇଥିଲା ପରେ ହିଁ, ବାହାଘର ପାଇଁ ମାନସିକ ଭାଵରେ ପ୍ରସ୍ତୁତ ହୋଇଥିଲା ସେ। ଅବିନାଶ ଚୌଧୁରୀ, ସେ ଚାକିରୀ କରିଥିବା ସହରରେ ଅନ୍ୟ ଏକ କମ୍ପାନୀରେ ଚାକିରୀ କରନ୍ତି। ତେଣୁ ସାଙ୍ଗ ହେଇ ରହିବାରେ ସୁବିଧା ହେଇଗଲା। ବେଶ କିଛି ଦିନ ସବୁ ଠିକରେ ଗଡି ଚାଲିଲା ଜୀବନ। କିନ୍ତୁ ଧୀରେ ଧୀରେ ପରିସ୍ଥିତି ବଦଳି ଗଲା । ଅଫିସରୁ ଟିକେ ଡେରି ହେଲେ ବି ବ୍ୟତିବ୍ୟସ୍ତ ହୋଇପଡୁଥିଲେ ଅବିନାଶ।ପ୍ରଥମେ ପ୍ରଥମେ ତାର ସୁରକ୍ଷା ପାଇଁ ଅବିନାଶ ଚିନ୍ତିତ ଭାବି ଏ ବ୍ୟସ୍ତତା ବେଶ ଭଲ ଲାଗୁଥିଲା ତାକୁ।କିନ୍ତୁ ଧିରେ ଧୀରେ ତାହା ସବୁଦିନିଆ ପ୍ରଶ୍ନ ଓ ସ୍ପଷ୍ଟୀକରଣରେ ବଦଳି ଗଲା। ସୁଚରିତାଙ୍କର ଅଫିସ କାମ ବାବଦରେ ଯଥେଷ୍ଟ ଜ୍ଞାନ ଥିଲେ ମଧ୍ୟ ତାର ଅଫିସରୁ ବିଳମ୍ବ ବାବଦକୁ ସ୍ପଷ୍ଟୀକରଣ ମାଗୁଥିଲେ ସେ, ସତେ ଯେମିତି ଏକ ନିର୍ଦ୍ଦିଷ୍ଟ ସମୟରେ ଅଫିସ କାମ ଛାଡି ଘରକୁ ପଳେଇ ଆସିବା ହିଁ ସୁଚରିତାଙ୍କର କର୍ତ୍ତବ୍ୟ। ସବୁଦିନିଆ ମୁହଁ ଫୁଲା, ପ୍ରଶ୍ନ ଉତ୍ତରରେ ବିବ୍ରତ ହେଇପଡୁଥିଲା ସୁଚରିତା। ବୁଝେଇ ବୁଝେଇ ନୟାନ୍ତ ହୋଇପଡୁଥିଲା ସେ। ଅବସ୍ଥା ଅଧିକ ଗମ୍ଭୀର ହୋଇ ପଡ଼ିଲା ଯେବେ ଅବିନାଶ ସନ୍ଦେହର ପର୍ଯ୍ୟାୟକୁ ଓଲହେଇ ଗଲେ। ଧୀରେ ଧୀରେ ଘରେ ଅଶାନ୍ତି,ଝଗଡା ଏକ ସାଧାରଣ କଥା ହେଇଗଲା। ଅଫିସର କର୍ମ କ୍ଲାନ୍ତ ପରିବେଶ ଘରଠୁ ବି ବେଶି ଆରାମଦାୟକ ଲାଗୁଥିଲା ସୁଚରିତାଙ୍କୁ। ନିଜକୁ ସନ୍ଦେଶର କୁହେଳିକାରୁ ମୁକୁଳି ନପାରି, ସୁଚାରିତାକୁ ଚାକିରୀ ଛାଡ଼ିଦେବାକୁ ହେବ ବୋଲି ଜିଦ୍ ଧରି ବସିଲେ ଅବିନାଶ। ମୋର ଗୋଟିଏ ଚାକିରୀ ହିଁ ଯଥେଷ୍ଟ ଆମ ଦୁହିଁଙ୍କ ପାଇଁ। ତେଣୁ ତାର ଚାକିରୀ କରିବାର କୌଣସି ଆବଶ୍ୟକତା ନାହିଁ ବୋଲି ଯୁକ୍ତି କରି ବସିଲେ ସେ। ଚାକିରୀ ଯେ ତା ପାଇଁ କେବଳ ଏକ ଅର୍ଥ ଉପାର୍ଜନର ମାଧ୍ୟମ ନୁହେଁ ତା ଠୁ ଅନେକ କିଛି । ତାର, ତା ପରିବାରର ଏକ ମାତ୍ର ସ୍ବପ୍ନ। ଯେତେ ପ୍ରକାର ସମ୍ଭବ ବୁଝେଇବାକୁ ଲାଗିଲା ସୁଚରିତା ।କିନ୍ତୁ କୌଣସି ଫଳ ହେଲା ନାହିଁ। ଚାକିରୀ ଛାଡିବା ପାଇଁ ଅବିନାଶ ତା ଉପରେ ସବୁ ସ୍ତରରୁ ଚାପ ପକାଇବାକୁ ଲାଗିଲେ। ଜବ କରିବା ଚକକରରେ ଯେ ସେ ମାଆ ହେବାକୁ ଚାହୁଁନି, ତାଙ୍କୁ ବାପା ହେବାରୁ ବଂଚିତ କରୁଛି ଏ ଭଳି ଅପପ୍ରଚାର କରିବାକୁ ମଧ୍ୟ ପଛାଇଲେ ନାହିଁ। କଥା ପରିବାର ସ୍ତରକୁ ଚାଲିଗଲା। ସୁଚରିତାର ଶାଶୁ ଶ୍ୱଶୁର ଆଉ ବାପା ମାଆ, ଦୁହିଁଙ୍କ ଭିତରେ ଚାଲିଥିବା ଏହି ଶୀତଳ ଯୁଦ୍ଧର ସମାଧାନ କରିବା ପାଇଁ ଅବିନାଶଙ୍କ ଦ୍ଵାରା ଡକା ହେଇ ଆସିଲେ। ଯେପରିକି ଆଶା କରାଯାଉଥିଲା, ଶାଶୁ ଶ୍ୱଶୁର ପୁଅକୁ ସମର୍ଥନ କଲେ ଆଉ ଝିଅର ଘର ବଞ୍ଚେଇବାକୁ ବାପା ମାଆ ମଧ୍ୟ ଜ୍ୟାଇଁଙ୍କ ନିଷ୍ପତ୍ତିରେ ଚାକିରୀ ଛାଡିବା ପାଇଁ ସୁଚରିତାଙ୍କ ଉପରେ ଚାପ ପକାଇବାରେ ଲାଗିଲେ। କିନ୍ତୁ ନିଜ ନିଷ୍ପତ୍ତିରେ ପାହାଡ଼ ପରି ସ୍ଥିର ଥିଲା ସୁଚରିତା। ତାର ଏ ସ୍ଥିରତା ଆଘାତ କରୁଥିଲା ଅବିନାଶଙ୍କର ପୁରୁଷତ୍ଵ ଉପରେ।

ସମସ୍ତ ପ୍ରୟାସ ବ୍ୟର୍ଥ ହେଲା ପରେ ମାନସିକ ନିର୍ଯାତନାରୁ ଶାରୀରିକ ସ୍ତରକୁ ଖସି ଯାଇଥିଲେ ସେ। ତା ସହ ବ୍ୟବହାର କରିଥିଲେ ସେହି ଅମୋଘ ଅସ୍ତ୍ରଟି ଯାହାକୁ ପୁରୁଷ ଯୁଗ ଯୁଗ ଧରି ନାରୀକୁ ନିୟନ୍ତ୍ରଣ କରିବା ପାଇଁ, ଦମନ ପାଇଁ ବ୍ୟବହାର କରି ଆସିଛି, ଚରିତ୍ରର ଲାଞ୍ଚନା। ସେ ମୁହୂର୍ତ୍ତରେ ସହିବାର ସବୁ ସୀମା ଟପି ଯାଇଥିଲା ସୁରଚିତାଙ୍କର। ବାପା ମାଆ ସାଙ୍ଗ ସାଥିଙ୍କ ଶତ ବାରଣ, ଅବିନାଶଙ୍କର 'ଥରେ ବାହାରିଯିବ ଯଦି ଆଉ ଏ ଘରକୁ ଫେରିବ ନାହିଁ "ର ଭୟ ସବୁକୁ ପାଦରେ ଆଡେଇ ଦେଇ ଘର ଛାଡିଥିଲା ସେ। ବିବାହ ବିଛେଦ ପାଇଁ ଆବେଦନ କରିଥିଲା। ବେଶ କିଛି ମାସର ସଂଘର୍ଷ ପରେ ମାତ୍ର ଦେଢ଼ ବର୍ଷର ବୈବାହିକ ବନ୍ଧନରୁ ମୁକ୍ତି ଯାଇଥିଲା। ଏତେ ସବୁ ପରେ ମଧ୍ୟ ଅବିନାଶର ଜୀବନ ନଷ୍ଟ କରିଥିବା, ତାର ଘର ଭାଙ୍ଗିବା ଅପରାଧରେ ସେ ଅପରାଧୀ କିନ୍ତୁ ସମାଜ ଆଖିରେ ଅବିନାଶ ଏବେ ବି ନିରୀହ, ନିର୍ଦୋଷ।

"ଆରେ ମିସେସ ଚୌଧୁରୀ, ଆପଣ ଏଠି ଏକୁଟିଆ । ହଁ ଆପଣଙ୍କ ସହ ଯାହା ଘଟିଗଲା । ଆଃ କୁହନ୍ତୁନି ମୋର ବିଶ୍ୱାସ ହୁଏନି ମି ଚୌଧୁରୀ ଆପଣଙ୍କ ପରି ରୂପବତୀ ଗୁଣବତୀ ସ୍ତ୍ରୀକୁ ଛାଡି ପାରିଲେ କିପରି। ସେ..." " ନା, ମିସେସ ଚୌଧୁରୀ ନୁହେଁ କେବଳ ସୁଚରିତା" ପାଖ ଚେୟାରରେ ବସି ଏମୋସନଲ ଆଃ ଚୁ ଚୁ ଆରମ୍ଭ କରି ଦେଇଥିବା ମିସେସ ମହାନ୍ତିଙ୍କୁ ଅଧାରୁ ଚୁପ କରେଇ ଅଟକେଇ ଦେଲା ସୁଚରିତା। "ଆଉ ଶୁଣି ରଖନ୍ତୁ ଅବିନାଶ ମୋତେ ନୁହେଁ ମୁଁ ଅବିନାଶଙ୍କୁ ଛାଡି ଆସିଛି। ତାଙ୍କୁ ମୁଁ ପରିତ୍ୟାଗ କରି ଆସିଛି। ମୁଁ ନିଜକୁ ମୁକ୍ତ କରିଆସିଛି ସେ ନିର୍ଯ୍ୟାତିତ ବିବାହ ବନ୍ଧନରୁ। ତେଣୁ ଦୟା କରି କୌଣସି ମହିଳାଙ୍କୁ ଆପଣଙ୍କ ସ୍ୱାମୀ ଆପଣଂକୁ ଛାଡିଦେଲେ ବୋଲି କହିବା ବନ୍ଦ କରନ୍ତୁ ଆପଣମାନେ। " ମିସେସ ମହାନ୍ତି କିଛି କହିବା ପୂର୍ବରୁ ଉଠି ପଡିଲେ ସୁଚରିତା । ସେ କୋଳାହଳମୟ ପରିବେଶରୁ ବାହାରି ଆସିଲେ ବାହାରକୁ। କେଜାଣି କାହିଁକି ତାଙ୍କୁ ଲାଗିଲା ଆଜି ତାଙ୍କର ଚାଲିରେ ଥିଲା ଏକ ଆତ୍ମବିଶ୍ୱାସର ଛିଟା, ଆଖପାଖର ଚୁପି ଚୁପି କଥା ତୀରଜକ ଚାହାଣୀକୁ ତିଳେ ମାତ୍ର ଭ୍ରୁକ୍ଷେପ ନ କରିବାର ଦମ୍ଭ। ଗଭୀର ପ୍ରତ୍ୟୟର ହସଟିଏ ଖେଳି ଗଲା ତାଙ୍କ ଓଠରେ। ଏକ ଲମ୍ବା ନିଶ୍ୱାସ ନେଇ ଆଗକୁ ବଢିଲେ ସେ, ଯେପରି ଗଭୀର ଜଳରେ ବୁଡି ଯାଉ ଯାଉ ହଠାତ ଅମ୍ଳଜାନର ସନ୍ଧାନ ମିଳିଯାଇଛି ତାଙ୍କୁ, ଯେମିତି କେଉଁ ଏକ ଲମ୍ବା ଅନ୍ଧକାରମୟ ସୁଡଙ୍ଗରେ ବାଟ ଖୋଜୁ ଖୋଜୁ ହଠାତ ମିଳିଯାଇଛି ଆଲୋକର ରଶ୍ମିଟିଏ।

ରାଜବାଳା


Rate this content
Log in

Similar oriya story from Tragedy