Quotes New

Audio

Forum

Read

Contests


Write

Sign in
Wohoo!,
Dear user,
ଫେରା ବସନ୍ତ
ଫେରା ବସନ୍ତ
★★★★★

© Soumya Shubhadarshinee

Drama Others

7 Minutes   3.0K    12


Content Ranking

ଫଲ୍ଗୁ ଭିତରେ ରହିଥାଏ ଜଳ ଲୁକାୟିତ ହେଇ ଚିରକାଳ। କିନ୍ତୁ ଦେଖିପାରନ୍ତି ନାହିଁ କେହି। କିନ୍ତୁ ଖୋଜିଲେ ନିଶ୍ଚିନ୍ତ ମିଳେ ତୃଷ୍ଣାର ସନ୍ତୋଷ।......

★★★★★★

କ'ଣ ଗୋଟେ ଧୁମ୍ କି ପଡିଯିବାର ଶବ୍ଦ ଶୁଣି କିଚେନ୍ ରୁ ଦଉଡି ଆସିଲେ ଶ୍ରେୟା। ଆଖିରେ ଯାହା ଦେଖିଲେ ବିଶ୍ୱାସ କରି ପାରିଲେ ନାହିଁ। ବିଭୁ ଚଟାଣ ଉପରେ ବେହୋସ ସ୍ଥିତିରେ। ଡାଇବେଟିସ୍ ହେବା ପରେ ଘଟୁଛି ଏପରି ଅଘଟଣ। ଶ୍ରେୟା ବ୍ୟସ୍ତ ହେଇ ଡାକ୍ତର ଦାସଙ୍କୁ ଡକେଇଲେ। ତାଙ୍କରି ଚିକିତ୍ସାରେ ଚେତା ଫେରି ପାଇଲେ ବିଭୁ କିନ୍ତୁ ପଡ଼ିଯାଇ ପାଦରେ ଭୀଷଣ ଆଘାତ ଲାଗି ଯାଇଥିଲା। ଡକ୍ଟର ପ୍ରଚୁର ବିଶ୍ରାମର ପରାମର୍ଶ ଦେଇ ବିଦାୟ ହେଲେ।

ଶ୍ରେୟା ସେଓ କାଟି କ୍ଷୀର ଆଉ କର୍ଣ୍ଣଫ୍ଲେକ୍ସ ମିଶେଇ ଦେଲେ ଖାଇବା ପାଇଁ। ହଁ ସୁଗାର ଲେଭେଲ୍ କମି ଗଲେ ହିଁ ମଣିଷ ଚେତାଶୂନ୍ୟ ହେଇଯାଏ ତେଣୁ ତୁରନ୍ତ କିଛି ମିଠା ଜାତୀୟ ଖାଦ୍ୟ ଜରୁରୀ। ବିଚିତ୍ର ବ୍ୟାପାର ଏଇ ମଧୁ' ର : ବଢିଲେ ଯେତିକି ସମସ୍ୟା କମିଗଲେ ତା' ଠାରୁ ଅଧିକ। ଜୀବନର ସବୁ ମଧୁ ଶୋଷି ନିଏ ଏଇ ମଧୁମେହ।

************

ଗତକାଲି ସମୟ ଏବଂ ଡାକ୍ତର ଟିମ୍ ଚୁଡାନ୍ତ ହେଇଯାଇଛି। ମୁଖ୍ୟ ଚିକିତ୍ସକ ଡାକ୍ତର ବିଭୁଦତ୍ତଙ୍କ ସହ ତିନି ଜଣ ସହାୟକ; ଡାକ୍ତର ଶ୍ରେୟା ବିଭୁଦତ୍ତ, ଡାକ୍ତର ସେନ୍ ଆଉ ଆନାସ୍ଥେସିଆ ଡାକ୍ତର ସୀମା ଗୋଟିଏ ଜଟିଳ ସ୍ନାୟବିକ ଅସ୍ତ୍ରୋପଚାର ପାଇଁ ।

ରୋଗୀକୁ ଜୀବନ ଦାନ ଦେଉଥିବା ଡାକ୍ତର ନିଜେ ଯେବେ ରୋଗୀ ସାଜେ ସେ ଯନ୍ତ୍ରଣା ବର୍ଣ୍ଣନା କରିବା କଷ୍ଟକର। ସେଇତକ ଅନୁଭବି ହିଁ ବୁଝେ। ବିଭୁଦତ୍ତ ଏବେ ଚିନ୍ତାରେ ଯେଉଁ ପାଦରେ ଘଡ଼ିଏ ଠିଆ ହେଇ ପାରୁ ନାହାନ୍ତି ସେଥିରେ ପୁଣି ଘଣ୍ଟା ଘଣ୍ଟା ଧରି ଅସ୍ତ୍ରୋପଚାର କରିବେ କେମିତି?

ଶ୍ରେୟା ବିଭୁଙ୍କ ଅସହାୟତା ଠିକ ବୁଝି ପାରି ତାଙ୍କ ନିକଟରେ ଆସି ବସିଲେ। ଆଉ ପ୍ରବୋଧନା ଦେବା ସ୍ୱର ରେ କହିଲେ, " ତୁମ ସହ ଏଇ ଦୀର୍ଘ ଜୀବନ ଭିତରେ ଢେର ଶିଖିଛି। ମୋତେ ଏଇ ଥର ଗୋଟିଏ ଅସ୍ତ୍ରୋପଚାର ଏକାକୀ କରିବାପାଇଁ ଅନୁମତି ଦେଇପାରିବ ନାହିଁ? ଆଜିଯାଏଁ କ'ଣ ତୁମ ଛାତ୍ରୀ ଯୋଗ୍ୟ ହେଇନାହିଁ ? ''

ବିଭୁ ଜାଣନ୍ତି ଶ୍ରେୟା ଜଣେ ସୁଯୋଗ୍ୟ ଡାକ୍ତର। ବିଭୁ ଜଣେ ଏକ୍ସପର୍ଟ୍ କିନ୍ତୁ ଶ୍ରେୟା ଜଣେ ଚମତ୍କାର ମଣିଷ ଯେ ନିଜ ଆତ୍ମୀୟତା ସ୍ପର୍ଶରେ ରୋଗୀକୁ ନୂଆ ଜୀବନ ଦେଇପାରେ। ସେ କରନ୍ତି ମଣିଷ ଭିତରେ ଥିବା ଈଶ୍ୱରଙ୍କ ସେବା। ନିଜ ଗଢ଼ା ଏଇ ସମଗ୍ର ହସ୍ପିଟାଲ୍ ଶ୍ରେୟା ହିଁ ଚଳେଇ ଆସୁଛନ୍ତି ସୁନ୍ଦର ଭାବେ। ବିଭୁଙ୍କ ଶ୍ରେୟାଙ୍କ ଉପରେ ଗଭୀର ବିଶ୍ୱାସ ,କହିପାରିବା ନିଜେ ଠାରୁ ମଧ୍ୟ ଅଧିକ। ସେ ପ୍ରକୃତରେ କରିପାରିବେ ସୁଚାରୁ ରୂପେ, ନିର୍ଭୁଲ ଭାବେ ହୁଏତ ବିଭୁଙ୍କ ଠାରୁ ଅଧିକ! ତଥାପି ଶ୍ରେୟା ବିଭୁଙ୍କ ଉପସ୍ଥିତିରେ କୌଣସି ଚିକିତ୍ସା କରିବା ଆଉ ତାଙ୍କ ଅନୁପସ୍ଥିତି ରେ କରିବା ଭିତରେ ରହିଛି ଢେର ଫରକ। ସେଇତକ ଚିନ୍ତାର କାରଣ ସାଜିଛି ବିଭୁଙ୍କ ପାଇଁ।

ଶ୍ରେୟା କିନ୍ତୁ ବୁଝେଇବାରେ ସଫଳ ହେଲେ ଆଉ ବିଭୁଙ୍କୁ ବିଶ୍ରାମ କରିବାକୁ ମନେଇ ନିଜେ ଆସନ୍ତା କାଲିର ଅସ୍ତ୍ରୋପଚାରର ସମସ୍ତ ଦାୟିତ୍ୱ ନେଲେ।

**********

ଚିକ୍ ମିକ୍ ଖରା ଛାଇ ଖେଳ ଭିତରେ ଦ୍ରୁମର ସମାରୋହ ଜଣା ଅଜଣା ନବଶ୍ଚୁମ୍ଭୀ। ହାସିମରା ଏୟାରଫୋର୍ସ୍ ଭିିତରେ ସରକାର ଆକାଶରେ ଉଡ଼ନ୍ତା ମଣିଷ ମାନଙ୍କୁ ବନବାସୀ ସଜେଇ ଛନ୍ତି। ଏଇ ଏୟାରଫୋର୍ସ୍ ଷ୍ଟେସନରେ ମଣିଷ ଓ ପ୍ରକୃତି ଏକାକାର।

ସେଇଠି ଅଫିସର ମେସ ଏରିଆର ଆକର୍ଷଣ ଚମତ୍କାର। ପ୍ରାକୃତିକ ସୌନ୍ଦର୍ଯ୍ୟର ପ୍ରାଚୁର୍ୟ୍ଯରେ ଭରା । ସେଇଠି ବିଭୁଦତ୍ତଙ୍କ ଜୀବନରେ ଅୟମାରମ୍ଭ। ନର୍ଥ ଇଷ୍ଟ ରେ ଜୀବନ ବର୍ଷା ସ୍ନାତ, ଧୂମଭ, ସ୍ନିଗ୍ଧ ସୁନ୍ଦର।

ଆର୍ମି ଅଫିସର ବାପା ତାଙ୍କୁ ଜନ୍ମରୁହିଁ ଦେଶ ପାଇଁ ଉତ୍ସର୍ଗ କରି ଦେଇଥିଲେ। କିନ୍ତୁ ରହିଗଲା ଦୁଃଖ , ପୁଅ ଡାକ୍ତର ହେବାକୁ ଆଗ୍ରହୀ। ବାପାଙ୍କ ଇଚ୍ଛା ଆଉ ତାଙ୍କ ଆଗ୍ରହ ମିଶି ସେ ସାଜିଲେ ଏୟାରଫୋର୍ସ୍ ଡାକ୍ତର । ଆଉ ପ୍ରଥମ ପୋଷ୍ଟିଂ ଏଇ ହାସିମରା ଏୟାରଫୋର୍ସ୍ ଷ୍ଟେସନ, ଆସାମ ନିକଟବର୍ତ୍ତୀ।

ସେଇଠି ଜଣେ ସଫଳ ଚିକିତ୍ସକ ଭାବେ ସେ ମଣିଷ ର ଦେହ ଓ ମନର ଉଭୟର ଚିକିତ୍ସା କରୁଥିଲେ। ହଁ ମନର ଚିକିତ୍ସା ଟିକିଏ ଭିନ୍ନ , ତାଙ୍କ ସ୍ୱଲିଖିତ କବିତା ସମ୍ଭାର। ଏମିତି ଲେଖନ୍ତି ଶବ୍ଦ ସବୁ ଚିନି ସିରାରେ ଡୁବେଇ ଡୁବେଇ ସତେ ଯେମିତି ରସଗୋଲା ପଢିଲେ ମିଠା ସଞ୍ଚରି ଯିବ ଆତ୍ମା ଯାଏଁ।

ସେଇଠି ତାଙ୍କ ସୃଜନ ଆହୁରି ଶାଣିତ ହେଇଥିଲା କିଛି ପ୍ରକୃତି ଓ କିଛି ପ୍ରେମର ପ୍ରଭାବରେ। ଡାକ୍ତର ସାନ୍ୟାଲ୍ ତାଙ୍କ ସିନିୟର୍ ଜଣେ ଚମତ୍କାର ମଣିଷ ,କବିତା ପ୍ରେମୀ । ତାଙ୍କର ସେଇ ଆକର୍ଷଣରୁ ଆତ୍ମୀୟ ହେବାର ସୁଯୋଗ ଆଉ ସେଇଠି ତାଙ୍କ ସମ୍ପର୍କର ସୂତ୍ର।ପୌଷାଲୀ ସାନ୍ୟାଲ୍ ତାଙ୍କ ପ୍ରେମର ଠିକଣା ।

ଭାଗବତ ସମ୍ପର୍କଟେ କେତେବେଳେ , କେଉଁଠି, କାହାସହ ଗଢ଼ା ଯିବ ତା'ର ନଥାଏ ଗୋଟିଏ ନିର୍ଦ୍ଦିଷ୍ଟ ସମୀକରଣ । ଏଇଠି ହୁଏତ ବିଭୁଙ୍କ ପାଇଁ ଲେଖା ଯାଇଥିଲା ସମ୍ଭାବନା। ଏଡାଇ ଯିବାର ନୁହେଁ ଏମିତି ମହାର୍ଘ୍ୟ ମୁହୂର୍ତ୍ତର ସମ୍ମୋହନ।

ଝିଅଟି ବି ଥିଲା ସୃଜନକାର , ଚମତ୍କାର ତା'ର ସ୍ୱର ଆଉ ମନ୍ତ୍ରମୁଗ୍ଧକର ତା'ର ସଙ୍ଗୀତ ।

ସେଇ ଶବ୍ଦ ସ୍ରୋତକୁ ଚିରକାଳ ନିଜ ଭିତରେ ନିବୁଜ କରିନେବାର ଦୁର୍ବାର ଇପ୍ସା କୁଆଁ ମେଲିଥିଲା ବିଭୁଙ୍କ ମନ ଉପବନରେ।

କିନ୍ତୁ ସବୁ ପ୍ରେମ ପୂର୍ଣ୍ଣାଙ୍ଗ ହେବାର ଭାଗ୍ୟ ନେଇ ଆସିନଥାନ୍ତି । ଜୀବନରେ ଅପ୍ରାପ୍ତି ହିଁ ପ୍ରେମର ଧେୟ ଓ ଶ୍ରେୟ ପ୍ରାପ୍ତିରେ ପ୍ରେମର ସମାପ୍ତି। ........

**********

ଦିଲ୍ଲୀ ରାଜରାସ୍ତାର ଟ୍ରାଫିକ ସତେ ଭୟଙ୍କର। ଗାଡି ଚାଲିବା ଅପେକ୍ଷା ସିଗ୍ନାଲରେ ରୁହେ ଅଧିକ। ଅଫିସ ସମୟରେ ଏଇ ଜନ ସମୁଦ୍ର ର ସ୍ରୋତ ଆହୁରି ସଙ୍ଗୀନ। ଶ୍ରେୟା ନିଜ ଗାଡି ଭିତରେ ବ୍ୟତିବ୍ୟସ୍ତ। ଆଜି ଅସୁସ୍ଥତା ହେତୁ ବିଭୁଙ୍କ ବିନା ଉପସ୍ଥତି ରେ ପ୍ରଥମ ଥର ପାଇଁ କରିବେ ସେ ଅସ୍ତ୍ରୋପଚାର ଏକାକୀ । ମନରେ ଟିକିଏ ନର୍ଭସନେସ୍।

ସେ ଜାଣନ୍ତି ବିଭୁଙ୍କୁ ଆଉ ତାଙ୍କ କର୍ତବ୍ୟନିଷ୍ଠ ଜୀବନକୁ। ରୋଗରେ କବଳିତ ହେଇ ଅସହାୟ ହେଇଯିବା ଫଳରେ ଆଜି ଏମିତି ଘରେ ରହିବାକୁ ବାଧ୍ୟ ହେଲେ। ଏଇତକବି ସ୍ୱଇଚ୍ଛାରେ ନୁହେଁ କେବଳ ଶ୍ରେୟାଙ୍କ ପ୍ରତିରୋଧ ସକାଶେ। ନହେଲେ ସେ ଠିକ ଜାଣନ୍ତି ଯଦି ବିଭୁ ଏକା ଥାନ୍ତେ ନିଶ୍ଚିନ୍ତ ଅସ୍ତ୍ରୋପଚାର ପାଇଁ ଚାଲି ଯାଇଥାନ୍ତେ ନିଜ ଶରୀର ଉପରେ ଅତ୍ୟାଚାର କରି। ଏମିତି ରାତି ରାତି ସେବାରେ ନିଜକୁ ନିମଜ୍ଜିତ କରି ତ କିଣିଛନ୍ତି ଆସୁସ୍ଥତା। ଏୟାରଫୋର୍ସ୍ ରେ ଥିବା ସମୟରେ କେତେ ମାନପତ୍ର ତାଙ୍କର କର୍ତବ୍ୟନିଷ୍ଠା ପାଇଁ।....

ଗାଡିର ଗତି ସହ ତାଳ ଦେଇ ଶ୍ରେୟାଙ୍କ ମନର ଗତି। ସେଇ ବିଭୁଙ୍କ ବିଶ୍ୱାସ ଉପରେ ସଫଳତା ସହ ନିଜକୁ ପ୍ରତିପାଦନ କରିବାର ଅଛି ଆଜି। ସଫଳ ଭାବେ ସେଇ ରୋଗୀଟିକୁ ନବ ଜୀବନ ଦେବାର ଅଛି। ଆଉ ଶ୍ରେୟା ତାହା ନିଶ୍ଚିନ୍ତ କରିବେ।

ମଣିଷ ନିଜେ ନିଜର ନିର୍ଣ୍ଣାୟକ। ନିଜକୁ ସର୍ବ ସମୂଖ୍ୟରେ ଶ୍ରେଷ୍ଠ ପ୍ରତିପାଦନ କରିବା ପାଇଁ ପ୍ରଥମେ ନିଜ ଭିତରେ ସେଇ ଆତ୍ମବିଶ୍ବାସ ଜାଗିବା ଜରୁରୀ। ନିଜକୁ ବେଷ୍ଟ କହୁଥିବା ମଣିଷ ସଭିଙ୍କ ସମ୍ମୁଖରେ ଶ୍ରେଷ୍ଠ ହେଇଯାଏ ସାବଲୀଳ ଭାବରେ। ସେମିତି ଅପ୍ରତିହାତ ଆତ୍ମବିଶ୍ବାସ ଶ୍ରେୟାଙ୍କ ଭିତରେ ।

ଫୋନ୍ ରେ ବିଭୁଦତ୍ତ , ସତରେ ବୁଝିପାରର୍ନ୍ତି ଶ୍ରେୟାଙ୍କ ମନୋଦଶା।

" ବେଷ୍ଟ ଅଫ ଲକ୍ " କହି ଭରି ଦେଲେ ଶ୍ରେୟାଙ୍କ ଭିତରେ ଅଜସ୍ର ସାହସ ଓ ଅପୂର୍ବ ସ୍ଥିରତା। ହଜିଗଲା ସବୁ ନର୍ଭସନେସ୍। ତାଙ୍କର କେଇପଦ କଥା ଶେୟାଙ୍କ ପାଇଁ ସତେ ଯେମିତି ଈଶ୍ୱରଙ୍କ ଆଶୀର୍ବାଦ।

***********

ଇନ୍ଦିରାଗାନ୍ଧୀ ଏୟାରପୋର୍ଟ ୬୨ ମିଲିୟନ୍ ଜନ ସମୁଦ୍ର ଧାରୀ ଗୋଟେ ବିଶାଳ ସୃଷ୍ଟି।ତିନି ତିନିଟା ଟର୍ମିନାଲକୁ ନେଇ ଗଢ଼ା ଗୋଟେ ଛୋଟ ପୃଥିବୀ। ସେଇ ଭିଡ଼ ଭିତରେ ଏତେ ବର୍ଷ ପରେ କେମିତି ଚିହ୍ନିବି ତୁମକୁ ?...

ଗୌହାଟୀରୁ ଦିଲ୍ଲୀ ପ୍ରତିଦିନ ଆସୁଛି ୪୨ ରୁ ଉର୍ଦ୍ଧ୍ବ ଫ୍ଲାଇଟ୍। ଏୟାର୍ ଇଣ୍ଡିଆ, ଏୟାର୍ ସହାରା, ସ୍ପାଇସ୍ ଜେଟ୍, ଇଣ୍ଡିଗୋ, ଜେଟ୍ ଏୟାର୍ ୱଜ୍ ଏମିତି ଅନେକ। ତୁମେ ବ୍ୟସ୍ତତା ଭତିରେ ଜଣେଇ ନାହଁ କେଉଁଥିରେ ଆସୁଛ। କୁହ ତୁମକୁ କିପରି ପାଇବି ??......

ସବୁଠୁ ବିଚିତ୍ର ଘଟଣା କିନ୍ତୁ କହିନାହିଁ ତୁମକୁ।ମୁଁ ନିଜେ ଡାକ୍ତର କିନ୍ତୁ ତୁମ ନିକଟବର୍ତ୍ତୀ ହେବାକୁ ହେଲେ ସବୁବେଳେ ମୋତେ ଅସୁସ୍ଥ ହେବାକୁ ହୁଏ। ହାସିମରାରେ ଥିବା ସମୟରେ ତୁମ ପାଇଁ ଗୋଟେ ଛୁଟି ନେବାର ଏକମାତ୍ର ଉପାୟ ଥିଲା ମୋ ଅସୁସ୍ଥତା , ଆଉ ଆଜି ଦେଖ କୋଡିଏ ବର୍ଷ ପରେବି ମୁଁ ଗୋଟେ ନୂଆ ଉପାୟ ଆବିଷ୍କାର କରିପାରିନାହିଁ । ବୁଝୁନ କିଆଁ ତୁମ ପାଇଁ ମୁଁ ଆଜି ଶ୍ରେୟା ନିକଟରେ ନିଜକୁ ମଧୁମେହଗ୍ରସ୍ତ ମଣିଷ ଭାବେ ସଜେଇ ଆସିଛି। ତୁମ ନିକଟବର୍ତ୍ତୀ ହେବା ପାଇଁ ବୋଧେ ମୋତେ ସୃଷ୍ଟିର ସବୁଠୁ ସୁଖଦ ଅସୁସ୍ଥତାର ସାହାରା ନେବାକୁ ଅଛି ସାରା ଜୀବନ।

ପକେଟ୍ ରେ ସାଇତା ହେଇଛି ସେଇ ମେଲ୍ ର ଗୋଟେ ପ୍ରିଣ୍ଟ ଆଉଟ୍ । ଛାତି ପାଖରେ ସେଇ ନିର୍ଜୀବ ଵସ୍ତୁ ଟି ସୃଷ୍ଟି କରୁଛି ଗୋଟେ ଅତୀନ୍ଦ୍ରିୟ ଅନୁଭବ। ଗୋଟେ ଅବ୍ୟକ୍ତ ଆକର୍ଷଣର ଉନ୍ମାଦନା। କାହିଁକି ଏ ସ୍ଥିତି ବୁଝେଇବା ଜରୁରୀ ନୁହେଁ। ଜୀବନର ସବୁ ଘଟଣା କାହିଁକି ଶବ୍ଦର ମୋହତାଜ ନୁହଁନ୍ତି। କିଛି ସମ୍ପର୍କ ପ୍ରଶ୍ନ- ଉତ୍ତର ବଳୟ ଉର୍ଦ୍ଧ୍ବରେ।

***********

ଅନେକ ମେଲ୍ ଆସେ ତାଙ୍କ ନିକଟକୁ , ଗୋଟେ ପ୍ରସିଦ୍ଧ ଚିକିତ୍ସକଙ୍କ ପାଖକୁ। କିନ୍ତୁ ସେଇ ମେଲ୍ ଥିଲା ସ୍ୱତନ୍ତ୍ର। ସମ୍ବୋଧନ ରେ ଡିଅର୍ ଡକ୍ଟର କିମ୍ବା ରେସ୍ପେକ୍ଟେଡ ସାର୍ ନଥିଲା ଥିଲା '' ବିଭୁଦା'' ହଁ ଏଇ ସମ୍ବୋଧନ କେବଳ ଜଣେ କରିପାରେ । ପୌଷା ହଁ ତା' ବ୍ୟତୀତ ଆଉ କେହି ନୁହେଁ । ଜୀବନର ସୟାହ୍ନ ରେ ପୌଷା ତାଙ୍କ ସାହରରେ ଲୋଡିଛି ତାଙ୍କୁ। କ'ଣ ଚାହେଁ ସେ , କାହିଁକି ଆସିଛି , କେଉଁ କାରଣରୁ ଆଜି ଏତେ ବର୍ଷ ପରେ ଏସବୁ ପ୍ରଶ୍ନର ଅସ୍ତିତ୍ୱହିଁ ନାହିଁ ବିଭୁଙ୍କ ପାଖରେ। ଯଦି କିଛି ଅଛି ତାହା କେବଳ ଆଉ କେବଳ ଗୋଟେ ଅଦୃଶ୍ୟ ଆକର୍ଷଣ।

'' ତୁମ ମେରେ ହୋ

ଇସ୍ ପଲ୍ ମେରେ ହୋ

କଲ୍ ସାୟଦ

ଏ ଆଲମ ନା ରହେ ....

..................

ମେ ଫିରଭି

ତୁମକୋ ଚାହୁଙ୍ଗା "......

ପରିଚିତ ଚଳଚ୍ଚିତ୍ର ଗୀତ ଏଫ୍ ଏମ୍ ରୁ ଶୁଭୁଛି ବିଭୁଙ୍କୁ ଆଉ ଦେଉଛି କିଛି ବିଶେଷ ଉତ୍ସାହ କାରର ଗତିକୁ ଆହୁରି ଦ୍ରୁତ କରିବା ପାଇଁ ।

************

ହାତରେ ''ପୌଷାଲୀ ସାନ୍ୟାଲ୍ " ଲେଖା ଥିବା ନେମ୍ପ୍ଲେଟ ଧରି ପ୍ରତୀକ୍ଷାରେ ବିଭୁ। ହଁ ଶକ୍ତି ତରଙ୍ଗ ଆଜି ଖୁବ୍ ସମର୍ଥ୍ୟ ଯୋଡ଼ି ଦେଇପାରେ ହୃଦୟକୁ ଅଚିରେ। ଫୋନ୍ କରି ପୌଷା ଜଣେଇ ଦେଇଛନ୍ତି ସେ ଆସୁଛନ୍ତି ଇଣ୍ଡିଗୋ ଏୟାରଲାଇନ୍ ଯୋଗେ । ଆଉ ମଧ୍ୟ ନିଜ ବେଶଭୂଷାର ବର୍ଣ୍ଣନା କରି ବୁଝେଇ ଦେଇଛନ୍ତି। ତେଣୁ ସବୁ ଶଙ୍କା ଆଶଂକାର ପରିସମାପ୍ତି ଘଟିଛି ଆଉ ଏବେ କେବଳ ପ୍ରତୀକ୍ଷା।

ଓଃ ହୃତସ୍ପନ୍ଦନ ଦ୍ରୁତ ହେଇଗଲା ଯେବେ ଦେଖିଲେ ଏୟାର୍ ବସ୍ ଭିତରୁ ବାହାରି ଆସୁଥିବା ଉତ୍ତର ବୟସର ପୌଷା ଭିତରେ ସୁସ୍ପଷ୍ଟ ସେଇ ଅନୁଢା କିଶୋରୀର ପ୍ରତିଛବି। ଟିକିଏବି ପରିବର୍ତ୍ତନ ହେଇନି ଯେମିତି!

ଯେବେ ନିକଟବର୍ତ୍ତୀ ହେଲେ ପୌଷା' ଦେଖୁଥିଲେ ସେ ଘନ କେଶର କେବଳ ଆକୃତି ବଦଳି ଯାଇଛି ଆକର୍ଷଣ ନୁହେଁ ! ଉଜ୍ଜ୍ବଳ ମୁହଁର ରଙ୍ଗ କମି ଯାଇଛି କିନ୍ତୁ ରୋମାଞ୍ଚ ନୁହେଁ !ତନୁ ପାତେଳି ଦେହର କାୟା ବୃଦ୍ଧି ହେଇଛି କିନ୍ତୁ କୌତୁହଳ କମିନି!

ଯେଉଁ ଅଜଣା ଆନ୍ଦୋଳିତ ଭାବ ଥିଲା ଆଜିକୁ କୋଡିଏ ବର୍ଷ ପୂର୍ବେ ଠିକ ସେମିତି ସ୍ପାର୍କ ଅଛି ସାଇତା ହେଇ ।

ଲାଲ ରଙ୍ଗର ଶାଢୀ ଭିତରେ ପୌଷା ଲାଗୁଛନ୍ତି ଖୁବ୍ ନିଜର। ବିଶ୍ଵାସ ହେଉନାହିଁ ନିଜ ଆଖିକୁ , ଆଜିବି ମନେ ରଖିଛନ୍ତି ସେ ଲାଲ ରଙ୍ଗ ତାଙ୍କର ପସନ୍ଦ ଓଃ!

ସାରା ପୃଥିବୀର ପ୍ରତ୍ୟକ ମଣିଷ ପ୍ରେମକୁ ହିଁ ନିଜ ଜୀବନ ସଙ୍ଗିନୀ କରିବା ଉଚିତ । ପ୍ରେମୀ ସେଇ ମଣିଷ ଯେ ବୁଝିପାରେ ହୃଦୟକୁ ଗଭୀର ଭାବେ ଆଉ ସାଇତି ପାରେ ସବୁ ସ୍ୱପ୍ନ ସୁରକ୍ଷିତ ଭାବେ।ସେମିତି ସହଚାର୍ଯ୍ୟ ମିଳିଗଲେ ପୂର୍ଣ୍ଣ ହେଇଯିବ ଜୀବନ ପାତ୍ର।

ପୌଷାଲୀ କିନ୍ତୁ ଖୋଜୁଥିଲେ ନିଜ ଇପ୍ସିତଙ୍କୁ ଆଉ ଆଖି ପହଁରେଇ ନେଉଥିଲେ ସବୁଠି। ଇସ୍ ବିଭୁ ଆସିଛନ୍ତି , ହାତରେ ତାଙ୍କ ନାଁକୁ ନେମ୍ପ୍ଲେଟ୍ ରେ ସଜେଇ। କାଶ ଏଇ

ସତସାହସ କରିଥାନ୍ତେ ଆଜିକୁ କୋଡିଏ ବର୍ଷ ପୂର୍ବେ। ତେବେ ବିଭୁଙ୍କ ହାତରେ ପୌଷାଲୀଙ୍କ ନାଁ ଲେଖା ନେମ୍ପ୍ଲେଟ୍ ନୁହେ ପୌଷାଲୀଙ୍କ ହାତ ରହିଥାନ୍ତା ଆଶ୍ଲେଷରେ ଜଡେଇ ହେଇ।

ସ୍ମିତ ହାସ୍ୟ ଦେଇ ପାଛୋଟି ନେଲେ ବିଭୁ ଆଉ ଜୀବନରେ ପ୍ରଥମ ଥର ପାଇଁ ହାତ ଧରି ସାଥିରେ ନେଇ ଯିବାକୁ ଉପକ୍ରମ କଲେ। ପୌଷ ଦୀପାବଳୀର ଅଗଣିତ ଆଲୋକ ସମ୍ଭାର ବିଭୁଙ୍କୁ ଭେଟି ଦେଇଥିଲେ ପୌଷାଲୀ ପୁଣି ଥରେ।

*ସୌମ୍ୟା*

ଶ୍ରେୟା ବିଭୁ ପୌଷାଲୀ

Rate the content


Originality
Flow
Language
Cover design

Comments

Post

Some text some message..