Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Satyabati Swain

Others

3  

Satyabati Swain

Others

ଅନିଭା ଖୋଜୁଛି

ଅନିଭା ଖୋଜୁଛି

5 mins
558


ଅନିଭା ଖୋଜୁଛି ତା ଗାଁ କୁ।ହେଲେ ତା ଗାଁ କାଇଁ?ଇଏତ ଗୋଟିଏ ଛୋଟ କାଟିଆ ବଜାର ହୋଇ ଯାଇଛି!! ପିନ୍ ପିନ୍ ପିଚୁ ରାସ୍ତା ଦୁଇ କଡେ ଛାତ ଘର ଗୁଡ଼ିକ କ୍ରିମ ପାଉଡର ଲଗାଇ ନୂଆ ବାହା ହୋଇ ଥିବା ବୋହୁ ପରି ଲାଗୁଛନ୍ତି। ଅନେକ ବର୍ଷ ପରେ ପାଦ ଥାପିଛି ତା ଗାଁରେ ସେ। ସେଇ ଯେ କୋଡିଏ ବର୍ଷରୁ ବାହା ହୋଇ ସିଙ୍ଗାପୁର ଯାଇଛି ଓମ୍ ସାଇ ସଙ୍ଗେ ଯେ ଯାଇଛି। ସାଇ ତାକୁ ଆଦୌ ଗାଁ କୁ ଆଣନ୍ତି ନାହିଁ। ମଲ୍ଟି ନେସନାଲ୍ କଂପାନୀ ସଙ୍ଗେ ସେ ତିରିଶ ବର୍ଷିଆ ଚୁକ୍ତି କରିଛନ୍ତି ଜବ୍ ପାଇଁ। ଛୁଟି ନାହିଁ ଆଦୌ। ସବୁବେଳେ ନୂଆ ନୂଆ ପ୍ରୋଜେକ୍ଟ କାମରେ ସାଇ ବିଜି।ଖାଇବା ପିଇବାକୁ ବି ତାର ଟାଇମ ନାହିଁ। ଅନିଭାର ବି ଝିଅ ଓ ପୁଅଟିଏ। ଅନିଭା ପିଲା, ଘର ଓ ଅନ୍ୟାନ୍ୟ ସମସ୍ତ ଦାୟିତ୍ୱ ବୁଝେ। ମେସିନ୍ ପରି କେବଳ କାମ ଓ ପଇସା ରୋଜଗାର କରିବା ନିଶା ଗୋଲଡ଼ ମେଡାଲିଷ୍ଟ୍ ଓମ୍ ସାଇର। ଯେଉଁଟା ଅନିଭାର ଆଦୌ ପସନ୍ଦ ନୁହେଁ। ପିଲା ମାନେ ଟିକେ ବଡ଼ ହୋଇ ଯିବାରୁ ଜିଦ୍ କରି ଗାଁ କୁ ଆସିଛି ରଜକୁ। ରଜ,ଦୋଳ ଓ କୁମାର ପୂର୍ଣ୍ଣିମାର ମଜା କିଛି ନିଆରା। ରଜକୁ ଏତେ ବର୍ଷ ପରେ ମନ ଭରି ଉପଭୋଗ କରିବ ବୋଲି ଖୁସିରେ ଆତ୍ମହରା।


    ଭିଜା ମାଟିର ଗନ୍ଧରେ ଟିକେ ଭିଜିବ,ମଜିବ।କିନ୍ତୁ ସେ ଯାହାକୁ ଖୋଜୁଛି ସେ କାଇଁ!!କାଇଁ ସେ ଦଇଆ ଅଜା ଘର ତେନ୍ତୁଳି ଗଛ! ବାଉଁଶ ଦୋଳି ସେ ଗଛରେ ଲଗାଇ ଗାଁ ଗୋଟାକ ଯାକ ଝିଅ କି ଫିଙ୍ଗା ମାରନ୍ତି!! ଦୋଳି ଗୋଟିଏ କାଇଁ ନାହିତ!!ପ୍ଲାଷ୍ଟିକ ଦଉଡ଼ି ଦୋଳି ବାରଣ୍ଡାରେ କରି ଝୁଲୁଛନ୍ତି କେତୁଟା କୁନି ଛୁଆ।


   ଦଧି ବାମନ ବାଡ଼ିର ଲୁଣୁ ପେଟି,କବାଡି,ବାଗୁଡି ଖେଳର ଘୋ ଘା ଶୁଭୁନି ତ! କିଏ ଦୋକାନ ଆଗରେ କିଏ ମଟର ସାଇକେଲ ଉପରେ,କିଏ ଠାକୁର ମଣ୍ଡପରେ ବସି ବା ଘର କୋଣେ ଟପ୍ ଟପ୍ କରୁଛନ୍ତି ଫୋନ୍ ରେ ଖେଳ!


       ପାହାନ୍ତାରୁ ଉଠି ଗାଧୁଆ ବି ନାହିଁ। ସୂର୍ଯ୍ୟ ଆସି ଡାକିବାରୁ ଅଳସ ଭାଙ୍ଗି ଉଠୁଛନ୍ତି ଝିଅ ବୋହୁ। ପୋଡ଼ ପିଠା କାହିଁ ଯେ। ଛକ ଦୋକାନରୁ ଇଟିଲ ଗୁଗୁନି କିଣା ହୋଇ ଆସିଛି।


   ମନେ ପଡ଼ିଲା ଅନିଭାର। ସେ ବାହା ହୋଇ ନଥିଲା ।ବୋଉ, ସେ ଓ ତାର ଆଉ ଗୋଟିଏ ଭାଇ ଭଉଣୀକୁ ନନାଙ୍କ ହାତରେ ଟେକି ଦେଇ ଆର ପାରିକୁ ଚାଲିଗଲା। ନନା କକା ମିଶି ଚାରି ଭାଇ। ନନା ବଡ଼।ପହିଲି ରଜ ପୂର୍ବ ଦିନ ସାନ ଖୁଡି ଡକା ପାରିବେ ଆଲୋ ଉଠ୍ ଲୋ ରାତି ପାହିଯିବ,ଶୀଘ୍ର ଶୀଘ୍ର ଗାଧୋଇ ପଡ଼।ତେଲ ହଳଦୀ ଲଗାଅ।ଯାଅ ନୂଆ ପିନ୍ଧ,କୁକୁମ ଚନ୍ଦନ

,ମେହେନ୍ଦି,ଅଳିତା ଲଗାଅ। ପୋଡ଼ ପିଠା ଖାଅ। ରଜ ପାନ ଖାଅ। ସାଙ୍ଗ ସାଥି ହୋଇ ବୁଲି ଯାଅ ବନ୍ଧୁ ଘର।

      ଆଃ ସେ ପୋଡ଼ ପୀଠର କି ବାସ୍ନା ! କଦଳୀ ପତ୍ର ଉପରେ ପଲମରେ ଥୁଆ ହୁଏ ଜନ୍ତନି। ଜନ୍ତନିରେ ପଡିଥାଏ ପାତି ନଡ଼ିଆ,ଅଦା,ଗୁଜୁରାତି,ଓ ଛେନା । ଗୁଡ ଯନ୍ତା ନାଲି ନାଲି ଦେଖାଯାଏ ଶୋଦୁଅ। ନହ ନହ ବାଜୁଥିବ କାଟିଲା ବେଳକୁ। ଖୁଡି ଖଣ୍ଡ ଖଣ୍ଡ କାଟି କୁଳାରେ ଥୋଇଦେବେ।ଆମେ ଚାରି ନନା ଙ୍କ ଛଅ ଝିଅ ପୁଅ।ସାନ କକାଙ୍କର ପିଲା ପିଲି ନାହାନ୍ତି। ଯାଉଁ ଆସୁ ଖାଉଥିବୁ ପିଠା।ତାପରେ ସଜ ବାଜ ହୋଇ ହାଜର ହୋଇ ଯିବେ ସମସ୍ତେ ଦୋଳି ପାଖେ। କି ଫିଙ୍ଗା କି ଗୀତ!!ନାହିଁ ସେଇ ତେନ୍ତୁଳି ଗଛ ନାହିଁ ସେଠି ଗହଣ କି ଦୋଳି।ରଜ ପାନ ଖାଇ ପାଟି ଦିଶୁଥିବ ନାଲି ଟହ ଟହ।


       ଖରା ବେଳକୁ ମାଂସ ଭାତ ତା ସାଙ୍ଗକୁ ପାଚିଲା ଆମ୍ବ। ଖରାବେଳ ସାରା ତାସ, କଉଡ଼ି ପାଲି ଖେଳ ରଜ ହେଁସରେ।ବିଲୁଆ ବୋବାଇଲେ ଖିଆ ହେବ ନାହିଁ।ଏଣୁ ସନ୍ଧ୍ୟା ପୂର୍ବରୁ ଖାଇଦେବା ଥୟ।ଏବେ ସେ କଥା କଣ ଅଛି!

    ଅନିଭା ଦରାଣ୍ଡୁଥିଲା ତା ପିଲା ବେଳ ଘର ଓ ବାଡ଼ି।ଗୋଟିଏ ଘର କାନ୍ଥରେ ଥିଲା ଛଅ ଭାଇ ଭଉଣୀଙ୍କର ଷଠିଦୁତି ଘର। ଏନ୍ତୁଡ଼ିର ଷଷ୍ଠୀ ଦିନ ଷଠି ଘର ପଳା ଯାଏ।କାଦୁଅ ଉପରେ କଉଡ଼ି ପୋତି ଘର କରାଯାଏ।ଅନିଭା ହାତ ମାରି ଅନୁଭବ କରିବାକୁ ଚେଷ୍ଟା କଲା ଷଠିଘରକୁ। ସେଠି ଥିଲା ଭାଇ ପୁଅର ବହି ଥାକ।ରଙ୍ଗ ଦିଆ ପ୍ଲାଷ୍ଟର ଘର।ନାହିଁ ମାଟି ଘର କିବା ନାହିଁ ଷଠି ଘର।ଦୁଇ ମହଲା କୋଠା ତଳେ ଅଣନିଃଶ୍ଵାସୀ ହୋଇ ମୃତ୍ୟୁକୁ ଅପେକ୍ଷା କରିଛି ପରମ୍ପରା। ଏବେ ଏସବୁ ଆଉଟ୍ ଡେଟେଡ୍ ।


      ବାଡିର ଆମ୍ବ, ପଣସ କି ଚାକୁଣ୍ଡା ଗଛ ଗୋଟିଏ ନାହିଁ।ମେଲା ଉଦା ଦେଉଛି ବାଡ଼ି।ଖରା ଦିନ ଆମ୍ବଗଛ ମୂଳେ ଯେଉଁ ମଜା।ଓଃ ଆମ୍ବ ଝାଲ,କଇଁଆ ପଣାର ସୁଡୁକାର କି ସ୍ୱାଦ!!ସବୁ କେମିତି ଏ ଯୁଗର ପିଲାଙ୍କ ପାଇଁ ସ୍ବପ୍ନ।


      ଟିକେ ଗାଁ ଆଡେ ବୁଲି ଗଲା। ଗାଁ ଶେଷ ମୁଣ୍ଡ ଛକରେ ଥିଲା ବିରାଟ ଅଶ୍ୱତ୍ଥ ଓ ବର ଗଛ। ସେମାନେ କାଳେ ବର କନିଆଁ। ଶାମା ଦାଦା ଓ ବିମଳ ଭାଇଙ୍କ ପୁଅଝିଅ ନହେବାରୁ ସେ ଗଛ ଦୁଇଟିକୁ ସେମାନେ ବର ପିତା ଓ କନିଆଁ ପିତା ହୋଇ ବାହା କରାଇଥିଲେ ପିଲା ପିଲି ହେବ ଆଶାରେ।ସେବେଠୁ ସେ ଗଛକୁ ପୂଜା କରୁଥିଲେ ଲୋକେ।ସେଇ ଗଛ ତଳେ ବଡ଼ ଚଉରାଟିଏ ହୁଏ କାର୍ତ୍ତିକ ମାସ ପଞ୍ଚୁକରେ।ସବୁ ଯାକ ଝିଅ ଆସି ଏକାଠି ରୁଣ୍ଡ ହୋଇ ବାଲୁଗାଁ ପୂଜା କରୁଥିଲେ।ଖୋଜିଲା ଅନିଭା ସେ ଚଉରା।ପାଇବ କେଉଁଠୁ?ସେ ଗଛ କାଟି ଶାଢ଼ୀ, ଚପଲ ଓ ସେଲୁନ ଦୋକାନ ହୋଇଛି।ଭାରି ବ୍ୟସ୍ତ ଲାଗିଲା ଅନିଭାକୁ।


    ଆଉ ଟିକେ ଆଗକୁ ଗଲା।ଗାଁ ସ୍କୁଲ।ସେଇଠି ଗୋଟିଏ ଘରେ ଦୁଇ ଜଣ ସାର୍ ପାଞ୍ଚଟି ଶ୍ରେଣୀ ପଢ଼ାଉଥିଲେ।ଚାଳ ଛପର ଘର,ବରଡା ତାଟିଦ୍ୱାରା ପାର୍ଟିସନ ଘର। ସେ ପଟ ପାଠ ଏପଟକୁ ଓ ଏପଟ ପାଠ ସେ ପଟକୁ ଶୁଭୁଥିଲା।ସେଠି ଏବେ ପିଲାର୍ ଉପରେ ଠିଆ ଢ଼ାଉଆ ରଙ୍ଗର କି ସୁନ୍ଦର କୋଠା!।ସେତେବେଳେ ସେ ଚାଳ ଘରେ ପାଠ ପଢି ଅନିଭା ଗାଁର ଦୁଇଜଣ ଡାକ୍ତର, ପାଞ୍ଚ ଜଣ ଇଂଜିନିୟର,ତିନି ଜଣ ଶିକ୍ଷକ ଆଉ କେତେ ଗ୍ରାଜୁଏଟ ବାହାରି ବିଭିନ୍ନ ପ୍ରଶାସନିକ କ୍ଷେତ୍ରରେ ଉଲ୍ଲେଖନୀୟ ପାରଦର୍ଶିତା ଦେଖାଇଥିଲେ। ହେଲେ ଆଜି ସବୁ ଅଛି, ସ୍କୁଲରେ ନାହାନ୍ତି ପିଲା।ପ୍ରତି ବର୍ଷ ଡାକ୍ତର ,ଇଂଜିନିୟର ବାହାରୁଥିବା ଗାଁରୁ ଭଲ ନମ୍ବର ରଖି ମେଟ୍ରିକ ଟାଏ ବି କେହି ପାସ୍ କରୁ ନାହାନ୍ତି!!


        ତା ଆଗକୁ ଗୋଠେଶ୍ବର ପୋଖରୀ।ବହୁତ ବଡ଼।ବାପା କୁହନ୍ତି କୋଡିଏ ଏକର ଉପରେ ଠିଆ।ଏପଟୁ ସେ ପଟକୁ ଆଖି ପାଏ ନାହିଁ।ନାଲି ପଦ୍ମରେ ହସୁଥାଏ।ଖରା ଦିନେ ଏଇ ପୋଖରୀ ସବୁରି ସାହା ଗାଧୋଇବା ପାଇଁ।ଏ ପୋଖରୀରେ ଝର ଥିଲା। ଏଣୁ ଆଦୌ ଶୁଖେନି। ପଶ୍ଚିମ ପଟେ ଗୋଟେ ତୁଠ। ଦଶ ଆଦି ଅଶୌଚ କାମ କରିବା ପାଇଁ। ଏବେ ପୋଖରୀଟି ପୋତି ହୋଇ ପଡ଼ିଛି।କଟକୀ ଦଳ ଭର୍ତ୍ତି।


   ଗାଁ ମଶାଣୀ ନାଁ ଶୁଣିଲେ ଭୟ ଟିଏ ପଶୁଥିଲା ଛାତିରେ।କିଆ ବଣ ଭିତରେ ବିରାଟ ଦଣ୍ଡା। ସେଇଠି ଲୋକେ ମଲେ ପୋଡା ହେଉଥିଲେ।ହେଲେ ଏବେ, ଦଣ୍ଡା କେଉଁଠି ଚିହ୍ନି ହେଉ ନାହିଁ।ତାଡି ତୁଡି ଚାଷ ଜମି କରି ଦେଲେଣି।ଅନ୍ୟ କଡେ ଲୋକେ ଗାଁରୁ ଉଠି ଆସି ଦଶ ବାରଟି କୋଠା କରିଦେଲେଣି।


       ଯାହା ଖୋଜୁଥିଲା ଅନିଭା କେଉଁଥିରେ ଗାଁ ଗାଁ ବାସ୍ନା ନ ପାଇ ଫେରି ଆସିଲା। ମାଗୁଆ ମଉସାଙ୍କୁ ପଚାରିଲା ଭାଗବତ ଘର କାହିଁ? ମଉସା ଦେଖାଇ ଦେଲେ ଗୋଟେ ନାଲିଆ ପତାକା ଉଡୁଥିବା କୋଠା।କାନ୍ଥରେ ଲେଖା ଯାଇଥିଲା କିଏ କରିଛନ୍ତି ବୋଲି।


        ଔଷଧ ଦୋକାନ ଠାରୁ ଆରମ୍ଭ କରି ସବୁ ସୁବିଧା ଗାଁରେ ଲୋକଙ୍କ ଗୋଡ଼ ପାଖରେ।ଆଉ କଷ୍ଟ କରି ଶହେ କୋଶ ସାଇକେଲ ପେଲି ଯିବାକୁ ପଡୁନାହିଁ।ସକାଳ ମଧ୍ୟାହ୍ନ ଓ ରାତି ଏପରି ତିନୋଟି ବାସ୍ ବି ଯିବା ଆସିବା କରୁଛି ଗାଁ ଦାଣ୍ଡେ ନିତି। ବିଜୁଳି ଆଲୁଅରେ ଝଲସୁଛି ଗାଁ।ରାତି ଦିନର ଭ୍ରମ ସୃଷ୍ଟି କରୁଛି।ଗାଁ ଟା ପୁରା ପୁରି ସହର ସହର ବାସୁଛି।


         ଆଗେ ବଡ଼ ଲୋକୀ ଠଉରଉ ଥିଲେ ଦାଣ୍ଡରେ ବନ୍ଧା ବଳଦ ଓ ବାଡ଼ି ଧାନ ଥିବା ପାଳ ଗଦାକୁ ଦେଖି।ଏବେ କାହା ଦାଣ୍ଡ ଆଗରେ ବଦଳ ନାହିଁ।କାଁ ଭାଁ ଗାଈ ଗୋଟେ ଦିଟା ବନ୍ଧା ହୋଇଛନ୍ତି।ହଳ ଲଙ୍ଗଳ ଜୁଆଳି ପାଞ୍ଚଣ ବି ନାହିଁ। ଟ୍ରାକ୍ଟରରେ ସମସ୍ତେ ଚାଷ କରୁଛନ୍ତି।କିଏ ଅଛନ୍ତି ଯେ ଚାଷ କରିବେ!।ସମସ୍ତେ ସହର ପ୍ରେମରେ।ଲୋକେ ସହରରେ କୁଲି ଗିରି କରୁଛନ୍ତି ପଛେ ନିଜ ଜମି ଚାଷ କରିବାକୁ ଅମଙ୍ଗ।ହାତ ଗଣତି କେଇ ଜଣ ପ୍ରଥା ପରମ୍ପରା ବଞ୍ଚେଇ ରଖିଛନ୍ତି ଯାହା।


      ସାନ କକା କହୁଥିଲେ ଗାଁ ଗୋଟା ଯାକ ମିଶି ଯନ୍ତାଳ କି ଅଗି ଜଳା ପୁନେଇଁରେ ଅଗି ଜାଳୁ ନାହାନ୍ତି। ଗାଁ ରେ ରାଜନୀତି ପଶି ଫାଟ କରି ଭାଇଚାରା ଖାଇଯାଇଛି। ଭାଇ ଭାଇ ଭିତରେ ବାଡା ବାଡ଼ି,ମୁଣ୍ଡ ଫଟା ଫଟି ପାର୍ଟିକୁ ନେଇ। ଟିକେ ଟିକେ କଥାରେ କେସ୍ ଥାନା ଦଉଡା।ଆଉ ପଞ୍ଚାୟତ ବସି କିଛି ଫଇସଲା ହେଉନି।ଛକରେ ପଲିଥିନ ମଦ ସମସ୍ତଙ୍କୁ କାବୁ କରିଛି।ଗଞ୍ଜେଇ ଧୂଆଁ ଆକାଶକୁ ଶୀତ ରାତି କରି ଦେଉଛି। ଗାଁ ଆଉ ଗାଁ ହୋଇ ନାହିଁ। ସେ ପୁରା ସହର ନୁହେଁ କି ପୁରା ଗାଁ। ଅଧା ସହର ଅଧା ଗାଁ ଶରୀର ବହି ସେ ଜୋକର ପରି ଦିଶୁଛି।


  ଦେଶର ଆତ୍ମା କୁଆଡେ ଗାଁରେ ରୁହେ। ଗାଁ ଏବେ ବିକଳାଙ୍ଗ। ପୂର୍ବ ପୁରୁଷରୁ ଚାଲି ଆସୁଥିବା ପ୍ରଥା ପରମ୍ପରାର ଅବକ୍ଷୟ ହୋଇଗଲାଣି। ମାନବୀୟ ମୂଲ୍ୟବୋଧ ଆଉ କାହା ପାଖେ ନାହିଁ। ବିବାହ ବ୍ରତର ଉତ୍ସୁକତା ମରିଗଲାଣି। ଏବେତ ମଣ୍ଡପପରେ ବାହାଘର ବ୍ରତ ଘର ହେଉଛି। ଜନ୍ମ ଦିନରେ ଚାଉଳ ପିଠା ପରିବର୍ତ୍ତେ କେଇ ଦିନର ବାସି କେକ୍ ର ଭାରି ଆଦର।

ପୁଅ ବାପାକୁ ମାନୁନାହିଁ। ଗୁରୁଜନ ଖାତିର ନାହିଁ।ସମ୍ପର୍କରେ ଦେଣ ନେଣ ହିସାବ।ସେହ୍ନ ପ୍ରେମ ହିଁ ଜୀବନ।ପାରିବାରିକ ଜୀବନ ଓ ସମ୍ପର୍କ ହୁଗୁଳା।ଜୀବନ ବିପର୍ଯ୍ୟସ୍ତ।


   ଅନିଭା ମନ ଉଣା କଲା।ଏତେ ବର୍ଷ ପରେ ଆସିଲା ଯେଉଁ ଗାଁକୁ ଦେଖିବାକୁ ସେ କାହିଁ?ସଭ୍ୟତା ସୁଅରେ ଗାଉଁଳି ଚଳଣୀ, ପ୍ରଥା ,ପରମ୍ପରା, ଭାଇଚାରା,ସମ୍ପର୍କର ଗଭୀରତା ସବୁ ଭାସି ଗଲାଣି କେବେଠୁ।ସାମାଜିକ ଜୀବନକୁ ସୁଖମୟ ଶୃଙ୍ଖଳିତ କରୁଥିଲା ପ୍ରଥା।ପରମ୍ପରା ବଢ଼ଉଥିଲା ଦେଶ ଜାତିର ଗର୍ବ,ଗୌରବ ଓ ମହନୀୟତା।ସବୁକୁ ହଜାଇ ମଣିଷ ଏବେ ଧ୍ୱଂସ ପଥର ଯାତ୍ରୀ।

   ଆହା କୁଆଡେ ଗଲା ଅନିଭାର ଗାଁ!!!


Rate this content
Log in