ବୋଉର ଫେସବୁକ କବିତା
ବୋଉର ଫେସବୁକ କବିତା
ସରିତା ଦେବୀଙ୍କୁ ପ୍ରଥମେ ଭାରି ଅଖାଡ଼ୁଆ ଲାଗୁଥିଲା ଏଇ ସ୍ମାର୍ଟଫୋନ ଓ ଫେସବୁକ। ଗୋଟାଏ ଟିପରେ ଓଡ଼ିଆ ଅକ୍ଷର ଲେଖିଲା ବେଳକୁ ବିରକ୍ତ ବି ଲାଗୁଥିଲା। ସେଇଥିପାଇଁ ସେ ସ୍ମାର୍ଟଫୋନ ବ୍ୟବହାର କରୁନଥିଲେ।
ବିଦେଶରେଥିବାପୁଅ,ବୋହୁ,ଝିଅ,ଜୋଇଁ,ନାତି,ନାତୁଣୀଙ୍କ ଜିଦି ଆଗରେ ଶେଷରେ ହାର ମାନିବାକୁ ବାଧ୍ୟହେଲେ ସରିତା।
" ବୋଉ, ଆଜିକାଲି ସମସ୍ତେ ଏଇ ସ୍ମାର୍ଟ ଫୋନ୍ ବ୍ୟବହାର କଲେଣି।ପଡିଶା ଘର ଝିଅକୁ ଡାକି କଂପ୍ୟୁଟର ଅନ କରି ଆମସହ ସ୍କାଇ଼ପ୍ ରେ କଥାହେବା ଝଞ୍ଜଟ ଆଉ ଦରକାର ହେବନି।ଫୋନରେ ଟିପ ମାରିଦେଲେ ତୁ ଆମ ସମସ୍ତଙ୍କୁ ଦେଖିପାରିବୁ ଓ କଥାହେବୁ।"
ପୁଅ କଥା ସରୁସରୁ ବୋହୁ କହିଲା, " ମୋ ମମି ପରା ଦୁଇଟା ସ୍ମାର୍ଟଫୋନ୍ ରଖିଛି। ସେ ତ ଆପଣଙ୍କ ଠାରୁ ବୟସରେ ବଡ଼। ତା ଛଡ଼ା ଆପଣ ତ ଲେଖାଲେଖି କରନ୍ତି।ଫେସବୁକ ରେ ସବୁଦିନ କବିତା ଲେଖିପାରିବେ।ଅଧିକ ଲୋକ ପଢିପାରିବେ।"
ସରିତାଙ୍କୁ ଟିକେ ଝଟକା ଲାଗିଲା।ତାଙ୍କଠୁ ବୁଢ଼ୀ, ବୋହୂର ସେ ଫୁଲେଇ ବୋଉ,ତାଙ୍କ ସମୁଦୁଣି ,ଦୁଇଟା ସ୍ମାର୍ଟ ଫୋନ୍ ରଖିଛନ୍ତି !ସମୁଦୁଣି ତାଙ୍କୁ ଟପିଯିବ ? ନା, ଯାହେଉ ପଛେ,ସ୍ମାର୍ଟ ଫୋନ୍ ବ୍ୟବହାର କରିବାକୁ ପଡିବ ବୋଲି ଭାବିଲେ ସରିତା।
ଝିଅ ନିନି କହିଲା," ହଁ,ବୋଉ,ତୁ ଏଣିକି ସ୍ମାର୍ଟଫୋନରେ ଫେସବୁକ ଆରମ୍ଭ କର। ଆମେରିକାରେ ବି ଆମ ସାଙ୍ଗମାନେ ତୋ ଲେଖା ପଢି ଖୁସିହେବେ।"
ନାତି,ନାତୁଣୀ ଚାରିଜଣ ଦେଢ଼ମାସ ଛୁଟି ଭିତରେ ସରିତାଙ୍କୁ ସବୁ ଶିଖାଇଦେଲେ।ବେଶପଟା କରାଇ ତାଙ୍କର ଫଟ ଉଠାଇ ଫେସବୁକ ରେ ଲଗେଇଲା ନାତି।ଫ୍ରେଣ୍ଡ କେମିତି କରାଯିବ ତା ବି ବୁଝାଇଦେଲା ନାତୁଣୀ।ଫଟ ଓ ଲେଖା କିଭଳି ପୋଷ୍ଟ ହେବ ତା ବି ଜାଣି ଖୁସି ହେଲେ। ଧୀରେଧୀରେ ସରିତା ନିଜକୁ ଖାପ ଖୁଆଉଥିଲେ ସ୍ମାର୍ଟଫୋନ ଓ ଫେସବୁକ ସହ।
ଦୁଇଦିନ ତଳେ ,ସରିତାଙ୍କ କବିତା ବହିଟି ରାଜ୍ୟ ଏକାଡେମୀ ପୁରସ୍କାର ପାଇବା ଖବର ପ୍ରକାଶିତ ହେଲାପରେ ଫୋନକୁ ବିରାମ ନଥିଲା।ଛୁଟୁଥିଲା ଅଭିନନ୍ଦନ ବାର୍ତ୍ତା।
ନାତି,ନାତୁଣି ଶିଖାଇଥିବା ଉପାୟରେ, ନିଜ ପୁରସ୍କୃତ କବିତାବହିର ପୃଷ୍ଠାସବୁକୁ ମୋବାଇଲ ରେ ଫଟ ଉଠାଇ,ଫେସବୁକ ରେ ପୋଷ୍ଟ କରିଦେଲେ ସରିତା।
ଦିନକ ଭିତରେ ଦେଢ଼ହଜାରେ ଲାଇକ ଓ ଚାରିଶ କମେଣ୍ଟ।ସରିତାଙ୍କ ମନ ଖୁସିରେ କୁଣ୍ଢେମୋଟ। ଆମେରିକାରେ ଥିବା ପୁଅ,ଝିଅଙ୍କ ସାଙ୍ଗମାନେ ମଧ୍ୟ ଲାଇକ୍ ଓ କମେଣ୍ଟ କରିଥିଲେ। ଯାହାହେଉ ପିଲାଙ୍କ କଥା ମାନିଥିଲେ ବୋଲି ଆଜି ବିଦେଶରେ ତାଙ୍କ କବିତାର ଆଦର,ଚର୍ଚ୍ଚା ହେଉଛି।
ସଂଧ୍ୟା ବେଳକୁ ଝିଅର ଫୋନ୍, " ବୋଉ, ତୁ ପୁରା ବହିଟା ଫେସବୁକ ରେ କାହିଁକି ପୋଷ୍ଟ କଲୁ ? ତା ପୁଣି ଓଡ଼ିଆରେ ! ଏଠାର ମୋ ସାଙ୍ଗମାନେ ତୋ କବିତାସବୁକୁ ମୋତେ ପଢି ଶୁଣାଇବାକୁ କହୁଛନ୍ତି। ମୋ ପରି ସେମାନେ ମଧ୍ୟ ଓଡ଼ିଆ ସିନା କହିପାରୁଛନ୍ତି, ହେଲେ ଓଡ଼ିଆ ପଢି ପାରନ୍ତିନି।ହିନ୍ଦୀ ,ଇଂଲିଶ୍ ହୋଇଥିଲେ ଅସୁବିଧା ନଥିଲା।
"ତା ହେଲେ ,ତମେମାନେ ମୋ କବିତା କିଛି ନ ପଢି,ନ ବୁଝି, 'ୱା,'"ଭେରି ଗୁଡ଼ "," ସୁପର" ବୋଲି କମେଣ୍ଟ ଦେଉଛ ? ସରିତାଙ୍କ ପାଟିରୁ ବାହାରିପଡ଼ିଲା।
ଓହୋ, ବୋଉ ; ଡୋଣ୍ଟ ବି ଇମୋସୋନାଲ। ସୋସିଆଲ ମିଡିଆରେ ଏସବୁ କରିବାକୁ ପଡେ।ନହେଲେ ଅନ୍ୟମାନେ ଭାବିବେ ନିଜ ମା'ଙ୍କ ଲେଖାରେ କମେଣ୍ଟ ଦେଉନି।ଆଛା ଶୁଣ, ତୋର କିଛି ଇଂରାଜୀ କିମ୍ବା ହିନ୍ଦୀ କବିତା ପୋଷ୍ଟ କର।"
ପୁଅ ର ଫୋନ୍।
" ବୋଉ, ତୋ ଆୱାର୍ଡ ପାଇଁ ଆମ ଅଫିସ ରେ ଗୋଟେ ପାର୍ଟି ଦେଇଥିଲି। ଏ ଆମେରିକାନ୍ ଲୋକ ଗୁଡାକ, ତୋ ପୋଏମ ର ଇଂଲିଶ ଟ୍ରାନ୍ସଲେସନ କରି ଶୁଣାଇବାକୁ କହୁଛନ୍ତି। ତା ଛଡ଼ା , ତୁ ଫେସବୁକରେ ପୋଷ୍ଟ କରିଥିବା ତୋ ଆୱାର୍ଡ ବିଷୟରେ ଇଂରାଜୀ ପେପରରେ ବାହାରିଥିବା ଆର୍ଟିକଲକୁ ବଣ୍ଟି ତା ଟିିଚରକୁ ଦେଖାଇଥିଲା।
ସ୍କୁଲବାଲା ଏବେ ବଣ୍ଟିକୁ ତୋ ପୋଏମ ରିସାଇଟ କରିବାକୁ କହିଛନ୍ତି। ଆମକୁ କାହାକୁ ତ ଓଡ଼ିଆ ପଢି ଆସେନା। ଏଠାର ଓଡ଼ିଆ ଲୋକଙ୍କୁ କହିଲେ କଥାଟା ଅସୁନ୍ଦର ହେବ। ତୁ ସେଠାରେ କାହାକୁ କହି ବହିଟା ଟ୍ରାନ୍ସଲେଟ କରାଇଦେ।"
ସେପଟୁ ବୋହୂର ସ୍ୱର ଶୁଭୁଥିଲା, " ଓହୋ, ବୋଉ ଆଛା ଏ ଫେସବୁକରେ କବିତା ଲେଖିଲେ ଯେ, ଆମେ ଏବେ ହଇରାଣ ହେଲେ। ଆଗ ଭଳି ବହି ଛାପୁଥିଲେ ଠିକ୍ ଥିଲା। କେହି ଜାଣୁନଥିଲେ ଏଠାରେ।"
ଫୋନ୍ ରଖି, ସରିତା ଭାବୁଥିଲେ ପ୍ରଥମେ ତାଙ୍କୁ ଏ ଫେସବୁକ ଆକାଉଣ୍ଟ ଟା ଆଜି ହିଁ ବନ୍ଦ କରିବାକୁ ପଡିବ।
😊(ଅରବିନ୍ଦ ଦାସ)