Quotes New

Audio

Forum

Read

Contests

Language


Write

Sign in
Wohoo!,
Dear user,
ବିଜ୍ଞାପନ
ବିଜ୍ଞାପନ
★★★★★

© Gyanaranjan Sahoo

Inspirational

4 Minutes   15.2K    22


Content Ranking

ଭୁବନେଶ୍ୱରରୁ ଭଦ୍ରକ ଯିବା ରାସ୍ତାରେ ମୋତେ ବୋହିନେଉଥିବା ବସ୍ ହଠାତ୍ ମୋ ଅଜାଣତରେ ଅଟକିଥିଲା ଚା' ପାଣି ପାଇଁ । ସମୟ ପ୍ରାୟ ସକାଳ ସାଢେ ଆଠଟା । ତଳକୁ ଓହ୍ଲାଉ ଓହ୍ଲାଉ ନଜରରେ ପଡ଼ିଲା ଏକ ଅତି ସୁନ୍ଦର ସୁନ୍ଦର ରଙ୍ଗ ବେରଙ୍ଗ ପୁଷ୍ପରେ ଶୋଭାପାଉଥିବା ବୃକ୍ଷଟିଏ । ଅନ୍ୟ ଯାତ୍ରୀମାନଙ୍କ ଭଳି ମୋ ମନଟା ମଧ୍ୟ ଆକୃଷ୍ଟ ହୋଇପଡ଼ିଲା ଏହି ମନୋମୁଗ୍ଧକର ପୁଷ୍ପବୃକ୍ଷଟିକୁ ଦେଖି । ପାଖକୁ ଯାଇ ମନଭରି ସେହି ସୁନ୍ଦରତାକୁ ଉପଭୋଗ କରିବାପାଇଁ ଭାରି ଇଛା ହେଲା । ସବୁ ଲୋକମାନେ ବସ୍ ରୁ ଓହ୍ଲାଇ ସେହି ଆଡ଼କୁ ଯେମିତି ଟାଣି ହେଇଯାଉଥାଆନ୍ତି, ଏକ ଜାଦୁକରୀ ଆକର୍ଷଣରେ । ସତେଯେମିତି ସ୍ବର୍ଗପୁରରୁ ପାରିଜାତ ବୃକ୍ଷଟା ଖସି ଆସିଛି ଏହି ଜାଗାକୁ । ଜାତୀୟ ରାଜପଥ ୧୬ କଡ଼ରେ ଏହା କେଉଁ ଜାଗା ଜାଣି ହେଉନଥାଏ । ଆଖପାଖରେ ଜନବସତି ତ ଦୂରର କଥା ଆମକୁ ଛାଡ଼ି ଦେଲେ ଅନ୍ୟ ମଣିଷଟିଏ ଦେଖିବା ଭାରି କଷ୍ଟ । ଏହି ବୃକ୍ଷର ଅନତିଦୂରରେ ରହିଛି ଚା'ଦୋକାନୀର ଏକ ମାତ୍ର କ୍ୟାବିନ୍ । ମନ୍ତ୍ରମୁଗ୍ଧ ହୋଇ ସୁଶୋଭିତ ବୃକ୍ଷ ନିକଟରେ ଅଭିନବ ଦର୍ଶକ ସାଜିଛନ୍ତି ଯାତ୍ରୀଗଣ । ପୁଷ୍ପବୃକ୍ଷଟିର ନିକଟତର ହେଉଥିଲାବେଳେ ତା' ସୌନ୍ଦର୍ଯ୍ୟରେ ଅଭିଭୂତ ହୋଇପଡୁଥାଏ ମୁଁ । ଆଶ୍ଚର୍ଯ୍ୟର କଥା ହେଉଛି ଗୋଟିଏ ବୃକ୍ଷରେ ଭିନ୍ନଭିନ୍ନ ରଙ୍ଗର ଫୁଲ ଫୁଟିବାର ଦୃଶ୍ୟ । ଉପସ୍ଥିତ ଲୋକମାନେ ପରସ୍ପରକୁ ଚାହିଁ ପଚାରୁଥାଆନ୍ତି ଏହି ମନୋହାରିଣୀ ବୃକ୍ଷଟିର ନାମ କଣ ? କାହା ମୁଖରୁ କିଛି କଥା ବାହାରୁ ନଥାଏ । ସମସ୍ତେ ଅବାକ୍ । ବୃକ୍ଷଟି ଅତି ଉଚ୍ଚ ନଥିଲା କି ଅତି ନୀଚ୍ଚ ବି ନଥିଲା ।ଶାଖା ପ୍ରଶାଖା ଗୁଡିକ ଘଞ୍ଚ ଗହଳିଆ ଚିକ୍କଣ ସବୁଜ ପତ୍ରରେ ଏଭଳି ଆବୃତ୍ତ ହୋଇଥାନ୍ତି ଯେ ତଳୁ ଦୁଇ ତିନି ଫୁଟ ଛାଡିଦେଲେ ବୃକ୍ଷର ଉପରିଭାଗର କାଣ୍ଡ ଦେଖାଯାଉନଥାଏ । ହାତପାଆନ୍ତାରେ ଥିବା ଶାଖା ପ୍ରଶାଖାର ଦୁଇ ଚାରିଟା ଫୁଲକୁ ନିରେଖି ଦେଖିବାକୁ ଲାଗିଲି । କିଛି ସମୟ ପରେ ଯାହା ଅନୁଭବ କଲି ନ ହସି ରହିପାରିଲି ନାହିଁ । ହସି ହସି ଚା' ପିଇବା ପାଇଁ କ୍ୟାବିନ୍ ଆଡ଼କୁ ମୁହାଁବାରୁ ଲାଗିଲା ଯେମିତି ଏ ଜାଗାକୁ ମୁଁ ପୂର୍ବରୁ କେବେ ଆସିଛି । ଦୋକାନର ସମ୍ମୁଖ ଭାଗରେ ପହଞ୍ଚି ଦେଖିଲି ଏଇ ସେହି ଚା'ବାଲା ଶୁକାନ୍ତ ଯାହା ପାଖରୁ ତିନିବର୍ଷ ତଳେ ଏଇ ବାଟଦେଇ ଗଲାବେଳେ ମୋଟରସାଇକେଲ ରଖି ଚା' ପିଉଥିଲା ବେଳେ ତାର ଦୁଃଖ ଦୁର୍ଦ୍ଦିନର କାହାଣୀ ଶୁଣିବାପାଇଁ ପାଲଟିଥିଲି ଅନ୍ତରଙ୍ଗ ସାଥିଟିଏ କିଛିକ୍ଷଣ ପାଇଁ । ମୋତେ ଲାଗିଲା ଯେମିତି ଦୁନିଆର ନିସଙ୍ଗ ଲୋକଟିଏ ଜଣେ ମଣିଷକୁ ପାଖରେ ପାଇ ଖୁବ୍ ଖୁସି ହୋଇପଡ଼ିଛି । ମନ ହାଲୁକା କରି ଘର ପରିବାର ଦୁଃଖ ଦୁର୍ଦ୍ଦଶାର ପସରା ଖୋଲିଦେଇଥିଲା ମୋ ଆଗରେ । ପିଲାବେଳେ ମାଟି ବାଲି କାଦୁଅରେ ଡେଇଁ ଡେଇଁ ବହି ବସ୍ତାନୀ ଧରି ସ୍କୁଲ ଯିବାର ଆନନ୍ଦ ଓ ସାଙ୍ଗସାଥୀଙ୍କ ମେଳରେ ସାଇପଡିଶାଙ୍କ ବାଡ଼ିରୁ ପିଜୁଳି, ଆମ୍ବ ଓ ବରକୋଳି ଚୋରେଇ ଲୁଚେଇ ଖାଇବାର ମଜା ଖୁବ୍ ଅଧିର ହୋଇ ବର୍ଣ୍ଣନା କରିଥିଲା । ତାକୁ ଦଶ ବର୍ଷ ବେଳେ ଦାଦନ ଖଟିବାକୁ ଯାଇ ଦୂର ଦେଶରେ ପିତୃ ବିୟୋଗ ଓ ପରେ ପରେ ବିଧବା ମାଆ ସାଇପଡିଶାରେ ବାସି ପାଇଟି କରି କେତେ କଣ ଟାହିଟାପରା ସହି ତାକୁ ମାଟ୍ରିକ ପଢ଼ାଇଥିବା କଥା କହୁଥିଲା ବେଳେ ତାର ଛଳ ଛଳ ଆଖିକୁ ଚାହିଁ ମନଟା ମୋର ଓଦା ହୋଇପଡ଼ିଥିଲା ।

ଅଚଳ ସଂସାର । ଭୋକ ଉପାସରେ ରହି ମାଆ ଦେହ ଭଲ ରହୁ ନଥିଲା । ଦୁଇ ଓଳି ଦୁଇମୁଠା ତ ସପନ ଔଷଧ କଥା ପଚାରୁଛି କିଏ ? ରୋଜଗାର ନ କଲେ ମୂଲ ମଜୁରିରେ ଚଳିବା କଷ୍ଟକର ହୋଇପଡ଼ିଥିଲା । ତାର ଆଉ ଗତି ନାହିଁ । ଏକଥା ଚିନ୍ତା କରି ଗାଁ ର ଏକ ଦଲାଲକୁ ହାତଗୁଞ୍ଜା ଦେଇ କମ୍ପାନୀ ଚାକିରିଟିଏ କରିବାକୁ ବାଙ୍ଗାଲୋର ଯାଇଥିଲା । ରୋଗିଣା ମାଆକୁ ଛାଡ଼ି ଦି ପଇସା ପାଇଁ ଦୂର ଜାଗାରେ କମ୍ପାନୀ ଚାକିରିରେ ମନ ନ ଲାଗିବାରୁ ଗାଁ କୁ ଫେରି ପୁଣି ମୂଲିଆ କାମ କରୁ କରୁ ଏକ ଅଜଣା ପ୍ରେରଣାରେ ଗାଁ ପାଖ ଜାତୀୟ ରାଜପଥ କଡ଼ରେ ଚା' ଦୋକାନଟିଏ ଦେଲା ।

ବଞ୍ଚିବା ପାଇଁ ଏହି ଦୋକାନଟି ତାର ଏକମାତ୍ର ସମ୍ବଳ । ଅଭାବି ଲୋକ, ମୁଣ୍ଡଗୁଞ୍ଜିବାକୁ ଚାଳଛପର ଭିଟାମାଟି ଖଣ୍ଡେ ବାପା ଅଜା ଅମଳରୁ ଯାହା ପଡ଼ି ରହିଛି ତାକୁ ରକ୍ଷଣାବେକ୍ଷଣ କରିବା ମଧ୍ୟ ତା'ପାଖରେ ଅସମ୍ଭବ । ଭାଙ୍ଗିରୁଜି ଗଲାଣି । ଭଲ ଦି ପଇସା ପାଇବ ବୋଲି ବାକି ସାକିରେ କ୍ୟାବିନ୍ ଖଣ୍ଡେ ପକାଇବାର ବର୍ଷେ ବିତିଗଲାଣି କିନ୍ତୁ ଗରାଖ ଅଭାବ । ପ୍ରାୟ ଅଧଘଣ୍ଟା ଧରି ଗପି ଚାଲିଥିଲା ତା' ଦୁଃଖଭରା କାହାଣୀ, ସେ ଭିତରେ କେହି ଜଣେ ଗରାଖ ନ ଆସିଥିବାରୁ ଦୋକାନଟିର ବିକ୍ରିବଟା ସ୍ବାଭାବିକଠାରୁ ବହୁତ କମ୍ ବୋଲି ସ୍ପଷ୍ଟ ଅନୁମାନ କରିହେଉଥିଲା । ମନେ ମନେ ଭାବିଲି ଚା'ଟା ତ ଭାରି ବଢ଼ିଆ ହେଇଛି, ଅସୁବିଧା ରହିଲା କେଉଁଠି ? ବଜାର ଜାଗା ନୁହେଁ ଯେ ଲୋକେ ଧାଇଁ ଆସିବେ । ତେବେ ଖାଣ୍ଟି କ୍ଷୀର ଚା'ପାଇଁ ମଧ୍ୟ ପ୍ରଚାର ଆବଶ୍ୟକ ପଡୁଛି ବୋଲି ବିଚାର କଲାବେଳକୁ ସୁନ୍ଦର ଫୁଲରେ ସୁସଜ୍ଜିତ ହୋଇଥିବା ସଦ୍ୟ ବାହାଘର ଫେରନ୍ତା ବର ଗାଡ଼ିଟିଏ ଆସି ଠିଆହେଲା ସେଠାରେ । ଡ୍ରାଇଭର ବାବୁ ଭିଡ଼ି ମୋଡି ହୋଇ ଚା' ବରାଦ ଦେଇ ପାଣି ପିଇବାକୁ ଲାଗିଲେ । ମୋ ଆଖି ଲାଖିରହିଥିଲା କାର୍ ଟିର ସୁସଜ୍ଜିତ ସୁନ୍ଦର ସୁନ୍ଦର ଫୁଲ ଉପରେ । ମୁଁ ପଚାରିଲି ଏସବୁ କଣ ପ୍ରକୃତ ଫୁଲ ? ବେପରୁଆ ଢଙ୍ଗରେ ହଁ ମାରି, ଚା' ପିଇ ଡ୍ରାଇଭର ଫୁର୍ ହେଲାପରେ ଶୁକାନ୍ତକୁ କହିଲି ତୋର ବିଜ୍ଞାପନ ଦରକାର, ତା'ହେଲେ ବେପାର ଭଲ ହେବ । ଆଶ୍ଚର୍ଯ୍ୟ ହୋଇ ତାଚ୍ଛଲ୍ୟ କରି କହିଲା "ସା'ରେ ! ଚା'ଦୋକାନର ପୁଣି ବିଜ୍ଞାପନ ? ରେଡ଼ିଓରେ ନା ଖବରକାଗଜରେ ?" ମୁରୁକି ହସି କହିଲି "କୃତ୍ରିମତାରେ କିନ୍ତୁ ଭିନ୍ନ ଉପାୟରେ । ଏଇ ଟଙ୍କା ଦୁଇଶହ ରଖ, କିଛି ଅଲଗା ଅଲଗା ରଙ୍ଗର ପ୍ଲାଷ୍ଟିକ ଫୁଲ ଆଣି ପଛପଟ ଅଣଫୁଲିଆ ଗୋଲଗାଲିଆ ଗଛରେ ଖଞ୍ଜି ଦେବୁ, ଯେମିତି ଲାଗିବ ଫୁଲ ଫୁଟିଛି । ତାପରେ ଦେଖ କଣ ହେଉଛି ।" ଟଙ୍କା ତ ନେଲାନି । ଆବା କାବା ହୋଇ ଚାହିଁ ରହିଲା । "ମୋ କଥା ମନେ ରଖିବୁ, ଭଲରେ ଭାବିବୁ " କହି ସେଠାରୁ ଚାଲି ଆସିଥିଲି ।

ଆଜି ସେହି ଗଛରେ ଅପୂର୍ବ ଫୁଲ ଫୁଟିଥିବା ଦେଖି ଅନେକ ଯାତ୍ରୀ ଫୁଲଗୁଡ଼ିକର ରହସ୍ୟ କଥା ଶୁକାନ୍ତକୁ ବାରମ୍ବାର ପଚାରୁଥିବାର ଚା' ପିଇଲା ବେଳେ ଶୁଣୁଥାଏ । ଜଣେ ଯାତ୍ରୀଙ୍କ ସନ୍ଦେହ ମୋଚନ କରି ସେ କହିଲା "ଜଣେ ବାବୁ ପ୍ରାୟ ତିନି ବର୍ଷ ତଳେ ମୋ ହାତରୁ ଚା' ପିଇଲା ବେଳେ ପ୍ଲାଷ୍ଟିକ ଫୁଲର ଗୁରୁମନ୍ତ୍ର ଦେଇଥିଲେ, ଏସବୁ ତାଙ୍କରି ଯୋଗୁଁ । ସେଇ ସାର୍ ଙ୍କୁ ସାଷ୍ଟାଙ୍ଗ ଦଣ୍ଡବତ ।" ଦୂରରୁ ଏକଥା ଶୁଣି ଶୁକାନ୍ତର କୃତଜ୍ଞତାରେ ମନେ ମନେ ଖୁସି ହେଲି । ହସି ହସି ପାଖକୁ ଯାଇ ପଚାରିଲି "ଭାଇ ! ବେପାର କେମିତି ଚାଲିଛି ?" ବ୍ୟସ୍ତତା ଭିତରେ ଅନ୍ୟମନସ୍କ ହୋଇ କହିଲା "ଭଲ" । ସେଠାରେ କିଛି ସମୟ ଛିଡ଼ା ହୋଇ ରହିବା ଭିତରେ ଅନ୍ୟମାନଙ୍କ ପ୍ରଶ୍ନର ଉତ୍ତର ମାଧ୍ୟମରେ ଜାଣିବାକୁ ପାଇଲି, ଏ ଭିତରେ ହାତକୁ ଦି ହାତ ହୋଇ ସାରିଲାଣି । ଘରେ ବୁଦ୍ଧିମତୀ ଜୁଆନ୍ ସ୍ତ୍ରୀ ସାଙ୍ଗକୁ ଦୁଇ ମାସର କନ୍ୟା ରତ୍ନ ଓ ବୁଢ଼ୀ ମାଆ । ଭଲରେ ଚଳୁଛି । ମାଆ ଦେହ ମଧ୍ୟ ଭଲ ଅଛି, ଔଷଧ ପାଇଁ ଚିନ୍ତା ନାହିଁ । ଦୁଇ ବଖରା କୋଠାଘର ବି ତୋଳିଛି ।

ତା' ଚା'ର ଚାହିଦା ବଢ଼ିବାରେ ଲାଗିଛି । ତାକୁ ଫୁରୁସତ୍ କାହିଁ ? ଗୋଟାକ ପରେ ଗୋଟାଏ ଗାଡ଼ି ଆସି ଲାଗୁଛି । ଅପୂର୍ବ ପୁଷ୍ପବୃକ୍ଷଟିକୁ ଦେଖି କାଳେ ସମସ୍ତେ ବାଇଆ । ସମସ୍ତଙ୍କ ମୁହଁରେ ଗୋଟିଏ କଥା "କି ଅଭିନବ ବିଜ୍ଞାପନ" ।

ବିଜ୍ଞାପନ ଭଦ୍ରକ ବସ୍

Rate the content


Originality
Flow
Language
Cover design

Comments

Post

Some text some message..