ପରିବର୍ତ୍ତନ
ପରିବର୍ତ୍ତନ
ଭବାନୀଶଙ୍କର ସୁନ୍ଦରରାୟ। ଆଖପାଖ ଆଠ ଦଶଟି ପଞ୍ଚାଯତରେ ଗୋଟିଏ ଖାନଦାନୀ ପରିବାରର ମୁଖ୍ୟ । ବୟସ ଷାଠିଏ ଟପିଲାଣି। ଗୋରା ତକତକ ବଳିଷ୍ଠ ଚେହେରା । ସାଢେ ଛଅ ଫୁଟରୁ ଅଧିକ ଉଚ୍ଚ । ଧୋବ ଫରଫର ଧୋତି ସାଙ୍ଗକୁ ଇସ୍ତ୍ରୀ କରା ପଞ୍ଜାବୀ । ମୁହଁର ଗାମ୍ଭୀର୍ଯ୍ୟ ସାଙ୍ଗକୁ ତାଉ ଦିଆ ପରଜାପତିଆ ନିଶ ବେଶ୍ ମାନେ। ସମସ୍ତଙ୍କ ପାଖରେ ସୁନ୍ଦରରା ଭାବରେ ପରିଚିତ। ନ୍ୟାୟ ନିଶାପ ହେବ ଆଉ ସୁନ୍ଦରରା ବସିବେନି ଏମିତି କେବେ ହେଇନି। ପଛକେ ନିଶାପର ତାରିଖ ଘୁଞ୍ଚେଇ ଦିଆଯିବ, କିନ୍ତୁ ସୁନ୍ଦରରା ନିଶାପରେ ନ ବସିଲେ ମୁଦେଇ କି ମୁଦାଲା କାହାର ମନ ବୁଝେ ନାହିଁ । ଏ ଆଖପାଖ ଗାଁର ଲୋକେ ସୁନ୍ଦରରାଙ୍କର ନିଷ୍ପତ୍ତି ଖୁସିରେ ମାନି ନିଅନ୍ତି । ସୁନ୍ଦରରା ବି ତ ଠିକ୍, ନ୍ୟାୟସଙ୍ଗତ ଆଉ ମୁଦେଇ ଓ ମୁଦାଲା ଉଭୟଙ୍କର ସାମାଜିକ ଓ ଆର୍ଥିକ ଅବସ୍ଥାକୁ ବିଚାର କରି ନିଷ୍ପତ୍ତି ଶୁଣେଇଥାଆନ୍ତି। ଆଜି କିନ୍ତୁ ସୁନ୍ଦରରା ଟିକେ ବିଚଳିତ ଲାଗୁ ଥାଆନ୍ତି । ନିଶାପ ପାଇଁ ଦିନ ଧାର୍ଯ୍ୟ ହେଇ ସାରିଛି । ସମସ୍ତେ ଗାଁ ଚଉପାଢୀଠାରେ ଏକାଠି ହେଲେଣି ବୋଧେ। ପାଟି ଶୁଭିଲାଣି । ସଭା ସ୍ଥାନକୁ ଯିବାକୁ ପ୍ରସ୍ତୁତ ଥିଲେ ମଧ୍ୟ ସୁନ୍ଦରରାଙ୍କର ପାଦ ଦୁଇଟା ଆଗକୁ ବଢିପାରୁ ନ ଥିଲା । ଯେମିତି ତାଙ୍କ ପାଦ ଦୁଇଟାକୁ କେହି ପଛକୁ ଟାଣୁଛି। ତଥାପି ମନଟାକୁ ଟାଣ କରି ସୁନ୍ଦରରା ଆଗକୁ ଗୋଡ କାଢିଲେ । ବାଟ ସେମିତି ବେଶି କିଛି ନୁହେଁ । ଏଇ ଡାକେ ବାଟ ହେବ । କିନ୍ତୁ ସେଇ ଡାକେ ବାଟକୁ ଅତିକ୍ରମ କରିବା ପାଇଁ ସୁନ୍ଦରରାଙ୍କୁ ଆଜି ଯେମିତି ଯୁଗେ ଲାଗୁଛି । ଆଗରୁ ଲମ୍ବା ଲମ୍ବା ପାହୁଣ୍ଡ ପକେଇ ଗର୍ବିତ ମଥା ଟେକି କେଇଟା ନିଃଶ୍ଵାସରେ ସେଇ ଦୂରତ୍ୱକୁ ଅତିକ୍ରମ କରୁଥିବା ସୁନ୍ଦରରା ଆଜି ଯେମିତି ଧୀର ପଦଚାଳନା କରୁଥିଲେ ସେଥିରୁ ଜଣାପଡୁଥିଲା ଯେପରି ତାଙ୍କୁ କେହି ଅନିଚ୍ଛା ସତ୍ତ୍ୱେ ଟାଣି ଟାଣି ନେଉଛି । ଚାଲିଲାବେଳେ ସିଏ ସମ୍ପୂର୍ଣ୍ଣ ଘଟଣାକ୍ରମକୁ ପୁଙ୍ଖାନୁପୁଙ୍ଖ ବିଶ୍ଳେଷଣ କରୁଥିଲେ । ଅବନୀ ସୁନ୍ଦରରାୟ ଓରଫ ଟୁନା ସୁନ୍ଦରରା । ଭବାନୀଶଙ୍କର ସୁନ୍ଦରରାୟଙ୍କର ସାନ ପୁଅ। ପଦାର୍ଥବିଜ୍ଞାନରେ ପ୍ରଥମ ଶ୍ରେଣୀରେ ପ୍ରଥମ ଭାବରେ ସ୍ନାତକୋତ୍ତର ଉତ୍ତୀର୍ଣ୍ଣ ହୋଇ ସରକାରୀ ମହାବିଦ୍ୟାଳୟରେ ଅଧ୍ୟାପକ ଭାବରେ ନିଯୁକ୍ତ । ମହାବିଦ୍ୟାଳୟରେ ମଧ୍ୟ ଭଲ ଅଧ୍ୟାପକ ଭାବରେ ନାଁ ଅଛି। ବାପ ଭଳି ବଳିଷ୍ଠ ସୁନ୍ଦର ଆଉ ଆକର୍ଷଣୀୟ ଚେହେରା । ଟୁନାବାବୁ ମଝିରେ ମଝିରେ ମହାବିଦ୍ୟାଳୟର ଆଗ୍ରହୀ ଛାତ୍ରଛାତ୍ରୀମାନଙ୍କୁ ନେଇ ଆଖପାଖର ଗାଁମାନଙ୍କରେ ଦରିଦ୍ର ନାରାଯଣଙ୍କର ସେବା ପାଇଁ ଯାଆନ୍ତି । ସେମିତି ସେଥର ସିଏ କିଛି ପିଲାଙ୍କୁ ନେଇ ଯାଇଥିଲେ ମଦନପୁର ଗାଁକୁ । ସେଇଠି ସେଦିନ ଗୋଟିଏ ବାହାଘର ଆୟୋଜନ ଚାଲିଥାଏ । ଗାଁ ଲୋକମାନଙ୍କର ଅନୁରୋଧ କ୍ରମେ ଟୁନାବାବୁ ପିଲାମାନଙ୍କୁ ନେଇ ରହିଗଲେ ବାହାଘରରେ ସମ୍ମିଳିତ ହେବାପାଇଁ । ସବୁକିଛି ସୁରୁଖୁରୁରେ ଚାଲିଥାଏ । ଠିକ୍ ସମୟରେ ବରଯାତ୍ରୀ ପହଞ୍ଚିଲେ । ବାଟବରଣ ଆଦି ପ୍ରାରମ୍ଭିକ କାର୍ଯ୍ୟ ସରିଗଲା । ଟୁନାବାବୁଙ୍କ ଦେଖାରେଖାରେ ଗାଁର ଯୁବକମାନେ ତଥା କଲେଜ ପିଲାମାନେ ଲାଗି ଯାଇଥିଲେ ଅତିଥିମାନଙ୍କ ଚର୍ଚ୍ଚାରେ । ଏତିକିବେଳେ ଟୁନାବାବୁ ଶୁଣିବାକୁ ପାଇଲେ ଦୁଇ ସମୁଦିଙ୍କ ଭିତରେ ହେଉଥିବା କଥାବାର୍ତ୍ତା । ପୁଅର ବାପା କ'ଣ କହିଲେ ଶୁଣିପାରିଲେନି। କିନ୍ତୁ ଝିଅର ବାପା ବଡ ନିଉନ ହେଇ କହୁଥିଲେ, "ନାଇଁ ସମୁଦି, ସେମିତି କିଛି ବି ହେଇନି। ମୋ ଝିଅ ସେମିତି କେବେ ବି କରି ନ ଥିବ।" --- ରଖ ହୋ ତୁମ ସମୁଦି ଡାକ। ଯାଉନ ପଚାରିବ ତୁମ ଝିଅକୁ । ତା'ରି ମୁହଁରୁ ଶୁଣିଲେ ତୁମେ ବିଶ୍ୱାସ କରିବ। ଗାଁ ଲୋକେ କ'ଣ ମିଛ କହୁଛନ୍ତି? ଝିଅର ବାପାଙ୍କ ମୁଣ୍ଡରେ ଯେମିତି ବଜ୍ର ଚଡକ ପଡିଲା । ଏଣେ ବରପକ୍ଷ ଫେରି ଯିବାପାଇଁ ପ୍ରସ୍ତୁତ ହେଲେଣି । ଟୁନାବାବୁ ଘର ଭିତରକୁ ପଶିଗଲେ। ସିଧା ଝିଅ ବସିଥିବା କୋଠରୀ ଭିତରକୁ ଯାଇ ଝିଅର ସାମ୍ନାସାମ୍ନି ଗୋଟିଏ ଚେୟାର ଟାଣିଆଣି ବସିପଡିଲେ । ସବୁବେଳେ ରୋକଠୋକ କଥା ମୁହଁ ଉପରେ କହିବା ଅଭ୍ୟାସ । କୌଣସି ଗୌରଚନ୍ଦ୍ରିକା ନ ରଖି ସିଧା ସଳଖ ପ୍ରଶ୍ନ କରିଥିଲେ ଝିଅଟିକୁ । ପ୍ରଥମେ ସରଳ ଝିଅଟି ହଡବଡେଇ ଯାଇଥିଲା। ଅପ୍ରସ୍ତୁତ ଥିଲା ଜଣେ ସୁନ୍ଦର ଯୁବକଠାରୁ ଏଭଳି ସିଧାସଳଖ ପ୍ରଶ୍ନ ପାଇଁ । ତଥାପି ନିଜକୁ ଯଥାସମ୍ଭବ ପ୍ରସ୍ତୁତ କରି ଅତି ନିମ୍ନ କଣ୍ଠରେ କହିଲା,"ସେମିତି କିଛି ବି ନାହିଁ । ସେ ଆର ସାହିର ଅଶୋକ ମୋତେ ବାରମ୍ବାର ବାଟରେ ଘାଟରେ ନିଘା ରଖିଥିଲା। ସେଦିନ ମୁଁ କଲେଜରୁ ଫେରିବା ବାଟରେ ଏକୁଟିଆ ଦେଖି ....... ଛିଃ, ମୁଁ ଘରକୁ କୌଣସିମତେ ଚାଲିଆସିଲି। ଲଜ୍ଜା ଓ ଭୟରେ କାହାକୁ କିଛି କହି ନଥିଲି। ସେଇଥିରୁ ତା'ର ସାହସ ବଢି ଯାଇଥିଲା। ତା'ପରେ ଆଉ ଦିନେ ମୋତେ ବାହା ହେବ ବୋଲି କହିଲା। ଯଥାସମ୍ଭବ ସାହସ ସଞ୍ଚୟ କରି ତା'କୁ ସେଦିନ କଡା କରି ଦି'ପଦ ଶୁଣେଇ ଦେଲି। ତା'ପରେ କେମିତି କେଜାଣି ବାପାଙ୍କ କାନରେ ଏ କଥା ପଡିଲା। ଖୁବ୍ ତରବରିଆ ଭାବରେ ମୋର ବାହାଘର ଠିକ୍ କରିଦେଲେ। ଯେତେ କହିଲି ମୋର ଫାଇନାଲ ପରୀକ୍ଷା ସରିଯାଉ, କିନ୍ତୁ କେହି ଶୁଣିଲେନି। ସେଇ ଅଶୋକ ଏ ସବୁର ସୂତ୍ରଧର। ସବୁ ନାଟ ସେଇ ଲଗେଇଛି। ସେ ଲୋକଗୁଡାଙ୍କୁ ମିଛସତ ଲଗେଇ ଯୋଟେଇ କହି ଏ ବାହାଘର ଭାଙ୍ଗି ଦେବାକୁ ଚାହୁଁଛି ।" ଏକା ନିଃଶ୍ଵାସରେ ଏତକ କହି ଝିଅଟି ଚୁପ୍ ହେଇଗଲା। ଟୁନାବାବୁ ଏବେ ସବୁ ବୁଝି ଯାଇଥିଲେ । ଏ ବାହାଘରରେ ଝିଅଟିର ମତ କ'ଣ ବୋଲି ପଚାରିବାରୁ ସେ ଉତକ୍ଷିପ୍ତ ହୋଇଉଠିଲା। କହିଲା ,"ଯେଉଁମାନେ ମୋର ଚରିତ୍ରକୁ ସନ୍ଦେହ ଦୃଷ୍ଟିରେ ଦେଖୁଛନ୍ତି ସେଭଳି ଲୋକମାନଙ୍କ ସହ ସାରା ଜୀବନ କାଟିବି କେମିତି?" ଆଉ କିଛି ବୁଝିବାକୁ ବାକି ନ ଥିଲା ଟୁନାବାବୁଙ୍କ ପାଇଁ । ବାହାରେ ପରିସ୍ଥିତି କେମିତି ଅଛି ସେକଥା ବୁଝିବାକୁ ବାହାରକୁ ଆସି ଦେଖିଲେ ବରପକ୍ଷ ଫେରି ଗଲେଣି । ସମସ୍ତେ ବଡ ଚିନ୍ତିତ। ମଙ୍ଗୁଳା ଝିଅଟିକୁ ବାହା ହେବ କିଏ? ସମାଜ ସେବାକୁ ନିଜର ବ୍ରତରୂପେ ଗ୍ରହଣ କରି ନେଇଥିବା ଟୁନାବାବୁ ତତକ୍ଷଣାତ୍ ସ୍ଥିର କରି ନେଇଥିଲେ ନିଜର ପରବର୍ତ୍ତୀ ପଦକ୍ଷେପ । ସିଧାସଳଖ ଝିଅର ବାପାଙ୍କ ନିକଟରେ ନିଜର ପ୍ରାର୍ଥୀତ୍ୱ ରଖିଦେଲେ ।
ଭାସିଗଲା ଲୋକର କୁଟା ଖିଅକୁ ଆଶ୍ରା। ଝିଅର ବାପା ତୁରନ୍ତ ରାଜି ହେଇଗଲେ । ସୁନ୍ଦର ସୁଠାମ ଚେହରା, ଶିକ୍ଷିତ ଆଉ ସର୍ବୋପରି ଅଧ୍ୟାପକ ଚାକିରୀ। ରାଜି ନ ହେବାର କୌଣସି କାରଣ ନ ଥିଲା। ବାହାଘର ଯଥାରୀତି ସମ୍ପନ୍ନ ହେଲା। ବରକନ୍ୟା ବିଦା ହେଲେ। ଟୁନାବାବୁ ବୋହୁକୁ ନେଇ ଗାଁରେ ପହଞ୍ଚିବା ପରେ ଆରମ୍ଭ ହେଇ ଯାଇଥିଲା ସମସ୍ୟା । ସୁନ୍ଦରରାଙ୍କ ପରିବାରର ଗୋଟେ ଆଭିଜାତ୍ୟ ଅଛି । ମାନସମ୍ମାନ ଅଛି। ଜାତିପତି ନାହିଁ, କୋଉଠୁ ଗୋଟେ ଝିଅ ବାହା ହେଇ ଆଣି ଘରେ ରଖିଲେ ଜାତି ଯିବନାହିଁ? ସମାଜର କିଛି ରୀତି ନୀତି କାଇଦା କାନୁନ୍ ଅଛି କି ନାହିଁ? ସମାଜର ମୁଖିଆ ହେଇ ନିୟମ ଭାଙ୍ଗିବ? ଇଏ ଥିଲା ଆଜିର ନିଶାପର ବିଷୟ । ମୁଦେଇ , ମୁଦାଲା ଆଉ ବିଚାରକ, ସବୁ ଆଜି ସୁନ୍ଦରରା ନିଜେ। ନିଜ ଇଜଲାସରେ ନିଜ ବିରୁଦ୍ଧରେ ନିଜେ ଅଭିଯୋଗ ଆଣି ନିଜେ ବିଚାର କରିବା ପାଇଁ ବିଚାରପତି ଆସନରେ ଆଜି ନିଜେ। ସୁନ୍ଦରରା ଆଜି ନିଜକୁ ପ୍ରଶ୍ନ ପଚାରୁଥିଲେ ଯାହାର ଉତ୍ତର ନିଜେ ହିଁ ଦେଉଥିଲେ। କିନ୍ତୁ କୌଣସି ପ୍ରକାର ନିଜେ ନିଜ ଉତ୍ତରରେ ସନ୍ତୁଷ୍ଟ ହୋଇ ପାରୁ ନଥିଲେ। ସଭାରେ ପହଞ୍ଚି ମୁଖିଆ ଆସନରେ ବସିବାଟାକୁ ଆଜି ସୁନ୍ଦରରା ସହଜରେ ଗ୍ରହଣ କରିପାରୁ ନଥିଲେ। ସଭା ଜାଗାରେ ପହଞ୍ଚି ସୁନ୍ଦରରା ଯାହା ଦେଖିଲେ ନିଜ ଆଖିକୁ ସିଏ ବିଶ୍ୱାସ କରି ପାରି ନଥିଲେ । ଆଜି ସଭାରେ ସ୍ତ୍ରୀଲୋକମାନଙ୍କ ପାଇଁ ଅଲଗା ବସିବାର ବ୍ୟବସ୍ଥା କରାଯାଇଛି । ଯୋଉ ସଭାକୁ କେବେ ସ୍ତ୍ରୀଲୋକମାନଙ୍କର ଆସିବାଟା ବାରଣ ଥିଲା ସେଇ ସଭାରେ ଆଜି ବେଶ୍ କିଛି ସ୍ତ୍ରୀଲୋକମାନଙ୍କର ଉପସ୍ଥିତି ସୁନ୍ଦରରାଙ୍କୁ ଆଶ୍ଚର୍ଯ୍ୟ ଚକିତ କରିବା ପାଇଁ ଯଥେଷ୍ଟ ଥିଲା। ସର୍ବୋପରି ସ୍ତ୍ରୀଲୋକମାନଙ୍କର ନେତୃତ୍ୱ ତାଙ୍କ ଘରର ବଡବୋହୁ କଲ୍ୟାଣୀ ନେଇଥାଏ ଯାହା ବେଶୀ ଆଶ୍ଚର୍ଯ୍ୟଜନକ ଥିଲା। ଘରର ସଣ୍ଠଣା ମାନି ଦିନେ ହେଲେ ଏରୁଣ୍ଡି ଡେଇଁ ନଥିବା ବୋହୁ ଆଜି ସଭାରେ । ଉଚ୍ଚ ଶିକ୍ଷିତା ହେଲେ ମଧ୍ୟ ଶାଶୁ ଶ୍ୱଶୁର ଓ ଅନ୍ୟାନ୍ୟ ଗୁରୁଜନମାନଙ୍କ ଆଗରେ ଉଚ୍ଚ ସ୍ୱରରେ କଥା କହିବା ତ ଦୂର, ନାକ ଉପରକୁ ଓଢଣା ଟେକୁ ନଥିବା ବୋହୁ ଆଜି ସଭାରେ। ସେ ପୁଣି ଶ୍ୱଶୁର ସେ ସଭାକୁ ଆସିବା କଥା ଜାଣି ମଧ୍ୟ । ସଭା ଆରମ୍ଭ ହେଲା। ସର୍ବ ପ୍ରଥମ ଅଭିଯୋଗ ହେଲା ଟୁନାବାବୁ ବାହାହେଇ ଆଣିଥିବା ବୋହୁର ଜାତି କ'ଣ? ଏଥର କଲ୍ୟାଣୀ ଠିଆ ହେଲା । ସମସ୍ତଙ୍କୁ ଯଥାମାନ୍ୟ ଦେଇ ଆରମ୍ଭ କଲା। "ଈଶ୍ଵର ଦୁଇଟି ଜାତି ସୃଷ୍ଟି କରିଛନ୍ତି । ପୁରୁଷ ଓ ନାରୀ। ଆଉ ଆମେ ଯେଉଁସବୁ ଜାତି କଥା କହୁଛୁ ସେ ସବୁ ମଣିଷର ସୃଷ୍ଟି । ଏସବୁ ଜାତିପ୍ରଥା ଆମ ସମାଜର କଳଙ୍କ । ଆମ ଟୁନାବାବୁ ଯାହା କରିଛନ୍ତି ତାହା ମାନବିକତାର ପରିଚାୟକ । ଆମେ ତାଙ୍କର ଏଭଳି ପଦକ୍ଷେପକୁ ପ୍ରଶଂସା କରିବା ବଦଳରେ ତାଙ୍କ ବିରୁଦ୍ଧରେ ଅଭିଯୋଗ ଆଣୁଛନ୍ତି । ତା'ପରେ ଆଉ ଗୋଟିଏ କଥା । ସମାଜର ମଙ୍ଗୁଳା ଝିଅ ଭଳି କୁସଂସ୍କାର କେତେ ନିରୀହ ଝିଅଙ୍କର ଜୀବନ ନଷ୍ଟ କରିଥାଏ । ତେଣୁ ଏଭଳି କୁସଂସ୍କାର ବିରୁଦ୍ଧରେ ଆମେ ଠିଆ ହେବା ଆବଶ୍ୟକ । ତା'ପର ଅଭିଯୋଗ ହେଲା ଭୋଜିଭାତ କଥା। ସୁନ୍ଦରରାୟ ପରିବାରରେ ବାହାଘର। ବଂଶ ପରମ୍ପରା ଅନୁଯାୟୀ ବାହାଘର ଯେମିତି ହେବା କଥା ସେମିତି ହିଁ ହେବ। ଭୋଜିଭାତ ଯେମିତି ହେବାକଥା ସେମିତି ହେବ । ୟା ପରେ ଆଉ କାହାର କିଛି ଅଭିଯୋଗ ଥିଲେ ଖୋଲି କୁହନ୍ତୁ । ସମସ୍ତେ ଚୁପ ହେଇଯାଇଥିଲେ। କାହାରି ମୁହଁରେ ଭାଷା ନଥିଲା । ସୁନ୍ଦରରାଙ୍କର ବଡବୋହୁର ଦଲିଲ ଆଗରେ ସମସ୍ତଙ୍କର ପାଟି ବନ୍ଦ ହେଇଯାଇଥିଲା । ଉପସ୍ଥିତ ମହିଳାଙ୍କର ତାଳିରେ ସଭା ଉଠୁଥିଲା ପଡୁଥିଲା । ସୁନ୍ଦରରା ଭାବୁଥିଲେ ଶିକ୍ଷିତ ବୋହୁ ଆଣିବାର ଲାଭ ଏଇଆ। ତାଙ୍କର ସମସ୍ତ ଦ୍ୱନ୍ଦକୁ ମାତ୍ର କେଇପଦ କଥାରେ କଲ୍ୟାଣୀ ସମାଧାନ କରିଦେଇଥିଲା । ଆଜି ସିଏ ପୁଣି ସେଇ ପୁରୁଣା ସୁନ୍ଦରରା ହେଇଯାଇଥିଲେ। ସମସ୍ତ ଦ୍ୱନ୍ଦରୁ ମୁକ୍ତ ହେଇଯାଇଥିଲେ। ସୁନ୍ଦରରା ନିଜେ ଠିଆ ହେଇ ସମ୍ମାନ ଜଣେଇଥିଲେ କଲ୍ୟାଣୀର ସାହସକୁ ଆଉ ଘୋଷଣା କରିଥିଲେ "ସଭା ସାଙ୍ଗ ହେଲା।"