Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Minakshi Samal

Others

2.5  

Minakshi Samal

Others

ବିନାଶ୍ରୟେ ନ ବର୍ତ୍ତନ୍ତେ

ବିନାଶ୍ରୟେ ନ ବର୍ତ୍ତନ୍ତେ

6 mins
682


ନାରୀ ଅବଳା,ଦୁର୍ବଳା। ଶାରୀରିକ ସାମର୍ଥ୍ୟ ତା'ର ପୁରୁଷ ମାନଙ୍କ ଠାରୁ କମ୍।ସେଥିପାଇଁ ତାକୁ ଆଶ୍ରିତା ହୋଇ ରହିବାକୁ ପଡେ।ପ୍ରଥମେ ପିତାଙ୍କର,ପରେ ପତି ଏବଂ ଜୀବନର ଅନ୍ତିମ ପର୍ଯ୍ୟାୟରେ ସନ୍ତାନ ମାନଙ୍କର ଆଶ୍ରୟର ଭିକ୍ଷା ତଳେ ସେମାନଙ୍କୁ ଜୀବନ ବ୍ୟତୀତ କରିବାକୁ ପଡେ।ସେଥିପାଇଁ କେତେଯେ ଆତ୍ମସମ୍ମାନର ଲୁହ ଓ କୋହ କୁ ବୁକୁତଳେ ଚାପି ରଖିବାକୁ ପଡିଥାଏ ତାହା ସେଇ ଅନୁଭବୀ ନାରୀଟି ହିଁ ହୃଦୟଙ୍ଗମ କରିପାରେ।କିନ୍ତୁ ତାକୁ ସର୍ବଂସହା ନାମର ସାର୍ଥକତା ପ୍ରତିପାଦନ କରିବାକୁ ପଡେ ଯେ!

ରାତି ଦଶଟା ବାଜି ପନ୍ଦର ମିନିଟ୍।ଦରଜାରେ କାହାର କରାଘାତର ଶବ୍ଦ ଶୁଣିପାରିଲେ ଶିବାନୀ।ଦରଜା ଖୋଲିବା ପୂର୍ବରୁ ମ୍ୟାଜିକ୍ ଆଇ ରେ ଦେଖିନେଲେ।ନା ଚିନ୍ହି ହେଉନି।ସମ୍ପୂର୍ଣ୍ଣ ଅଚିନ୍ହା ମୁହଁ ଟି।ବେଡ୍ ରୁମ୍ ରେ ବିଶ୍ରାମ ନେଉଥିଲେ ଅମନ୍।ହାତଧରି ଏକ ରକମ ଟାଣିଆଣିଲେ ତାଙ୍କୁ ଦରଜା ନିକଟକୁ।ଈଶାରା ରେ ଦରଜା ବାହାରେ ଠିଆ ହୋଇଥିବା ଆଗନ୍ତୁକାଙ୍କ ବିଷୟରେ ଜଣାଇଲେ।ଅମନ୍ ଆଶ୍ଚର୍ଯ୍ୟର ଭାବ ନେଇ ଦରଜା ଖୋଲିଲେ।ଅଚିହ୍ନା ମୁହଁ ଭିତରେ ସେ କିଛି ସ୍ମୃତିର ଛିଟା ଦେଖିବାକୁ ପାଇଲେ।ହଠାତ୍ ଅତିଥିଙ୍କ ପାଦଛୁଇଁ ତାଙ୍କର ହାତଧରି ଘର ଭିତରକୁ ପାଛୋଟି ଆଣିଲେ।ବିସ୍ମୟ ବିସ୍ଫାରିତ ଚକ୍ଷୁରେ ଶିବାନୀ କେବଳ ଦେଖୁଥିଲେ ସେହି ଦୃଶ୍ୟ ଓ ମନର ଉତ୍କଣ୍ଠାକୁ କିଛି କ୍ଷଣ ପାଇଁ ଚାପିରଖି ଉପଭୋଗ କରୁଥିଲେ ସେଇ ମୁହୁର୍ତ୍ତ ଗୁଡିକୁ।

ଆ.....ରେ......ମ୍ୟାଡାମ୍....ହଠାତ୍...... ଏତେ ରାତିରେ.....ଆପଣ....... ଏଠି????

କ'ଣ ଦରକାର ପଡିଲା ମ୍ୟାଡାମ୍?

କ'ଣ କିଛି ଅସୁବିଧା ହୋଇଛି?

ଘରେ କାହାର ଦେହ ଖରାପ?

କେମିତି ଜାଣିଲେ ମୁଁ ଏଠି ରହୁଛି ବୋଲି?

ଆପଣ ବେଙ୍ଗାଲୁରୁରେ କେମିତି?

ସାର୍ କେମିତି ଅଛନ୍ତି?

ପ୍ରଶ୍ନର ଭାନୁମତି ପିଟାରା ଖୋଲି ଚାଲିଥିଲେ ଅମନ୍....

ତଳକୁ ମୁହଁ କରି ବସିଥିବା ଭଦ୍ର ଓ ସଂମ୍ଭ୍ରାନ୍ତ ଘରର ଦେଖାଯାଉଥିବା ମହିଳା ଟି ଧୀରେ ଧୀରେ ମୁହଁକୁ ଟେକିଲେ ଓ ଈଶାରା ରେ ପାଣି ପିଇବାକୁ ଚାହିଁଲେ।ଘର୍ମାକ୍ତ ମୁହଁରେ ଚିନ୍ତାର ରେଖାଟି ସ୍ପଷ୍ଟ ବାରି ହୋଇଯାଉଥିଲା।

ପାଣି ପିଇ ସାରିବା ପରେ ପୁଣି ନୀରବତା।ପାଞ୍ଚ ମିନିଟ୍।ଦଶ ମିନିଟ୍।ନୀରବତା ଭାଙ୍ଗିବାକୁ ଯାଇ ଅମନ୍ ଭଦ୍ରମହିଳାଙ୍କୁ କିଛି ଖାଇବାକୁ ଅନୁରୋଧ କଲେ।ଈଶାରାରେ ମନାକରିଦେଲେ ସେ।ଗେଷ୍ଟ ରୁମ୍ ର ବେଡ୍ ଟିକୁ ସଜାଇ ଆଗନ୍ତୁକାଙ୍କୁ ବିଶ୍ରାମ କରିବାକୁ କହିଲେ ଅମନ୍।ଏଥର କିନ୍ତୁ ବିନା ପ୍ରତିବାଦରେ ଭଦ୍ରମହିଳା ଜଣକ ରାଜିହୋଇଗଲେ ଓ ଶିବାନୀ ଙ୍କ ସହିତ ଗେଷ୍ଟ ରୁମ୍ ଦିଗକୁ ମୁହାଁଇଲେ।

ପରଦିନ ସକାଳ.......

ଅମନ୍ ଫ୍ରେସ୍ ହୋଇ ଆସି ଦେଖିଲେ ଶିବାନୀ ଓ ବାଣୀ ମ୍ୟାଡାମ୍(ଆଗନ୍ତୁକା) ହଲ୍ ରେ ବସି ଚା' ପିଉଛନ୍ତି।ରାତିରେ ମ୍ୟାଡାମ୍ ଙ୍କର ମୁହଁରେ ଯେମିତି ଭାବ ଥିଲା ତାହା ସମ୍ପୂର୍ଣ୍ଣ ଭାବେ ବଦଳି ଯାଇଛି।ନିଜେ ଆଶ୍ବସ୍ତ ଅନୁଭବ କଲେ ଅମନ୍।ନିଜର ରୋଲ୍ ମଡେଲ୍(ବେଷ୍ଟ ପ୍ରୋଫେସର୍)ବାଣୀ ମ୍ୟାଡାମ୍ ଙ୍କୁ ଏପରି ବିଷର୍ଣ୍ଣ ଅବସ୍ଥାରେ ଦେଖିବାକୁ ସେ ଚାହୁଁ ନଥିଲେ।

ଅମନ୍ ଯେତେବେଳେ ପୋଷ୍ଟ ଗ୍ରାଜୁଏସନ୍ କରୁଥିଲେ ବାଣୀ ମ୍ୟାଡାମ୍ ରସାୟନ ବିଜ୍ଞାନର ରିଡର୍ ଥିଲେ।ଅତ୍ୟନ୍ତ ନିପୁଣତା ଏବଂ ଦକ୍ଷତା ଥିଲା ତାଙ୍କର ରସାୟନ ବିଜ୍ଞାନରେ।ଛାତ୍ରଛାତ୍ରୀ ମାନଙ୍କର ଖୁବ୍ ପ୍ରିୟ ଥିଲେ ସେ।ଜଣେ ଶିକ୍ଷକା ଭାବରେ ଯେମିତି ବଳିଷ୍ଠ ବ୍ୟକ୍ତିତ୍ବର ଅଧିକାରିଣୀ ଥିଲେ ସେମିତି ଘରେ ଜଣେ ସୁଗୃହିଣୀ ହିସାବରେ ନିଜର କର୍ତ୍ତବ୍ୟକୁ ନିଖୁଣ ଭାବରେ ସମ୍ପାଦନ କରୁଥିଲେ।କିଛି ଯଦି ପଢା ସମ୍ପର୍କୀୟ ଅସୁବିଧା ଛାତ୍ରଛାତ୍ରୀ ମାନେ ଅନୁଭବ କରୁଥିଲେ ତେବେ ମ୍ୟାଡାମ୍ ବିନା କିଛି ଆପତ୍ତିରେ ନିଜର ସନ୍ତାନ ମାନଙ୍କ ଭଳି ପାଖରେ ବସାଇ ସରଳ ଏବଂ ସାବଲୀଳ ଭାବରେ ବୁଝାଇ ଦେଉଥିଲେ।ସେଥିପାଇଁ ସେ ଥିଲେ ସମସ୍ତଙ୍କର ନମସ୍ୟା,ମମତାମୟୀ ମା'ଙ୍କର ପ୍ରତିଛବି।

ସାର୍(ବାଣୀ ମ୍ୟାଡାମ୍ ଙ୍କର ପତି) ଥିଲେ ଦର୍ଶନ ବିଭାଗର ହେଡ୍-ଅଫ୍-ଦ-ଡିପାର୍ଟମେଣ୍ଟ।ଖୁବ୍ କମ୍ କଥା କୁହନ୍ତି।ମ୍ୟାଡାମ୍ ଙ୍କର ଏକମାତ୍ର କନ୍ୟା ସେତେବେଳେ ଇନ୍ଜିନିୟରିଂ ରେ ଇନ୍ଟର୍ନସିପ୍ ପାଇଁ ଲଣ୍ଡନ୍ କୁ ଯାଇଥାନ୍ତି।

ୟୁନିଭରସିଟି ଛାଡିବାର ହୋଇଗଲାଣି ପ୍ରାୟ ଆଠ ବର୍ଷ।ସାଇନ୍ଟିଷ୍ଟ ହୋଇ ଇଣ୍ଡିଆନ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ସାଇନ୍ସ ବେଙ୍ଗାଲୁରୁ ରେ ଅମନ୍ ତିନିବର୍ଷ ହେଲାଣି ଯୋଗ ଦେଲେଣି। ଗତ ବର୍ଷ ଶିବାନୀ କୁ ବିବାହ କରିଛନ୍ତି ସେ।

ଅମନ୍ ଙ୍କ ମନରେ ଅନେକ ପ୍ରଶ୍ନବାଚୀ।ହଠାତ୍ କ'ଣ ଏମିତି ହେଲା ଯେ ବାଣୀ ମ୍ୟାଡାମ୍ ଗତ ରାତିରେ ନିଜର ଘରଛାଡି ତା'ଘରକୁ ଆସି ଯାଇଥିଲେ?ପଚାରିବାକୁ ସାହସ କରିପାରୁନଥିଲେ ସେ।

ବାବା ଅମନ୍....ଅମନ୍.....

ମ୍ୟାଡାମ୍ ଙ୍କ ଡାକରେ ସମ୍ବିତ ଫେରିପାଇଲେ ଅମନ୍।ହଲ୍ କୁ ଆସି ମ୍ୟାଡାମ୍ ଙ୍କ ଆଦେଶକୁ ଅପେକ୍ଷା କରି ରହିଲେ ସେ।

ଅମନ୍....... ଯଦି କିଛି ମନେ ନକର ତେବେ ମତେ ଟିକେ ମୋ ଘରେ ଡ୍ରପ୍ କରିଦେବ?ଶିବାନୀ କ୍ୟାନ୍ ଅଲ୍ସୋ କମ୍ ଇଫ୍ ସି ଡଜନ୍ଟ ମାଇଣ୍ଡ।

ବିସ୍ମୟ ବିସ୍ଫାରିତ ଚକ୍ଷୁରେ ଅମନ୍ ହାଁ କରି ଅନାଇ ରହିଲେ ବାଣୀ ମ୍ୟାଡାମ୍ ଙ୍କୁ।

ଓକେ ମ୍ୟାଡାମ୍।ଆଜ୍ ୟୁ ଓ୍ବିସ୍।

ମୋର ଗୋଟିଏ ଅନୁରୋଧ ରଖିବେ ମ୍ୟାଡାମ୍?ଜଳଖିଆ ଟା ଖାଇକି ବାହାରିବା?

ନା ନା । ନେକ୍ସ୍ଟ ଟାଇମ୍।ଜଲ୍ଦି ବାହାରି ପଡ।ତୁମର ଅଫିସ୍ ଟାଇମ୍ ହେଇଯିବ ଯେ।

ଅମନ୍ ଓ ଶିବାନୀ ରେଡି ହେବାପାଇଁ ଭିତରକୁ ଚାଲି ଗଲେ।

ପନ୍ଦର ମିନିଟ୍ ପରେ ଅମନ୍ ଙ୍କ ଗାଡି ମ୍ୟାଡାମ୍ ଙ୍କ କମ୍ପାଉଣ୍ଡରେ ପ୍ରବେଶ କଲା।

ପୋର୍ଟିକୋ ବାହାର ଲନ୍ ରେ ପଦଚାରଣା କରୁଥିଲେ ସାର୍।ହଠାତ୍ ଗାଡିର ହର୍ଣ୍ଣ ଶୁଣି ଓ ପତ୍ନୀଙ୍କ ସହିତ ଅନ୍ୟ ଦୁଇଜଣଙ୍କୁ ଦେଖି ଟିକେ ଅପ୍ରସ୍ତୁତ ହୋଇଗଲେ।

ଖୁବ୍ ସହଜ ଭାବରେ ବାଣୀ ମ୍ୟାଡାମ୍ ସମସ୍ତଙ୍କୁ ଭିତରକୁ ଡାକିନେଲେ ଓ ସୋଫାରେ ବସାଇଲେ। ନିଜେ ଭିତରକୁ ଯାଇ ପ୍ଲେଟ୍ ରେ ମିଠା,ସ୍ୟାଣ୍ଡଓ୍ବିଚ୍ ଇତ୍ୟାଦି ଆଣି ଟେବୁଲ୍ ରେ ପରୋଶି ଦେଲେ।

ସେତେବେଳକୁ ମ୍ୟାଡାମ୍ ଙ୍କ ଝିଅ (ସୌମ୍ୟା) ବି ନିଜ ରୁମ୍ ରୁ ବାହାରି ସମସ୍ତଙ୍କ ସହିତ ଯୋଗଦେଲେ।

ସମସ୍ତେ ସହଜ ଭାବରେ ବ୍ୟବହାର କରୁଥିଲେ।ଲାଗୁନଥିଲା ଯେ ଗତକାଲି ରାତିରେ କିଛି ଗୋଟେ ହୋଇଥିଲା ବୋଲି।

ହଠାତ୍ ବାଣୀ ମ୍ୟାଡାମ୍ କହିବା ଆରମ୍ଭ କଲେ..........

ଅମନ୍ ଓ ଶିବାନୀ କାଲି ରାତିରେ ତୁମ ଦୁହିଁଙ୍କୁ ଅପ୍ରତ୍ୟାଶିତ ଭାବରେ ହଇରାଣ କରିଥିବାରୁ ମୁଁ କ୍ଷମାପ୍ରାର୍ଥୀ।

ଗତମାସରେ ଆମେ ମାନେ ବେଙ୍ଗାଲୁରୁ ଆସିଛୁ ଝିଅ ସୌମ୍ୟା ସହିତ କିଛିଦିନ ବିତାଇବା ପାଇଁ।ଦୁଇଦିନ ତଳେ ମାର୍କେଟରୁ ଫେରିବା ରାସ୍ତାରେ ଅମନ୍ କୁ ନିଜର ଘର ସାମନାରେ ଦେଖିଥିଲି।ସିଓର୍ ହୋଇଥିଲି ଯେ ଅମନ୍ ବୋଲି।ସେ ତ ମୋ ପୁଅ ପରି।

କାଲିଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ତୁମ ଦୁହିଁଙ୍କ ମନରେ ନିଶ୍ଚୟ ଅନେକ ପ୍ରଶ୍ନର ଉଦ୍ରେକ ହେଉଥିବ।ସେସବୁର ଉତ୍ତର ଦେବା ମୋ'ର କର୍ତ୍ତବ୍ୟ।

ମୋ ଝିଅ ସୌମ୍ୟା।ସଫ୍ଟୱେର ଇନ୍ଜିନିୟର ମଲ୍ଟିନ୍ୟାସନାଲ୍ କମ୍ପାନୀରେ। ଯେତେ ବୁଝାଇଲେ ବି ଗୋଟିଏ କଥା ବୁଝିବାକୁ ସେ ନାରାଜ।ବିବାହ କରିବାକୁ ସେ ରାଜି ହେଉନାହିଁ।ସ୍ବାଧୀନ ହୋଇ ରହିବାର ଜିଦ୍ ତା'ର।ତା'ର ଧାରଣା ଯେ ବିବାହ କଲେ ଗୋଟିଏ ଝିଅର କୌଣସି ସ୍ବାଧୀନତା ରହେନାହିଁ,ପତ୍ନୀ ଯେତେ ଶିକ୍ଷିତା ବା ମୋଟା ଅଙ୍କର ଦରମା ପାଉଥିଲେ ମଧ୍ୟ ପତି ମାନେ ଖୁବ୍ ନିର୍ଦ୍ଦୟୀ ହୋଇ ଥା'ନ୍ତି।ସନ୍ଦେହ ଚକ୍ଷୁରେ ଦେଖନ୍ତି କର୍ମଜିବୀ ପତ୍ନୀ ମାନଙ୍କୁ,କଥା କଥାରେ ହାତ ଉଠା'ନ୍ତି।ଏସବୁ ଠାରୁ ଶହେ ଗୁଣ ଭଲ ଅବିବାହିତ ରହିବା।

ଦୁନିଆଁ ର ସମସ୍ତ ପୁଅ ତ ସେପରି ନୁହଁନ୍ତି।କାଁ ଭାଁ ଏମିତି କେସ୍ ହୋଇଥାଏ।ନହେଲେ ସଂସାର ଚାଲୁଛି କେମିତି?ତାଛଡା ଏମିତି କେସ୍ ହେଲେ ପୋଲିସ ଓ ଆଇନ ଅଛି ବିଚାର କରିବାକୁ।

ଏଇ ଟପିକ୍ ଉପରେ କାଲି ରାତିରେ ଆମଘରେ ପୁଣି ଡିବେଟ୍ ଆରମ୍ଭ ହୋଇଥିଲା।ସୌମ୍ୟା ବୁଝିବାକୁ ନାରାଜ। ସାର୍ ଝିଅର ଯୁକ୍ତିକୁ ସମର୍ଥନ କରି ମତେ ଚୁପ୍ କରିଦେଲେ।କିନ୍ତୁ ମୋର ବକ୍ତବ୍ୟ ହେଲା ଝିଅଟିଏ ଯେତେବି ଶିକ୍ଷିତା ହୋଇଥାଉ,ଯେତେବଡ ପଦବୀରେ ଥାଉ ନା କାହିଁକି ଉପଯୁକ୍ତ ସମୟରେ ତାକୁ ଜୀବନସାଥୀ ଟିଏ ବାଛି ନେଇ ନିଜ ପାରିବାରିକ ଜୀବନ ଆରମ୍ଭ କରିବା ନିହାତି ଆବଶ୍ୟକ।ନିଜର ସାମାଜିକ ସୁରକ୍ଷା ଅତ୍ୟାବଶ୍ୟକ।ଭଗବାନଙ୍କ ସୃଷ୍ଟିରେ ପୁରୁଷ ମାନଙ୍କ ଶାରୀରିକ ଶକ୍ତି ନାରୀମାନଙ୍କଠୁ ଅଧିକ।ଆଜି କାଲିର ସମାଜରେ ପାଶବିକ ପ୍ରକୃତିର ଶିକାର ହୋଇ,ହୀନ ମାନସିକ ପ୍ରବୃତ୍ତି ବା ବିକୃତ ମସ୍ତିଷ୍କ ସମ୍ପନ୍ନ ବ୍ୟକ୍ତିମାନେ ଶ୍ବାନ,ଶାର୍ଦ୍ଦୁଳ ପରି ଘୁରି ବୁଲୁଛନ୍ତି।ଏକୁଟିଆ ଝିଅଟିଏ ସତେଯେପରି ସେମାନଙ୍କ ପାଇଁ ଏକ ଶିକାର ବୋଲି ସେମାନେ ଧରି ନିଅନ୍ତି,ଖିନ୍ ଭିନ୍ କରି ଦିଅନ୍ତି ଝିଅଟିକୁ।ତାପରେ ସବୁ ଶେଷ।ଝିଅଟି ମରିଗଲେ ନିର୍ଭୟା ହୋଇଯାଏ।ଯଦି ବଞ୍ଚିଯାଏ ତେବେ ଜିଅନ୍ତା ଲାଶ୍ ହୋଇ ବଞ୍ଚେ।ଝିଅଟି ସହିତ ସମ୍ପୂର୍ଣ୍ଣ ପରିବାରଟି ଦୁଃଖର ସମୁଦ୍ରରେ ଡୁବିଯାଏ।ସମାଜର ଟିକ୍କା ଟିପ୍ପଣୀ ଶୁଣି ଶୁଣି ବଞ୍ଚିବା ଠାରୁ ମରିଯିବା ହିଁ ଶ୍ରେୟସ୍କର ମନେହୁଏ।ଏଇ ଅନ୍ଧ ସମାଜ ବୁଝେନାହିଁ ଦୋଷୀ କିଏ ଓ ନିର୍ଦ୍ଦୋଷୀ କିଏ।ନିରୀହା ଝିଅଟିକୁ ଅପବାଦର ଶରବ୍ୟ ହେବାକୁ ହୁଏ।

ମାର୍ଚ୍ଚ ମାସ ଆଠ ତାରିଖ ଆଜି.......ନାମକୁ ମାତ୍ର 'ଆନ୍ତର୍ଜାତିକ ମହିଳା ଦିବସ'।କେତେ ପ୍ରକାରର ମନୋରଞ୍ଜନର କାର୍ଯ୍ୟକ୍ରମ କରାଯିବ,ଭାଷଣବାଜୀ ଚାଲିବ,ହ୍ବାଟସ୍ଆପ୍ ରେ ଗଦାଗଦା ମେସେଜ୍ ଆସିବ, ମହିଳା ମାନଙ୍କୁ ମଞ୍ଚ ଉପରେ ସମ୍ମାନିତ କରାଯିବ ଇତ୍ୟାଦି ଇତ୍ୟାଦି।ରାତି ଅଧରେ ଦେଖାଯିବ ଦଳେ ମଦ୍ୟପ ମଣିଷଖିଆ ବାଘ ହୋଇଯାଇଛନ୍ତି।ପାଶବିକ ଓ ପୈଶାଚିକ ପ୍ରବୃତ୍ତିକୁ ମେଣ୍ଟାଇବା ପାଇଁ ଅନାଥ ଆଶ୍ରମରୁ ଝିଅ ମାନଙ୍କୁ ଉଠାଇ ଆଣୁଛନ୍ତି।ଆଠ ଦିନର ଶିଶୁଠାରୁ ଆରମ୍ଭ କରି ଅଶି ବର୍ଷର ବୃଦ୍ଧା ମଧ୍ୟ ସେମାନଙ୍କ କବଳରୁ ରକ୍ଷା ପାଉ ନାହାଁନ୍ତି।କ'ଣ ପାଇଁ ଏ ସବୁ ପ୍ରହସନ୍।ଦରକାର ନାହିଁ 'ଇନ୍ଟର୍ ନ୍ୟାସନାଲ ଓମେନ୍ସ ଡେ'।ଦରକାର ଟିକେ ସମ୍ମାନ ଓ ସୁରକ୍ଷା।ନାରୀ ଓ ପୁରୁଷ ପରସ୍ପରର ପରିପୁରକ।ସମାଜକୁ ଆଗକୁ ଅଗ୍ରସର କରାଇବାରେ ଦୁହିଁଙ୍କ ଭୂମିକା ରହିଛି।ଦୁନିଆଁର ସବୁ ପୁରୁଷ ଖରାପ ନୁହଁନ୍ତି ବା ସବୁ ନାରୀ ଭଲ ନୁହଁନ୍ତି।ଭାରସାମ୍ୟ ରହିବା ନିତାନ୍ତ ଜରୁରୀ।

ମାମ୍ମା.... ମାମ୍ମା......ଝିଅ ସୌମ୍ୟାର ଡାକରେ ବାଣୀ ମ୍ୟାଡାମ୍ ଙ୍କ କଥାରେ ପୂର୍ଣ୍ଣଛେଦ ପଡିଲା।

ସେଥିପାଇଁ ତମେ ଅନ୍ୟ ଥର ପରି ଏଥର ମଧ୍ୟ ଅଭିମାନ କରି ରାତିରେ ଘରୁ ବାହାରିଗଲ।ନିଜର ସେଫ୍ଟି କଥା ତ ଚିନ୍ତା କରିବା ଦରକାର ଥିଲାନା?

ନିଜର ସୁରକ୍ଷା କଥା ମୁଁ ଚିନ୍ତା କରି ଘରୁ ବାହାରି ଥିଲି।କହିଲେ ବାଣୀ ମ୍ୟାଡାମ୍।

କେମିତି?ରାତି ଦଶଟାରେ ଏକୁଟିଆ କିଏ ଘରୁ ବାହାରେ? ଝିଅ ସୌମ୍ୟା

ପ୍ରଶ୍ନ କଲା।

ନା ମୁଁ ବାହାରେନି।ବାହାରିବା ବିପଦ ସଙ୍କୁଳ।କିନ୍ତୁ ମୁଁ ତତେ ବୁଝାଇବାରେ ବିଫଳ ହୋଇଗଲି ବୋଲି ଏକ ପରାଜିତ ଆତ୍ମା ନେଇ ନିଜକୁ କିଛି ସମୟ ବୁଝାଇବାକୁ ଚେଷ୍ଟା କରୁଥିଲି।ଅମନ୍ ମୋର ଅତି ପ୍ରିୟ ଛାତ୍ର।ସେଦିନ ମାର୍କେଟରୁ ଫେରିବା ସମୟରେ ତାଙ୍କୁ ତାଙ୍କ ଘର ସାମନାରେ ଦେଖିଥିଲି।ସେଦିନ ସମୟ ନଥିବାରୁ ଦେଖାକରି ପାରି ନଥିଲି।ଭାବିଥିଲି ସର୍ ପ୍ରାଇଜ୍ ଦେବିବୋଲି।କିନ୍ତୁ ଏମିତି ଅବସ୍ଥାରେ ସର୍ ପ୍ରାଇଜ୍ ଦେବାଟା ଠିକ୍ ହେଲାନି।କ'ଣ କହୁଛ ଅମନ୍ ?ଶିବାନୀ..... ବହୁତ ଡରେଇ ଦେଇଥିଲି ନା ତୁମମାନଙ୍କୁ?

ଏତେ ସମୟ ଧରି ସାର୍ ଚୁପ୍ ହୋଇ ସବୁ ଶୁଣୁଥିଲେ।ଏଥର ମୁହଁ ଖୋଲିଲେ।

ଆଇ ଆମ୍ ସରୀ ବାଣୀ।ମତେ କ୍ଷମା କର।ଗୋଟିଏ ମା'ର ଦୃଷ୍ଟିକୋଣ ନେଇ ତୁମେ ନିଜ ଝିଅପାଇଁ ଏତେ କଥା ଚିନ୍ତା କର ଏକଥା ମୋ କଳ୍ପନାର ବାହାରେ।ମୁଁ ସୌମ୍ୟାର ମନ ରଖିବାକୁ ତାକୁ ସମର୍ଥନ କରୁଥିଲି।କିନ୍ତୁ ତୁମେ ତା'ର ଜନ୍ମଦାତ୍ରୀ,ତା'ର ମା।ଗୋଟିଏ ଝିଅର ମା'କୁ ଯେ ଏତେକଥା ଚିନ୍ତା କରିବାକୁ ପଡେ ଆଜି ବୁଝିଲି।ମୁଁ ବହୁତ ଦୁଃଖିତ। ତୁମର ମାନସିକ ଦୁଶ୍ଚିନ୍ତା ଓ ଦ୍ବନ୍ଦ୍ବ କୁ ନ ବାଣ୍ଟି ମୁଁ ତୁମକୁ ବହୁତ କଷ୍ଟ ଦେଇଛି।ସବୁ ଚିନ୍ତାକୁ ତୁମେ ନିଜ ମୁଣ୍ଡରେ ମୁଣ୍ଡାଇ ରାତିରେ ଏକାକୀ ସମାଧାନ ଖୋଜିବାର ଚେଷ୍ଟାରେ ଥିବାବେଳେ ମୁଁ କିଛି ନଜାଣି ଶାନ୍ତିରେ ଘରେ ଶୋଇଥିଲି।ଆଃ !ଧିକ୍ ମତେ।

ପାପା.... ମାମ୍ମା..... ଯାହାସବୁ ହୋଇଛି ସେଥିପାଇଁ ମୁଁ ଦାୟୀ।ମାମ୍ମା ଙ୍କର ଚିନ୍ତାର କାରଣ ମୁଁ ଭଲଭାବରେ ବୁଝିପାରିଛି।ଏବେ ମୁଁ ମାମ୍ମାଙ୍କ କଥା ମାନିବି।କହୁ କହୁ ବାଣୀ ମ୍ୟାଡାମ୍ ଙ୍କୁ କୁଣ୍ଢାଇ ପକାଇଲା ସୌମ୍ୟା।

ଅମନ୍ ଦେଖୁଥିଲେ ବାଣୀ ମ୍ୟାଡାମ୍ ଙ୍କ ଆଖି କୋଣରେ ଢଳଢଳ ହେଉଥିବା ମୁକ୍ତା ବିନ୍ଦୁଙ୍କୁ।

ଏଥର ଆମେ ଆସୁଛୁ ,କହିଲେ ଅମନ୍।

ଆରେ ଅମନ୍ ......ସରୀ....ତୁମର ଅଫିସ୍ ଯିବାରେ ଡେରି ହୋଇଯାଉଛି।ଘର ତ ଦେଖିଲ। ଆସନ୍ତା ରବିବାର ଶିବାନୀ ସହିତ ଆମଘରେ ଲଞ୍ଚ ପାଇଁ ନିମନ୍ତ୍ରଣ ରହିଲା।କହୁ କହୁ ବାଣୀ ମ୍ୟାଡାମ୍ ଶିବାନୀ ହାତରେ ଉପହାର ସ୍ବରୂପ ଶାଢ଼ୀର ପ୍ୟାକେଟ୍ ଟି ଜବରଦସ୍ତି ଧରାଇଦେଲେ।

ମିନାକ୍ଷୀ ସାମଲ **minusamal1969@gmail.com

7980250037


Rate this content
Log in