ସମ୍ବଲପୁରର ସଞ୍ଜନା
ସମ୍ବଲପୁରର ସଞ୍ଜନା
ସୁମନ ଅସ୍ତବ୍ୟସ୍ତ ହୋଇ ପଡୁଥିଲା କିପରି ପୁରୀ ରେଲୱେ ଷ୍ଟେସନରେ ପହଁଚିବ। ସମୟ ବି ହୋଇଗଲାଣି।ନିଜର ଅବହେଳା ପାଇଁ ଆଜି ସିଟ ବି କନଫର୍ମ ହୋଇ ପାରିଲାନି। ଅଧା ସିଟକୁ ଶୀତ ରାତି, ମନେ ମନେ ବହୁତ ବ୍ଯସ୍ତ ହୋଇ ପଡୁଥାଏ। ଅଟୋରେ ବସି ଡ୍ରାଇଭରକୁ ବାରମ୍ବାର କହୁଥାଏ ଭାଇ ଜଲଦି ଚାଲ। ତା ସାଙ୍ଗକୁ ପାଖରେ ଯେଉଁ ଲୋକଟି ବସିବ ତା ଚିନ୍ତା। ଭଲ ଲୋକଟିଏ ହୋଇଥିଲେ ଭଲ କଥା, ପରିଷ୍କାର ପରିଚ୍ଛନ୍ନ ହୋଇଥିଲେ ଗୋଟିଏ ସିଟରେ ଉଭୟ ବିପରୀତ ଦିଗକୁ ମୁଣ୍ଡ କରି ରାତିକ ପାଇଁ ଶୋଇହେବ। କିନ୍ତୁ ଚର୍ବିତ ଚର୍ବଣ ବୟସ୍କ ହୋଇଥିଲେ କାମ ସରିଲା। ଯଦି ଅପରିଷ୍କାର ଅପରିଛନ୍ନ ହୋଇଥିବ, ତା ଦେହରୁ ଦୁର୍ଗନ୍ଧ ବାହାରୁ ଥିବ, ଗୋଡ଼ ହାତ ଶୀତରୁ ଫାଟି ଆଁ କରିଥିବ। ମଝିରେ ମଝିରେ ବାୟୁ ଦୂଷିତ କରୁଥିବ କଥା ସରିଲା। ମନେ ମନେ ଭଗବାନଙ୍କୁ ସ୍ମରଣ କରୁଥାଏ ପ୍ରଭୁ ଭଲ ଲୋକଟିଏ ମିଳୁ, ଯଦି ପାଖ ସିଟରେ ଜଣେ..। ପର ମୁହୂର୍ତ୍ତରେ ନିଜ ଭାଗ୍ୟକୁ ନିନ୍ଦା କରି କହିଲା ମୋ ଭାଗ୍ୟରେ କାଇଁ।
ଡ୍ରାଇଭରର ଡାକରେ ଭାବନା ରାଜ୍ୟରୁ ଫେରିଲା ସୁମନ। ଯାହା ହେଉ ଠିକ ସମୟରେ ପହଞ୍ଚି ଯାଇଥିଲା ଷ୍ଟେସନରେ। ଭଗବାନଙ୍କୁ ଧନ୍ୟବାଦ ଜଣାଇ, ଡ୍ରାଇଭର କୁ ଭଡା ଦେଇ ଭିତରକୁ ଚାଲିଲା। ସମୟ ସାତଟା ତିରିଶ, ଆଉ ପନ୍ଦର ମିନିଟ ବାକି ଟ୍ରେନ ଛାଡିବାକୁ। ସମସ୍ତ ଯାତ୍ରୀ ନିଜ ନିଜ ସିଟରେ ବସିଛନ୍ତି। ଷ୍ଟେସନରେ ବହୁତ ଗହଳି ଚହଳି। କିନ୍ତୁ ସୁମନର ଚିନ୍ତା ପାଖ ଲୋକଟି ପାଇଁ। ମନେ ମନେ ଚିନ୍ତା କରୁଥାଏ ପାଖ ଲୋକଟି ସମ୍ବଲପୁରରୁ ଆସିଲେ କିଛି ଘଣ୍ଟା ଶୋଉ ହୁଅନ୍ତା। ହଉ ଯାହା ହେବ।
ଗାଡି ଛାଡିବାକୁ 4 ମିନିଟ ଅଛି, ଏକ ସୁନ୍ଦର ତରୁଣୀ ଉଠିଲା ଟ୍ରେନ କୁ। ସମସ୍ତଙ୍କ ଲକ୍ଷ୍ୟ ତା ଉପରେ। କାମ ପାଇଁ ବାହାର ରାଜ୍ୟକୁ ଯାଉଥିବା ତରୁଣ ମାନେ ଠାରଠୁରା ହେଉଛନ୍ତି। ଜଣେ ଗୁଟୁକା ଛେପ ଢ଼ୋକି କହିଲା ଆଜି ଆଉ ଶୀତ ହେବନି। ଅନେକ ଦେଖା ଶିଖା କଥା। ଦୁର୍ଭାଗ୍ୟ.... । କି ହୀନ ମାନସିକତା ଆମର। ସୁମନ ବି ହଜିଯାଇଥାଏ ଭାବନା ରାଜ୍ୟରେ। ଝିଅଟି ସିଟ ନମ୍ବର ଦେଖି ଦେଖି ସୁମନ ପାଖକୁ ଆସି ପଚାରିଲା...
୬୩ ନମ୍ବର ସିଟ ଆପଣଙ୍କର...।
ହଁ ଆଜ୍ଞା।
ଟିକେ ସ୍ମିତହାସ୍ୟ ଦେଇ ବସି ପଡ଼ିଲା ଝିଅଟି। ଏକ ନିରବ ପରିବେଶ ସୃଷ୍ଟି ହୋଇଥିଲା କିଛି ସମୟ ପାଇଁ। ବଡି ସ୍ପ୍ରେର ଏକ ମନଲୋଭା ସୁଗନ୍ଧରେ ଭରିଗଲା ପୁରା ବଗି। ମନେମନେ ନିଜକୁ ବହୁତ ଭାଗ୍ୟବାନ ମନେ କରୁଥିଲା ସୁମନ। ପ୍ରତ୍ୟେକ କାର୍ଯ୍ୟରେ ନିଜକୁ ପାରୁ ପଯ୍ୟନ୍ତ ସ୍ମାର୍ଟ ଏବଂ ଷ୍ଟାଇଲିଷ୍ଟ ହେବାକୁ ଚେଷ୍ଟା କରୁଥିଲା। ଅଧଘଣ୍ଟା ପ୍ରଯ୍ୟନ୍ତ ଉଭୟ ଚୁପଚାପ ରହିବା ପରେ ସହଯାତ୍ରୀ ହିସାବରେ ପରିଚୟ ହୋଇଥିଲା ଉଭୟଙ୍କ। ସୁମନ ଜାଣିବାକୁ ପାଇଲା ତରୁଣୀଟି ଯିବ ସମ୍ବଲପୁର। ଆଉ ତା ନାଁ ହେଉଛି ସଂଜନା। ନିଜର କେହି ଆତ୍ମୀୟଙ୍କ ପାଖକୁ ପୁରୀ ଆସିଥିଲା। ଧୀରେ ଧୀରେ ହେଲା ପରିଚୟ। ପୁରୀ ଜଗନ୍ନାଥଙ୍କ ଉପରେ ଅନେକ ଆଧ୍ୟାତ୍ମିକ ଆଲୋଚନା ହେଲା। ଉପକୂଳବର୍ତ୍ତୀ ଅଞ୍ଚଳର ଚାଲି ଚଳଣି, ଭାଷା, ସଂସ୍କୃତି ଉପରେ ଖୁବ ଚର୍ଚ୍ଚା କଲେ ଦୁଇଜଣ। ସମ୍ବଲପୁରୀ ଭାଷା ପ୍ରତି ଅହେତୁକ ଦୁର୍ବଳତା ଜଣାଇଲା ସୁମନ। ଖୁବ କମ ସମୟରେ ଉଭୟ ହୋଇଗଲେ ଖୁବ ପରିଚିତ।
ଯେହେତୁ ଟ୍ରେନ ଟିକେ ଭିଡ଼ ଥାଏ, ସଂଜନା ବସିଥାଏ ସୁମନର ଖୁବ ପାଖରେ। ଏକ ସୁନ୍ଦର ଅନୁଭୂତି ଖେଳିଯାଉଥାଏ ସୁମନର ମନ ଆଉ ପ୍ରାଣରେ। ବାଃ ପବନ ବି ଦେଉଥାଏ ଖୁବ ସହଯୋଗ ସୁମାନକୁ। ଝରକାର ଥଣ୍ଡା ପବନ ସଂଜନାର ଖୋଲା କେଶ ରାଶିକୁ ଛୁଆଁଇ ଦେଉଥାଏ ସୁମନ ମୁହଁରେ। କି ସୁନ୍ଦର ସୁଗନ୍ଧରେ ସୁବାସିତ କେଶ ସମୂହ। ଏକ ଅଦ୍ଭୂତପୂର୍ବ ଶିହରଣରେ ଉଲ୍ଲସିତ ହେଉଥାଏ ପ୍ରତିଟି ମୁହୂର୍ତ୍ତ ଏବଂ ତା ସହିତ ଲକ୍ଷ୍ୟ କରୁଥାଏ ତରୁଣୀର ସୁନ୍ଦର ରୁପକ୍ରାନ୍ତିକୁ। ନରମ ଆଉ କୋମଳ ହାତ, ଛୋଟ ପାପୁଲି, ସୁନ୍ଦର ଆଉ ଲମ୍ବା ନଖ, ଗହମ ରଙ୍ଗକୁ ଦେଖି ଭାବ ବିଭୋର ହେବା ସହ ସ୍ଵର୍ଗ ରାଜ୍ୟରେ ବୁଲୁ ଥାଏ ସୁମନ।
କଥାରେ କଥାରେ ନିଜ ନେଟ ପ୍ୟାକ ସରିଥିବା କଥା ଜଣାଇଲା ସଂଜନା। ସୁମନ ବି ରିଚାର୍ଜ କରିଥିଲା ନିଜ ମୋବାଇଲ ସାହାଯ୍ୟରେ ଗୁଗୁଲ ପେ ଦ୍ଵାରା। ମନା କରିବା ସ୍ୱତ୍ତ୍ୱେ ଶହେ ଟଙ୍କା ଫେରାଇ ଦେଲା ସଂଜନା। ପ୍ରତ୍ୟେକ କଥାରେ ମନ କିଣି ନେଉଥାଏ ତରୁଣୀଟି। ପେସାରେ ଜଣେ ବ୍ୟବସାୟୀ ହୋଇଥିବାରୁ ଫୋନ ପେ, ଏବଂ ପେଟିଏମ ବ୍ଯବହାର କରୁଥାଏ ଯାତ୍ରା ସମୟରେ। ଅନେକ ଲୋକଙ୍କ ଅନେକ ପ୍ରେମେଟ।
ରାତି ଦଶଟା, ସମସ୍ତେ ଶୋଇଲେଣି ଘୋରିଘାରି ହୋଇ। ସମ୍ପୂର୍ଣ୍ଣ ନୀରବତା ଭିତରେ କେବଳ ଶୀତ ହିଁ ରାଜୁତି କରୁଥାଏ। ସୁମନ କହିଲା "ସଂଜନା ତୁମେ ଶୋଇଯାଅ, ମୁଁ ବସିଛି"। କିନ୍ତୁ ସଂଜନା ଖୁବ ସହଜ ଭାବରେ କହିଲା ଆସ ଆଡ଼ଜଷ୍ଟ ହୋଇ ଶୋଇଯିବା କହି ଷ୍ଟିଲ ଫ୍ଲସ୍କ ରୁ ଗରମ କଫି କପ ଟି ବଢ଼ାଇ ଦେବା ସଙ୍ଗେ ସଙ୍ଗେ ନିଜେ ଗୋଟେ କପ ନେଇ ପିଇଲା। ହାତେ ଓସାର ସିଟରେ ଦୁଇଜଣ ଖୁବ ପାଖାପାଖି ଶୋଇଥିଲେ। ପାଣି ଠୋପେ ବି ଯିବନି ତଳକୁ। ସ୍ୱପ୍ନ ପରି ଲାଗୁଥାଏ ସବୁ କିଛି ସୁମନ କୁ, ତା ସହିତ ସଂଜନା ର ମଧୁର ସ୍ପର୍ଶ। ସୁଖ ନିଦ୍ରାରେ ଶୋଇଗଲା ସୁମନ।
ସକାଳ ୬ଟା। ଟ୍ରେନ ଟି ଚାଲିଥାଏ ନିଜ ଗନ୍ତବ୍ୟ ପଥରେ। ରାତିର ଅନେକ ଯାତ୍ରୀ ଚାଲି ଗଲେଣି, ତାଙ୍କ ଜାଗା ନେଇଛନ୍ତି ଅନେକ ନୂଆ ଯାତ୍ରୀ। ସୂର୍ଯ୍ୟଙ୍କ କିରଣ ରେ ଚାରିଆଡ ଆଲୋକିତ। ଚା ବିକାଳୀଙ୍କ ଡାକ ଶୁଭୁଛି। ନିଦ ଭାଙ୍ଗିଗଲା ସୁମନର। ପ୍ରଥମେ ସୁମନ ଖୋଜିଲା ସଂଜନା କୁ। ତାପରେ ନିଜ ମନିପସ, ମୋବାଇଲ। କିନ୍ତୁ ଏ କଣ? ସବୁକିଛି ଚାଲିଯାଇଛି ନିଜ ଅଜାଣତରେ। ପାଦ ତଳୁ ମାଟି ଖସି ଯାଇଥିଲା ସୁମନର। କେବଳ ପଶ୍ଚାତାପ ଛଡା କିଛି ଉପାୟ ନ ଥିଲା।ସୁମନର ସବୁ ହସ ଖୁସି ସହ ଚାଲିଯାଇଥିଲା ଦୁଇଟି ବ୍ୟାଙ୍କ ଆକାଉଣ୍ଟରୁ ପାଞ୍ଚ ଲକ୍ଷ ଟଙ୍କା।