ନୂଆ ବର୍ଷ : ଶୋକର ସମୟ
ନୂଆ ବର୍ଷ : ଶୋକର ସମୟ
ଆଜି ୩୦ ଡିସେମ୍ବର ୨୦୧୮ ସମାଜ ରବିବାର ସାହିତ୍ୟ ପୃଷ୍ଠାରେ ପ୍ରକାଶ ପାଇଥିବା ମୋର ଗଳ୍ପ " ନୂଆବର୍ଷ : ଶୋକର ସମୟ " ଏବେ ଫେସବୁକରେ ମୋର ପ୍ରିୟ ପାଠକ ଓ ଶୁଭେଚ୍ଛୁମାନଙ୍କ ପାଇଁ .........
------------
ନୂଆବର୍ଷ : ଶୋକର ସମୟ
-----------------
ଊଣେଇଶ ଆସୁଛି ବୋଲି ଖୁବ୍ ଜୋରରେ ପ୍ରସ୍ତୁତି ଆରମ୍ଭ କରି ଦେଇଥିଲା ନନ୍ଦ।
ଅଭିନନ୍ଦନ ପତ୍ରରେ କ'ଣ ଲେଖାଯିବ, କେଉଁଠି ମଦ ଓ ମାଂସର ଆସର ଜମିବ, କିଏ କିଏ ସାଙ୍ଗରେ ରହିବେ, ସମସ୍ତଙ୍କର ଗାର୍ଲଫ୍ରେଣ୍ଡମାନେ କେତେବେଳେ ଆସିବେ, କେଉଁ କେଉଁ ଗୀତରେ ନାଚ ହେବ - ଏଇ ସବୁ କଥାକୁ ଛାଡିଦେଲେ କିଛି ଆଉ ତା' ମୁଣ୍ଡରେ ନ ଥିଲା।
ହଠାତ୍ ରୁଦ୍ର ତା' ପାଖରେ ପହଞ୍ଚିଲା।ତାକୁ ଚମକେଇ ଦେବା ଭଙ୍ଗୀରେ କହିଲା - ଆରେ କ'ଣ କରୁଛୁ ? ସେପଟେ କୋକେଇ ବନ୍ଧା କାମ ଆରମ୍ଭ ହୋଇଗଲାଣି।ଖଇ,କଉଡି ଆସିଗଲାଣି।ଆଉ କିଛି ସମୟ ପରେ କୋକେଇ ଉଠିବ।ରାମ ନାମ ସତ୍ୟ ହେ - ଚାଲିବ।ତୋର କ'ଣ ଦେଖା ନାହିଁ ?
- ଦେଖ୍, ନୂଆବର୍ଷକୁ ସ୍ବାଗତ କରିବା ପାଇଁ ମୁଁ ଲାଗିଛି।ମୋ ମୁଣ୍ଡରେ ସେ ଦୁଃଖର କଥା ପୂରାନା।ଏଇନା ମୋର ଖାଲି ଖୁସି ଆଉ ଖୁସି।ଆଚ୍ଛା...., କିଏ ଚାଲିଗଲା କିରେ ? ଦେଶୀମଦ ପିଇପିଇ ସେ ପହଲିର ଅବସ୍ଥା ନ ଥିଲା।ସିଏ ଚାଲିଯାଇନି ତ ! ନନ୍ଦ ଖୁବ୍ ବେଫିକର୍ ସ୍ବରରେ କହିଲା।
- ସେ କଥା ପଛରେ କହିବି।ଏଠି ସହର, ଗାଆଁରେ କିଛି ତ ବଦଳିଲା ନାହିଁ।ବୁଝିପାରୁନି କ'ଣ ପାଇଁ ତୁ ଏତେ ଖୁସି ! ରୁଦ୍ର କହିଲା।
- କ'ଣ ବଦଳିଥାନ୍ତା,ଅଥଚ ବଦଳି ନାହିଁ ? ନନ୍ଦ ସିରିଅସ୍ ଭଙ୍ଗୀରେ କହିଲା।
- ନାଳ,ନର୍ଦ୍ଦମା ଯେପରି ଥିଲା ସେପରି ଅଛି ନା ନାହିଁ ?
- ଅଛି.....।
- ମଶା, ମାଛି,ପୋକଜୋକ ସାଲୁବାଲୁ ଅବସ୍ଥା, ଆବୁଡାଖାବୁଡା ବାଟ ଆଉ ଖାଲଖମା - ଏସବୁ ଅଛି ନା ନାହିଁ ?
- ଅଛି.......।
- ଦେଶୀମଦ ଯାହାକୁ ଯେତେ।
- ସେଇଟା ନ ରହିଲେ କେମିତି ହବ ! ଖେଳ ଜମିବ କେମିତି ?
- ସୀତା ନାନୀ ଖାଇବାକୁ ନ ପାଇ ମରିଗଲା।
- ମିଛ କଥା। କିଏ ନ ମରୁଛି ଏଠି !ତା'ର ବୟସ ହୋଇଥିଲା।ମରିଗଲା।କ'ଣ କରିଥାନ୍ତା ଆଉ ବଞ୍ଚିରହି !
- ଏକନ,ସୁକନ ପରିବାର ନେଇ ଦାଦନ ଖଟିବାକୁ ଗଲେ।
- ଖଟିବା,ଖାଇବା ପାପ କଥା ନୁହେଁ।ଏଠି କାମ ନାହିଁ।ଯୋଉଠି କାମ ମିଳୁଛି ସେଠିକି ଗଲେ।ଖରାପ କ'ଣ ହେଲା ?
- ସନା'ଇର ଚାରିବର୍ଷର ଝିଅକୁ ଟୋକାମାନେ ଟେକି ନେଇ ଜଙ୍ଗଲରେ ବଳାତ୍କାର କଲେ।
- ଚାରି ହଉ କି ଚଉଦ - ଝିଅଟେ ତ ! ପାପ ଆଶା ଅଛି, ଥିଲା, ରହିବ।କିଏ ବା କ'ଣ କରିବ !
- ଭତ୍ତା, ଆବାସ ବଣ୍ଟନରେ ପାତର ଅନ୍ତର,ରାସ୍ତା କାମ ନ କରି ଟଙ୍କା ଆତ୍ମସାତ - ସେମିତି ଚାଲିଛି ନା ନାହିଁ ?
- ଚାଲିଛି...... ଚାଲିଥିବ।ସେ ରାଜନୀତିରୁ ଆମକୁ କ'ଣ ମିଳିବ ?ନିର୍ବାଚନ ବେଳେ ତ ପୁଣି ମଦ,ଟଙ୍କା ବାଣ୍ଟିବାକୁ ପଡୁଛି।ସିଏ ବଡ ଗହନ କଥା '
- ଦୁଃଖିଆ ଭାଇର ପୁଅ ଇଂଜିନିୟରିଂ ପରେ ପି.ଏଚ୍.ଡି. କରି ଘରେ ବସିଛି।ଚାକିରୀ ମିଳୁଛି ?
- କେତେ ପିଲା ବାହାରିଲେଣି।କାହା କଥା ଏବେ ସରକାର ବୁଝିବେ ?
- କ'ଣ ବଦଳୁଛି ତା' ହେଲେ ?କାହିଁକି ଏତେ ଖୁସି ?
- କ୍ୟାଲେଣ୍ଡର ବଦଳୁଛି।
କହି ଠୋ ଠୋ ହସିଲା ନନ୍ଦ।
ମୁହଁ ବୁଲାଇଲା ରୁଦ୍ର।ଫେରିବାକୁ ଚାହିଁଲା।
- ଆରେ କିଏ ମରିଗଲା ? କାହାର କୋକେଇ ଉଠୁଛି ? ନନ୍ଦ ଵ୍ୟସ୍ତ ହେଲା ଭଳି ପଚାରିଲା।
- ଅଠର......। ଦୁଃଖିତ ସ୍ବରରେ କହିଲା ରୁଦ୍ର।
ନନ୍ଦର ଆଖି ଦୁଇଟା ଉଦାସିଆ ହୋଇଗଲା।ମୁହଁରେ ଫୁଟିଉଠିଲା କାରୁଣ୍ଯର ଛାପ। - ସତରେ କାହିଁକି ଏତେ ଖୁସି ମୁଁ ! ନିଜକୁ ନିଜେ କହିବାକୁ ଲାଗିଲା ସେ।
ଦୂରରୁ ଶୁଭୁଥିଲା - ରାମ ନାମ ସତ୍ୟ ହେ......।