ଅଦ୍ଭୁତ ଉପହାର
ଅଦ୍ଭୁତ ଉପହାର
-ଜୀବନ ରେ ମୋତେ କେବେ ବି କିଛି ମାଗିନ , ଅଳି ଅର୍ଦ୍ଦଳି କରିନ । ଯାହା ଦେବା କଥା ଅଯାଚିତ ଭାବେ ଦେଇ ଦେଇଛ । ସ୍ନେହ ରେ, ଶ୍ରଦ୍ଧା ରେ, ସମର୍ପଣ ରେ କାର୍ପଣ୍ୟ କରିନ । ମୋ ପିଲା ଙ୍କ ର ମାଆ ହେଇ ମୋତେ ପିତୃତ୍ବ ର ମହାର୍ଘ୍ୟ ଆନନ୍ଦ ପ୍ରଦାନ କରିଛ। ଘର କୁ ଲକ୍ଷ୍ମୀ ଓ ପିଲାଙ୍କ ପାଇଁ ସରସ୍ୱତୀ ସାଜି ମୋ ପାଇଁ ସୌଭାଗ୍ୟ ର କିରଣ ବୁଣି ଦେଇଛ । ଏତେ ପରେ ବି ତୁମ ମୁହଁ ର ହସ ସେମିତି ଅଛି, ଆଖିରୁ ଝରୁଥିବା କରୁଣା କେବେ ବି ବନ୍ଦ ହୋଇନି । ଏମିତି କି ମୋ ପଙ୍ଗୁତ୍ଵ ପରେ ବି ତୁମେ ତୁମେ ହୋଇ ରହିଛ ....ମୋ ହ୍ବିଲ୍ ଚେୟାର୍ ର ପୃଥିବୀ, ପିଲାଙ୍କ ର ପଢ଼ା ବୋଝ ଓ ଘର ର ନିତିଦିନିଆ ତେଲ ଲୁଣ ରେ ଭାଙ୍ଗି ପଡିନି ତୁମ ଦେହ, ମନ । ବରଂ ମୁଁ ତୁମକୁ ଆଉରି ଅଧିକ ଭାବରେ ପାଇଛି । ତୁମକୁ ପାଇ ନିଜ କୁ ଧନ୍ୟ ମନେ କରିଛି । ତୁମ ପାଇଁ କଣ ଏତିକି କରି ପାରିନଥାନ୍ତି ? ନା ମୋର କରିବା ଟା ଉଚିତ ନଥିଲା ? ମୁଁ ଏଇଟା କୁ ହିଁ ଠିକ୍ ଭାବିଲି । ଜାଣିନି, ତୁମେ ଉଠିବା ପରେ କଣ ଭାବିବ । କାଲିର ସୂର୍ଯ୍ୟୋଦୟ ରେ ତୁମେ ଉଠିଲେ ମୋତେ ତ ନିଶ୍ଚୟ ଦେଖିବ, ମୁଁ କିନ୍ତୁ ତୁମକୁ ଦେଖି ପାରୁନଥିବି । ପ୍ରଥମ କରି ତୁମ ଅଜ୍ଞାତ ରେ କିଛି କରିଛି ମୋତେ କ୍ଷମା କରିଦେବ !!
xx xx xx xx xx xx xx xx
ହସ୍ପିଟାଲ ର ଏକ ଯନ୍ତ୍ରଭରା ନିରବ କୋଠରୀ ଭିତରେ ଶୋଇ ରହି, କିଛି ନିର୍ଦ୍ଧିଷ୍ଟ ଦିନର ବ୍ୟବଧାନ ରେ ଆଖି ଖୋଲିଥିଲା ପ୍ରୀତିପଦ୍ମା ।
କାର୍ଯ୍ୟ ଦିବସରେ ସବୁଦିନ ପରି ସେଦିନ ବି ବିନୟ ଘରେ ଏକୁଟିଆ ଥାନ୍ତି । ପିଲାମାନେ କଲେଜକୁ ଯାଇଥିବା ବେଳେ ପ୍ରୀତିପଦ୍ମା ଥାନ୍ତି ଅଫିସରେ । ତାଙ୍କ ପାଖକୁ ପଡିଶା ଘରୁ ଫୋନ୍ ରେ ଖବର ଆସିଲା ଯେ, ବିନୟ ହ୍ବିଲ୍ ଚେୟାର୍ ରୁ ପଡିଯାଇଛନ୍ତି ।
ଏହା ପରେ ଆଉ ଅଧିକ ଶୁଣିବାକୁ ପ୍ରୀତିପଦ୍ମାର ଧୈର୍ଯ୍ୟ ନଥିଲା ....
କାର୍ଯ୍ୟାଳୟ ରୁ ତର ତର ରେ ଘରମୁହାଁ ଥିଲା ବେଳେ ଅଫିସ ସିଡ଼ି ରେ ଖସି ଯାଇଥିଲା ପାଦ ।
ଚେତାଶୂନ୍ୟ ଅବସ୍ଥାରେ ତାଙ୍କୁ ଡାକ୍ତରଖାନା କୁ ସ୍ଥାନାନ୍ତର କରାଯାଇଥିଲା । ଆଉ ସେଇଠି ସେ କ୍ରମଶଃ ସୁସ୍ଥ ହୋଇଥିଲେ ।
କିନ୍ତୁ ସବୁଦିନ ପାଇଁ ଚାଲିଯାଇଥିଲା ଦୃଷ୍ଟିଶକ୍ତି ।
xx xx xx xx xx xx xx xx
ସେନାବାହିନୀ ରେ ଥିଲାବେଳେ କାର୍ଯ୍ୟରତ ବିନୟ ସବୁଦିନ ପାଇଁ ଅକର୍ମଣ୍ୟ ହୋଇଯାଇଥିଲେ । ଅଣ୍ଟା ପାଖକୁ ବାଜିଥିବା ଗୁଳି ଟା ଅସ୍ତ୍ରୋପଚାର ପରେ ତାଙ୍କୁ ହ୍ବିଲ୍ ଚେୟାର ଉପର କୁ ହିଁ ଟାଣି ନେଇଥିଲା ।
ତା'ପର ର ଦୃଶ୍ୟ କୁ ସେ' ସେଇଠି ହିଁ ଦେଖି ଆସିଛନ୍ତି ।
କେମିତି ବନ୍ଧୁମାନେ ଦୂରେଇ ଯାନ୍ତି , କେମିତି ଜଣେ ଖୁବ୍ ସହଜରେ ନିଜର ସ୍ଵଭାଵ କୁ ବଦଳାଇ ଦେଇ ପାରେ , ଇତ୍ୟାଦି ଇତ୍ୟାଦି । କିନ୍ତୁ ସେସବୁ କୁ ଖୁବ୍ ପାଖରୁ ଦେଖିଆସିଥିବା ବିନୟ , ପତ୍ନୀ ପ୍ରୀତି ଙ୍କ ଯତ୍ନଶୀଳତା ରେ ଦିନ କୁ ଦିନ ଦ୍ରବିଭୂତ ହୋଇପଡୁଥିଲେ ।
ଏପରି ଦୁର୍ଦିନ ରେ ପ୍ରୀତି ଙ୍କ ଦାୟିତ୍ୱବୋଧ ଦେଖି ଲୁହ ଜମୁଥିଲା ଆଖିରେ । କୋହ ଓ ଅବ୍ୟକ୍ତ ବେଦନା ରେ ଫୁଲି ଉଠୁଥିଲା ହୃଦୟ ।
ଅତୀତ ରେ ଏଇ ପ୍ରୀତି ପାଇଁ ପ୍ରୀତିପୂର୍ଣ୍ଣ ସମୟ ଟିକିଏ ,ବେଧଡକ୍ ହୋଇ ବାହାର କରିବାକୁ ସକ୍ଷମ ହୋଇନଥିଲେ ବିନୟ । ନିଜ କାର୍ଯ୍ୟ ର ଉତ୍ତର ଦାୟିତ୍ୱ ଓ ପ୍ରୀତି ଙ୍କ ଘର ସଂସାର ତଥା କାର୍ଯ୍ୟାଳୟ କୁ ନେଇ ଗୋଟେ ଭଲ ସମୟ କେବେବି ମିଳିଲାନି ।
ଆଉ ଏବେ.... ସମୟ ହିଁ ସମୟ ଅଥଚ କେଉଁଆଡେ ବୁଲିଯିବା କୁ ସେ'ନିଜେ ଅକ୍ଷମ ।
ନିୟତି ର ଏଇ କ୍ରୁର ହସ ଆଗରେ ଫିକା ପଡୁଥିଲା ଜୀବନ ର ରଙ୍ଗ ।
xx xx xx xx xx xx xx xx
ସୂର୍ଯ୍ୟୋଦୟ ତ ହୋଇଥିଲା ନିଶ୍ଚୟ , କିନ୍ତୁ ବିନୟ ପାଇଁ ପୃଥିବୀ ଟା ଥିଲା ଅନ୍ଧକାରମୟ । ସେ ଯେ, ସବୁଦିନ ପାଇଁ ପ୍ରୀତି କୁ ଦେଖିବା କୁ ଅକ୍ଷମ ଏତିକି ଅବଶୋଷ କୁ ଛାଡିଦେଲେ ଆଉ କିଛି ନଥିଲା ।
ଗୋଟେ ଅକର୍ମଣ୍ୟ ମଣିଷ ଆଉ ଟିକେ ଅଧିକ ଅକର୍ମଣ୍ୟ ହୋଇ ଜଣେ କର୍ମଠ ପାଇଁ ନୂଆ ଜୀବନ ଦେଇଥିଲା ।
ଖାଲି ସେତିକି ନୁହେଁ ....ଏବେଠୁଁ ହିଁ , ଜୀବନ ର ଅନ୍ତିମ ଯାତ୍ରା ପର୍ଯ୍ୟନ୍ତ ସେ ଓ ପ୍ରୀତି ଏମିତି ଗୋଟିଏ ଶରୀର ଭିତରେ ବଞ୍ଚିବେ । ଦୁହେଁ ଏବେ ଶରୀର ଓ ମନ ରେ ଏକାକାର ହୋଇ ସାରିଛନ୍ତି ।
ପାର୍ଥିବ ପୃଥିବୀ ଟା ଅନ୍ଧକାରମୟ ହୋଇଯାଇଥିଲେ କଣ ହେବ ,ମନ ଉପବନ ଟା ତ ହୋଇଯାଇଛି ଆଲୋକମୟ, ସୁବାସିତ !!
xx xx xx xx xx xx xx xx
ସେଇ ଚାରି କାନ୍ଥର ଚଉହଦୀ ।
ହ୍ବିଲ୍ ଚେୟାର୍ ରେ ବିନୟ । ପ୍ରୀତିପଦ୍ମା ର ହାତ ଭିତରେ ବିନୟ ର ହାତ । ବିନୟ ଲେଖିଥିବା ଅକ୍ଷର ଗୁଡାକ କାଗଜ ଉପରୁ ଡ଼େଇଁ ପଡି କୋଠରୀ ଭିତରେ ଖେଳି ବୁଲୁଥାନ୍ତି । ଆଖିରେ ଭରି ସାରିଥିବା ଲୁହ କୁ ରୋକିବା ପାଇଁ ଶେଷ ଚେଷ୍ଟା କଲା ବେଳେ -ମନ କହୁଥାଏ ଏ' ଅମୂଲ୍ୟ ଉପହାର ବେଶ୍ ଅଦ୍ଭୁତ ଓ ଦୁସ୍ପ୍ରାପ୍ୟ । କେତେ ଜନ୍ମ ର ତପସ୍ୟା ର ଏ'ଫଳ କିଏ ଜାଣେ ? ତେବେ ଏ'ଆଖି ଯୋଡିକ କାନ୍ଦିବା ପାଇଁ ନୁହେଁ , ତାଙ୍କ ପରି ଦିଟା ମଣିଷ ଏକାବେଳେ ଦୁନିଆଁ କୁ ଦେଖିବା ପାଇଁ ହିଁ ଉଦ୍ଧିଷ୍ଟ ।
ପରିପୂର୍ଣ୍ଣ ଭାବାବେଗ ରେ
ବିନୟ ଙ୍କ କୋଳ ଉପର କୁ ସ୍ୱତଃ ଝୁଙ୍କି ଯାଉଥିଲା ପ୍ରୀତିପଦ୍ମାର ମୁହଁ ।
ରାଜୀବ ଗୋପାଳ ସ୍ୱାଇଁ
ମାତୃକୁଟୀର, କୁରୁଣ୍ଟି, ମେରାମଣ୍ଡଳୀ, ଢେ଼ଙ୍କାନାଳ-୭୫୯୧୨୧