ଲକ୍ଷ୍ମଣ ରେଖା
ଲକ୍ଷ୍ମଣ ରେଖା
ମାମା ତୁମେ ବଡ଼ ମାମାଙ୍କୁ ଅଟକାଉ ନାହଁ କାହିଁକି? ସେ କାହିଁକି ଘର ଛାଡି ଚାଲି ଯାଉଛନ୍ତି? ସେ କାନ୍ଦୁଛନ୍ତି କାହିଁକି? ମାମା ମୁଁ ସତ କହୁଛି ସେ ମୋତେ ଠେଲି ଦେଇ ନାହାଁନ୍ତି। ସେ ତ ମୋତେ ଅଟକାଇବାକୁ ବହୁତ ଚେଷ୍ଟା କରିଥିଲେ। ବାହାରକୁ ଯିବା ପାଇଁ ମନା କରୁଥିଲେ। ମୁଁ କିନ୍ତୁ ତାଙ୍କୁ ମିଛ କହି ସାହି ପିଲାଙ୍କ ସହ ଖେଳିବାକୁ ଚାଲି ଯାଇଥିଲି। ଆଉ ଖେଳୁ ଖେଳୁ ପଡି ଯାଇଛି। ତାଙ୍କର କିଛି ଦୋଷ ନାହିଁ। ତୁମେ ବିରକ୍ତ ହୋଇ ତାଙ୍କୁ ଏମିତି ଗାଳି କରନା, କି ଖରାପ କଥା କୁହନା। ବଡ ମାମା ତୁମେ ମୋତେ ଛାଡି ଚାଲି ଯାଅନା। ମୁଁ ପରା ତୁମ କଳାକାହ୍ନୁ, ତୁମ କଳାମାଣିକ,ତୁମେ କଣ ମୋତେ ଛାଡି ରହିପାରିବ? ସୁମିତ୍ରାଙ୍କୁ କୁଣ୍ଢାଇ ଧରି ପ୍ରଶ୍ନ କରୁଥାଏ ତାଙ୍କର ଛଅବର୍ଷର ପୁତୁରା ସୋନୁ। ସୁମିତ୍ରା ଙ୍କର ଯୌଥ ପରିବାର। ତାଙ୍କ ସ୍ବାମୀ ମନୋଜ, ଦିଅର ସରୋଜ, ଯାଆ ମାନସୀ ଓ ପୁତୁରା ସୋନୁ। ସୁମିତ୍ରା ଗାଁ ପାଖ ସ୍କୁଲରେ ଶିକ୍ଷକତା କରନ୍ତି। ତାଙ୍କ ସ୍ବାମୀ ମନୋଜ ମଧ୍ୟ ଜଣେ ଶିକ୍ଷକ ଓ ଦିଅର ସରୋଜ ଜଣେ ସରକାରୀ କର୍ମଚାରୀ। ବିବାହର ତିନୋଟି ବର୍ଷ ପରେ ଏକ ଦୁର୍ଘଟଣାର ସ୍ଵୀକାର ହୋଇଥିଲା ସୁମିତ୍ରାଙ୍କ ପରିବାର। ଆଉ ସେ ଦୁର୍ଘଟଣା ବଦଳାଇ ଦେଇଥିଲା ସୁମିତ୍ରାଙ୍କ ଜୀବନର ଗତି ପଥ। ନିଜର ଛଅ ମାସର ପୁତ୍ରକୁ ହରାଇବା ସହ ଭବିଷ୍ୟତରେ ମଧ୍ୟ ମାଆ ହେବାର ସମସ୍ତ ସମ୍ଭାବନା ହରାଇ ବସିଥିଲେ ସୁମିତ୍ରା। ଦୁର୍ଘଟଣା ପରେ ଏକ ପ୍ରକାର ପଙ୍ଗୁ ହୋଇଯାଇଥିଲେ ସୁମିତ୍ରା। ନାଁ ସ୍କୁଲ ଗଲେ, ନାଁ କାହା ସହ କଥା ହେଉଥିଲେ, ନାଁ ଠିକ୍ ସମୟରେ ଖିଆ ପିଆ କରୁଥିଲେ। ଏମିତି ଦୁଇ ବର୍ଷ ଗଲାପରେ ସୁମିତ୍ରାଙ୍କ ଅନ୍ଧାର ଜୀବନରେ ଆଲୋକ ରେଖା ହୋଇ ଆସିଲା ଏଇ ସୋନୁ। ତାଙ୍କ ସାନ ଯାଆ ମାନସୀଙ୍କ ପୁଅ। ସୋନୁ ଆସିବା ପରେ ସୁମିତ୍ରା ପୁଣି ଥରେ ସାମାନ୍ୟ ଜୀବନ ଜୀଇଁବାକୁ ଲାଗିଲେ । ପୁଣି ଥରେ ସ୍କୁଲ ଗଲେ।ନିଜର ଦୈନଦିନ କାର୍ଯ୍ୟ ସବୁ ସୁରୁଖୁରୁରେ କରିବାକୁ ଲାଗିଲେ। ସୋନୁ ମଧ୍ୟ ନିଜ ବଡ଼ ମାଆଙ୍କୁ ନିଜ ମା ଠୁ ଅଧିକ ଭଲ ପାଉଥିଲା। ସବୁ କିଛି ଠିକ୍ ଠାକ୍ ଚାଲିଥିଲା ବେଳେ ହଠାତ୍ ସୋନୁର ବାପା ସରୋଜ ଙ୍କର ଅନ୍ୟ ଗୋଟିଏ ସହରକୁ ବଦଳି ହୋଇ ଗଲା। ସରୋଜ ତାଙ୍କ ସହ ମାନସୀ ଓ ସୋନୁ କୁ ମଧ୍ୟ ନେଇ ଗଲେ। ଅନେକ କଷ୍ଟରେ ଛାତିରେ ପଥର ରଖି ସୁମିତ୍ରା ସୋନୁ କୁ ନିଜ ଠାରୁ ଦୂରେଇ ଥିଲେ।କିନ୍ତୁ ପ୍ରତି ଶନିବାର ହେଲା ମାନେ ସୁମିତ୍ରା ଚାଲି ଆସୁଥିଲେ ସୋନୁ ପାଖକୁ। ସେ ଦୁଇ ଦିନ ସୋନୁ ସହ କେମିତି କଟି ଯାଏ ଜାଣି ପାରନ୍ତି ନାହିଁ ସୁମିତ୍ରା। ସୋମବାର ଦିନ ସୋନୁ ଉଠିବା ପୂର୍ବରୁ ସୁମିତ୍ରା ଫେରି ଆସନ୍ତି ପୁଣି ନିଜ କର୍ମ କ୍ଷେତ୍ରକୁ। ନ ହେଲେ ସୋନୁ କାନ୍ଦି କାନ୍ଦି ନୟାନ୍ତ ହୋଇଯାଏ।
ସୁମିତ୍ରାଙ୍କୁ କୁଣ୍ଢାଇ ଧରି କାନ୍ଦି କାନ୍ଦି କହେ ତୁମେ କଣ ତୁମ କଳା କାହ୍ନୁ କୁ ଛାଡ଼ି ଚାଲି ଯିବ? ଗୋଟିଏ ଭାରି ମନ ଓ ହୃଦୟକୁ ନେଇ ନିଜର ରାଜ କାର୍ଯ୍ୟ ସମ୍ପାଦନା ପାଇଁ, ଆଖିରୁ ଲୁହ ପୋଛି ପୋଛି ଫେରନ୍ତି ସୁମିତ୍ରା। ସବୁ ଥର ପରି ଏଇ ଶନିବାର ମଧ୍ୟ ସୁମିତ୍ରା ଓ ମନୋଜ ସୋନୁ ପାଖକୁ ଆସି ଥାଆନ୍ତି। ସରୋଜ ଅଫିସରୁ ଫେରି ନଥାନ୍ତି। ସୁମିତ୍ରା ଓ ମନୋଜଙ୍କୁ ଦେଖି ମାନସୀ ତାଙ୍କ ପାଇଁ ଜଳଖିଆ ପ୍ରସ୍ତୁତ କରିବା ପାଇଁ ରୋଷେଇ ଘରକୁ ଚାଲିଯାଇଥିଲେ। ସୋନୁ, ସୁମିତ୍ରାଙ୍କ ସାମ୍ନାରେ ବସି ଖେଳୁ ଥାଏ, ସେଇ ସମୟରେ ସାହିର କିଛି ପିଲା ସୋନୁକୁ ତାଙ୍କ ସହ ଖେଳିବା ପାଇଁ ଡାକିଲେ। ସୁମିତ୍ରା ସୋନୁକୁ ତାଙ୍କ ସହ ଯିବା ପାଇଁ ଆକଟ କରିବାରୁ ସୋନୁ କହିଲା, ବଡ ମାମା ମୁଁ ଏଇ ଗେଟ୍ ପାଖରେ ତାଙ୍କୁ ଛାଡ଼ି ଦେଇ ଆସୁଛି। କିଛି ସମୟ ଗଲା ପଛେ ସୋନୁକୁ ଫେରିବାର ନ ଦେଖି, ସୁମିତ୍ରା ସୋନୁ କୁ ଡାକିବା ପାଇଁ ବାହାରକୁ ବାହାରି ଯାଇଥିଲେ। ସେତେବେଳକୁ ସାଥି ପିଲାଙ୍କ ସହ ଖେଳୁ ଖେଳୁ ସୋନୁ ତଳେ ପଡି ଯାଇଥାଏ। ତା ଆଣ୍ଠୁ ଛିଣ୍ଡି ରକ୍ତ ଝୁରୁଥାଏ। ସୋନୁ ରଡି ଛାଡି କାନ୍ଦୁ ଥାଏ। ସୋନୁର କାନ୍ଦ ଶୁଣି ମାନସୀ ମଧ୍ୟ ମୋ ପୁଅର କଣ ହେଲା ବୋଲି କହି ରୋଷେଇ ଘରୁ ଦୌଡି ଆସିଲେ। ତା ଆଣ୍ଠୁରୁ ରକ୍ତ ଝୁରୁଥିବା ଦେଖି ସେ ନିଜକୁ ସମ୍ଭାଳି ନ ପାରି, ସୁମିତ୍ରାଙ୍କୁ ନାନା କଥା କହି ଚାଲିଲେ। କହିଲେ ଦୁଇ ମିନିଟ୍ ଆପଣ ଛୁଆଟିକୁ ସମ୍ଭାଳି ପାରିଲେ ନାହିଁ। ନିଜର ହୋଇଥିଲେ ସିନା ଜାଣି ଥାଆନ୍ତେ। ଭଗବାନ ଠିକ୍ ଜାଣିଥିଲେ ୟାଙ୍କ ଦ୍ବାରା ଛୁଆ ସମ୍ଭାଳିବା ସମ୍ଭବ ହେବନି, ସେଥିପାଇଁ ତ ଦେଇଥିବା ଜିନିଷ ସେ ନେଇ ଗଲେ। ବର୍ତ୍ତମାନ ମୋ ପୁଅ ଉପରେ ନଜର ପକାଇ ଛନ୍ତି। ୟାଙ୍କରି ଖରାପ ନଜର ଯୋଗୁଁ ସୋନୁର ଆଜି ଏଇ ଅବସ୍ଥା। ୟାଙ୍କ ନଜରରୁ ସୋନୁକୁ ବଞ୍ଚାଇବା ପାଇଁ, ଏତେ କଷ୍ଟ କରି ମୋ ବାପାଙ୍କୁ କହି ସରୋଜ ଙ୍କ ଅଜଣ ତ ରେ ତାଙ୍କୁ ଏଠାକୁ ବଦଳି କରି ଆଣିଲି। ତଥାପି ଦେଖୁନ କେମିତି ନିର୍ଲଜଙ୍କ ଭଳି ପ୍ରତ୍ଯେକ ସପ୍ତାହରେ ଏମାନେ ଏଠାକୁ ଚାଲି ଆସୁଛନ୍ତି। ମାନସୀଙ୍କ କଥା ଶୁଣି ସୁମିତ୍ରା ପୁରା ପଙ୍ଗୁ ପାଲଟି ଯାଇଥିଲେ। ତାଙ୍କ ଆଖିରୁ ଅନବରତ ଅଶ୍ରୁ ଝରିବାକୁ ଲାଗିଲା।ମାନସୀ କିନ୍ତୁ ପାଟି ଚୁପ୍ ନ କରି କହି ଚାଲିଥାଏ ଅପା ମୁଁ ତୁମକୁ ଅନୁରୋଧ କରୁଛି,ଯଦି ତୁମେ ସୋନୁ ର ମଙ୍ଗଳ ଚାହୁଁ ଥିବ ତେବେ ଆଉ ଏଠାକୁ ଆସିବ ନାହିଁ। ତୁମକୁ ସୋନୁର ରାଣ। ମାନସୀଙ୍କ କଥା ଶୁଣି ସୁମିତ୍ରାଙ୍କୁ ସ୍ବାମୀ ମନୋଜ କହିଲେ, କେତେ ଥର ତୁମକୁ କହିଛି ସୋନୁ ପ୍ରତି ଏତେ ଆସକ୍ତି ବଢାଅ ନାହିଁ। କିନ୍ତୁ ତୁମେ କଣ ମୋ କଥା ଶୁଣିଲ। ଏବେ ପରିଣାମ ଦେଖିଲ ତ? ଆଉ ମୁହୁର୍ତ୍ତେ ବି ଏଠି ରହିବା ଆବଶ୍ୟକ ନାହିଁ। ମୁଁ ଗାଡି ଷ୍ଟାର୍ଟ କରୁଛି ଶୀଘ୍ର ଆସ। ସୋନୁ କୁ ଯୋର କରି ନିଜ ପାଖରୁ ଦୂରେଇ ଦେଲେ ସିନା କିନ୍ତୁ ନିଜ ହୃଦୟରୁ କେମିତି ଦୂରେଇ ବେ?ଯାହା ପାଇଁ ଜୀବନ ଜୀଇଁବାର ରାସ୍ତା ଖୋଜି ପାଇଥିଲେ ସୁମିତ୍ରା,ତାକୁ ଛାଡି କେମିତି ବଞ୍ଚିବେ ସେକଥା ଚିନ୍ତା କରି ପାରୁ ନଥିଲେ ।
ସୋନୁ ଓ ତାଙ୍କ ଭିତରେ ମାନସୀ ଟାଣି ଥିବା ଲକ୍ଷ୍ମଣ ରେଖାକୁ ଭାଙ୍ଗି, ସୋନୁ ପାଖକୁ ଯାଇ ଆଉ ଗୋଟେ ରାମାୟଣ ସୃଷ୍ଟି କରିବାର ଧୌର୍ଯ କି ସାହସ ତାଙ୍କ ପାଖରେ ନ ଥିଲା।ତେଣୁ ଚାରିଆଡ଼ ଅନ୍ଧାର ଦେଖାଗଲା ସୁମିତ୍ରାଙ୍କୁ । ସୋନୁକୁ ଝୁରି ଝୁରି ଖାଇବା ପିଇବା ମଧ୍ୟ ବନ୍ଦ କରିଦେଲେ। ସ୍ବାମୀ ମନୋଜ ଯେତେ ବୁଝାଇଲେ ମଧ୍ୟ କିଛି ବୁଝିଲେ ନାହିଁ। ମନୋଜ କହିଲେ, ଯିଏ ନିଜର ନୁହଁ ତା ପାଇଁ ଏତେ ଲୋଭ କାହିଁକି?ତୁମେ ଏମିତି ନ ଖାଇ ନପିଇ ତାକୁ ଝୁରି ହେଲେ ମାନସୀ ଟାଣି ଥିବା ଲକ୍ଷ୍ମଣ ରେଖା କଣ ମିଟାଇ ଦେବ?ସୁମିତ୍ରା କହିଲେ ତୁମେ ଜଣେ ପୁରୁଷ ତୁମେ କାହୁଁ ବୁଝିବ ନାରୀର ମମତାକୁ ?ଦେହାତୀତ ସମ୍ପର୍କକୁ? ଖାଲି କଣ ନିଜ ଗର୍ଭରୁ ଜନ୍ମ ଦେଲେ ଜଣେ ଜଣକୁ ସ୍ନେହ, ମମତା ଦେଇ ପାରିବ? ଆଉ ହୃଦୟର ସମ୍ପର୍କର କିଛି ମୂଲ୍ଯ ନାହିଁ?ତୁମେ ଭଲଭାବରେ ଜାଣ ପିଲାଟିର ନିଚ୍ଛକ ଭଲପାଇବା ମୋତେ ବାଧ୍ଯ କରେ ତୁମର ସବୁ ଆକଟକୁ ଅମାନ୍ଯ କରିବା ପାଇଁ। ଏଣେ ସୋନୁ ମଧ୍ୟ ସବୁ ବେଳେ ସୁମିତ୍ରାଙ୍କୁ ଝୁରି ଝୁରି ରୋଗାକ୍ରାନ୍ତ ହୋଇଗଲା।ଡକ୍ଟରଙ୍କୁ ଦେଖାଇ ଯେତେ ଔଷଧ ଦେଲେ ମଧ୍ୟ ସୋନୁ ଭଲ ହେବା ପରିବର୍ତ୍ତେ ଦିନକୁ ଦିନ ତାର ସ୍ବାସ୍ଥ୍ୟ ଦୁର୍ବଳ ହେବାରେ ଲାଗିଲା। ସୋନୁର ଏଇ ଅବସ୍ଥା ଦେଖି ସରୋଜ, ମାନସୀଙ୍କୁ କହିଲେ ସୋନୁକୁ ଔଷଧ ନୁହଁ ତା ବଡ ମାମା ଭଲ କରି ପାରିବେ। ମାନସିକ ରୋଗକୁ କଣ ଶାରୀରିକ ଔଷଧ ଭଲ କରି ପାରିବ? ମୁଁ ଯାଉଛି ତାଙ୍କୁ ଆଣିବା ପାଇଁ। ସରୋଜଙ୍କ ଠାରୁ ସବୁ କଥା ଶୁଣି ସୁମିତ୍ରା କହିଲେ, ମାନସୀ ପରା ସୋନୁର ରାଣ ଦେଇଛି। ଆଉ ସେ ଲକ୍ଷ୍ମଣ ରେଖାକୁ କେମିତି ଡେଇଁ ବି କହିଲ?ସରୋଜ କହିଲେ ସୋନୁର ଜୀବନ ଠାରୁ କଣ ମାନସୀ କଥା ବଡ ହୋଇଗଲା ଭାଉଜ। ମୁଁ ନ ଥିଲା ବେଳେ ଏତେ କଥା ହୋଇଯାଇଛି। ଭାଉଜ ତୁମେ କଣ ଜାଣିନ ଶିଶୁ ମାନେ ସବୁବେଳେ ନିଷ୍କପଟ। ତାଙ୍କ ଭିତରେ ଈର୍ଷା, ହିଂସା,ଦ୍ବେଶ, ନିଜ, ପର, ଧନୀ, ଦରିଦ୍ର, ଜାତି, ଅଜାତି ପ୍ରଭୃତି ଆବିଳତା ଆମେ ବଡ ମାନେ ହିଁ ଭରି ଦେଉ। ମିଛ କହିବା ପାଇଁ ପ୍ରବର୍ତ୍ତାଉ । ଆଉ ପିଲା ବଡ଼ ହେଲା ପରେ ସେ କାହିଁକି ଭଲ ମଣିଷ ହେଲା ନାହିଁ ବୋଲି ଚିନ୍ତା କରୁ। ତୁମ ସହ ଯଦି ସୋନୁର ସମ୍ପର୍କ କଟି ଯିବ, ଭବିଷ୍ୟତରେ ସେ ଆଉ କୌଣସି ସମ୍ପର୍କକୁ ଆପଣାର କରି ପାରିବ ତ? ତେଣୁ ସୋନୁ ର ଭବିଷ୍ୟତ ପାଇଁ ଆପଣଙ୍କୁ ମାନସୀ ଟାଣି ଥିବା ଲକ୍ଷ୍ମଣ ରେଖାକୁ ଡେଇଁବାକୁ ପଡିବ। ସୁମିତ୍ରା କିଛି ନ କହି ବିକଳ ହୋଇ ଖାଲି ମନୋଜଙ୍କ ଅଡକୁ ଅନାଇଲେ। ମନୋଜ କହିଲେ ମୋତେ କଣ ଚାହୁଁଛ। ଯଶୋଦାକୁ ତା କଳାକାହ୍ନୁ ଡାକୁଛି, ସେଠି ମୋର କଣ କହିବାର ଅଛି?ଶୀଘ୍ର ବାହାରି ପଡ ।
ସୋନୁର ଭଲପାଇବା ସୁମିତ୍ରାଙ୍କର ଭାଙ୍ଗି ଯାଇଥିବା ହୃଦୟ କୁ ପୁଣି ଥରେ ଯୋଡି ଦେଇଥିଲା। କାଳ ବିଳମ୍ବ ନ କରି ସୁମିତ୍ରା ବାହାରି ପଡ଼ିଲେ ସରୋଜଙ୍କ ଘର ଅଭିମୁଖେ। ସୁମିତ୍ରା ଙ୍କୁ ଦେଖି ସୋନୁ ତାଙ୍କୁ କୁଣ୍ଢାଇ ଧରି କାନ୍ଦି କାନ୍ଦି କହିଲା ବଡ଼ ମାମା ତୁମେ ମୋତେ ଛାଡି କୁଆଡେ ଚାଲି ଯାଇଥିଲ? ମୋତେ କଥା ଦିଅ ତୁମେ ମୋତେ ଛାଡି ଆଉ କୁଆଡେ ଯିବନି। ସୋନୁ ର କଥା ଶୁଣି ସୁମିତ୍ରା କହିଲେ ତୁ ପରା ମୋର କଳା କାହ୍ନୁ, ତୋତେ ଛାଡି ମୁଁ କୁଆଡେ ଯିବି କହିଲୁ? ଉଭୟଙ୍କ ଆଖିରୁ ଝରୁଥିବା ଅଶ୍ରୁର ବନ୍ଯା ମାନସୀ ଟାଣି ଥିବା ଲକ୍ଷ୍ମଣ ରେଖାକୁ ଧୋଇ ଦେଇଥିଲା ।ଆଉ ପିଲାଟିର ନିଚ୍ଛକ ଭଲପାଇବା ଆଗରେ ତା ମାଆର ସବୁ ଅହଙ୍କାର ଭାଙ୍ଗି ଚୁରମାର ହୋଇ ଯାଇଥିଲା।