ଅପରାଜିତା
ଅପରାଜିତା
ସମୟ ଭୋର ଚାରିଟା। ହଠାତ ଟେଲିଫୋନ ରିଙ୍ଗ ହେଲା। ଅପରାଜିତା ନିଦ ମଳ ମଳ ଆଖିରେ ଫୋନ ଉଠାଇଲା। କିଛି କଥୋପକଥନ ପରେ ୟୁନିଫର୍ମ ପିନ୍ଧି ବାହାରିଲା। ଦୁଇ ମାସ ତଳେ ଏହି ସହରକୁ ଆସିଥିବା ଅପରାଜିତା ଜଣେ ସଚୋଟ ପୁଲିସ ଅଧିକାରୀ ଭାବେ ଯଥେଷ୍ଟ ସୁନାମ ଅର୍ଜନ କରିସାରିଛି। କର୍ତ୍ତବ୍ୟନିଷ୍ଠ , ନ୍ୟାୟପ୍ରିୟ ଅପରାଜିତାର ନାଁ ଶୁଣି ଅପରାଧୀ ମାନଙ୍କ ହୃଦସ୍ପନ୍ଦନ ବଢିଯାଉଥିବରୁ ସହରରେ ଅପରାଧ କମିଯାଇଥିଲା। ଆଜି ଭୋରରୁ ସିଟି ହସ୍ପିଟାଲରୁ ଡକ୍ଟର ସୌମିତ୍ର ଘୋଷଙ୍କ ଫୋନ ପାଇ ଅପରାଜିତା ହସ୍ପିଟାଲରେ ପହଁଚିଲା। ତାକୁ ଦେଖି ଡକ୍ଟର କହିଲେ, "ମ୍ୟାମ୍,ସୁଇସାଇଡ଼ କେସ। ଝିଅଟି ମାଇନର।"
ଅପରାଜିତା ଝିଅଟି ପାଖରେ ପହଞ୍ଚିଲା। ତା'ର ବାପା ମାଆ ସେଠାରେ ଥିଲେ। ଝିଅ ଓ ତା'ର ମାଆ କାନ୍ଦୁଥିଲେ ।ଅପରାଜିତା ଝିଅର ନାମ ଓ ବୟସ ପଚାରିଲା। ଝିଅର ମାଆ କହିଲେ ତା'ନାମ ବର୍ଷା ଓ ବୟସ ଚଉଦ ବର୍ଷ।ଅପରାଜିତା ଆତ୍ମହତ୍ୟା ଉଦ୍ୟମର କାରଣ ପଚାରିବାରୁ ଝିଅଟି ଭୋ ଭୋ ହୋଇ କାନ୍ଦିବାକୁ ଲାଗିଲା। ବର୍ଷାର ମାଆ କହିଲେ,"ମ୍ୟାଡାମ ଆମର ସବୁ ସରିଗଲା। ଆମର ଜଣେ ସମ୍ପର୍କୀୟ ଆମ ଝିଅର ଜୀବନ ନଷ୍ଟ କରିଦେଲା ।" ବର୍ଷା କାନ୍ଦି କାନ୍ଦି କହିଲା,"ମୋ ଜୀବନରେ ଆଉ କଣ ରହିଲା ଯେ ମୁଁ ବଞ୍ଚିବି?" ମାଆ ,ଝିଅଙ୍କ ଏଭଳି କଥା ଶୁଣି ଅପରାଜିତାର ଆଖି ରାଗରେ ନିଆଁ ଭଳି ଜଳିବାକୁ ଲାଗିଲା। ସେ ପାଟି କରି କହି ଉଠିଲା,"ତୁ କାହିଁକି ବଞ୍ଚିବୁନି? ତୋ'ର ଦୋଷ କଣ? ଯିଏ ଅପରାଧ କରିଛି ସେ ହୁଏତ ବଞ୍ଚିନପାରେ। ତୁ ମରିଗଲେ ସେ ଅପରାଧୀର ସାହାସ ବଢିଯିବ। କାଲି ସେ ଆଉ କାହା ସହିତ ଦୁଷ୍କର୍ମ କରିବ। ହାର ମାନିଲେ ସମସ୍ୟା ଦୂର ହୁଏ ନାହିଁ ବରଂ ବଢିଯାଏ।
ଏମିତି ତୋରି ଭଳି ଝିଅଟିଏ ଥିଲା। କିନ୍ତୁ ବୟସରେ ତୋ ଠାରୁ ସାନ। ବୟସ ଦଶ ବର୍ଷ ହେବ। ନାଁ ତା'ର ଅପୁ ।ପରିବାରରେ ଭାରି ଗେଲ ବସରରେ ବଢିଥିଲା। ତା'ବାପାଙ୍କ ସହକର୍ମୀଙ୍କ ପରିବାର ସହିତ ତାଙ୍କର ଭଲ ସମ୍ପର୍କ ଥିଲା। ତା'ବାପାଙ୍କ ସହକର୍ମୀଙ୍କ ପୁଅକୁ ଅପୁ ଭାଇ ଡାକୁଥିଲା। ତାକୁ ରାକ୍ଷୀ ବାନ୍ଧୁଥିଲା। ଅପୁ ଠାରୁ ସେ ବାର ବର୍ଷ ବଡ଼ ଥିଲା। ଦିନେ ସେହି ଭାଇ, ଭାଇ ଭଉଣି ସମ୍ପର୍କ ଭୁଲିଗଲା। ରାତିରେ ନିଦ୍ରିତ ଅବସ୍ଥାରେ ଅପୁ ତା' ଶରୀରର ସମ୍ବେଦନଶୀଳ ଅଙ୍ଗରେ କାହାର ସ୍ପର୍ଶ ଅନୁଭବ କଲା। ଡରରେ ତା'ର ନିଦ ଭାଙ୍ଗିଗଲା। ସେ ଆଖି ଖୋଲି ଦେଖିଲା। ତା'ର ସେ ତଥାକଥିତ ଭାଇ ଏସବୁ କୁକର୍ମରେ ଲିପ୍ତ ଥିଲା। ଅପୁର ନିଦ ଭାଙ୍ଗିଯିବା ଦେଖି ସେ ସେଠାରୁ ଚାଲିଗଲା। ଡରରେ ଅପୁ ଶୋଇ ପାରିଲାନି। ସକାଳୁ ଉଠି ତା' ମାଆଙ୍କୁ ସବୁ କଥା କହିଲା। ତା'ମାଆ ଲୋକଲଜ୍ୟା ଭୟରେ ଅପୁକୁ ଚୁପ ରହିବାକୁ କହିଲେ। ଅପୁ ସେ ପୁଅର ମାଆଙ୍କୁ ସବୁ କଥା କହିଲା। ସେ ନିଜ ପୁଅ ସପକ୍ଷରେ କହି ଅପୁକୁ ଚୁପ କରେଇଦେଲେ। ଅପୁକୁ ଭାରି କାନ୍ଦ ଲାଗିଲା। ତାକୁ ଲାଗିଲା ସେ ଯେମିତି ଏକୁଟିଆ ହୋଇଯାଇଛି।
ଅପୁ କାହାକୁ କିଛି କହିନି ଭାବି ସେ ପୁଅର ସାହାସ ବଢିଗଲା। ଅପୁ ଶୋଇଥିବା ଦେଖିଲେ ସେ ତା ସହିତ ଅସଦବ୍ୟବହାର କରିବାକୁ ଲାଗିଲା। ସମୟ ଏମିତି ଆସିଲା,ଅପୁ ଶୋଇବାକୁ ଡ଼ରିଲା। ଦଶ ବର୍ଷର ଝିଅଟିଏ, ସେ ଚାହିଁଥିଲେ ଆତ୍ମହତ୍ୟା କରିଦେଇଥାଆନ୍ତା। କିନ୍ତୁ ସେ ନିଜକୁ ପଚାରିଲା,"ମୁଁ କାହିଁକି ମୋ ଜୀବନ ଶେଷ କରିଦେବି? ଗୋଟିଏ ନୀଚ୍ଚ ମଣିଷ ପାଇଁ ମୁଁ କାହିଁକି ବଞ୍ଚିବା ଛାଡ଼ିଦେବି। ମୁଁ ଲଢ଼ିବି। ମୋ ସହ କିଏ ରହୁ ବା ନ ରହୁ,ଭବିଷ୍ୟତରେ ମୋ ଭଳି ଝିଅମାନଙ୍କ ସଂସ୍ପର୍ଶରେ ଆସିଲେ ମୁଁ ସେମାନଙ୍କୁ ସାହାଯ୍ୟ କରିବି। ସେମାନଙ୍କ ସହ ଠିଆ ହେବି। ସେମାନଙ୍କୁ ନିଃସଙ୍ଗ, ନିଃସହାୟ ବୋଧ ହେବାକୁ ଦେବି ନାହିଁ। "ଆଜି ସେହି ଅପୁ ତୋ ସାମ୍ନାରେ ପୁଲିସ ଅଧିକାରୀ ଅପରାଜିତା ପଟ୍ଟନାୟକ ଭାବେ ଠିଆ ହୋଇଛି। ଭଗବାନ ତୋତେ ମଣିଷ ଜନ୍ମ ଦେଇଛନ୍ତି। ନିଜ ପାଇଁ ସମାଜ ପାଇଁ ବଞ୍ଚିବୁ। ଜୀବନକୁ ଉପଭୋଗ କରିବୁ। ଗୋଟିଏ ଭୀରୁ,କାପୁରୁଷ, ଅପରାଧୀ ପାଇଁ ତୁ ନିଜ ଜୀବନ କାହିଁକି ଶେଷ କରିଦେବୁ? ଅପରାଜିତାର କଥା ନ ସରୁଣୁ ବର୍ଷା କହି ଉଠିଲା,"ମୋର ଭୁଲ ହୋଇଯାଇଛି, ମ୍ୟାଡାମ । ମୁଁ ଆଉ କେବେ ଆତ୍ମହତ୍ୟା କରିବାକୁ ଚିନ୍ତା ମଧ୍ୟ କରିବି ନାହିଁ। ମୁଁ ଜୀବନ ସହ ଲଢ଼ିବି, ବଞ୍ଚିବି, ଆପଣଙ୍କ ଭଳି ଅପରାଜିତା ହେବି। ବର୍ଷାର ମୁହଁ ନୂତନ ଆଲୋକରେ ଉଦ୍ଭାସିତ ହେଉଥିଲା।