Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Satyabati Swain

Others

3  

Satyabati Swain

Others

ଲଘୁଚାପ

ଲଘୁଚାପ

3 mins
7.3K


କୁଆଁ ରାବଟିଏ ଶୁଣିଲେ 'ସୃଷ୍ଟି' ରମନ ପୁଲକରେ ଭରିଯାଏ  ।  ହୃଦୟ ବଗିଚାରେ ଫୁଟି ଉଠନ୍ତି ମେଞ୍ଚାଏ ବାସ୍ନାର ମହମହ ଫୁଲ ପେନ୍ଥା । ହଠାତ ଦୁନିଆ ହୋଇଯାଏ ଖାଲି ପିଲା ଆଉ ପିଲା । କୃଷ୍ଣ, ରାମ, ପିଙ୍କି ସୋନା,ଗୁଗୁ,ଦ୍ରାକ୍ଷା, ଲାଲଟୁ,ଇଲୁ....କେତେ ନାମରେ । ପିଲା ମୟ ଘର,ଦୋଳି,ଟେଡି,ରିମୋଟ କଣ୍ଟ୍ରୋଲ କଣ୍ଢେଇ,ଡ୍ରେସ ।

ଆଃ !ସତ ସତିକା ରକ୍ତ ମାଂସର କଣ୍ଢେଇ ସଙ୍ଗେ ଖେଳିଆବାକୁ ମନ ଭା..ରି କୁହେ । ଇଚ୍ଛା ହୁଏ ଛାତିରେ ଜାକି ଦିନ ଦିନ ବସିବାକୁ । ନାନା ବାୟା ଗୀତ ,ପଦ୍ମାବତୀ କିରଣ ବେଦୀ,ଶହୀଦ ମାନଙ୍କ ଦେଶପ୍ରେମ କଥା ଶୁଣେଇବାକୁ । ତାକୁ କୋଳରେ ପୁରାଇ ଶୁଆଉ ଶୁଆଉ ନିଜେ ଗହୀର ନିଦ ମାଉସୀ କୋଳରେ ଘୁମାଇଁ ପଡ଼ିବାକୁ ।  ନିଜ ଦେହ ଉଷୁମରେ ତାକୁ ଉଷୁମ କରିବାକୁ

ଆଉ ସେ ଯେତେ ବେଳେ ତା କୁନି ମୁହଁରେ ଅଣ୍ଡାଳି ଅଣ୍ଡାଳି ସୃଷ୍ଟି ଛାତିର ଅମୃତ ଟାଣି ନିଅନ୍ତା ...ଓ

ମାଇଁ ଗଡ଼ କେମିତି ସତ ଲାଗନ୍ତା ସେ ଅନୁଭବଟା.... । ଭାବିଲେ ଏତେ ପ୍ରଶାନ୍ତି,ସତଟା କେମିତି ...କେମିତି ଅନୁଭବ ନ ହେଇଥିବ ସତରେ!!! ସୃଷ୍ଟି ମା ମନର ଭରା ମାଠିଆ ଚହଲି ଉଠୁଥିଲା ଅଦ୍ଭୁତ ଆକର୍ଷଣର,ଅଶ୍ରୁତ ଆବେଗରେ ।

ନର୍ସିଂ ହୋମ ବେଡ଼ରେ ଟେଷ୍ଟ ହେଉ ହେଉ ଗୋଟିଏ ଅଜଣା ରୋମାଞ୍ଚରେ ରୋମାଞ୍ଚିତ ହେଉଥିଲା 'ସୃଷ୍ଟି' । ଚେକପ ପାଇଁ ଆସିଛି । ଏବେ ତାର ଛଅ ମାସ ଚାଲୁଛି । ଟିକେ ଲିକେଜ ହେବାରୁ ଚେକପ ହେଉଛି ତାର । ଡାକ୍ତରଙ୍କୁ ବାରମ୍ବାର ପଚାରୁଛି ସୃଷ୍ଟି" ତା ବେବି ଭଲ ଅଛି ନା?ଝିଅଟିଏ ଠିକ ତା ପରି ହେବ ତ!!ଖଣ୍ଡା ନାକ,ଢଳ ଢଳ ଆଖି ,ଗୋଲାପି ଗୋଲାପୀ ଓଠ,କୁନି କୁନି ପାଦ,ଗହଳ କଳା କଳା କେଶ,ବେହେଡା ଆଗ ଛାମୁର ବାଁ ପାଖ ଦାନ୍ତ । କୁହନା ଡାକ୍ତର ବାବୁ.. . ସୃଷ୍ଟି ଅସମ୍ଭାଳ,ଅତିଷ୍ଠ ହେଇ ଉଠୁ ଥିଲା ଜାଣିବାକୁ ତା ବେବି ବିଷୟରେ  ।  ଅପେକ୍ଷା ସହ୍ୟ ହେଉ ନଥିଲା ତାର ।

ପାଖରେ ସ୍ୱାମୀ ନିଶାନ୍ତ । ଚୁପ ଚାପ ଗମ୍ଭୀର ହୋଇ ବସିଥାନ୍ତି । ଆଶ୍ୱାସନା ଦେଇ କହୁ ଥାନ୍ତି ବ୍ୟସ୍ତ ହୁଅନି ରିପୋର୍ଟ ତ ଆସୁ । ତୁମେ ଦେଖିବ ଆମ ବେବି ପୁରା ଭଲ ଥିବ । ଆଉ ମାତ୍ର ତିନିଟା ମାସ ପରେ ତା ସଙ୍ଗେ ଆମେ ଖେଳିବା । ସେ ତୁମକୁ ମା ଓ ମୋତେ ଖନେଇଁ ଖନେଇଁ ବା ବା ଡାକିବ ।  ସୃଷ୍ଟି କୁଣ୍ଠିତ ହସଟିଏ ହସି ନିଶାନ୍ତର ହାତ ଚାପି ଧରୁଥିଲା ଜୋରେ ।

ଅପେକ୍ଷା... ଓହୋ କି କଷ୍ଟ!!ପ୍ରତି ସେକେଣ୍ଡ ଲାଗୁଥିଲା ଗୋଟିଏ ଗୋଟିଏ ଯୁଗ!! ସନ୍ଦେହର ରାବଣ ବେଶୀ ତ ଡରାଉଥିଲା ସୃଷ୍ଟିକୁ । ସବୁ ଯଦି ଠିକ କାହିଁକି ଏତେ ଟେଷ୍ଟ!!କାହିଁକି ଡାକ୍ତର କିଛି ମନ୍ତବ୍ୟ ଦେବାକୁ ନୀରବ । କାହିଁକି ?କାହିଁକି? କାହିଁକିର ନଟେଇଏ ଅଡ଼ୁଆ ସୁତା ସଜାଡି ପାରୁ ନଥିଲା ସୃଷ୍ଟି ।

ବିବାହର ତେର ବର୍ଷ ପରେ ମା ହେବାକୁ ଯାଉଛି ସୃଷ୍ଟି ।  ଖୁସିର ତାରା ଫୁଟିଛି ତା ମନ ଆକାଶ ସାରା ।  ଦୀର୍ଘ ତେର ବର୍ଷ ପରେ.... ତା ମନ ହସୁଛି,ନାଛୁଛି,ବାସୁଛି, ଗାଉଛି,କଅଁଳା ବାଛୁରୀ ଗାଁ ଦାଣ୍ଡେ ଗୋଡ ଛାଟି ଡେଉଁଛି ଅବା  ।

ହେଲେ ଆଜି ....ମନଟି କାଇଁ ଭାରି ଲାଗୁଛି । ସକାଳୁ ସକାଳୁ ଲିକେଜଟା ତାକୁ ମୋଡି ମାଡି ଭାଙ୍ଗି ଦେଲାଣି । ଡାକ୍ତରଙ୍କ ନୀରବତା ଆହୁରି ସନ୍ଦେହ ଜାଲ ବୁଣୁଛି । ହେ ମା କଟକ ଚଣ୍ଡୀ !ହେ ପ୍ରଭୁ ଜଗନ୍ନାଥ ବେବିଟା ତାର ସୁରକ୍ଷିତ ଥାଉ ।

ଡାକ୍ତର ବାବୁ ଆସିଲେ ରିପୋର୍ଟ ନେଇ । ଅପେରେସନ ଥିଏଟରକୁ ସୃଷ୍ଟିକୁ ନିଆଗଲା ।

ସୃଷ୍ଟି ବିଭୋର ସୃଷ୍ଟିଟିଏ ପାଇଁ,ବିଚଳିତ,ଆଶଙ୍କିତ ବି ।

ମୋ ବେବି ଠିକ ଅଛିତ!!ନିଶାନ୍ତଙ୍କୁ ହଲାଇ ହଲାଇ ପଚାରୁଥିଲା ସୃଷ୍ଟି ।

କଣ ଏତେ ବ୍ୟସ୍ତ ହେଉଛ । ଏମିତି କେତେ ଚେକପ ହୁଏ ଏ ସମୟରେ । ସୃଷ୍ଟି ଟିକେ ଆଶ୍ୱସ୍ତ ହେଲା ।  କାରଣ ନିଶାନ୍ତ କେବେ ମିଛ କହନ୍ତି ନି ।

ଅପେରେସନ ବେଡ଼ରେ ତାକୁ ଗୋଟିଏ ଇଂଜେକସନ ଦିଆଗଲା ।  ଆସ୍ତେ ଆସ୍ତେ ଆଖି ମୁଦି ହୋଇ ଆସିଲା ତାର । ଯଦିଓ କଥା କହି ପାରୁ ନଥିଲା ସେ ଅନୁଭବ କରି ପାରୁଥିଲା କଣ ହେଉଛି ।

ସତେ କି ତା ପେଟ ଭିତରରୁ ଅନ୍ତ ବୁଜୁଲା ସବୁ ତଳ ପଟେ କିଏ ଟାଣି ନେଉଛି ।  ଗ୍ରାଇଣ୍ଡର ପରି କଣ ଗୋଟେ ଘର ଘର ହୋଇ ବୁଲୁଛି ତା ପେଟ ଭିତରେ । ଘର ..ଘର ଟିକେ ବନ୍ଦ । ସତେ ବା ଖଣ୍ଡ ଖଣ୍ଡ ହେଉଛି ତା ପେଟ ଭିତର । ଅସହ୍ୟ ଯନ୍ତ୍ରଣା ।  ଲାଗୁଛି ଖଣ୍ଡ ଖଣ୍ଡ ହେଉଛି ତା ହୃଦୟ, ଦେହ, ଜୀବନ, ଜୀଇଁବା ହସ,ଖୁସି,ସ୍ଵପ୍ନ ଏବଂ ସମସ୍ତ ସମ୍ଭାବନା । ଚିତ୍କାର କରିବାକୁ ଚାହୁଛି ।  ନା.. ନା ଏମିତି କରନି,ପ୍ଲିଜ଼ ପ୍ଲିଜ଼ । ଚାହିଁଲେ ବି ପ୍ରକାଶ କରି ପାରୁନି କିଛି । ଜିଭ ବୁଲୁନି,ତଣ୍ଟି ଅଠା ଅଠା ।

ଢେର ସମୟ ପରେ ତାର ଚେତା ଫେରିଲା  ।  ବେଡ଼ରେ କାନ୍ଥକୁ ମୁଣ୍ଡ ଡେରି ନିଶାନ୍ତ ଉଦାସ ଦେଖା ଯାଉ ଥାନ୍ତି । କାନ୍ଦିଛନ୍ତି ବୋଧେ ।

ପୁରୁଷ ପୁଅ ନା... ଲୁହ ନ ଦେଖାଇ ଯଥେଷ୍ଟ କାନ୍ଦନ୍ତି କିନ୍ତୁ!!!

ପାଣି ....ପାଣି ହେଲା ସୃଷ୍ଟି । ନିଶାନ୍ତ ଧଡପଡ ଉଠି ମାଜାରଷ୍ଟ୍ର ଟିକୁ ତା ମୁହଁରେ ଧରେଇଲେ । ପୁଣି ଆଖି ବୁଜି ଦେଲା ସେ ନିଶାନ୍ତକୁ କିଛି ନ ପଚାରି । ପରିସ୍ଥିତି, ପରିବେଶ ସବୁ କିଛି କହି ଦେଉଥିଲା;ତା ପେଟର ଯନ୍ତ୍ରଣା ଓ ଖାଲି ଖାଲି ପଣ  । ଆଉ ଯେ ଆରମ୍ଭ କିଛି ନାହିଁ କେବଳ ମାତ୍ର ଶେଷ ଓ ଅବଶୋଷ ଜୀବନ ତମାମ ବାକି ।

ନର୍ସିଂ ହୋମର ଆର ରୁମରୁ କୁଆଁ କୁଆଁ ଶବ୍ଦ ଭାସି ଆସୁଥିଲା ସୃଷ୍ଟିର ଅନ୍ତଃକରଣ ଯାଏ କୋରି କୋରି । ସୃଷ୍ଟି ସବୁ ଦିନ ସୃଷ୍ଟି ହେଇ ରହିଗଲା ସ୍ରଷ୍ଟା ହେଇ ପାରିଲାନି ।  ହେଇ ପାରିବନି ବି ।

କାରଣ ଡାକ୍ତର ଆଗରୁ କହି ଥିଲେ ଏ ଇସୁ ପ୍ରଥମ ଏବଂ ଶେଷ ହେବ ତାଙ୍କର ।

ଲଘୁ ଚାପ ଜନିତ ବର୍ଷା ପରି ଲୁହ ଝରୁଥିଲା ସୃଷ୍ଟି ଆଖି ଆକାଶରୁ..... ବନ୍ଦ ହେବାର ନା ନଧରି ତୁହାକୁ ତୁହା ।

ସତ୍ୟବତୀ ସ୍ଵାଇଁ,ବାଲିକୁଦା,ଜଗତସିଂହପୁର


Rate this content
Log in