Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Soumya Shubhadarshinee

Others

3  

Soumya Shubhadarshinee

Others

ସ୍ମୃତିର କ' ଖ' ଗ'

ସ୍ମୃତିର କ' ଖ' ଗ'

6 mins
487


    ସ୍ୱପ୍ନ ରାଇଜର ଇନ୍ଦ୍ରଭୁବନ, ସେଠିକାର ପାରିଜାତ ଫୁଲ ଆଉ ତାରି ସୁବାସ ଭିତରେ ଆମ ମନ ଫରୁଆରେ ସ୍ମୃତି !


  କେତେ କମକୁଟ ଆହାଃ , ଚିକ୍କଣ ଶାଳ କାଠର କଳାକୃତି । ସୁନ୍ଦର କୁନି ଦେଉଳ ସମ ରୂପ , ଆଉ ଭିତରେ ଉଭା ମଦନ ମୋହନ ତାଙ୍କ ପାଟ କନା ବିଛା ଛୋଟ ରୁପା ଗାଦି ଉପରେ । ଚନ୍ଦନ , ଅଗରୁ , ମଲ୍ଲୀ , 

ମାଳତୀର ମହମହ ବାସ ଚହଟେଇ , ଆମ୍ବ କଷି ଝୁଲେଇ , ରଙ୍ଗ ରାସ ଖେଳେଇ ଆସନ୍ତି ପ୍ରଭୁ ଦୋଳିଆ ମାନଙ୍କ କାନ୍ଧରେ ଝୁଲି ଝୁଲି ।


ଗଉଡ଼ ପିଲାଏ କେଡେ ସୁନ୍ଦର ସାଜି ସୁଜି ନିଜ ଓସ୍ତାଦର ବାଜା ତାଳେ ତାଳେ ଲଉଡି ଖେଳୁଥାନ୍ତି ପ୍ରଭୁଙ୍କ ବିମାନ ଆଗରେ । କି ନାଚ ସିଏ ଆହାଃ , ଆଖି ଲାଖିଯିବ , ମନ 

ଚହଲି ଯିବ , ପାଦ ମନକୁ ମନ ପଡିବ ଉଠିବ । ଅବାଳ ବୃଦ୍ଧ ବନୀତା ବିଭୋର ହେଇ ଝୁମୁ ଥିବେ ସାରା ଗାଁ ଦାଣ୍ଡରେ । ଘଣ୍ଟ , ଘଣ୍ଟା , ଝାଞ୍ଜ , ମୃଦଙ୍ଗ , ଢୋଲ ମାଡ଼ ହେଉଥିବ ବଡ଼ ତାଳରେ । ଆଉ ରଙ୍ଗ ଅବିର ଓଃ ! ମଳୟ ପବନ ଛୁଆଁରେ ମହ ମହ ବାସୁଥିବ ଆଉ ଚିତ୍ର ବିଚିତ୍ର କରୁଥିବ ଗାଁ ଗୋଟାକର ସବୁ ମଣିଷଙ୍କୁ । 


 ଆଉ ଜାଣିଛୁ, ଆମ ଗାଁରେ ଯଉଁ ରଜା ଦୋଳ ମଣ୍ଡପ । ସେ ଏଡ଼େ ବିରାଟ ଆରେ ବାପରେ , ସେଠି ପୁରା ପାଞ୍ଚୁଟା ଗାଁର ଠାକୁର ଆସି ବିଜେ ହେବେ । କେଡେ ଭଳିକି ଭଳି ବେଶ ହେଇଥିବେ ଯେ ଆଖି ଖୋସି ହେଇଯିବ ସେଇ ସାଜ ଦେଖି । ପ୍ରଭୁଙ୍କ ସେଇ ନଟନାଗର ରୂପ ଦେଖିଲେ ଚର୍ମ ଚକ୍ଷୁ ପବିତ୍ର ହେଇଯିବ । ଆଉ ଆମେ ଝୁଅ ମାନେ ନରିଆ ଅଜାଙ୍କ ସହ ବହାରିବୁ ମେଳଣ ପଡିଆ । କଉଥେରେ ଯିବୁ କହିଲୁ , ହାଁ ତୋର ହେଜ ପାଇବନି ସେଣିକି ବୁଝିଲୁ ନାତିଆ । ବଳଦ ଗାଡ଼ିରେ ବସି । ସେଇ ଠୁରି କକେଇର ରଙ୍ଗା ଆଉ ବରୁଆ ,ଏଡ଼େ ଏଡ଼େ ଶିଙ୍ଗ ତାଙ୍କର ଇଲୋ ବୋଉଲୋ ! ହେଲେ ପ୍ରକୃତି ଭାରି ସୁଧାର ହାଁ , କୋଟିକରେ ଗୋଟିଏ । ସେ ବଳଦ ଗାଡ଼ିରେ କେଡେ ବଢିଆ କନ୍ଥା , ମାଠ , ତକିଆ ଆଉ ରଙ୍ଗ ବେରଙ୍ଗ କାଚ ମାଳି , ଭାରି ମନୋହର । ଆଉ ରଙ୍ଗା ବେକରେ ଘଣ୍ଟି ଝୁଣୁ ଝୁଣୁ , ସାଥିରେ ବରୁଆ ଗଳାରେ ବଡ଼ ଦୋସରୀ ମାଳ । ଦିହେଁ ଗାଁ ଦାଣ୍ଡରେ ଦୌଡ଼ିଲେ ଲୋକେ ଘଡ଼ିଏ ଅନେଇବେ ହାଁ । ରାଜା ମିତି ନାଗିବ ଆମକୁ ସେଥିରେ ଗଲେ , ବୁଝିଲୁ । ସାଥିରେ ଯିବେ ମୋ ମାଉସୀ ମାନେ , ମାମୁଁ ମାନେ ଆଉ ମାଇଁ ମାନେ । ତିନିଟା ବଳଦ ଗାଡ଼ିରେ ଆମେ ଏକଦମ ପଟୁଆର କରି ମାଡିଯିବୁ ରଜା ମେଳଣ ପଡିଆ। 


  ସେଠି ଜାତି ଜାତିକା ଚିଜ , ମନୋହରୀ ଦୋକାନ , ଖଜା ,ମାଲପା ଗୁଡ଼ିଆ ଚାଳି , ଘୋଡା ନାଚ , ଷଣ୍ଢ ନାଚ , ବାଘ ନାଚ , ବାଉଁଶ ରାଣୀ , ଆଚାର , ବଡି , ପାମ୍ପଡ଼ , ଝାଡୁ , ବେତା , ବାଉଁଶିଆ , ବିଞ୍ଚଣା , ଶୀଳ , ପେଡି , ଚକି , ଚେନାଚୁର , ସର୍ବତ ଏମିତି କେତେ କ'ଣ । ଅଜା ଆମର ଆଗ ନେବେ ଦିଅଁଙ୍କ କତିକି । ଲମ୍ବ ହେଇ ପଡିଯିବେ ତାଙ୍କ ପାଦେରେ । କଇଲ୍ୟାଣ କରିବେ ପଣ୍ଡିତେ ଆମ ସଭିଙ୍କୁ । ଆମେ ଭେଟି ଚଢ଼େଇବୁ ,ଭୋଗ ରାଗ କରିବୁ , ଚନ୍ଦନ ନାଇବୁ , ଦାନ ଦକ୍ଷିଣା ଦବୁ । ତେଣିକି ବୁଲିବୁ ମନ ଖୁସି କରିକି । ମୁଁ କିଣିବି କାନ ଫାସିଆ , ନାକର ଗୁଣା , ଚୁଡି , କଜଳ , ପଥର ମୁଦି , କଣ୍ଠି ମାଳି , ରଙ୍ଗ , ରିବନ ଫିତା ଏମିତି କେତେ କ'ଣ । ମାଉସୀ ମୋର କିଣିବ ପାଣି ଚୁଡି ଦି ଚାରି ମୁଠା , ମୁଦି ଗଣ୍ଡାଏ ତା' ଯା ମାନଙ୍କ ପେଇଁ । ମାଇଁ ମାନେ କେତେ କ'ଣ ସାଜ ଜିନିଷ ରୁଣ୍ଡେଇବେ । ଆଈ ପାଇଁ ପରଚୁଳାଟାଏ ନିଶ୍ଚିତ ଯିବ । ହେ ହେ ତୁ ବୁଝୁଛୁ ଟି , ଆରେ ଲମ୍ବ ଚୁଟିର ଟେସିଲ୍ , ଆଈଟା ଆମର ମୂଷା ଚୁଟି ଆଣିତ ସେଇ ସକାଶେ । ପରଚୁଳା ନଗେଇ ଏଡ଼େ ବାଗରେ ଖୋଷା ପାରିଦେଵ ଯେ ଆଖି ଟେରା ହେଇଯିବ ହାଁ । ଆଉରି କିଣା ହବ ସଉପ , ଚଟେଇ , ବିଞ୍ଚଣା , ବାଉଁଶିଆ , ଟୋକେଇ , ମୁଗୁରା । ଅଜା ଶେଷକୁ ନେବେ ଗୁଡ଼ିଆ ଚାଳି । ଆଜିକାଲିକା ଭଳିଆ ନୁହେଁ ବା , ଆମର କିଣା ହେବ ପାଛିଆଏ ବରା, ପାଛିଆଏ ପକୁଡି , ତଶଲାଏ ରସ ଗୋଲା , ପାଞ୍ଚ କିଲି ପୋଡ଼ ।ଏମିତି ବୁଝିଲୁ ଆମ ଖାଇବା , ଦେଖିଲେ ତୁମେ ଗୁଡା ଡରିବ ଆଉ । ସେ ଯୁଗ ଆଉ କ'ଣ ଅଛି , ଆଜିକା ପିଲାଏ ସବୁ ପେଟ ବେମାରିଆ , ଶୁକୁଟା , ଧେଡ଼ିଆ ଛି !


 ଫଗୁ ଖେଳିବେ ଯେବେ ଦିଅଁ ସତ କହୁଛି ନାତିଆ ଗୋପିକା ସୁନ୍ଦରୀ ମିତି ନାଗିବ ଆମକୁ । କୋଉ ଗୋଟେ ବାନୁଆ ଟୋକା ରଙ୍ଗ ମେଞ୍ଚେ ନଗେଇ ଦେଲେ ଦିହରେ ଛନକା ପଶିଯିବ ଆମର । ଆମେ କୁଳ ଭୁଆଶୁଣି, ଘର କଣରେ ଲୁଚୁଥୁବୁ । ସରମରେ ଜଳି ପୋଡି ଯାଉଥୁବୁ , ଆଉ ଖେଳିବାକୁ ରଙ୍ଗ ମନେ ମନେ ଆଉଟୁ ପାଉଟୁ ହଉଥୁବୁ । ସେଇ ଭିତରେ ତୋ ଜେଜେ ଆସିବେ , ସେ ମୋ ସାନ ମାମୁଁଙ୍କ ସାଙ୍ଗ ସାଜିଥିବେ । ଆଉ ଲୁଚେଇ ଚୋରେଇ ରଙ୍ଗ ଲଗେଇ ଦେବେ । 


  ଜେଜିମା ଯେବେ ନିଜ ସ୍ମୃତିର ଦୋଳ ମେଳଣ ବର୍ଣ୍ଣନା କରେ ତା' ଆଖିର ତାରା ଚମକି ଯାଏ , ସାତ ରଙ୍ଗ ପହଁରି ଯାଏ ସେଇ ଆଖି ଭିତରେ । ଶୋଭିତ ଯେବେ ଶୁଣେ ଚୁପ ଚାପ ସେଇ ଗପ ବସନ୍ତ ମଳୟ ବହିବାକୁ ଲାଗେ ତା' କଂକ୍ରିଟ ସହରର ଛାତି ଛୁଇଁ । ନିର୍ଜୀବ ସହରର ଲୋକେ ମେସିନ୍ ଭଳି ବ୍ୟସ୍ତ ଥିବା ବେଳେ ଜାଣି ପାରନ୍ତି ନାହିଁ କେବେ ଆସେ ବସନ୍ତ , କେବେ ବହେ ମଳୟ , କେବେ ଝଡେ ପତ୍ର , କେବେ କୋଇଲି ଗାଏ ( କୋଇଲି ଆଉ ଅଛନ୍ତି କେଜାଣି , ଗଛ ଗୁଡା ତ ନିଶ୍ଚିହ୍ନ ହେଇଗଲେଣି ) । 

   

   କିନ୍ତୁ ଏକମାତ୍ର ମଣିଷ ଶୋଭିତ ଯେ 

ଅନୁଭବ କରେ ଏଇ ବେପଥୁ ଜେଜୀର ଗପରେ । ଆଉ ସଙ୍କୁଚିତ ହେଇଯାଏ ଭିତରେ ଭିତରେ କାରଣ, ଜେଜୀର ଗପରେ ସେଇ ଗାଁର ଜୀବନ ହଜାରେ ଥର ଜୀଇଁବା ପରେବି ଶୋଭିତ ହେଇପାରେନି ଟିକିଏବି ଗାଁ ମଣିଷ। ସେ ରୁହେ ସେଇ ସହରରେ , ଟ୍ରାଫିକ ଭିଡରେ , ଟ୍ରେନ୍ ଲାଇନରେ , ମଲ୍ ଭିଡରେ , ମଲ୍ଟିପ୍ଲେକ୍ସ ନିଶାରେ , ମେଟ୍ରୋ ପରିବେଶରେ । ଯେଉଁଠି ଜେଜୀ କେବଳ ଛଟ ପଟ ହୁଏ ପାଣି ବାହାରେ ଥିବା ମାଛ ଭଳି । ଡହଳ ବିକଳ ହୁଏ ଦେଉଳ , ଦିଅଁ , ଶାଳଗ୍ରାମ ପାଇଁ , ଖୋଜିହୁଏ ନିର୍ମାଲ୍ୟ , ତୁଳସୀ ମାଳି , ରକ୍ତ ଚନ୍ଦନ , ଭାଗବତ ପୋଥି , ଷଠି ଘର । ଶୋଭିତ ଚାହିଁଲେ ବି ରାଗି ପାରେ ନାହିଁ, ବିରକ୍ତ ହେଇପାରେ ନାହିଁ , ଘରୁ ବାହାର କରିଦେବାର ଯୋଜନା କରିପାରେ ନାହିଁ , ବୃଦ୍ଧାଶ୍ରମ ଖୋଜିପାରେ ନାହିଁ କି ନିଜେ କୁଆଡେ ପଳେଇ ପାରେ ନାହିଁ । କାରଣ ଜେଜୀକୁ ଆଉ କିଛି ବୁଝା ପଡୁନି ଏଇ ଦୋଳ ମେଳଣ ଛଡା । ନିଜ ଅଶୀ ବର୍ଷର ଜୀବନ କାଳ ଭିତରେ ଘଟିସାରିଥିବା ଅଗଣିତ ଘଟଣା ଭିତରୁ କେବଳ ଦୋଳ ମେଳଣ ମନେ ପକେଇ ପାରେ ଜେଜୀ । ସବୁବେଳେ , ସବୁ ଦିନ , ସବୁ ରାତି । କଳା କାହ୍ନୁଙ୍କ ହୋରି ଖେଳ ଆଉ ରାଈ କିଶୋରୀର ରଙ୍ଗ ରାସ ଛଡା ଆଉ କିଛି ମନେ ପକେଇ ପାରେନି ଜେଜୀ । 


  ଠିକ ରୁହେ ଅନେକ ସମୟରେ , କିନ୍ତୁ ବିଗିଡି ଯାଏ ଅଚାନକ । ଘରୁ ଗୋଡ଼ କାଢି ବାହାରି ଗଲେ , ଭୁଲି ଯାଏ ସବୁକିଛି । ହଜିଯାଏ ସମ୍ପୂର୍ଣ୍ଣ ଭାବରେ । ନିଜ ନାଁ ସୁଦ୍ଧା କହିପାରେନି । ଡାକ୍ତର କୁହେ ଏଇଟା ବିସ୍ମରଣ ( ଆଲଜିମର୍ ) ବାର୍ଦ୍ଧକ୍ୟ କାଳର ସବୁଠୁ ସୁନ୍ଦର ଉପହାର । ତା' ନୁହେଁ ତ ଆଉ କ'ଣ ପାଗଳ ମଣିଷର କି ଦୁଃଖ ଆଉ କି ସୁଖ ???


 କେତେ ଆବେଗରେ କୁହେ ଜେଜୀ ଦୋଳ କଥା । କେତେ ମୋହ ଲଗାଇ , ଆଖି ନଚେଇ , ମନ ରଜେଇ ଗପେ । କିନ୍ତୁ କେବେବି ଜାଣି ପାରେନା ସେ ଏବେ ଗାଁ ଭୂଇଁଠୁ ଯୋଜନ ଯୋଜନ ଦୂରରେ । ଶୋଭିତ ପାଖରେ , ବ୍ୟଙ୍ଗଲୋରରେ । ବୁଝି ପାରେନା ତା' ପୁଅ ବୋହୂ ଆଉ ନାହାନ୍ତି , ଗୋଟେ ଦୁର୍ଘଟଣାରେ ଚାଲିଗଲେଣି । ଶୋଭିତ ଏବେ ଏକା , ବିଲକୁଲ ଏକା !


  କିନ୍ତୁ ଜେଜୀ ଭଲ ଥିଲେ , କାନ୍ଦେ ବହୁତ କାନ୍ଦେ । ନିଜ ଭାଗ୍ୟକୁ ନିନ୍ଦେ , କପାଳରେ ଥିବା ରେଖାକୁ କୋଶେ । ହିନୀ କପାଳି ବୋଲି ନିଜକୁ ବହେ ସମ୍ପାକଟା କରେ । ଏଇ ଅଲୋଡ଼ା ଜୀବ ଘଟ ଛାଡ଼ୁନି କାହିଁକି ବାରମ୍ବାର ଅଭିସମ୍ପାଦ ଢାଳେ । ଆଉ ଶୋଭିତକୁ ବହୁତ ଗେଲ୍ହା କରେ । ବିକଳ ହେଇ କୁହେ , '' ମନେ ରହୁନିରେ ଆଜିକାଲି କିଛି , କ'ଣ କରିବି କହୁନୁ । ତୁ କ'ଣ ମତେ ଜାଣିନୁ ମୁଁ କେଡେ କାମିକା ଥିଲି ।''


  ସତରେ ଜେଜୀ ବହୁତ ଗୁଣି ଥିଲା , ସବୁ ପିଲାଙ୍କୁ ଗଣିତ ପଢେଇଛି ସିଏ । ଅଳ୍ପ ବହୁତ ଶୋଭିତକୁ ମଧ୍ୟ । ଲୋଟଣୀ ପାରା ଭଳି କାମ କରୁଥିଲା , ରାତି ଦିନ ନିଜ ପିଲାଙ୍କ ପାଇଁ । କେଡ଼େ ସୁନ୍ଦର ରାନ୍ଧଣା ଜେଜୀ ହାତର ଆହାଃ , ସବୁଠାରୁ ଭଲ ମାଛ ଦହି । ଆଜି ଯାଏଁ କେହି ସେମିତି ସ୍ୱାଦ କରିବାର ନଜିର ପାଇନି ସେ ।


 ହେଲେ ଯେବେ ଷ୍ଟ୍ରୋକ ହୁଏ , ବାସ ସରିଯାଏ ଜେଜୀ । କାଳେ ହଜି ଯିବ ସେ ଭୟ ହୁଏ । ଏବେ ଜିପିଏସ୍ ଟ୍ରାକର ଲଗେଇଛି ଜେଜୀ ପୋଷାକରେ ଶୋଭିତ । ଜେଜୀ ହଜିବାର ନୁହେଁ । ସେହିଁ ଏକମାତ୍ର ନିଜର ମଣିଷ ଏଇ ନିର୍ଜୀବ ସହରରେ !


 ଆଉ ସେହିଁ ଗୋଟିଏ ଜୀବନ୍ତ ସ୍ମୃତି ଆମ ପରମ୍ପରାର , ମଦନ ମୋହନଙ୍କ ହୋରି ଖେଳର , ଝୁଲି ଝୁଲିକା ଦୋଳ ବିମାନର , ବସନ୍ତର , ମଳୟର ।




Rate this content
Log in