Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Soumya Shubhadarshinee

Fantasy Romance Tragedy

2.4  

Soumya Shubhadarshinee

Fantasy Romance Tragedy

ଉପସଂହାର

ଉପସଂହାର

8 mins
7.1K


ପରୀକ୍ଷା କରିବାକୁ ହୁଏ ଯେବେ କୌଣସି ଅଘଟଣର କାରଣ ସନ୍ଧାନୀବାକୁ ଥାଏ। ତନ୍ନ ତନ୍ନ କରି ଛୁଞ୍ଚି ମାଛି ନିରୀକ୍ଷଣ କରିବାକୁ ହୁଏ। ବହୁତ ସାବଧାନତା ସହକାରେ ଆଉ ଖୁବ୍ ଚତୁର ଭାବରେ। ଅନୁସନ୍ଧାନ କେବେ ପିଲା ଖେଳ ନୁହେଁ ଏଇ ମନୋଭାବକୁ ଦୃଢ଼ କରି ଆଗକୁ ଯିବାକୁ ହୁଏ।

........

ଆଖି , ହଁ ଖୁବ୍ ଅୟସ ଭରା , ସୁଢ଼ଳ , ଛଳ ଛଳ ଆଖି। ଯାହାର ଆକର୍ଷଣ ଆତ୍ମଘାତୀ , ଆଉ ନୁହେଁ ତ' କ'ଣ , ନିଜକୁ ନିଜେ ହତ୍ୟା ହିଁ କରିଛନ୍ତି ସେ ଏଇ ଆଖିର ଆମନ୍ତ୍ରଣରେ। ତୁମ ପାଇଁ ସେ ନିଜକୁ ହତ୍ୟା କରିଛନ୍ତି ନିଶ୍ଚିତ ଭାବେ। ନିଜର ସର୍ବସ୍ୱ ଦେଇ ହିଁ ଗଢ଼ା ହୁଏ ସମ୍ପର୍କ । ସେଇଟା ହିଁ ଆତ୍ମହତ୍ୟା। ନାରୀ ନିଜର ନିଜତ୍ଵ ତ୍ୟାଗ ନକଲେ କେବେ ସ୍ତ୍ରୀ ହେଇ ପାରେନାହିଁ।

.........

ତାଙ୍କ ସେଇ ଆଖି ଯୋଡିକ ଅଗ୍ନି ବର୍ଷି ସାଜି ଜାଳି ପୋଡି ନାରଖାର କରିଦେଇଛି ମୋର ସ୍ୱପ୍ନ, ପ୍ରତ୍ୟୟ, ବିଶ୍ୱାସ, ଆଉ ଅଗଣିତ ସୁଖଦ ସମ୍ଭାବନା । ତା' ନୁହେଁ ତ' ଆଉ କ'ଣ ? ଆଖି ରେ ହିଁ ତ ଥାଏ କଥା , ଭାବ, ହୃଦୟର ଭାଷା , କଳ୍ପନାର ରଙ୍ଗ, ଆବେଗର ପରଶ । ସେଇ ଯୋଡ଼ିକ ସତରେ ଯୋଡିଏ ନିଃଶବ୍ଦ କୋଳାହଳ , ଯାହାର ପ୍ରଭାବ ଅପ୍ରତିହତ।

ଦେଖିବି ମୁଁ ସେଇ ଆଖି ଯୋଡିକ ଗଭୀର ଭାବେ। ତନ୍ନ ତନ୍ନ କରି :

କାରଣ ମୋର ଖୋଜିବାର ଅଛି ସେଇ ଆୟତ ଆଖିର ବିଶାଳତା ଭିତରେ ମୋ ସ୍ତୁପୀକୃତ ସ୍ୱପ୍ନ ସମ୍ଭାରର ଅବଶେଷ। ଯାହା ସେଇଠି ହଜିଛି , ସେଇ ନୀରିହତା ଭିତରେ ଚିର ସମାଧି ନେଇଛି ମୋର ଅସ୍ତିତ୍ଵ।

ପ୍ରିୟମ , ଜାଣ ତୁମ ପତ୍ନୀର ସେଇ ଆଖି ଯୋଡିକ ନିରେଖି ଦେଖିବାର ଦୁର୍ବାର ଅଭିପ୍ସା ମୋତେ ବାଧ୍ୟ କରିଛି ତୁମକୁ ପୁଣି ଥରେ ଭେଟିବାକୁ। ମୁଁ ପଣ କରି , ନେଇଥିଲି ଗୋଟେ ବଜ୍ର ଶପଥ ," କେବେ ତୁମ ଚେହେରା ଦେଖିବି ନାହିଁ, ଛି କରିଦେବି। ପୂରା ପୁରି ନିଃଶେଷ କରିଦେବି ତୁମ ସ୍ମୃତି ମୋ ହୃଦୟର କନ୍ଭାସ୍ ରୁ।"

କିନ୍ତୁ ଆଜି ତୁମକୁ ଫୋନ୍ କରି ଘରକୁ ନିମନ୍ତ୍ରଣ କରିଦେଲି , ନବ ବିବାହିତା ପତ୍ନୀକୁ ନେଇ ମୋ ଜୀବନରେ ପୁଣି ଥରେ ଆବିର୍ଭାଵ ଲାଗି ଅନୁରୋଧ କଲି।

ତୁମେ ନିଶ୍ଚିତ ବିସ୍ମିତ ହେଇଥିବ। ମୋ ବୁଦ୍ଧି ଭ୍ରମ ହେଇଗଲାଣି ବୋଲି ଭାବି ଥିବ। ଚୁପ ଚାପ ନିଜ ଷ୍ଟଡି ଟେବୁଲ ଡ୍ରରେ ଥିବା ସେଇ ପୁରୁଣା ଡାଇରୀ ଖୋଲି ମୋତେ ଦେଖିଥିବ ସତର୍କ ଭାବେ। ହୁଏତ ଟିକେ ଥତ ମତ ହେଇଥିବ ଭିତରେ ଭିତରେ , ଆଉ ଯଦି କଉଠି ବାକି ଥିବ ମୋ ସ୍ମୃତି ସେଇ ଅନୁଭବକୁ ସତେଜ କରିଥିବ , ବା ସେଇ ଚେତନାର ଗଳାରୁଦ୍ଧ କରି ମାରି ଦେଇଥିବ।

ଜାଣେନା ଖୁସି ହେଇଥିବ କି ଦୁଃଖୀ କିନ୍ତୁ ଟିକିଏ ହଲଚଲ ହେଇଥିବ ଏତକ ପକ୍କା। କାରଣ ମୁଁ ଗୋଟେ ଚରିତ୍ର ନୁହେଁ , ଗୋଟେ ଅବିଚ୍ଛେଦ୍ୟ ଅଙ୍ଗ । ତୁମେ ଶତ ଚେଷ୍ଟା କରି ମଧ୍ୟ ମୋତେ ସମ୍ପୂର୍ଣ୍ଣ ବିସ୍ମୃତ ହେଇପାରିବ ନାହିଁ। ଏତିକି ବିଶ୍ୱାସ ଅଛି ମୋର ନିଜ ଉପରେ , ତୁମ ଉପରେ ଆଉ ଆମ ମୃତ ସମ୍ପର୍କ ଉପରେ।

**********

କ'ଣ ତାଙ୍କ ନାଁ , ଓଃ !......

ତୁମ ବାହାଘର କାର୍ଡଟି ମୁଁ ପଢିପାରିଲି ନାହିଁ । କେମିତି ପଢି ଥାନ୍ତି କୁହ । ମୋ ଆଖି ଜାଲୁ ଜାଲୁଆ ହେଇଗଲା, ମୁଣ୍ଡ କାମ କଲାନି, ହୃଦୟ ଶତଧା ବିଦୀର୍ଣ୍ଣ ହେଇଗଲା, ସବୁ କିଛି ଭୂମିକମ୍ପ ଗ୍ରସ୍ତ ଧ୍ୱସ୍ତ ସ୍ତୁପ ପାଲଟି ଗଲା। ଲାଗିଲା ଯେମିତି କାର୍ଡ ନୁହେଁ ଗୋଟେ ବିଶାଳ ପରମାଣୁ ଅସ୍ତ୍ର ଧରିଛି ମୁଁ ଯାହା ଏଇ ସଙ୍ଗେ ସଙ୍ଗେ ବିସ୍ଫାରିତ ହେଇ ମୋତେ ଜାଳି ପୋଡି ଛାରଖାର କରିଦେବ। ମୁଁ ଭୟରେ , ଯନ୍ତ୍ରଣାରେ , ଦୁଃଖରେ ଆଉ ଭୟଙ୍କର ମାନସିକ ଚାପରେ ମୋର ସମସ୍ତ ବଳ ପ୍ରୟୋଗ କରି ଖୁବ୍ ଜୋରରେ ଚିରି ଦେଲି । କାର୍ଡକୁ ଟିକ ଟିକ କରି ସଙ୍ଗେ ସଙ୍ଗେ ଜାଳି ଦେଲି। ମୀରା ମାଉସୀ କୁହେ,

" ବାହାଘର ନିମନ୍ତ୍ରଣ ପତ୍ର ଯଦି ନଷ୍ଟ କରିଦିଏ କେହି ବାହାଘର ପୁର୍ବରୁ , ଭାରି ଅମଙ୍ଗଳ । ସେ ବାହାଘର ଭାଙ୍ଗି ଯାଇପାରେ , ବର କନ୍ୟା ଭିତରେ ମନ ଫଟା ଫଟି ହେଇପାରେ , ମଙ୍ଗୁଳା ଝିଅ ଉପରେ କୁଦୃଷ୍ଟି ପଡିପାରେ ଏମିତି ଅନେକ।"

ରାଣ ଅଛି ପ୍ରିୟମ ମୁଁ ଖାସ ସେଥିପାଇଁ ଜଳେଇ ଦେଲି। ସ୍ୱର୍ଥୀ ହେଇଗଲି ମୁହୂର୍ତ୍ତକ ଲାଗି, ମୋତେ କ୍ଷମା କରିବ। ତୁମ ଅମଙ୍ଗଳ ଚିନ୍ତା କଲି । କିନ୍ତୁ ମୁଁ ତୁମ କଥା ନୁହେଁ କେବଳ ତୁମ ଭବିଷ୍ୟତ ସହଯାତ୍ରୀଣୀ କଥା ଭାବିଲି , ଯିଏ ଜୋର ଜବରଦସ୍ତ ମୋ ସ୍ବାଧୀକାର......।

ବୁଝୁଥିବ ତୁମେ ଜାଣେ ମୁଁ। ଖାସ ସେଥିପାଇଁ ତାଙ୍କ ଶୁଭ ନାମ ଜାଣି ପାରିଲି ନାହିଁ। ରିମା ଫୋନ୍ କରି କହିଥିଲା ସବୁ ଟିକି ନିଖି , କିନ୍ତୁ ମୋତେ କିଛି ଶୁଭିଲା ନାହିଁ। କେମିତି ଗୋଟେ ଶୁନ୍ ପଡିଗଲା ଦେହ ହାତ । ମୁଁ ସ୍ଥାଣୁ ହେଇ ବସିଗଲି ସେଇ ଓଦା ଚଟାଣରେ । ଗୁରୁବାର ସକାଶେ ଭାଉଜ ଘର ପୋଛି ଥିଲେ। ଆଜି କିନ୍ତୁ ଭାବୁଛି ଭଲ କଲି ବସି ଗଲି , ଯଦି କାନ୍ଦି କାନ୍ଦି ଦଉଡି ଥାନ୍ତି ତେବେ ପାଦ ଖସି ଦୁର୍ଘଟଣା ହେଇଥାନ୍ତା। ବଡ଼ ସମସ୍ୟାରେ ପଡ଼ିଥାନ୍ତେ ଘର ଲୋକ ମୋର। ହୃଦୟ ତ' ଖଣ୍ଡ ଖଣ୍ଡ ହେଇ ଯାଇଥିଲା ହାଡ ଗୋଡ଼ ବି ସେମିତି ଟୁକୁଡ଼ା ଟୁକୁଡ଼ା ହେଇ ଯାଇଥାନ୍ତା।

ହଁ , ବେକାର କଥା ସବୁ କହୁଛି ମୁଁ। ମୁଖ୍ୟ କଥା ହେଲା ନାଁଟା ତାଙ୍କର ଜାଣିନି। କିନ୍ତୁ ନିଶ୍ଚିତ ଭଲ ହେଇଥିବ । ମୋ ନାଁ ଠାରୁ ବହୁତ ବେଶି ସୁନ୍ଦର ହେଇଥିବ । ନହେଲେ ତୁମେ ମୋତେ ଭୁଲି ତାଙ୍କୁ ..... ହଁ ଭଲ ହେଇଥିବ ।

ସେଇ ସୁନ୍ଦର ନାଁ ଥିବା ତୁମ ଧର୍ମ ପତ୍ନୀକୁ ଦେଖିବାର ଅଛି ମୋର । ବିଶେଷ ଭାବେ ମୁଣ୍ଡରୁ ପାଦ ଯାଏଁ।

............

ଭାରି ଇଚ୍ଛା ଅଛି ତାଙ୍କ ଓଠକୁ ଟିକେ ସ୍ପର୍ଶ କରିବାକୁ । ମୋର ସମସ୍ତ ପ୍ରୀତି ସ୍ୱାକ୍ଷର ସେଇଠି ଲେଖିଥିବ ତୁମେ। କେତେ ସରାଗରେ , ଏକାନ୍ତରେ , ନିଭୃତ ଭାବେ ସେଇ ଓଠରେ ଲେଖିଥିବ ମୋ କୋହ ଭିଜା ଅତୀତର ମୃତ୍ୟୁ ପତ୍ର। ସେ ବିଚାରୀ ଖୁସି ହେଉଥିବେ ତୁମକୁ ନିଜର ଭାବି । କିନ୍ତୁ ଯାଣନ୍ତି ନାହିଁ ସେ ତୁମ ଜୀବନରେ ଆସିଛନ୍ତି ମୋ ପରେ। ତୁମେ ତାଙ୍କ ଲାଗି ସର୍ବୋତ୍ତମ ଭାବେ ସମର୍ପିତ ନୁହେଁ । ତୁମେ ମୋର ସମ୍ପର୍କ ଭାଙ୍ଗି ତାଙ୍କୁ ଆପଣାର କରିଛ। ସେ ଦ୍ଵିତୀୟା :ହଁ ସତରେ।

ଦେହବାଦ କେବେ ସମ୍ପର୍କର ପରିଭାଷା ନୁହେଁ। ସମ୍ପର୍କ ଗୋଟେ ଅନୁଭବ ଯାହା ହୃଦୟରେ ଗଢ଼ା ଆଉ ମନ ଭିତରେ ସାଇତା । ମୁଁ ତୁମ ହୃଦୟ ଓ ମନ ଉଭୟରେ ରାଜୁତି କରିସାରିଛି। ତେଣୁ ମୁଁ, କେବଳ ମୁଁ ହିଁ ପ୍ରଥମା ସେ ନୁହଁନ୍ତି ......

ତେଣୁ ସେଇ ଓଠକୁ ଛୁଇଁ ମୁଁ ତୁମ ସ୍ପର୍ଶ ସେଥିରୁ ପୋଛି ଦେବି। ସବୁ ପ୍ରୀତି ସ୍ଵାକ୍ଷର ଲିଭେଇ ଦେବି । କହିବି ,

" ଶୁଣ ତୁମ ଓଠରେ କ'ଣ ଗୋଟେ ଲାଗିଛି , ଧୋଇ ନିଅ ଭଲ କରି ।" ସେ ମିରର୍ ଦେଖିବେ ଆଉ କହିବେ ,

" ନାହିଁ ତ କିଛି , ଦିଶୁନି।"

ମୁଁ ହସିବି ଆଉ କହିବି ସେ ମିରର୍ ଟା ଖରାପ ଠିକ ଦେଖେଇ ପାରେନା କିଛି ବି। ଯେମିତି ତୁମକୁ ଦେଖଉ ଥିଲା ମୋତେ । ସେ ବିଶାଳ ମିରର୍ ଆଗରେ ତୁମେ ମୋ ସହ ଠିଆ ହେଇ କେତେଥର ଆମ ଦୁହିଙ୍କ ଯୋଡି କେଡେ ସୁନ୍ଦର କହିଥିବ ତା'ର ହିସାବ ନାହିଁ। ସେ ମିଛୁଆ ମିରର୍ ବି ତୁମକୁ ମୋର ଏକାନ୍ତ ଭାବେ ମୋର ବୋଲି ଦେଖେଇ ଆସିଛି। ଯାହା ଏବେ ମିଛ ବୋଲି ପ୍ରମାଣିତ। ତେଣୁ ସେ ମିଛୁଆ ମିରର୍ କିଛି ଠିକ ଦେଖେଇ ପାରେନାହିଁ। ତେଣୁ ସେ ବିଶ୍ୱାସ କରିଯିବେ ମୋତେ। ଆଉ ମୁଁ ଏକଦମ ବାଧ୍ୟ କରି ଧୁଏଇ ଦେବି ତାଙ୍କ ଓଠ । ବାରମ୍ବାର କହିବି ଆରେ ଲାଗିଛି ପା' କାଳୀମା , ମୋ ରକ୍ତ ଛିଟା, ଜଳିଯାଇଥିବା ସ୍ୱପ୍ନର ପାଉଁଶ ତୁମ ଓଠରେ। ଛି କି କଦର୍ଯ୍ୟ ଲାଗୁଛି । ଭଲ କରି ଧୋଇ ନିଅ ତୁମ ସୁନ୍ଦର ଓଠ । ଆଉ ସେ ଧୋଇବେ ମନ ଧ୍ୟାନ ଦେଇ। ଧୁଆ ଓଠରେ ମୁଁ ନିଜେ ଲିପିଷ୍ଟିକ୍ ଲଗେଇ ଦେବି। ଗୋଟେ ଖାସ୍ ରଙ୍ଗର ଯେଉଁଥିରେ ଆଉ ତୁମକୁ ସ୍ପର୍ଶ କରିବାର ଭୟ ନଥିବ। ବିଶ୍ୱାସ କର ମୋ ହାତ ଛୁଆଁ ସେ ରଙ୍ଗ ଆଉ କେବେ ଯିବନି। ଆଉ ତୁମେ ସେ ରଙ୍ଗକୁ ଦେଖି ମୋତେ ମନେ ପକେଇବ ଆଉ ଆନ ମନା ହେଇଯିବ। ମୁଁ ନଥାଇ ବି ଥିବି ସବୁବେଳେ ସେଇ ଓଠର ରଙ୍ଗରେ।

............

ଆଉ ଟିକେ ଦେଖିବି ତାଙ୍କ କାନ ଯୋଡିକ । ହଁ ସେଇଠି ତ' ତୁମେ କହିଥିବ କେତେ ମିଠା କଥା, ମିଛ କଥା , ପ୍ରତାରଣାର ବକ୍ତବ୍ୟ, ଯେମିତି ମୋତେ କହିଥିଲ ଠିକ ସେମିତି। ମୁଁ ସେଇ କାନରେ ଚୁପି ଚୁପି କହିବି ତୁମକୁ ବହୁତ ଭଲ ଭାବେ ବାନ୍ଧି ରଖିବାକୁ , କାରଣ ତୁମେ ପବନ ପରି ଖସି ଯାଇପାର ହାତରୁ ଟିକିଏ ଅନ୍ୟମନସ୍କ ହେଲେ। ମୁଁ ସିନା ସମ୍ଭାଳି ଗଲି ସେ ବିଚାରୀ କାଳେ ଭାଙ୍ଗିଯିବ। ତେଣୁ ତୁମକୁ ବାନ୍ଧିବାର ଗୁରୁ ମନ୍ତ୍ର ଖୋଜି ସେଇଟି ରୋଜ ଜପ କରିବାକୁ କହିବି।

ଆଉ ଟିକେ କଥା ବି ପଚାରିବି। ଜାଣେ ଏମିତି କହିବା ଉଚିତ ହେବ ନାହିଁ , କିନ୍ତୁ ଭାରି ଇଚ୍ଛା ଅଛି ମୋର। ଏଇ କଥା ପଦକ ଜାଣି ବାକୁ। ହଁ ପଚାରିବି ସେ କେଉଁ ରାଶି , ନକ୍ଷତ୍ର ଆଉ ଲଗ୍ନର ଝିଅ। କାରଣ ମୋର ସେଇ ରାଶି , ନକ୍ଷତ୍ର ଆଉ ଲଗ୍ନରେ ଜନ୍ମ ନେବାର ଅଛି , ଆସନ୍ତା ଜନ୍ମରେ। ତୁମକୁ ଆଉ ଥରେ ହରେଇବାର ଯନ୍ତ୍ରଣା ସହିବାର ଶକ୍ତି ନାହିଁ ମୋ ଭିତରେ ତେଣୁ । ସେ କହିବେ ମୋତେ ଆଉ ମୁଁ ମନେ ରଖିବି ଖୁବ୍ ଧ୍ୟାନରେ। କିଛି ଗୋଟେ ବିଶେଷ ପ୍ରଯତ୍ନ କରିବି ଆଗାମୀ ଜନ୍ମରେ ଜନ୍ମ ନେବାକୁ ସେଇ ମୁହୂର୍ତ୍ତରେ ଠିକ ସେଇ ଗ୍ରହ , ନକ୍ଷତ୍ର ଚଳନ ହେଉଥିବା ବେଳାରେ।

***********

ହାତ ଦୁଇଟି କଥା ତ' ଭୁଲି ଗଲି ! ମୁଁ ସବୁବେଳେ ଏମିତି ବୋକି ପା' । ନହେଲେ କି ତୁମକୁ ହାତ ପାହାନ୍ତାରେ ପାଇ ବି ନିଜର କରି ପାରିନଥାନ୍ତି !!

ହଁ ହାତ ଯୋଡିକରେ ମେହେନ୍ଦୀ ଲଗେଇ ଦେବି ମୁଁ। ସୁନ୍ଦର ମେହେନ୍ଦୀ ପତ୍ର ବାଟି ରଖିଛି । ନିଜେ ମିଶେଇଛି ସେଥିରେ ସବୁ ସାମଗ୍ରୀ । ସେ ମେହେନ୍ଦୀ ବହୁତ ଗାଢ଼ ହେବ , ଜାଣ ଭାରି ଚଢ଼ିବ ସେ ରଙ୍ଗ। ମୋ ରକ୍ତରେ ଲେଖା ହେବ ସେତକ।

ତୁମେ ଭାବୁଥିବ ମୁଁ କିଆଁ ମେହେନ୍ଦୀ ଲଗେଇବି ତାଙ୍କୁ। କାହିଁକି କରିବି ଏ ତୁଚ୍ଛା ପରିଶ୍ରମ । କିନ୍ତୁ ତୁମେ ଖୁସି ବି ହେଉଥିବ ମନେ ମନେ କାରଣ ମୁଁ ଚମତ୍କାର ମେହେନ୍ଦୀ ଲଗେଇ ପାରେ।

ମନେ ପକେଇଲ ତୁମ ବଡ଼ ନାନୀଙ୍କ ବାହାଘର , ମୁଁ ହିଁ ଲଗେଇଥିଲି ତାଙ୍କ ହାତ , ପଦରେ ମେହେନ୍ଦୀ । ତୁମ ଭିଣୋଇ ଭାଇ ବହୁତ ପ୍ରଶଂସା କରିଥିଲେ ମୋ କଳାର। ଆଉ ତୁମେ , ଛାଡ଼ ମନେ ପକେଇ କାନ୍ଦ ଲାଗୁଛି। ତୁମେ ମୋ ହାତ ଦୁଇଟି ନିଜ ପାପୁଲି ଉପରେ ରଖି ନିଜ ଓଠରେ ସେଥିରେ ଲେଖିଥିଲ ଉଷ୍ମ ସ୍ଵାକ୍ଷର। ହଁ , ମୁଁ ଲାଜରେ ହାତ ଛଡେଇ ନେଇଥିଲି ଆଉ ତୁମେ ଜୋର ଦେଇ କହିଥିଲ ଆମ ଯୁଗ୍ମ ଜୀବନର ପ୍ରଥମ ରାତିରେ ମୁଁ ଆଉ ହାତ ଛଡେଇ ଯାଇ ପାରିବି ନାହିଁ। ତୁମେ ଚିରକାଳ ପାଇଁ ସେ ଯୋଡିକ ନିଜର କରି ନେବ।

ପ୍ରିୟମ , କାହିଁକି ଏମିତି କଲ?.... କିନ୍ତୁ ବିଶ୍ୱାସ କର ଭାରି ଭଲ ପାଏ ମୁଁ ତୁମକୁ ଆଜିବି। ସେଥିପାଇଁ ତ' ମୋର ଏଇ ସବୁ ଉପକ୍ରମ।

ହଁ , ମୁଁ ତାଙ୍କ ହାତରେ ମେହେନ୍ଦୀ ଲଗେଇ ଦେବି। ଲତା , ଫୁଲ, ଆମ୍ବ କଷି, ଚାନ୍ଦ ତାରା ସବୁ ଆଙ୍କି ଦେବି। ବହୁତ ସମୟ ନେବି କରିବାକୁ ଚିତ୍ରକଳା। ତୁମେ ଜାଣିନ :

ମୋର ପ୍ରକୃତ ଉଦ୍ଦେଶ୍ୟ ନଥିବ ମେହେନ୍ଦୀରେ ଥିବ ପଢିବାରେ ତାଙ୍କ ପାପୁଲି ରେଖା। ହଁ ଗୋଟେ ମୂଲ୍ୟବାନ ଜବ କାଚ ନେଇ ମୁଁ ପଢିବି ସେ ହସ୍ତରେଖା ସବୁ। ଖୋଜିବି ସତର୍କରେ ସେଇ ହସ୍ତରେଖା ଗୁଡିକର ବିଶେଷତ୍ୱ। ସେସବୁ ସହ ମୋ ହସ୍ତରେଖାକୁ ତୁଳନା କରିବି। ସନ୍ତର୍ପଣରେ ଗୋଟିଏ କଳା କଲମରେ ମୋ ହାତରେ ତାଙ୍କ ହାତ ରେଖା ସବୁ କାଟି ନେବି। ଗୋଟିଏ ଫୋଟୋ ଉଠେଇ ରଖିବି। ଦେଖିବି କେଉଁ ରେଖା ନାହିଁ ମୋ ହାତରେ ଆଉ ଅଛି ତାଙ୍କ ପାଖରେ। ଜାଣ କେବଳ ସେଇ ରେଖାଟି ମୋର ପରମ ଶତ୍ରୁ। ଆମ ଦୁହିଁଙ୍କ ଭିତରେ ଗଢ଼ା ପ୍ରତିରୋଧର ପ୍ରାଚୀର। ସେଇ ରେଖା ପାଇଁ ସେ ତୁମ ଜୀବନରେ ପ୍ରବେଶ କରିଛନ୍ତି ଆଉ ମୁଁ ଦୁରେଇ ଯାଇଛି। ଗୋଟେ ଅତୀତର ଛିନ୍ନ ପୃଷ୍ଠାରେ ଆବଦ୍ଧ ହେଇ ରହିଯାଇଛି। ତୁମେ ମୋତେ ନିଜଠୁ ଦୁରେଇ ତାଙ୍କର ହେଇଯାଇଛ।

ସେଇ ହାତ ଯୋଡିକ ମୁଁ ଧରି ନେବି ମୋ ହାତରେ ଆଉ ମୋ ହୃଦୟରେ ଚାପି ନେଇ ଶୁଣେଇବି ସ୍ପନ୍ଦନ। ହୁଏତ ସେ ବୁଝି ଯିବେ ମୋ ମହଣ ମହଣ ବେଦ଼ନାର ସ୍ୱର।

**********

ଆଉ ଜାଣ ତାଙ୍କ ପାଦ ଦୁଇଟିରେ ମଧ୍ୟ ଅଳତା ନାଇ ଦେଇ ଦେଖିନେବି ସେ ଯୋଡିକର ରୂପ । ଯେଉଁ ପାଦରେ ଚାଲି ସେ ଗୃହ ପ୍ରବେଶ କରିଥିବେ। ତୁମ ଘରକୁ ନିଜର କରିଥିବେ। ତୁମ ବେଡ଼ରୁମ ଭିତରକୁ ଯାଇଥିବେ। ତୁମ ସହ ଗୋଟିଏ ଶେଜରେ ଚଢି ଥିବେ। ନା' ଆଉ ଭାବିବାକୁ ଇଚ୍ଛା ନାହିଁ। ହଁ ସେଇ ପାଦ ଦୁଇଟି ଯାହା ମୋ ମୃତ ସ୍ୱପ୍ନର ଶବାଧାର ଉପରେ ଚାଲି ଯାଇଛି। ଯାହାର ଶକ୍ତ ପଦା ଘାତ ରେ ମୁଁ ନିସ୍ୱ ହେଇ ଯାଇଛି । ସେଇ ପାଦ ଦୁଇଟି ରେ ମୁଁ ମୋ ରକ୍ତ ରଙ୍ଗ ମାଖି ଦେବି। ସେ ଚିତ୍ରିତ ପାଦ ନେଇ ତୁମ ସହ ଚାଲି ଯିବେ ଗୋଟେ ଅଫେରା ବାଟରେ। ମୁଁ କେବଳ ନିରବ ଦୃଷ୍ଟିରେ ଦେଖିବି ସେଇ ଗତିକୁ। ମୋ ଭିତରେ ଭୟଙ୍କର କୋଳାହଳ

ହେଉଥିବ କିନ୍ତୁ ମୁଁ ଥିବି ସ୍ଥିର ସ୍ଥବୀର। କାରଣ ମୁଁ ତାଙ୍କୁ ମୋ ରଙ୍ଗରେ ରଙ୍ଗେଇ ଦେଇଥିବି। ସେ ଆଉ ତୁମ ସ୍ତ୍ରୀ ନୁହେଁ ମୋର ଗୋଟେ ପ୍ରତିଛବି ସାଜି ସାରିଥିବେ। ଏଇ ଅଭ୍ୟର୍ଥନା ଭିତରେ ମୁଁ ମୋ କାୟା କୁ ତାଙ୍କ ଭିତରେ ସାଇତି ଦେବି। ତୁମେ ତାଙ୍କୁ ସାଥିରେ ନେବ କିନ୍ତୁ ପ୍ରକୃତରେ ମୁଁ ହିଁ ଯିବି ତାଙ୍କ ରୂପରେ ତୁମ ସହ।

ବିଶ୍ୱାସ କର ମୁଁ ତିଳେ ବି କ୍ଷତି ସାଧନ କରିବି ନାହିଁ। ଆମ କଥା ପଦେ ବି କହିବି ନାହିଁ। ଭୁଲରେ ବି ତୁମକୁ ପ୍ରିୟମ ଡାକିବି ନାହିଁ। ତାଙ୍କୁ କୌଣସି ତିକ୍ତ କଥା କି ରୁକ୍ଷ ବ୍ୟବହାର କରିବି ନାହିଁ। ଅଧିକନ୍ତୁ ସୁନ୍ଦର ଭୋଜନ ବ୍ୟବସ୍ଥା କରି ସତ୍କାର କରିବି। ତାଙ୍କ ପାଇଁ ମନଲୋଭା ଉପହାର ମଧ୍ୟ ଦେବି। ତୁମ ଅଫିସର ସହକର୍ମୀ ଭାବେ ସବୁ କାର୍ଯ୍ୟ ସୁଚାରୁ ରୁପେ କରିବି। ତାଙ୍କୁ ଅଶେଷ ଧନ୍ୟବାଦ ଦେବି , ମୋର ଚିର ଇପ୍ସିତଙ୍କ ସବୁ ସୁଖ ଯେ ତାଙ୍କ ହାତରେ। ସେଯେ ତୁମ ଆଗାମୀ ବଂଶଧର ମାନଙ୍କ ସୃଷ୍ଟି କାରିଣୀ। ତାଙ୍କ ହାତରେ ତୁମ ଦାୟୀତ୍ୱ । ମୁଁ କ'ଣ ଏତେ ଦାୟିତ୍ୱହୀନା ଯେ ତୁମ ଯୁଗ୍ମ ଜୀବନରେ ବିଷ ଭରିବି। ମୋତେ କ'ଣ ଈଶ୍ୱରଙ୍କ ଭୟ ନାହିଁ। ତୁମର ହେଇପରିଲି ନାହିଁ ଅନ୍ତତଃ ଈଶ୍ୱରଙ୍କର ତ' ନିଜର ହେଇ ମରିବି।

ନିର୍ଭୟରେ ଆସିବ ପ୍ରିୟମ। ମୋ ଶେଷ ଅନୁରୋଧ ରଖିବ। କାରଣ ମୁଁ ତୁମକୁ ଭୁଲି ପାରୁନି, ବଞ୍ଚି ପାରୁନି କି ମରି ପାରୁନି। ମୁଁ ତୁମ ସ୍ତ୍ରୀ ଭିତରେ ଆଦେହୀ ଭାବେ ବିଲୀନ ହେଇଯିବାକୁ ଚାହେଁ ।ତୁମେ ମୋତେ ଏଇ ସୁଯୋଗ ଦେଵ ବୋଲି ବିଶ୍ୱାସ ନେଇ ପ୍ରତୀକ୍ଷା କରୁଛି ଆଉ କରୁ ଥିବି ଅନନ୍ତକାଳ ଯାଏଁ।

ସୌମ୍ୟା


Rate this content
Log in

Similar oriya story from Fantasy