Quotes New

Audio

Forum

Read

Contests

Language


Write

Sign in
Wohoo!,
Dear user,
ଭିନ୍ନ ମଣିଷ
ଭିନ୍ନ ମଣିଷ
★★★★★

© Chinmayee Barik

Inspirational Others

4 Minutes   14.3K    9


Content Ranking

ମୁଁ ମୋ ନିଜକୁ ଜାଣିଲି ଅନେକ ଡେରିରେ ।ମଣିଷ କ’ଣ ସତରେ ନିଜକୁ ଜାଣିପାରେ?ହେଲେ ମୁଁ ମୋ ନିଜକୁ ଜାଣିଲି କାରଣ ମୋତେ ଜାଣିବାର ଥିଲା ମୋ ବାବଦରେ ।ବୟସ ବି କେତେ ହୋଇଥିଲା କି ?? ହେଲେ କିଛି କଥାରେ ବୟସର ମାପକାଠି ନ ଥାଏ ।ଅନେକ ଛୋଟ ବେଳରୁ ଅନେକ କିଛି ଜାଣିବାକୁ ବାଧ୍ୟ କରାଏ ଏ ସମାଜ ଆଉ ନିଜର ଆଖ ପାଖ ମଣିଷଙ୍କ ବ୍ୟବହାର ହେତୁ ।

ସପ୍ତମ ଶ୍ରେଣୀର କଥା ।ସେଦିନ ସ୍କୁଲରୁ ସିଧା ଘରକୁ ଏକ ମୁହାଁ ହୋଇ ଦୌଡି ଆସିଥିଲି ...ଚାରିଆଡ ଯେମିତି ଅନ୍ଧାର ।ବିଜୁଳି ବେଗରେ ଶୋଇବା ଘରେ ପଶି ଆଲଣା ତଳେ ଲୁଚି ଗଲି ।ଦେହରୁ ଗମ ଗମ୍ ଝାଳ..ଆଖିରେ ଶଙ୍କାୟିତ ଲୁହ....ଘନ ଘନ ନିଃଶ୍ୱାସରେ କେତେ ସମୟ ବସିଛି ତାର ଠିକଣା ନାହିଁ ।ବୋଉ ହଠାତ୍ ମୋତେ ଦେଖି କୁଣ୍ଢେଇ ପକେଇଲା ।ପଚାରିଲା କ’ଣ ହେଇଛି ବୋଲି??ମୁଁ ତା କାନରେ ଫିସ୍ ଫିସ୍ ହୋଇ କହିଲି ମୋ ଅଜଣା କଥା ।ବୋଉ ସେଇଠି ଲଥ୍ କରି ତଳେ ବସି ପଡିଲା ।ଆଖିରୁ ଧାର ଧାର ଲୁହ ।ମୁଁ ବୋଉର ଏଭଳି କାନ୍ଦିବା କେବେ ଦେଖି ନ ଥିଲି ।ମୋ କଷ୍ଟ ଠୁ ବୋଉର ଲୁହ ଭାରୀ ପଡିଗଲା ।ମୋ ହାତ ଆପେ ଆପେ ଚାଲିଗଲା ତା’ ଲୁହ ପୋଛିବାକୁ ।ବୋଉ ମୋତେ ଜାବୁଡି ଧରି କହିଲା ତୁ ମୋର ପୁଅ ....ବାସ୍ ଆଉ କିଛି ମୁଁ ଜାଣେନି ।

ବୋଉ ମାନେ ଈଶ୍ୱରୀ କଦାପି ନ ଥାଆନ୍ତି ।ତାଙ୍କ ମନ ଅନୁସାରେ ଜଗତ ଚାଲେନି ।ସେମାନେ ଭାରୀ ଅସହାୟ ନିଜ ସଂସାରକୁ ନେଇ ।ବୋଉ ହାତରେ ତ କିଛି କଥା ନ ଥିଲା ନା??ସେ କେବଳ କିଛି ଦିନ ତା’ ପଣତ କାନିରେ ଘୋଡାଇ ରଖିଥିଲା ମୋତେ ହେଲେ କେତେ ଯାଏଁ???ଦିନେ ତ ଧରାପଡିବ ସବୁ ।ଧରା ପଡିଗଲା ...ମୁଁ ଏକ ଭିନ୍ନ ମଣିଷ ।ନା ନାରୀରେ ଗଣା ହେଉଥିଲି ନା ପୁରୁଷରେ ।ଯାହାକୁ ଚଳଣି ଶବ୍ଦରେ ହିଞ୍ଜଡ଼ା କୁହାଯାଉଥିଲା ।ସ୍କୁଲର ଗୋଟେ ବଡ ପିଲା ମୋତେ ଜଣେଇ ଦେଇଥିଲା ଯେ ମୁଁ ଗୋଟେ ହିଞ୍ଜଡ଼ା ବୋଲି ।

ଆକାଶ ଫାଟି ପଡିଥିଲା ଆଉ ତା’ ଭିତରେ ମୋର ସବୁ ସ୍ୱପ୍ନ ଧୁମାୟିତ ହୋଇ ଉପରକୁ ଉଠିଯାଉଥିଲା ।ମୁଁ କିଛି କରି ପାରୁ ନଥିଲି ।ଛୋଟ ଛୋଟ ହାତ ଗୋଡ ମୋର ଖାଲି ଛଟପଟ ହେଉଥିଲା ।ମୋ ଆଖି ବି ଝାପସା ହେଉଥିଲା ।ଘଣ୍ଟା ଘଣ୍ଟା ବସୁଥିଲି ପୋଖରୀ କୂଳରେ ।ଏବେ ବୁଝିପାରୁଥିଲି ବାପା କାହିଁକି ମୋତେ କୌଣସି ସଂପର୍କୀୟ ଘରକୁ ନିଅନ୍ତିନି ।ସାନ ଭାଇ କାହିଁକି ବାପାଙ୍କର ପ୍ରିୟ ?

ଦୁନିଆ କହିଲେ ବୋଉର ପଣତକାନି ବୋଲି ଯାହା ବୁଝୁଥିଲି ।ଧିରେ ଧିରେ ସବୁ ଜାଣିଲେ ।ସାଙ୍ଗ ସାଥୀ ଠୁ ଶିକ୍ଷକ ଯାଏଁ ସବୁ ଦୂରେଇଗଲେ ହେଲେ ପିଙ୍କି ସେମିତି ମୋ ପାଖରେ ବସେ ଆଗ ଭଳି ।ମୁଁ ଅନେକ ଥର କହିଛି ତୁ ମୋ ପାଖରେ ଆଉ ବସନା ହେଲେ ପିଙ୍କି ମୋ କଥା ଶୁଣି ଚୁପ୍ ରହେ ।ମୁଁ ତାକୁ ମୋ ପାଖରୁ ପେଲି ଦିଏ ।ସେ କାନ୍ଦି କାନ୍ଦି କହେ ମୁଁ ତୋ ସାଙ୍ଗ "ଜନି" .....

ମୁଁ ଲୁହ ଢୋକି ପକାଏ ।ଛାତିକୁ ଟିକେ ଆଉଁଷି ଦେଇ କଷ୍ଟକୁ ପିଇ ଯାଏ ।ଏ ପିଙ୍କି କେବେ ବୁଝିବ ଯେ ମୁଁ ଗୋଟେ ଭିନ୍ନ ମଣିଷ ବୋଲି??

ବୋଉ ଖାଲି କୁହେ ପାଠ ପଢ ।ହଁ ...ପାଠ ବହି ଛଡା ମୋର ନିଜର କେହି ନ ଥିଲେ ।ଖୁବ୍ ପଢିଲି ।ସେଇ ଛଅ ମାସ ମୁଁ ଇନ୍ଦ୍ର ଚନ୍ଦ୍ର ଦେଖିନି ।ତଳକୁ ମୁହଁ ପୋତି ଯାଏ ।ଅଧା ବାଟରେ ପିଙ୍କି ଠିଆ ହୋଇଥାଏ ।ମୋ ପଛେ ପଛେ ସେ ଆସେ ।ମୁଁ ତା ସହ କଥା ହୁଏନି ଖାଲି ତାର ପାଦ ଶବ୍ଦ ଶୁଣୁଥାଏ ।

ପରୀକ୍ଷା ଫଳ ବାହାରିଲା... କେବଳ ମୁଁ ଜଣେ ହିଁ ସ୍କଲାରସିପ୍ ପାଇଥିଲି ।ସେ ସ୍କୁଲର ପ୍ରଥମ ମେଧାବୀ ପିଲା ମୁଁ ଥିଲି ।ବୋଉ ମୋ ମଥାରେ ହାତ ଦେଇ କହିଲା ମଣିଷ ପାଖରେ ଅସ୍ତ୍ର ଥାଏ ...ବଞ୍ଚିବାକୁ ହେଲେ ଅସ୍ତ୍ର ଖୋଜିବାକୁ ପଡେ "ଜନି"।ହଁ ସେବେଠୁ ମୋ ଅସ୍ତ୍ର ହୋଇଗଲା ମୋ ପାଠ ପଢା ।ମୁଁ ପୁଣି ସମସ୍ତଙ୍କର ପ୍ରିୟ ହୋଇ ଗଲି ।ମେଟ୍ରିକ୍ ଭଲ ନମ୍ବର ରଖି ପାସ୍ କଲି ।

କଲେଜରେ ନିଜକୁ ଯଥା ସମ୍ଭବ ପୁଅଙ୍କ ପରି ଚଳିବାକୁ ଚେଷ୍ଟା କଲି ।ହେଲେ ମୋ ନାରୀ ସୁଲଭ ଗୁଣରେ ମୋର ହାତ ,ଆଙ୍ଗୁଳି ବେଳେ ବେଳେ ମୋ ବଶରେ ରହୁ ନ ଥିଲେ ।ପାଦ ବି ବଙ୍କା ପଡି ଯାଉଥିଲା ।ଅନେକ ଚେଷ୍ଟା ସତ୍ତ୍ୱେ ବି ବାରି ହୋଇ ପଡୁଥିଲି ପୁଅଙ୍କ ଗହଣରେ ।କିଛି ଦୁଷ୍ଟ ପିଲା ବଦମାସିରେ ବେଳେ ବେଳେ ମୋ ଛାତିରେ ,ପିଚାରେ ହାତ ମାରି ଚାଲି ଯାଉଥିଲେ ।ମୁଁ ଦାନ୍ତ କାମୁଡି ରହୁଥିଲି ।

ପ୍ଲସ୍ ଟୁ ପରେ ବାପା କହିଲେ ଆଉ ପଢେଇ ପାରିବେନି ।ସାନ ଭାଇର ପଢାକୁ ଦେଖିବାକୁ ହେବ ।ଘରର ମୁଁ ଗୋଟେ ବୋଝ ବୋଲି କହିଲେ ।ହେଲେ ବୋଉ ତା ହାତରୁ ସୁନା ଚୁଡି ଖୋଲି ଦେଇଦେଲା ।କହିଲା ଯା..ତୁ ପଢିବୁ ।ହେଲେ ଏଠି ନୁହେଁ ଭୁବନେଶ୍ଵର ଚାଲିଯା ।ଗୋଟେ ଟିଣ ବାକ୍ସ ,ଦୁଇପଟ ସୁନାଚୂଡି,ତିନିହଜାର ଟଙ୍କା ଆଉ ଝୁଲେ ମୁଢି ନେଇ ବାରିପଦାରୁ ଭୂବନେଶ୍ୱର ଚାଲି ଆସିଲି ।ବାଟରେ ପିଙ୍କିକୁ ଦେଖିଲି ...ଗଛମୂଳେ ଠିଆ ହୋଇ କାନ୍ଦୁଥିଲା । ତାକୁ ରାଗରେ କହିଲି.... ଛାର ହିଞ୍ଜଡ଼ାଟା ଲାଗି ତୋ ଆଖିରେ ଲୁହ କାହିଁକି ଶୁଣେ ??।ସେ ସମ୍ଭାଳି ପାରିଲାନି ।ଭୋ ଭୋ ହୋଇ କାନ୍ଦିଲା ମୋତେ କୁଣ୍ଢେଇ ପକାଇ ।ମୁଁ ବି କାନ୍ଦିଲି ବହେ ଆଉ ବିଦାୟ ନେଲି ।

କଲେଜରେ ନାମ ଲେଖେଇଲି ଆଉ ତା ସହ ପାର୍ଟ ଟାଇମ୍ କାମ କଲି ।ଦିନରେ ଓଳିଏ ଭାତ ଆଉ ରାତିରେ ମୁଢିପାଣି ଖାଇ ଶୁଏ ।ଚାଲି ଚାଲି କଲେଜ ଆଉ ସେଠୁ ସନ୍ଧ୍ୟା କାଳୀନ ପାର୍ଟ ଟାଇମ୍ କାମକୁ ଯାଉଥିଲି ।ୟା ଭିତରେ ମୋର ଏମ୍ ଏ ସରି ଯାଇଥିଲା ।ଗୋଟିଏ କଂମ୍ପାନୀରେ ପନ୍ଦର ହଜାର ଟଙ୍କାର କାମ କଲି ।ହେଲେ ସେ ଯେବେ ଜାଣିଲେ ମୋ କଥା ମୋତେ ଚାକିରିରୁ କାଢି ଦେଲେ ।ଚାକିରି ଖୋଜି ନୟାନ୍ତ ହୋଇ ଷ୍ଟେସନରେ ବସିଥିଲି ।ଗୋଟେ ହିଞ୍ଜଡ଼ା ଗୋଷ୍ଠୀ ମୋତେ ପ୍ରଲୋଭନ ଦେଖାଇଲେ ତାଙ୍କ ଦଳରେ ରହିବାକୁ ।ମୁଁ ଦୌଡି ପଳେଇ ଆସିଲି ।

ଅନେକ ଚିନ୍ତା କଲି ।ନିଜକୁ ଲୁଚାଇ ମଧ୍ୟ ମୁଁ ନିଜକୁ ଲୁଚାଇ ପାରୁନି ।ତେବେ ନିଜକୁ ସଂପୂର୍ଣ୍ଣ ଖୋଲି ଦେଲେ ଅସୁବିଧା କ’ଣ ।ଛାତିକୁ ପଥର କଲି ।ଗୋଟେ କାଠ ଗୋଦାମରେ ମୋତେ କାମ ମିଳିଗଲା ।କାଠ ସପ୍ଲାଇ କରିବାକୁ ଗଲେ ମାଲିକଙ୍କ ଠାରୁ ଖୁସିରେ କିଛି ପଇସା ମିଳିଯାଏ ।କଲିକତାରେ ଗୋଟେ କାଠ ମାଲିକ ମୋ କଥା ଶୁଣି ମୋତେ ସାହାଯ୍ୟ କରିବାକୁ ବାହାରିଲେ ।ମୁଁ ତାଙ୍କ ସହାୟତାରେ ସେକ୍ସ ଚେଞ୍ କରି ନାରୀ ପାଲଟି ଗଲି ।

ଏବେ ମୋର ଚାରିଟା ଗାଡି ଭଡାରେ ଚାଲୁଛି ।ଗୋଟିଏ ଡ୍ରାଇଭିଂ ସ୍କୁଲ୍ ବି ଖୋଲିଛି ।ମାଗଣାରେ ହିଞ୍ଜଡ଼ା ମାନଙ୍କୁ ଡ୍ରାଇଭିଂ ଶିଖାଉଛି ।ସେ ଦିନଠୁ ମୁଁ ଆଉ ଗାଁକୁ ଫେରିନି ।ମୁଁ ଖୁସିରେ ଅଛି ।ବେଳେ ବେଳେ ବୋଉ ଆସେ ମୋ ପାଖକୁ ।ପିଙ୍କି ମନେ ପଡେ ଭାରୀ ।ସେ କାଳେ ବାହା ହୋଇଗଲାଣି ।ସାନ ଭାଇ ବାଙ୍ଗାଲୋରରେ ଇଞିନିୟର ।

ସବୁ ଖୁସି ଭିତରେ ବି ମୋତେ ମୋ ଗାଁ ...ବିଲ କ୍ଷେତ...ଶାଗ ପଟାଳି...ଠାକୁର ପୋଖରୀ ସବୁ ଦିଶି ଯାଏ ।ସବୁ ଥର ବୋଉ କୁହେ ଆର ଥରକୁ ସାଙ୍ଗରେ ଗାଁକୁ ନେଇ ଯିବି ।ମୁଁ ଅନେଇ ରୁହେ ବୋଉ ଆସିବା ବାଟକୁ ।ବୋଉ ଆସେ ...ହେଲେ ମୁଁ ଜାଣି ପାରେ ବୋଉ ମୋତେ ସାଙ୍ଗରେ ଗାଁକୁ କାହିଁକି ନିଏନି ।ମୋର ଏ ନାରୀ ବେଶକୁ ସହି ପାରିବା ଭଳି ମଣିଷ ସେଠି ଖୁବ୍ କମ୍ ।

ବୋଉର ଅସହାୟତା ବୁଝି ପାରେ....ବୋଉକୁ ପୁରୀ କୋଣାର୍କ ମୋ ଗାଡିରେ ବସି ବୁଲେଇ ନିଏ ।ମୁଁ ଗାଡି ଚଲାଇଲା ବେଳେ ବୋଉ ମୋତେ ଦେଖି ଆଖିରୁ ଲୁହ ପୋଛେ...।

ଏବେ ବି ମୁଁ ଜଣେ ଭୁବନେଶ୍ଵରରେ ଭଡା ଗାଡି ଚାଳକ ।କେବେ ଯଦି ଦେଖା ହୁଏ ଚିହ୍ନିବେ ତ ଆପଣ ମାନେ ?ମୁଁ ଏବେ "ଜନି"ରୁ ଜାହ୍ନବୀ ପାଲଟି ଯାଇଛି ..........

ନିଜ ମଣିଷ ହିଞ୍ଜଡ଼ା

Rate the content


Originality
Flow
Language
Cover design

Comments

Post

Some text some message..