Quotes New

Audio

Forum

Read

Contests


Write

Sign in
Wohoo!,
Dear user,
ନିରୀହ ଝିଅଟିଏ
ନିରୀହ ଝିଅଟିଏ
★★★★★

© Seetaram Dash

Others

8 Minutes   3.4K    9


Content Ranking

କାଲିଠାରୁ କିଛି ଭଲ ଲାଗୁନି ଲିଜାକୁ।ମନରେ ଅନେକ ପ୍ରଶ୍ନ।ଅନେକ ଅଜଣା ଭୟ।କଣ କରିବ କିଛି ବୁଦ୍ଧି ବାଟ ଦିଶୁନି।କାଲି ତପୁର ଫୋନ ଆସିଥିଲା ବୋଉଙ୍କ ଦେହ ଖରାପ।ଛାତିରେ କଣ ଯନ୍ତ୍ରଣା ହେଉଥିଲା।ସମସ୍ତ ବନ୍ଧୁ ବାନ୍ଧବ ଆସି ଚାଲିଗଲେଣି। ଯାହାବି ହେଉ ଜଲଦି ଘରକୁ ଯାଅ।

ଲିଜାର ହଁ କହିବା ଛଡା କିଛି ଉପାୟ ନ ଥିଲା।ଲିଜାର ବାହାଘର ହେବା ଛ ମାସ ପୂର୍ଣ୍ଣ ହେଲା।ଛ ମାସ ପରେ ଘରକୁ ଆସିଛି ବୁଲିବାକୁ।ସତେ ଯେମିତି ବନ୍ଦୀଘରୁ ମୁକ୍ତିଲାଭ କରିଛି ନିରୀହ ପକ୍ଷୀଟି। ନିଜ ଭିଟା ମାଟି ଆଜି ସ୍ୱର୍ଗ ପରି ଲାଗୁଛି।ନିଜ ବାରି ଦାଣ୍ଡ ବିଲ ବଣ ସତେ ବିକଳ ହୋଇ ଅପେକ୍ଷା କରିଥିଲେ ତାର ଏଇ ଆଗମନ କୁ।କାହାରିକୁ ଟିକେ ମନ ପୁରେଇ ଦେଖିପାରିନି।କଣ କରିବ, ଆସିବା ଆଠ ଦିନ ହୋଇନି ପୁଣି ସେଇ ଅଜଣା ଜାଗାକୁ ଯିବାକୁ ହେବ ଯେଉଁଠି ସମସ୍ତେ ପର କିନ୍ତୁ ସମସ୍ତଙ୍କୁ ଆପଣାର କରିବାକୁ ପଡିବ।ଗୋଟି ଗୋଟି କରି ସବୁକଥା ଆଖି ଆଗରେ ନାଚିଯାଉଛି ଲିଜାର।

ଗରିବ ଘର ଝିଅ ହୋଇଥିବାରୁ କଣ ନ ଶୁଣିଛି।କଥା କଥାକେ ଟାହି ଟାପରା।ଶାଶୁ ବି ଟିକେ ଟିକେ କଥା ସ୍ୱାମୀଙ୍କ କାନରେ ପକାନ୍ତି। ତପୁ ଇଚ୍ଛା ନଥାଇ ବି ବୋଉର ଖୁସି ପାଇଁ ଦୁଇ ଚାରି ପଦ ଶୁଣାଇ ଦିଅନ୍ତି।ବିନା କାରଣରେ ଶାଶୁ କିଛି କହିଲେ ଚୁପ ରୁହନ୍ତି ତପୁ ସାହି ଭାଇ ଙ୍କ ଡରରେ।ଲୋକେ କଣ କହିବେ ବାହା ହେଉହେଉ ମାକୁ ପର, ସ୍ତ୍ରୀ ନିଜର।ତପୁ ବେଳେ ବେଳେ ନିଜର ଅସମର୍ଥ କୁ ଲିଜା କାନରେ କୁହନ୍ତି ନିରୋଳରେ।ଏତିକିରେ ସବୁ ଦୁଃଖ ଦୁରେଇଯାଏ ଲିଜାର।କିନ୍ତୁ ଯେତେବେଳେ ତପୁ ଚାଲିଗଲେ ନିଜ କର୍ମସ୍ତାନ ସୁଦୂର ଡେରାଡୁନ କୁ ଲିଜାର ଦୁଃଖ ବହୁତ ବଢିଯାଇଥିଲା।ଏମିତିକି ପାଖାପାଖି କୋଉ ପୁଅ ବାହାହେଲେ ବେଶ କିଛି କଥା ଶୁଣାଇ ଦିଅନ୍ତି ଯୌତୁକ ବାବଦକୁ। ଅମକ ଘର ବୋହୁ କଣ ନ ଆଣିଛି ଘର ଦୁଆର ବୋଝେଇ ଜିନିଷରେ।

ଖରାଦିନ। ଦିନେ ନନା(ଶଶୁର)କହିଲେ ମା ଲିଜା ଘିମିରି ପାଉଡର ଟିକେ ଦେଲୁ।ଲିଜା ପାଉଡର ଦେଉ ଦେଉ ଗର୍ଜି ଉଠିଲେ ଶାଶୁ, ବୁଢାକୁ ପୁରା ଟୋକା କରିଦେବ ଦେଖ ଶଶୁର ସରାଗ।ବିଚରା ଶଶୁର ବି ଚୁପ। ସେଦିନ ଉପାସ ଶୋଇଲା ଲିଜା ହେଲେ କାହାରି ମନରେ ଦୟା ଅଛି ନା ଦରଜ।ଏମିତି ଉପାସ ରହିବାଟା କିଛି ନୂଆ ନୁହେଁ।ଏସବୁ ଭାବୁ ଭାବୁ ଦିନ ଦଶଟା ହେଲାଣି।ଲିଜାର ନା ଦାନ୍ତ ଘଷା ନା ଖାଇବା ପୁଣି ଯିବାକୁ ହେବ ସେଇ ନର୍କ ପୁରକୁ ଅବଶ୍ୟ ତପୁ ଥିଲେ କଥା ଅଲଗା।ଯାହାବି ହେଉ ବାହାରିବାକୁ ପଡିବ।

ଘରେ ବୋଉ ଆଉ ନାନା ଙ୍କ ମନ ଭାରି ଦୁଃଖ।ଝିଅଟା ଏତେ ଦିନପରେ ଆସିଲା ଟିକେ ମନ ପୁରେଇ ଦେଖିନୁ ଚାଲିଯିବ।ଏହା ଠାରୁ ଆହୁରି ଦୁଃଖ ଥିଲା ଶାଶୁ ଘରୁ କେହି ନବାକୁ ଆସିନାହାନ୍ତି ନୂଆ ବୋହୂଟା ମନକୁ ଯିବ। ସମସ୍ତ ଦୁଃଖ ଯନ୍ତ୍ରଣା କୁ ପଛରେ ପକାଇ ଲିଜା ବାହାରିଲା ଶାଶୁ ଘରକୁ। ଛାଡିବାକୁ ସାଙ୍ଗରେ ସାନ ଭାଇ ଆସିଲା।ଶାଶୁ ଘର ଯେତେ ପାଖେଇ ଆସୁଥାଏ ମନର ଭୟ ବି ବଢି ଚାଲିଥାଏ ଲିଜାର।

ଶେଷରେ ସମସ୍ତ ଭାବନାର ଅନ୍ତ ଘଟାଇ ଶାଶୁ ଘରେ ପାଦଦେଲା ଲିଜା।ହେଲେ ଶାଶୁ ଟିକେବି ଖୁସି ଜଣାପଡୁନଥିଲେ। ଲିଜା ମୁଣ୍ଡିଆ ମାରିଲା ବେଳେ ଶାଶୁ ସେଇ ଚିରାଚରିତ ଢଙ୍ଗରେ କହିଲେ କଣ କାରଣ ଅଛି ବୋଲି ତୁ ଆସିଚୁନା ନହେଲେ ସମସ୍ତେ ଆସି ସରିବା ପରେ ତୁ ଆସିଲୁ ମୁଁ ଭଲ ହୋଇ ଗଲାରୁ। ଲିଜା ବହୁତ ଡରୁଥିଲେ ସାନ ଭାଇ କିଛି ନଜାଣୁ। ଏଠାର କଥା କିଛିବି କହେ ନାହିଁ ନିଜ ଘରେ ଲିଜା, ନନା ବୋଉ ମନ ଦୁଃଖ କରିବେ ବୋଲି। ହେଲେ ସବୁ ଶେଷ ହୋଇଗଲା ଆଜି। ଲିଜା ର ଭାରି ଇଚ୍ଛା ଥିଲା ସାନ ଭାଇଟା ଆଜି ରହୁ ତା ପାଖରେ।ସମସ୍ତଙ୍କୁ ଛାଡି ଆସିଛି,ଆଜି ରାତିଟା ପାଈଁ ଭାଇଟା ରହିଯାଉ କିଛି ନହେଲେ ଗପି ଗପି ରାତିଟା କଟିଯିବ କିନ୍ତୁ କେହି କହିଲେନି ରହିବାପାଇଁ।ଶେଷରେ ଭାଇ ବାହାରିଲା ଫେରିବା ପାଇଁ।କେବଳ ମନ ବୁଝିବା କୁ ଲିଜା କହିଲା ପପୁ ରହୁନୁ ଆଜି। ପପୁ ବି ଜାଣିପାରିଥିଲା ନାନୀ ଶାଶୁର ମନ କଥା।ଲିଜା ଶେଷରେ ପପୁ କାନରେ କାନ୍ଦି କାନ୍ଦି କହିଲା "ଘରେ ଏଠା କଥା କିଛି କହିବୁନି,.....ବୋଉ ଟା ଖାଲି କାନ୍ଦିବ। ପପୁର ଧର୍ଯ୍ୟ ବୋଧେ ନଥିଲା ଅଧିକ କିଛି ଶୁଣିବାକୁ, ତର ତର ହୋଇ ଗାଡି ଷ୍ଟାଟ କରି ଚାଲିଗଲା ଲିଜାର ସାମ୍ନାରୁ।

ସନ୍ଦ୍ୟା ସମୟ। ଶାଶୁ ଦାଣ୍ଡ ବାରଣ୍ଡାରେ ବସି ପାନ ଖାଉଛନ୍ତି, ଆର ସାହି ମାଳ ମାଉସୀ ସେଇବାଟ ଦେଇ ଯାଉଥିଲେ। ତାଙ୍କୁ ଜୋର କରି ବସାଇଲେ, ମାଳ ମାଉସୀ କହିଲେ ମିଠା ସବୁ ଏକା ଖାଇଲୁ ନା କଣ ବା। ଶାଶୁ କହିଲେ ବେଗ ଖଣ୍ଡେ ଧରି ଆସିଥିଲା କୋଉ ଭାର ଥୋର ଯେ ମୁଁ ତତେ ଦେଲିନାଇ କହୁ କହୁ ମୁହଁ ଟା ଛାଟି ଦେଲେ। ଲିଜା କିଛି ଆଣି ନ ଥିଲା ତା ନୁହେଁ ଦେବାକୁ ଅନିଚ୍ଛା। ସବୁ ଜାଣିଲା ପରି ମାଳ ମାଉସୀ କହିଲେ ଏଡ ବଡ ଘରେ ବୋହୁ ଟା କୁ ଏକା ଏକା ଲାଗୁଥିବ। ତପୁ ତ ଘରେ ନାହିଁ ନୁଆ ମଣିଷ ତାକୁ କିଛି କହୁ ନ ଥିବୁ। କଥାଟା ଜମା ସହିପାରିଲେନି ଶାଶୁ ମା। ଟିକେ ଉଚା ଗଳାରେ କହିଲେ ଆଲୋ ମୁଁ କାଇଁ କଣ କହିବିବା,ତାଙ୍କ ଘର ସିଏ ସମ୍ଭାଳିବେ, ମୋର ଯାଏ କେତେ ଆସେ କେତେ,କେଇଟା ଦିନ ମୁଁ ବଞ୍ଚିବି। ମାଳ ମାଉସୀ ବୋଧେ କଥାଟା ଭଲ ଲାଗିଲାନି,ମୋର କେତେ କାମ ମୁଁ ଯାଉଛି କହି ଚାଲିଗଲେ। ମାଉସୀ ଙ୍କୁ ନ ଶୁଭିଲା ପରି ଶାଶୁ ମା କହିଲେ ଦେଖୁନ ପର ଘରେ ମାମତକାର, ଏଥିପାଇଁ ବୋହୁ ଠାରୁ ମାଡ଼ ଖାଉଛୁ। ମାଳ ମାଉସୀ ଓ ତା ବୋହୁ ଭିତରେ ଝଗଡା ହେବା ଗାଁରେ କେହି ଶୁଣି ନାହାନ୍ତି। ଏହା ପରେ ରାଗ ତମ ତମ ହୋଇ ଶାଶୁ ମା ଘରକୁ ଗଲେ।

ରାତିରେ କଣ ରାନ୍ଧିବ ପଚାରିବାରୁ ଶାଶୁ ମା କହିଲେ ତମେ ସବୁ ଆସିବ ବୋଲି ତପୁ ଫୋନ କରି କହିଥିଲା।ମୁଁ ତମ ପାଇଁ ରାନ୍ଧିଥିଲି। ତମେତ ଆବେଳାରେ ଆସିଲ,ସବୁ ଅଛି କଣ ରାନ୍ଧିବୁ।ନାନା ପାଇଁ ଖାଲି ରୁଟି ଚାରି ପଟ କରିଦେ ଆଉ ଦିନ ତରକାରୀ ଦେଇଦବୁ। ଆମେ ଶାଶୁ ବୋହୁ ସେମିତି ଖାଇଦେବା ଦିନ ଭାତକୁ। କାହିଁକି କେଜାଣି ଅଟା ଦଳୁ ଦଳୁ କେଇ ଟୋପା ଲୁହ ବି ଝରିପଡ଼ିଲା ଅଜାଣତରେ ସେଇ ଅଟା ଚକଟାରେ।ଲିପାର ମନକୁ ପାପ ଛୁଇଁଲା,ଉପାୟ ବି ନଥିଲା।ଅଟା ଫୋପାଡିଲେ ରାମାୟଣ ହୋଇଯିବ। ରୁଟି କରିସାରିବା ପରେ ଲିଜା ଦେଖିଲା ଦିନ ତରକାରୀ ଦୁଇ ଜଣକୁ କମ ପଡିବ। କଣ ବା କରିବ ଘରେ ସବୁ ଥାଇ ବି ତାର ହାତ ବନ୍ଧା।ମନ କଥା ମନରେ ରଖି ଶାଶୁ ଶଶୁରଙ୍କୁ ଖାଇବାକୁ ଦେଲା।ଖାଉ ଖାଉ ଶଶୁର କହିଲେ ମା ରୋଷେଇ କିଛି କଲୁନି କି ରାତିରେ। ଥଣ୍ଡା ଖାଦ୍ୟ କଣ ଭଲ ଲାଗୁଛି ଆଉ। ଶାଶୁ ଚୁପ ରହିଲେ। ଏମାନେ ଖାଇସାରିବା ପରେ ଲିଜା ବଳକା ଭାତ ନେଇ (ତରକାରୀ ତ ନ ଥାଏ) ଶୋଇବା ଘରକୁ ଗଲା।

ଲିଜାର ତ ଭୋକ ନଥାଏ।ଭାତ ଥାଳି ଖଟ ତଳେ ରଖିଦେଇ ଭୋ ଭୋ ହୋଇ କାନ୍ଦି ଉଠିଲା।ହେଲେ କାନ୍ଦ ଶୁଣିବ କିଏ। ତାରି ଭିତରେ ଲିଜାର ପିଲାଦିନ ମନେ ପଡ଼ିଲା। ପିଲାଦିନେ ଜେଜେ କାନ୍ଧରେ ବସେଇ ସ୍କୁଲ ନେବା କଥା।ପୁଣି ସ୍କୁଲ ଛୁଟି ହେଲେ କାନ୍ଧରେ ବସେଇ ସ୍କୁଲ ରୁ ଆଣିବା କଥା।ଗରିବ ଘର ହେଲେବି ଗୋଡ଼ରେ ଟିକେ ମାଟି ଲାଗେନି।ଘରର ବଡ଼ ଝିଅ ହୋଇଥିବାରୁ ବହୁ ଗେଲ୍ହା ରେ ବଢିଥିଲା। ଘରେ କକା ଖୁଡି ଜେଜେ ଜେଜେମା ହୋଇ ସତର ଜଣ ମଣିଷ,ସମସ୍ତଙ୍କ ମୁହଁରେ ଲିଜା ଲିଜା।ଛୋଟ ବେଳେ ନନା ହାଟରୁ ସବୁଦିନ ବରା ପକଡ଼ି ଆଣିବେ ଲିଜା ପାଇଁ ବୋଉର ଅନିଚ୍ଛା ସତ୍ୱେ।ମାଡ଼ ତ ଦୂରର କଥା କାହା ଟାଣ କଥା ବି ସହିପାରେନି ଲିଜା। ଟିକେ ଟିକେ କଥାରେ ନନା ଘରେ ପ୍ରଲୟ କରିଦିଅନ୍ତି ଲିଜା ପାଇଁ। ଟିକେ ବଡ଼ ହେବାରୁ ନନା ବୋଉ ଲାଗି ଜାଇଥିଲେ ଲିଜା ବାହାଘର ପାଇଁ ଆବଶ୍ୟକ ଜିନିଷ କିଣିବାରେ।ଭାରି ବିରକ୍ତ ଲାଗେ ଲିଜା କୁ ଏ ସବୁ। ଗାଁ ଯାତ୍ରା ରୁ ସବୁ ବର୍ଷ ଖଣ୍ଡେ ଖଣ୍ଡେ ଜିନିଷ କିଣିବାରେ ଲାଗିଯାଇ ଥିଲେ ଘର ର ସମସ୍ତେ। ନାନା ଯୌତୁକ ଟଙ୍କା ଯୋଗାଡ କରିବା ପାଇଁ କେତେ କୁଆଡେ ନ ଯାଇଛନ୍ତି। ଏବେ ବି ଅନେକ ଋଣ ସୁଝିନି।ପ୍ରାୟ ଦୁଇ ବର୍ଷ ଲାଗିବ ବୋଧେ। ଏମିତି କେତେ କଣ କଥା ଭାବିଚାଲିଛି, ତାରି ଭିତରେ କେତେବେଳେ ଶୋଇଛି ନିଜେ ବି ଜାଣିନି।

ହଟାତ କାହା ପାଟିରେ ଲିଜାର ନିଦ ଭାଙ୍ଗିଗଲା। ଦେଖୁ ଦେଖୁ ସାଢ଼େ ଛ ଟା।ପୁରା ଅଗଣା ଖରାରେ ଚିକ ମିକ କରୁଛି।ଘର ଦୁଆର ଓଳା ବାକି।କେହି ଦେଖା ଯାଉ ନାହାନ୍ତି।କଣ କରିବ ଏତେ ଡେରି ହେଲାଣି ଘର ଦୁଆର ଓଳାଇବ ନା ଆଗ ଗାଧୋଇବ ଭାବୁ ଭାବୁ ଲୁଗା ପଟା ନେଇ ଗାଧୋଇବ ପାଇଁ ଗଲା। ଶାଶୁ ବୋଧେ ସବୁ ଲକ୍ଷ୍ୟ କରୁଥିଲେ ଗୋପନରେ। ତର ତର ହୋଇ ଗାଧୋଇ ଫେରିଲା ବେଳକୁ ଶାଶୁ କହିଲେ ମୋ ପାଇଁ ଘର ଦୁଆର ପକେଇ ଗାଧୋଇବାକୁ ଚାଳିଗଲୁ,ରାତିରେ ଛ ଠା ନ ଭଜା କରିଥିଲା ତ ଅଣ୍ଟା ଭାଙ୍ଗି ପଡୁଥିବ। ଟିକେ ତର ତର ହୋଇ ଯାଉ ଯାଉ ପିଣ୍ଡା ରେ ଥିବ ଢାଳରେ ଗୋଡ଼ ବାଜିଗଲା ଲିଜାର।ଢାଳ ଟା ଦୁଆରକୁ ଗଡ଼ିଗଲା। ଶାଶୁ ମା ରାଗରେ କହିଲେ ଢାଳ କୁ କାଇଁ ମାରୁଛୁ, ମତେ ଦି ଗୋଇଠା ମାରୁନୁ।ଲିଜା ଆଉ କିଛି ଶୁଣିବାର ଧର୍ଯ୍ୟ ନ ଥିଲା। ତା ଶୋଇବା ଘରେ ଯାଇ କବାଟ ଦେଇ ବସିଲା।

କଣ ଅଛି ସମସ୍ୟା ର ସମାଧାନ।ମୋର କଣ କରିବା ଉଚିତ ଚିନ୍ତା କରୁଛି ଲିଜା ଖଟ ଉପରେ ବସି।କୁଆଡେ ଚାଲିଯିବି ସବୁଦିନ ପାଇଁ କୋଉ ଅଜଣା ରାଇଜକୁ, ପର ମୁହୂର୍ତ୍ତରେ ତାର ମନେ ପଡ଼ିଲା ଖବରକାଗଜ ରେ ଆସୁଥିବା ଏବେର କୁଶ୍ଚିତ ଘଟଣା। ନାରୀ କିପରି ଲାଞ୍ଚିତ ହେଉଛି ଦିନ ଦିପହରରେ,ଫେରି ଆସିଲା ପୁଣି ଦୁଇପାଦ। ମୋପାଇଁ ବୋଧେ ଆତ୍ମହତ୍ୟା ସବୁଠୁ ଭଲ ହେବ,ଅତି ସହଜ ବି। ସବୁଦିନ ମରିବା ଅପେକ୍ଷା ଦିନେ ମରିଯିବା ବହୁତ ଭଲ। ଦିନ ରାତି କଷ୍ଟ କରିବା ଅପେକ୍ଷା କେଇ ମୁହୂର୍ତ୍ତ କଷ୍ଟ କରିନେଲେ କ୍ଷତି କଣ।ବହୁତ ସହଜ ଥିଲା ଏ ନିଷ୍ପତ୍ତି ନେବାପାଇଁ ଲିଜାର । ଆଲଣା ରୁ ଖଣ୍ଡେ ଲୁଗା ନେଇଆସି ଖଟ ଉପରେ ଛିଡ଼ାହୋଇ ଛାତ ର ପଙ୍ଖାରେ ବାନ୍ଧିବା ପାଇଁ ଚେଷ୍ଟା କଲା ରୁ ପଙ୍ଖା କୁ ବି ହାତ ପାଇଲାନି। ଲିଜା ଟେବୁଲ ଟା କୁ ଟାଣି ଆଣି ଖଟ ଉପରେ ପକାଇ ଲୁଗାକୁ ପଙ୍ଖାରେ ବାନ୍ଧି ଦେଲା ନିଜର ସବୁ ବଳ ଖଟେଇ। ଆର ମୁଣ୍ଡଟିକୁ ଗୋଟେ ଫାଶ କରି ମୁଣ୍ଡରେ ଗଳେଇ ଦେଲା। ଜଣାବି ପଡ଼ିଲାଣି କେତେ ସହଜରେ ଏସବୁ ହୋଇଗଲା ମୁହୂର୍ତ୍ତକ ମଧ୍ୟରେ। ଏବେ ଜୀବନ ଓ ମରଣ ଭିତରେ ଦୂରତା ମାତ୍ର ଗୋଟିଏ ମୁହୂର୍ତ୍ତ। ତାପରେ ସମ୍ପୁର୍ଣ୍ଣ ମୁକ୍ତି ଅକଥନୀୟ ଅତ୍ୟାଚାର ରୁ। ବୋଉ ମୁଁ ଯାଉଛି କହି ଗୋଡ଼ ଟେବୁଲ ଉପରୁ ଉଠାଇଲା ବେଳକୁ ସତେ ଯେମିତି କେହି ଜଣେ ଡାକୁଛି "ଲିଜା"। ଏ ତ ବୋଉର ଡାକ,ଚମକି ପଡିଲା ଲିଜା।ଟେବୁଲ ଉପରୁ ଉଠିଯାଉଥିବା ପାଦଟି କୁ ସମ୍ଭାଳି ନେଲା ଲିଜା।ଟିକେ ପ୍ରକୃତିସ୍ଥ ହୋଇ ଚାରି ଆଡକୁ ଲକ୍ଷ୍ୟ କଲା, ଟିକେ ଚମକି ପଡି ଭାବିଲା ବୋଧେ ବୋଉର ସେ ଡାକ ତା ବାଡୁଅ ବୟସରେ ଶୁଣି ଶୁଣି ଅଭ୍ୟାସ ରେ ପଡିଯାଇଛି। ଏ ଗୋଟେ ଭ୍ରମ। ପୁଣି ସେଇ ପୁରୁଣା କଥା ମାନେପଡ଼ିଲା "ବୋଉ ଟା ଖାଲି କାନ୍ଦିବ" ନା ଏମିତି ବୋଉକୁ ଠକି ଯାଇ ପାରିବିନି। ନାନାଙ୍କ ଏତେ ଋଣ ର ପ୍ରତିଦାନ କଣ ଖାଲି ଲୁହ। ନିଜ ଅଜାଣତରେ ହାତ ଚାଲିଗଲା ବେକ ପାଖକୁ। ଲୁଗାର ଫାନ୍ଦ ଖୋଲି ତଳକୁ ଆସିଲା ଲିଜା। ଏକ ଅଜଣା ଭୟରେ ସାରା ଦେହ ଥରୁ ଥାଏ ଲିଜାର।

ଅବଶ ଓ ଦୁର୍ବଳ ଶରୀର ନେଇ ଲିଜା ଠାକୁର ଘରକୁ ଗଲା।ଠାକୁର ଘରେ ମହାଭାରତ ଓ ଭଗବାନ କୃଷ୍ଣଙ୍କୁ ନେଇ ଅନେକ ଫଟୋ ପୂଜା ହେଉଛି। ଲିଜା ର ସବୁ ଭରସା ତୁଟି ଯାଇଛି ଭଗବାନ ଙ୍କ ଉପରୁ।କେବେ ମୁକ୍ତି ଦେବ ମତେ ଏ ଯନ୍ତ୍ରଣାରୁ ନା ଏ ମହାଭାରତ ଖାଲି ଗୋଟେ ବିରାଟ କାହାଣୀ। ମୁଁ ତ ଏକା, ଅର୍ଜୁନଙ୍କ ପାଖେ ସିନା କୃଷ୍ଣ ଥିଲେ ହେଲେ ମୋ ପାଖରେ କିଏ ଅଛି। ପୁଣି ଆଖିରେ ପଡ଼ିଲା କୃଷ୍ଣଚନ୍ଦ୍ର ଙ୍କ ବଂଶୀ ବାଦନ ର ଫୋଟୋ ଯମୁନା କୂଳରେ।ସତେ ଯେପରି ହସୁଛନ୍ତି ଲିଜା କୁ ଦେଖି। କଣ ହେଲା କେଜାଣି ଲିଜା ଭାବିଲା କୃଷ୍ଣ ସିନା ପିତାମହ ଭୀଷ୍ମ, ମହା ପରାକ୍ରମୀ କର୍ଣ୍ଣ ପାଇଁ ସାହା ହୋଇଥିଲେ ଅର୍ଜୁନଙ୍କୁ। ମୁଁ କଣ ଏ ୬୦ ବର୍ଷ ବୁଢ଼ୀକୁ ରୋକି ପାରିବିନି। ନିଶ୍ଚିନ୍ତ ପାରିବି।ମୋ ଜୀବନର କୁରୁକ୍ଷେତ୍ର ରେ ମୁଁ ରଥୀ ମୁଁ ସାରଥି। ଯେ ମତେ ଝିଅ ବୋଲି ଭାବୁନି ମୁଁ କାଇଁ ମା ବୋଲି ଭାବିବି। ବଉଳା ଗାଇ କୁ ସିନା ବାଘ ଛାଡ଼ି ଦେଇଥିଲା।ଏମାନେ ପଶୁ ଠୁ ବି ହୀନ।ଗୋଟେ ଗୋଟେ କଂସେଇ। ଏମାନଙ୍କ ଆଗରେ ବନ ରାଜ ସିଂହ ହେବାକୁ ପଡ଼ିବ। ପ୍ରତିବାଦ କରିବାକୁ ପଡିବ ପ୍ରତିବାଦ ନା ପ୍ରତିବାଦ ନୁହେଁ ପ୍ରତିରୋଧ।

ସହିବାର ସବୁ ସୀମା ଟପି ଗଲାପରେ ଜଣେ ନାରୀ ସବୁକିଛି କରିବାକୁ ସକ୍ଷମ ହୋଇଯାଇଥାଏ। ଲିଜା ର ଏବେ କାହାକୁ ଭୟ ଅଛି ନା କାହାକୁ ଲାଜ।ବେଶ ଆରାମରେ ବାରି ପଟକୁ ଯାଇ ଧୋଇଧାଇ ହୋଇ ଚାରିପଟକୁ ଲକ୍ଷ୍ୟ କଲା। କେତେ ସୁନ୍ଦର ବାହାର ଟା। ଶାଶୁ ବି କଣ କଣ କରୁଛି ସବୁ ଲକ୍ଷ୍ୟ କରୁଥାନ୍ତି। କିଛି ସମୟ ବାରିପଟେ ବୁଲାବୁଲି କରି ଲିଜା ରୋଷେଇ ଘରକୁ ଆସି କଣ ଟିକେ ଜଳଖିଆ ତିଆରି କଲା। ବାହାନା କରି ଶାଶୁ ବି ଦୁଇ ତିନିଥର ଘର ବାହାର ହେଲେଣି କଣ କରୁଛି ଦେଖିବାକୁ।ଲିଜା ଜଳଖିଆ କରିସାରି ଦୁଇ ଚାମଚ ଖାଇଛି କି ନାଇ ଶାଶୁ ମା ଗର୍ଜି ଉଠିଲେ,ଘରେ ସକାଳୁ ସମସ୍ତେ ଉପାସ।ତୋରି ଏକା ପେଟ ପୋଡିଯାଉଛି, ବୋପା ରଖିଥିଲା ତ ଜବର ହୋଇ ଖାଇବୁ। ଦୁଇ ଦିନର ଭୋକ ଆଉ ଛ ମାସର ଦୁଃଖ କୁ ରାଗରେ ପରିିିଣତ କରି ଲିଜା କହିଲା ,ମୁଁ ତମ ପୁଅ କି ତମ ସ୍ବାମୀ ନୁହଁ। ତମେ ଏ ଘରର ଶାଶୁ ହେଲେ ମୁଁ ଏ ଘରର ବୋହୂ।କିଛି କହୁନି ବୋଲି ନାଟ ଲାଗେଇଛ ଆସିଲା ଦିନରୁ।ପୁଅ ଟଙ୍କା ଟା ପଠେଇ ଦଉଛି ତ ଅଣ୍ଟା ଟାଣ ହୋଇଯାଉଛି।ଏଠି ତମର ଗୋଟେ ଝିଅ କଣ ଏମିତି ବଢିକି ଯାଇଛି ତା ଶାଶୁ ଘର।ତମ ଘରେ ଝିଅ ମାନେ କଣ ବାପକୁ ଖାଇବା ପିଇବା କୁ ଦିଅନ୍ତି ନି।କହିବୁ କଣ ନା ବୁଢାକୁ ଟୋକା କରିଦେବ।ଶିକ୍ଷା ଦୀକ୍ଷା ତ ନାହିଁ।ବେଶି ବାଗ ଦେଖେଇଲେ ମାମୁଁ ଘରକୁ(ଥାନା) ଯିବ।ଛୁରି ଉପରେ ବିଧାଏ ଦେବା ଝିଅ ମୁଁ।ଶଶୁର ବି ଘରେ ଥାନ୍ତି ହେଲେ ସବୁଦିନ ପରି ନିରବ। ଲିଜା ର ପାଟି ସାହି ଶେଷ ମୁଣ୍ଡକୁ ବି ଶୁଭୁଥିଲା। ଶାଶୁ ଭୟରେ ଥରିଲେଣି।ଲିଜା ଛ ମାସର ରାଗକୁ ସୁଝାଇ ଦେଲା।ଶାଶୁ ମା କିଛି ଆଉ ଲିଜାକୁ ନ କହି ସବୁ ରାଗ ଶଶୁର ଙ୍କ ଉପରେ ସାରିଲେ।

ଲିଜା ଆଜି ବହୁତ ଖୁସି। ଜୀବନରେ ବହୁତ ବଡ଼ ବିଜୟ। ବିଶ୍ଵ କୁ ଜୟ କଲାପରେ ବିଶ୍ୱ ବିଜୟୀ ଆଲେକଜାଣ୍ଡାର ବି ଏତେ ଖୁସି ହୋଇନଥିବେ।ରାତିରେ ରୋଷେଇ ସାରି ଶଶୁରଙ୍କୁ ଖାଇବାକୁ ଦେଇ ନିଜେ ଲିଜା ଖାଇ ଶୋଇବାକୁ ଗଲା।ଶାଶୁ ଖାଇଲେକି ନାଇଁ କେହି ଜାଣି ନାହାନ୍ତି। ଲିଜା ର ଶୋଇବା ଘରୁ ମୋବାଇଲ ରୁ ଧୀରେ ଧୀରେ ଶୁଭୁଥିଲା ଗୋଟେ ଗୀତ। .. " ତମେ ଚକ୍ରରେ ବୁଲାଅ ସାରା ଜଗତ, ମହା ଭାରତ ମହା ଭାରତ"

ସୀତାରାମ ଦାଶ

ସାନମୂଳାଇ, କଟକ

ଯୋଗାଯୋଗ। 8469237172

ବାହାଘର ଯୌତୁକ ପାନ

Rate the content


Originality
Flow
Language
Cover design

Comments

Post

Some text some message..