Quotes New

Audio

Forum

Read

Contests


Write

Sign in
Wohoo!,
Dear user,
ଭୋଜି
ଭୋଜି
★★★★★

© Arabinda Rath

Inspirational

10 Minutes   7.6K    22


Content Ranking



--- ସନିଆ ଭାଇ, ତୁ ଏମତି ଅଝଟ ହେଲେ ଚଳିବ। ତୋ ପିଲା ଦୁଇଜଣ ହେଲେ  ଆମ ଗାଁଆର ଗୌରବ। ତୁ ଚାହିଁଲେ ଆମ ଗାଁଆର ଟେକ ରହିବ। ଏତେ ଦିନପରେ ମନ୍ତ୍ରୀ ଆସୁଛନ୍ତି ଆମ ଗାଁଆକୁ। ଆୟୋଜନର ଭାର ଆମ ଦୁଇଜଣଙ୍କ ଉପରେ। ସ୍କୁଲରେ ସଭା ହେବ ଓ ତା ପରେ ଖାଇବା ବ୍ଯବସ୍ଥା ବି ଅଛି।  ପିଲା ମାନଙ୍କ ପାଇଁ ବେଶି କିଛି କାମ ନାହିଁ। ମିନି ଫୁଲତୋଡା ଦେବ ମନ୍ତ୍ରୀଙ୍କୁ ଓ ପେଣ୍ଡାଲରେ ଭାଇଭଉଣୀ ସ୍ବାଗତ ସଙ୍ଗୀତ ଗାଇବେ। ତୋ ପିଲା ମାନେ ତ ଗୀତ ଗାଇ କେତେ ପୁରସ୍କାର ପାଇଛନ୍ତି। ସେମାନଙ୍କଠୁ ଭଲ ଏ କାମ କିଏ କରିପାରିବ କହିଲୁ?

- - ସେ କଥା ଠିକ୍ ଯେ, ଏତେ ଖରାରେ ପିଲା ମାନଙ୍କୁ କେମିତି ଛାଡିବି। ଆକାଶରୁ ନିଆଁ ବର୍ଷା ହେଲାପରି ଲାଗୁଛି। ରାସ୍ତାରେ ପାଦ ଥୋଇଲେ ଜଳିଗଲା ପରି ଅବସ୍ଥା। ସେଦିନ ମୋର ଗୋଟେ ବାହାଘରକୁ ଯିବାର ଅଛି। ନେତ ହେଲା ମାଇପି ମଣିଷ, ସେ କଣ ପିଲା ମାନଙ୍କ କଥା ବୁଝିପାରିବ?

– ପିଲାମାନଙ୍କ ଦାୟିତ୍ବ ଆମର। ତୁ ନିଶ୍ଚିନ୍ତ ରହ। ନେତଭାଉଜ ବା କଣ ପାଇଁ ମନା କରିବେ? ସେ ନିହାତି ଚାହିଁବେ, ପିଲାଙ୍କ ନାମ ଆଗକୁ ବଢୁ। ସଭା ପର ଦିନ ଯେତେବେଳେ ଖବର କାଗଜରେ ପିଲାଙ୍କ ବିଷୟରେ ବାହାରିବ, ସେତେବେଳେ ତୁ ନିଜେ ମୋତେ କହିବୁ। ଗର୍ବରେ ଗାଁଆରେ ଛାତି ଫୁଲେଇ ବୁଲିଲା ବେଳକୁ ଏ ରଘୁ ସରପଞ୍ଚ କଥା ହେଜୁଥିବୁ।

କବାଟ ପାଖରେ କାନଡେରି ମିନି ଓ ମୁନା ଲୁଚିଲୁଚି ସବୁ ଶୁଣୁଥା’ନ୍ତି। ଗାଁଆ ସରପଞ୍ଚ ରଘୁ ଓ ତାଙ୍କ ସ୍କୁଲର ଗଗନ ସାର,  ସକାଳୁ ଆସି ବାପାଙ୍କୁ କଣ ସବୁ ବୁଝେଇବାରେ ଲାଗିଛନ୍ତି। ଯେତିକି ଶୁଣିଲେ ସେଥିରୁ ଜଣା ପଡିଲା ଯେ, ଗାଁଆକୁ ମନ୍ତ୍ରୀ ଆସିବେ ଓ ସେମାନେ ମଞ୍ଚରେ  ଗୀତ ଗାଇବେ। ସେଦିନ ଭୋଜି ବି ହେବ। ଦୁଇଜଣ ଭୋଜି ଖାଇ ଘରକୁ ଫେରିବେ।

ସେମିତି କିଛି ବିଶେଷତ୍ବ ନଥିବା ମଣିଷ ମାନଙ୍କ ଭିତରୁ ସନିଆ ଜଣେ। ସହର ତଳି ବସ୍ତିରେ ପରିବାର ଧରି ରୁହେ। ପରିବାରରେ, ସ୍ତ୍ରୀ ନେତ ଓ ଦୁଇ ପିଲା।  ବଡ ଝିଅ ମିନି ଓ ପୁଅ ମୁନା। ଉଭୟ ଗାଁଆ ସ୍କୁଲରେ ପାଠ ପଢନ୍ତି। ପାଠ ପଢିବା ସହ, ଦୁଇ ପିଲା ବହୁତ ଭଲ ଗୀତ ଗାଆନ୍ତି। ସ୍କୁଲରେ ଯେତେ ଥର ସଭା ଓ ଉତ୍ସବ ହୋଇଛିି, ଦୁଇ ପିଲା ଗୀତ ଗାଇ ଢେର ପ୍ରଶଂସା ପାଇଛନ୍ତି। ଜଣେ ଗୀତ ଶିକ୍ଷକ ପିଲା ମାନଙ୍କୁ ଗୀତ ଶିଖାଉଛନ୍ତି ବିନା ପଇସା ରେ। ସନିଆ ବି ପଇସା ଦେବାକୁ ଅକ୍ଷମ। କୁଲି, ମଜୁରି କରି ଦୁଇ ଓଳି ଖାଇବା ଯୋଗାଡିବା ତା ପାଇଁ କାଠିକର ପାଠ। ତଥାପି ସେ ହାରି ନଯାଇ ଜୀବନ ସଂଗ୍ରାମରେ ଅଗ୍ରଣୀ ଯୋଦ୍ଧା ଭାବରେ ମାଡି ଚାଲିଛି। ମନରେ ବହୁତ ସ୍ବପ୍ନ। ବଡ ହେଲେ ତା ପିଲା ମାନେ ହାକିମ ହେବେ।  ବହୁତ ନାମ କମେଇବେ। ସେଥିପାଇଁ ତ, ନିଜ ଦେହ ଫୁଙ୍ଗୁଳା କରି ପିଲାଙ୍କ ପାଇଁ ଜାମାପ୍ଯାଣ୍ଟ ଯୋଗାଇଛି। ପେଟ ଭୋକ ମେଣ୍ଟେଇବା ପାଇଁ ପାଣିଛି, କିନ୍ତୁ ପିଲା ମାନେ ଯେପରି ଦୁଇ ମୁଠା ଭଲରେ ଖାଇବେ ସେଥିରେ କେବେ ହେଳା କରିନି। ସ୍ତ୍ରୀ ନେତର ଅସ୍ତିତ୍ବ  ସନିଆ ଠାରୁ ଅଭିନ୍ନ। ବାହାହେବା ପର ଠାରୁ ସେ କେବେ ନିଜ ଅସ୍ତିତ୍ବ ବିଷୟରେ ଭାବିବାର ଅବକାଶ ଆସିନି। ଝାଟିମାଟିରେ ତିଆରି ବଖରାଏ ଘର, ଏହି ଚାରିପ୍ରାଣୀଙ୍କ ମୁଣ୍ଡ ଗୁଞ୍ଜିବା ପାଇଁ  ଯଥେଷ୍ଟ ନହେଲେ ବି ସେମାନଙ୍କୁ କେବେ ନିରାଶ୍ରୟ  କରିନାହିଁ।

ମିନି ଓ ମୁନା ଖୁସି ରେ ଡେଇଁବାରେ ଲାଗିଲେ। ସେମାନେ ନିଜ ଆଖିରେ ମନ୍ତ୍ରୀଙ୍କୁ ଦେଖିବା ଓ ସଭା  ପରେ ଭୋଜି ଖାଇ ଫେରିବାର  ଦୃଶ୍ଯ କଳ୍ପନା କରି ରୋମାଞ୍ଚିତ ହେବାକୁ ଲାଗିଲେ।  ପୋଖରି ପାଖ ଆମ୍ବ ଗଛରୁ ଆମ୍ବ ତୋଳିଲା ବେଳକୁ ମୁନା ପଚାରିଲା-- ନାନୀ, ମନ୍ତ୍ରୀ ମାନେ କଣ? ସେମାନେ ଆମ ପରି ଲୋକ ନା ଦେବତା?

- - ଧେତ୍ ,ବୋକା ଟା  କିରେ? ସେମାନେ ଆମ ପରି ଲୋକ, ଦେବତା ହେବେ କଣ ପାଇଁ ଯେ।

– କିନ୍ତୁ ଆମେ କୁଆଡେ ଗଲେ, ଆମ ପାଇଁ ତ ସଭା ହେଉନି। ଆମକୁ କେହି ଫୁଲ ତୋଡା ଦେଉନାହାଁନ୍ତି। ତାଙ୍କୁ କଣ ପାଇଁ ଦେବାକୁ ପଡିବ ଟିକେ କହିଲୁ?

– ଆରେ ମୁନା, ଆମ ଚତୁର୍ଥ ଶ୍ରେଣୀରେ ତ ଏ ବିଷୟରେ କିଛି ପଢେଇ ନାହାଁନ୍ତି। ତଥାପି ମୁଁ ସାର୍ ଙ୍କୁ ପଚାରି କହିବି।

– ନାନୀ, ଖରା ପାଇଁ ଇସ୍କୁଲ୍ ତ ଛୁଟି ହେଲାଣି। ପୁଣି ଆମେ କଣ ପାଇଁ ଇସ୍କୁଲ ଯିବା ଯେ।

- - ତୁ କଣ ଶୁଣି ପାରିଲୁନି କି ,ରଘୁ କାକା କଣ କହୁଥିଲା ବାପାଙ୍କୁ? ଆମେ ଖାଲି ହାତରେ ସ୍କୁଲ ଯିବା। ବହି, ବସ୍ତାନୀ ନେବା ଦରକାର ନାହିଁ। ତାଙ୍କ ସଭା ସରିଲେ ଭୋଜି ଖାଇ ଘରକୁ ଫେରିବା।

ଭୋଜି ନାଁଆ ଶୁଣି ମୁନାର ଆଗ୍ରହ କାହିଁ କେତେ ଗୁଣ ବଢିଗଲା।

– ସେମାନେ କଣ ବାହାଘର ଭୋଜି ପରି କରିବେ ନା କଣ? ଆମେ କେତେ ଦିନରୁ ଭୋଜି ଖାଇନେ। ବାପା ତ ଆମକୁ କେବେ ନେଉ ନାହାଁନ୍ତି ସାଙ୍ଗରେ। କେତେ ବାହାଘର କୁ ନିଜେ ଯାଉଛନ୍ତି, କିନ୍ତୁ ଆମ ବେଳକୁ ମନା କରୁଛନ୍ତି।

– ବାପା କଣ ଭୋଜି ଖାଇବାକୁ ଯାଉଛନ୍ତି ବୋଲି ଭାବୁଛୁ କି? ସେ ପରା ଭୋଜିରେ କାମ କରିବାକୁ ଯାଉଛନ୍ତି। ତୁ କଣ ଦେଖିନୁ କି, ବାପା ଭୋଜିରୁ ଆସିଲା ପରେ ଘରେ ପଖାଳ ଖାଆନ୍ତି।

ମିନିର କଥା ସମ୍ପୂର୍ଣ୍ଣ ବୁଝି ନ ପାରି ମୁଣ୍ଡ ଆଉଁସିଲା ମୁନା। ପୁଣି ପଚାରିଲା-- ନାନୀ, ଆମକୁ କେହି ଗାଳି ଦେବେନି ତ? ସେ ମନ୍ତ୍ରୀ ଆମକୁ ମିଶାଣ, ଫେଡାଣ କି ପଣକିଆ ପଚାରିବେନି ତ? ଯଦି ପଚାରିବେ ମୁଁ କହିବି ଆମ ଇସ୍କୁଲ ଛୁଟି ଅଛି। ତେଣୁ ପାଠ ମନେ ନାହିଁ।

ମିନି କିଛି ନ କହି କେବଳ ହସିଲା ଓ ଦୁଇଜଣ ଘରକୁ ଫେରିଲେ।

ସଭାର ପୂର୍ବଦିନ ରଘୁ ସରପଞ୍ଚ ସଭା ବିଷୟରେ ସବୁ ବୁଝେଇ କହିଦେଲା। ପିଲା ମାନଙ୍କୁ ସକାଳ ସାତଟାରୁ ଯିବାକୁ ହେବ। ମନ୍ତ୍ରୀ ଆସିବେ ନଅଟା ବେଳକୁ। ସଭା କାମ ଦଶଟା ସୁଦ୍ଧା ସରିଯିବ। ଗାଁଆର ଅନ୍ଯ ପିଲା ମାନେ ବି ଥିବେ। କିନ୍ତୁ ଫୁଲତୋଡା ମିନି ଦେବ। ପେଣ୍ଡାଲ ଉପରେ ମିନି ଓ ମୁନା ବନ୍ଦେଉତ୍କଳ ଜନନୀ ସଙ୍ଗୀତ ଗାଇବେ। କିଛି ସମୟ ପରେ ଭୋଜି ଖାଇ ଘରକୁ ଫେରିବେ। ରଘୁର କଥା ନେତ କଣ ବୁଝିଲା କେଜାଣି, କେବଳ ମୁଣ୍ଡ ଟୁଙ୍ଗାରି ହଁ ଭରିଲା। ଖାଲି ପଚାରିଲା-- ଏତେ ଖରାରେ ପିଲା ଗୁଡାକ ହଇରାଣ ହରକତ ହେବେନି ତ? ମଝିରେ ଟିକେ ପାଣି କି ତୋରାଣି ଦେଉଥିବ ମୋ ପିଲାଙ୍କୁ।

ରଘୁ ଟିକେ ଚିଡିଲା ପରି କହିଲା – ତୁ ଏମିତି ହେଲେ ଚଳିବନିି ଭାଉଜ। ମୁଁ ପରା ସନିଆ ଭାଇ କୁ ସବୁ କହିଛି। ପାଞ୍ଚ ଶହ ଟଙ୍କା ବି ଦେଇଛି ଆମ ପାଣ୍ଠିରୁ। ତୁମ ପିଲା କଣ ଆମର ପିଲା ନୁହଁନ୍ତି କି? ଥରେ ତ କହିଲି ସବୁ ଠିକ୍ ହେବ। ତୁ ବ୍ଯସ୍ତ ହେଲେ କଣ ହେବ।  ତୋ କାମ ଏତିକି ଯେ, ତୁ ପିଲା ମାନଙ୍କୁ ଠିକ୍ ସମୟରେ ସ୍କୁଲରେ ପହଞ୍ଚେଇ ଦେବୁ। ସେମାନେ ଖାଇ ସାରିଲା ପରେ ମୁଁ ଆଣି ଘରେ ଛାଡିଦେବି।

ସେଦିନ ଦୁଇଜଣ ସ୍କୁଲରେ ପହଞ୍ଚି ଖୁସି ରେ ତାଳି ମାରି ପକେଇଲେ। ସରସ୍ବତୀ ପୂଜା ଦିନ ସଜା ହେଲା ପରି ଆଜି ସ୍କୁଲରେ ରଙ୍ଗବେରଙ୍ଗ ପତାକା ଲାଗିଛି। ଗୋଟେ ବଡ ଚାଦରରେ ଜଣେ ଲୋକ ହାତ ଯୋଡି ଛିଡା ହେବାର ଫଟୋ ଅଛି। ମିନି ପଢିଲା-- ସ୍ବାଗତମ୍ ମାନ୍ଯବର ମନ୍ତ୍ରୀ ରାମଚନ୍ଦ୍ର ସାହୁ। ମୁନା ଭଲରେ ଦେଖ୍ , ତୁ ପଚାରୁଥିଲୁ ନା ମନ୍ତ୍ରୀ ମଣିଷ ନା ଦେବତା । ତାଙ୍କ ଫଟୋ ଲାଗିଛି ଦେଖ୍।

– ନାନୀ, ଏତେ ବଡ ଫଟୋ ମୁଁ ଆଜି ଯାଏ ଦେଖିନି। ସେ ମନ୍ତ୍ରୀ  ଏତେ ବଡ ଲୋକ ନା କଣ ! ଆମ ମାନଙ୍କର ଫଟୋ ତ କେତେ ସାନସାନ ଉଠୁଛି। ୟାଙ୍କର ଏତେ ବଡ ଫଟୋ କିଏ ଉଠେଇ ଥିବ। ସେ କ୍ଯାମେରା ବୋଧେ ଘର ଏତିକି ବଡ ହୋଇଥିବ ନା !

ମିନି ହସି ହସି କହିଲା ତୁ ଏବେ ଦ୍ବିତୀୟ ଶ୍ରେଣୀରେ ପଢୁଛୁ। ଆଉ ଟିକେ ହେଲେ ବଳେ ଜାଣିବୁ ସବୁ।

ମିନି ଦେଖିଲା ତାଙ୍କ ସାହିର ଅନ୍ଯ ପିଲା ମାନେ ବି ଆସିଛନ୍ତି। ହାଡୁ ମେହେନ୍ତର ପୁଅ, ଜଗା ବାରିକ ଝିଅ, ନୟନ ନାଏକ ର ପିଲା ମାନେ ଆହୁରି କେତେ ପିଲା। ସେମାନଙ୍କୁ ଦେଖି ଖୁସି ରେ ଦଉଡିଗଲା। ସମସ୍ତଙ୍କ ମନରେ ଅହେତୁକ ଆଗ୍ରହ। ଆଜି ମନ୍ତ୍ରୀଙ୍କୁ ଦେଖିବେ ଓ ଭୋଜି ଖାଇ ଫେରିବେ। ପିଲାଙ୍କ ସହ ଖୁସି ଗପ କଲା ବେଳକୁ ଗଗନ ସାର୍ ସେମାନଙ୍କୁ ଡାକିନେଲେ। ମନ୍ତ୍ରୀ ଆସିଲେ କେମିତି ତାଙ୍କ ଗୋଡ ତଳେ ପଡି ମୁଣ୍ଡିଆ ମାରିବ,ଫୁଲତୋଡା ଦେବ ଓ ପେଣ୍ଡାଲ ଉପରେ ଦୁଇଜଣ କେମିତି ଗୀତ ଗାଇବେ, ସେ ବିଷୟ ବୁଝାଇଦେଲେ।

ସେତେ ବେଳକୁ ମୁନା କହିଲା-- ନାନୀ, ମୋତେ ଜୋର ଶୋଷ ହେଉଛି। ଟିକେ ପାଣି ପିଇବି।

କିନ୍ତୁ ଗଗନ ସାର୍ ଙ୍କ ନାଲି ଆଖି ଦେଖି ସେ ଚୁପ୍ ହୋଇଗଲା। ମିନି ସବୁ ଜାଣିଲେ ବି ସାର୍ ଙ୍କ ଆଗରେ କିଛି କହିପାରିଲାନି।  ସମୟ ଗଡି ଚାଲିଲା। ପେଣ୍ଡାଲ୍ ରେ ମାଇକ୍ ଖଞ୍ଜା ସରିଲା, ଚେୟାର ଟେବୁଲ ସଜେଇ ରଖାଗଲା। ଗାଁଆ ର ଭଦ୍ରଲୋକଙ୍କ ପାଇଁ ଚଉକି ପକାଗଲା। ଆଉ ଗୋଟେ ବଡ ଦରି ପକାଗଲା। ବାକି ଲୋକେ ଓ ପିଲା ମାନେ ସେଥିରେ ବସିବେ। ମିନି ଦେଖିଲା ଚେୟାର ପଡିଥିବା ଯାଗା ଉପରେ ସାମିଆନା ଭିଡା ଯାଇଛି, କିନ୍ତୁ ଖୋଲା ଆକାଶ ତଳେ ଛିଣ୍ଡା ଦରି ଟି ବଡ ଅସହାୟ ଅବସ୍ଥାରେ ପଡିଛି।

ମୁନା ଓ ମିନି ସ୍କୁଲ ଗେଟ୍ ପାଖରେ ଛିଡା ହୋଇଛନ୍ତି। ଗଗନ ସାର୍ ଓ ରଘୁ ଟିକେ ବ୍ଯସ୍ତ ହେଲା ପରି ଚାଲବୁଲ କରୁଛନ୍ତି। ମୁନା କୁ ଭୀଷଣ ଶୋଷ ହେଲାଣି, କିନ୍ତୁ ପାଣି ଟୋପେ ପାଇବା ସମ୍ଭବ ହେଉନି। ସାର୍ ମନା କରିଛନ୍ତି ଗେଟ୍ ପାଖରୁ ଯେମିତି ସେମାନେ ନ ହଲନ୍ତି। କେତେ ବେଳେ ବି ମନ୍ତ୍ରୀ ପହଞ୍ଚି ଯାଇ ପାରନ୍ତି। ରୋଷେଇ ର ବାସ୍ନା ବି ବେଳକୁ  ବେଳ ପ୍ରଖର ହେଲାଣି। ରାସ୍ତାରେ ଯାଉଥିବା ଲୋକ ବି ଜାଣି ପାରିବ ଯେ ଗୋଟେ ଭଲ ଭୋଜିର ଆୟୋଜନ ହେଉଛି।

ମୁନା ଅନୁଭବ କଲା, ତାକୁ ଭୋକ ବି ଲାଗିଲାଣି। ସକାଳୁ ବାହାରି ଆସିଲା, ତେଣୁ ପଖାଳ ଟିକେ ବି ଖାଇ ହେଲାନି। କିଛି ନହେଲେ ଖୁଦଭଜା ଟିକେ ପାଟିରେ ପକେଇ ଦେଇ ଆସିଥିଲେ ହେଇଥାନ୍ତା। ସେ ଭାବିଥିଲା ସ୍କୁଲରେ କିଛି ଜଳଖିଆ ଦେବେ। କିନ୍ତୁ ସେତେବେଳ ଯାଏ ପାଣି ଟୋପେ ବି ମିଳିନି। ବଡ ନାନୀ ହିସାବରେ ମିନି ସବୁ ଜାଣି ପାରୁଥିଲେ ବି ନିରୁପାୟ ଥିଲା। ତାକୁ ବି ଶୋଷ ଲାଗିଲାଣି। ବେଳ କୁ ବେଳ ଖରାର ତେଜ ବଢି ଚାଲିଛି। ଗରମରେ ଦେହରୁ ଗମଗମ୍ ଝାଳ ବୋହି ଯାଉଛି । ସାମିଆନା ତଳେ ଛିଡା ହୋଇଥିବା ଲୋକେ କିଛି ମାତ୍ରାରେ ତ୍ରାହି ପାଉଛନ୍ତି, କିନ୍ତୁ ସେମାନେ ତ ଝାଳରେ ତିନ୍ତି ସାରିଲେଣି। ବାପା ଦେଖିଥିଲେ ନିହାତି କହିଥାଆନ୍ତେ-- ପିଲା ମାନେ ଖରାରେ ଯମା ବାହାରକୁ ବାହାରିବନି। ନଦୀରୁ ପାଣି ଶୁଖିଲା ପରି ଦେହରୁ ରକ୍ତ ଶୁଖିଯିବ।

ମିନି  ବୁଝିପାରେନି  ଯେ,  ଦେହ ଭିତରେ ଥିବା ରକ୍ତ କଣ ସତରେ ଶୁଖି ଯାଉଥିବ? ପୁଣି ଭାବେ ବାପା କହୁଛନ୍ତି ମାନେ ସତ କଥା ହୋଇଥିବ। ଯାହାହେଲେ ବି ସେ ବଡ ଲୋକ, ତେଣୁ ବେଶି ଜାଣିଥିବେ। ତିନି ଦିନ ତଳେ ମକରା ମେହେନ୍ତର ଖରାରେ ନଳା ସଫା କରୁଥିଲା ବେଳେ ଟଳି ପଡିଲା। ଲୋକେ କହିଲେ ଅଂଶୁଘାତ ହୋଇଗଲା। ସୂର୍ଯ୍ଯଦେବଙ୍କର ସେଇ ରକ୍ତଶୁଖା କାମଟିକୁ ବୋଧେ ଅଂଶୁଘାତ କୁହାଯାଉଥିବ।  ଫୁଲ ତୋଡାଟି ଏତେ ସମୟ ଧରିବା ଫଳରେ ହାତ ଝିମଝିମ ହେଲା ପରି ଲାଗୁଛି। ମୁଣ୍ଡରେ ଖରା ପଡି ଚୁଟି ଗୁଡାକ ବି ତାତି ଗଲାଣି। ମୁନାର ମୁହଁଟା କେମିତି ଶେତାଳିଆ ଦିଶିଲାଣି। ତା’ର ପାଣି ନିହାତି ଦରକାର। ମିନି ଭାବିଲା, ସେ ସିନା ମନ୍ତ୍ରୀଙ୍କୁ ଫୁଲତୋଡା ଦେବ, କିନ୍ତୁ ମୁନାର ତ କିଛି କାମ ନାହିଁ। ସେ କଣ ପାଇଁ ତା ସହ ଖରାରେ ଛିଡା ହେବ? ଯେତେ କହିଲେ ବି ମୁନା ତାକୁ ଛାଡି ଯିବାକୁ ନାରାଜ୍। ତା’ର ସେଇ ଗୋଟିଏ କଥା। ମାଆ କହିଛି ସଦା ବେଳେ ନାନୀ ପାଖରେ ଥିବୁ।

ସାମିଆନା ତଳେ ଛାଇରେ ବସିଥିବା ଭଦ୍ର ଲୋକମାନେ ପାଟିଗୋଳ ଆରମ୍ଭ କଲେଣି। ମନ୍ତ୍ରୀ ଆସିବାରେ ଡେରିି କରୁଛନ୍ତି ଓ ସେମାନେ ଆଉ ଗରମରେ ନ ବସି ଘରକୁ ଯିବାକୁ ବାହାରିବା ଦେଖି, ସରପଞ୍ଚ ଓ ଗଗନ ସାର୍ ସମସ୍ତଙ୍କୁ ହାତ ଗୋଡ ଯୋଡି ରହିବାକୁ ଅନୁରୋଧ କରିବାରେ ବ୍ଯସ୍ତ। ତେଣେ ଖୋଲା ଆକାଶରେ ଦରି ଉପରେ ବସିଥିବା ପିଲା ମାନଙ୍କର ମୁହଁ କଳା କାଠ ପଡିଗଲାଣି। ଗଗନ ସାର୍ ଭଦ୍ରଲୋକଙ୍କୁ  ହାତ ଯୋଡିବା ଓ ଖରାରେ ବସିଥିବା ପିଲାଙ୍କୁ ହାତ ଉଠେଇ ଚୁପ୍ ରହିବାକୁ ନିର୍ଦ୍ଦେଶ ଦେବାରେ ବ୍ଯସ୍ତ।  ଏମିତି ପରିସ୍ଥିତି ରେ ସେମାନଙ୍କ କଥା ବା କିଏ ବୁଝିବ?

ସେତିକି ବେଳକୁ ମୁନା କାନ୍ଦିବା ଆରମ୍ଭ କଲା।  ଅଝଟ ହୋଇ ଘରକୁ ଯିବାକୁ ବାହାରିଲା। ଯେତେ ବୁଝେଇଲେ ବି ସେ ଆଉ ଶୁଣିବା ଅବସ୍ଥାରେ ନ ଥିଲା। ଅଚାନକ୍ ଝଡ ପରି ଗଗନ ସାର ମାଡି ଆସିଲେ ଓ ମୁନା ଗାଲରେ ପକାଇଲେ ଏକ ଶକ୍ତ ଚାପୁଡା। ଆଖିରୁ ଲୁହ ହୋଇ ମୁନାର ଭୋକ, ଶୋଷ, କ୍ଷୋଭ ଓ ଆପତ୍ତି ସବୁ ଝରି ପଡିଲା। ବେଶି ବାଧିଲା ତାଙ୍କର କଟୁକ୍ତି-- ମ୍ଳେଛ କେଉଁଠିକାର। ଦିନେ ନ ଖାଇଲେ ମରିଯିବୁ ନା କଣ? ଘରେ ତୋରାଣି ପିଇବାକୁ ପଇସା ନାହିଁ, ଏମାନଙ୍କ ପେଟ ଏତିକି ସମୟରେ ଜଳି ଯାଉଛି। ମୁନା ଅପେକ୍ଷା ମିନି କୁ ବେଶି ବାଧିଲା ସାର୍ ଙ୍କର କଥା। କହିଲା ବେଳେ ସାର୍ ଙ୍କ ମୁହଁରେ ଉକୁଟି  ଉଠୁଥିବା ତାଚ୍ଛଲ୍ଯ ଓ  ଘୃ ଣା ଭାବ କୁ ସେ ଠିକ୍ ଠଉରେଇ ପାରିଥିଲା। ଗୋଟେ ହାତରେ ଫୁଲ ତୋଡାକୁ ଧରି ମୁନା ମୁଣ୍ଡରେ ହାତ ବୁଲେଇ କହିଲେ-- ମୋ ସୁନା ଟା ପରା। ଆଉ ଅଳ୍ପ ସମୟରେ ମନ୍ତ୍ରୀ ଆସିବେ। ତା ପରେ ଆମେ ଭୋଜି ଖାଇବା। ମୋ ସୁନା ଭାଇ ଟା ପରା। ଏମିତି ମୁହଁ ଦେଖିଲେ ମନ୍ତ୍ରୀ କଣ କହିବେ?

ଜନ୍ମ ହେବା ଦିନଠାରୁ ଲୁହ ପିଇ ମୁହଁରେ ହସ ଉକୁଟାଇବାରେ ଅଭ୍ଯସ୍ତ ପିଲା ମାନଙ୍କ ପାଇଁ, ଏମିତି ଅବସ୍ଥାରେ ବି ହସିବାର ଅଭିନୟ କରିବା ବିଶେଷ କଷ୍ଟକର ନ ଥିଲା। ସେ ନିରିହ ପ୍ରାଣଧାରୀ  ପିଲା ଦୁଇଟି ଙ୍କ ତେଜ ସାମନାରେ, ଭୟଙ୍କର ଭାବରେ କ୍ରୁଦ୍ଧ ସୂର୍ଯ୍ଯଦେବଙ୍କ ଅଗ୍ନୀବର୍ଷା ମଧ୍ଯ ମଳିନ ଦିଶୁଥିଲା।

ସେପଟରୁ ଘୋଃ ଘାଃ ଶବ୍ଦ ଶୁଣି ମିନି ନିଜକୁ ପ୍ରସ୍ତୁତ କଲା। ହାତରେ ଫୁଲତୋଡା କୁ ସଜେଇ ଧରି ମୁନା ଆଡକୁ ଦେଖିଲା। କିନ୍ତୁ ମୁନାର ହାବଭାବ ଟିକେ ଅସ୍ବାଭାବିକ ଲାଗିଲା ତାକୁ। ମୁନା ବାରମ୍ବାର ଜିଭ ବାହାରକୁ କାଢିଲା ପରି ହେଉଥିଲା। ମୁଣ୍ଡରେ ହାତ ବୁଲେଇ କୁନ୍ଥେଇ ହେଉଥିଲା। ତା’ର କଣ ହୋଇଯାଉଛି ବୋଲି ଜାଣିବାକୁ ଚେଷ୍ଟା କରିବା ଆଗରୁ, ଧୋବ ଫରଫର ଗାଡିଟାଏ ଆସି ସ୍କୁଲ ହତା ସାମନା ରେ ବ୍ରେକ୍ କଷିଲା। କିଛି ବନ୍ଧୁକଧାରୀ ଲୋକ ତଳକୁ ଓହ୍ଲାଇ କାର ର ଦରଜା ଖୋଲିଲା ପରେ ମନ୍ତ୍ରୀ ବାହାରକୁ ବାହାରିଲେ। କାଳେ ସୂର୍ଯ୍ଯଦେବଙ୍କ କିରଣ ଦେହ କୁ ଭିଜାଇ ଦେବ ବୋଲି, ଏକ ପ୍ରକାଣ୍ଡ ଛତା ତଳେ  ତାଙ୍କର ବିଶାଳକାୟ ଶରୀର କୁ ଆଗକୁ କଢାଇ ନିଆଗଲା। ସେତିକି ବେଳକୁ ନାନୀ ବୋଲି ଚିତ୍କାର କରି ମୁନା ତଳେ କଚାଡି ହୋଇପଡିଲା। ମିନି ସେ ଆଡକୁ ମୁହଁ ବୁଲାଇବା ପୂର୍ବରୁ ମନ୍ତ୍ରୀ ତାର ସମ୍ମୁଖରେ। ଗଗନ ସାର୍ ତା ପିଠିକୁ ଚିମୁଟି ଦେଇ, ମନ୍ତ୍ରୀଙ୍କୁ ଫୁଲତୋଡା ଦେବାକୁ ସଙ୍କେତ ଦେଲେ। ମୁହଁରେ କୌଣସି ପ୍ରତିକ୍ରିୟା ନ ଦେଖେଇ ବଡ ଖାମଖିଆଲି ଢଙ୍ଗରେ ମନ୍ତ୍ରୀ ସେ ଫୁଲତୋଡାଟି ହାତକୁ ନେଲେ ଓ ସାଙ୍ଗେସାଙ୍ଗେ ତାଙ୍କ ପାଖରେ ବନ୍ଧୁକଧରି ଥିବା ଲୋକ ହାତକୁ ବଢାଇଦେଲେ।  ସେ ଚାଲିଯିବା ପରେ ମୁନା କୁ ଖୋଜିଲା ମିନି। କିନ୍ତୁ ସେଠାରେ ତାକୁ ଦେଖିବାକୁ  ପାଇଲାନି। ମନରେ ବ୍ଯସ୍ତତା ଓ ଆଶଙ୍କା ବଣନିଆଁ ପରି ବ୍ଯାପି ଚାଲିଥିଲା।  ଅବାକ୍ ହୋଇ ଛିଡା ହୋଇ, ନିଜ ଚାରିପଟରେ କଣ ସବୁ ଘଟି ଯାଉଛି ବୁଝିବାକୁ ଚେଷ୍ଟା କରୁଥିଲା ସେ। ଗଗନ ସାର୍  ତା ହାତଧରି ଏକ ପ୍ରକାର ଘୋଷାଡି ନେଲେ ମଞ୍ଚକୁ ଓ ଗୀତ ଆରମ୍ଭ କରିବାକୁ ନିର୍ଦ୍ଦେଶ ଦେଲେ।

– କିନ୍ତୁ ସାର୍ ମୋ ଭାଇ..... ବାକ୍ଯ ତାର ଅସମ୍ପୂର୍ଣ୍ଣ ରହିଗଲା।

ବାଦ୍ଯ ଯନ୍ତ୍ର ସହିତ ମିନି ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ଗାଇବାକୁ ଆରମ୍ଭ କଲା। କିନ୍ତୁ ତାକୁ ଲାଗିଲା ଗୀତର ସ୍ବର ହଜି ଯାଇଛି।  ସକାଳୁ ସେମାନଙ୍କ ପ୍ରତି ଘଟି ଚାଲିଥିବା  ଘଟଣାବଳୀ ଏତେ ଦାରୁଣ ଥିଲା ଯେ ଗୀତର ପଂକ୍ତି ମାନ ବି ଓଲଟପାଲଟ ହୋଇଯାଉଥିଲେ। କିନ୍ତୁ ମନ୍ତ୍ରୀ ସେମିତି ଆରାମରେ ବସିଥିଲେ ପଙ୍ଖା ତଳେ। ସେ ଜାଣି ସାରିଥିଲା, ଗୀତର ସଠିକତା ବା ସ୍ବର ପାଇଁ ତା ନିଜ ଛଡା ଆଉ କାହାର ବି ଆଗ୍ରହ ନାହିଁ।  ସଭା ଆରମ୍ଭ ହେଲା। ମାଇକ୍ ଧରି ମନ୍ତ୍ରୀ କେତେ କଣ ବଖାଣି ଗଲେ। ଗରିବ ଓ ପଛୁଆ ବର୍ଗ ଲୋକଙ୍କ ଉଦ୍ଧାର ପାଇଁ ତାଙ୍କ ହୃଦୟ କେତେ ବ୍ଯାକୁଳ ତାହା ବି ପ୍ରକାଶ କଲେ। ଗଗନ ସାର୍ ଓ ରଘୁ ପ୍ରଶଂସାରେ ପୋତି ପକେଇଲେ ମନ୍ତ୍ରୀଙ୍କୁ। ତାଙ୍କୁ ଜଣାଇବାରେ ହେଳା କଲେନି ଯେ, କିପରି ବସ୍ତି ବାସିନ୍ଦା ମାନେ ଖୋଲା ଆକାଶ ତଳେ ବସି ତାଙ୍କ ଆଗମନ କୁ ଚାତକ ପରି ଚାହିଁ ଥିଲେ। ପିଲାମାନଙ୍କ ମଧ୍ଯରୁ ଅର୍ଦ୍ଧାଧିକ ଚାଲିଯାଇଥିଲେ। କେବଳ ବସିଥିଲେ ସେହିମାନେ ଯାହାଙ୍କ ପେଟର ଭୋକ ସୂର୍ଯ୍ଯତାପ ଠାରୁ ବି ଅଧିକ ଭୟାନକ ଭାବେ ତାଙ୍କୁ ଜାଳି ପକାଉଥିଲା। ମିନି ଚାରିଆଡକୁ ଆଖି ବୁଲେଇ ମୁନା କୁ ଖୋଜୁଥିଲା।  ଧିରେଧିରେ ତାକୁ ଲାଗିଲା ତା’ର ଚର୍ତ୍ତୁଃପାର୍ଶ୍ବରେ ପୃ ଥିବୀ ଘୂର୍ଣ୍ଣାୟମାନ। ଦେହର ଉତ୍ତାପ ସୂର୍ଯ୍ଯର କିରଣ ସହ ତାଳ ଦେଇ ବଢିବା ସହ, ନିଜ ଉପରୁ ନିୟନ୍ତ୍ରଣ ହରାଇ ଚାଲିଥିଲା ମିନି।  ଭୋକ, ଶୋଷ, ଅପମାନ ଓ ଲାଞ୍ଛନାର ଉତ୍ତାପରେ ଦଗ୍ଧୀଭୂତ ହେବାରେ ଲାଗିଥିଲା ମିନିର କ୍ଷୁଦ୍ର ପ୍ରାଣ ଓ ଶରୀର।  ଅଚାନକ ତା ଆଖି ସାମନାରେ ଅନ୍ଧକାର ଛାଇଗଲା ।

ମିନି ଓ ମୁନା ଟିଣ ଛାତ ପଡିଥିବା ଘର ର ବାରଣ୍ଡାରେ ଜାକିଜୁକି ହୋଇ ପଡିଥିଲେ। ପାଖ ବଖରାରେ ପଙ୍ଖାତଳେ ମନ୍ତ୍ରୀଙ୍କର ଚର୍ଚ୍ଚା ଚାଲିଥିଲା। ବିଭିନ୍ନ ବ୍ଯଞ୍ଜନର ବାସ୍ନା ଭାସି ଆସୁଥିଲେ ବି ସେମାନେ ନିଥର, ନିସ୍ତେଜ  ଶରୀର ଧରି ପଡିରହିଥିଲେ ସେହି ଉତ୍ତପ୍ତ ଚଟାଣ ଉପରେ।  କିଛି ସମୟ ପରେ ମନ୍ତ୍ରୀ ଚାଲିଗଲେ। ରଘୁ ସରପଞ୍ଚ ଗଗନ କୁ ପଚାରିଲା – ସାର୍ ଭଦ୍ରଲୋକ ମାନେ ଖାଇ ଯାଇ ସାରିଲେଣି। ସେ ପିଲା ମାନଙ୍କ କଥା କଣ କରିବା। ସେମାନଙ୍କୁ ଖାଇବା ଦେବା ନା କଣ?

– ଆରେ ସେମାନଙ୍କର କିଛି ହେବନି, ବ୍ଯସ୍ତ ହୁଅନି। ବସ୍ତି ପିଲା ବୋଲି ଏତେ ଖରା ରେ ଆସିବାକୁ ରାଜିହେଲେ। ନୋହିଲେ ଏ ଖରାରେ କିଏ ମରିବାକୁ ଆସିବ। ବାକି ପିଲା ମାନଙ୍କୁ ବିସ୍କୁଟ୍ ପ୍ଯାକେଟ୍ ଦେଇ ବିଦା କରି ସାରିଛି।  ଏ ଦୁଇ ଜଣଙ୍କ ହାତରେ ବିସ୍କୁଟ୍ ଧରେଇ ବିଦା କରିବାର ବ୍ଯବସ୍ଥା କର।

ସେତିକି ବେଳେ ମୁନା ଧିର ସ୍ବରରେ ମିନି କୁ ପଚାରିଲା-- ନାନୀ, ଆମେ କେତେ ବେଳେ ଭୋଜି ଖାଇବା ଯେ? ସକାଳୁ କିଛି ଖାଇନି। ବହୁତ ଭୋକ ଲାଗୁଛି। କେହି ପାଣି ମୁନ୍ଦେ ବି ଦେଲେନି। ମିନି ବହୁତ କଷ୍ଟରେ ମୁନା ମୁଣ୍ଡକୁ ଆଉଁସି କହିଲା-- ମୋ ଭାଇଟା ପରା, ସେମିତିି ବ୍ଯସ୍ତ ହେଲେ ଚଳିବ ? ଆମେ ଘରକୁ ଗଲେ ଖାଇବା। ବହୁତ ଖରା ହେଉଛି ବୋଲି ଭୋଜି ଆଜି ହେଲାନି।

ମିନିର କଥା ଓ ଭୋଜିର ବାସ୍ନା ପରସ୍ପର ବିରୋଧୀ ହେଲେ ବି , ମୁନା  ନିଜ ନାନୀର କଥା ବିଶ୍ବାସ କରି ଚଟାଣରୁ ଉଠିବାକୁ ଚେଷ୍ଟାକରି ତଳେ  ପଡିଗଲା।

ତା ପରଦିନ ଖବରକାଗଜର ପ୍ରଥମ ପୃଷ୍ଠାରେ ବାହାରିଲା-- “ ମନ୍ତ୍ରୀଙ୍କ କାର୍ଯ୍ଯକ୍ରମ ଦେଖିବାକୁ ଆସିଥିବା  ହରିଜନ ବସ୍ତିର ଦୁଇ ଭାଇଭଉଣୀ ଅଂଶୁଘାତରେ ପ୍ରାଣ ହରାଇଲେ।”

          **************************************************


ରଘୁ ଭୋଜି ସ୍କୁଲ

Rate the content


Originality
Flow
Language
Cover design

Comments

Post

Some text some message..