Quotes New

Audio

Forum

Read

Contests


Write

Sign in
Wohoo!,
Dear user,
ଭାଗ୍ୟ
ଭାଗ୍ୟ
★★★★★

© Satyaprakash Sethy

Romance Tragedy

13 Minutes   574    28


Content Ranking

ଜହ୍ନ ରାତିର କୋମଳ ପରଦା ତଳେ ଫୁଲି ଉଠୁଥିଲା ଶସ୍ୟ ମାଳର ଶୋଭା । ଦୂରନ୍ତ ବାଦଲ ମାଳ ଖୋଜି ବୁଲୁଥିଲେ ନୀଳ ସାମ୍ରାଜ୍ୟର ଶ୍ରେଷ୍ଠ ଅତିଥି ଚାନ୍ଦ । ଗ୍ରାମ ପ୍ରାନ୍ତରର ଝଙ୍କାଳିଆ ବରଗଛ କୋରଡ଼ରେ ଡ଼ାହାଣୀର ବିକଳାଙ୍ଗ ପ୍ରତିମୂର୍ତ୍ତି ମଧ୍ୟ ଲୁଚି ଲୁଚି ଝାମ୍ପ ଦେଉଥିବ କେଉଁ ନିଦ୍ରିତ ଶିଶୁର ମନ ତନ୍ତ୍ରୀରେ । ସେଇଠି ବି ଗୃଧ୍ର ପକ୍ଷୀର ବିଭତ୍ସ ଚିତ୍କାର ଓ ଚାତକର ଦରଦୀ କାକଳି । ଗାଁ ମଝିରେ ଲିମ୍ବ, ତେନ୍ତୁଳିର ଡ଼ାଳ କେତେ ନଇଁ ପଡ଼ିଛନ୍ତି ମାଟି ଉପରକୁ । ସେଇ ମାନଙ୍କ ତଳେ ଅଣ ନିଃଶ୍ୱାସୀ ହୋଇ ଲୁଚି ଯାଇଛି ଗାଁ ରାସ୍ତା । ଗଛ ଛାଇରେ ଢାଙ୍କି ହୋଇପଡ଼ିଛି ସେ । ସତେ ଯେପରି ଅନ୍ଧକାର ଚକ୍ରାଲୋକର ତାଡ଼ନାରେ ଭୟ କାତର ହୋଇ ଆତ୍ମ ଗୋପନ କରିଛି ସେଇଠି । ଗାଁ ମୁଣ୍ଡର ବ୍ରାହ୍ମଣ ଶାସନ । ତାହାପରେ ବଢ଼େଇ ,ଭଣ୍ଡାରୀ, ଧୋବା କ୍ରମାନ୍ୱୟରେ । ସମସ୍ତଙ୍କ ପରେ ଡ଼ମ ସାହି- ଏମାନଙ୍କ ଠାରୁ ୧୦/୧୫ କିଆରୀ ଦୂରରେ । ସେମାନେ ଜାତିରେ ଡ଼ମ- ଅଛୁଁଆଁ । ଏମାନଙ୍କ ପାଖରେ ରହିବେ କେମିତି ? କାଳିଆ କାଳିଆ ମଳି ମସିହା ଦେହର ଲୋକ — ଏଇ ଡ଼ମ ଜାତି, ଦୂରରେ ମୁଣ୍ଡ ନୁଆଣିଆ ପଲ୍ଲୀରେ ବାସକରନ୍ତି । ପାଖରେ ଶ୍ମଶାନ, ଦଳ ନର୍ଦ୍ଦମାର ଗଡ଼ିଆ । କିନ୍ତୁ ବ୍ରାହ୍ମଣ ସାହିରେ ପକ୍କା କୂଅ, ମହାଦେବଙ୍କ ମନ୍ଦିର, ପାଠାଗାର, ବିଦ୍ୟାଳୟ- ଗାଁର ସବୁକିଛି । ପାଖରେ ପରିଷ୍କାର ପଡ଼ିଆ, ଧାନର ସୁନା କ୍ଷେତ ରସାଳିଆ ଆଖୁ- ସବୁ ଏହି ବ୍ରାହ୍ମଣ ମାନଙ୍କର -ଏଇ ଡ଼ମ ମାନଙ୍କ ମୁଣ୍ଡ ଝାଳରେ ତିଆରି । ତାହାରି ପଛକୁ ଧୂସର ଦିଗନ୍ତ- ଅର୍ଥହୀନ ରାକ୍ଷସ ।

ପଚାସଢ଼ା ନର୍ଦ୍ଦମାରେ ରହିଲେ ମଧ୍ୟ, ଦେହର ରୂପ କାଳିଆ ହେଲେ ମଧ୍ୟ ଅନ୍ତର ସେମାନଙ୍କର ପରିଷ୍କାର, ପବିତ୍ର । ସେମାନଙ୍କର ନାହିଁ ଜୀବନର ଆବିଳତା, ବଡ଼ ହେବାର ମୋହ, ବଞ୍ଚି ରହିବାର କୈାତୁହଳ ଅବା ମଣିଷକୁ ଘୃଣା । ଚିରଦିନ ପାଇଁ ସେମାନେ ଅନ୍ୟଦ୍ୱାରା ଲାଞ୍ଛିତ , ନିସ୍ପେସିତ, ତାଙ୍କରି ଉପରେ ଦଳିତ ଜୀବନର ଶ୍ରେଷ୍ଠ ଅଭିସାର । ଯୁଗ ଯୁଗ ଧରି ପରର ଉପକାର କରିଛନ୍ତି । ମୁଣ୍ଡଝାଳ ତୁଣ୍ଡରେ ଦେଇ ଅନ୍ୟମାନଙ୍କ କିଆରୀରେ ଖେଳାଇଛନ୍ତି ହସର ଜୁଆର । ମାଟି ପଥରରେ ନିଜର ମାଟି ଦେହକୁ ମିଶାଇ ତୋଳିଛନ୍ତି ନଭଶ୍ଚୁମ୍ଭୀ ଅଟ୍ଟାଳିକା । ତାଙ୍କରି ରକ୍ତ ମାଂସରେ ଗଢ଼ାହୋଇଛି ଜାତିର ଗୈାରବ, ସମାଜର ଅହମିକା, ବିଜ୍ଞାନର ଗର୍ବ ତଥାପି ଖାଇବାକୁ ମୁଠେ ଭାତ, ଖଣ୍ଡେ ରୁଟି କି ପିନ୍ଧିବାକୁ ଖଣ୍ଡେ ଲୁଗା, ରହିବାକୁ ମିଳେନା ଖଣ୍ଡେ ଛପର । ଯୁଗପରେ ଯୁଗ ବିତି ଯାଇଛି ସମୟର ଗତି ଆତ୍ମଗୋପନ କରିଛି କେଉଁ ଅଜଣା ବସ୍ତୁର ଅନ୍ତରାଳରେ । ତଥାପି ଦୁନିଆଁରେ ବଞ୍ଚିରହିଛି ଦଳିତ ସମାଜ । ଗଣ୍ଡେ ଅଧେ ଖାଇବାକୁ ନପାଇ କେଉଁଠି କେତେ ମରି ହଜି ଯାଇଛନ୍ତି । ରହିବାକୁ ଖଣ୍ଡେ ଘର ନପାଇ ଦହଗଞ୍ଜ ହୋଇଛନ୍ତି । ଖଣ୍ଡେ ପିନ୍ଧିବାକୁ ନ ପାଇ ନିଜର ମୁଣ୍ଡ ଉପରେ ଅଭିଶାପର ବଜ୍ର ଢାଳି ଦେଇଛନ୍ତି । ଆଖିରୁ ବୁହାଇଛନ୍ତି ଲୁହ । କିନ୍ତୁ ସେ ନୀରବ ନିଷ୍ପନ୍ଦ ଳୁହର ଅର୍ଥ ବୁଝିବାକୁ କେହି କେବେ ଚେଷ୍ଟା କରିନାହିଁ । ସମସ୍ତେ ସେ ନୀରବ ଅର୍ଥପୂର୍ଣ୍ଣ ଲୁହର ପ୍ରାର୍ଥନାକୁ ପ୍ରତ୍ୟାଖ୍ୟାନ କରିଛନ୍ତି, ହସି ହସି ପାଦତଳେ ଦଳି ଦେଇ ଚାବୁକରେ ରକ୍ତ ମଶାଲରେ ଦେଖିଛନ୍ତି ଦୁର୍ଦ୍ଦଶ ଦୁର୍ଦ୍ଦମନୀୟତାର ଅଧିର ଭୈରବୀ । ବାରୁର ମନରେ ଆଜି କେତେ ଆନନ୍ଦ । କେତେ ସାହସ, କେତେ ଉଦ୍ଦୀପନା ତା’ର ମନ ଗହୀରରେ କେତେ ବର୍ଷପରେ ପୁଞ୍ଜିଭୂତ ହୋଇଥିଲା, ଯେଉଁଦିନ ସେ ପାଇଥିଲା ଅନ୍ୟ ଗୋଟିଏ ହୃଦୟର ଅଭିନନ୍ଦନ — ତା’ର ପତ୍ନୀ ।

ଛୁଆବେଳେ ବାପା ତା’ର ମରିଗଲେ ସନ୍ନିପାତରେ, ମା’ କୋଳରେ ମୁହଁ ପୂରାଇ ସେ କେତେ କାନ୍ଦିଥିଲା । ଆଖି ଲୁହକୁ ହାତରେ ଅଟକାଇ ଅଦୃଷ୍ଟ ଶକ୍ତିକୁ କେତେ ଜୁହାର କରି ମାଗି ଥିଲା ତା’ର ବାପାକୁ ଫେରାଇ ଦେବା ପାଇଁ । କିନ୍ତୁ କିଛି ଲାଭ ହେଲା ନାହିଁ । ଶ୍ମଶାନର ମାଟି ଦେହରେ ସେ ପୋଡ଼ିହୋଇ ମିଶିଗଲା । ମା’ର ଦେହକୁ ଜାବୁଡ଼ିଧରି ବୁହାଇଥିଲା କେତେ ଅଶ୍ରୁଧାର । ମା’ର ଦରଦୀ ଚୁମାରେ ସେ ପୁଣି ହରାଇ ଥିଲା ସବୁ ଦୁଃଖ । ମା’ ତା’ର ନିଜ ପେଟକୁ ଶୁଖାଇ ବଞ୍ଚାଇ ରଖିଥିଲା ପିଲାଟିକୁ । ସାହି ଛୁଆଙ୍କ ସାଙ୍ଗରେ ଖେଳିବାକୁ ଯାଇଥିଲା ଦିନେ । ସଂନ୍ଧ୍ୟା ଆସିଲା ସୂର୍ଯ୍ୟ ଅସ୍ତାଚଳରେ ନେଲେ ଆଶ୍ରୟ । ଶିତୁଆ ରାତିର କମ୍ଫନ ଦେହକୁ ଥରାଇଥିଲା । ଢେର ରାତିରେ ଘରକୁ ଫେରି ଦେଖିଲା ଘରେ ମା’ ନାହିଁ । କାନ୍ଦି କାନ୍ଦି ଲୋଟି ପଡ଼ିଲା । ନିଦ କେତେବେଳେ ଆସି ତାକୁ ଢୋକି ଦେଲା ସେ ଜାଣି ପାରିଲା ନାହିଁ । ରାତି ପାହିଛି । ସୂର୍ଯ୍ୟ ରଶ୍ମିରେ ଭରପୂର ହାଇଛି ପୃଥିବୀ । ଉଠି ଦେଖେ ତ ତା’ର ଚାରିପଟେ ଲୋକ ଜମା ହୋଇଛନ୍ତି । ସମସ୍ତଙ୍କ ମୁଖରେ ହାୟ ହାୟ କିଏ କହୁଛି ଛେଉଣ୍ଡ ପିଲାଟା ହନ୍ତ ସନ୍ତ ହେବ । କିଏ କହେ ମା’ଟା କେମିତି ଛାଡ଼ିଗଲା । ପୁଣି କିଏ କହେ ତା’ ମା’ ନନ୍ଦ ବୁଢ଼ା ସାଙ୍ଗରେ ତ ପାଟି କରୁଥିଲା, ତାଙ୍କର କାରସାଦି ଏ ହୋଇଥିବ । କାହାରି କଥାର ଅର୍ଥ ସେ ବୁଝି ପାରି ନଥିଲା । ସେଦିନ ନୀରବରେ ଘରୁ ବାହାରି ଆସିଥିଲା । ଯାହା ଦେଖିଥିଲା ସେଇଥିରେ ତାହାର ମନ ଦ୍ରବୀଭୂତ ହୋଇଥିଲା । ମା’ର ରକ୍ତାକ୍ତ ଶରୀର ଘର ଆଗରେ ଲୋଟି ଯାଇଛି ।ବୁଝିପାରି ନଥିଲା କିଛି । କୈାଣସି ବାଟ ଦେଖିପାରି ନଥିଲା ସେ । ଚାରି ଆଡ଼କୁ ଅନାଇ ଦେଖିଲା କେବଳ ହତାଶାର ଚିହ୍ନ ।

ନିଜ ଗୋଡ଼ରେ ନିଜେ ଛିଡ଼ା ହେବାକୁ ଚେଷ୍ଟା କରିଛି । ପର ଓଳିରେ କାମ କରି ମୁଠେ ଖାଇବା ପାଇଁ ହାତ ପାତିଛି । ସେଇଥିରେ ସେ ବଞ୍ଚାଇଛି ନିଜର ଜୀବନଟାକୁ । ବଡ଼ ହୋଇଛି ସେ- ଖୁବ୍ ବଡ଼ ହୋଇଛି । ବାହା ହେବାର ବୟସରେ ଉପନୀତ ହୋଇଛି । ଦେହରେ ବି ଜାଗିଛି ରୋମାଳିର ଚେତନା । ମନର ଘୁମନ୍ତ ରାଜ୍ୟରେ ସେ ଦେଖିଛି ଦୂରନ୍ତ ସ୍ୱପ୍ନର ଆଦିକଥା । କିନ୍ତୁ କିଏ ଦେବ ତାକୁ ଝିଅ? ସମାଜର କେଉଁ ହତଭାଗିନୀର ହାତକୁ ଏ ହତଭାଗାର ହାତରେ କିଏ ଛନ୍ଦି ଦେବ? ବାପା ନାହିଁ, ମା ନାହିଁ, ମୁଣ୍ଡ ଗୁଞ୍ଜିବାକୁ ଛୋଟ ଘର ଖଣ୍ଡିଏ- ଭାଙ୍ଗି ପଡ଼ିଲାଣି । ପର ଓଳିରେ କାମ କରି ବି ପେଟ ପୂରେ ନାହିଁ । ମୁରବୀ ବିହୀନ ଏଇ ବାରୁ । ତାହାରି ପାଖରେ ସମାଜର ବ୍ୟବଚ୍ଛେଦ । ପିତୃ ମାତୃହୀନ ବୋଲି ସେ ସମାଜର ବ୍ୟତିକ୍ରମ । ସମସ୍ତଙ୍କ ପାଖରେ ହେୟର ବସ୍ତୁ । ଦୁଃଖ ଦାରିଦ୍ର୍ୟର ବନ୍ଧନ ତା’ରି ଭାଗ୍ୟରେ ଲେଖା ।

କେତେ ଯେ ଫଗୁଣ ଗୀତ ଗାଇ ନାଚି ନାଚି ଚାଲି ଯାଇଛି । ବସନ୍ତର ମୃଦୁ ସ୍ପର୍ଶରେ ବାସନ୍ତୀ ଧରଣୀ ହସି ହସି ଫାଟି ପଡ଼ିଛି । ଆମ୍ବ ବୃକ୍ଷର ମାଳେ ମାଳେ ଝୁଲିି ଯାଇଛି ଆମ୍ବ ବଉଳର ବେଣୀ । ପଳାଶ ବୃକ୍ଷର ଅଳିକନ୍ଦିରେ ଖେଳି ଯାଇଛି ସିନ୍ଦୂର ରଙ୍ଗର ସତୃପ୍ତ ସ୍ପନ୍ଦନ । ସେଇଠିକି ଆଗେଇ ଆସିଛି ଆକାଶ ବଉଦର ପୁଷ୍ପାଞ୍ଜଳୀ ନେଇ । କିନ୍ତୁ କେହି ତା’ ମନର କଥା ଶୁଣି ନାହାଁନ୍ତି, କେହି ବୁଝି ନାହାଁନ୍ତି – ତା’ ଅନ୍ତରର କୋହ । ସବୁ ଗୋଟି ଗୋଟି ହୋଇ ଦୂରେଇଯାଇ ଥିଲେ, ଆକାଶ ଯେଉଁଠି ମିଶିଛି, ସେଇଠିକି ।ବାପା, ମା’ ମନ ଭିତରକୁ ଆସି ଝରାଇ ଦେଇ ଯାଇଛନ୍ତି କେତେ ଟୋପା ଅଶ୍ରୁ, ମନରେ ଉଠାଇଛନ୍ତି କୋହ । ଗରିବ ସମାଜର ବନ୍ଧୁ ଏହି ଲୁହ — ଦୁଃଖ ସମୟର ସାଥି ।

ସେହି ବର୍ଷ ଖରାରେ ଗଛପତ୍ର ପୋଡ଼ିଯାଇ ଥାଏ । ଚଇତ ମାସରୁ ବି ଖରାର ତାପ ସହି ହେଉ ନଥାଏ । ଏଇମିତି ଆଗରୁ କେତେଥର ରୈାଦ୍ର ଧରିତ୍ରୀକୁ ଅଧୁରା କରିଥିବ । କିନ୍ତୁ ସେଥିରେ କ’ଣ ମଣିଷ ହଟି ଯାଇଛି ? ସେ ହାର ଜିତକୁ ପସନ୍ଦ କରେ । ସଂଗ୍ରାମୀ ମନୋବୃତ୍ତିର ମଣିଷ ଏ ଖରା ସହିତ ଖୁବ୍ ଲଢ଼ିଥିଲା । ବିଲରୁ ହଳ କରି ଆସୁଥାଏ ବାରୁ । ଆର ଗାଁର ଗହୀର ଜମି ଢେର ବାଟ ଯାଏଁ ଲମ୍ବି ଯାଇଥିଲା । ତାହାରି ପଛକୁ ଆମ୍ବତୋଟା । ସେହି ଆମ୍ବତୋଟାରେ ବାଟ ପଡ଼ିଛି ଏଁ ଗାଁକୁ । ଆମ୍ବ ପଡ଼ିଲାଣି । କେଉଁଠି କୁଆ, କୋଇଲିଟାଏ ବସି ଆମ୍ବ ଖାଉଛନ୍ତି । ଗଛର ବୁଢ଼ା ପତ୍ର ଗୁଡ଼ିକ ଖସି ପଡ଼ୁଛି । ପୁଣି ସେହିମାନଙ୍କ ସ୍ଥାନରେ ଅଧିକାରୀ ହୋଇ ନୂଆ ନୂଆ ପତ୍ର ମୁଣ୍ଡ ଟେକୁଛନ୍ତି । ମନରେ ସେମାନଙ୍କର ଅପୂର୍ବ ଆନନ୍ଦ । ଅପୂର୍ବ ସାହସ ଭରସା ନେଇ ଗଢ଼ି ଉଠିଛନ୍ତି ନୂଆ ରଙ୍ଗରେ । ପାଖ ଗାଁରୁ କିଏ କେମିତ ଆସନ୍ତି ଏପଟକୁ ପତ୍ର ସଂଗ୍ରହ କରିବା ପାଇଁ । ସେଦିନ ସେ ଗାଁର ଝିଅ ଅମ୍ବି ବି ଆସିଥିଲା ପତ୍ର ଖରିକିବାକୁ । ଦକ୍ଷିଣ-ଆକାଶରୁ ବିଛେଇ ହୋଇ ପଡ଼ିଥିଲା ସୂର୍ଯ୍ୟଲୋକ । ଅନାଇ ହେଉ ନଥିଲା ଆକାଶକୁ । କେଡ଼େ ଚାଇଁ ଚାଇଁଆଁ ଖରାଟାଏ ସତେ । ବୃକ୍ଷ ଶାଖାର ତଳେ କୋଇଲିଟାଏ ବସି କ’ଣ ଗୁଡ଼ାଏ ଅବୋଧ୍ୟ ଗୀତ ଗାଉଥାଏ । କୁଆଟାଏ ମଧ୍ୟ ଏ ଡ଼ାଳରୁ ସେ ଡ଼ାଳକୁ ଉଡ଼ି ଉଡ଼ି ବୋବାଉ ଥାଏ । ସତେକି ଗୋଟାଏ ଘଟଣା ଘଟିଯିବ । ସେଇଥି ପାଇଁ ବ୍ୟଗ୍ର ଏହି ପକ୍ଷୀମାନେ । ପତ୍ର ଖରକି ଖରକି ଅଣ୍ଟା ବିନ୍ଧିଲାଣି । ସଳଖ ହୋଇ ଛିଡ଼ା ହେଲା ଅମ୍ବୀ । ଦୀର୍ଘ ନିଃସ୍ୱାଶଟାଏ ପକାଇଲା ସେ । ସକାଳ ପହରୁ ପତର ଖରୁକୁଛି । ଦେହପ୍ରତି ନଜର ନାହିଁ । ପଶ୍ଚିମ ଦିଗକୁ ଅନାଇଲା, କିଏ ଗୋଟାଏ ହଳୁଆ ଆସୁଛି । ଆଗରେ ବଳଦ ହଲି ହଲି ଚାଲୁଛନ୍ତି । କଅଁଳିଆ ସ୍ୱରର ଲହରୀ ଛୁଟି ଆସୁଛି ସେଇଠୁଁ । ମନରେ ହଳୁଆଟିର ଅହେତୁକ ଆନନ୍ଦ । ସତେ ଯେପରି ମୁଣ୍ଡ ହଲାଇ ଗୀତ ଗାଇବାରେ ସେ ପାଉଛି ତା’ର ଜୀବନରେ ଅଭୂତପୂର୍ବ ତୃପ୍ତି । ଭଲକରି ଅନାଇଲା ଅମ୍ବି- ଖରା ତରାସିଆରେ ସ୍ପଷ୍ଟ ଚିହ୍ନି ହେଉନଥାଏ । କ୍ରମେ ନିକଟେଇ ଆସିଲା ଲୋକଟି । ଆରେ, ଏ ତ ବାରୁଭାଇ! ବାପା ମା’ ତା’ର ପିଲା ଦିନରୁ କେହି ନାହାଁନ୍ତି ବୋଲି କେହି ତା’କୁ ଝିଅ ଦେଉନାହାଁନ୍ତି । ସେ ହୋଇଛି ସମାଜର ଜଣେ ନିକୃଷ୍ଟ ନଗଣ୍ୟ । ସେ ପିଲାଦିନୁ ମୁରବୀହୀନ । ସେଇଥି ପାଇଁ ତା’ର ମର୍ଯ୍ୟାଦା ହୀନ ହୋଇ ପଡ଼ିଛି ଆଜି ଲୋକ ମାନଙ୍କ ଆଗରେ। କିନ୍ତୁ, କାହିଁକି ? ସେ କ’ଣ ତା’ର ଭାଗ୍ୟକୁ ନିଜ ହାତରେ ଲେଖେଇ ଆସିଥିଲା ? ନାଁ ସମାଜର କ୍ଷତି ହେଲାଭଳି କିଛି କାର୍ଯ୍ୟ କରିଛି ? ଯେଉଁମାନେ ଗରିବ ମାନଙ୍କ ତଣ୍ଟିଚିପି ସେମାନଙ୍କ ରକ୍ତ ମାଂସରେ ଧନୀ ବୋଲାଉଛନ୍ତ, ଶ୍ରେଷ୍ଠ ଲୋକ ବୋଲି ଗର୍ବ କରନ୍ତି , ସେମାନଙ୍କୁ ମର୍ଯ୍ୟଦାବାନ୍ ହିସାବରେ ଧରି ନିଆଯାଏ । କିନ୍ତୁ ଯିଏ ନିଜର ମୁଣ୍ଡଝାଳ ତୁଣ୍ଡରେ ମାରି ପର ପାଇଁ ଖଟି ଖଟି ମାଟି ପେଟରେ ସଢ଼ିଯାଏ, ସେ ହେବେ ଅଛୁଁଆ ନିର୍ଯ୍ୟାତିତ, ନିଷ୍ପେଷିତ, ଅପମାନିତ, ତାଙ୍କରି ମାନ ସମ୍ମାନ ହେବ ଭୁଲୁଣ୍ଠିତ । ସେ ହେବ ଦଳିତ ଜୀବନର ଶ୍ରେଷ୍ଠ ସୂଚକ । ନାଁ ନାଁ ସେ ଏ ଅନ୍ୟାୟକୁ ବରଦାସ୍ତ କରିପାରିବ ନାହିଁ । ସେ ବାରୁକୁ ବର ରୂପେ ବରଣ କରିନେବ । ସମାଜର ଯିଏ ଘୃଣ୍ୟ ଅପମାନିତ ସେ ହେବ ତାର ପ୍ରାଣ କେନ୍ଦ୍ରର ଶ୍ରେଷ୍ଠ ଅତିଥି । ମନର କଥା ସେଇଠି ଝୁଣ୍ଟି ପଡ଼ିଲା । ସତେ ଯେପରି ସେ କ’ଣ ଗୋଟାଏ ଭୂଲକରି ଦେଇଛି । କ’ଣ ଗୁଡ଼ାଏ ଚିନ୍ତା କରି ପକାଇଲା । ସେ ପ୍ରକୃତରେ କ’ଣ ବାରୁକୁ ଭଲ ପାଇ ପାରିବ । ଉତ୍ସର୍ଗ କରିପାରିବ ତା’ର ବନ୍ଧୁ ଗୋତ୍ର, ପରିବାର ବର୍ଗର ମୋହ । ହଁ….ହଁ ସେ ବାରୁକୁ ନିଶ୍ଚୟ ଭଲ ପାଇବ । ସେ ତା’ର ସ୍ୱାମୀ, ଶ୍ରେଷ୍ଠ ଅତିଥି । ମୁହଁ ତଳକୁ ପୋତି ଆହୁରି କ’ଣ ଗୁଡ଼ାଏ ଚିନ୍ତା କରି ଯାଉଥିଲା ।

ଏତେ ବେଳକୁ ବାରୁ ପହଁଞ୍ଚି ଯାଇଥିଲା ତୋଟା ମଝିରେ । ଧୂଳିଆ ରାସ୍ତାଟା କେତେ ଦୂରକୁ ଚାଲି ଯାଇଛି । ତାହାରି ଉପରେ କାହାରିକୁ ଲକ୍ଷ୍ୟ ନକରି ଚାଲିଛି ବାରୁ । କୈାଣସି ଜିନିଷ ପ୍ରତି ଭୃକ୍ଷେପ ନାହିଁ । ସତେ ଯେପରି ପରର କାମ ମଧ୍ୟରେ ନିଜକୁ ଗୈାରବାନ୍ୱିତ ମନେକରୁଛି । ନିଜ ଜାତିର ଝିଅ ଅମ୍ବିକୁ ଦେଖି ମନରେ କିପରି ଗୋଟାଏ ଆସ୍ୱସ୍ତି ବୋଧ କରୁଥିଲା । ଲାଜରେ କିଛି କହିପାରିଲା ନାହିଁ । ଗୀତର ଲହରୀ ବନ୍ଦ ହୋଇଗଲା । ନୀରବରେ ଚାଲିଯାଉଥିଲା ସେ । ପଛରୁ ଡ଼ାକିଲା ଅମ୍ବି — ବାରୁଭାଇ ! …. ଅଟକି ଗଲା ସେ । ମନରେ ଗୋଟାଏ ପ୍ରଶ୍ନବାଚୀ ନେଇ ଫେରିଲା ପଛକୁ । କେହିତ କେବେ ତାକୁ ଜାତିଠାରୁ ବା ଅଜାତି ପର୍ଯ୍ୟନ୍ତ କଥା ପଦେ ପାଇଁ ଡ଼ାକି ନାହାଁନ୍ତି । କେହି କେବେ ତା’ କଥା ଚିନ୍ତା କରିନାହଁନ୍ତି । ତେବେ ଅମ୍ବୀ କାହିଁକି ତା’ର ମନକୁ ଘାଣ୍ଟି ଦେଇଛି । ନାଁ ସେ ଚାଲିଯିବ । ଏ ଦୁନିଆରେ ମଣିଷ,ସମାଜ, ଜାତି, ବନ୍ଧୁ, କୁଟୁମ୍ବ କେହି ତା’ର ନାହାଁନ୍ତି । ସମସ୍ତେ ପର । ସମସ୍ତେ ତା’ର ଆଜି ଶତ୍ରୁ ହୋଇ ଆଗରେ ଛିଡ଼ା ହୋଇଛନ୍ତି । ସେ କାହାରି ଡ଼ାକରେ ସ୍ତମ୍ଭୀଭୂତ ହେବନାହିଁ । ଜୀବନର ଯେତେବେଳେ ଯାହା ଆସିବ ସେଇ କେବଳ ତା’ର ବନ୍ଧୁ, ତା’ର ଆତ୍ମୀୟ । ସେଇଥିରେ ସେ ହେବ ଉଲ୍ଲସିତ । ସମୟର ଗତି ହିଁ ତା’ର ଅଭିଭାବକ ।

ଧୀରେ ଧୀରେ ଅମ୍ବି ପାଖକୁ ଆସିଲା । ପୁଣିଥରେ କହିଲା — ବାରୁଭାଇ! ତଥାପି ବାରୁର ମୁଖ ମଣ୍ଡଳରେ ଲିଭି ନଥିଲା ଦୃଢ଼ତାର ଚିହ୍ନ । ସେ ନିରୁତ୍ତର ରହିଲା । ଅମ୍ବିର ଆଖିରୁ ଝରି ପଡ଼ିଲା ଲୁହଟୋପା । ରୁଦ୍ଧ ଗଳାରେ କହିଥିଲା ବାରୁ ଭାଇ- ବହୁତ ଆଶା ଭରସା ରଖିଛି ତୁମରି ଦୁଃଖରେ ଦୁଃଖୀ ହେବାପାଇଁ । ତୁମରି ହୃଦୟକୁ ମୋରି ହୃଦୟରେ ସ୍ଥାନ ଦେଇଛି । କ’ଣ ସେଥିରୁ ମୋତେ ବଞ୍ଚିତ କରିବ ? ଅମ୍ବି- ଦୃଢ଼ ଗଳାରେ କହିଲା ବାରୁ ଭାଇ ! ପୁଣି ଅମ୍ବି ଦୃଢ଼ ହାତରେ ବାରୁର ଦୁଇ ହାତ ଧରି ତାହାରି ଉପରେ କାନ୍ଦି ପକାଇଥିଲା ।ବାରୁ ଅଦୃଷ୍ଠ ବନ୍ଧନରେ ବାନ୍ଧି ହୋଇ ଯାଇଥିଲା । ସେ ହୋଇଥିଲା ଶକ୍ତିହୀନ । କପୋତ ପକ୍ଷୀ ଦୁଇଟି ଉଡ଼ି ଯାଇଥିଲେ ଆକାଶରେ । କୁଆ କୋଇଲି ମାନେ ଇଥରରେ ସୃଷ୍ଠି କରୁଥିଲେ ଆନନ୍ଦର ଲହରୀ । ସତେ ସେମାନେ ଏ ଶୁଭ କ୍ଷଣରେ ପୌରହିତ୍ୟ କରୁଛନ୍ତି । ବାରୁର ଆଖିରୁ ମଧ୍ୟ ଗଡ଼ି ଆସିଲା ଲୁହ ଧାର । ସେ କଥା ଦେଲା । ପୁଣି ଫେରି ଆସିଲା ଘରକୁ ।

ବୈଶାଖର ଖରାପୁଞ୍ଜ ଝରିପଡ଼ିଲା । ମତୁଆଲ ଝାଞ୍ଜି ଦିଗ୍ଚକ୍ର କାଳରେ ଲୁଚିଗଲା । ଗ୍ରୀଷ୍ମ ପରେ ବର୍ଷାର ରାଜତ୍ୱ ଘନେଇ ଆସିଲା । ଧରିତ୍ରୀ ବକ୍ଷରେ । ବାରି ଧାରାରେ ସିକ୍ତ ହେଲା ଧରିତ୍ରୀ । ଗଛ ପତ୍ର ହସି ଉଠିଛି କୋମଳ ପତ୍ରମାଳରେ, ଗୀତ ଗାଇ ଉଠିଛନ୍ତି ବଣ ମାଳର ପଶୁ ପକ୍ଷୀ ।

୧୮ ବର୍ଷର ଝିଅ ଅମ୍ବି। ବାହାହୋଇଯିବ — ସେ ବେଶି ଦିନ ଏ ଘରେ ରହିବାକୁ ସମାଜରେ ମନା । କୈାଣସି ମତେ କାହା ହାତରେ ଧରାଇଦେଲେ ବାପା ତା’ର ମୁକ୍ତ, ନହେଲେ ଲୋକଙ୍କ କଥାରେ ସେ ମୁଣ୍ଡ ଟେକି ବାଟ ଚାଲିପାରିବ ନାହିଁ । ମେଦର ଶରୀରକୁ କେତେ ଘାତ ପ୍ରତିଘାତ ସହିବାକୁ ପଡ଼ିବ । ନିଜର ସ୍ତ୍ରୀକୁ ଡ଼ାକି କହିଲା — ଏ ବୁଝିଲ, ଅମ୍ବି ବୋଉ! ଏ ବର୍ଷ ମୁଁ ଅମ୍ବିର ବାହାଘର କରିବାକୁ ଚଇତିପୁର ସାଧୁଆକୁ ଠିକ୍ କରିଛି, କ’ଣ କହୁଛୁ ? ପିଲାଟା ଟିକେ ଛୋଟା ହେଲେ କ’ଣ ହେବ ଧନଧାନ୍ୟ ବହୁତ ଅଛି । ତା’ ପାଖରୁ କିଛି ଉଠେଇବାକୁ ପଡ଼ିବ । ସେ କହୁଛି ଅମ୍ବିକୁ ଦେଲେ ପାଞ୍ଚହଜାର ଟଙ୍କା ଦେବ । ତୁମ୍ଭର ମତଟା କ’ଣ କହି ଦେବ । ଗରିବ କୂଳରେ ଜନ୍ମ ହୋଇଛି ବୋଲି କ’ଣ ଟଙ୍କା ଲୋଭରେ ଏଇଆ କହିବ । ଝିଅଟାକୁ ଜାଣିଶୁଣି ପାଣିକୁ ଠେଲିଦେବ । ତୁମ୍ଭେ କ’ଣ ତାକୁ ଜନ୍ମ କରି ନାହଁକି, ଗୋଟାଏ ଛୋଟା ହାତରେ ଛନ୍ଦିଦେବ କେମିତି ? କିନ୍ତୁ ଏ କଥା କ’ଣ ମଦର ନିଶାକୁ ଟପିଯାଇ ପାରେ । ସେ କହିଲେ- ଅମ୍ବି ବୋଉ, ସାବଧାନ ହୋଇ କଥାବାର୍ତ୍ତା କହ । ମୁଁ ଯାହା କହୁଛି ସେଇଆ କର ।

ଅମ୍ବି ଏ କଥା ଘର ପଛପଟେ ଶୁଣୁଥିଲା, ସେ କାନ୍ଦି କାନ୍ଦି କହିଲା- “ବାପା ମୁଁ ଆଉ କାହାରିକୁ ଭଲ ପାଇ ପାରିବି ନାହଁ । ବାରୁକୁ ମୁଁ ଭଲ ପାଇଛି । ମୁଁ ତୁମରି ଝିଅ, ମୋତେ ତୁମେ କ୍ଷମା କରିଦିଅ ।”

–ଏ ଅଲକ୍ଷଣୀ …………..ଇ………..

ଦୁର୍ , ଦୂର୍ ହ, ବାହାରି ଯା’ ମୋ ଘରୁ । ଏଇଥି ପାଇଁ ତୋତେ ଖୋଇପେଇ ଏଡ଼ୁଟେରୁ ଏଡ଼େଟେ କରିଥିଲି ! ତୋତେ ବିକି ଟଙ୍କା ନଆଣି ତୋପାଇଁ ଏତେ କଷ୍ଟ କରିଥିଲି କାହିଁକି ? ଏ ଘର ପୋଡ଼ି ତୁ ଚାଲିଯା ବାହାରିଯା ଘରୁ ।” ବାପାର ଧିକ୍କାର ଶୁଣି ବାହାରିଲା ଅମ୍ବି– ଘରୁ । କଦମ୍ବ ଗଛର ମୂଳେ ବସି କେତେ ଯେ କାନ୍ଦିଛି କେତେ ବାପା, ବାପା ଡ଼ାକିଛି, କିନ୍ତୁ କେହି ସେଥିରେ କର୍ଣ୍ଣପାତ କରି ନାହାଁନ୍ତି । ନୀରବ ରାତିର ଛାତ ତଳେ ବସି କେତେ କଥା ସେ ଭାବିଛି– ବାସ୍ତବିକ୍ ବାପା ମା’ ତା’ର କେତେ କଷ୍ଟରେ ଖୋଇ ପେଇ ବଢ଼ାଇଛନ୍ତି । ତା’ ପାଇଁ କେତେ କଷ୍ଟ ସ୍ୱୀକାର କରିଛନ୍ତି । ଶେଷକୁ ସେସବୁ କ’ଣ ପରିଶୋଧ କରି ପାରିଛି — ସେ । ବରଂ ଶେଷରେ ଦୁଃଖର ଭାର ଲଦି ନିଜର ୠଣଭାର ଅଧିକ କରିଛି । ତେବେ କ’ଣ ବାପା ମା’ର କଥା ସେ ମାନିଯିବ?

ନା ସେ ତାହା କରିପାରିବ ନାହିଁ । ଗୋଟେ ପଟେ ବାପା ଅନ୍ୟପଟେ ଗୋଟିଏ ଅବହେଳିତ ଜୀବନ । ସେ କ’ଣ ଏ ନୀରିହ ଯୁବକଟିର ଘର ସଂସାର ଭବିଷ୍ୟତକୁ ଦଳି ଦେଇ ପାରିବ ? ଯଦି ପାରେ, ତେବେ କଣ ପାଇଁ ତା’ର ହୃଦୟ ଦ୍ରବିଭୂତ ହୋଇଥିଲା । କ’ଣ ପାଇଁ ସେ ତାକୁ କଥା ଦେଇଥିଲା ? ଯଦି ନା , ସେ ତାହା କରି ପାରିବ ନାହିଁ । ନିଶ୍ଚୟ ବାରୁକୁ ଭଲ ପାଇବ । ସେଇ ତା’ର ହୃଦୟର ଅତିଥି ।

ଦୁର୍ଦ୍ଦମନୀୟ ମେଘ, ଅନ୍ଧାର ରାତିର ଘୋର ଘର୍ଘର ଶବ୍ଦରେ ରାତିର ନିଥର ଇଥରର ରୂପ ନେଇ ଅସ୍ତବ୍ୟସ୍ତ ହେଉଥାଏ । ତୁମୁଳ ସଂଗ୍ରାମର ଯୁଦ୍ଧ ଭୂମି ଏଇ ଧରିତ୍ରୀର ବକ୍ଷ । ତାହାରି ଉପରେ ବିଜୁଳିର ପ୍ରହାର । ସତେକି ବିଜୁଳିର ଚିକ୍ମିକ୍ ଆଲୋକରେ ପୃଥିବୀର କ୍ଷତ ବିକ୍ଷତ ଶରୀର ଖୋଜି ବୁଲୁଛି ନିଜର ରକ୍ଷା ପାଇଁ ସ୍ଥାନ । କ୍ରନ୍ଦସୀ ରାତ୍ରୀର କଣ୍ଠ ସ୍ୱରରେ ଆତଙ୍କିତ ଜୀବ ମହା ସମାଜ । କୁଆଡ଼େ ଯିବ ଅମ୍ବି। କେଉଁ ଆଡ଼େ ତା’ର ପଥ । ଯେଉଁ ପଥରେ ଥିଲା ତା’ର ଜନ୍ମଗତ ଅଧିକାର, ସେ ପଥ ଚିରଦିନ ସକାଶେ ତା’ ପାଇଁ ଆଜି ବନ୍ଦ । ଆଗରେ ପ୍ରଚଣ୍ଡ ବିଭୀଷିକା । ବିଭୀଷିକାର ପଛପଟେ ଯାହା ତା’ର ସ୍ଥାନ, ତା’ର ପଥ-ବାରୁଭାଇ । ହଁ ହଁ ସେ ସେଇଠିକି ଦଉଡ଼ି ଯିବ । ସେଇଠି ସେ ପାଇବ ଶାନ୍ତି, ତା’ର ଶ୍ରେଷ୍ଠ ଆଶ୍ରୟ, ଜୀବନର ଅଭୟ — ସବୁକିଛି । ଏଇ ରାତି ତା’ ଜୀବନର ପରୀକ୍ଷା; ମେଘ, ବଜ୍ର ପ୍ରଚଣ୍ଡ ପବନ ତା’ର ପ୍ରଶ୍ନ ପତ୍ର ଏବଂ ଭାଗ୍ୟ ତା’ର ସମାଧାନ । ଆଗକୁ ସେ ବଢ଼ି ଚାଲିଛି, ମେଘର ଟୋପା ତା’ ଦେହରେ ଛୁଞ୍ଚି ଫୋଡ଼ୁଛି । ପବନ ମେଘର ଆବରଣକୁ ମୁକ୍ତ କରିବା ପାଇଁ ଚେଷ୍ଠା କରୁଥାଏ । ଆଉ ଅନବରତ ଚେଷ୍ଟା କରୁଥାଏ ପବନ, ଅମ୍ବି ଦେହରୁ ଆବରଣ ମୁକ୍ତ କରିବା ପାଇଁ । ତଥାପି ମନରେ ପୁଞ୍ଜିଭୂତ ହୋଇଛି ସାହସ । ସେଇଠି ବି ଠୁଳ ହୋଇଛି ସମସ୍ତ ଆଶା ଭରସା । ତାହା ନିକଟରେ ଏ ପ୍ରକୃତିର ବାଧା କ’ଣ ସମକକ୍ଷ ହେବ ? କାହାରି ବାଧା ନ ମାନିି ରାତ୍ରରେ ଅମା ପଟଳ ଭିତରେ ଦଉଡ଼ି ଚାଲିଛି ଅମ୍ବି । ଅମାରାତିରେ ଅନ୍ଧକାର ଗୁହା ତାକୁ ଅଟକାଇ ପାରୁନାହିଁ । ଓଃ ହୋ … ଝୁଣ୍ଟି ପଡ଼ିଲା …ଏହି ପୁଣି ଉଠୁଛି । ହଁ ଧାଇଁ ଚାଲିଛି ଆଗକୁ । ଗଛ ପତ୍ରର ଛୋଟ ଛୋଟ ଶାଖା, ପତ୍ର ବୃକ୍ଷଚ୍ଯୁତ ହୋଇ ଦେହରେ ପିଟି ହେଉଛନ୍ତି ।ତଥାପି ସେଥିପ୍ରତି ଭ୍ରୂକ୍ଷେପ ନାହିଁ । ନୂତନ ଆଶାରେ ମଣିଷ ଆଶାୟୀ । ଆଗରେ ଭାସି ଉଠୁଛି ସ୍ୱପ୍ନର ସମୁଦ୍ର । ଢେଉ ଉପରେ ଢେଉ ଆସି ହୃଦୟ ତନ୍ତ୍ରୀକୁ ଅଥୟ କରୁଛି । ପୁଣି ବି ସେ ଅଟକି ଯାଉଛି ପବନର ପ୍ରତିଘାତରେ । ବର୍ଷାପାଣି ଆଖି କାନରେ ପଶି ଯାଉଛି । ଏଇତ ଲୁଗାଖଣ୍ଡକ ଉଡ଼ି ଯାଉଛି ଦୂରକୁ । ତଥାପି ଦଉଡ଼ୁଛି । -ହଁ ପହଁଞ୍ଚିଛି ଠିକଣା ଯାଗାରେ ।

–ବାରୁଭାଇ! ବାରୁଭାଇ !!

ହଠାତ୍ କେଉଁ ଏକ ଶବ୍ଦର ଆଘାତରେ ଚମକି ପଡ଼ିଲା ବାରୁ । ଏ ତ ସେହି ପରିଚିତ ସ୍ୱର, ସେହି ଅମ୍ବି, କିନ୍ତୁ ଏ ବର୍ଷା ଝଡ଼ରେ – ଏ କ’ଣ ସମ୍ଭବ ? ନା -ନା ସେ ସବୁ ମନର ବିକାର ମାତ୍ର । ଅମ୍ବି ଏତେ ରାତିରେ କ’ଣ ଆସି ପାରିବ? ପୁଣି ଆଗେଇ ଆସିଲା ସେହି ସ୍ୱର ।

–ବାରୁ ଭାଇ !!

କବାଟ ଖୋଲିଲା ବାରୁ ,– “ଏ କ’ଣ ? ଯାହା ଦେଖିଲା ସେଥିରେ ସ୍ତମ୍ଭୀଭୂତ ହେଲା ।ଏ ଯେ କେଉଁ ଏକ ନାରୀର ଉଲଗ୍ନ ଶରୀର? ଏ ପ୍ରେତ ନା ମଣିଷ ? କେଉଁ ଡ଼ାହାଣୀ ଆସିଛି ଆଜି ଏଇ ଭଙ୍ଗା କୁଡ଼ିଆ ଖଣ୍ଡିକୁ ତା’ର ରକ୍ତ ପିଇବା ପାଇଁ । ଆଶ୍ଚର୍ଯ୍ୟ ଚକ୍ଷୁରେ ଅନାଇ ରହିଲା ସେ ।

— “ବାରୁଭାଇ !…… ମୁଁ ଅମ୍ବୀ । ଅନ୍ଧାର ରାତିର ବକ୍ଷଚିରି ତୁମ୍ଭରି ନିକଟକୁ ଦଉଡ଼ି ଆସିଛି । ମୋତେ ଶରଣ ଦିଅ । ତୁମ୍ଭରି ପାଦ ତଳେ ଟିକେ ଆଶ୍ରୟ ଦିଅ । ବାରୁର ଚକ୍ଷୁ ଦୁଇଟି ଉଜ୍ଜଳିତ ହୋଇ ଉଠିଲା । ଦୁହିଁଙ୍କ ଆଖିରୁ ଝରି ପଡ଼ିଲା ତୃପ୍ତିର ଅଶ୍ରୁ । ହୃଦୟରେ ଖେଳିଗଲା ସତୃପ୍ତ ସ୍ପନ୍ଦନ ।

ଅମ୍ବି ବାରୁ ନିକଟରେ ଗୋଟି ଗୋଟି କରି କହି ଚାଲିଥାଏ ତା’ର ଜୀବନର କାହାଣୀ । କାହାଣୀର ଶ୍ରୋତା ବାରୁ , ଆଉ ଶ୍ରୋତା ଏହି ରାତ୍ରି , ଏହି ରାତ୍ରିର ଘନ ଅନ୍ଧକାରର ମେଘନାଦ । ଏ — ରାତ୍ରିର ବିଭୀଷିକାମୟ ନୃତ୍ୟ ନାଟକ । ବର୍ଷା ପବନ ଆହୁରି ଘନୀଭୂତ ହେଲା । ଭଙ୍ଗା ଘରଟିର ଛପର ସ୍ଥାନେ ସ୍ଥାନେ ଉଡ଼ାଇ ନେଲା । ଏହି ଘନ ଘଟାର ପାଚେରୀ ତଳେ ଦୁଇଟି ଆତ୍ମାର ମିଳନ ମାଧୁରୀ ସୃଷ୍ଟି କରିଛି ଦୁଇଟି ମନରେ ଆନନ୍ଦ । ଅପାର ଆନନ୍ଦର ସ୍ରୋତ । ଯାହା ଅବର୍ଣ୍ଣନନୀୟ ।

ଧିମେଇ ଆସିଲା ମେଘ । ପବନର ଶକ୍ତି ଢେର କମି ଯାଇଥିଲା । ରୁଦ୍ର ତାଣ୍ଡବର ଦୀର୍ଘ ଲୀଳା ପରେ କ୍ଷୀଣ ନୀରବତା ଜମି ଆସିଥିଲା । ପୂର୍ବର ଆକାଶ କ୍ରମେ ଫରଚା ପଡ଼ିଲାଣି । ବିଲ ବାଡ଼ିରେ ପାଣିର ସୁଅ ଛୁଟିଛି । ଟିପି ଟିପି ବର୍ଷା ସାଙ୍ଗକୁ ସାମାନ୍ୟ ପଶ୍ଚିମର ପବନ ଦେହକୁ ଥରାଉଛି । କ’ଣ ଗୋଟାଏ ଶବ୍ଦ ହେଉଛି କେଜାଣି ଗାଁ ମୁଣ୍ଡରେ । କାନ ଡ଼େରିଲା, ପାଣି ପାଣି ରଡି ଶୁଣିଲାଠୁୁଁ ଦଉଡ଼ିଗଲା ଗାଁ ମୁଣ୍ଡକୁ । ଦ୍ରୁତ ଗତିରେ ପାଣି ଛୁଟି ଚାଲିଥାଏ । ବିରୁପା ନଦୀର କୂଳ ଉଲଙ୍ଘନ କରି ଏମିତି ବର୍ଷେ ବର୍ଷେ ସେ ଆସେ । ଘରଦ୍ୱାର ଭସାଇ ନିଏ । ବାରୁର ମୁଣ୍ଡରେ ଘର ଖଣ୍ଡିକ ଯାହା ଅଛି, ସେ ବି ଆଉ ଅଳ୍ପ ସମୟ ପରେ ଭାସି ଯିବ, ଭାଙ୍ଗିଯିବ ତାଙ୍କର ନୀଡ଼ ।

ଅମ୍ବି! — ବାରୁ ଡ଼ାକିଲା । ଜବାବ ଦେଲା ଅମ୍ବି । ଆ, ଗାଁ ସେପାଖ ବନ୍ଧ ଉପରକୁ ଉଠିଯିବା । ପାଣି ଅଳ୍ପ, ଆସ୍ତେ ଆସ୍ତେ ଉଠିଯିବା । ଏ ଘର ଖଣ୍ଡିକ ଅଳ୍ପ ସମୟ ପରେ ଭାସିଯିବ । ଆଗ ସାବଧାନ ନହେଲେ ହଇରାଣରେ ପଡ଼ିବା, ଡ଼େରି କରି ଲାଭ କ’ଣ ? ଚିରା ଚିରା ଲୁଗା ,ଅନ୍ୟାନ୍ୟ ଜିନିଷ ପତ୍ର କିଛି ଅଣ୍ଡାଳି ଗଣ୍ଠିଲିଟିଏ କଲା ଅମ୍ବି । ସେତିକି ନେଇ ବାହାରି ଆସିଲେ ଘରୁ, ଦୁହେଁ ଧରାଧରି ହୋଇ ବନ୍ଧ ଉପରକୁ ଚାଲିଛନ୍ତି । ପାଣି ବେଶି ହୋଇ ଗଲାଣି । ପାଣିର ଗତି ବି ଦ୍ରୁତ ଗତିରେ ବଢ଼ି ଚାଲିଛି । କେଉଁଠି ଜଙ୍ଘେ ତ କେଉଁଠି ଛାତିଏ ପାଣିରେ ସେମାନେ ବାଟ କାଟି ଚାଲିଛନ୍ତି । ଆହୁରି ବହୁତ ଲୋକ ପଛରେ ଆସୁଛନ୍ତି । ଡ଼ାକ ଛାଡ଼ି ଚାଲିଛନ୍ତି ସେମାନେ । ହାବୁକା ମାରି ପାଣି ପାଦର ଗତିକୁ ଶିଥିଳ କରୁଛି । ବଡ଼ ହାବୁକାଟାଏ ପାଣିଆସି କଚାଡ଼ି ହୋଇ ପଡ଼ିଲା ଉପରେ । ପଛରୁ ଡ଼ାକ ଶୁଭିଲା “ଭାସି ଗଲେ , ଭାସିଗଲେ”– ପଛକୁ ଅନାଇଲା ବାରୁ । ଲୋକ ଗୁଡ଼ାକ ଭାସି ଯାଉଛନ୍ତି । ପାଟି କରି ଡ଼ାକ ଛାଡ଼ୁଛନ୍ତି — “ରକ୍ଷାକର, ରକ୍ଷାକର” । ଅମ୍ବିକୁ ଅନାଇଲା ବାରୁ- ଅମ୍ବି କାହିଁ ? ସେ ବି ଭାସି ଯାଇଛି, ଏଇ ଟିକେ ଦୂରରେ ସେ ଭାସି ଯାଉଛି । ତାକୁ ଡ଼ାକ ଛାଡ଼ୁଛି–ମୁଁ ଯାଉଛି ……………ଖୁବ୍ ଜୋରରେ ଅମ୍ବି ଡ଼ାକିଲା ,ବାରୁ ଲମ୍ଫ ଦେଲା ତା’ରି ପାଖକୁ । ସୁଅ ସହିତ ତାଳ ଦେଇ ପହଁରି ଚାଲିଛି । ଆହୁରି ଜୋରରେ ପହଁରି ଯିବାକୁ ଚେଷ୍ଟା କରୁଛି ସେ । ମଝିରେ ମଝିରେ ଆତ୍ମଫଟା ଚିତ୍କାର କରୁଛି ଅମ୍ବି । ବାରୁର ମୁଣ୍ଡରେ ବଜ୍ର ପଡ଼ିଲା, ଆଗରେ ଦୁର୍ଜୟ ଭଉଁରୀ କୁରାଳ ଚକ୍ରପରି ବୁଲି ଯାଉଛି । ସେଇଠି ଆଉ କ୍ଷଣକେ ଅମ୍ବି ପଡ଼ିଯିବ । ସବୁଚେଷ୍ଟା ବିଫଳ ହୋଇଯିବ, ତା’ର ସର୍ବନାଶ ହେବ ।

— ଅମ୍ବି! ଅମ୍ବି!!ଅମ୍ବି!!!

ଆହୁରି ଜୋରରେ ପହଁରିବାକୁ ଚେଷ୍ଟାକଲା ସେ । ଓଃ, ଭଗବାନ, ଅମ୍ବି ଭଉଁରୀରେ ପଡ଼ି ଯାଉଛି । ହେଇ ତାକୁ ଡ଼ାକୁଛି, ଚିତ୍କାର କରୁଛି, ହଁ – ହଁ ସେ ତା’ ପାଖକୁ ଯିବ । ସେ ତା’ର ସ୍ୱାମୀ । ତା ହୃଦୟର ରତ୍ନ । ସେ ବି ପଡ଼ିଲା ସେଇ ଭଉଁରୀରେ — ସେହି ଜଳ ଚକ୍ରରେ । ଦୁହେଁ ଏକାଠି ହୋଇଛନ୍ତି । ପରସ୍ପର ଏକାଠି ହୋଇଛନ୍ତି । ପରସ୍ପରକୁ ଜାବୁଡ଼ିଧରି ଥରେ ଥରେ ଦେଖିବା ପାଇଁ ବ୍ୟଗ୍ର ହେଉଛନ୍ତି । ସବୁଚେଷ୍ଠା ବିଫଳ ହେଉଛି । ଥର ଥର କରି ଜଳଚକ୍ରର ଶକ୍ତି ସେମାନଙ୍କୁ ଥରାଇ ଦେଉଛି ।

— ଅମ୍ବି ! ଅମ୍ବି!! ଅମ୍ବି…..!!!

— ବାରୁ ! ବାରୁ!! ବାରୁ…. !!!

ଦୁଇଟି ସ୍ୱରର କ୍ଷୀଣ ଆହ୍ନାନ ସମୟର ଚକ୍ର ବ୍ୟୁହରେ ମିଳେଇଗଲା ।

ଝାମ୍ପ ଶ୍ମଶାନ ସାହି ଛୁଆ

Rate the content


Originality
Flow
Language
Cover design

Comments

Post

Some text some message..