Quotes New

Audio

Forum

Read

Contests

Language


Write

Sign in
Wohoo!,
Dear user,
ଝରାପାଣି
ଝରାପାଣି
★★★★★

© Ramesh Patra

Others

48 Minutes   20.9K    3


Content Ranking

ଘନ କୁହୁଡିର ସକାଳ l ମୁହଁକୁ ମୁହଁ  ଦିଶୁନି l ଜାହାଜ ଜେଟିରେ  ବି କଣ ହେଉଛି, କିଛି ଜାଣି ହେଉନାହିଁ l ଛିଣ୍ଡା କମଳଟେ  ଘୋଡେଇ ହୋଇ  ମାଛ ଧରା ଡଙ୍ଗାରେ ବସି ଉକ୍କା ବିଡି ପରେ ବିଡି ଟାଣି ଚାଲିଛି l ଗଲା ରାତିରେ ସେ ଜମ୍ମାରୁ ଭଲରେ ଶୋଇ ପାରି ନାହିଁ l ପୌଷ ମାସର ଶେଷ ଆଡକୁ ଏମିତି କୁହିଡି ପଡେ l ତା ସାଙ୍ଗକୁ ହାଡ ଥରା ଶୀତୁଆ ପବନ l ପୁରା କାଲୁଆ ମାରି ଯାଉଥାଏ ତାର ଦେହ, ମୁଣ୍ଡ l ଘରକୁ ଫେରିବା ପାଇଁ ଜମ୍ମାରୁ ଇଛା ହେଉ ନ ଥାଏ l  ଭାଟଗାମ ଗାଁର ଉଚ୍ଚା ଜାଗାର ବତୀ ଘରର ସାଇରନ୍ ଅବିଶ୍ରାନ୍ତ ଭାବେ ବାଦି ବଡ ବିରକ୍ତ କରୁଥାଏ l ଜେଟିର ଗୋଟାଏ ପାଖରେ ବାଲି ଉପରେ ଜନ ବସତି ପୂର୍ଣ୍ଣ ଗାଁ l ଛାତ ଉପରେ ମାଙ୍ଗାଲୋର ତିଆରି ଟାଇଲ୍ l କାନ୍ଥ ହିସାବରେ ଚିରା ଡାଳ ଆଉ ବାଉଁଶ ଖୁଣ୍ଟ l ଚାଳ ଉପରେ ପୂର୍ବ କଥିତ ମାଙ୍ଗାଲୋର ନହେଲେ ସ୍ଥାନୀୟ ଟାଇଲରେ ଛପର l ତାଳ ଆଉ ବାଦାମ ଗଛର ତୋଟା ଭିତରେ ନୂଆଁଣିଆ ଚାଳଘର l  ବାଡ କହିଲେ, ‘ଭୁଙ୍ଗୁରା’ ଜାତୀୟ କାକଟସ୍ ଖଣ୍ଡ l ତାରି ଭିତରେ ଠାଏ ଠାଏ ପରିବା ବଗିଚା l ଜେଟିରେ ମାଛ ଡଙ୍ଗା ଉପରେ ଥାଇ, ଉକ୍କା କାଭୁସିଓ (ଧୂର୍ତ୍ତ) ଗାଁକୁ ମନକୁ ମନ ଗାଳି କରିବା ତାର ପୁରୁଣା ଅଭ୍ୟାସ l ଅନ୍ୟ ମାଛୁଆମାନେ ତାକୁ “ଉକୋ ଚାଲବାଜ” ନାଁରେ ଡାକନ୍ତି l

          ମନେ ମନେ ଗରଗର ହେଉଥାଏ ଉକୋ l କାହିଁକି ଏତେ ଶୀଘ୍ର ମାଛ ଡଙ୍ଗା ଧରି, ସମୁଦ୍ରରୁ ସିଏ ଫେରି ଆସିଲା ? ବଜ୍ଜାତ୍ ଭିକ୍କୋ ମାମଲ କେମିତି ଫେରି ଆସିଲା ? ଯିଏ ସମୁଦ୍ରକୁ ଯାଏ, କ୍ୱଚିତ୍ ଫେରି ଆସିଥାଏ l ଭିକ୍କୋ ମାମଲର ବଡ ଜାହାଜ ଗଲା ରାତିରେ ଆସି ପହଞ୍ଚିଛି l  ବଡ ଜାହାଜ l ଉପରେ ବୋଧହୁଏ ରାଜପଡାରୁ ଆଣିଛି l ବଡ ବଡ ମାସ୍ତୁଲ l ସେଇ ଆକାରର ପାଲ, ଇଞ୍ଜିନ୍ ସବୁ ଲାଗିଛି l ସତେ ଯେମିତି ଗୋଟାଏ ବୃହତକାୟ ସାରସ ପକ୍ଷୀର ଡେଣା l ଗତକାଲି ରାତିରେ ଯେତେବେଳେ ସମୁଦ୍ର ଜୁଆରିଆ ଥିଲା, ଜେଟି ଭିତରକୁ ଭିକୋ ସାମଲର ଜାହାଜ ଉଭୟ ଦିଗକୁ ପାଣି ଫୋପାଡି ଫୋପାଡି ଆସିଲା l ବୋଧହୁଏ ମାଙ୍ଗାଲୋରରୁ ୟୁରୋପକୁ ଟାଇଲ ବୋଟ୍ ଆଉ କାଠଗଡରେ ଆସିଛି l ବାର ତେର ବର୍ଷ ପରେ ଡିଉକୁ ଫେରୁଛି ଭିକୋ ମାମଲ l ଜାହାଜରେ ମାଲବାର ଅଞ୍ଚଳର ଜିନିଷବି କିଛି ବୋଝେଇ ହୋଇଛି l ଜାହାଜରୁ ତା ଗାଁର ଛପର ଓ କ୍ଷୀଣ ଲଣ୍ଠନର ଆଲୋକ ଦେଖି,  ଭିକ୍କୋକୁ ଖୁବ୍ ଖୁସି ଲାଗୁଥାଏ l ଅନେକ ଦିନ ପରେ ଫେରୁଛି ସିଏ l ପୁଣି ତାର ପୂର୍ଣ୍ଣ ଯୌବନା ସ୍ତ୍ରୀର ଚିନ୍ତା ତା ମନରେ ଆସୁଥାଏ lବର୍ତ୍ତମାନ ସିଏ କେମିତି ଥିବ ? ମୁଁ ଘର ଛାଡିବା ବେଳେ ପୁରା ଗୋଟାଏ ବଡ ବୋଇତ ଭଳି ଥିଲା ତା ଚେହେରା l ଏବେ ତା ଚେହେରା ଗୋଟିଏ ବାସରାଇ ସାରସ ପକ୍ଷୀ ଭଳି ହୋଇଯିବଣି l କେତେ ବର୍ଷ ହେଲା ମୋ ଅପେକ୍ଷାରେ ଥିବ ?      ଭିକ୍କୋ ମାମଲର ଘରକୁ ଫେରିବା ଘଟଣା ଉକ୍କୋ ପାଇଁ ହଠାତ୍ ବଜ୍ରପାତ ହେଲା ଭଳି କଥା l ଶଳା, ବାର ତେର ବର୍ଷ ପରେ ଫେରୁଛି l କୋଉଠି ଥିଲା ଶଳା, ବଜ୍ଜାତ୍ l ଶଳା ଯୋଉ ଆଡେ ଯାଉଛି, ଗୋଟେ ଗୋଟା ମାଇକିନିଆ ରଖିଛି l ମୋଜାମ୍ବିକ୍, ଆଫ୍ରିକା, ଲିସବେନ୍ l ସବୁ ପୁରୁଣା  ଜାହାଜିଆମାନଙ୍କର  ଏ ଅଭ୍ୟାସ l  ସବୁଠି ଗୋଟା ଗୋଟେ ରକ୍ଷିତା ଥାଆନ୍ତି l ଏ ଶଳା କାହିଁକି ଫେରିଲା ? ଶଳା, ମୋତେ କଣ ଭାବିଛି, ମୋଟା ବୁଦ୍ଧିଆ ? ବୋକା ନାଁ ବଜ୍ଜାତ୍ ? ଉକ୍କୋର ନଜର ଜେଟିର ପଛପଟେ ପଡିଲା l ଏତେ ବଡ ଜାହାଜଟା ପରିଷ୍କାର ଭାବରେ ଦେଖା ଯାଉ ନ ଥାଏ l ସହଜେ କଳା ରଙ୍ଗ, ତା ସାଙ୍ଗକୁ କୁହୁଡି l ଅଧା ଅଧା ଝାପ୍ସା ଦେଖା ଯାଉଥାଏ l ପୁଣି ଆକ୍ଷି ଆଗରୁ ଲୁଚି ଯାଉଥାଏ l ଜେଟି ସାରା କୁହୁଡିରେ ଭର୍ତ୍ତି l ଜାହାଜର ମାସ୍ତୁଲ, ଫରଫର ଉଡୁଥିବା ପାଲ ଜଣା ପଡୁଥାଏ l ଜେଟି ଚାରିପଟେ ସନ୍ତସନ୍ତିଆ ଜମି, ଦଳରେ ଭର୍ତ୍ତି l ଜେଟିର ଏତେ ବଡ ଜାହାଜ ଥିବାରୁ ଅଧା ଗାଁ ଦେଖା ଯାଉ ନ ଥାଏ l ଜାହାଜର ମାସ୍ତୁଲ ପାଖର କଳା ମେହଗାନି କାଠ ଓ ଚମଡା ଲାଗିଥିବା, ଭିକ୍କୋ ମାମଲର କେବିନକୁ ଦେଖି ରାଗରେ ଜଳୁଥାଏ ଉକ୍କୋ l ରାତି ଅଧରେ ସମୁଦ୍ରରେ ଜୁଆର କମିଗଲା ପରେ, ଜାହାଜରୁ ମୋଟା ଦଉଡି ଓ ପୁଲିର ସାହାଯ୍ୟରେ ସବୁ ମାଲ ଖଲାସ ହେଲା l ଆଠ ଦଶଟା ପେଟ୍ରୋମାକ୍ସ୍ ଲାଇଟ୍ ଜଳେଇ ରାତି ସାରା ଏଇ ଛୋଟ ବନ୍ଦରରେ ଜାହାଜରୁ ମାଲ ଖଲାସ ସମୟରେ ପାଟି ତୁଣ୍ଡ, ହୋ ହଲ୍ଲା ହିଁ ସବୁ ଦିନିଆ ଘଟଣା l ଭାଲସାଦ୍ ଅଞ୍ଚଳର ବଡ ବଡ କାଠ ଗଡ ପାଣିରେ ପଡିବାର ଶବ୍ଦ ବହୁତ ଦୂରକୁ ଶୁଭେ l ମନେ ହୁଏ ଯେମିତି ରାତି ଅଧରେ ଏ ବନ୍ଦରର ନିଦ ଭାଙ୍ଗି ଯାଇ, ବଡ ଚଳ ଚଞ୍ଚଳ ହୋଇ ପଡିଛି l ଉକ୍କୋର ନିଦ ଭାଙ୍ଗିଯାଏ ଏଇ ଗହଳି, ପାଟି ତୁଣ୍ଡ ଆଉ ଶବ୍ଦ ସବୁରେ l ତା ଆକ୍ଷିକୁ ଆଉ ନିଦ ଆସେ ନାହିଁ l  ତାର ସହିବା ସୀମା ବାହାରେ ଏଇ ସବୁ ଶବ୍ଦ l କର୍କଶ ଓ ଗଣ୍ଡଗୋଳିଆ ପାଟି ତୁଣ୍ଡ ତାକୁ ବିରକ୍ତିକର ଲାଗୁଥାଏ l ସୈତାନମାନେ ଭାବୁଛନ୍ତି ଯେ, ଏଇ ଜେଟିଟା ଯେମିତି ତାଙ୍କ ବୋପାମାନଙ୍କର ସମ୍ପତ୍ତି l  “ବାହାଁ ଚୋଜ୍” l ତମେ ଶଳା ମଣିଷଠୁଁ ନାଁ ସୈତାନ୍ ଠାରୁ ଜନ୍ମ ନେଇଛ ? ତମକୁ ଆଉ ବେଳ ନ ଥିଲା ? ରାତି ଅଧରେ ବେଳ ମିଳିଲା ? ରାଗରେ ଛେପ ଫୋପାଡିଲା ଉକୋ l ଦୂର ବତୀଘରର ସାଇରନ୍ ଶବ୍ଦ ଭିତରେ ତାର ଗାଳି, ରାଗ ସବୁ ଫିକା ପଡିଗଲା l ଏକାଦଶୀ ତିଥି ପାଇଁ ମାଛ ଧରା କାମ ବନ୍ଦ l ନ ହେଲେ ସେ ଡଙ୍ଗା ଧରି ସମୁଦ୍ର ଭିତରକୁ ପଳାଇ ଥାଆନ୍ତା l ସମୁଦ୍ର କୂଳରେ ରହିବା କେତେ କଷ୍ଟ ତା ପକ୍ଷରେ l ଗଭୀର ସମୁଦ୍ର ଭିତରକୁ ଯିବା ପାଇଁ ମନ ଡାକୁଥିଲା ତାର l କୁଆଡେ ଯିବି, କଣ କରିବି ର ଭାବ, ତାକୁ ବ୍ୟସ୍ତ କରୁଥାଏ l ଉକ୍କୋ ଖାଇବା ଜାଗାରୁ ଉଠିଲା , ଛେପ ପକାଇଲା l ତା ଡଙ୍ଗାରେ ସମୁଦ୍ରର ପାଣି ଫାଙ୍କ ଦେଇ ଆସ୍ତେ ଆସ୍ତେ ଜମା ହେଉଥାଏ l ଡଙ୍ଗାଟା ପୁରୁଣା l ମୋଟା ଆଉ ଚଉଡା କାଠରେ ତିଆରି l ବର୍ଷରେ ଥରେ ଦୁଇ ଥର ମରାମତି ଦରକାର କରେ l ଗଲା ଦୁଇ ବର୍ଷ ହେଲା ଆଦୌ ମରାମତି କରି ନାହିଁ l କେବଳ ଇଂଜିନ୍ ଖାଲି ଯାହା ମରାମତି କରିଛି l ଗଲା ବର୍ଷ ପାଗ ଆଦୌ ଅନୁକୂଳ ନ ଥିଲା l ସମୁଦ୍ର ବହୁତ ଅଶାନ୍ତ l ଏପରିକି ଦୁଇଟା ସାମୁଦ୍ରିକ ଝଡ ଗଲା ବର୍ଷ ହେଇଯାଇଛି l ତେଣୁ ଡଙ୍ଗା ମରାମତି କିରବା ପାଇଁ ତାର ଆଗ୍ରହ ନ ଥିଲା l ବାରମ୍ବାର ରଙ୍ଗ ମାରି ପାଣି ନ ପଶିବା ପାଇଁ ଚେଷ୍ଟା କରିଛି  l କିନ୍ତୁ, ଡଙ୍ଗାରେ ଝରା ପାଣିକୁ ସେ ଅଟକେଇ ପାରିବାରେ ସଫଳ ହୋଇପାରିନି l ବୋଧହୁଏ ସେ କାମ ତାକୁ ଭଲ ଭାବରେ ଜଣା ନାହିଁ l ଫଳରେ ଡଙ୍ଗା ଭିତରେ ଝରା ପାଣି ପଶେ l ରାଜି ଆଣ୍ଟି ସେଥି ପାଇଁ ସେମାନଙ୍କୁ ଗାଳିଗୁଲଜ କରେ l ରାଗି କରି ଅଭିସମ୍ପାତ ଦିଏ l “ବଦମାସ୍” ଡଙ୍ଗା ଭିତରେ ଝରା ପାଣି ଅଟକେଇବାର ବ୍ୟବସ୍ଥା କରୁନ l ସମୁଦ୍ରରେ ବୁଡି ମରିବ କୋଉ ଦିନ l ବୁଡି ମଲେ, ସାଗର ଦେବତାର ଗୋଡ ମୋଡିବାର କାମ ମିଳିଯିବ ଯେ l ତମ ମା ଭଉଣୀଙ୍କ ଦେଖା ଚାହାଁ କରିବାକୁ କେହି ରହିବେ ନାହିଁ l ମଦ ପିଇବା ଛାଡି ଘଣ୍ଟେଅଧେ କାମ କଲେ, ଏ କାମ କଣ ହେବ ନାହିଁ ? ମୋ ଡଙ୍ଗା ସବୁ ମଜବୁତ l ଶକ୍ତ କାଠରେ ତିଆରି l ଗାଁରେ ଏ ଭଳି ଡଙ୍ଗା କାହାର ନାହିଁ l ରାଜି ଆଗ୍ନିର ଗାଳିଗୁଲଜ, ଅଭିସଂପାତର କିଛି ଫଳ ହୁଏ ନାହିଁ l ସେଇ ସମୟରେ ମୁହଁ ଶୁଖେଇବା ଜରେ, ପୁଣି ଯୋଉ କଥାକୁ ସେଇ କଥା l ଝରା ପାଣି ଦେଖିବା ପରେ, ଉକ୍କୋ ସେଇ ଅବାଞ୍ଛିତ, ଅଲୋଡା, ଗନ୍ଧିଆ ପାଣିକୁ ସଫା କରିବାରେ ଲାଗିଲା l ଆହୁଲାରେ ସେ ସଫା କରିବା ପାଇଁ ମନସ୍ଥ କଲା l ଆହୁଲାର ଅବସ୍ଥା ବି ବହୁତ ଖରାପ l ଆହୁଲାର ଲଜ୍ ଓ୍ୱାସର୍ ଖରାପ l ସଫା କରିବା ସଙ୍ଗେ ସଙ୍ଗେ ଡଙ୍ଗା ଭିତରକୁ ପାଣି ପଶୁଥାଏ l ସେଇ ଗନ୍ଧିଆ ପାଣିରୁ କେମିତି ଗୋଟାଏ ଗ୍ରୀଜ୍ ଆଉ ପୋଡା ଡିଜେଲର ଗନ୍ଧ ବି ଆସୁଥାଏ l ଅବିଶ୍ରାନ୍ତ ପରିଶ୍ରମ କରିବାକୁ ପଡୁଥାଏ l ଡଙ୍ଗାଟି ବି ବହୁତ ଓଜନିଆ l ତାର ଜଙ୍ଘ ଫାଟିଗଲା ଭଳି ଲାଗୁଥାଏ, ପାଦଟି ବି ବହୁତ ବଥା ହେଉଥାଏ l ତଥାପି ବି ଉକ୍କୋ ଲାଗିପଡି ଡଙ୍ଗାରୁ ପାଣି ବାହାର କରୁଥାଏ l ଜେଟିରେ ତା ଚାରିପଟେ ମାଛଧରା ଡଙ୍ଗାରେ ମାଛୁଆମାନେ ଶୋଇ ରହିଥାନ୍ତି l ମାଛ ଧରିବା କାମ ତ ବନ୍ଦ l ଏତେ ଶିଘ୍ର ଉଠିବା କଣ ଦରକାର ? ସକାଳର କୁକୁଡା ରାବିବା ପର୍ଯ୍ୟନ୍ତ ଭିକ୍କୋ ମାମଲର ଜାହାଜରୁ ମାଲ ଖଲାସ ହେବ ନାହିଁ l କାଠ ସବୁ ପାଣିରେ ପଡିବା ଶବ୍ଦ ବନ୍ଦ ନ ହେବା ଯାଏଁ ଆଖିକୁ କଣ ନିଦ ଆସିବ ? ପାଖଆଖର ଜାହାଜିଆମାନେ ବଛା ବଛା ଶବ୍ଦର ଗାଳି ବର୍ଷଣରେ ଲାଗିଗଲେ l ଭିକ୍କା ମଲମ ବହୁ ବର୍ଷ ବାହାରେ ରହିବା ପରେ ଆସିବାଟା କଣ ଫରକ ପକେଇବ? ତା ପ୍ରତି କାହାର ଟିକେ ସମବେଦନା ବା ଶ୍ରଦ୍ଧା ଭାବ ନ ଥାଏ l କେହି କେହି ମୁହଁ ଖୋର ମାଛୁଆ ଚିରା କମ୍ବଳ ଭିତରୁ ମୁହଁ କାଢି ପାଟି କରୁଥାନ୍ତି l ବଦମାସ୍, ଶଳା,ରାତି ଅଧରେ କାହାକୁ ଶୁଆଇ ଦେଉ ନାହାନ୍ତି l ତୋ ପାଇଁ ତ ରାତି ସାରା ରାଜି ଆଣ୍ଟି ବସି ବଇଁଶୀ ବଜାଉଛି l  ବାହାଁଚୋଦ୍! ତା ବଂଶୀ ବଜେଇବା ବନ୍ଦ କରୁନୁ ? ନହେଲେ ମୁଁ ତତେ ସାବ୍ବାଡ କରୁଛି ଦେଖ l  ଉକ୍କା – ହେ ଉକ୍କା ! ଅଛୁଆଁ ପାଣି, ତୁ ସବୁଦିନେ ସେମିତି ରହିଯିବୁ l ଏତକ କହି ଜଣେ ମାଛୁଆ ଉକ୍କା ଉପରକୁ ଗେଲଟି ଫୋପାଡିଲା l ଉକ୍କାର ଛାତି ପାଖ ଦେଇ ଜଙ୍ଘ ଉପରେ ପଡିଲା l ସୁଆର୍ କା ବଚ୍ଚା l ଆଉ ଜଣେ ମାଛୁଆ ତା ଡଙ୍ଗାରୁ ପାଟି କରି ଉଠିଲା, “ତୁ ରାତି ସାରା ଆମକୁ ଶୁଆଇ ଦେଉନୁ କାହିଁକି ?” ଆମେ ପଛ ଆଡରୁ ଲୁଗା ଖୋଲି ତୋତେ ଦେଖାଇବୁ, ତୁ ଭଲା ଟିକେ ସେ ଚବର ଚବର ଶବ୍ଦ ବନ୍ଦ କର l ଯଦି ତୋ ଆଣ୍ଟି ରାତିରେ ତୋତେ ଘରେ ପୁରେଇ ଦେଉନି, ତୁ ସେ ରାଗ ଡଙ୍ଗା ଉପରେ ସୁଝୁଛୁ କାହିଁକି ? ତୁ କୁଳକୁ ଆସ, ଦେଖିବୁ l ତୋ ମାଆକୁ ସୈତାନ୍ ନେଉ l ଉକ୍କୋ କୁଆଡକୁ ନଜର  ନ ଦେଇ ଡଙ୍ଗାରୁ ସେଇ ସବୁ ଅପରଛନିଆ ପାଣି କାଢିବାରେ ଲାଗିଥାଏ l ତା ମୁଣ୍ଡରେ ଆଉ କିଛି ପଶୁ ନ ଥାଏ l ଭିକ୍କୋ ମଲମ ଏତେ ଦିନ ପରେ ଘରକୁ ଫେରିଛି, ତେଣୁ ସେଇ ଘରକୁ ତାର ଯିବାର ନାହିଁ l ତା ମୁଣ୍ଡରେ ରାଜିର କଥା ଖେଳୁ ଥାଏ l ଦେଖ୍ କୁତ୍ତି କେମିତି କଥା କହୁଛି l ସାତ ସମୁଦ୍ର ପାରି ହୋଇ ମୋ ମଲମ ଘରକୁ ଏତେ ଦିନରେ ଫେରିଛି l ଆବେ ଶଳା ତୋତେ ଯିବା ପାଇଁ କିଏ କହୁଥିଲା ? ଦେଖ୍, ମଲମ ଆଣିଥିବା ପୋଷାକ ପିନ୍ଧି ମନକୁ ମନ ଗୀତ ବୋଲି, ବାଲିବନ୍ତରେ କେମିତି ଘୁରି ବୁଲୁଛି ? ସେ ବଜ୍ଜାତ୍ କେମିତି ଗୋଟାଏ ଯୁଗ ପରେ ଫେରିଛି l ଆଉ ଏ ମାଇକିନିଆ କେମିତି କହିବୁଲୁଛି, ମୋ ମଲମ ପନ୍ଦର ବର୍ଷ ପରେ ଘରକୁ ଫେରିଛି l ଯାଉନୁ ଲୁଗା ଟେକି ତା ପାଖକୁ ….. ହେଲେ ଏ ସବୁ ଶୁଣିବା ପାଇଁ ତା ଆଖ ପାଖରେ କେହି ନ ଥିଲେ l ପାଟିରେ ଦାନ୍ତ କାଠି ଚୋବାଉ ଥାଏ l ଆଉ ଏଣୁ ତେଣୁ କଥା ସବୁ ମନକୁ ମନ କହିବାରେ ଲାଗିଥାଏ l ଆହୁଲାରେ ମଇଳା ପାଣି କାଢି, ସେ ହାଲିଆ ହୋଇଯାଉଥାଏ l ଦେହ ସାରା ବ୍ୟଥା l ଆହୁଲା ଫୋପାଡି ଦେଇ ସେ ସେଇ ଡଙ୍ଗା ଭିତରେ ଶୋଇବାକୁ ଚେଷ୍ଟା କଲା l ଘନ କୁହୁଡିର ଅଭେଦ୍ୟ ସ୍ତର, ପାଣିର ଚବର ଚବର ଶବ୍ଦ ଏକ ବିରକ୍ତିକର ପରିବେଶ ସୃଷ୍ଟି କରୁଥାଏ l  କେହି ଜାଣି ପାରୁ ନ ଥାନ୍ତି, ଏମିତି ବିରକ୍ତିକର ଶବ୍ଦ କିଏ କରୁଛି ? ଉକ୍କାକୁ ଲକ୍ଷ୍ୟ କରି ଅଶ୍ରାବ୍ୟ ଗାଳି ବର୍ଷଣ କରୁଥାଆନ୍ତି l ଶଳା, ବଜ୍ଜାତ୍, ମାଦରଚୋଦକୁ ବାହାରକୁ ଟାଣି ଆଣ l ତା ମୁଣ୍ଡକୁ ଛତୁ କରି ଦିଅ, ପାଜି ପର୍ତ୍ତୁଗୀଜ୍ l କିଏ ତା ପାଇଁ ବାହାରିବ, ଦେଖିବା ? ବନ୍ଦର ଘାଟ ପାଟି ତୁଣ୍ଡ ଶବ୍ଦରେ କମ୍ପୁଥାଏ l ଉକ୍କୋ ହାଲିଆ ହୋଇ ଡଙ୍ଗାରେ ଚିତ୍ ହୋଇ ଶୋଇ ଥାଏ l ଉକ୍କୋ ଏ ସବୁ କୁତ୍ସିତ ଗାଳି ଶୁଣି ବହୁତ ରାଗି ଯାଇଥିଲା l ଉନ୍ମାଦ ଲୋକଙ୍କର ଏ ଭଳି ଗାଳି ଆଉ ସମ୍ଭାଳିବା ତା ସହିବାର ସୀମା ଟପି  ଯାଇଥିଲା l ବଡ ପାଟିରେ ସେ କହିବାର ଶୁଣାଯାଉଥାଏ, “ଚୁପ୍ କର ସବୁ l ଡଙ୍ଗା ଘାଟରେ ଲାଗିଲେ ମୁଁ ତୁମମାନଙ୍କୁ ସବୁ ଦେଖିବି l ଉକ୍କୋ ଘାଟ ସାମ୍ନାରେ କିଏ ଠିଆ ହେବ ? ସାଂକୁଚ ଲାଞ୍ଜର ଚାବୁକରେ ତୁମକୁ ସବୁ ପିଟି ପିଟି ସାବାଡ କରିଦେବି l” ଉକ୍କୋର ନାଁ ଶୁଣି ଜେଟିର ସମସ୍ତେ ଚୁପ୍ ହୋଇଗଲେ l ତା ବୟସ ମାତ୍ର ତିରିଶି l ମାରପିଟ, ଦଙ୍ଗା ହାଙ୍ଗାମାରେ ଧୁରନ୍ଧର l ବହୁତ ରାଗୀ ସ୍ୱଭାବ l କାହାରିକୁ ଛାଡିବା ତା ଜାତକରେ ନାହିଁ l ଟିକେ ଟିକେ କଥାରେ ମାରଧର, ହାତା ହାତି l ତା ଆଗରେ ଠିଆ ହେବାକୁ କେହି ସାହସ କରନ୍ତି ନାହିଁ l ସମସ୍ତେ ତାକୁ ଘୃଣା କରନ୍ତି l ଗଧ, ବଜ୍ଜାତ୍ ବୋଲି କଥା କଥାକେ କୁହନ୍ତି l ରାଜି ବି ସେହି ଭଳି ଉଦ୍ଧତ l ମଛୁଆରା ଏ କଥା ପଛରେ କୁହନ୍ତି, “ଶଳା, ଗନ୍ଧିଆ ପାଣି” l ଘୃଣାରେ ନାକ ଟେକନ୍ତି l ତା ମୁହଁ ସାରା ବସନ୍ତ ଦାଗ, ଗୋଟେ ଆକ୍ଷି ଟିକେ ଛୋଟ, ବଳିଷ୍ଠ, କଳା ମଚମଚ ଦେହ, ଜାହାଜ ଭଳି ତାର ଚେହେରା l କାହାରିକୁ ଖାତିର ନ ଥାଏ, ଗୋଟାପଣେ ବେଖାତିର l କିନ୍ତୁ ରାଜି ପାଖରେ ସେ ନରମ, କିଛି କହି ପାରେନା ତାକୁ l ଏହି ବଦରାଗୀ ପଣ ଯୋଗୁଁ ଗାଁରେ ହେଉ କି ଜେଟିରେ ହେଉ ସଦାବେଳେ ମାରପିଟ ଓ ଗଣ୍ଡଗୋଳର ସେ କେନ୍ଦ୍ର ବିନ୍ଦୁ l ଅତି ନିଷ୍ଠୁର ଭାବରେ ମାରଧର କରେ ସେ l ବେଳେବେଳେ ମାରଧର କରି ମାଛୁଆଙ୍କ ଘରର ବୋହୁ ଓ ଝିଅମାନଙ୍କୁ ଚାବୁକରେ ପିଟିପକାଏ, ଆଉ କହେ, “ଏ ସୁଆର ବଚାକୁ କାହିଁକି ମୋ ସାଙ୍ଗରେ ଲଢେଇ ଝଗଡା କରିବାକୁ ଛାଡୁଛ ?” ଦିନସାରା ଗାଁରେ ଗଣ୍ଡଗୋଳ ଲାଗି ରୁହେ l ଝଗଡା ଲାଗୁଥିବା ଲୋକଙ୍କର ପ୍ରାଣରେ ଭୟ ତାକୁ l ବେଳେବେଳେ ଥାନାକୁ ଯିବାକୁ ପଡେ l ହେଲେ ଯେତେ ମାଡ ଖାଇଲେ ବି ତାର କିଛି ହୁଏ ନାହିଁ , ସବୁ ଦେହସୁହା l ତାକୁ ସମସ୍ତେ ଘମଟ ବା ମଇଳା ପାଣି ନାଁରେ ଡାକନ୍ତି l ତା ଡଙ୍ଗାରେ ଏହି ଝରା ମଇଳା ପାଣି ଜମି ରହେ ଓ ମାଛ ଧରାରେ ବାଧକ ସାଜେ l ମାଛଧରା ଛାଡି ସେ ଜେଟିକୁ ଜଲଦି ଫେରି ଆସେ l ଏସବୁ ବ୍ୟତୀତ ଚୋରିରେ ସେ ପୁରା ଓସ୍ତାଦ୍ l  ହେଲେ ଡଙ୍ଗାମାଲିକମାନେ ତାକୁ କିଛି କୁହନ୍ତି ନାହିଁ l ସେ ଡଙ୍ଗା ବୋଝେଇ କରି ମାଛ ଧରେ l

ଉକ୍କୋ ପରିଚୟହୀନ l ତା ବାପା ମା କିଏ, ତାର ଠିକଣା ନାହିଁ l ବତୀଘର ଥିବା ଗାଁକୁ ସିଏ ପର୍ତ୍ତୁଗୀଜମାନଙ୍କ ଆକ୍ରମଣ ସମୟରେ ଆସିଥିଲା l ଲୋକମାନେ ରାତିରେ ଟ୍ରକରେ କିମ୍ବା ଅନ୍ୟ ଗାଡିରେ ପଳେଇଗଲା ବେଳେ ସେ ରହି ଯାଇଥିଲା l ଗାଁ ସାରା ଶୁନଶାନ୍ l ପାଖ ଆଖରେ କେହି କେଉଁଠି ନ ଥାନ୍ତି l ଘର ପଛ ପାଖ ଫଳ ବଗିଚା ଖାଁ ଖାଁ l ଟ୍ରକ୍ ଡ୍ରାଇଭର୍ ତାକୁ ସାଙ୍ଗରେ ନବା ପାଇଁ ମନା କରାଦେବାରୁ ସେ ରାଜି ଆଣ୍ଟିର ବଗିଚା ଘରର ପଛ ପଟେ ଆଶ୍ରୟ ନେଲା l  ବଗିଚା ଘରେ ବହୁତ ଗାଇ ଆଉ କୁକୁଡା ଥିଲେ l ରାଜି ଆଣ୍ଟି କବାଟରେ ତାଲା ପକେଇ ପଳେଇ ଯିବା ପରେ, ସେ ବଗିଚା ଘର ବାହାରେ ରହିଥିଲା l ତାକୁ ଛାଡି ରାଜି ଆଣ୍ଟି ପର୍ତ୍ତୁଗୀଜ୍ ଆକ୍ରମଣରୁ ବଞ୍ଚିବା ପାଇଁ ପଳେଇଥିଲା l ଯୁଦ୍ଧର ସମୟ l ଗୁଳି ଗୋଳା, ମୁଣ୍ଡ ଉପରେ ଯୁଦ୍ଧ ଜାହାଜ, ଆଉ ମାଟିରେ ମିଲିଟାରୀ ଗାର୍ଡ୍ ପଇନ୍ତରା ମାରୁଥିବା ସମୟ ସିଏ l ହଠାତ୍ ଦିନେ ଯୁଦ୍ଧ ବନ୍ଦ ହୋଇଗଲା l ଦୁଇ ତିନି ଦିନ ପରେ ରାଜି ଆଣ୍ଟି ତା ଘରକୁ ଫେରିଲା l ସିଏ ଘର ଛାଡି ଚାଲିଯିବା ବେଳେ କୁକୁଡା ଆଉ ଦୁଧିଆଳି ଗାଇ ସବୁ ଉକ୍କୋ ଦାୟିତ୍ୱରେ ଥିଲେ l ତାକୁ ସେତେବେଳେ ମାତ୍ର ପନ୍ଦର ବର୍ଷ l ବହୁତ ଦୁର୍ବଳ ଗଢଣ l ରାଜ୍ଜି ତା କାମ ଦାମରେ ଖୁସି ହୋଇ ପାଖରେ ଆଶ୍ରୟ ଦେଲା l ପିଲାଦିନୁ ସେ ବଦମାସ୍ l ଗାଁର ସମସ୍ତଙ୍କ ସାଙ୍ଗରେ ଝଗଡା, ମାରପିଟ୍ କରେ l କିନ୍ତୁ ଏଇ ରାଜି ଆଣ୍ଟି ପାଖରେ ସେ ନରମ l ପୁରା ଆଜ୍ଞାଧିନ l ପୃଥିବୀରେ କେବଳ ରାଜି ଆଣ୍ଟିକୁ ସେ ମାନେ, ଭଲ ପାଏ l ରାଜି ଆଣ୍ଟିକୁ ଚାହିଁବାକୁ ତାକୁ ଖୁବ୍ ଭଲ ଲାଗେ l କେତେ ସୁନ୍ଦର ଏଇ ମାଇକିନିଆ l ତାର ଚାଲି ଯେମିତି ଗୋଟାଏ ହଂସ l ଉକ୍କୋର ମାଆ ବାପା କିଏ ସେ ଜାଣେ ନାହିଁ l ‘ଡିଉ’ର ଫଳ ବଗିଚାରେ ସେ ରହୁଥାଏ l ଫାର୍ମରୁ ବେଳେ ବେଳେ ସିଏ ଚୋରି କରେ l ଲୋକଙ୍କ ଛେଳି, କୁକୁଡା ଚୋରେଇ ବଜାରରେ ବିକ୍ରି କରେ l ଯେତେବେଳେ ପାଖରେ କିଛି ପଇସା ହେଇଯାଏ, ସେ ଆରାମ୍ କରେ l ଗଛରେ ଚଢି ନୀରା ଆଉ ତାଡି ହାଣ୍ଡି ବାନ୍ଧେ l ଆଉ ଗାଁରେ ସେ ପାନୀୟ ବିକ୍ରି କରେ l ଯାହା ରୋଜଗାର, ସେଥିରେ ଦୁଇ ବେଳା ଖାଇବା ପାଇଁ କିଛି ଅସୁବିଧା ହୁଏ ନାହିଁ l ଗୋଟେ ମଇଳା କମ୍ବଳ ଘୋଡି ହୋଇ, ଜାକି ଜୁକି ହୋଇ ଶୋଇବା ତାର ଅଭ୍ୟାସ l ଜଣାପଡେ ଯେମିତି ତାର କିଛି ଅସ୍ତିତ୍ତ୍ୱ ନାହିଁ l ରାଜି ଆଣ୍ଟି ତାର ଯତ୍ନ ନିଏ l ଫାର୍ମ୍ ହେଉ କି ଡଙ୍ଗା ହେଉ, ସବୁଠି ଗୋଟାଏ କାଠ ଗଡ ଭଳି ଅସାଡ ହୋଇ ଶୋଇଯାଏ l କିନ୍ତୁ ଆଶ୍ଚର୍ଯ୍ୟଜନକ ଭାବେ ପରିଶ୍ରମୀ l ଗଧ ଭଳି ଖଟି ପାରେ l ରାଜି ଆଣ୍ଟି ସବୁ ଦିନେ ତା ପାଇଁ ବାଜରା ରୋଟି ସେକେ l ରୋଟି ସାଙ୍ଗରେ ଗୁଡ, ଘିଅ କିମ୍ବା ତେଲ ଦେଇ ଖାଇବାଟା ତାର ବହୁ ପସନ୍ଦ l ରାଜି ଆଣ୍ଟି ମଧୁର ଭାବରେ ତାକୁ ଆକଟ କରେ l କୁହେ –“ଗାଁ ବାଲା ଯାହା କୁହନ୍ତୁ, ଯାହା କରନ୍ତୁ”, ତୁ ସେଥିପାଇଁ ଚିନ୍ତା କରନା l ତୁ କଣ ଏ ଗାଁର ଜଣେ ପଟେଲ୍ ନୁହଁକି ? ବଳେଇ ବଳେଇ ପାଖରେ ବସି ଖାଇବାକୁ ଦେବା ବେଳେ ସ୍ନେହ ମିଶା ସ୍ୱରରେ ଏମିତି କଥା ସବୁ କହେ l

 ସକାଳ କେତେବେଳୁ ହେଲାଣି l ଏବେ ତାକୁ ବହୁତ ଭୋକ l ଡଙ୍ଗାକୁ କୂଳରେ ଲଗାଇ  ସେ  ଓହ୍ଲାଇଲା l ଘନ କୁହୁଡି ଉପରେ ରାଗି ଘର ପାଖେ ପହଞ୍ଚିଲା l ଘର ପାଖାପାଖି ଜଳ ଜାତୀୟ ଗୁଳ୍ମ l କୁକୁଡାମାନେ ଦାନା ଖୋଜିବାରେ ବ୍ୟସ୍ତ l ଜଙ୍ଗଲି ଚଢେଇଙ୍କ ବିଭିନ୍ନ ସ୍ୱର l ଜଙ୍ଗଲ ଓ ତାଳ ଗଛରୁ ଦଳେ ଡାମରା କାଉ ସମୁଦ୍ର ତଟରେ ବସିଛନ୍ତି l ରାଜି ଆଣ୍ଟିର ଘର ଚୁପଚାପ୍ ଓ ଗମ୍ଭୀର ଲାଗୁଛି l ଝରକା ସବୁ ବନ୍ଦ l ରାଜି ଆଣ୍ଟି ପୁରା ରାତି ଅନିଦ୍ରା l ଭିକ୍କୋ ମଲମର ଜାହାଜରୁ ମାଲ ରାତି ସାରା ଖଲାସ ହେବାରେ ଲାଗିଛି l ରାଜି ଆଣ୍ଟି ଲଣ୍ଠନ ଆଲୁଅରେ ସେ ସବୁ ଦେଖୁ ଦେଖୁ ରାତି ପାହି ଯାଇଛି l ସେ ଜମ୍ମା ଅନିଦ୍ରା ରହିପାରେ ନାହିଁ l ସକାଳୁ କୁକୁଡା ରାବିବା ବେଳକୁ ଭିକ୍କୋ ମଲମ ଖଲାସ କାମ ସାରି, ଗାଧୁଆ ପାଧୁଆ ସାରି ବିଶ୍ରାମ ନେଉଛି l ପୁରା ନିଦରେ ସେ ଅଚେତନ l ରାଜି ଆଣ୍ଟି ପାଗଳିଙ୍କ ଭଳି ଖୁସିରେ ରାତି ସାରା ଉଜାଗର l ଆନନ୍ଦର ଆତିଶଯ୍ୟରେ ସିଏ ବି ଢୁଳେଇ ପଡିଛି l ନ ହେଲେ ସିଏ ଉକ୍କୋ ପାଇଁ ଚୁଲ୍ଲି ଲଗେଇ ବାଜରା ରୋଟି କରି ସାରନ୍ତାଣି l ଖୁସିରେ ସେମାନଙ୍କର ସକାଳ ବେଳା କଟେ l ଦିନ ଟିକିଏ ଅଧିକ ହେଲେ ଚା ପିଇବାର ସମୟ l  ଦୁଆର ବନ୍ଧ ବନ୍ଦ ଥିବା ଦେଖି ଉକ୍କୋର ରାଗ ପଞ୍ଚମରେ l ବଜ୍ଜାତ୍ କଣ ରାଜି ଆଣ୍ଟିକି ଧରି ସକାଳୁ ସକାଳୁ ଶୋଇ ପଡିଛି ? ଆସୁ ଆସୁ ……. ରାଗରେ ତା ଆଗରେ ଦାନା ଖୁଣ୍ଟୁଥିବା କୁକୁଡାଟାକୁ ଗୋଟାଏ ଗୋଇଠା ମାରିଲା ଯେ ସେ ଖଣ୍ଡେ ଦୂରରେ ଛିଟିକି ପଡିଲା l ପୁରୁଣା ସାଗ ଗଛରୁ ଡାଳ ଖଣ୍ଡେ ଭାଙ୍ଗିଲା l ତାର ମନେ ପଡିଲା, ଅନେକ ଦିନ ତଳେ ଯେତେବେଳେ ସେ ରାଜି ଆଣ୍ଟିର ଘରେ ଗୋଡ ଥାପିଥିଲା, ତା ଘରର ଜଣେ ମଣିଷ ହୋଇଥିଲା, ସେ ଦିନ ରାଜି ଆଣ୍ଟି ସେ ଗଛଟାକୁ ଲଗେଇଥିଲା l ସେ ବହୁତ ବର୍ଷ ତଳର କଥା l ସେଇ ଭଙ୍ଗା ଡାଳରେ ସାମ୍ନାରେ ଥିବା ଗୋଟାଏ କଣ୍ଟା ଗଛକୁ ଜୋରରେ ପିଟିଲା l ଗଛ ଭର୍ତ୍ତି କାକରରେ ସେ ପୁରା ତିନ୍ତି ଗଲା l ତାପରେ ବଗିଚାରେ ଗୋଡ ରଖିଲା l  ତାଡି ଠେକି ସବୁ କାଲି ସନ୍ଧ୍ୟାରୁ ସେମିତି ଝୁଲି ରହିଛନ୍ତି l ତଳକୁ ଓହ୍ଲା ହୋଇ ନାହାନ୍ତି l ରାଜି ଆଣ୍ଟି ଆଉ ଭିକ୍କୋ ବନ୍ଦ ଘର ଭିତରେ କଣ କରୁଥିବେ, ଏ କଥା ତା ମନକୁ ଆସିବା ବେଳକୁ ଛାତି ଭିତରେ କେମିତି ଗୋଟେ ଲାଗିଲା ତାକୁ l ବେଳେ ବେଳେ ସେ ରାଜି ଆଣ୍ଟି ସହ ଦୁଷ୍ଟାମୀ କରେ l  ରାଜି ଆଣ୍ଟିବି ତା ସହ ଥଟ୍ଟା, ମଜା କରେ, କାନ୍ଦିବାକୁ ଲାଗେ l ରାଜି ଆଣ୍ଟି ତାର ରାଣୀ ଭଳି l  କାନ୍ଦୁଣୁମାନ୍ଦୁଣୁ ହୋଇ କହେ ମୋ ଜାହାଜିଆ ଫେରୁଥିବ l ବହୁଦିନ ହେଲା ନ ଖାଇ ଭୋକିଲା ହୋଇ ପଡିଥିବ l ଏମିତି କହି ସିଏ ଲମ୍ବ କାଠ ଖଟରେ ଶୋଇ କାନ୍ଦିବ l

ରାଜି ଆଣ୍ଟିର ଫାର୍ମର ଜମି ପାଞ୍ଚ ବିଘା l ବହୁତ ବଡ l ବର୍ଷ ସାରା ପନିପରିବା ଫଳେ l ତାର ଗୁହାଳରେ ବହୁତ ଗାଇ l ସମୁଦ୍ର କୂଳ ଉର୍ବର ଜମିରେ ପ୍ରଚୁର ବାଜରା ଆଉ ଜଓ୍ୱାର ଅମଳ ହୁଏ l  ତା ବ୍ୟତୀତ ସ୍ଥାନୀୟ ଲଙ୍କା ବି ବହୁତ ଫଳେ l ରାଜି ଆଣ୍ଟିକୁ ବେପାରୀ ଖୋଜିବା ଦରକାର ପଡେ ନାହିଁ l ପାଖ ଗାଁର ସ୍ତ୍ରୀଲୋକମାନେ ସେ ସବୁ କିଣି ନିଅନ୍ତି l ଏମିତିରେ ଭଲ ଦି ପଇସା ମିଳେ l ତା ବ୍ୟତୀତ ଖଜୁରୀ ଓ ତାଳ ଗଛରେ ଭରପୁର ତା ଫାର୍ମ୍ l ତାଳ ତାଡିରୁ ରାଜି ଆଣ୍ଟି ଭିନେଗାର୍ ପ୍ରସ୍ତୁତ କରେ l ସେ ସବୁକୁ ଉକ୍କୋ କୋଡିନାର୍, ଚିଖିଲି-କାଦ ଆଉ ନାନାଓ୍ୱାଡା ପର୍ଯ୍ୟନ୍ତ ନେଇ ବିକ୍ରି କରେ l ଉକ୍କୋ ହେଲା ରାଜି ଆଣ୍ଟିର ସମୁଦ୍ର ଦେବତା l ତାରି ପାଇଁ ରାଜି ଆଣ୍ଟିର ବଗିଚା ପନିପରିବା, ଫଳ ଭର୍ତ୍ତି, ପ୍ରଚୁର ମାଛ ବି ଧରା ପଡନ୍ତି l ରାଜି ଆଣ୍ଟି ଏବେ ଆଉ ଏକଲା ନୁହେଁ l

ରାଜି ଆଣ୍ଟି ତା ଖଟ ଉପରେ ଆରାମ କରେ l ଘରର ସବୁ କାମ ସାରି ଦେଉଥାଏ l ଏତେ ବଡ ଘର, ବଡ ଫଳ , ପନିପରିବା ବଗିଚା ସବୁ l  ତା ଭିତରେ ତାକୁ ବେଳେବେଳେ ଏକୁଟିଆ, ଉଦାସ ଲାଗେ l ଉକ୍କୋ ଆସିବା ପରେ ତା ସ୍ୱାମୀ କଥା ମନକୁ ଆସେନା l ତା ବାଟକୁ ଚାହିଁ ଆଉ ବସି ରହେନା l ଲଙ୍କା ବଗିଚାରେ ପାଣି ମଡେଇବାକୁ ପଡିବ l ଦିନ ସାରା ସାରା ପଡିଛି l ଏବେ ତ ସକାଳ l ଉକ୍କୋ ତା କାମରେ ହୁସିଆର l ସମୟ ଅନୁସାରେ ସବୁ କାମ କରିଯାଏ l ତାଳ ଗଛରୁ ତାଡି ଓରା ଓହ୍ଲାଇବାକୁ ପଡେ l ଖାକି ପ୍ୟାଣ୍ଟ୍ ପିନ୍ଧି ସେ ଦୁଇ ଜଙ୍ଘରେ ଖେପ୍ପା ମାରି ଗଛରେ ଚଢେ l ଜଙ୍ଘରେ ଯନ୍ତ୍ରଣା ବଢେ l ତାଡିର ଠେକି ସବୁ ଗଛ ମୂଳେ ସଜେଇକି ରଖେ l  ରାଜି ଆଣ୍ଟି ସେଇ ଚିରାଚରିତ  କଥା ସବୁ ବାହୁନି ବସେ l “ମୋ ଭିକ୍କୋ କଣ କରୁଥିବ”? ଉକ୍କୋ ଗଛରୁ ତାଡି ଟେକି ତଳକୁ ଆଣିବା ପରେ, ରାଜି ସେ ସବୁକୁ ଗଛରେ ଟଙ୍ଗା ହୋଇଥିବା ଶିକାରେ ବଡ ବଡ ଜାଗାରେ ଢାଳି ଦିଏ l ଉକ୍କୋ ସେ ସବୁକୁ ଯତ୍ନରେ ମୁଣ୍ଡ ଉପରକୁ ଉଠେଇ ଘର ଭିତରକୁ ନେଇ ଆସେ l

ଉକ୍କୋ ଘରକୁ ଆସିବା ବେଳେ ରାଜି ଆଣ୍ଟି ଘରେ ନ ଥିଲା l ଭିକ୍କୋ ଗାଧୁଆ ପାଧୁଆ ସାରି ସଜବାଜ ହୋଇ ଖଟ ଉପରେ ବସି ‘ସୀରା’ ଚୋବେଇବାରେ ଲାଗିଥାଏ l  ଘର ଭିତରେ ପଶୁ ପଶୁ ଉକ୍କୋ ବଡ ପାଟିରେ ଡାକ ପକେଇଲା ରାଜି ଆଣ୍ଟି ଘରେ ନାହିଁ କି ? ଭିକ୍କୋ ଗୋଟାଏ ଆକ୍ଷି ବନ୍ଦ କରି ବିଦ୍ରୁପ ଭଙ୍ଗୀରେ ତାକୁ ଅନେଇଲା l ମୁଣ୍ଡ ଉପରୁ ଏକୁଟିଆ କାହାର ବିନା ସାହାଯ୍ୟରେ ତାଡି ଭାର ଓହ୍ଲାଇବା ଭାରି କଷ୍ଟ l “ଦେଖ୍” ତାଡି ଅଜାଡି ହୋଇଯିବ l ମନେ ହେଉଛି ଡଙ୍ଗାର ଝରା ପାଣି ଭଳି ରାତି ସାରା ତାଳ ତାଡି ବୋହୁଛି l ତୁ କଣ ଜାଣିନୁ, ତାଳ ରସ ଖଟା ହୋଇଯିବ ? ତାଡି ବିନା ଅନ୍ୟ କିଛି କାମ ତୋର ନାହିଁ l “ତା ବୋପାର ତାଳ ଗଛ ସବୁ”l ଏ ସବୁ ଛାଡି ତୁ ଡଙ୍ଗା ପାଖକୁ ଯାଆ ପଳା l ଏଠି ତୋର କିଛି କାମ ନାହିଁ l ଭିକ୍କୋକୁ କୃ୍ଦ୍ଧିତ ଦୃଷ୍ଟି ପକେଇ ଉକ୍କୋ ତାଡି ଠେକି ସବୁ ଘରେ ରଖିଲା l ସେଇ ଘରେ ଆଗରୁ କିଛି ମହୁଲି ମଦ ଥିଲା l ହାଡ ଭଙ୍ଗା ଖଟଣୀ ସାରି ଉକ୍କୋ ଘରକୁ ଫେରିବା ବେଳେ ରାଜି ଆଣ୍ଟି ସ୍ନେହରେ ତାକୁ ପାଖରେ ବସେଇ ମହୁଲି ପିଇବାକୁ ଦିଏ l “ଏତେ ଖଟି ଖଟି ଆସିଛୁ l ଏଥିରୁ ଟିକେ ପିଇଲେ ତୋ ମଜରା କଟି ଯିବ”l ମହୁଲି ବୋତଲ ଦୁଇଟା ଧରି ଉକ୍କୋ ସେ ଘରୁ ବାହାରି ଆସିଲା l

ଗୋଟିଏ ହାତରେ ତାଡି ଭାଣ୍ଡ ଏବଂ ଅନ୍ୟ ହାତରେ ଛୋଟ ଛୋଟ ମଦ ଓରା ଧରି ବାହାରିବା ସମୟରେ ଭିକ୍କୋ ବଡ ପାଟିରେ ବଡ ଖରାପ ଭାଷାରେ ଗାଳି କରିବା ଆରମ୍ଭ କରି କହିବାକୁ ଲାଗିଲା “ସୁଅରକା ବଚ୍ଚା ! ତାକୁ ସବୁ ଧରି କୁଆଡେ ଚାଲିଲୁ?”ଉକ୍କୋ ଟିକେ ରହିଯାଇ ଭିକ୍କୋକୁ ଆକ୍ଷି ତାଡି ଅନେଇବାରୁ, ଭିକ୍କୋ ହଡବଡେଇଗଲା l ଉକ୍କୋ ବାହାରକୁ ଆସିଲା l ଘରକୁ ବେଢି କଣ୍ଟା  ବୁଦାର ବାଡ l  ଗୋଡରେ ଗୋଇଠା ମାରି ସେ ବାଡ ଖୋଲିଲା l ଭିକ୍କୋ ପୁଣି ବଡ ପାଟିରେ କହିବାର ଶୁଣା ଯାଉଥିଲା l ନିଲ୍ଲଜ କୋଉଠିକାର , କଞ୍ଚା ବଜ୍ଜାତ୍ l ବାଲିବନ୍ତ ଉପରୁ କିଛି ପରିବା ଓ ମଦ ପାତ୍ର ଧରି ସେ ରାଜି ଆଣ୍ଟିର ବଖରା ପାଖେ ପହଞ୍ଚି ଦେଖିଲା ରାଜ୍ଜି ଘରେ ଅଛି l ରାଜ୍ଜି ଘରେ ବସୁ ବସୁ ତାକୁ ଦେଖି ସେ ଆଶ୍ଚର୍ଯ୍ୟ ହୋଇଗଲା l  ରାଜ୍ଜି ସାଟିନର ନୂଆ ଘାଗରା ଆଉ ଛୋଟ ଚୋଲି ପିନ୍ଧିଥାଏ l  ପୁରା ଚିପା ପୋଷାକ l  ଗାଧୋଇ ସାରି, ମୁଣ୍ଡ ବାଳ ସଫା କରି ଖୋଲା ଛାଡି ଦେଇଥାଏ l  ହାତରେ ଗୋଟିଏ ଥାଳିରେ ସେରୋ ଭର୍ତ୍ତି l ଉକ୍କୋକୁ ଦେଖି ନ ଦେଖିଲା ଭଳି ତାର ମନୋଭାବ l ଯେମିତି ତାକୁ ଜାଣିନି l ଆକାଶରୁ ଖସି ପଡିଲା ଭଳି ଲାଗୁଥାଏ ଉକ୍କୋକୁ l

ଭିକ୍କୋ ପାଖରେ ପହଞ୍ଚି ରାଜ୍ଜି କହିବାରେ ଲାଗିଥାଏ, ‘ଗୋଟିଏ ବଡ ଲୋକ ଭଳି ଫେରି ଆସିଲୁ ତ, ଏତିକି ସେରୋ ଖାଇ ପାରୁନୁ l’ ଭିକ୍କୋର ଥାଳି ଉପରେ ସବୁତକ ସେରୋ ଅଜାଡି ଦେଲା ରାଜ୍ଜି l ଉକ୍କୋ ଭଳିଆ ପିଲାଟା ଏତିକି ସହଜରେ ହଜମ କରିଦେବ l ଏତେ ବଡ ଲୋକ ହେଲେବି, ଦେହର ଯତ୍ନ ନେବା ଦରକାର l ତା ଓଠରେ ମଧୁର ହସର ଝଲକ l ରାଜ୍ଜିକୁ ତା ଘର ଭିତରୁ ଦେଖୁଥାଏ ଉକ୍କୋ l ଭିକ୍କୋ ତିକ୍ତ କଣ୍ଠରେ କହୁଥାଏ, ଗୋଟାଏ ମର୍ଦ୍ଦ ହେଲାଣି ବଜ୍ଜାତ୍ l ଆଉ କଣ ଛୋଟ ପିଲା ହେଇକି ଅଛି ? ରାଜ୍ଜି ହସୁଥାଏ, ଆଉ ଉକ୍କୋ ତା ଘର ଭିତରୁ ଏଇ ଦୃଶ୍ୟ ଦେଖୁଥାଏ l ତାକୁ ଅନେଇ ରାଜ୍ଜି  ଡାକ ଛାଡିଲା “ଏଠିକୁ ଆ”l ତୁ ଦୁଇଟା ତାଡି ହାଣ୍ଡି କାହିଁକି ଆଣିଲୁ ? ଗୋଟାକରେ ତ କାମ ଚଳିଥାନ୍ତା l

ଏବେ ତ ମୋର ଜାହାଜିଆ ଫେରିଛି l ପଛରେ ଆର ତାଡି ହାଣ୍ଡି କାମରେ ଲାଗିଥାଆନ୍ତା l ବଡ ତମ୍ବା ଥାଳିରେ ଭର୍ତ୍ତି ଶୁଖିଲା ଫଳ, ଭିକ୍କୋ ଶେଯ ଉପରେ ଥୁଆ ହୋଇଥାଏ l ଥାଳି ସାରା କାଜୁ, ପେସ୍ତା, ଖଜୁରୀ ଆଉ ଅଖ୍ରୋଟ୍ l ସକାଳୁ ପଡିଶା ଘରମାନଙ୍କରେ ବୁଲି ବୁଲି ବାଣ୍ଟିବାରେ ରାଜ୍ଜି ବ୍ୟସ୍ତ l ଥାଳି ଧରି ତରବରରେ ବାହାରିଲା ରାଜ୍ଜି l  ଥାଳି ସବୁକୁ ନିଜ ପିନ୍ଧା ଲୁଗାରେ  ଘୋଡେଇ  ଧରିଥାଏ ସେ l ହେ ଉକ୍କୋ! ତୋ ପାଇଁ ଥାଳିରେ ସେରୋ ଅଛି l ତରବରରେ ବାହାରି ଗଲା ବେଳେ ତାର ପିନ୍ଧା ଘାଗରା ଆଉ ଚୋଲି ପବନରେ ଉଡୁଥାଏ l  ରାଜ୍ଜିର  ଆଜିର ବେଶ ପରିପାଟୀରେ ପୁରା ତାଜ୍ଜୁବ୍ ଉକ୍କୋ l ମନେମନେ ବହୁତ ରାଗି ଯାଇଥାଏ ସେ l ବଗିଚା ପଛ ଦେଇ ସେ ବାହାରକୁ ଚାଲି ଆସିଲା l ଆସିବା ବେଳେ ପଛରେ ଭିକ୍କୋର ଗଳା ଖଙ୍କାର ଶବ୍ଦ ତାର ବାଦ୍ ଯାଇ ନ ଥିଲା l ସମୁଦ୍ର ତଟକୁ ସେ ବାହାରି ଆସିଲା l ଗୋଟାଏ ରାବଣ ତାଡିଆ ତାଳ ଗଛ ମୂଳେ ବାଲିରେ ସେ ଶୋଇ ପଡିଲା l ବୋଧହୁଏ ମାଇକିନିଆ ଆଜି ପାଗଳୀ ହୋଇଯାଇଛି l  ଜାହାଜିଆ ଫେରି ଆସିଲା ତ କଣ ହେଇଗଲା ସେଇଠୁ ? ସେ କଣ ଗୋଟାଏ ପର୍ତ୍ତୁଗୀଜ୍ ନା ପୋଲିସ୍ କନେଷ୍ଟବଳ ? ତା ସ୍ୱର ବାଷ୍ପରୁଦ୍ଧ ହେବା ଭଳି ମନେ ହେଉଥାଏ l  ମହୁଲି ମଦ ଖୋଲି ପିଇବାରେ ଲାଗିଲା l ସକାଳୁ ସକାଳୁ ତାଡି ପିଇବା ତାର ଆରମ୍ଭ ହୋଇଯାଇଥାଏ l କିନ୍ତୁ ପେଟର ଭୋକ କମି ନ ଥାଏ l ରାଜ୍ଜି ଭିକ୍କୋକୁ ସିରା ଖୁଆଇଦେବାର ଦୃଶ୍ୟ ସେ ଭୁଲି ପାରୁ ନ ଥାଏ ମୋଟେ l

ରାଜି ଆଣ୍ଟିକୁ ସେ ପନ୍ଦର ବର୍ଷ ବେଳୁ ହିଁ ଜାଣେ l ତାର ଆତ୍ମିୟତା , ରାଜିର ତା ପ୍ରତି ଧ୍ୟାନ ସେଇ ବେଳଠୁଁ l ଗଛରୁ ମଦ ଓହ୍ଲାଇବା ତାର କାମ l ମାଙ୍କଡ ଭଳି ସେ ଗଛ ସବୁରୁ ତାଡି ହାଣ୍ଡି ଓହ୍ଲାଉଥିଲା l ହାଲିଆ ହୋଇ ପଡିଲେ ରାଜି ଆଣ୍ଟି ସିରାରେ ଘିଅ ମିଶେଇ ସକାଳୁ ଖାଇବା ପ୍ରସ୍ତୁତ କରେ l ସେ କାମ ବ୍ୟସ୍ତ ଥିବା ବେଳେ ରାଜି ଆଣ୍ଟି ଡାକ ଛାଡେ, ଉକ୍କୋ ! ଟିକେ ସିରା ଖାଇଦେଇ ଯାଆ l ସେ ପ୍ରତ୍ତ୍ୟୁତ୍ତର ଦିଏ, ଆଉ ପାଞ୍ଚଟା ଗଛରୁ ତାଡି ଓହ୍ଲାଇବା ବାକି ଅଛି l ସେତିକି କାମ ସରିଲେ ମୁଁ ଖାଇବି l କାମ ଡେରି ହୁଏ l ରାଜି ତାକୁ ରୋଷେଇ ଘରେ ଅପେକ୍ଷା କରି ରୁହେ l ଛୋଟ ପିଲାଟା l ଗୋଟେ ମରଦ ଭଳି କାମ କରୁଛି l ଟିକେ ଅଧିକ ନ ଖାଇଲେ ବଳ ଆସିବ କେଉଁଠୁ ? ଏତିକି କହୁ କହୁ ଉକ୍କୋ ଘର ଭିତରକୁ ତାଡି ହାଣ୍ଡି ଧରି ପଶି ଆସିବା ବେଳେ ତା ହାତକୁ ମୁଠେଇ ଧରି, ଜବରଦସ୍ତି ପାଖରେ ବସି ଖୁଆଇବl ନିଜେ ଚୁଲି ପାଖରେ ବସି, ଉକ୍କୋକୁ ତା ଖଟ ଉପରେ ବସାଇ, ବଳେଇ ବଳେଇ ଖୁଆଇବା ଅଭ୍ୟାସ ହୋଇଯାଇଥିଲା l  ତା ଖାଇବା ଥାଳିରେ ଅଧିକ ଘିଅ ଢାଳିବ l ଏବେ ଫେର୍ ରାଜିକୁ ଦେଖ l କହୁଛି କଣ ନା, ତୋ ଇଛା ହେଲେ ଥାଳିରୁ ଆଣି ଖାଇବୁ l  ମୁଁ କଣ କୁକୁର ନା ବିଲେଇ ? ଏଠି ଆଉ ରହିବାର ନାହିଁ l ଅଭିମାନ ଆଉ ଘୃଣାରେ ଛେପ ଫିଙ୍ଗିଲା l ଉକ୍କୋ ଉଠି ଠିଆ ହେଲା l ଶୁଖିଲା ଡାଳ ପତ୍ର ଏକାଠି କରି ନିଆଁ ଧରେଇଲା l  ତଥାପି ବି କୁହୁଡି ଘୋଟି ରହିଥାଏ l କମିବାର ସୂଚନା ନ ଥାଏ l ସୂର୍ଯ୍ୟ ମୁଣ୍ଡ ଉପରକୁ ଉଠିଲେଣି l କୁହୁଡି ପାଇଁ ଥଣ୍ଡା l ସୂର୍ଯ୍ୟ ପରିଷ୍କାର ଭାବେ ଦୃଶ୍ୟ ହେଉନାହାନ୍ତି  l  

ଉକ୍କୋ ମନେମନେ ଭାବୁଥାଏ, ମୋତେ ଡଙ୍ଗା ଦବାକୁ କାହିଁକି ମନା କରୁଛି ? ଦି ଦିଇଟା ମହୁଲି ମଦ କାହିଁକି ରଖିଲା ? ଏତେ ସବୁ ଜାହାଜ କଣ କରିବ ? ଏଇଭଳି ପ୍ରଶ୍ନ ତା ମନ ଭିତରେ ଆସୁଥାଏ, କିଛି କୂଳ କିନାରା ପାଉ ନ ଥାଏ l ଶଳା ଜାଣିନି, ସେଇ ଭଳିଆ ଦୁଇଟି ମଦ ହାଣ୍ଡି ମୁଁ ଶେଷ କରି ଦେଇପାରିବି l ଏବେ ରାଜି ପାଖରେ ଉକ୍କୋର କଣ ଦରକାର ? ଉକ୍କୋ କଣ ଡଙ୍ଗାର ଝରା, ଗନ୍ଧିଆ, ଅଲୋଡା ପାଣି – ରାଜି ପାଖରେ ତାର ଆଉ ଆବଶ୍ୟକତା ନାହିଁ l ରାଜି ଜାଣଛି ଉକ୍କୋ ପିଲା ଦିନରୁ ମହୁଲି ମଦକୁ ବହୁତ ଭଲ ପାଏ l ଯଦିବି ସେ କାବା ଉପାସ ରହେ, ରାଜି ତା ପାଇଁ ମହୁଲି ମଦ ମଗେଇକି ରଖେ l ତା ଚିହ୍ନା ଜଣା ସ୍ତ୍ରୀ ଲୋକମାନେ ରାଜିକୁ ପଚାରନ୍ତି, “କାହା ପାଇଁ ଏତେ ଦାମୀକିଆ ମଦ ସବୁ କିଣି ରଖୁଛୁ ? ତୁ କୋଉ ମରଦ ପାଖରେ ରହିଲୁଣିକି”? ନାଁ ସେଇମିତି କିଛି କଥା ନାହିଁ l ଉକ୍କୋ ଖମଟ୍ ପାଇଁ ଏ ସବୁ ମହୁଲି ମଦ l ଦଶଟା ମରଦଙ୍କ କାମ ସେ ଏକା ଉଠେଇ ପାରୁଛି l ତାରି ଆରାମ ପାଇଁ ଏ ମଦ l ରାଜି ଉତ୍ତର ଦିଏ l ଉକ୍କୋ ମାଛ ଧରି ସମୁଦ୍ରରୁ ଫେରିବା ବେଳକୁ ରାଜି ମହୁଲି ମଦ ସଜିଲ କରି ରଖିଥାଏ l ମାଛ ସିଝା ସାଙ୍ଗକୁ ସଜ ପରିବା l ମଦ ସାଙ୍ଗରେ ଏ ସବୁ ଖାଦ୍ୟ ଖାଇବା ବେଳେ ଉକ୍କୋକୁ ଗୋଟାଏ ରାଜା ଭଳି ଲାଗେ l ରାଜି ଆଗରେ ମାଛ ଧରା କଥା ବଖାଣେ l “ରାଜି ଆଣ୍ଟି ! ଡଙ୍ଗା ଭର୍ତ୍ତି ହେବା ଯାଏଁ ମୁଁ ମାଛ ଧରେ l  ମୋ ମାଛ ଡଙ୍ଗା ରାଜି ଆଣ୍ଟି ଭଳି l ପାଣିରେ ମୋ ଡଙ୍ଗା, ମାଟି ଉପରେ ଘାଗରା ପିନ୍ଧା ରାଜି ଆଣ୍ଟି ଭଳି ଲାଗେ” l ରାଜି ଖୁସିରେ ହସି ହସି କୁହେ, ତୋ ତୁଣ୍ଡରେ ଲଗାମ ଦେ l ତୁ ବଡ ମରଦ ହୋଇଗଲୁଣି l ମଦ ପିଇଲେ ତୋ କଥାରେ ବାଡ ବତ୍ତା ରହୁ ନାହିଁ l ନିଲ୍ଲଜ କୋଉଠିକାର l ଏମିତି ଆଉ ହସନା l ତୁ ଏବେ ବଡଟେ ହେଲୁଣି l ତୋର ପିଲାଳିଆମୀ ଯାଇ ନାହିଁ l ଉକ୍କୋ ତା ଡଙ୍ଗାର ନାଁ ‘ରାଜ୍ଜକି’ ରଖିଥାଏ l ତା ମାଛ ଧରାଳି ସାଙ୍ଗମାନେ ତା ପଛରେ କଥା ହୁଅନ୍ତି l ଶଳା, ବଜ୍ଜାତ୍ ଭାବୁଛି ଡଙ୍ଗାଟା ତା ବୋପାର ଯେମିତି l  ଭାଗ୍ୟ ଭଲ l ଏ ପର୍ଯ୍ୟନ୍ତ ରାଜି ଯାହା ତା ମାଇକିନିଆ ହୋଇ ନାହିଁ l ଡଙ୍ଗାରେ ଟିକେ ଦାଗ କି ମଇଳା ଲାଗିଲେ ସେ ବରଦାସ୍ତ କରିପାରେ ନାହିଁ l ଜୋରରେ ପାଟି ତୁଣ୍ଡ, ହୋ ହଲ୍ଲା କରେ l କହେ, ରାଜି ଆଣ୍ଟି ଯେମିତି ଘସି ମାଜି ହୋଇ ଗାଧୁଆଏ, ମୋ ଡଙ୍ଗା ସେମିତି ଚିକ୍କଣ ପରିଷ୍କାର ରହିବା ଦରକାର l ଅନ୍ୟ ମାଛୁଆମାନେ କଥା ହୁଅନ୍ତି, ୟେ କଣ ଡଙ୍ଗାକୁ ରାଜି ଭାବୁଛି l ଡଙ୍ଗା ଭଳି ରାଜି ବହୁତ ମଜବୁତ୍ l ଶୀତ ଦିନେ ମାଛ ଧରା ଛାଡି ରାଜି କୋଳରେ ଶୋଇବ l ଉକ୍କୋ ପଛରେ ଏମିତି ଅଶ୍ଲୀଳ ଓ ରସାଳ କଥାବାର୍ତ୍ତା ଚାଲେ l

ରାଜି ବି ସେଇଭଳି l ତା ବାହାଘର ହଉଣୁ, ତା ମରଦ ଜାହାଜରେ ବେପାର କରିବା ପାଇଁ କୋଡିଏ ବର୍ଷ ହେଲା ବାହାରେ l ଏବେ ଫେରୁଛି l ଏବେ ରାଜିର ବୟସ ପଚାଶ ପାଖାପାଖି l ବେଶ୍ ଲମ୍ବା ଚଉଡା ଗଠଣ l ଦେହର ରଙ୍ଗ ଉଜ୍ଜଳ l ଦେହ ସାରା ଚିତା କୁଟା l ତାର ଉଜ୍ଜଳ ଚେହେରା ସମସ୍ତଙ୍କ ନଜର ପଡିବା ଭଳି l ଜଣେ ପର୍ତ୍ତୁଗୀଜ୍ ମହିଳା ଭଳି ସମ୍ମାନଜନକ ଚେହେରା, ମୁଖରା ହେଲେ ବି ସ୍ନେହୀ l ତା ଜୀବନ ଯାତ୍ରା ସହ ଉକ୍କୋ ଘମଟ ଯୋଡି ହୋଇଯାଇଛି l ଜଣା ପଡୁଥାଏ ଯେ, ଉକ୍କୋ ଘମଟ ଯେମିତି ତା ମରଦ ଓ ରାଜିବି ଉକ୍କୋର ଯତ୍ନ ଜଣେ ସ୍ତ୍ରୀ ହିସାବରେ କରୂଥାଏ l ଆଣ୍ଟି ରାଜି ତା ସୌନ୍ଦର୍ଯ୍ୟ ବିଷୟରେ ସଚେତନ ଥିଲା ଓ ତା ପଛରେ ପଡୁଥିବା ଲୋକଙ୍କ ଦୃଷ୍ଟି ଏଡେଇ ସତର୍କରେ ଚଳପ୍ରଚଳ ହେଉଥାଏ l ଭିକ୍କୋ ଯିବାର ଦୁଇ ବର୍ଷ ପରେ ବହୁତ ଧନୀ ପଟେଲ୍ ତାକୁ ରକ୍ଷିତା ହିସାବରେ ଗ୍ରହଣ କରିବା ପାଇଁ ଆଗ୍ରହ ପ୍ରକାଶ କରିଥିଲେ l ଉକ୍କୋ ଘମଟ ଭଳି ବେକାର ଲୋକ ପାଖରେ କାହିଁକି ରହିବୁ ? ବରଂ ତୋ ନାଁରେ ମୁଁ ମୋର ସବୁ ଡଙ୍ଗା, ଜାହାଜ, ଜମିବାଡି କରି ଦେବି, ସୁନା ଗହଣାରେ ତୋ ତାଳୁରୁ ତଳିପା ଯାଏ ସଜେଇ ଦେବି l ତୁ ସେଇ ଝରାପାଣି ଭଳି ଅଲୋଡା ଉକ୍କୋକୁ ଛାଡି ଦେ l ତା ପାଖରେ କୋଉ ସୁଖ ଅଛି ? ଅବଶ୍ୟ ଏ ଭଳି ପ୍ରସ୍ତାବ ତା ପାଖକୁ ଆସୁ ନ ଥାଏ କି ମୁହଁରେ ତାକୁ ଏ କଥା କହିବା ପାଇଁ କାହାର ସାହସ ନ ଥାଏ l ରାଜି ଫୁଲେଇ ପଣରେ କଥା କାଢେ l ମୋ ଉକ୍କୋ ଘମଟ ଭଳି କିଏ ହେବ ? ସେ ଆର ଜନ୍ମରେ ରାଜା ଛୁଆ ହୋଇ ଜନ୍ମ ହୋଇଥିଲା l ଏ ଜନ୍ମରେ କଣ କମ୍ ସୁନ୍ଦର କି ? ତମେ ସରୁ ଗୋଡିଆ ମୋତେ ରକ୍ଷିତା କରିବା ପାଇଁ କେମିତି ସାହସ କରୁଛ ? ଉକ୍କୋ ଚାଲିଲେ ମାଟି ଦୁଲୁକି ଉଠେ l କେତେ ଜନ୍ମରେ ଉକ୍କୋ ଭଳି ଲୋକ ମିଳେ ? ଯଦି ଉକ୍କୋ ମୋତେ ଥରେ ମୁହଁ ଖୋଲି କହେ, କିଛି ନ ଭାବି ମୁଁ ତ ସାଙ୍ଗେ ସାଙ୍ଗେ ରାଜି ହୋଇଯିବି ତା କଥାରେ l ସିଏ ଯଦି ମୋତେ ନ ରଖେ, ତାକୁ ମୋ ପାଖରେ ରଖିବି l

          ଉକ୍କୋର ଦେଖା ଚାହାଁ ରାଜି କରୁଛି l ତେଣୁ ରାଜି ତାକୁ ରଖିବ l ଛାତିରେ ହାତ ବାଡେଇ ବଡ ପାଟିରେ ରାଜି କୁହେ l ଉକ୍କୋର ସମସ୍ତ ଯତ୍ନ ନେବାରେ ରାଜି ହେଳା କରେ ନାହିଁ  l ଗାଁ ଲୋକ, ମଛୁଆରା ସମସ୍ତେ ଆଲୋଚନା କରନ୍ତି l ରାଜିର ବାହା ହେଲା ମରଦ ସମୁଦ୍ରରେ ବଣିଜ କରୁଛି l ଏତେ ବଡ ଘରେ ସେ ଏକୁଟିଆ l ଉକ୍କୋକୁ ତ ଘଇତା କରି ରଖିଛି l ପନ୍ଦର ବଖରା ଘର l ଗାଁରେ ଏତେ ସମ୍ପତ୍ତି କାହାର ଅଛି ? ଉକ୍କୋ କପାଳିଆଟା l ଏତେ ବଡ ଘର, ବଗିଚା ସବୁକୁ ବାଦ୍ ଦେଲେ ଗୋଟାଏ ମଜବୁତ୍ ମାଇକିନିଆ l ହେଲେ ରାଜି କାହିଁକି ଉକ୍କୋ ପାଇଁ ପାଗଳ ? ଗାଁରେ ଆହୁରି ବଡ ଧନୀ, ଜମିଦାର ଅଛନ୍ତି l ସିଏ ତ ବୁଢୀ ନୁହେଁ କି କଞ୍ଚା ଟୋକୀ ବି ନୁହେଁ l ଉକ୍କୋ ଭଳି କଞ୍ଚା, ମଜବୁତ୍ ଜୁଆନ୍ ମରଦ ଥିଲେ ତାର ଆଉ କଣ ଦରକାର ? ଏମିତି ସବୁ କଥା ଚର୍ଚ୍ଚା ହୁଏ l ରାଜି କାନରେ ଏ ସବୁ ଭୁଟୁରୁ ଭାଟର ଚପା କଥା ପହଞ୍ଚେ l ଏଇ ସବୁ ଚର୍ଚ୍ଚାର ଅନ୍ତଃସ୍ରୋତରେ ଯେଉଁ ହତାଶା ଆଉ ଇର୍ଷା ଭାବ ଥାଏ, ସେଥିରେ ରାଜି ଆମୋଦିତ ହୁଏ l ସବୁ ଉକ୍କୋ ପାଇଁ l ଯଦି କୌଣସି ସ୍ତ୍ରୀ ଲୋକ ପଚାରେ, ତୁ ତା ପାଖରେ ଶୋଉଛୁକି ? ରାଜିର ରୋକଠୋକ୍ ଉତ୍ତର ଆସେ, ଉକ୍କୋ ଯାହା କହିବ, ତା ମୁଁ କରି ପାରିବି, ବାହା ହୋଇ ପାଖରେ ଶୋଇବା ତ ସାମାନ୍ୟ କଥା l ସେ ଟିକେ ଗାଉଁଲୀ, ସରଳିଆ ଲୋକ, କିନ୍ତୁ ପକ୍କା ମଜବୁତ ମରଦ l ମୋଟା ରଙ୍ଗ ବୋଳା ଓଠ କାମୁଡି ମୁରୁକି ହସେ ରାଜି l

          ଉକ୍କୋ ଫାଙ୍କା ଚାହାଁଣୀରେ ମଦ ବୋତଲକୁ ଅନେଇ ରହିଥାଏ l ମନେମନେ ଭାବୁଥାଏ, ରାଜି ବୋଧେ ଭିକ୍କୋକୁ ଶ୍ରଦ୍ଧା କରୁଛି l ତାକୁ ତମ୍ବା ଥାଳିରେ ସେରୋ ପରଶିବା କଥା ମନକୁ ଆସୁଥାଏ l ସେଇ ଦୃଶ୍ୟ ମନେପଡିଲେ ମଦବୋତଲକୁ ଖୁବ୍ ଜୋରରେ ହାତରେ ଚାପି ଧରୁଥାଏ l ରାଗରେ ମଦବୋତଲକୁ ଆଗରେ ଥିବା ରାବଣ ତାଳ ଗଛ ମୂଳକୁ ଫୋପାଡି ଦେଲା l ତାଳ ଗଛରେ ବାଜି ବୋତଲର କାଚ ଖଣ୍ଡ ଖଣ୍ଡ ହୋଇ ଚାରିଆଡେ ବିଛାଡି ହୋଇଗଲା l  ମୁଣ୍ଡ ଉପରେ ସୂର୍ଯ୍ୟ, ଘନ କୁହୁଡିରେ ଫିକା ଦେଖା ଯାଉଥାଏ l ସେ ପୃଥିବୀରେ କଣ ପାଇଁ ଜନ୍ମ ହେଇଛି ? ଏଇ ଚିନ୍ତା ତା ମୁଣ୍ତରେ l ଏବେ ମୁଁ କଣ କରିବି ? ବୁଲା ଫକୀର ବା ବାରବୁଲା ଭିକାରୀଙ୍କ ସାଙ୍ଗରେ ବୁଲିବି ? ନିଜ ଗାଁକୁ ଫେରି ଯିବିକି ? ସେଠି ଆଗ ଭଳି କୁକୁଡା ଓ ଛେଳି ଚୋରି କରି ବଞ୍ଚିବି ? ତାର ମନେ ପଡୁଥାଏ ତା ଗାଁର ବତିଘର କଥା l ଅସ୍ଥିର ମନ l କିଛି ସ୍ଥିର କରି ପାରୁ ନ ଥାଏ l ପଛ କଥା ସବୁ ମନକୁ ଆସୁଥାଏ l ଗାଁର ସ୍ତ୍ରୀଲୋକମାନଙ୍କର ତା ଜନ୍ମକୁ ନେଇ ଶୁଣା କଥା, ଏବେ ତା ମନକୁ ଆସୁଛି l ତା ବାପ କିଏ, ମା କିଏ କେହି ଜାଣନ୍ତି ନାହିଁ  l ଗାଁର ସ୍ତ୍ରୀଲୋକମାନେ ତାକୁ ଦିନେ ଘନ କୁହୁଡିଆ ସକାଳେ ଅରମା ଦଳ ଭିତରୁ ଆବିଷ୍କାର କରିଥିଲେ l ସମୁଦ୍ରରେ ଭଟ୍ଟା ପଡିଥିବାରୁ ସେ ବଞ୍ଚି ଯାଇଥିଲା l କେତେକ କୁହନ୍ତି ସିଏ ଭାରାଉ ଗାଁର, ଆଉ କେତେକ କୁହନ୍ତି ଖାଦା, ଖାୟା ବସ୍ତିରେ ତାର ଜନ୍ମ l ସମସ୍ତଙ୍କର ଛୁଆ l ପୁଣି କାହାର ନୁହେଁ l ଯୋଉଠି ପାରେ ସେଠି ଶୁଏ l କିଛିଦିନ ପର୍ତ୍ତୁଗୀଜ୍ ସୈନ୍ୟମାନେ ତାର ଦେଖା ଚାହାଁ କରୁଥିଲେ l ସେ ସୈନିକଟିଏ ହୋଇ ପାରିଥାନ୍ତା l ମାତ୍ର ତାର ଅମାନିଆ ଆଉ ଏକଜିଦିଆ ପଣ ପାଇଁ ସେଥିରୁ ସେ ବଞ୍ଚିତ ହେଲା l ଯେମିତି ସବୁ ଦିନ ପାଇଁ ଅଲୋଡା, ଅଖୋଜା ଜୀବନ ତାର ଭାଗ୍ୟ ଲେଖା l ରାଜି ଆଣ୍ଟି ସାଙ୍ଗେ କେତେବେଳେ କେମିତି ଝଗଡା ହେଲେ, ସାରା ପୃଥିବୀ ତା ପାଇଁ ବିଷ ପାଲଟି ଯାଏl ଯେମିତି କେହି ନାହାନ୍ତି କୁଆଡେ l ସବୁ ଗୋଳମାଳିଆ ଚିନ୍ତା ତା ମୁଣ୍ଡକୁ ଆସେ l ଗୁଲି ମାର୍l ମୁଁ ପଳେଇଗଲେ ସେ ମାଇକିନିଆ କେମିତି ଚଳିବ ଦେଖିବା l ତା ଆକ୍ଷି ଲାଲ ପଡିଆସେ l ସେଥିରୁ ତିକ୍ତ, ଝରା, ଖାର ପାଣି ବୋହିବାକୁ ଲାଗେ l ତାକୁ ଏବେ ଚା ପିଇବା ଦରକାର l ସକାଳୁ ସେ କପେ ଚା ପିଇନି l ତାର ମନେ ପଡୁଥାଏ ଶୀତ ଦିନ ସକାଳ ସବୁର କଥା l ସେ ଡଙ୍ଗା ଭିତରେ ଶୋଇଥାଏ l ରାଜି ଆଣ୍ଟି ଆସି ଜୋରରେ ପାଟିତୁଣ୍ଡ କରି କମ୍ପେଇବ l ଆବେ ଉକ୍କୋ ଘମଟ l ଚା ତିଆରି ସରିଲାଣି l ପିଇବୁକି ନାହିଁ ? ଆରେ କିଏ ଅଛ, ମୋ ଝରାପାଣିକୁ ନିଦରୁ ଉଠାଅ l ସାହେବ ଏ ପର୍ଯ୍ୟନ୍ତ ଶୋଇଛି l ବେଲଜ୍ୟା, ବେସରମ୍ l ଜେଟୀରେ ଜାଲ ସଜାଡୁଥିବା ମଛୁଆରାମାନେ ମଦ ପିଉଥିବେ l ଏ ସବୁ କଥାରେ ହସିବେ l କଥା ଉଡେଇବେ l କାହା ମାଆକି ମାଇପ ଏମିତି କାହାକୁ ନିଦରୁ ଉଠେଇବେ ନାହିଁ l ଶଳା ଘମଟର କି କପାଳ l ରାଜି ବଡ ପାଟିରେ କହେ ଯେ, ବଜ୍ଜାତଯାକ ଶୁଣ, ତୁମ ଗୋଡ ହାତ ଭାଙ୍ଗି ଦେବି l ଘମାତ୍ ମୋ ଡଙ୍ଗାରେ କାମ କରେ, ମୋ ବାଡି ବଗିଚା ତଦାରଖ କରେ l ତାର ଦୁନିଆରେ କେହି ନାହାନ୍ତି l

          ମାଛୁଆମାନେ ପୁଣି କଥା ହୁଅନ୍ତି l ଆମେ କଣ ଡଙ୍ଗାରେ ମାଛ ଧରୁନୁ, ସମୁଦ୍ରକୁ ଯାଉନୁ, କାହା ପାଇଁ ଆମେ କାମ କରୁଛୁ ? ଆମ ମାଆ ମାଇପମାନଙ୍କ ପାଇଁ ତ ଏତେ ପରିଶ୍ରମ l ହେଲେ ଆମକୁ ସକାଳୁ ଉଠାଇବା ପାଇଁ ତ କେହି ଆସୁ ନାହାନ୍ତି l ଚା କପେ ତ ଦୂରର କଥା l ଆମ ମୁହଁ ଖୋଲାଇବାକୁ ବାଧ୍ୟ କର ନାହିଁ l ଠିକ୍ ଅଛି l ତୋ ଉକ୍କୋ ରଜା ଛୁଆ l ଅନ୍ୟ ମାଛୁଆ ଏଇଭଳି ଅସହଣୀ ପଣରେ କଥା ବାର୍ତ୍ତା ହୁଅନ୍ତି l ହସାହସି ହୁଅନ୍ତି l ପୁଣି ଉକ୍କୋକୁ କୁହନ୍ତି, ସୁଆର କା ବଚ୍ଚା ! ଏତେ ବଡ ସୁନ୍ଦରୀ ମାଇକିନିଆ, ତା ଆଡକୁ ଚାହାଁ l ତାକୁ ଆପଣେଇ ନେ l ତା ଘର, ଜମି ବାଡି ଦେଖାଶୁଣା କର l ତା ମନରେ କଣ ଅଛି କେଜାଣି ? ତା ମରଦ ବହୁତ ଦିନ ହେବ ବାହାରେ ରହୁଛି l ତା ନାଁ କଣଟି ? ହଁ…..ଭିଖା ମଲମ l ଏବେ ତ ବଡ ଜାହାଜିଆ l ଏତେ ଦିନ ପରେ ଘରକୁ ଫେରୁଛି l ଆଫ୍ରିକାରେ ଗୋଟାଏ କାଳୀ ବେଶ୍ୟା ରଖି ମଉଜ କରୁଛି l ଆଉ ଏଠି ରାଜି ଉକ୍କୋକୁ ରଖି ତା ସାଙ୍ଗରେ ମାତିଛି l ଉକ୍କୋ ତା ଡଙ୍ଗା, ଜମିବାଡି, ବଗିଚା ସମ୍ଭାଳୁଛି, ତା ସାଙ୍ଗେ ସାଙ୍ଗେ ତାକୁ ବି l ମହୁଲ ମଦ ନିଶାରେ ଏମିତି ସବୁ ଗପୁ ଚାଲନ୍ତି ସେମାନେ l

          ଉକ୍କୋ ଘରକୁ ଫେରିଲା l ଶେଯ ଉପରେ ବସି ରହିଲା l ଶେଯ ଉପର ବେଡସିଟ୍ ମକଚି ହୋଇ ଗୋଟାଏ ପଟକୁ  ଗୋଟେଇ ହୋଇ ଯାଇଛି l ଏବେ ବାଦାମ ଗଛର ପତ୍ରର ରଙ୍ଗ ବଦଳି ଯାଉଛି l ଗୋଟାଏ ନାଲି ସାରସ ପକ୍ଷୀ ଭଳି ଦେଖା ଗଲାଣି, ଯେମିତି  ପତ୍ରଝଡା ଦିନ ଆଉ ଡେରି ନାହିଁ l ପବନରେ ଆଗାମୀ ଶୀତ ଦିନର ସୂଚନା l ଭିକ୍କୋମଲମ ଘର ବାହାରେ ଚଉକିକୁ ଆଉଜି ବସି ରହିଛି l ଚିହ୍ନା ପରିଚିତ, ବନ୍ଧୁ ବାନ୍ଧବ ତାକୁ ଦେଖା କରିବାକୁ ଆସିଛନ୍ତି l ମହୁଲ ମଦ ସାଙ୍ଗରେ ବାଦାମ୍, ପେସ୍ତା, ଆଖ୍ରୁଟ୍ ଚୋବେଇବାର ପର୍ବ ବି ଚାଲିଛି l ଉକ୍କୋ ଟଳମଳ ପାଦରେ ଘର ଭିତରକୁ ଯିବା କେହି ଦେଖି ପାରିଲେ ନାହିଁ l ଘରେ ଗହଳି l ଗାଁର ସ୍ତ୍ରୀଲୋକମାନଙ୍କର ଭିଡ l ଉକ୍କୋକୁ ତେରେଛି ଅନେଇ ସେମାନେ ହସିଲେ l ତାଙ୍କ କଥା ଉକ୍କୋ ପରିଷ୍କାର ଶୁଣି ପାରୁଥାଏ l ସମୁଦ୍ରରେ ଜାହାଜିଆ ସବୁଠୁ ବଡ ଦିଅଁ l ଏତେ ବର୍ଷ ପରେ ଫେରିଲେ କଣ ହେଲା l ନ ହେଲେ କାହା ଭାଗ୍ୟରେ, ଏତେ ବାଡି ବଗିଚା ସମ୍ପତ୍ତି, ଆଉ ରାଜ୍ଜି ଭଳି ତିର୍ଲା l ସତରେ କେତେ ଭାଗ୍ୟଶାଳୀ l କଥାର ଛିଟା ଉକ୍କୋର କାନରେ ପଡୁଥାଏ l ତା ମନ ଭିତରଟା କେମିତି ହେଇଯାଉଥାଏ l ସିଧା ଫଳ ବଗିଚା ଆଡକୁ ମୁହେଁଇଲା l ରାଜ୍ଜିର ଆକ୍ଷି ତା ଉପରେ ପଡିବାରୁ ତାକୁ କହିଲା, କିରେ ଏମିତି କାହିଁକି ବୁଲୁଛୁ ? ଫାର୍ମରେ ଥିବା ଗଞ୍ଜା ମାରିଦେ କହି ତା ହାତକୁ ବଙ୍କା ଧାରୁଆ ଛୁରୀଟା ଧରେଇ ଦେଲା l ବଡ ଗଞ୍ଜାଟାକୁ ଧରି ବଡ ଗଛ ମୂଳକୁ ଉକ୍କୋ ଆଗେଇଲା l ଏତିକିବେଳେ ରାଜ୍ଜି ଗାଁରୁ ଆସିଥିବା ସ୍ତ୍ରୀଲୋକମାନେ ତା ପାଖରେ ପହଞ୍ଚି ପଚାରିଲେ, ଆରେ ହେ କଣ କରୁଛୁ ? ସେ ଗଞ୍ଜାଟା ଆମକୁ ଦେ l ଭିକ୍କୋ ମଲମ ମୁଣ୍ଡ ଉପରେ ସାତ ଘେରା ବୁଲାଇବା ବେଳେ କହୁଥିଲେ, କୋଡିଏ ବର୍ଷ ପରେ ଫେରିଛି, ତଥାପି ତାର ଦଶା ସରିନି l ଏଥରକ ଦଶା କଟିଯିବ l ବୁଢୀ ଜଣେ କହିଲା ଏ କଥା l ଉକ୍କୋ ମନେ ମନେ ରାଗରେ କହୁଥାଏ, ମାଦରଚୋଦା l କାହିଁକି ଫେରି ଆସିଲା କେଜାଣି ? କ୍ରୋଧରେ ଗଞ୍ଜାର ଡେଣା ଦୁଇଟାକୁ ପାଦରେ ଚାପି ଧରି ତା ବେକକୁ କାଟିବାରେ ଲାଗିଗଲା l ଗୋଟାଏ ଚୋଟରେ ସଫା l  ଖସି ପଳେଇବା ପାଇଁ ଚେଷ୍ଟା କରୁଥିବା ଗଞ୍ଜାଟା ପୁରା ଚୁପ୍ l ବଡ ମଜବୁତ୍ ଆଉ ବଡ ଗଞ୍ଜାଟା l ରାଜ୍ଜିକୁ ଆଗରୁ ସିଏ ଏଇ ଗଞ୍ଜାଟାକୁ କେତେଥର ରୋଷେଇ କରିବାକୁ କହିଛି l ମାତ୍ର ରାଜ୍ଜି କହେ, ବଜ୍ଜାତ୍, ତୁ ଗୋଟାଏ ପୁରା ସାହେବ l ଏଇଟା ସମୁଦ୍ର ଦିଅଁଙ୍କ ପାଖରେ ବଳି ଦେବା ପାଇଁ ରଖିଛି l ସେଇ ମୁହୂର୍ତ୍ତରେ ରାଜ୍ଜିର ମୁହଁ ଶୁଖି ଯାଏ ଓ ସେ କଥା ବଦଳେଇ ଦିଏ l ଉକ୍କୋ ପଚାରେ, କାହା ପାଇଁ ଏ ବ୍ରତ ?

          ମୋ ସାଙ୍ଗରେ ବକର ବକର ହ’ନା l ମୋ ମରଦ ପାଇଁ ମାନସିକ ରଖିଛି l ତୋର ସେଥିରେ କିଛି ଯା’ ଆସ ନାହିଁ l ରାଜ୍ଜି ଗମ୍ଭୀର ହୋଇ କହିଲା l

          ତାହେଲେ କିଏ ତୋର ସେଇ ମରଦ ? ଉକ୍କୋ ତା ଆଡକୁ ଅନେଇ ପଚାରେ l

          ବଡ ଜାହାଜିଆ l ସେ ସମୁଦ୍ରକୁ ବଡ ଡଙ୍ଗା ନେଇ ଯାଇଛି l

          ଉକ୍କୋ ମୁରୁକି ମୁରୁକି କେବଳ ହସିବ l ତାହେଲେ ମୋ ମୁଣ୍ଡ ଚାରି ପଟେ ବୁଲେଇ ଦେଲେ ତୋର ବ୍ରତ ସରିବ l ତାପରେ ମୁଁ ତାକୁ କାଟି ମାଂସ କରିବି l ଆଜି ତ ମାଛ ଧରା ବନ୍ଦ l ବଢିଆ ଭୋଜି ହେବ l ରାଜ୍ଜି ମନା କରିବ l “ତୁ ତ ମୋ ଆଣ୍ଟି l ଠିକ୍ ଅଛି l” ଏମିତି କହି ତାକୁ ଜଡେଇ ଧରିବ ଉକ୍କୋ l ରାଜ୍ଜି ତାକୁ କହୁଣୀରେ ଠେଲି ଦେଲେ ତଳେ ହାମୁଡି ପଡିବ ସିଏ l ଉକ୍କୋ ମଦ ନିଶାରେ କହିବ, “ଆଣ୍ଟି ! ତୁ ଗୋଟାଏ ବଡ ସ୍ତ୍ରୀ ଲୋକ, ତୋତେ ଧରିଲେ ତୁ ଖସି ଯାଉଛୁ l” ଏହି କଥାରେ ଉଭୟେ ହସି ହସି ଗଡି ଯାଆନ୍ତି l ତାପରେ ରାଜ୍ଜି ତାଗିଦ୍ କଲା ଭଳି ତାକୁ କହିବ, ତୁ ବଡ ଚାଲାକ୍ l ଉକ୍କୋ ତାକୁ କହିବ, “ତୋତେ ଗୋଟିଏ କଥା କହିବି, ତୁ ରାଗିବୁ ନାହିଁ l ମୁଁ ତୋତେ ବାହା ହେଇ ଏଠାରୁ ନେଇ ଯିବି ମୋ ସାଙ୍ଗରେ l ଏ କଥା ମୁଁ ପ୍ରତିଜ୍ଞା କରି କହୁଛି l” ରାଜ୍ଜି ଅଣ୍ଟାରେ ହାତ ଦେଇ ଠିଆ ହୋଇ ପଡିବ, ଆଉ କହିବ “ମୁଁ ତ ଏଠି ଠିଆ ହେଇଛି, ଆସ୍ ! ମୋତେ ଧରିବାକୁ ଚେଷ୍ଟା କର l” ଉକ୍କୋ ତାକୁ ଜାବୁଡି ଧରିବାକୁ ଚେଷ୍ଟା କରିବl “ଆଣ୍ଟି ଦେଖ, ମୁଁ କେତେ ଲମ୍ବା, ଚଉଡା ହେଇଗଲିଣି l” ନାକେଦମ୍ ହେବା ପର୍ଯ୍ୟନ୍ତ ଏପରି ଥଟ୍ଟା ପରିହାସ ଚାଲେ ଦୁହିଁଙ୍କ ଭିତରେ l ରାଜ୍ଜି ଚଟ୍ଟାଣ ଉପରେ ବସି ପଡି, ହାତରେ ଉକ୍କୋକୁ ଦୂରକୁ ଠେଲି ଦିଏ l ତା ହାତର ଲାଲ୍ ଚୁଡି ବେଳେବେଳେ ଭାଙ୍ଗିଯାଏ l ତାର ସଜଡା ମୁଣ୍ଡ ଅଡୁଆ ହୋଇଯାଏ l  ସ୍ନେହ ଓ ସନ୍ତାନ ବାତ୍ସଲ୍ୟର ଫଲଗୁ ଖେଳେ l ଉକ୍କୋ ମୁହଁକୁ ଅନେଇ ରାଜ୍ଜି ମନେ ମନେ ଭାବୁଥାଏ, ମରଦ ହେବ ତ ଏଇ ଭଳି l ଏଇମିତି ଭଲ ପାଇବାର ଭାବ ତା ଭିତରେ ଥିବା ଚାହିଁ l ମୋ ମରଦତ ସମୁଦ୍ର ଭିତରେ କୋଉଠି ହଜି ଯାଇଛି l ହେଲେ ଉକ୍କୋ ଅଛି ତ l ସାଥି ସ୍ତ୍ରୀ ଲୋକମାନେ ତାକୁ ପଚାରନ୍ତି, ଉକ୍କୋ ପାଖରେ ତୁ ରହିବୁ ତ ? ତାର ଦେଖା ଶୁଣା ତ ଖୁବ୍ ଭଲରେ କରୁଛୁ ? କଥା କଣ ? ରାଜ୍ଜି ମିଛରେ ରାଗିବାର ବାହାନା କରେ l କହେ – ବଜ୍ଜାତ୍, ମୋତେ ଭଣ୍ଡେଇବାକୁ ବସିଛି l ହେଲେ ମୋର ସେ କାଦୁଅରେ ଗୋଡ ଦେବାକୁ ଇଛା ନାହିଁ l

          ଉକ୍କୋ ଅସ୍ପଷ୍ଟ ସ୍ୱରରେ କୁହେ, “ମୁଁ ତୋତେ ଦିନେ ଉଡେଇ ନେବି l ତୁ ଜାଣି ପାରିବୁନି l ମୁଁ ଦିନେ କେବେ ଯଦି ସମୁଦ୍ରରେ ବୁଡି ମରିଯାଏ, ତୁ ତ ଜାଣି ପାରିବୁନାହିଁ  l ତୁ କଣ ସମୁଦ୍ରର ଦଳ ଆଉ ଘାସକୁ ବାହା ହେବୁ ?” ଏତିକିରେ ରାଜ୍ଜିର ଦମ୍ଭ ଭାଙ୍ଗି ଯାଏ l ସେ ଉକ୍କୋର  ମୁଣ୍ଡ ବାଳ ସାଉଁଳେଇ କହେ, ତୋର ଶତୃ ସବୁ ମରନ୍ତୁ l ତୁ ଏମିତି ସୁସ୍ଥ ସବଳ ରହି ଥା l ତୁ ଏମିତିକା କଥା ତୁଣ୍ଡରେ କାହିଁକି ଧରୁଛୁ ? ଏତିକିରେ ସେ ଗୋଟାଏ କଳା ଗଞ୍ଜା କୁକୁଡା ଆଣି ତା ମୁଣ୍ଡ ଉପରେ ବୁଲେଇବ, ଆଉ କହିବ – “ ହେ ସମୁଦ୍ର ଦେବତା ! ମୋ ଉକ୍କୋକୁ ବିପଦଆପଦରୁ ରକ୍ଷା କରିବ l” ଗଞ୍ଜା ବଳି ପଡିବା ପରେ ତରକାରୀ ହେବ l

          କଳା ଗଞ୍ଜାଟାକୁ ମାରିବା ବେଳେ ଉକ୍କୋର ଦେହ ସାରା ଓ ଛୁରୀଟା ପୁରା ଭିଜି ଯାଇଥାଏ l ସେ ଦେହରେ ମାଟି ମାଖି ଦାଗ ଛଡେଇବା ବେଳେ, ରାଜ୍ଜି ତାକୁ କହୁଥାଏ, ହେ ସାଇବ ! ସକାଳୁ ପାଟିରେ କିଛି ଦେଇନୁ l କେବଳ ମଦ ପିଇ ଏଣେତେଣେ ବୁଲୁଛୁ l ମୁଁ ତ ପୁରା ବ୍ୟସ୍ତରେ ଅଛି l ତୋ ମୁହଁ ପୁରା ଶୁଖିଗଲାଣି l ସକାଳୁ ମୁଁ ତୋତେ ଏମିତି ଦେଖୁଛି l ଆସ୍ତେ ଆସ୍ତେ ଏ କଥା ରାଜ୍ଜି କହୁଥାଏ l ଗଞ୍ଜାଟାକୁ ମାରିବା ବେଳେ ରାଗରେ ଉକ୍କୋ ତା ଆଙ୍ଗୁଠିଟାକୁ କାଟି ପକେଇଥାଏ l ସକାଳୁ ଚା ଟିକେ ହେଲେ ପିଇନୁ l ମୋ ସୁନାଟା ପରା ଚା ଟିକେ ହେଲେ ପିଇଦେ l  ତା ଶୁଖିଲା ମୁହଁକୁ ଚାହିଁ ରାଜ୍ଜି କହୁ ଥାଏ l ମନ ଭିତରଟା ତାର ଆନ୍ଦୋଳିତ l ଘର ଭିତରକୁ ସେ ପଶିଲା l ମାଟି ଚୁଲ୍ଲିଟା ଜୋରରେ ଜଳୁଥାଏ l ପୋଦିନା ପତ୍ର ଦେଇ ନାଲି ଚା କରିବାରେ ରାଜ୍ଜି ବ୍ୟସ୍ତ ଥାଏ l ବାହାରେ ତା କଟା ଆଙ୍ଗୁଠିକୁ ଚାପି ଧରି ବସିଥାଏ ଉକ୍କୋ l  ଭିକ୍କୋ ତାତ୍ସଲ୍ୟପୂର୍ଣ୍ଣ ଦୃଷ୍ଟିରେ ତାକୁ ଅନେଇ ରହିଥାଏ l ଗୋଟାଏ ବଡ ଚା କପରେ ତା ପାଇଁ ଚା ଧରି ତା ଆଗରେ ଅଣ୍ଟାରେ ହାତ ଦେଇ ଠିଆ ହେଲା ରାଜ୍ଜି l ସକାଳୁ ତୋର କଣ ହେଇଛି ? ଗାଁ ଲୋକଙ୍କ ଯିବା ଆସିବା ଲାଗିଛି l ମୁଁ ତେଣେ ବ୍ୟସ୍ତ l ତୁ କଣ ଦିନଟେ ନିଜେ ଚଳିପାରୁନୁ ? ତୁ ଯଥେଷ୍ଟ ବଡ ହୋଇଗଲୁଣି l ସକାଳୁ ମୁହଁ ଫୁଲେଇ ରହିଛୁ ? ଉକ୍କୋ ଚା ପିଇବାକୁ କପ୍ ଉଠେଇବା ବେଳକୁ  ଭିକ୍କୋ କହିଲା – ଚୋର, ବଜ୍ଜାତକୁ ତୁ ବହୁତ ମୁହଁ ଦେଇଛୁ l କୋଉ ଭଲ ଲୋକଟା ଯେ ? ଭିକ ମଗା l ତା କଥା ଛାଡ୍ l ଉକ୍କୋ ରାଗିଲା l କପଟାକୁ ତଳେ କଚାଡି ଖଣ୍ଡ ଖଣ୍ଡ କରିଦେଲା ପରେ ତା ଡଙ୍ଗା ପାଖକୁ ଚାଲିଗଲା l

          କଣ ପାଇଁ ଏତେ ବଡ ପାଟିଟା କରୁଛ ? ନୀଚ ପ୍ରକୃତିର ଲୋକ l ବଡ ପାଟି କରି ରାଜ୍ଜି କହୁଥାଏl  ଥରେ ଉକ୍କୋର ମୁହଁକୁ ଚାହିଁଲା ପରେ ତା ଛାତି ଭିତରଟା ଦବି ଯାଇଥାଏ l ଘର ଭିତରକୁ ଯିବା ବେଳେ ତା ଘାଗରାର ଶବ୍ଦ ଶୁଭୁଥାଏ l ଗାୋଟାଏ ବଡ ଜାହାଜିଆ ଭାବୁଛି ମନକୁ ମନ l ସମୁଦ୍ରରେ ଥିବା ବେଳେ ତୋ ଘରବାଡି, ଜମିଜମା, ବଗିଚା କିଏ ସମ୍ଭାଳୁ ଥିଲା ? ପିଲାଟାକୁ ଗାଳି ଫଜିତ୍ କରିବାକୁ ଲଜ୍ଜ୍ୟା ଲାଗୁ ନାହିଁ ?  ରାଜ୍ଜିର ମନ ଆନ୍ଦୋଳିତ l ଇଛା ହେଉଥିଲା ଭିକ୍କୋକୁ କହି ଦେବା ପାଇଁ କଣ ପାଇଁ ଫେରି ଆସିଲୁ ? ତୋ ଆଫ୍ରିକୀୟ ମାଇକିନିଆକୁ ଧରି ସେଠି ରହିଥାଆନ୍ତୁ l ଭଲ ହୋଇଥାଆନ୍ତା l ମୋ ଠୁଁ ସିଏ ଭଲ ଥିଲା l ପାଖରେ ପଡିଶା ସ୍ତ୍ରୀଲୋକମାନେ କହିବାକୁ ଲାଗିଲେ, ଉକ୍କୋ ବହୁତ ବଡ ବଡ କଥା କହୁଛି l ଏ କଥାରେ ତୋର ରାଗିବାର କଣ ଅଛି ? ଭିକ୍କୋ କଣ ଖରାପ କଥା କହିଲା ?

ରାଜ୍ଜିର ଆକ୍ଷିରେ ଲୁହ l ଉକ୍କୋ ଏତେ ବର୍ଷ ଧରି ଜମିବାଡି, ତଥା ଏ ସବୁର ଦେଖା ଚାହାଁ କରୁଥିଲା, ମୋର ହାନିଲାଭ ବୁଝୁଥିଲା l ଗତ କୋଡିଏ ବର୍ଷ ଧରି ସବୁ ଦାୟିତ୍ୱ ତା ମୁଣ୍ଡରେ l  ଭିକ୍କୋ ତାକୁ ସାଧାରଣ ଚାକର ଭଳି ବ୍ୟବହାର କରିବା ଠିକ୍ କି ? ପର ପାଇଁ ମାଗଣାରେ କୋଡିଏ ବର୍ଷ ସିଏ ଖଟିଛି l ପଡିଶା ଘରର ସ୍ତ୍ରୀଲୋକମାନେ ଚୁପ୍ ହୋଇଗଲେ l ସେଇମାନଙ୍କ ମଧ୍ୟରେ ରାଜ୍ଜିର ବୁଢୀ ମାଉସିଟିଏ ଥିଲା l ସଂସାରର ଚାଲିଚଳଣ ବିଷୟରେ ତାର ଅଭିଜ୍ଞତା ବେଶି l  ତାର ଇଛା ରାଜ୍ଜି ପାଖରେ ଉକ୍କୋ ରହିଯାଉ କିମ୍ବା ଉକ୍କୋ ରାଜ୍ଜିକୁ ନେଇ ପଳେଇଯାଉ l  କିନ୍ତୁ ଗତ ପନ୍ଦର ବର୍ଷ ଭିତରେ ଦୁଇଟା ଭିତରୁ କୋଉଟା ବି ଘଟିଲା ନାହିଁ l ୟା ଭିତରେ ଭିକ୍କା ମଲମ ବିଦେଶରୁ ଫେରି ଆସିଲା l

ଡଙ୍ଗା ପାଖକୁ ଉକ୍କୋ ଫେରୁଥାଏ l ତା ପଛରେ ଲାଞ୍ଜ ହଲେଇ ଆସୁଥିବା ତା ପୋଷା କୁକୁରକୁ ଗୋଇଠାଟାଏ ମାରିଲା ସିଏ l ଡଙ୍ଗାରେ ଆସି ତା ଷ୍ଟୋଭ୍ ଜାଳି ଚା ବସେଇଲା l ତା ମନରେ ହତାଶା l ଜେଟ୍ଟିରେ ସମୁଦ୍ର ପାଣିରେ l ଭଟ୍ଟା ପଡିଛି l ପାଣି ଖସି ଯିବା ପରେ କୂଳରେ ବାଲି ଦେଖା ଯାଉଛି l ଭଳି କି ଭଳି  ସମୁଦ୍ର ପକ୍ଷୀଙ୍କ ଭିଡ ଖାଦ୍ୟ ଖୋଜିବାରେ l  କୂଳର ଶୁଖିଲା ଜାଗାରେ ସବୁ ମେଳା ମେଳା ହୋଇ ବସିଛନ୍ତି l  ପଛରେ କଳା ଧଳା ଦାଗ ଥିବା ପକ୍ଷୀ ସବୁ ଚୁପ୍ ଚାପ୍ l ତୀରରେ ଠାଏ ଠାଏ ପରିଷ୍କାର ପାଣି l ହର ରଙ୍ଗୀ ଚଢେଇ ଆଉ ବେଳା ଭୂମିର କାଦୁଅ ବହୁତ କଦର୍ଯ୍ୟ ଦେଖା ଯାଉଛି l ଧୂସର, କୁହୁଡି ଖରା ଆକାଶରେ  ଲାଲ ଆକ୍ଷି ବିଶିଷ୍ଟ ଛଞ୍ଚାଣ ଡେଣା ମେଲାଇ ଚକ୍କର କାଟୁଛି l

ଉକ୍କୋକୁ ଜଣା ପଡୁନି ନାଆର କାଠ ପଟା ଉପରେ ସେ କେତେ ସମୟ ଶୋଇ ଯାଇଛି  l ତା ସାଙ୍ଗୀ ଯେତେବେଳେ ରାତିରେ ମାଛ ମାରିବା ପାଇଁ ମହୁଲ ମଦ ଧରି ପହଞ୍ଚିଲା, ତାର  ନିଦ ଭାଙ୍ଗିଲା l ତା ସାଙ୍ଗରେ ରାଜ୍ଜି l ତା ବୁଢୀ ମାଉସୀ, ଆଉ ଭିକ୍କୋ ଖାଇ ବସିବା ବେଳେ, ତା ମାଛ ଧରା ସଙ୍ଗୀକୁ ଦେଖି ଖାଇବା ଛାଡି ରାଜ୍ଜି ତା ପାଖକୁ ଆସିଛି l

କେତେ ସମୟ ତାକୁ ଅପେକ୍ଷା କରିଥାଆନ୍ତା ? ବଦମାସ୍ ମନ ଦୁଃଖ କରିଛି l ସକାଳଠାରୁ ତାର  ମିଜାଜ ବିଗିଡି ଯାଇଛି l ଏଣେ ୟାର ଭଲ ମନ୍ଦ ପଚାରିଲେ, ଭିକ୍କୋର ରାଗ ବଢି ଯାଉଛି l ଉକ୍କୋକୁ ଦେଖି ସହି ପାରୁନି ଭିକ୍କୋ l ଭିକ୍କୋ କଣ କରୁଛି, ସେ ବିଷୟରେ ତାର ଚିନ୍ତା ନାହିଁ l ଗୁଣୁଗୁଣୁ ହୋଇ କଣ ସବୁ କହି କହି ରାଜ୍ଜି ଜେଟି ପାଖକୁ ଆସୁଥାଏ l କମ୍ବଳ ପାଖକୁ ଆସି ପାଣି ଭିତରେ ଗୋଡ ଦେଉ ଦେଉ ରାଜ୍ଜି ପାଣିରେ ଆଣ୍ଠୁ ମାଡି ପଡି ଗଲା l ଆଉ ତଣ୍ଟି ପଡିବା ଯାଏ, ପାଟି କରୁଥାଏ - ସୁଅର୍ କା ବଚ୍ଚା ! କଣ ପାଇଁ ମୋ ଜୀବନ ଖାଉଛୁ? ତୁ ମୋ ଜୀବନରେ ନ ଆସିଥିଲେ ମୁଁ ଭଲରେ ଥାଆନ୍ତି , ମୋ ନିଜ ବାଟରେ ମୁଁ ରହି ଥାଆନ୍ତି l

ମହୁଲ ମଦ ନିଶାରେ ଉକ୍କୋ ନିଦରେ ଘୁଙ୍ଗୁଡି ମାରୁଥାଏ l  ଉକ୍କୋର ମାଛ ଧରା ସଙ୍ଗୀ ଜିଓ୍ୱୋ ମଟୋ ଡାକ ଛାଡୁଥାଏ l ହେ ଉକ୍କୋ ! ଖାଇବା ପାଇଁ ଉଠ୍ l ଗର୍ଭିଣୀ ସ୍ତ୍ରୀ ଲୋକ ପରି ନାଆରେ କଣ ପାଇଁ ପଡିଛୁ ? ତାକୁ ନିଦରୁ ଉଠେଇବା ପାଇଁ ଚେଷ୍ଟା କରୁଥାଏ  ମଟୋ l

ମୋର ଖାଇବା ଦରକାର ନାହିଁ l ମୋତେ ଶୋଇବାକୁ ଦେ l

ତୁ ବଜ୍ଜାତ୍, ତୋତେ ମୁଁ ମର୍ଡର୍ କରିବି l ତୁ ମୋ ମାଆ ନା ଶାଶୁ ? ତୁ ଶଳା ଯଦି ମୋ ସଙ୍ଗୀ ହୋଇ ନ ଥାନ୍ତୁ, ତୋତେ ଦେଖେଇ ଦିଅନ୍ତି ମୁଁ କିଏ ? ରାଜ୍ଜି ଆଉ ମଟୋ ତାକୁ ଘରକୁ ନେବା ପାଇଁ ଟଣା ଓଟରା କରୁଥାଆନ୍ତି l

ରାଜ୍ଜି କହୁଥାଏ, ସକାଳୁ ସକାଳୁ ପେଟେ ମଦ ପିଇ ଦେଇଛି l କିଛି ଖାଉ ନାହିଁ l ଆରେ ତୋ ପସନ୍ଦର କଳା ଗଞ୍ଜା ମାଂସ ତରକାରି ହେଇଛି l

ରାଜ୍ଜିର ସାଟିନ୍ ଘାଗରା ପାଣିରେ ପାଣିରେ ପୁରା ତିନ୍ତି ଯାଇଥାଏ l ତା ଡଙ୍ଗା ପାଖରେ ପହଞ୍ଚିବା ପାଇଁ ସେ ପାଣିରେ ପଶି  ଓଦା ହୋଇଯାଇଥାଏ l ରାଜ୍ଜିକୁ ଦେଖି ତାର ନିଶା କଟି ଗଲା l ରାଜ୍ଜିକୁ ଜଡେଇ ଧରି କାନ୍ଦିବାକୁ ତାର ଇଛା l ରାଜ୍ଜି ମୋ ରାଜ୍ଜି l ଓଦା ଆକ୍ଷିରେ ରାଜ୍ଜିକୁ ଅନେଇ ରହିଲା ଉକ୍କୋ l ତାକୁ ଦେଖିଲେ ରାଜ୍ଜି ଯେମିତି ହସେ, ଆଉ ଆହ୍ଲାଦିତ ହୁଏ, ସେମିତି ହସଟେ ରାଜ୍ଜି ହସୁଥାଏ l ତାକୁ ସାନ୍ତ୍ୱନା ଦେଇ ଚାଲିଥାଏ ରାଜ୍ଜି l ଘରର ବାହାରେ ପଡିଥିବା ଖଟ ଉପରେ ଶେଯ ଉପରେ ପଡିଗଲା ଉକ୍କୋ l ମୁଁ କିଛି ଖାଇବି ନାହିଁ ବୋଲି ପାଟି କରୁଥାଏ l ଖାଇବା ପାଇଁ ରାଜ୍ଜି ତାକୁ ଫୁସୁଲା ଫୁସୁଲି କରୁଥାଏ l ତା ବୁଢୀ ମାଉସୀ  ବି ତାକୁ ବୋଧ ଦେଉଥାଏ l ହେଲେ ତାର ଜିଦ୍ ଟଳୁ ନ ଥାଏl

ଭିକ୍କୋ ଖାଇସାରି ବଡ କାଠ ଖଟ ଉପରେ ଆରାମ କରୁଥାଏ l  ପାନ ଚୋବେଇ ରାଜ୍ଜିକୁ ଅପେକ୍ଷା କରୁଥାଏ l

ତୁ ଏବେ ଗୋଟାଏ ପର୍ତ୍ତୁଗିଜ୍ ଜାହାଜ ଭଳି ଦିଶୁଛୁ l ତୋ ଚାଲି କେମିତି ବଦଳି ଯାଇଛି l  ଯା ତା ପାଖରେ ଶୋଇବୁ l ଗୋଟାଏ ବଡ ଜାହାଜିଆ ହୋଇଯାଇଛି ତ l ଯା, ତା ପାଖରେ ଶୋଇପଡ l ତୋତେ ଝୁଣି ଖାଇ ସାରିବା ପରେ ଫୋପାଡି ଦେବ l  ସେ ଠାକୁର ନ ଥିବା ରାଜ୍ୟରୁ ଫେରିଛି l ଦିଅଁ, ଦେବତା ତାର କିଛି ନାହିଁ l ତୁ ବି ତା ଭଳି ହୋଇଗଲୁଣି – ଚିତ୍କାର କରି ଉକ୍କୋ ବକୁଥାଏ l

ଏ ସବୁ ନାଟକବାଜି ରାଜ୍ଜି ଆଉ ସହି ପାରିଲା ନାହିଁ l ଉକ୍କୋର ନାକ ଉପରେ ଦୁଇଟା ମୁଥ ଥୋଇଦେଲା l ହାତରୁ ଟମାଟ ରଙ୍ଗର ଲାଲ୍ ଚୁଡି ସବୁ ଭାଙ୍ଗିଗଲା l ଏବେ ଖାଲି ହାତ l ଉକ୍କୋର ପଞ୍ଜରା ହାଡ ଉପରେ ତାର ବଳିଲା ଖାଲି ହାତର ଆଘାତ ଲାଗିଲା l ନାକ ଫାଟିଯାଇ ଝରଝର ରକ୍ତ ବୋହିବାରେ ଲାଗିଲା l  ଏବେ ଉକ୍କୋର ଆକ୍ଷିରେ ରାଗ ଆଉ ଘୃଣାର ଭାବ l ରାଜ୍ଜି ଦୁଃଖରେ କାନ୍ଦି କାନ୍ଦି ନିଜ ଘର ଖଟ ଉପରେ ଲୋଟି ପଡିଲା l ଭିକ୍କୋ ଆଉ ରାଜ୍ଜିର କୋଠରୀ ଭିତରେ ଆଉ ଦଶଟି କୋଠରୀ l ଦୂରରେ ଥିବାରୁ ଭିକ୍କୋ ଏ ସବୁ ଘଟଣାର କିଛି ସୁରାକ ପାଇବାର ସୁଯୋଗ ହିଁ ନ ଥିଲା l ରାଜ୍ଜିର ମାଉସୀ ଉକ୍କୋକୁ ନରମ କଣ୍ଠରେ ଶୋଇ ପଡିବା ପାଇଁ ଡାକୁଥିଲା ଏବଂ କହୁଥିଲା “ତୁ ଆଗ ଶୋଇପଡ, ଉଠିଲେ ଖାଇବୁ l” ଜିଭା ଖାଇସାରି ବଡ ବିଡିଟେ ଟାଣିବାରେ ଲାଗିଥାଏ l ଖାଇସାରି ସେ ଚାଲି ଯାଇଥାଏ l ଉକ୍କୋ ମଶିଣାଟେ ଟାଣି ଆଣି ତା ଉପରେ ଶୋଇବାର ଉପକ୍ରମ କରୁଥାଏ l ରାଜ୍ଜିର ମାଉସୀ ପେଟ ପୁରା ଖାଇସାରି ଦ୍ୱି – ପହରେ ଶୋଇବା ଅଭ୍ୟାସ, ହେତୁ ଶୋଇ ପଡିଲା l କାରଣ ରାତିରେ ସମୁଦ୍ରରେ ଜୁଆର ଆସିଲେ ମାଛ ସଂଗ୍ରହ କରିବାକୁ ହେବ l ଶେଯ ଧରୁ ଧରୁ ବୁଢୀ ଘୁଙ୍ଗୁଡି ମାରିବା ଆରମ୍ଭ କରି ଦେଇଥାଏ l

ହେମନ୍ତ ଋତୁ ଶେଷ ହୋଇ ଆସୁଥାଏ l ହେମାଳ ପବନରେ ଧୂସର ଅପରାହ୍ନ ତନ୍ଦ୍ରାଛନ୍ନ l ମନେ ହେଉଥାଏ ସାରା ଗାଁ କ୍ଲାନ୍ତ ହୋଇ ଦ୍ୱି – ପହରେ ଘୁମାଇ ପଡିଛି l ବାଡି ବଗିଚା ସବୁ ନିସ୍ତବ୍ଧ l  ରାଜ୍ଜି ତା ଓଦା ପୋଷାକରେ ଏତେବେଳ ଯାଏ ଶୋଇ ପଡିଥିଲା l ଉଠି ପଡି ସେ ସବା ଶେଷ ବଖରାକୁ ଓଦା ପୋଷାକ ବଦଳେଇବା ପାଇଁ ପହଞ୍ଚିଲା l ଭିକ୍କୋ ତାକୁ ଦେଖି କହିଲା, ଏତେ ଡେରି କାହିଁକି କରୁଛୁ ? ଶେଯରୁ ଉଠି ପଡି ହଠାତ୍ କବାଟ ଭିତର ପଟୁ ବନ୍ଦ କରିଦେଲା l

ଦେଖ୍ ଏମିତି କଣ କରୁଛୁ ? ରାଜ୍ଜିର କଥା ନ ସରୁଣୁ ତାକୁ ଆଲିଙ୍ଗନ କରି ଜଡେଇ ଧରିଲା l ତା ଦେହରେ ଓଦା ଲୁଗା ଲାଗି ରହିଥାଏ l ତା ଠୁଁ ଖସି ଯିବା ପାଇଁ ତାକୁ ବିଧା ମାରିଲା ରାଜ୍ଜି ଓ ଶେଯ ଉପରେ ପଡିଗଲା ଓ କହିବାରେ ଲାଗିଲା ମୁଁ ଏବେ ମୋଟୀ ଦେଖା ଯାଉଛି l ନୁହେଁ ? ତାହେଲେ ଏତେ ବର୍ଷ ପରେ କାହିଁକି ଫେରିଲୁ ? ତୁ ନିଜେ ତ ଗୋଟାଏ ଜାହାଜ ଭଳି ଫୁଲି ଗଲୁଣି l ମଲମ ନିଜ ଆୟତ୍ତରେ ନ ଥାଏ l ତାର ସଂଯମର ବନ୍ଧ ଭାଙ୍ଗିଯାଇଥାଏl

ଭୋକିଲା ଉକ୍କୋ ଶୋଇବା ପାଇଁ ଚେଷ୍ଟା କରୁଥାଏ l ହଠାତ୍ ତାର କିଛି ଖାଇବା ପାଇଁ  ଇଛା ହେଲା l ବିଛଣା ଚାଦରକୁ ଆଡେଇ ଦେଇ ସିଏ ଠିଆ ହେଲା l ରାଜ୍ଜିର ବୁଢୀ ମାଉସୀ ବାଟ ଘରେ ଶୋଇଥିଲା l ଉକ୍କୋ ଚୁପଚାପ୍ ବଗିଚା ବାଟ ଦେଇ ଜେଟୀ ଆଡକୁ ଆଗେଇଲା l ତାର ଯିବା ବାଟରେ ରାଜ୍ଜିର ଶୋଇବା କୋଠରୀର ଝରକା l “ମୋର ଏଠି ଆଉ ରହିବା ଦରକାର ନାହିଁ l ମୋତେ ହାତ ଉଠେଇ ଆଜି ବାଡେଇଲା l ଆଉ ତା କଥା ଶୁଣିବି ନାହିଁ l” ରାଜ୍ଜିର ବିଧାରେ ତା ନାକ ଫାଟିଯାଇ ଯନ୍ତ୍ରଣା ହେଉଥାଏ l ରାଜ୍ଜିର ଘରୁ ବାହାରିଯିବା ସମୟରେ ତା କଣ୍ଠ ସ୍ୱର ମାଲମକୁ ବାରଣ କରୁଥିବା କଥା ଉକ୍କୋ କାନରେ ପଡୁଥାଏ l ସେ ଶୁଣୁଥାଏ , “ବର୍ତ୍ତମାନ ନୁହେଁ, ରାତି ଯାଏ ଅପେକ୍ଷା କର” ଓ ମଲମର ବାହୁ ବନ୍ଧନୀରୁ ଖସିଯିବା ପାଇଁ କାମୁଡି ଦେଉଥାଏ l  ଭିକ୍କୋ କବଳରୁ ଖସିବା ବେଳେ ତାର ଚୋଲି ଛିଡି ଯାଇଥାଏ l ଭିକ୍କୋର ଶେଯ ଉପରେ ରାଜ୍ଜି ସହ ଦିନର ସ୍ୱଳ୍ପ ଆଲୋକିତ କକ୍ଷରେ ଟଣା ଓଟରାର ଦୃଶ୍ୟ ଦେଖି ଉକ୍କୋର ଦେହରୁ ଝାଳ ବୋହୁଥାଏ ଓ ଦେହ ସାରା ଉଲୁସି ଉଠୁଥାଏ l ଜୋର୍ ଜୋର୍ ପାଦ ପକାଇ ସେ ସେଠାରୁ ପଳେଇଗଲା l  ଇତି ମଧ୍ୟରେ ରାଜ୍ଜି ନିଜକୁ ଭିକ୍କୋ କବଳରୁ ମୁକ୍ତ କରି ଗାଳି ଦେବା ଆରମ୍ଭ କରିଥାଏ l “ତୁ ବଜ୍ଜାତ୍ l  ଏତେ ଦିନ ଯାଏ ମୁଁ ମନେ ପଡୁ ନ ଥିଲି, ବର୍ତ୍ତମାନ କେବଳ ତୁ ମୋର ଦେହକୁ ଚାହୁଁ l ତୁ ମୋ ନୂଆ ପୋଷାକ ନଷ୍ଟ କରିଦେଲୁ l  ନିଜକୁ କଣ ଭାବଛୁ କି? ଯଦି ମୋତେ ଛୁଇଁବାକୁ କିମ୍ବା ମୋ ପାଖରେ ଶୋଇବାକୁ ଚେଷ୍ଟା କରିବୁ, କି ମୋ ପାଖ ମାଡିବୁ, ତୋତେ କାଟି ଲଙ୍କା ଗୁଣ୍ଡ ସହ ମିଶାଇ ଦେବି l ”

ଉକ୍କୋ ଭଳି ମଜବୁତ୍ ମରଦକୁ ରାଜ୍ଜି ଜବତ୍ କଲା ଭଳି ଶାରୀରିକ ଶକ୍ତି ଆଗରେ ଭିକ୍କୋ ମଲମ କିଛି ବି ନୁହେଁ l ମଲମ କବଳରୁ ନିଜକୁ ବଞ୍ଚେଇ ଦେହର ଲୁଗା ପଟା ସଜାଡି କବାଟ ଖୋଲି ତରବରରେ ମଲମ କୋଠରୀରୁ ବାହାରି ଆସିଲା ରାଜ୍ଜି l ଗୋଟାଏ କାମୋନ୍ମତ୍ତ ଷଣ୍ଢ ଭଳି ମଲମ ଖଟରୁ ତଳକୁ ଖସି ପଡିଥାଏ l ରାଜ୍ଜି ପାଖକୁ ଯିବା ପାଇଁ ତାର ଆଉ ସାହସ ନ ଥାଏ l ରାଜ୍ଜି ମନେ ମନେ ଭାବୁ ଥାଏ, କୋଡିଏ ବର୍ଷ ପରେ ଫେରୁଥିବା ମରଦର ରାତି କି ଦିନ ସମୟ ଜ୍ଞାନ ରହିବା ଆବଶ୍ୟକ l ଆଉ ଥରେ ପାଖକୁ ଆସିଲେ ତାକୁ ମାରିଦେବି l

ଦିନ ଦୁଇଟା ପାଖାପାଖି ଜେଟୀରେ ବଡ କୋଳାହଳ ଶୁଭୁଥାଏ l ସାଇବେରୀୟ ସାରସ ଏଣେତେଣେ ଦିଗହରା ହୋଇ ଉଡୁଥାନ୍ତି l କାଦୁଆ ପାଣିରେ ତାଙ୍କ ପାଇଁ କିଛି ଖାଦ୍ୟ ନ ଥିଲା l ବୋଧହୁଏ, ପାଖରେ ସାମୁଦ୍ରିକ ପକ୍ଷୀ ପରିଷ୍କାର ପାଣିରେ ଚଞ୍ଚୁରେ ଖାଦ୍ୟ ଖୋଜୁଥିଲେ l ଏତିକି ବେଳେ ବଡ ଛଞ୍ଚାଣ କୋଉଠୁଁ ଆସି ଝାମ୍ପି ପଡିଲା l ତାର ଆକ୍ରମଣରେ ପକ୍ଷୀଟିର ଡେଣାରୁ ଝରୁଥିବା ପର ଶୀତ ଦିନର ଶୁଖିଲା ପବନରେ ଇତଃସ୍ତତ ଭାବେ ଉଡିଲେ l ହଂସରାଳିମାନେ ମଧ୍ୟ ସେଇ ପକ୍ଷୀମାନଙ୍କର କରୁଣ ଚିତ୍କାର ସହ ସ୍ୱର ମିଳାଇ ଚକ୍କର କାଟିବାକୁ ଲାଗିଲେ l ସାମୁଦ୍ରିକ ଚିଲ ପକ୍ଷୀ ଶିକାରକୁ ଧରି ପାଖ ଜଙ୍ଗଲକୁ ଉଡିଗଲା l ବିଚଳିତ, ଅସ୍ଥିରମନା ଉକ୍କୋ ଡଙ୍ଗା ପଟା ଉପରେ କଡ ଲେଉଟାଉ ଥାଏ l ଅଦୂରର ଗାଁ ଘର ଛାତ ଉପରର ମାଂପୋଲର ଟାଇଲ ସବୁ ଉକ୍କୋର ଲାଲ ଆକ୍ଷି ଭଳି ଦେଖାଯାଉଥିଲେ l

ରାତିର ଅଶୁଭ ମୁହୁର୍ତ୍ତ l ଖଣ୍ଡିତ ଚନ୍ଦ୍ର ଦିଗବଳୟକୁ ଢଳି ପଡିଥାଆନ୍ତି l  ଘନ କୁହୁଡି l ଥଣ୍ଡା ପବନ ସହ କାକର ପଡୁଥାଏ l ଅଲୋଡା, ଝରା ପାଣି, ଉକ୍କୋ ତିନି ତିନିଟା କମ୍ବଳ ଘୋଡି ହୋଇ ଡଙ୍ଗା ଉପରେ ପ୍ରଚୁର ମଦ ପିଉଥାଏ l ଭଲ ମନ୍ଦ, ହିତାହିତ ଜ୍ଞାନ ନ ଥାଏ ତାର l ତା ମାଛଧରା ଡଙ୍ଗା ତା ଅଜାଣତରେ ଭାସିଯାଇଥାଏ l ସମୁଦ୍ରର ଗଭୀରତା କେତେ ତାକୁ ଜଣା ନ ଥାଏ l ଏମିତିକି ବଡ ବଡ ଜାହାଜ, ତୈଳବାହୀ ଜାହାଜ ଏତେ ଗଭୀର ସମୁଦ୍ର ଭିତରେ ଯିବା ପାଇଁ ସାହସ କରନ୍ତି ନାହିଁ l ମାନସିକ ଅସ୍ଥିରତା ଭିତରେ ସେ ରାଜି ଆଣ୍ଟିର ଘର ଛାଡି ଥିଲା l ଡଙ୍ଗା ଉପରେ ଦିନ ସାରା ଶୋଇ ରହି ପ୍ରଚୁର ମହୁଲି ମଦ ପିଇ ଥିବାରୁ ଏବେ ତାର ଦେହ ଥରୁଥିଲା l ତା ସାଙ୍ଗକୁ ଦିନ ସାରା କିଛି ବି ଖାଇ ନ ଥିଲା l ତା ଆକ୍ଷିରେ ମଲମ କୋଠରୀର ସେଇ ଦୃଶ୍ୟ l ଖଟ ଉପରେ ରାଜ୍ଜି, ଆଉ ତା ଉପରେ ମଲମ, ତା ମନକୁ ଅହରହ ଆସୁଥିଲା ଓ ତା କ୍ରୋଧର ସୀମା ବେଳକୁ ବେଳ ବଢୁଥିଲା l ତା ମନରେ ହାହାକାର  ଆଉ ଶୂନ୍ୟତା l ଦିନ ସାରା ଜେଟିରେ ଡଙ୍ଗା ରଖି ମଦ ପିଇବା ଫଳରେ ତା ଆକ୍ଷି ମୁଦି ହୋଇ ଆସୁଥାଏ l ସନ୍ଧ୍ୟା ପର୍ଯ୍ୟନ୍ତ ନିଘୋଡ ନିଦରେ ଶୋଇଥିଲା l ନିଦ ଭାଙ୍ଗିବା ବେଳକୁ ଘନ କୁହୁଡିରେ ସବୁ ଝାପସା l ଦୂରର ଗାଁ ସବୁର ଆଲୋକ ଦପଦପ୍ ହେଉଥିଲେ l ଦିଗବଳୟ ଉପରେ ହଳଦିଆ ଜହ୍ନର  ବିଛୁରିତ ଆଲୋକରେ ସବୁ ପାଣ୍ଡୁର l ଚାରିଆଡେ ଗୋଟାଏ ରଙ୍ଗର ଆସ୍ତରଣ l ଦେହ ସାରା ବ୍ୟଥା l ଚାରି ପାଖେ କେହି କୁଆଡେ ନାହାନ୍ତି l ମୁଣ୍ଡ ବୁଲାଉଥାଏ ଓ ମସ୍ତିଷ୍କର ସବୁ ଆଡେ ବାଜେ ଚିନ୍ତା ଏପଟ ସେପଟ ଖେଳୁ ଥାଆନ୍ତି l ତଟ ଦେଶରେ ବଣ୍ୟ ଜନ୍ତୁଙ୍କ ସ୍ୱର ଶୁଭୁ ନ ଥାଏ l ରାଜ୍ଜି ଆଉ ଭିକ୍କୋର ମଧ୍ୟରେ ସଂଗଠିତ ଦୃଶ୍ୟ ତାକୁ ଆନ୍ଦୋଳିତ ଆଉ ବିଚଳିତ କରୁଥାଏ l ତାକୁ ଲାଗୁଥାଏ, ଯଦି ପାରିଥାନ୍ତା,  ରାଜ୍ଜିର ତଣ୍ଟି ଚିପି ମାରି ଦିଅନ୍ତା l  ଡଙ୍ଗାର ମଙ୍ଗ ପାଖରେ ବସି ବିଡି ପରେ ବିଡି ଟାଣୁଥାଏ l ପେଟରେ ବହୁତ ଭୋକ l ଜିଭା ମୋଟା ରାତିର ଉଚ୍ଚ ଜୁଆରରେ ମାଛ ଧରିବା ପାଇଁ ପଲା ମାଛ ସହ ବରଫ ରଖିଥାଏ ସଦାବେଳେ l ସମୁଦ୍ରକୁ ଡଙ୍ଗା ମୁହାଁଇବା ବେଳକୁ ସେ ଭାବୁଥିଲା ଯେ,  ଜିଭା ମୋଟା ଆସିବ ଆଉ ରାଜ୍ଜି ଆସି କେତେବେଳେ ହେଲେ ପହଞ୍ଚିବ l ତା ମୁହଁ ଚାହିଁବା ଦରକାର ନାହିଁ l କଣ ପାଇଁ ବଜ୍ଜାତ୍ ଭିକ୍କୋକୁ ସେ ଭଲ ପାଏ ? କଣ ସେ ଦରିଆ ପାରିରୁ କୋଡିଏ ବର୍ଷ ପରେ ଫେରିବା ଯୋଗୁଁ ?

ସେଇ ସବୁ ଚିନ୍ତାରେ ବିବ୍ରତ ଉକ୍କୋ ବୋଟ୍ ଇଞ୍ଜିନର ହ୍ୟାଣ୍ଡଲ୍ ଟାଣିଲା l ଜହ୍ନ ଆଲୁଅରେ ଡଙ୍ଗାରେ ଜମି ଯାଇଥିବା ଝୁରା ପାଣି ଚିକ୍ ଚିକ୍ କରୁଥାଏ l ଡଙ୍ଗାର ଗତି ବଢାଇବା ସହ ପାଲ ସବୁକୁ ଟାଣି ନେଇ ଡଙ୍ଗାରେ ବସି ରହିଲା l ବିକ୍ଷୁବ୍ଧ ସମୁଦ୍ରର ଗୋଳିଆ ପାଣି ଭିତରେ ଡଙ୍ଗା ଆଗକୁ ଆଗକୁ ଆଗାଉଥାଏ l ଡଙ୍ଗାରେ ସିଏ ଆଜି ଏକା l “କାହାର ସମ୍ପତ୍ତି ମୋର ଲୋଡା ନାହିଁ l  ସମସ୍ତେ ନୀଚ, ସ୍ୱାର୍ଥପର, ବଦମାସ୍ l” ପୁଣି ତା ମନ ଭିତରେ କ୍ରୋଧ ଜାଗି ଉଠିଲା l ଡଙ୍ଗାର ପାଲକୁ ଧରି,ଗତି ବଢେଇ ଦେଇଥାଏ ତା ଅଜାଣତରେ l ମୁଣ୍ଡରେ କେବଳ ରାଜ୍ଜିର ଚିନ୍ତା l ସମୁଦ୍ରର ବିସ୍ତୃତ ଗଭୀର ଅଞ୍ଚଳରେ ପହଞ୍ଚି ଯିବା ପରେ ଦୀର୍ଘଶ୍ୱାସ ନେଲା l ଝରା ଅଲୋଡା ସମୁଦ୍ର ପାଣି ଡଙ୍ଗା ଭିତରେ କ୍ରମଶଃ ବଢୁଥାଏ l ଇଞ୍ଜିନର ଶବ୍ଦ ବି ରୁନ୍ଧି ହୋଇଗଲା ଭଳି ଅବସ୍ଥା l ପୁଣି ଡଙ୍ଗାର ଗତି ବଢେଇବାକୁ ଲାଗିଲା l ଷ୍ଟୋଭ୍ ଜାଳି ମାଛ ଭାଜିଲା l ସେଇ ସିଝା ମାଛ ସହ ମହୁଲି ମଦ ପିଇବାରେ ଲାଗିଲା l ଜିଭା ଅତି କମରେ ଦଶଟି ପାଉଚ୍ ମଦ ରଖିଥିଲା , ଯାହା ଏବେ ବେଶ୍ କାମରେ ଲାଗିଲା l ଖାଇବା ପିଇବାର ମସ୍ତି ଭିତରେ ଡଙ୍ଗା ସମୁଦ୍ରର ଗଭୀରତମ ବିସ୍ତୃତି ଭିତରକୁ ଚାଲି ଯାଉଥାଏ l କ୍ଷୀଣ ଜହ୍ନର ଆଲୋକ ସମୁଦ୍ରର ଅତଳତଳ ଦଳ ଭିତରେ କିଛି ସ୍ଥିର କରି ପାରୁ ନ ଥାଏ, କିଛି ବି କରିବାର ଚାରା ନ ଥାଏ l ଦୂର ଗାଁରୁ ବତୀ ଆଲୋକ ଏବେ ବହୁତ ଦୂର ବତୀଘରର ଆଲୋକ ରେଖାଠୁ ଏବେ ତା ଡଙ୍ଗା ବହୁତ ଦୂରରେ, ତାର ଆଲୋକ ଶିଖା ଦୂର ଦିଗବଳୟରେ ଗାଟିଏ ଛୋଟ ବିନ୍ଦୁ ଭଳି ଦେଖା ଯାଉଥାଏ, ସାମୁଦ୍ରିକ ଛଞ୍ଚାଣର ଲାଲ ଆକ୍ଷି ଭଳି l “କଣ ପାଇଁ ସେ ବଜ୍ଜାତ୍ ଫେରିଲା ? ମୁଁ ରାଜ୍ଜିକୁ ବାହା ହୋଇଥାଆନ୍ତି l ”  ଏଇ ଭଳି ଚିନ୍ତା ପୁଣି ତା ମନ ଭିତରେ ଖେଳିବାକୁ ଲାଗିଥାଏ l ସମୁଦ୍ରର ଉପରସ୍ତର, ଅନ୍ତଃ ସ୍ରୋତର ବିକ୍ଷୁବ୍ଧତାରେ ପ୍ରଭାବିତ, ଡଙ୍ଗା ଟଳମଳl ରାଜ୍ଜିତ ତାର ଯତ୍ନ ନେଉଥିଲା l କେଉଁଠୁ ଆସିଲା ଏଇ ଭିକ୍କୋ ? ଉକ୍କୋର ମନେ ହେଲା ସେ ଡଙ୍ଗାର ଏଇ ଝରା ପାଣି ଭଳି ଅଖୋଜା ଓ ଅଲେଡା, ଘୃଣ୍ୟ, ଗନ୍ଧମୟ l ତାର ମନେ ପଡୁଥାଏ ମାଛ ଧରୁଥିବା ବେଳେ ସେ ଡଙ୍ଗାରେ ଶୋଇଯାଏ l ଏବେ କିନ୍ତୁ ଘରେ ଶୁଏ l ଏବେ ବାହାରେ ବହୁତ ଥଣ୍ଡା l  ଯେତେବେଳେ ଥଣ୍ଡା ଅସହ୍ୟ ଲାଗେ, ରାଜ୍ଜିର କୋଠରୀ ଭିତରକୁ ଯିବା ପାଇଁ ତାର ଇଛା ହୁଏ  l  ମାତ୍ର ରାଜ୍ଜି ଭିତରୁ କବାଟ କିଳି ଶୋଇଥାଏ l  ତାକୁ ନିଦରୁ ଉଠାଇବାକୁ ଉକ୍କୋ ସାହସ କରି ପାରେ ନାହିଁ l ନିଜ କୋଠରୀକୁ ଫେରି ଶେଯ ଉପରେ ଅଜାଡି ହୋଇ ପଡେ l ତା ଆକ୍ଷିକୁ ନିଦ ଆସେ ନାହିଁ l ଅବଶିଷ୍ଟ ରାତି ସେ ଉଜାଗର ରହି ଭାବୁଥାଏ, ରାଜ୍ଜି କଣ ପାଇଁ କବାଟ ବନ୍ଦ କରି ଶୋଇ ରହେ l ସକାଳୁ ରାଜି ସହ ଦେଖା ହେବା ବେଳେ ପଚାରି ଦିଏ, କଥା କଣ ? କଣ ପାଇଁ କବାଟ ବନ୍ଦ କରୁ ? ରାଜି କହେ, ତୁ କେମିତି ଜାଣିଲୁ କବାଟ ବନ୍ଦ ଥିଲା ? ଡେରି ଯାଏ ମାଛ ଧରା କାମ ଥିଲା କି ? ମଧୁର କଣ୍ଠରେ ରାଜ୍ଜି ତାକୁ ତାଗିଦ୍ କରି କହେ l ହଇରେ ଠକ, ବଦମାସ୍ ଭଲ ବାଟରେ ଚାଲ l ସତ କହ, ବାହାରେ କଣ ଏତେ ଶୀତ ? ବଜ୍ଜାତ୍ l ତୋ ଚାଲି ଚଳନ, ହାବଭାବ ମୋତେ ଠିକ୍ ଲାଗୁ ନାହିଁ l ମୋର ଯଦି ପିଲା ଥାଆନ୍ତା,ସେ ତୋ ବୟସର ହୋଇ ସାରନ୍ତାଣି l ତୁ ଗୋଟାଏ ମରଦ ହେଲୁଣି l ଆହୁରି ବଡ ହୋଇ ଯା, ତା ପରେ ମୋ ପାଖକୁ ଆସିବୁ l ସଲ୍ଲଜ ହସ ହସି ଏ କଥା କୁହେ ରାଜ୍ଜି l

ଆଜିକାଲି ଉକ୍କୋ ତାକୁ ଶ୍ରଦ୍ଧାରେ ‘ରାଜ୍ଜିକୀ’ ବୋଲି ଡାକେ l ସେ ରାଗିବାର ଛଳନା  କରି କହେ , “ତୋ ତୁଣ୍ଡକୁ ଲଗାମ ଦେ,” କାହାକୁ ରାଜ୍ଜିକୀ ଡାକୁଛୁ ? ବେଳେ ବେଳେ ମଦ ନିଶାରେ ପାଟି କରେ, ମୋତେ ଶୀଘ୍ର ବାହା ହେଇ ଯା l ମୋର ବୟସ ବଢି ଯାଇଛି l ମୁଁ ଉକ୍କୋ l ତୋ ମର୍ଦ l ରାଜ୍ଜି ତାକୁ ଚୁପ୍ ରହିବା ପାଇଁ କହିବ ଓ ଥଟ୍ଟା ମଜାରେ ବ୍ୟସ୍ତ ରହିବେ l

ଏବେ କିନ୍ତୁ ରାଜ୍ଜି ଚୁପ ଚାପ୍ ଆଉ ଚିନ୍ତିତ ଲାଗେ l କୋଡିଏ ବର୍ଷ ହେଲା ଭିକ୍କୋ ଫେରି ନାହିଁ l କିଏ ଜାଣେ ଫେରିବକି ନାହିଁ ? ବୋଧ ହୁଏ ଆଫ୍ରିକାରେ ଅନ୍ୟ ମାଇକିନିଆ ରଖି ପିଲା ଛୁଆର ବାପ ହେବଣି l ଉକ୍କୋ ଭଲ, ବହୁତ ଭଲ, ତାକୁ ବାହା ହେଇଗଲେ କ୍ଷତି କଣ ? ସେ ଏବେ ଗୋଟାଏ  ଭେଣ୍ଡା-ମରଦl ତାର ଦୁଷ୍ଟାମୀ ପଣ ବାହାରୁଛି l ମୋତେ ବି ସେ ଚାହୁଁଛି ବାହା ହେବା ପାଇଁ l ଏ କଥା ନିଜକୁ ନିଜେ କହି ବହେ ହସେ ରାଜ୍ଜି l ତାକୁ ଏବେ ଅଠଚାଳିଶ ବର୍ଷ, ଆଙ୍ଗୁଠିରେ ଉକ୍କୋର  ବୟସ ହିସାବ କରେ l ତିରିଶି ବର୍ଷ l ମୋ ଠୁଁ ସତର ଅଠର ବର୍ଷ ସାନ l କିନ୍ତୁ ତା ଚେହେରା କହୁଛି, ତାକୁ ଦେଖିଲେ ପଚାଶ  ବର୍ଷ ଭଳି ଲାଗିବ, ବଳିଷ୍ଛ ଓ ବୟସ୍କ l ହେ ଭଗବାନ ! କହି ରାଜ୍ଜି ଦୀର୍ଘଶ୍ୱାସ ମାରେ l

ଦିନେ ସନ୍ଧ୍ୟା ବେଳର ଘଟଣା, ସେମାନେ ଏକାଠି ବସି ମଦ ପିଇବା ବେଳେ ହଠାତ୍ ଉକ୍କୋ ରାଜ୍ଜିକୁ କୁଣ୍ଢେଇ ଧରିଲା – ରାଜ୍ଜି ! ତୁ ମହୁ ଭଳି ମିଠା – କହ, ମୋତେ କେବେ ବାହା ହେବୁ ? ତୁ ଜାଣୁ ମୁଁ ଆଉ ଛୋଟ ପିଲା ଉକ୍କୋ ନୁହେଁ l ରାଜ୍ଜିର ଖୁବ୍ ପାଖରେ ବସିଥାଏ ଉକ୍କୋ l ରାଜ୍ଜି ଗରମ ଚୁଲ୍ଲୀରେ ରୋଟି ତିଆରି କରିବାରେ ବ୍ୟସ୍ତ ଥିଲା l କହିଲା ମୋ ସାଙ୍ଗରେ ଗନ୍ଧିଆ ବ୍ୟବହାର କରନା l ଠିକ୍ ଅଛି, ମୁଁ ତୋତେ ବାହା ହେବି, ହେଲା ? ବର୍ତ୍ତମାନ ପାଇଁ ମୋତେ ଏକଲା ରହିବାକୁ ଦେ l ଉଚ୍ଚ ସ୍ୱରରେ ଏ କଥା ରାଜ୍ଜି କହୁଥାଏ l

ଅନେକ ଦିନ ଧରି ଇକ୍କୋର ଡଙ୍ଗାରେ ବିଭିନ୍ନ ଜାତିର ପ୍ରଚୁର ମାଛ ଧରୁଥାଏ l ପୁରା ଡଙ୍ଗା ଭର୍ତ୍ତି ମାଛ l ରାଜ୍ଜିବି ସ୍ଥିର କରି ସାରିଥାଏ ତାକୁ ବିବାହ କରିବ l ସେଇ ବେଳର ଘଟଣା, ରାଜ୍ଜିର ବାନ୍ଧବୀମାନେ ଆସିଥାଆନ୍ତି, ମାଛ ଧରି ଉକ୍କୋ ଘରକୁ ଫେରିଥାଏ l ତୁ ଗୋଟାଏ ଲମ୍ବା ଚଉଡା, ଚଉହାତିଆ ମରଦ l ତୋ ପାଇଁ ସେମିତି ଗୋଟାଏ ମାଇକିନିଆ ବାଛ l ଆମ ରାଜ୍ଜିତ କିଛି ମନ୍ଦ ନୁହେଁ l ରାଜ୍ଜି ମୁହଁରେ ଶାଢୀର ପଣତ କାନି ପାଟିରେ ଧରି ଉକ୍କୋକୁ ଅନାଇ ରହିଥାଏ l ତା ଛାତି ଭିତରଟାର ଧକଧକ  ବଢିଯାଇଥାଏ l ଉକ୍କୋ କହିଲା, ତୁମେମାନେ ବୋକା l ମୋତେ ରାଜ୍ଜି ବାହା ହେବ ନାହିଁ l ମା ଭଳି ମୋର ଯତ୍ନ  ନେଉଛି l ତା ପରେ ମୋର ଗୋଟାଏ ଟୋକି ବୋହୁ ଦରକାର l  ତା ଛଡା ରାଜ୍ଜିତ ଗୋଟାଏ ପର୍ତ୍ତୁଗୀଜ୍ ଜାହାଜ ଭଳି ମୋଟୀ , ମୁଁ ତାକୁ ଠିକ୍ ଭାବରେ କୁଣ୍ଢେଇ ପାରିବି ନାହିଁ l

ରାଜ୍ଜିର ମୁହଁ ଶୁଖିଗଲା l ଅବଶ୍ୟ ଉକ୍କୋ ମଜାରେ ଏ କଥା କହିଥିଲା l ତାପରେ ରାଜ୍ଜି ଅଭିମାନରେ ଉକ୍କୋ ସାଥିରେ ଦୁଇ ତିନି ଦିନ ଯାଏଁ କଥା ହେଲା ନାହିଁ l ଉକ୍କୋର ଖୋସାମତ, ଫୁସୁଲା ଫୁସୁଲି ପରେ ତାର ଗୁମାନ ଭାଙ୍ଗିଲା l

ତୁ ମୋତେ ବାହା ହେବାକୁ କହି ଥିଲୁ ନା ? ତୁ ବଦମାସ୍, ବଜ୍ଜାତ୍ l ରାଗରେ କହିଲା ରାଜ୍ଜିl

ଆ ମୁଁ ରାଜି ଅଛି l ସାଙ୍ଗେ ସାଙ୍ଗେ ବାହା ହୋଇ ପଡ l କୂଅରୁ ପାଣି କାଢି ଆଣୁଛି l ବାହାଘର କାମ ସାରିଦେବା l ସେଇଥିରେ ତୁ ଶାନ୍ତି ପାଇବୁ l ଉକ୍କୋ ତାକୁ ଟାଣି ଧରିଲା l ଆଉ ରାଜ୍ଜି ତା ହାତ ମୁଠାରୁ ଖସି ଆସିଲା l ସକାଳର କେତକୀ ପାଖୁଡା ଭଳି ଶେତା ପଡିଗଲା ରାଜ୍ଜି l ସେ କହିବାକୁ ଲାଗିଲା, ହଁ,  ହଁ ମୁଁ ତୋତେ ହିଁ ବାହା ହେବି l

ଉକ୍କୋ ଅନୁଭବ କଲା, ସମୁଦ୍ରର ଅତଳ ତଳ, ଗଭୀରତମ ଜାଗାରେ ସିଏ ଏବେ l ଡଙ୍ଗାର ଇଞ୍ଜିନ୍ ଅଚଳ l ତଳ ପାଖରେ ଝୁରାପାଣି ଦେଖି ସେ ଆଚମ୍ବିତ ହେଲା l ଚାରି ପଟେ ନିସ୍ତବ୍ଧତା l ପୁଣି ଡଙ୍ଗାର ଉପରି ଭଗକୁ ଆସି ସମୁଦ୍ରରେ ଲଙ୍ଗର ପକେଇଲା l ମଇଳା ବିଛଣା ଗୋଟାଇ ରଖିଲା l ହାତରେ ମଦ ପାଉଚ୍ ଓ ସିଝା ମାଛ ଧରି ବସି ପଡିଲା l ମୁଣ୍ଡ ଉପରେ ଆକାଶରେ ହଳଦିଆ ଜହ୍ନ l ଚାରିଆଡେ ସୀମା ହୀନ ଜଳର ବିସ୍ତୃତ l ଦିଗ ହରା, ଦିଶା ହରା l

ଭିକ୍କୋ ମଲମର ବ୍ୟବହାରରେ କ୍ଷୁବ୍ଧ ଥିଲା ରାଜ୍ଜି l ସନ୍ଧ୍ୟା ସାରା ଉକ୍କୋକୁ ଖୁଆଇବା ପାଇଁ ଚାରିଆଡେ ଖୋଜୁଥାଏ l ସମୁଦ୍ରରେ ଭଟ୍ଟା କମିଯାଇ, ପରସ୍ତ ପରସ୍ତ ଜୁଆର ମାଡି ଆସୁଥାଏ l ଜେଟିର ଆଖପାଖରେ ଯିଏ ତା ହାବୁଡେ ପଡିଲା ତାକୁ ଅନୁନୟ ବିନୟ ହୋଇ ଉକ୍କୋ କଥା ପଚାରୁଥାଏ l କହୁଥାଏ, “ତାକୁ ଦେଖିଲେ ଖାଇବା କଥା ମନେ ପକାଇବ, ବଜ୍ଜାତଟା ଭାରି ମନୁଆ ”l ରାତି ବଢୁଥାଏ l ଭିକ୍କୋ ମଲମ  ଆଉ ରାଜ୍ଜିର ବୁଢୀ ମାଉସୀ ପିଇବାରେ ବ୍ୟସ୍ତ l ରାଜ୍ଜିର ଉକ୍କୋ ପାଇଁ ବ୍ୟସ୍ତତା ଦେଖି ଭିକ୍କୋର ରାଗ ବଢୁଥାଏ l ତାକୁ ହତାଶ ବୋଧ ଘାରିଥାଏ l ସକାଳୁ ସିଏ ଗାଁ ଆଡେ ଯାଇଥିଲା l ଦ୍ୱି - ପହରେ ଶୋଇବା ପୂର୍ବରୁ ରାଜ୍ଜି ସାଙ୍ଗେ ଗଣ୍ଡଗୋଳ l “ବଜ୍ଜାତ୍ ମାଇକିନିଆ l ଉକ୍କୋ ପାଇଁ କେତେ ବ୍ୟସ୍ତ l ତାକୁ ଧରି ଶୋଉଛି ବୋଧେ ?” ଗାଁରେ ପୁରୁଣା ସାଙ୍ଗ ସାଥି ତାର ଦେଖା ହେଲେ l ବହୁତ ଦିନ ପରେ ଦେଖି ଖୁସି ହେଲେ l ପିଇବା ପାର୍ଟି ଚାଲିଥିଲା l ଡେରିରେ ଫେରିଲା l କିଏ ଜଣେ କହୁଥିଲା, ରାଜ୍ଜି ଉକ୍କୋକୁ ତାର ମରଦ କରି ରଖିଛି l ତାର ମଗଜକୁ ରାଗ ଉଠି ଯାଉଥାଏ l ଡେରି ରାତି ଯାଏ ମଦରେ ଭାସିବାକୁ ଲାଗିଥାଏ l ରାଜ୍ଜି ଗୁଣୁଗୁଣୁ ହୋଇ ଘର ବାହାର ହେଉଥାଏ l “କୁଆଡେ ଗଲା ଉକ୍କୋ, ସକାଳୁ କିଛି ମୁହଁରେ ଦେଇ ନାହିଁ l ପୁରା ଭୋକିଲା l ମଦ ପିଇ ଯଦି ଡେରିରେ ବାଟ ଭୁଲି ଯାଏ ?” ରାଜ୍ଜିର ବିଚଳିତ ଭାବକୁ ଭିକ୍କୋ ଲକ୍ଷ୍ୟ କରୁଥାଏ l ଆଗରୁ ତା ମୁଣ୍ଡରେ ପିତ୍ତ ଚଢିଯାଇଥାଏ l “ଦେଖ, ଉକ୍କୋ ପାଇଁ ଏତେ ଚିନ୍ତା l ଯେମିତି ସେ ବଜ୍ଜାତଟା ତା ମରଦ l” ଅଥଚ ନିଜର ବାହା ହେଲା ମରଦ କୋଡିଏ ବର୍ଷ ପରେ ଫେରିଛି, ତା ପାଇଁ ଟିକେ ଚିନ୍ତା ନାହିଁ l କେବଳ ଉକ୍କୋ ଆଉ ଉକ୍କୋ l ଖାଲି ତାରି ଚିନ୍ତା l ଅନ୍ୟମାନେ ସମସ୍ତେ ଖାଇ ସାରିଥାନ୍ତି l ଭାବୁଥାଆନ୍ତି ଉକ୍କୋ ଡେରିରେ ଆସିବ l ସମୁଦ୍ରରେ ଜୁଆର ବି କମିଯାଇଥାଏ l ସବୁ ମାଛୁଆ ଫେରି ଆସିଥାନ୍ତି l କେବଳ ଉକ୍କୋ କି ତା ଡଙ୍ଗାର ଦେଖା ନାହିଁ l ଜେଟିରେ ଥିବା ଲୋକମାନେ କହୁଥିଲେ ଉକ୍କୋ ତା ଡଙ୍ଗାରେ ଏକୁଟିଆ ଗଭୀର ସମୁଦ୍ର ଭିତରକୁ ଯାଇଛି l “ଏବେ ତ ମାଛ ଧରା କାମ ସରି ଗଲାଣି l ସମସ୍ତେ କୂଳକୁ ଫେରି ଆସିଲେଣି l ତାକୁ ଖୋଜିବାକୁ ସମୁଦ୍ର ଭିତରକୁ କିଏ ଯିବ ?” ଜିଭୋ ମୋଟା କହିଲା l ରାଜ୍ଜି ଛାତି ଭିତରଟା କଣ ହେଇଗଲା l ସେ ପୁରା ସ୍ତମ୍ଭୀଭୂତ ହୋଇ ବସି ପଡିଲା l ଏଇ ବିଷୟରେ ରାତି ସାରା ଆଲୋଚନା ଚାଲି ଥାଏ l ସମସ୍ତଙ୍କ ଭିତରେ ଗୋଟାଏ ଅଜଣା ଆଶଙ୍କା l “ସକାଳେ ଯଦି ତା ଦେଖା ମିଳେ, ତାକୁ ଆମେ ସାବାଡ କରିବୁ l ସେତେବେଳେ ଆମକୁ ଆଉ ଅଟକେଇବ ନାହିଁ ରାଜ୍ଜି l” ଏଇ ଭଳି କଥା ସବୁ କହି ଯେ ଯା ବାଟରେ ଘରକୁ ଗଲେ l ନିଦ ଭିତରେ ଯେମିତି ଗୋଟାଏ ଘନ କଳା କୁହୁଡି ଦେଖି ପାରୁଥାଏ ରାଜ୍ଜି l

ଉକ୍କୋର କୋଠରୀ ଭିତରେ ଶୋଇପଡିଲା ରାଜ୍ଜି l ତା ଆକ୍ଷି ଲୁହରେ ଭର୍ତ୍ତି l ପାଖରେ ତା ବୁଢୀ ମାଉସୀ ଶୋଇଥାଏ l ଏଣେ ରାଜ୍ଜିକୁ ତା କୋଠରୀରେ ଅପେକ୍ଷା କରିଥାଏ ଭିକ୍କୋ l ଶୋଇବାକୁ ଚେଷ୍ଟା କରୁଥାଏ l ବଦମାସ ମାଇକିନିଆ l ତା ଚୁଟି ଧରି ନିସ୍ତୁକ ପିଟିବି l ତା ପରେ ଦେଖିବି ମୋ ପାଖରେ ଶୋଇବକି ନାହିଁ l ବେଶ୍ୟା , ସେ ବଦମାସ୍, ଅପଦାର୍ଥ ଝରା ପାଣିକୁ ଘଇତା କରି ରଖିଛି l କିନ୍ତୁ ରାଜ୍ଜି ତା କୋଠରୀକୁ ଆସିଲା ନାହିଁ l ଉକ୍କୋ ଘରେ ଭିତରୁ ବନ୍ଦ କରି ଶୋଇ ରହିଲା l  ଡ୍ରଇଂ ରୁମରେ ତା ମାଉସୀ ଶୋଇ ରହି କାନ୍ଦୁ ଥାଏ l ରାଜ୍ଜି ଦିନ ସାରା କାମ ପାଇଁ କ୍ଲାନ୍ତି ଅନୁଭବ କରୁଥାଏ ଓ ମନେ ମନେ ଭାବୁଥାଏ, “ଭାଡୁଆ କୋଉଠିକାର, କୋଡିଏ ବର୍ଷ କାଳ ଆଫ୍ରକାର ବେଶ୍ୟାକୁ ଧରି ରହିଲା l ଦିନେ ବି ମନେ ପକାଇଲା ନାହିଁ  l ଏବେ ଆସି କେଉଁଠୁ ପହଞ୍ଚି ମୋ ସୁଧାର ଉକ୍କୋକୁ ଅଲୋଡା, ଅଖୋଜା ଚୋର ବୋଲି ଗାଳି କରୁଛି l” ଯେତେବେଳେ ଖବର ଆସିଲା, ଉକ୍କୋ ଡଙ୍ଗା ସହ ଫେରାର ହେଇଯାଇଛି, ତାର କୌଣସି ପତ୍ତା ନାହିଁ, ଭିକ୍କୋର ରାଗ ପଞ୍ଚମ ସୀମାରେ ପହଞ୍ଚିଗଲା l ସେ ମାଦରଚୋଦକୁ କାହିଁକି ରଖିଛୁ ? ଚୋର ବଦମାସ୍, ତୁ ତାକୁ ଧରି ଶୋଉଛୁ ତ, ତା ପାଇଁ ବ୍ୟସ୍ତ ହେଉଛୁ l ନ ହେଲେ ଏତେ ଚିନ୍ତା କାହିଁକି ? ତୁ କାହିଁକି ଭାବୁନୁ ଯେ ମୋର ସବୁଠାରୁ ମଜବୁତ୍ ଆଉ ଦାମିକା ମାଛ ଧରା ଡଙ୍ଗା ନେଇ ସିଏ ପଳେଇ ଗଲା ? ମୋତେ ବୋକା ବୋଲି ଭାବନା l ସେ ଫେରୁ l ମୁଁ ତାକୁ କାଟି ସଫା କରି ଦେବି l ରାଗରେ ଭିକ୍କୋ ଗର୍ଜନ କରୁଥାଏ l

ରାଜ୍ଜିବି ଛାଡିବା ଲୋକ ନୁହେଁ l “ତୁ ତା ଦେହରେ ହାତ ଦେ ତ ଦେଖିବୁ l ମୁଁ ତୋ ଆଗରେ ଠିଆ ହୋଇଛି l ତା ଦେହରେ ଟିପ ଲଗେଇବାକୁ ସାହସ କର l ସିଏ ମୋତେ ରଖିବାକୁ କିଏ ? ମୁଁ ତାକୁ ରଖିଛି, ଆଉ ସାତ ଜନ୍ମ ପାଇଁ ରଖିବି l”

ଦୁଇ ଜଣଙ୍କ ଭିତରେ ଉଚ୍ଚବାଚ, କଳି ବଢିବାକୁ ଲାଗିଥାଏ l

ଏବେ ଉକ୍କୋ ବଦମାସ୍, ଠକ ହୋଇଗଲା l ତୋ ନିଜ କଥା ଦେଖ୍ l ତୁ ହେଉଛୁ ଠକ, ତୁ ନିଜେ ପାଜି, କୋଡିଏ ବର୍ଷ ଧରି କୋଉଠି ମରିଥିଲୁ ? ବାହାରେ ରହି ପାରିଲୁ ନାହିଁ, ସେଥିପାଇଁ ଫେରି ଆସିଲୁ l ମୁଁ ଦେଖୁଛି ସକାଳୁ ସକାଳୁ ନିରୀହ ପିଲାଟାକୁ ବସେଇ ଉଠେଇ ଦେଉ ନାହୁଁ l ତୋ ଭିତରେ କୋଉ ମରଦପଣିଆ ଥିଲା, ଯେତେବେଳେ ଲିସବନ ଆଉ ମୋଜାମ୍ବିକରେ ଦୁଆର ଦୁଆର ବୁଲୁଥିଲୁ l ଥରେ ହେଲେ ମୋତେ ସାଙ୍ଗରେ ନେବା କଥା ଭାବିଥିଲୁ ? ବଜ୍ଜାତ୍, ମୋ ଘରୁ ବାହାର l ତୋ ଜାହାଜ ନେ l ତୋ ପୁରେଇ ହଲେଇବୁ l ଉକ୍କୋ ହେଉଛି ମୋ ମରଦ l ଠାକୁର ଭଳି, ସୁନା ମୁଣ୍ଡା l ଏତେ କମ୍ ବୟସରୁ ଜାହାଜ, ଡଙ୍ଗା, ଘର, ମୋର ସବୁ ଦେଖାଶୁଣା କରୁଛି l ତାର କେହି ନାହାନ୍ତି l ତା ଅଭିଶାପରେ ତୁ ପୋଡିଯିବୁ l ବଡ ପାଟିରେ ରାଜ୍ଜି କହୁଥାଏ l ତା ଆକ୍ଷିରୁ ଲୁହ ବହି ଯାଉଥାଏ l ମୁଁ ତୋର ମାଇପ ନୁହେଁ, ତୁ ମୋର ମରଦ ନୁହଁl ମୋ ଘରୁ ବାହାରିଯା l ତୁ ସେ ପିଲାଟା ପଛରେ ସକାଳୁ ପଡିଛୁ l ମାର ନା ମାର ତା ଉପରେ l ତୁ ଗୋଟାଏ ବିଷ ବୃକ୍ଷ l ଏତେ ବର୍ଷ ଧରି ଆଫ୍ରିକାଣୀ ମାଇକିନିଆକୁ ରଖି ତୁ ଧର୍ମ ଛଡା ହେଇଯାଇଛୁ l ସେ ଉକ୍କୋ ଘରକୁ ମୁହାଁଇବା ବେଳେ କହୁଥାଏ, ମୁଁ ତା ମାଇପ ନୁହେଁ କି ସେ ମୋର ମରଦ ନୁହଁ, ତଥାପି ଆମେ ଏକାଠି ରହିବୁ, ଜୀବନ ଥିବା ଯାଏଁ l ଆମେ ଏକାଠି ଖାଉଛୁ, ଏକାଠି ମଦ ପିଉଛୁ, ଆଉ ଏକାଠି ବି ଲୁହ ଢାଳିବୁ l କିନ୍ତୁ ତୁ ଯଦି ଆଉ ଥରେ ତା ନାଁରେ ପଦୁଟିଏ କହୁ, ତୋ ଜୀବନରେ ମୋଠୁଁ ଭଳି କେହି ଖରାପ ହେବେ ନାହିଁ l ରାତା ରାତି ବଡ ଲୋକ ହୋଇଥିବା ଲୋକ ତୁ, ନଷ୍ଟ ଚରିତ୍ର l କାହିଁକି ଏଠିକୁ ଫେରିଲୁ ? ରାଜ୍ଜି ଛଡା ତା ମାଉସୀ ବି ଭିକ୍କୋକୁ ଗାଳି କରିବା ଆରମ୍ଭ କରି ଦେଇଥିଲା l ଜାହାଜ, ଘର ଏସବୁ ରାଜ୍ଜିର ସମ୍ପତ୍ତି l ତୁ ଯୁଆଡୁ ଆସିଥିଲୁ, ସିଆଡେ ପଳା ବଜ୍ଜାତ୍ l ତୁ ତୋର ବାଟ ଧର l ତାର ବାଟ ଅଲଗା l କୋଡିଏ ବର୍ଷ କାଳ ସିଏ ଏକୁଟିଆ ଥିଲା l ଏବେ ତା ପାଇଁ କିଛି ଫରକ ପଡିବ ନାହିଁ l ତୁ ଏଠୁ ଗଲେ ଆମର ଅସୁବିଧା ରହିବ ନାହିଁ l ଭିକ୍କୋ ମଲମ ସ୍ତମ୍ଭୀଭୂତ ହୋଇ ଚୁପ୍ ହୋଇଗଲା l

ଘରେ ଜଳୁଥିବା ଲଣ୍ଠନଟା ପୁରା କଳା ପଡି ଯାଇଥାଏ l ରାଜ୍ଜିର ଲୁହ ଦୁଃଖ ଆଉ ତିକ୍ତତାରେ ଭରା l ପୁଣି ଲୁଣିଆ ଓ ବିଷାକ୍ତ l “ବଜ୍ଜାତ୍ ଏବେ ଗୋଟାଏ ଜାହାଜର କପ୍ତାନ୍ l କିନ୍ତୁ ଡଙ୍ଗାର ଝରା ପାଣଠୁଁ ବି ହୀନ, ଅଲୋଡା l ଗଭୀର ସମୁଦ୍ରରେ ତା ଜାହାଜ ବୁଡୁ l ନିହାତି ଅପଦାର୍ଥ l” ରାଜ୍ଜି ଉକ୍କୋ ପାଇଁ ବହୁତ ବ୍ୟସ୍ତ ହେଉଥିଲା l ସାରା ଗାଁଟାକୁ ରାଜ୍ଜି ପାଇଁ ସାମ୍ନା କରିବାକୁ ବାହାରି ପଡେ l ସେ ନ ଥିଲେ ଏକୁଟିଆ ମାଇପି ଲୋକଟା କଣ କରି ଥାଆନ୍ତା ? ଗଳାରେ କେବେଠାରୁ ଦଉଡି ଲଗାଇ ସାରନ୍ତାଣି l ବଦମାସ୍ ଉକ୍କୋ କଣ କମ୍ ନିର୍ବୋଧ l ସବୁଦିନ ପାଇଁ ସେ ଘମତ୍, ବୋକା l ମୋତେ ବାହା ହେବା ପାଇଁ ଅନୁମତି କଣ ଦରକାର ? ମୋତେ ଜବରଦସ୍ତ୍ ଶେଯ ଉପରକୁ ଉଠାଇ ନେଇଥିଲେ ଆପତ୍ତି ନ ଥିଲା l ସବୁ ଦିନେ ସରଳ, ନିଷ୍କପଟ l ମୋ ପ୍ରତି ତାର ଭୟ ମିଶା ସମ୍ଭ୍ରମ ଥିଲା l ସେଇଥି ପାଇଁ ସେ କାମ କରିବା ପାଇଁ ପଛଉ ଥିଲା l ମନେ ମନେ ରାଜ୍ଜି ହସିଲା l ଏଥରକ ଫେରି ଆସୁ, ତାକୁ ନିଜେ ଶେଯ ଉପରକୁ ମୁଁ ଟାଣି ନେବି l ଭଗବାନ ଜାଣନ୍ତି କଣ ପାଇଁ କୋଡିଏ ବର୍ଷ ମୁଁ ନଷ୍ଟ କରିଦେଲି l ମୁଁ ତାକୁ ବିବାହ କରିଥିଲେ ଜାତି ଭାଇରେ କିଏ ମୋର କଣ କରିଥାନ୍ତା ? ରାଜ୍ଜିର ଉକ୍କୋ ପାଇଁ ବ୍ୟାକୁଳତା ବଢିଗଲା l ବର୍ତ୍ତମାନ ସେ ଖୋଜେ ଗୋଟିଏ ମଜବୁତ୍ ମରଦ l ମୋର ବି ବେଶୀ ବୟସ ହେଇନି l ହେଲେ ଡଙ୍ଗା ଧରି ସିଏ ଗଲା କୁଆଡେ ? ସେ ଆଗ ଫେରୁ l ଲୁହରେ ତା କଜ୍ଜଳ ମଖା ଆକ୍ଷି ଲାଲ୍ ପଡିଆସିଲା l

ଭିକ୍କୋ ଶେଷ କୋଠରୀରେ ଶୋଇ ଅବିଶ୍ରାନ୍ତ ପାଇପ୍ ଟାଣୁଥାଏ l ଭାବୁଥାଏ, କୋଡିଏ ବର୍ଷ ପରେ ଫେରିଲେ ବି ମୋତେ ଖାତିର ନାହିଁ l ଆମ ସମଦ୍ର କୂଳର ସ୍ତ୍ରୀ ଲୋକମାନେ କେଉଁ ଧାତୁରେ ଗଢା ? ମାଲବାର ଅଞ୍ଚଳର ସ୍ତ୍ରୀଲୋକମାନେ ଏମାନଙ୍କ ଠାରୁ ବହୁତ ଭଲ l ଏପରିକି ମୋଜାମ୍ବିକର କାଳି ମାଇକିନିଆ ବି ଭଲ l ସେମାନେ ମରଦମାନଙ୍କୁ ପାଖ ଛଡା ନ କରିବା ପାଇଁ ତାଙ୍କ ଗୋଷ୍ଠୀର ଠାକୁରଙ୍କୁ ପୂଜା କରନ୍ତି l ମରଦମାନଙ୍କର ବହୁତ ଯତ୍ନ ନିଅନ୍ତି l ସେଠି ରହିଥିଲେ ଭଲ ହୋଇଥାଆନ୍ତା l ଜେମସ୍ ବୋଲି ଜଣେ ମୋଜାମ୍ବିକର ସ୍ତ୍ରୀ ଲୋକକୁ ସିଏ ରକ୍ଷିତା କରି ରଖିଥାଏ l ମାଲବାରରେ ମୋପାଲା ଜାତିର ସ୍ତ୍ରୀଟିଏ ବି ଅଛି l ମୋଜାମ୍ବିକ ସ୍ତ୍ରୀ ବିଷୟରେ ମାଲବାରର ରକ୍ଷିତା ଜାଣି ନଥାଏ l ତା ଠୁଁ ଝଗଡା କରି ଭିକ୍କୋ ପଳେଇ ଆସିଥାଏ l ରାତି ପାହିବା ପର୍ଯ୍ୟନ୍ତ ସେ କେବଳ ରାଜ୍ଜି କଥା ଚିନ୍ତା କରୁଥାଏ l ସେ ଚୋର ବଦମାସଟାକୁ ମୁଁ ନଥିବା ବେଳେ ରଖିଛି, ଏ କଥା ନିଶ୍ଚିତ l ତା ଜାହାଜର ନାବିକମାନଙ୍କୁ ଡାକି ସାଙ୍ଗରେ ଆଣିଥିବା ବଡ ଟ୍ରଙ୍କଗୁଡାକ ସଜାଡିଲା l ଏବେ ତୋ ଘର ମୋ ପାଇଁ ଅପବିତ୍ର l ତୋ ପାଣି ମୋ ପାଇଁ ଅଭିଶପ୍ତ l ତୋ ଭଳିଆ ସ୍ତ୍ରୀ ପାଖକୁ ଫେରି ଆସିବା ମୋ ପାଇଁ ନିର୍ବୋଧତା l ତାର ବଡ ଆରବ ଜାହାଜ ଲଙ୍ଗର ପକେଇ ଜେଟିରେ ଥାଏ l ଆଉ ସିଏ ସ୍ଥିର କଲା ଯେ, ରାତି ଅଧରେ ସିଏ ଫେରିଯିବ l ଘରୁ ବାହାରି ଯିବା ପରେ ରାଜ୍ଜି ଶାନ୍ତରେ ନିଃଶ୍ୱାସ ନେଲା l କିଛି କାରଣ ନ ଥାଇ ତା କଳା ଆକ୍ଷି ଲୁହରେ ଭର୍ତ୍ତ ହୋଇଗଲା l ମୁଁ ଉକ୍କୋ ପାଇଁ କୋଡିଏ ବର୍ଷ ଅପେକ୍ଷା କଲି l ସେ ବି ଶେଷରେ ମୋତେ ଠକିଲା l ଉକ୍କୋ ପାଇଁ ତା ମନ ଶ୍ରଦ୍ଧାରେ ଭରିଯାଇଥାଏ l  

ତା ହୃଦୟର କୋଉ ଅଜଣା କୋଣରୁ ଉକ୍କୋ ପାଇଁ ସ୍ନେହ ଝରି ଆସୁଥାଏ l ଉକ୍କୋକୁ ମାଡ ମାରି ତା ନାକ ଫଟେଇ ଦେବା କଥା ବି ମନକୁ ଆସୁଥାଏ l ଭିକ୍କୋ ପାଇଁ ଝମେଲା ହେତୁ ଉକ୍କୋକୁ ସେ ଦୃଷ୍ଟି ଦେଇ ପାରି ନ ଥାଏ l ସକେଇ ସକେଇ କାନ୍ଦୁଥାଏ ରାଜ୍ଜି l ତା ମାଉସୀ ଶିରାଳ ହାତରେ ତାକୁ ପଛପଟୁ କୋଳେଇ ଧରି ଆଶ୍ୱାସନା ଦେଉଥାଏ – ଝିଅ ମୋର ଆଉ କାନ୍ଦନା l ବଦମାସ ଭିକ୍କୋ ଫେରି ଯାଇଛି l ତୁ ଉକ୍କୋକୁ ବାହା ହେବା କଥା ଆଜି ପର୍ଯ୍ୟନ୍ତ କାହିଁକି ଏଡେଇ ଚାଲିଥିଲୁ ? ଆଉ ମୁହୁର୍ତ୍ତେ ଡେରି କରନା l ଗାଁ ବାଲା ତ କଥା ହେଉଛନ୍ତି ତୁ ଉକ୍କୋକୁ ରସିଛୁ l ଏ କଥା ଏବେ ସତ ହେଉ l

ଜେଟିରେ ଭୟଙ୍କର ଭାବରେ ଉଚ୍ଚା ଜୁଆର ଆସୁଥାଏ l ରାତିର ଅନ୍ଧାର ଭିତରେ ଆରବ ଜାହାଜ ଦୂରକୁ ଦୂରକୁ ଚାଲି ଯାଉଥାଏ l ତାର ଆଲୋକ ନିଷ୍ପ୍ରଭ ହୋଇ ଆସୁଥାଏ କ୍ରମଶଃ l ଦୂରକୁ ଇଞ୍ଜିନର ଶବ୍ଦ ଯାହା ଶୁଣା ଯାଉଥାଏ l ଜାହାଜ ଉପରର ଲଣ୍ଠନ୍ ଆଲୋକ ମିଞ୍ଜି ମିଞ୍ଜି ହୋଇ ସମୁଦ୍ର ଭିତରେ ହଜି ଯିବାରେ ଲାଗିଥାଏ l ମନେ ହେଉଥାଏ, ସମୁଦ୍ରର ଅତଳ ଗହ୍ୱରରୁ ପାତାଳର ବିରାଟକାୟ ସାମୁଦ୍ରିକକ ଦାନବର ଜଳନ୍ତା ଆକ୍ଷି l କ୍ରମେ ଜେଟିରୁ ଗଭୀର ସମୁଦ୍ର ଭିତରକୁ ତା ଜାହାଜ ଫେରିଗଲା l

ଅତଳ ସମୁଦ୍ରର କୋଉ ଗୋଟାଏ ଜାଗାରେ, ଉକ୍କୋ ନୌକା ଲଙ୍ଗର ପକେଇ, ସ୍ଥିର ହୋଇଥାଏ, ଯେତେ ଦୂର ସମୁଦ୍ର ଭିତରକୁ ଯିବା ପାଇଁ ଅନ୍ୟ ମାଛ ଧରା ନୌକା ଯିବା ପାଇଁ ସାହସ କରିପାରନ୍ତି ନାହିଁ l ରାତିର ଘନ କୁହୁଡି ବୋଳା ଅନ୍ଧାରରେ ନୌକାର ଆଲୋକ ଭୟଙ୍କର ଲାଲ ଆକ୍ଷି ଭଳି ଦେଖାଯାଉଥାଏ l ପ୍ରଚୁର ମଦ ପିଇଥାଏ ଉକ୍କୋ l ସମୁଦ୍ରରେ ବହୁତ ବଡ ମାଛ ତା ଆକ୍ଷି ଆଗରେ ପଡୁଥାଆନ୍ତି l ରାଜ୍ଜିକୁ ମନେ ମନେ ଅଭିସମ୍ପାତ ଦେଇ ଡଙ୍ଗାର ଦକ୍ଷିଣ ପଟକୁ ମୁହଁ ବୁଲେଇ ଶୋଇଲା l ମନେ ମନେ ଭାବୁଥାଏ ଏବେ ଉକ୍କୋ ଘମାତର ଆବଶ୍ୟକତା କଣ ? ଜନ୍ମ ସମୟରେ ମୋତେ ତ ସମୁଦ୍ର କୂଳ ଦଳ ଭିତରେ ଫୋପାଡି ଦିଆ ହୋଇଥିଲା l ସେତେବେଳେ ଜୁଆରରେ ବୁଡି ମରି ଯାଇଥିଲେ ଭଲ ହୋଇ ଥାଆନ୍ତା, ବଞ୍ଚି ଲାଭ କଣ ହେଲା ? ଉକ୍କୋ ଅନୁଭବ କରୁଥାଏ ଯେ ତା ଜୀବନ ବ୍ୟର୍ଥ, ଅସାର l ପୁଣି ଗଭୀର ବିଷାଦରେ ସେ ବୁଡିଗଲା l

ଦିନର ଘଟଣା ସବୁ ତାକୁ ହତାଶ ଆଉ କ୍ଲାନ୍ତ କରି ଦେଇଥିଲା l ଏତେ ମଦ ପିଇଥିଲା ଯେ, ପାଦରେ ଠିଆ ହେବାର ଶକ୍ତି ନ ଥାଏ l ରାଜି ତା ମନ ଭିତରର ଡଙ୍ଗା ଭିତରକୁ ଝରା – ଦୁର୍ଗନ୍ଧ ସମୁଦ୍ର ପାଣି ଭଳି ପଶୁ ଥାଏ ଅଦୃଶ୍ୟ ଭାବରେ l ରାତିର ଭୟଙ୍କର ପ୍ରହର l ଝରାପାଣି ଡଙ୍ଗା ବୁଡେଇ ଦେବା ଉପରେ l ଜେଟିରେ ଡଙ୍ଗା ଥିବା ବେଳେ କିଛି ପରିମାଣର ଝରାପାଣି ଡଙ୍ଗାରେ ପଶିଥିଲା l ଏବେ ମଝି ଦରିଆରେ ଲଙ୍ଗର ପକେଇ ସ୍ଥିର ହେବାରୁ ବେଶୀ ଝରା ପାଣି ଡଙ୍ଗାକୁ ବୁଡେଇ ଦେବାକୁ ବସିଲାଣି l ଡଙ୍ଗାର ମେସିନକୁ ପାଣି ଛୁଉଁଥାଏ l ଡଙ୍ଗା ବୁଡିବା ଆରମ୍ଭ କଲାଣି l ମନେ ହେଉଛି, ଜହ୍ନ ଦିଗବଳୟ ଛୁଇଁବା ବେଳକୁ ଡଙ୍ଗା ସମ୍ପୂର୍ଣ୍ଣ ଭାବେ ସମୁଦ୍ରରେ ଡୁବି ଯିବ l ଘନ କୁହୁଡିର ବହଳ ଆସ୍ତରଣ ଚାରିପଟେl ପାଖ ଆଖରେ ଆଉ କୌଣସି ନୌକା ନାହିଁ l ରାଜ୍ଜି ଘରେ ଜଳୁଥିବା ଲଣ୍ଠନର ଅସ୍ଥିର ଶିଖାର ବତୀ ନିଃଶେଷ ହୋଇ ଲିଭି ଯାଇଥାଏ l  ତା ଘର ସାରା ଅନ୍ଧାରର ବନ୍ୟା l ରାଜ୍ଜି ଅପେକ୍ଷା କରିଥାଏ, ଉକ୍କୋ କେତେବେଳେ ଫେରିବ ?

(Indian literature March/April 2013ରେ ମୂଳ ଗୁଜୁରାଟୀ ଲେଖା ‘ଘମାତ’ର ସଚିନ୍ ସି କେଟକାରଙ୍କ ଇଂରାଜୀ ଅନୁବାଦର ଓଡିଆ ଅନୁବାଦ)              

Indian Literature Gujurati story Ghamat Sachin C Ketkar

Rate the content


Originality
Flow
Language
Cover design

Comments

Post

Some text some message..