ମନରେ ପ୍ରଶ୍ନଟିଏ
ମନରେ ପ୍ରଶ୍ନଟିଏ
ଭଗବାନ କଣ ସତରେ ପରୀକ୍ଷା କରିବାକୁ ଆସନ୍ତି? ଏହି ପ୍ରଶ୍ନଟି ସମସ୍ତଙ୍କ ମନରେ ଆସିଥାଏ ।କିନ୍ତୁ ଏହାର ଉତ୍ତର ଖୋଜିବା ଏତେ ସହଜ ନୁହେଁ, ଉତ୍ତର ପାଇଗଲା ପରେ ଲାଗେ ଭଗବାନ କଣ ସତରେ ପରୀକ୍ଷା କରିବାକୁ ଆସିଥିଲେ? ଏହି ପ୍ରଶ୍ନ ଏବଂ ଉତ୍ତର ମଧ୍ୟରେ ଆଜିଯାଏଁ ମୁଁ ଛନ୍ଦି ହୋଇଯାଇଛି ।
ମୋ ଜୀବନରେ ଏମିତି ଗୋଟେ ସ୍ମୃତି ଅଛି ଯାହା ଭାବିଦେଲେ ମୋ ଲୋମ ଟାଙ୍କୁରୀ ଯାଉଛି । କଥାଟି ନିରାଟ ସତ୍ୟ.....
ମୋ ଶାଶୁ ଶ୍ୱଶୁରଙ୍କୁ ନେଇ ପ୍ରାୟ ସବୁ ତୀର୍ଥ ଏବଂ ଦର୍ଶନୀୟ ସ୍ଥାନ ବୁଲେଇଛୁ କିନ୍ତୁ ଉଣେଇଶି ବର୍ଷ ପୂର୍ବର ଘଟଣା ଭାବିଦେଲେ ଲୋମ ଟାଙ୍କୁରୀ ହୋଇଉଠେ ।
ମୋର ଶାଶୁ, ଶ୍ୱଶୁରଙ୍କର ଇଚ୍ଛା ପୂରଣ ପାଇଁ ମୁଁ, ମୋ ସ୍ୱାମୀ ଓ ତିନି ବର୍ଷର ଝିଅ ବଦ୍ରୀନାଥ ଯାଇଥିଲୁ। ।ରାସ୍ତା ବହୁତ ଖରାପ ଥିଲା, ବହୁତ ଟର୍ଣ୍ଣିଙ୍ଗ, ବହୁତ ଉଚ୍ଚ ଯୋଗୁଁ ବସରେ ଝିଅ ଖାଲି ବାନ୍ତି କରୁଥିଲା ।ମୁଁ ମନେମନେ ଭାବୁଥିଲି କାହିଁକି ଆସୁଥିଲି କାରଣ ମୋ ଶାଶୁ ଶ୍ୱଶୁର ଭଲରେ ଚାଲିପାରୁନଥିଲେ ଆଉ ଶ୍ୱଶୁରଙ୍କର ଗୋଡ଼ରେ ଅପରେସନ ହୋଇ ଷ୍ଟିଲରଡ଼ ଲାଗିଥିଲା ।କିନ୍ତୁ ବାପଘର ସଂସ୍କାର ମୋତେ ବାଧ୍ୟ କରିଥିଲା ଶାଶୁ ଶ୍ୱଶୁରଙ୍କୁ ନେଇ ଚାରିଧାମ କରିବା ପାଇଁ ।
ସେତେବେଳେ ଆମେ ପୁରୀରୁ ଟ୍ରେନରେ ହରିଦ୍ୱାର ଯାଇଥିଲୁ, ହରିଦ୍ୱାରରେ ବୁଲିଲୁ ଗଙ୍ଗା ଆଳତୀ ଦେଖିଲୁ ତାପରେ ହୃଷିକେଶ ଗଲୁ ଯୋଶୀ ମଠରେ ରହିବା ପାଇଁ ସନ୍ଧ୍ୟା ହୋଇଯାଇଥିଲା, ଅନ୍ଧାର ହୋଇ ଆସୁଥିଲା ।ଆମେ ଯେତେବେଳେ ରୁମ ନେବାକୁ ଗଲୁ ଠିକ ସେହି ସମୟରେ ବହୁତ ସୁନ୍ଦର ଦେଖା ଯାଉଥିବା ବୁଢାବୁଢ଼ୀ ଦୁଇଜଣ ହାତରେ ଛିଣ୍ଡା ଅଖା ର (ବୋରା )ବୁଜୁଳାଟିଏ ଧରି ରୁମର ମ୍ୟାନେଜରଙ୍କୁ ରୁମ ମାଗିଲେ କହିଲେ ଆମେ ସକାଳେ ବଦ୍ରୀନାଥ ଯିବୁ କିନ୍ତୁ ମ୍ୟାନେଜର ରୁମ ଦେଲେନି କାରଣ ବୁଢ଼ୀଟି ନଇଁନଇଁ ଚାଲୁଥିଲା, ବୁଢ଼ାଟି ବି ବହୁତ ଦୁର୍ବଳ ଥିଲା ।ସେମାନଙ୍କୁ ପଚରାଗଲା ତୁମେ କେଉଁଠୁ ଆସିଛ? ସେମାନେ କହିଥିଲେ ଆମେ ଦୂରରୁ ଆସିଛୁ ଆମ ପିଲାମାନେ ଆମକୁ ପଚାରୁନାହାନ୍ତି କିନ୍ତୁ କେଉଁ ଜାଗାରୁ ଆସିଛନ୍ତି ଠିକଣା କହିଲେନି ।ମ୍ୟାନେଜର କହିଲେ ତୁମକୁ ରୁମ ମିଳିବନି ତୁମର କଣ ହୋଇଗଲେ କିଏ ରିସ୍କ ନେବ ବାହାରେ ବୋରା ବିଛାଇ ରୁହ ।ଝିଅକୁ ଶାଶୁଶ୍ୱଶୁରଙ୍କୁ ନେଇ ମୁଁ ରୁମକୁ ଗଲି ।
କିନ୍ତୁ ମୁଁ ବୁଢାବୁଢ଼ୀ ଦୁଇଜଣଙ୍କ କଥା ଭାବୁଥିଲି ।
ଅଧଘଣ୍ଟା ପରେ ମୋ ସ୍ୱାମୀ ଆସିଲେ କହିଲେ ମ୍ୟାନେଜର ବୁଢାବୁଢ଼ୀଙ୍କୁ ରୁମ ଦେଲେନି ତାଙ୍କର ପରିଚୟ ନଥିବାରୁ ।ରାତି ନଟା ହୋଇଯାଇଥିଲା ମୁଁ ମୋ ସ୍ୱାମୀଙ୍କୁ କହିଲି ତମେ ଦେଖିକରି ଆସ ରୁମରେ ଏତେ ଶୀତ ହେଉଛି ବାହାରେ ଶୀତ ପ୍ରବଳ ହେଉଥିବ ସେମାନେ କେମିତି ରହିବେ ତାଙ୍କୁ ରୁମଟିଏ ଦେଇ ରଖାଇ ଦିଅ ।ମୋ ସ୍ୱାମୀ ମ୍ୟାନେଜର ପାଖକୁ ଗଲେ ସେମାନଙ୍କ ପାଇଁ ରୁମଟି ମାଗିଲେ ମ୍ୟାନେଜେର କହିଲେ ତୁମ ପରିଚୟ ପତ୍ରରେ ସେମାନଙ୍କୁ ରୁମ ଦେବି ସେମାନଙ୍କର ଯଦି କିଛି ହୋଇଯାଏ ତମେ ରିସ୍କ ନେବ ମୋ ସ୍ୱାମୀ ହଁ ଭରି ସେମାନଙ୍କୁ ରୁମରେ ରଖି ମୋ ପାଖରେ ଆସି ପହଁଚିଲେ ।ସେତେବେଳେ ସମୟ ଏଗାରଟା ବାଜିଥିଲା ଏତେ ଜୋରରେ ପବନ ଆଉ ବର୍ଷା ସତରେ ଯେମିତି ପ୍ରଳୟ ଆସିଯିବ ଆମ ରୁମର ଝରକା ଦେଇ ହାଲକା ହାଲକା ପାଣି ଆସୁଥିଲା ପୁଣି ଭୀଷଣ ଶୀତ। ଆମେ ଦୁଇଜଣ କଥାହେଲୁ ସତରେ ବୁଢ଼ାବୁଢ଼ୀ ଦୁଇଜଣ କେମିତି ବାହାରେ ରହିଥାନ୍ତେ ।ସକାଳେ ଆମେ ବୁଢ଼ାବୁଢ଼ୀ ଦୁଇଜଣଙ୍କୁ ଦେଖିଲୁ ସେମାନେ ବହୁତ ଆଶ୍ରିବାଦ ଦେଲେ ।ତାପରେ ଆମେ ବଦ୍ରୀନାଥ ଗଲୁ ଅଧାରାସ୍ତାରେ ଆମ ଗାଡି ଚାରି ଘଣ୍ଟା ରହିଯାଇଥିଲା କାରଣ ମାଟି ଧସି ଯାଇଥିଲା ।ସେଠାରେ ରାସ୍ତା ସଫାଈ ବହୁତ ଶୀଘ୍ର କରାଯାଉଥିଲା, ତାପରେ ଗାଡି ଆଗକୁ ଚାଲିଲା ହଟାତ ଆମ ଗାଡି ସ୍ଲୀପ ହୋଇଗଲା ସମସ୍ତେ ବଦ୍ରିନାରାୟଣ ବଦ୍ରିନାରାୟଣ ଚିତ୍କାର କଲେ ସତରେ ଖୁବ ଭୟ ଲାଗୁଥିଲା କିନ୍ତୁ ମୋ ଶାଶୁ ବଦ୍ରିନାରାୟଣ ଡାକି କହୁଥିଲେ ମୋ ପୁଅ ବୋହୂ ନାତୁଣୀକୁ କାହିଁକି ଆଣିଥିଲି? ବୁଢ଼ାବୁଢ଼ୀ ସିନା ତୀର୍ଥ କରନ୍ତି ।ସମସ୍ତଙ୍କର କରୁଣ ଡାକ ଭଗବାନ ଶୁଣିଲେ ଆମ ଗାଡି ବଡ଼ ଦୁର୍ଘଟଣାରୁ ରକ୍ଷା ପାଇଲା ସମସ୍ତେ ଭଲରେ ବଦ୍ରୀନାଥରେ ପହଂଚିଲୁ । ବଦ୍ରୀନାଥରେ ଗୋଟିଏ ଦିନ ରହିଲୁ ସେହି ବୁଢ଼ାବୁଢ଼ୀ ଦୁଇଜଣକୁ ବହୁତ ଖୋଜିଲୁ କିନ୍ତୁ ପାଇଲୁ ନାହିଁ ।
ସମସ୍ତେ କହିଲେ ତୀର୍ଥକୁ ଗଲେ ଭଗବାନ ପରୀକ୍ଷା କରିବାକୁ ଆସନ୍ତି ।ମୋ ମନରେ ଆଜିଯାଏଁ ପ୍ରଶ୍ନ ହୋଇ ରହିଯାଇଛି ଅଖା (ବୋରା )ର ବୁଜୁଳାଟି ଧରି ଆସିଥିବା ବୁଢ଼ାବୁଢ଼ୀ ଦୁଇଜଣ ସତରେ କିଏ? ସତରେ ଭଗବାନଙ୍କୁ ଦର୍ଶନ କରିବାକୁ ଆସିଥିଲେ ନା ଆମକୁ ପରୀକ୍ଷା କରିବାକୁ ଆସିଥିଲେ ଏହାର ଉତ୍ତର ବଦ୍ରିନାରାୟଣଙ୍କୁ ହିଁ ଜଣା ।।
(ଜୟ ବଦ୍ରିନାରାୟଣ )
ସୁକାନ୍ତି ହୋତା
ତାଳଳଚେର