Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Neelima Nivedita Behera

Inspirational

3  

Neelima Nivedita Behera

Inspirational

ପ୍ରେମ ୩

ପ୍ରେମ ୩

2 mins
7.2K


 କିଏ ଜଣେ ନଥାନ୍ତା, ଯିଏ ମୋ କାନ ମୋଡ଼ି, ଗୋଟେ ସରୁ ଚଟକଣା ମାରି ମୋତେ କୁହନ୍ତା,

– କାଇଁ ସେ ଧୂଆଁଗୁଡ଼ା କଲିଜା ଭିତରକୁ ଜାଣିଜାଣି ନଉଛ ? ଦିନେ ସେ ତମ ଦେହକୁ ପୋଡ଼ି-ଜାଳି ପାଉଁଶ କରିଦେବ । କେମିତି ଭୁଲିଯାଉଛ ଯେ ସେ ଦେହ ଉପରେ ନାହିଁ ତୁମର ଆଉ ଏକଚାଟିଆ ଅଧିକାର ?

ସେବେଳେ ସିଂହହୁଙ୍କାର ଦିଅନ୍ତାନି ମୋ ପୌରୁଷତ୍ଵ ବରଂ କୁକୁର ଲାଙ୍ଗୁଡ଼ ହଲାଇଲା ରକମ ପ୍ରେମିକ ପାଲଟି ଯାଆନ୍ତି । ଟିକେ ଲାଜ କରନ୍ତି । ଟିକେ ଖୁସି ହୁଅନ୍ତି । ପ୍ରେମିକପ୍ରବର ହୋଇ କୁହନ୍ତି,

– ହଁ ଯେ !

ସେ କିନ୍ତୁ ପ୍ରେମିକା ନୁହେଁ, ମା’ ପରି ଦାଣ୍ଠୁଥିବ ମୋତେ । ବାପା ପରି ଶାସନର ଗୋଟିଗୋଟି ଖସଡ଼ା ମନେପକେଇ ନାଲି ଆଖି ଦେଖାଉଥିବ ଆଉ କହୁଥିବ,

– କ’ଣ ହଁ ଯେ ? କେତେବେଳେ ପାନ ଚୋବେଇ ସେ ମଖମଲ୍ଲୀ ଦାନ୍ତଗୁଡ଼ାକୁ ବରବାଦ୍ କରୁଛ ତ କେତେବେଳେ ଏ ସିଗାରେଟ୍ ଧୂଆଁ । ଆଉ ପିଇବାଟା କାଇଁ ବାକି ରଖିଛ ? ଯାଅ । ଟାଙ୍କିଏ ପିଇ ଦେଇ ଆସ । ଛ୍ୟା !!!

ତା’ କଥାସବୁ ଠିକ୍ ଲାଗେ ମୋତେ । ଠିକ୍ କ’ଣ ମ ! ଭଲଲାଗେ କହିଲେ ବେଶି ଠିକ୍ ଲାଗିବ । ସେ ଯଦି ପ୍ରେମର ହ୍ରଦଟିଏ ତେବେ ତା’ ନୀଳନୀଳ ଅଭିମାନରେ ଖାଲି ଟହଟହ ସମ୍ପର୍କର ରକ୍ତିମ କଇଁ । ବାପା ହେଇ ଦଣ୍ଡ ଦେଇ ପୁଣି ମା’ ହେଇ କୋଳେଇନିଏ, ଆଖିର ଲୋତକରେ ପୋଛିଦିଏ ମୋ ମୁହଁ । ହେଲେ ଏଇ ଛ୍ୟା ଶବ୍ଦଟା ! ଓଃ !!! ମୋ ହୃତ୍ ସ୍ପନ୍ଦନ ଆଉ ରୋକି ଦେବକି ??? “Survival of the fittest” ସୂତ୍ରରେ ନିଜକୁ ବଞ୍ଚାଇବା ପ୍ରୟାସରେ ମୁଁ ଉତ୍ତର ଫେରାଏ,

– ହେଇ ! ରାଗନି ମ ! ତମେ ଏମିତି ରାଗିଲେ ମୁଁ ବଞ୍ଚିବି କେମିତି ଯେ ? ଦେଖ ! କାନ ଧରିଲି । ତମ ରାଣ ଖାଇ କହୁଛି, ଆଉ ଦିନେ ସେ ବାଜେ ଜିନିଷରେ ହାତ ଦେବିନି ❤।❤

କିନ୍ତୁ ଏସବୁ କେବଳ ମୋ ଗପର ସୀମା ହିଁ କହିପାରିବ । ବାସ୍ତବରେ ଏହା ଅସମ୍ଭବ ।

– କାଇଁ ?

– କାଇଁ କ’ଣ ଯେ ? ମୁଁ ତ ଗୋଟେ ବାରବୁଲା ଡହରା । ନା ମୋର ପଘା ଅଛି ନା କୌଣସି ନିର୍ଦ୍ଧିଷ୍ଟ କାମ ପ୍ରତି ନିଘା ଅଛି । ମୋତେ କାଇଁ କିଏ ଭଲପାଇବ ଯେ ? ଯଦିଓ ଅନେକ ପ୍ରେମିକା ମୋର ।

– ଅନେକ ପ୍ରେମିକା ???

– ହଁ । ଅନେକ ପ୍ରେମିକା । ଯିଏ ମୋତେ ଭଲଲାଗେ ତାକୁ ମୁଁ ଭଲପାଏ । ଦେହକୁ ହାସଲ୍ କରିବାକୁ ଚାହେଁନା କି କାହାକୁ ଅକ୍ତିଆର କରିବାର ମାନସିକତା ବି ନାହିଁ ମୋର । ଖାଲିଯାହା ତା’ ଚିନ୍ତା ଓ ଚେତନା ବେଳେବେଳେ ମନରେ ଘର କରିଯାଏ, ଆଉ ମୁଁ ତାକୁ ଭଲପାଇ ବସେ ।

– କା’ ଟେ ଦିଅ ।

ଦେବସେନା ବି ବୋକା ! ହସି ହସି ମିତା କହିଲା,

– ମାନେ କ’ଣ ପଚାରୁଛ ? ଜୀବନ ଭିତରେ ହିଁ ଜିଜ୍ଞାସାର ବନ । କାହିଁକି, କେମିତି, କେବେ, କ’ଣ, କେତେବେଳେ, କିପରି ଆଦି ଯାବତୀୟ ପ୍ରଶ୍ନର ଉତ୍ତର ଜାଣିବାକୁ ଚାହଁ ?

ଫୋନ୍ ସେପାଖରେ ବୋଧେ ମୁଣ୍ଡ ଟୁଙ୍ଗାରିଲା ଦେବସେନା ହେଲେ ମିତାକୁ ଦିଶିଲାନି, ଖାଲି ଶୁଭିଲା “ହୁଁ “।

– ନିକାଞ୍ଚନରେ ଏକଲାପଣ ବି ବିଭୋର କରେ ଦେବ୍ ! ଥରେ ଆଇନାରେ ନିଜକୁ ଆବିଷ୍କାର କରିପାରିଲେ... ଦେଖିବ, ପ୍ରେମର ସୁଆଦ ବି ବଦଳିଯିବ । ଆଉ ଲୋଡ଼ିବାପଣ ନଥିବ, ନଥିବ ଦୁନିଆକୁ ପ୍ରମାଣ ଦେବାର ଆକାଂକ୍ଷା, ନଥିବ ମରିବାକୁ ଭୟ, ନଥିବ ବି ଜୀଇଁବାର ଅଭୀପ୍ସା । ସବୁକିଛି ଯେମିତି ଏକାକାର, ଓଠ ତଳେ ଲହଡ଼ି ଖେଳୁଥିବା ଧାରେ ହସରେ !!!

ଫୋନ କଟିଗଲା କି ଦେବସେନା ବୁଝିଗଲେ ଜଣାନାହିଁ, ତଥାପି ଶୁଭୁଥାଏ ମିତାକୁ ଟୁ...ଉଁ... ଉଁ... ଉଁ ... !!!

@ ନୀଳିମା ନିବେଦିତା


Rate this content
Log in

Similar oriya story from Inspirational