Quotes New

Audio

Forum

Read

Contests


Write

Sign in
Wohoo!,
Dear user,
ଅତୁଟ ବନ୍ଧନ
ଅତୁଟ ବନ୍ଧନ
★★★★★

© Pranati Mahapatra

Others Tragedy

8 Minutes   374    10


Content Ranking

ଜମିଦାର ରାମ ନାରାୟଣଙ୍କର ଅମାପ ସମ୍ପତ୍ତି । କେଉଥିରେ ବି ଅଭାବ ନ ଥାଏ । ଇଂରେଜ ସରକାର ସିନା ଚାଲିଯାଇଛି,ହେଲେ ତଥାକଥିତ ଜମିଦାର ମାନେ ନିଜ ନିଜର ଶାସନ କୌଶଳ , ଢଙ୍ଗଢାଙ୍ଗକୁ ଏତେ ସହଜରେ ଛାଡି ପାରୁ ନାହାଁନ୍ତି । ରାମ ନାରାୟଣ ବି ସେ ସମୟର ଜଣେ ନାମୀଦାମୀ ସରକାର । ପ୍ରଜାଙ୍କ ସୁଖଦୁଃଖର ସାଥି ହୁଅନ୍ତି ।

ସମୟ ଅସମୟରେ ସାହାଯ୍ୟ ସହଯୋଗ ବି କରନ୍ତି । ସେ କାଳର ଜମିଦାରଙ୍କ ଭଳି ନିର୍ଦ୍ଦୟ କି ନିଷ୍ଠୁର ମନୋଭାବର ନୁହଁନ୍ତି । ସେଥିପାଇଁ ଲୋକମାନେ ଖୁବ୍ ଭକ୍ତି ମଧ୍ୟ କରନ୍ତି । ଜମିଦାରଙ୍କ ମଙ୍ଗଳ କାମନା ବି କରନ୍ତି । ଜମିଦାରଙ୍କ ଗୋଟିଏ ପୁଅ ଓ ଗୋଟିଏ ଝିଅ । ଦେଖିବାକୁ ଯେମିତି ଗୁଣ ବି ତତୋଧିକ । ସେଥି ପାଇଁ ରାମ ନାରାୟଣଙ୍କର ଖୁସି କହିଲେ ନ ସରେ । ପିଲା ଦୁହିଁଙ୍କ ମଙ୍ଗଳାଶିଷ ପାଇଁ ଅନେକ ଧନ ଦାନଧ୍ୟାନ କରିବାକୁ ପଛାନ୍ତି ନାହିଁ ।

ପୁଅ ଶିବ ସୁନ୍ଦର ବହୁତ ପାଠପଢି ବାପା ମାଆଙ୍କ ନାମ ରଖିଲା । ହେଲେ ଏତେ ଉଚ୍ଚ ଶିକ୍ଷିତ ହେଲେ କଣ ହେଲା, ରାମ ନାରାୟଣ ବାହାରକୁ ଚାକିରୀ କରିବା ପାଇଁ ପୁଅକୁ ଛାଡିଲେ ନାହିଁ ।  ବିବାହ ବୟସ ଉପନୀତ । କନ୍ୟା ଖୋଜା ଚାଲିଲା । ଉପଯୁକ୍ତ ପାତ୍ରୀଟିଏ ଖୋଜି ଖୋଜି ଶେଷରେ ଗାଆଁ ପାଖ ନଦୀ ଆରପଟ ଆଉ ଏକ ଗାଆଁରେ ଥିବା ଉମାକାନ୍ତ ବାବୁଙ୍କ ଝିଅ ସୀତା ପାଇଁ ବିବାହ ସ୍ଥିର ହେଲା । ଝିଅଟି ଗୋଟିଏ ଚାଉଳରେ ଗଢା । ସର୍ବଗୁଣ ସମ୍ପର୍ଣ୍ଣା ।

ଝିଅକୁ ଦେଖି ରାମନାରାୟଣ ବାବୁ ବୋହୁର ସ୍ଵୀକୃତି ଦେଇ ବିବାହ ଦିନବାର ଠିକ କରିଦେଲେ । ଧାର୍ଯ୍ୟ ଦିନବାରରେ ପୁଅ ବାହାକରି ବୋହୁକୁ ଘରକୁ ନେଇ ଆସିଲେ । ବହୁତ ହସଖୁସିରେ ଘର ହସିଉଠିଲା । ସମୟ କ୍ରମେ ଜମିଦାର ରାମନାରାୟଣ ଓ ତାଙ୍କ ପତ୍ନୀଙ୍କର ଦେହାନ୍ତ ହୋଇଗଲା ।

ଏଣେ ପୁଅ ଶିବସୁନ୍ଦର ଙ୍କର ଦୁଇପୁଅକୁ ଗୋଟିଏ ଝିଅକୁ ନେଇ ହସଖୁସିର ସଂସାର ବେଶ ଆଗକୁ ଆଗେଇ ଚାଲିଥାଏ । ପିଲାମାନେ ବଡ଼ହୋଇ ପାଠଶାଠ ପଢୁଥାନ୍ତି ।

ବଡ଼ପୁଅ ଇଞ୍ଜିନିୟର । ସାନପୁଅ ପୋଲିସ, ଆଉ ଝିଅ କଲେଜ ରେ ପଢୁଥାଏ । କୁସଙ୍ଗରେ ପଡି ଝିଅଟି ବିଭିନ୍ନ ଅସାମାଜିକ କାର୍ଯ୍ୟରେ ଲିପ୍ତ ରହେ । ବାପା ଶିବସୁନ୍ଦର ଝିଅର ଏକଥା ଶୁଣି ହୃଦରୋଗର ଶିକାର ହୋଇ ଆରପାରିକୁ ଚାଲିଗଲେ । ବର୍ତ୍ତମାନ ସମ୍ପୂର୍ଣ୍ଣ ଏକା ହୋଇଗଲେ ସୀତା ଦେବୀ । ପୁଅମାନେ ଜେଝା ଜେଝା ସଂସାର ନେଇ ବାହାରେ ରହିଲେ ।

ଦିନକର କଥା । ଖାଇବାକୁ ଘରେ ଗୋଟିଏ ବି ଚାଉଳ ନ ଥାଏ । ବାଧ୍ୟହୋଇ ଘରୁ ବାହାରିଲେ ସୀତା ଦେବୀ କିଛି ଖାଦ୍ୟ ଅନ୍ୱେଷଣରେ । ନା ହାତ ପାଦରେ ବଳ ଥାଏ, ନା ମନରେ । ହୃଦୟରେ କୋହ,ଆଉ ଆଖିରେ ଲୁହର ଗଙ୍ଗା ଯମୁନାର ଅବାରିତ ଅଶୃଧାରାକୁ ନେଇ ଚାଲିଥାନ୍ତି କିଛି ସାହାରା ପାଇବାର ଆଶାରେ । ଏମିତି ଭାବୁଭାବୁ କେତେବେଳେ ଯେ ଯାଇ ମୂଖ୍ୟ ସଡ଼କରେ ପହଞ୍ଚି ଯାଇଥାନ୍ତି, ନିଜେ ବି ଜାଣି ନ ଥାନ୍ତି । ହଠାତ ଅନ୍ୟମନସ୍କ ହୋଇପଡିଲେ । ଏହି ସମୟରେ ଗୋଟିଏ କାର୍ ସହ ଧକ୍କା ହେଲା । ଫଳରେ ଗୋଟିଏ ଗୋଡ଼ ଭାଙ୍ଗିଗଲା । କାର୍ ଚାଳକ ବିରକ୍ତି ଭାବ ପ୍ରକାଶ କରି କହିଲେ- ଆପଣଙ୍କୁ କଣ ଦିନଦ୍ଵିପ୍ରହରେ ବି ଦେଖା ଯାଉନି । ଗାଡି ଆଗକୁ ମାଡି ଆସୁଛନ୍ତି । କଣ ହୋଇଥାନ୍ତା ଏବେ କହିଲ ।

ବହୁତ କଷ୍ଟରେ ଯନ୍ତ୍ରଣା ଜର୍ଜରିତ କଣ୍ଠରେ ସୀତା ଦେବୀ କହିଲେ - ଭଲ ହୋଇଥାନ୍ତା ବାପ । ମରିଯାଇଥିଲେ ତରି ଯାଇଥାନ୍ତି । ଆଉ ଏ ନିଲଠା ଜୀବନର ଆଶା ନାହିଁ ରେ ବାପ । କାହାକୁ ଆଶ୍ରା କରି ବଞ୍ଚିବି କହିଲୁ । ନ ମରି ଯାହା ଦହଗଞ୍ଜ ହେଉଛି । ନା ପେଟକୁ ମୁଠାଏ ଦାନା ପାଉଛି, ନା ଦେହକୁ ଖଣ୍ଡିଏ କନା ପାଉଛି । କେତେ ବଡ଼ ଘରର ବୋହୁ ମୁଁ । ଆଜି ରାଜ ଦାଣ୍ଡରେ ପେଟ ପାଇଁ ଦାନା ମାଗୁଛି । ମତେ ଯାହା ମରଣ ହେଉନାହିଁ ।

ତୁମେ ସିନା ମରଣକୁ ଆବାହନ କରୁଛ,ହେଲେ ମୋର ଅବସ୍ଥା କଣ ହୋଇଥାନ୍ତା ସେକଥା ବୁଝୁନାହଁ । ଲୋକମାନେ ମୋତେ ପିଟି ପକାଇ ଥାନ୍ତେ । ଛାଡ଼,ସେ ଯାହା ହେଉ, ଚାଲନ୍ତୁ ମୁଁ ଆପଣଙ୍କୁ ହସପିଟାଲରେ ଚିକିତ୍ସା କରି ଆପଣଙ୍କୁ ଆପଣଙ୍କ ଘରେ ଛାଡିଦେବି । ସୀତା ଦେବୀ କହିଲେ- ବାପ ଏତେ ଦୟା ଯଦି କରୁଛ ତେବେ ଗୋଟିଏ କଥା କହିବି, ରଖିବ?

କୁହନ୍ତୁ ମାଉସୀ । ସୀତା ଦେବୀ- ଶରୀରର ଯନ୍ତ୍ରଣା ଠାରୁ ଉଦର ଯନ୍ତ୍ରଣା ମୋତେ ବଡ଼ କଷ୍ଟ ଦେଉଛି । ଗଣ୍ଡାଏ ଖାଇବାକୁ ଦିଅ ବାବା । ଭୋକରେ ମୋ ଦେହ ମୁଣ୍ଡ କଣ ହୋଇଯାଉଛି । ମୋତେ ଖାଲି ଗଣ୍ଡାଏ ଗାଇବାକୁ ଆଗ ଦିଅ ।

--ଧନ୍ୟ ହେ ସରକାର, ଯେଉଁଠି ୭୦ଲକ୍ଷ ନାରୀ ସଶକ୍ତ ହେଲେଣି, ସେଠାରେ ମହିଳା ମାନେ ଆଜି ଅସହାୟ ଆଉ ମାଆ ମାନେ ଆଜି ଭୋକିଲା ପେଟରେ ରାଜରାସ୍ତାରେ ଗଣ୍ଡାଏ ଖାଦ୍ୟ ନ ପାଇ ମରଣକୁ ଆମନ୍ତ୍ରଣ କରୁଛନ୍ତି । ଚାଲ ମାଆ, ମୁଁ ତୁମକୁ ଖାଇବାକୁ ଦେବି । ଡାକ୍ତର ପାଖକୁ ନେଇ ଚିକିତ୍ସା କରିବି । ଏସବୁ କଥା ଚିନ୍ତା କରି ସୀତା ଦେବୀଙ୍କୁ ଧରି ନେଇଗଲେ । ଗୋଟିଏ ହୋଟେଲରେ ଖାଇବାକୁ ପେଟପୁରା ଦେଲେ, ତା ପରେ ହସପିଟାଲରେ ନେଇ ଗୋଡ ପ୍ଲାଷ୍ଟର କରାଇଲେ । ଦୁଇ ତିନି ଦିନ ପରେ ସେ ଆଂଶିକ ସୁସ୍ଥତା ପରେ ନେଇ ଆସିଲେ ତାଙ୍କ ଘରେ ଛାଡିବାକୁ ।

ବାଟରେ ସେ ମହାଶୟଙ୍କ ସହିତ କାର୍ ରେ ଆସୁ ଆସୁ ହଠାତ ଦେଖିଲେ ସୀତା ଦେବୀଯେ ତାଙ୍କର ସାନଝିଅ ରେଖା ଭଳି ଦେଖାଗଲା । ସୀତାଦେବୀ ପାଟି କରି ଉଠିଲେ ,ଗାଡ଼ି ରଖ,ଗାଡି ରଖ । ଗାଡି ଚଳାଉ ଥିବା ଭଦ୍ରବ୍ୟକ୍ତି ଜଣକ ଗାଡି ରଖିଲେ, ଠିକ୍ ରେଖା ପାଖରେ । ଗାଡ଼ିର ଦୁଆର ଖୋଲିଦେଲେ, ସୀତା ଦେବୀ ବାହାରି ଆସିଲେ । ଆଉ ଢୋ କରି ଚଟ୍ କଣି ଟେ ମାରିଲେ ରେଖାକୁ । ଚମକି ପଡିଲାରେଖା ହଠାତ କାହାର ଚାପୁଡ଼ା ଖାଇ । ସାଙ୍ଗରେ ଥିଲେ ଅନ୍ତରଙ୍ଗ ବନ୍ଧୁ ରବୀନ୍ । ସେ ବି ଅବାକ୍ ହୋଇଗଲେ । କଣ ପାଇଁ ଏ ଭଦ୍ର ମହିଳା ଜଣକ ଗାଡିରୁ ଓହ୍ଲାଇ ରେଖାକୁ ମାଡ଼ ମାରିଲେ ।  ରେଖାକୁ ମାରିବା କାରଣରୁ ରବୀନ୍ଦ୍ର ବାବୁ ବହୁତ ରାଗି ଦଉଡି ଗଲେ ମାରିବାକୁ ।  କିନ୍ତୁ ବାଧା ଦେଲା ରେଖା । ଆଉ କହିଲା, ନାହିଁ ରବୀନ୍ଦ୍ର । ଟିକିଏ ରୁହ । ସେ ପରା ମୋ ମାଆ । ମାଡ଼ ମାରିବାର ଅଧିକାର ତାଙ୍କର ଅଛି । ମୁଁ ତାଙ୍କର ଝିଅ । ସେ ମୋର ମାଆ । ତେଣୁ ତାଙ୍କୁ କିଛି କରିବା ପାଇଁ ସୁଯୋଗ ଦିଅ ।

ହଁ ମାଆ  । ଏଥର ଯାହା କହିବା କଥା କୁହ । ଯାହା ବି କରିବା କଥା କର । ହେଲେ ତୁମେ ନିଜକୁ ନିଜେ ପଚାର । ମାଆର କର୍ତ୍ତବ୍ୟ ତୁମେ ଠିକ୍ ଭାବରେ ନିଭେଇଛ ତ?

ସୀତାଦେବୀ- ଆରେ ମାଆ,ଏ ପିଲା କିଏ ତୋର । ଏ କଣ ଜ୍ଵାଇଁ ପୁଅ କି? କେବେ ତୁ ବାହା ହେଲୁ ,କାହାକୁ ତ ଜଣେଇଲୁ ନାହିଁ । କଣ ଆମେ ତୋର ଏତେ ପର?

ରେଖା- ତୋର ସବୁ କଥା ସରିଲା ତ ମାଆ ।

ଶୁଣ୍,ମୁଁ ଏଯାବତ ବାହା ହୋଇ ନାହିଁ, ଆଉ ବାହା ହେବାର ଇଚ୍ଛା ବି ଆଉ ନାହିଁ । ଆଉ ତୁମ ମାନଙ୍କୁ ଡାକିବା ବା ଜଣେଇବାର କଥା କେବଳ ତୁମେମାନେ ହିଁ କାଟି ଦେଇଛ । ବାପା ମାଆ ଭାଇର ଅଧିକାର ଅଛି ବୋଲି ଶାସନ କରିବାର ଆବଶ୍ୟକତା ରହିଛି ହେଲେ କର୍ତ୍ତବ୍ୟ ସମ୍ପାଦନା କରିବାର ଦାୟିତ୍ୱ ଯେ ସମ୍ପୂର୍ଣ୍ଣ ଭାବେ ଭୁଲିଯାଇଛ । ଯଦି ତୁମେମାନେ ସବୁକିଛି ଭୁଲି ରହିପାରିଲ,ମୁଁ କାହିଁକି ମନେ ରଖିବି କହ ।

ତଥାପି ମୁଁ ତୁମ ମାନଙ୍କୁ କେବେବି ଭୁଲି ନାହିଁ ।  ଏ ଯାଏ ବିବାହ ବି କରି ନାହିଁ । ଏ ହେଉଛନ୍ତି ମୋ ପୁରୁଷ ବନ୍ଧୁ ରବୀନ୍ଦ୍ର । ବିବାହ ନ କରି ବି ସାରାଜୀବନ ଏକାଠି ରହିବାର ନିଷ୍ପତ୍ତି ନେଇଛୁ । ସେତେବେଳେ ତୁମ୍ଭମାନଙ୍କର ଆକଟ ଶୁଣିଥିଲେ ଆଜି ମୁଁ ସେଇ ଗାଆଁରେ ହିଁ ଗାଉଁଲି ବୋହୁ ହୋଇ ରହିଯାଇଥାନ୍ତି । କିନ୍ତୁ ଦେଖ୍,ଆଜି ମୋ ଗାଡି, ବଙ୍ଗଳା, ବ୍ୟାଙ୍କରେ ଅପର୍ଯ୍ୟାପ୍ତ ଟଙ୍କ,ସମ୍ମାନ, ପ୍ରତିଷ୍ଠା, ପ୍ରତିପତ୍ତି ସବୁକିଛି ଅଛି । ଯାହାକୁ ଦିନେ ତୁମେ ମାନେ ଘୃଣା କରୁଥିଲ,ତାହାରି ବଳରେ ମୁଁ ଆଜି ଏତେ ବଡ ହୋଇ ପାରିଛି ।

ହଁ,ଏକଥା ଅବଶ୍ୟ ସତ୍ୟ ଯେ, କିଛି ପାଇବାକୁ ହେଲେ କିଛି ହରେଇବାକୁ ପଡେ । ହେଲେ ମୁଁ ସେମିତି କିଛି ହରେଇନି,ତଥାପି ବହୁତ କିଛି ପାଇଛି ।

ରବୀନ୍ଦ୍ର -ମାଉସୀ ଏ ଦୁନିଆରେ ବ୍ୟବସାୟ ଆରମ୍ଭ କରିବାକୁ ହେଲେ କିଛି ପୁଞ୍ଜି ନିବେଶ କରିବାକୁ ହୁଏ । ଯାହା ଆପଣଙ୍କ ଅଗୋଚରରେ ଆପଣଙ୍କ ଝିଅ କରି ଏତେ ବଡ଼ଲୋକ ହୋଇ ପାରିଛି । ଆପଣ ସେ ସବୁ କଥା ଉପରେ ଏତେ ଗୁରୁତ୍ୱ ଦେଇ ଏତେ ବଡ଼ ଆକାର କରିବା କଣ ଦରକାର।

ସୀତାଦେବୀ -ଆଲୋ ପୋଡାମୁହିଁ,

ଯାହା ହରେଇ ଦେଇଛୁ ଆଉ କେବେ କଣ ତାକୁ ପାଇ ପାରିବୁ । ଆଉ କେବେ ବି ତୋ ଜୀବନରେ ତୁ ତାହା ପାଇ ପାରିବୁନି ।

ରେଖା - କଣ ହରେଇଛି କହ ।

ସୀତାଦେବୀ - ନାରୀ ଜୀବନର ସବୁଠାରୁ ବଡ଼ ସମ୍ପତ୍ତି ହେଉଛି ତା ଚରିତ୍ର । ଯାହା ତୋର ଚାଲିଯାଇଛି । ହରେଇ ସାରିଛୁ ତାକୁ । ତୋ ଜୀବନର ସର୍ବଶ୍ରେଷ୍ଠ ସମ୍ପତ୍ତିକୁ ତୁ ହରେଇ ସାରିଛୁ । ଆଉ କଣ ତୋର ବାକି ଅଛି ଯେ । ଏତେ ବଡ଼ବଡ଼ କଥା କହୁଛୁ । ଓଡ଼ିଆ ଘରର ଝିଅ ହୋଇ ବାହାସାହା ନ ହୋଇ ପରପୁରୁଷର ଶଯ୍ୟା ସଙ୍ଗିନୀ ହେଉଛୁ । ପରପୁରୁଷକୁ ଧରି ହୋଟେଲ କ୍ଲବ୍ ଯାଉଛୁ । ରାତି ରାତି ନିଶାରେ ମସଗୁଲ ହୋଇ ନିଜ ଜୀବନକୁ ନିଜେ ନଷ୍ଟ କରୁଛୁ ।

ରେଖା - ତୋର ସବୁବେଳେ ସେହି କଥା । ଭଲକଥା କିଛି କହି ପାରୁନୁ । ଛାଡ଼,ଛାଡ଼,ଆଉ କଣ କହୁଛୁ କହ ।

ତୁ କିଛି ଟଙ୍କା ନେବୁ କି?

ନା ଯିବୁ ମୋ ପାଖରେ ରହିବୁ । କଣ କହୁଛୁ କହ ।

ସୀତାଦେବୀ- ଟଙ୍କା ନେବି,ପୁଣି ତୋ ପାଖରୁ,ଛି ଛି ଛି ।

ତୋ ପାଖରୁ ଟଙ୍କା ନେଇ ଖାଇଲେ ମୁଁ ଦଣ୍ଡେ ବି ବଞ୍ଚି ପାରିବି ନାହିଁ ।

ଆଉ କଣ କହିଲୁ,ତୋ ପାଖରେ ରହିବା କଥା, ଛି ଛି ଛି,ତୋ ପାଖରେ ପୁଣି ମୁଁ ରହିବି । ହେ ଭଗବାନ । ତୋ ରହୁଥିବା ଘରର ମାଟି ମାଡିଲେ ,ସଙ୍ଗେ ସଙ୍ଗେ ମୋ ପ୍ରାଣବାୟୁ ଉଡିଯିବ । ମୁଁ ପୁଣି ତୋ ପାଖକୁ ଯିବି । ଛି,ଥୁ,କହି ମେଞ୍ଚେ ଛେପ ପକେଇ ଗାଡି ଭିତରକୁ ପଶିଗଲେ ।

ସୀତାଦେବୀ କହିଲେ- ହେ ବାବୁ ଚାଲ,ମୋତେ ଟିକିଏ ନେଇ ମୋ ଗାଆଁ ପାଖରେ ଛାଡି ଦେଇ ଆସ । ମୁଁ ମୋ ଭାଗ୍ୟନେଇ ବଞ୍ଚିବି । ଭଦ୍ରବ୍ୟକ୍ତି ଜଣକ ଗାଡି ଚଳେଇ ପଳେଇ ଆସିଲେ ।

ଗାଡି ଭିତରେ ଭଦ୍ରବ୍ୟକ୍ତି ଜଣକ ସୀତାଦେବୀଙ୍କୁ ବଜାରରୁ କିଛି ଅତ୍ୟାବଶ୍ୟକୀୟ ଜିନିଷ କିଣି ଦେଇ ନେଇ ଗାଆଁ ଦାଣ୍ଡରେ ଛାଡ଼ି ଦେଇ ଆଶ୍ଵାସନା ଦେଇ ନିଜେ ପଳେଇ ଆସିଲେ ।  ସୀତାଦେବୀ ନିଜ ଘରକୁ ଆସିଲେ, ନିଜ ଘରକୁ ଆଉ ସଜାଡିବାକୁ ମନରେ ବଳ ନାହିଁ ।

କି ଆଖିରେ ବି ଆଉ କିଛି କରିବାର ସ୍ପୃହା ନାହିଁ ।  ସେ ଭଦ୍ରବ୍ୟକ୍ତି ଯାହା କିଛି ଦେଇଥିଲେ ସେମିତି ସେ ଘରେ ଥୁଆ ହୋଇଥାଏ । ଆଉ ସୀତାଦେବୀ ଝିଅର କୁକର୍ମ ସବୁକୁ ଆଖି ଆଗରେ ଦେଖି ତା ଧ୍ଵଂସାଭିମୁଖୀ ଭବିଷ୍ୟତ କଥା ଚିନ୍ତା କରୁଥିଲେ । ଧୀରେ ଧୀରେ ଏତେ ଦୁଶ୍ଚିନ୍ତା ଭିତରେ ସୀତାଦେବୀ ବିଛଣା ଧରିଲେ । ନା ରୋଷେଇ କରୁଛନ୍ତି ନା କିଛି ଖାଇ ପାରୁଛନ୍ତି । ସେମିତି ବିଛଣାରେ ପଡି ଛଟପଟ ହେଉଥାନ୍ତି । କିନ୍ତୁ ଦେବଦୂତ ସାଜି କେହି ତାଙ୍କ ହେପାଜତ ନେଉଥାଏ । ପାଟିରେ କିଛି କିଛି ଦାନାଦେବାର ବନ୍ଦୋବସ୍ତ କରୁଥାଏ । କଥା କହିବାର ଶକ୍ତି ନ ଥାଏ ସୀତାଦେବୀଙ୍କର ।

ହେଲେ ବିଛଣାରେ ପଡି ମିଟିମିଟି କରି ଚାହିଁ ରହିଥାନ୍ତି, ବିଗତ ଦିନର ସ୍ନେହ ମମତା ବୋଳା ସନ୍ତାନ ମାନଙ୍କର ନିଷ୍ଠୁର ପଣିଆରେ ମର୍ମାହତ ହେଉଥାନ୍ତି । କେତେବେଳେ ଭାଗ୍ୟକୁ ତ କେତେବେଳେ କର୍ମକୁ ନିନ୍ଦୁଥାନ୍ତି ।

ଏତେ ସ୍ନେହ ଶ୍ରଦ୍ଧାର ମୂଲ୍ୟକୁ ଏତେ ଶୀଘ୍ର ଭୁଲିଯାଉଥିବା ମଣିଷର ଭବିଷ୍ୟତ କଥା ଚିନ୍ତା କରି ନିଜେ କଷ୍ଟ ପାଉଥାନ୍ତି । କାରଣ ସୀତାଦେବୀ ପିଲା ବେଳେ ଜେଜେମା ମୁହଁରୁ ଶୁଣିଥିଲେ

" କର୍ମ ଘେନି ଫଳ,

ତୀର୍ଥ ଘେନି ଜଳ । "

ଯିଏ ଯେଉଁ କର୍ମ କରିବ, ତା ପାଇଁ ଫଳ ଭଗବାନ ରଖିଥିବେ । ସେ ଭୋଗ କରିବା ପାଇଁ ।

ମନେ ମନେ ଭାବୁଥିଲେ ମୋ ପିଲାମାନେ ମୋତେ ଯଦି ଏହିଭଳି ବ୍ୟବହାର ଦେଉଛନ୍ତି, ତେବେ ସେମାନେ ଯେତେବେଳେ ଏ ବୟସରେ ଉପନୀତ ହେବେ, ତାଙ୍କ ପିଲାମାନେ ତାଙ୍କୁ କି ପ୍ରକାର ବ୍ୟବହାର ଦେବେ, ସେ ବ୍ୟବହାର ପାଇ ସେମାନେ କେତେ ଯେ କଷ୍ଟ ଅନୁଭବ ନ କରିବେ । ହେ ପ୍ରଭୁ, ମୋ ପିଲାମାନଙ୍କୁ ସଦ୍ ବୁଦ୍ଧି ଦିଅ,ସତ୍ ପଥ ଦେଖାଅ  । ସେମାନେ ଯେମିତି ମୋ ଭଳି ହନ୍ତସନ୍ତ ନ ହୁଅନ୍ତୁ । ଭଲରେ ଥାନ୍ତୁ ସେମାନେ ।

ଏପାଖରେ ସାମାନ୍ୟ ଟିକିଏ ଆଦର ସ୍ନେହ ପାଇଥିବା ଜୀବଟିଏ ଆଜି ଜୀବନର ଶେଷ ମୂହୁର୍ତ୍ତରେ କିଭଳି ସେବା ଯତ୍ନ କରୁଛି, ହୁଏତ ସେସବୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଉଛନ୍ତି । ଆଉ ସେ ଗୋଟିଏ ବିଲେଇ ।

ବିଲେଇଟିଏ ଅନ୍ୟ ବିଲେଇ କୁକୁରଙ୍କର ମାଡ଼ଗୋଳ ଭିତରେ ଖଣ୍ଡିଆ ଖାବରା ହୋଇ ରାସ୍ତା କଡ଼ରେ ମୃତ୍ୟୁ ସହ ସଂଗ୍ରାମ କରୁଥିବା ଅବସ୍ଥାରେ ସୀତାଦେବୀ ତାକୁ ଉଦ୍ଧାର କରି, ତାର ସେବାଯତ୍ନ କରି ସୁସ୍ଥ କରାଇଥିଲେ । ବିଲେଇଟି ସମ୍ପୂର୍ଣ୍ଣ ସୁସ୍ଥ ହେବା ପରେ ବି ସୀତାଦେବୀଙ୍କ ଘର ଛାଡ଼ି ନ ଥିଲା । ସବୁବେଳେ ତାଙ୍କ ପାଖେ ପାଖେ ରହୁଥାଏ । ମୁଠାଏ ଭାତ ଖାଇ ସେ ଘରେ ପଡି ରହିଥାଏ । ଆଜି ସମସ୍ତେ ଚାଲିଗଲେ ସତ । ହେଲେ ଏହି ନୀରିହ ଜୀବଟି ଘର ଛାଡେ ନାହିଁ ।

ସୀତାଦେବୀଙ୍କର ଶେଷ ସମୟରେ ସେ ପାଖେ ପାଖେ ରହୁଥାଏ । ସମସ୍ତେ ଜାଣନ୍ତି ଯେ, ଏ ବିଲେଇଟି ସୀତାଦେବୀଙ୍କର । ସେଥିପାଇଁ ସେମାନେ ପ୍ରଥମେ ପ୍ରଥମେ ନାରାଜ ଥିଲେ ବି ପରେ ଯେତେବେଳେ ଜାଣିଲେ, ବିଲେଇଟି ସୀତାଦେବୀଙ୍କର ବହୁତ କିଛି କରୁଛି ଓ ଏଯାବତ ବଞ୍ଚିବାର ଏକମାତ୍ର ସାହାରା ଏ ଜୀବଟି । ସେଥିପାଇଁ ସମସ୍ତେ ତା ଉପରେ ଖୁସି ହୋଇଯାଆନ୍ତି । ଯାହା ଖାଇବାକୁ ତାକୁ ଦେଲେ, ସେ ନେଇଯାଏ ସୀତାଦେବୀଙ୍କ ପାଇଁ । ପାଖରେ ଥିବା ଦୁଇ ତିନୋଟି ଦୋକାନୀ ମଧ୍ୟ ବିସ୍କୁଟ, ପାଉଁରୁଟି ଦିଅନ୍ତି । ବିଲେଇଟି ସେସବୁ ଆଣି ସୀତାଦେବୀଙ୍କ ପାଟିରେ ଦିଏ ।

ଦିନକର କଥା । ଗାଆଁ ପାଖରେ ଜଣେ ଡାକ୍ତର ରହନ୍ତି । ସୁରେଶ ବଳବନ୍ତରାୟ । ଖୁବ ନାମକରା ଡାକ୍ତର । ରୋଗୀ ଦେଖୁ ଦେଖୁ ରୋଗୀର ରୋଗ ଭଲ ହୋଇଯାଏ କାଳେ । ଦିନେ ଭୋର ଭୋର ହେବ,କବାଟକୁ କେହି ନଖରେ ରାମ୍ପିବାର ଶବ୍ଦ ଶୁଣିଲେ ଡାକ୍ତର ବାବୁ । ତରତର ହୋଇ କବାଟ ଖୋଲିଲେ । ଘର ଭିତରକୁ ବିଲେଇଟି ଏ ପଶି ଆସିଲା । ତା ପରେ ଡାକ୍ତର ବାବୁଙ୍କ ଗୋଡ ପାଖରେ ଗଡିଗଲା । ସେ କିଛି ବି ବୁଝି ପାରିଲେ ନାହିଁ । ଚେୟାର ଉପରେ ବସିଲେ । ଏହି ସମୟରେ ବିଲେଇଟି ତାଙ୍କ ପିନ୍ଧା ଲୁଙ୍ଗିଟାକୁ ଟାଣିଲା । ଡାକ୍ତର ବାବୁ କିଛି ବୁଝି ପାରିଲେ ନାହିଁ ସତ,ହେଲେ ତାଙ୍କ ଧର୍ମ ପତ୍ନୀ ବିଲେଇଟିର ଇସାରା ବୁଝି ପାରିଲେ । ଆଉ କହିଲେ ବିଲେଇଟି ଯୁଆଡେ ନେଉଛୁ ,ତା ପଛେ ପଛେ ଯାଅ । ଡାକ୍ତର ବାବୁ ମଧ୍ୟ ତାହା କଲେ । ଶେଷରେ ବିଲେଇଟି ପଛେ ପଛେ ଯାଇ ପହଞ୍ଚି ଗଲେ ବୁଢ଼ୀ ପାଖରେ । ବୁଢୀର ଚିକିତ୍ସା କଲେ । ଔଷଧ ,ଇଞ୍ଜେକସନ ଦେଇ ଆସିଲେ । ପାଖ ପଡୋଶୀଙ୍କୁ ଅନୁରୋଧ ବି କରି ଆସିଲେ, ବୁଢୀର ଯତ୍ନ ନେବାପାଇଁ ।

ପାଖ ପଡୋଶୀ ମାନେ ଯଥାସମ୍ଭବ ଯତ୍ନ ନେଉଥାନ୍ତି । କିଛି ଦିନ ଦୁଃଖ କଷ୍ଟ ଯନ୍ତ୍ରଣା ପାଇବା ପରେ ବୁଢ଼ୀ ଆଖି ବୁଜିଦେଲା । ଦିନେ ସକାଳୁ ସକାଳୁ ବିଲେଇଟି ଗାଆଁ ସାରା ବୁଲି ବୁଲି ସମସ୍ତଙ୍କ କବାଟ ବାଡେଇ ବାଡେଇ ବୁଢ଼ୀ ଅର୍ଥାତ ସୀତାଦେବୀଙ୍କ ଘର ପାଖକୁ ଡାକି ଆଣିଲା ।

ସମସ୍ତଙ୍କ ଗୋଡ ପାଖରେ ଖାଲି ଗଡି ଯାଉଥାଏ । ଆଉ ତା ଭାଷାରେ ମିଆଁଉ ମିଆଁଉ ହେଉଥାଏ। ଅନୁରୋଧ କରୁଥାଏ, ମୋ ଦେବୀ ମାଆର ଶବସତ୍କାର କରିଦିଅ । ମୋର ତ ଏତେ ଶକ୍ତି ନାହିଁ। ତୁମେମାନେ ମୋ ମାଆର ଅନ୍ତିମ ସସ୍କାର କର । କେବଳ ସମସ୍ତଙ୍କ ପାଦ ତଳେ ଗଡିଗଡି ଆଖିରୁ ଲୁହ ଝରାଉ ଥାଏ । ସେଠାରେ ଉପସ୍ଥିତ ସମସ୍ତ ନରନାରୀ, ଆବାଳ ବୃଦ୍ଧବନିତାଙ୍କ ଆଖିରେ ଅବାରିତ ଅଶୃଧାରା ବହି ଯାଉଥାଏ । ଏ ବିଲେଇଟି ପୁଅଠାରୁ କୌଣସି ଗୁଣରେ ଉଣା ନୁହେଁ ବୋଲି ସମସ୍ତଙ୍କ ତୁଣ୍ଡରୁ ଶୁଭୁଥାଏ । ବିଲେଇଟିର ଅନୁରୋଧକୁ ରକ୍ଷାକରି ଗ୍ରାମବାସୀମାନେ ସୀତାଦେବୀଙ୍କର ଶବ ସତ୍କାର କଲେ  । କ୍ରିୟା କର୍ମ ଯଥାବିଧି କଲେ । କ୍ରିୟାକର୍ମର ୧୨ଦିନ ଯାଏ ବିଲେଇଟି ଗାଆ ମଶାଣିରେ ଶୁଏ । ତା ପରଠାରୁ ବିଲେଇଟି କୁଆଡେ ଅନ୍ତର୍ଧାନ ହେଲା ପରି କେହି କେବେ ତାକୁ ଦେଖି ନାହାଁନ୍ତି।

ଏଇ ହେଉଛି ସମ୍ପର୍କ, ଯେଉଁଠି ରକ୍ତ ରକ୍ତକୁ ଚିହ୍ନି ପାରେନାହିଁ । ରକ୍ତ ରକ୍ତକୁ ପର କରି ଦିଏ । ଗର୍ଭର ସନ୍ତାନ ମାଆର ମମତା ଭୁଲିଯାଏ,ସେଠାରେ ସାମାନ୍ୟ ସ୍ନେହ ଶ୍ରଦ୍ଧା ଭଲପାଇବାର ଦାନର ପ୍ରତିଦାନ ଯେ କେତେ ମୂଲ୍ୟବାନ । ଏ ଭଳି ବନ୍ଧନ ତ ଅତୁଟ ବନ୍ଧନ ।

ଶିକ୍ଷୟିତ୍ରୀ ପ୍ରଣତି ମହାପାତ୍ର

ଫକୀରମୋହନ ନଗର, ବାଲେଶ୍ଵର

ଦୂରଭାଷ -୭୯୭୮୨୭୧୭୨୮

ଜମିଦାର ସମୟ ରାମ ନାରାୟଣ

Rate the content


Originality
Flow
Language
Cover design

Comments

Post

Some text some message..