ବାଡ ଯଦି କ୍ଷେତ ଖାଏ
ବାଡ ଯଦି କ୍ଷେତ ଖାଏ
ଧୀରେ ଧୀରେ ଏପଟ ସେପଟକୁ ଚାହିଁ ସନ୍ତର୍ପଣରେ ଛୋଟ ବାଥ ରୁମ୍ ଟିରେ ପଶିଯାଇ ଭିତରୁ ଛିଟିକିଣୀଟି ଦେଇଦେଲା ରେଣୁକା । ବାଥ୍ ପାଇପ୍ ର ଚାବିକୁ ପୁରା ଖୋଲିଦେଲା ଯେମିତି ପଡୁଥିବା ପାଣିର ଶବ୍ଦ ସ୍ପଷ୍ଟ ଭାବେ ବାହାରକୁ ଶୁଣାଯିବ, ଆସ୍ତେ କରି କାନ୍ଥରେ ଭରା ଦେଇ ପାଇପ୍ ଉପରେ ଚଢିଯାଇ ଗତକାଲି ରାତିରେ ଲୁଚି ଲୁଚି ଭାଙ୍ଗିଦେଇଥିବା ଛୋଟ ସ୍କାଇଲାଇଟ୍ ର କାଚଖଣ୍ଡ ଗୁଡିକ ବାହାରକରି ନିଜେ ଗଳି ପାରିଲା ଭଳି ବାଟଟେ ତିଆରି କରିନେଲା ସେ । ବହୁ କଷ୍ଟରେ ସେଇ ଛୋଟ ଗଳାବାଟ ଦେଇ ବାହାରି ଆସିଲା ପରେ ସେଠୁ କୁଦାଟେ ମାରି ଅଣନିଃଶ୍ବାସୀ ହୋଇ ଦୌଡ଼ିବାକୁ ଲାଗିଲା ରାତିର ସେଇ ଘନ ଅନ୍ଧକାର ଭିତରେ । ସ୍କାଇଲାଇଟ୍ ର ଭଙ୍ଗା କାଚଖଣ୍ଡ ବାଜି ରକ୍ତାକ୍ତ ହୋଇଥିବା ଶରୀର ପ୍ରତି ତା'ର ଧ୍ୟାନ ନଥିଲା, ରୁଗୁ ରୁଗୁ ହୋଇ ପୋଡୁଥିବା କ୍ଷତରୁ ଧାର ହୋଇ ରକ୍ତ ବୋହି ଥପ୍ ଥପ୍ କରି ପଡୁଥିଲା ଭୂମିରେ,ତଥାପି ସେ ଜୋର୍ ରେ ଦୌଡୁଥିଲା । ଆଗରେ ଥିଲା ଗୋଟିଏ ମାତ୍ର ଲକ୍ଷ୍ୟ କେମିତି ସେ ଏଇ ବାଳିକା ଆଶ୍ରମରୁ ବାହାରି ଯିବ ଆଉ ନିଜର ଜୀବନ ବଞ୍ଚାଇବା ସହ ଅନ୍ୟ ମାନଙ୍କ ଜୀବନ ମଧ୍ୟ ରକ୍ଷା କରିପାରିବ ।
କୋରାପୁଟ ଜିଲ୍ଲାର ଲକ୍ଷ୍ମୀପୁର ସ୍ଥିତ ରାମଦାସ ବାଳିକା ଆଶ୍ରମର ଅନ୍ତେବାସୀ ଥିଲା ଏଗାର ବର୍ଷର ରେଣୁକା । ତା'କୁ ଜଣା ନାହିଁ ସେ କେବେ କେମିତି ଏଠିକି ଆସିଲା । ଏଠାର ଫୁଲ ମାଉସୀ ଠାରୁ ସେ ଶୁଣିଥିଲା ଯେ ସେମାନେ ତା'କୁ ଜଙ୍ଗଲ ରାସ୍ତାରେ ଯାଉଥିବା ବେଳେ ଗୋଟିଏ ଗଛମୂଳରୁ ପାଇଥିଲେ । ଗୋଟିଏ ଛିଣ୍ଡା ଲୁଗାକୁ ଗୁଡେଇ ତା' ଜନ୍ମ କଲା ମାଆ ତା'କୁ ସେଠି ଛାଡି ଦେଇ ଯାଇଥିଲା ବିଲୁଆ କୁକୁରଙ୍କ ଆହାର ହେବାକୁ । ସେଦିନ ନିକଟବର୍ତ୍ତୀ ହାଟରୁ ସଉଦା ପତ୍ର କିଣା କିଣି କରି ସେଇ ବାଟରେ ଫେରୁଥିଲେ ରାମଦାସ ବାବା ତାଙ୍କର ଦୁଇଜଣ ସହଯୋଗୀଙ୍କ ସହିତ । ତା'ର କୁଆଁ କୁଆଁ କାନ୍ଦ ଶୁଣି ସେମାନଙ୍କ ମଧ୍ୟରୁ ଜଣେ କେହି ତା'କୁ ଆବିଷ୍କାର କରିଥିଲା ଏବଂ ତା'କୁ ଉଦ୍ଧାର କରି ଆଣିଥିଲା ଲକ୍ଷ୍ମୀପୁର ଆଶ୍ରମକୁ । ଆଶ୍ରମର ମୁଖ୍ୟ ରାମଦାସ ବାବା ତା'କୁ ଟେକି ଦେଇଥିଲେ ଫୁଲ ମାଉସୀ ହାତକୁ । ସେଇ କଅଁଳା ଛୁଆଟିକୁ ଆଶ୍ରମର ଅନ୍ୟ ପିଲାମାନଙ୍କ ସହିତ ପାଳିଥିଲେ ଫୁଲ ମାଉସୀ । ପ୍ରଥମରୁ ରହୁଥିବା ତିନୋଟି ପିଲାଙ୍କ ପାଇଁ ବାବା ନିକଟରେ ଥିବା ଗାଁ ଗଣ୍ଡାରୁ ସାହାଯ୍ୟ ଭିକ୍ଷା କରି ଚଳେଇ ନେଉଥିଲେ କିନ୍ତୁ ଧୀରେ ଧୀରେ ପିଲାଙ୍କ ସଂଖ୍ୟା ବଢ଼ି ବଢ଼ି ଚାଲିଥିଲା । କିଛି ଦୟାଳୁ ଦାତାଙ୍କ ପରାମର୍ଶ ନେଇ ବାବା ଆଶ୍ରମଟିକୁ ରେଜିଷ୍ଟ୍ରେସନ୍ କରି ଦେଇଥିଲେ ଏବଂ କିଛି କିଛି ସରକାରୀ ସହାୟତା ମଧ୍ୟ ମିଳିବାରେ ଲାଗିଥିଲା । ରେଣୁକାକୁ ମିଶାଇ ଛୋଟ ବଡ ହୋଇ ପ୍ରାୟ ଦେଢଶହ ଜଣ ନିରାଶ୍ରୟ ଝିଅ ରହୁଥିଲେ ସେଇ ଆଶ୍ରମରେ । ସେମାନଙ୍କୁ ଦେଖାଶୁଣା କରିବାଲାଗି ରାମଦାସ ବାବା ପାଞ୍ଚଜଣ ସେଇ ମାନଙ୍କ ଭଳି ଅସହାୟା ମହିଳାଙ୍କୁ ସେଠାରେ ଆୟା ଭାବେ ନିଯୁକ୍ତି ଦେଇଥିଲେ ମଧ୍ୟ ନିଜେ ସବୁ କାମ ତଦାରଖ କରୁଥିଲେ। କ୍ରମେ କ୍ରମେ ନିଜର ବୟସାଧିକ୍ୟ ହେତୁ ଏବଂ ପିଲାଙ୍କ ସଂଖ୍ୟା ବୃଦ୍ଧି ପାଇବା କାରଣରୁ ପରିଚାଳନା କମିଟି ଟିଏ ଗଢି ଆଶ୍ରମର ପରିଚାଳନା ଦାୟିତ୍ବ ସେମାନଙ୍କ ହାତରେ ଅର୍ପଣ କରିଥିଲେ । ତିନି ବର୍ଷ ତଳେ ବାବାଙ୍କ ଦେହାନ୍ତ ପରେ ନୂତନ ପରିଚାଳନା କମିଟିଟି ଗଠିତ ହୋଇଥିଲା ଆଶ୍ରମର ଅନ୍ତେବାସୀ ମାନଙ୍କ ଦାୟିତ୍ବ ନେବାପାଇଁ । ସେହିଠାରୁ ଆରମ୍ଭ ହୋଇଥିଲା ଆଶ୍ରମର ଝିଅମାନଙ୍କ ଦୁର୍ଦ୍ଦଶା ।
ପରିଚାଳନା କମିଟିର ସଭାପତି ଶ୍ରୀ ରଘୁନାଥ ମହାନ୍ତି ଥିଲେ ଶାସକ ଦଳର ଜଣେ ଟାଣୁଆ ନେତା । ତାଙ୍କର ଚେଲା ଚାମୁଣ୍ଡାଙ୍କ ମଧ୍ୟରୁ କିଛି ଲୋକଙ୍କୁ ମଧ୍ୟ ସେ ସାମିଲ୍ କରାଇଥିଲେ କମିଟିରେ । ନିଇତି ସଂଜରେ ମଦ୍ୟ ମାଂସର ଆସର ଜମେଇ ସେମାନେ ବସୁଥିଲେ ଆଶ୍ରମର ଏକ ନିଭୃତ କକ୍ଷରେ । ବିଳମ୍ବିତ ରାତ୍ରୀରେ ଆଶ୍ରମର ଅନ୍ତେବାସୀନୀ କିଛି ନିରୀହା କୋମଳମତି ବାଳିକାଙ୍କୁ ଜୋର୍ ଜବରଦସ୍ତ କରି ପଠାଇ ଦିଆ ଯାଉଥିଲା ସେମାନଙ୍କର ମନୋରଞ୍ଜନ କରିବା ଲାଗି । ଯେଉଁମାନେ ନିଜ ଇଚ୍ଛାରେ ସମର୍ପିତ ହେବାକୁ ରାଜି ହେଉନଥିଲେ ସେମାନଙ୍କୁ ନିଶା ଇନ୍ ଜେକ୍ସନ ଦେଇ ମାଡ ମାରି ପଠାଯାଉଥିଲା ସେଇ ବୟସ୍କ ବ୍ୟକ୍ତି ମାନଙ୍କ କାମନାର ନିଆଁରେ ପୋଡି ପାଉଁଶ ହେବାଲାଗି । ଏଇ କୁକର୍ମରେ ସହଯୋଗ କରୁଥିଲେ ନୂଆ କରି
ଯୋଗ ଦେଇଥିବା ପରିଚାରିକା ମାନେ । ନିଜ ଆଖି ଆଗରେ ନିଜର ପାଳିତା ଝିଅ ମାନଙ୍କୁ ଏମିତି ନିର୍ଯ୍ୟାତିତ ହେବାର ଦେଖି ପ୍ରତିବାଦ କରିଥିଲେ ପୁରୁଣା ଆୟା ମାନେ। ସେଥିଲାଗି ପୁରୁଣା ଆୟା ମାନଙ୍କୁ ବିଦାୟ ଦେଇ ଖାସ୍ ଏଇଥି ପାଇଁ ନୁଆ ଆୟା ମାନଙ୍କୁ ନିଯୁକ୍ତି ଦେଇଥିଲେ ପରିଚାଳନା କମିଟି । ଆଶ୍ରମକୁ ଏବେ ବାହାର ବଡବଡିଆ ଲୋକଙ୍କ ସୁଅ ଛୁଟିଥିଲା । ଅନୁଦାନ, ସାହାଯ୍ୟର ପରିମାଣ ବଢି ବଢି ଚାଲିଥିଲା । କିନ୍ତୁ ଅନ୍ତେବାସୀନୀ ମାନଙ୍କ ପାଖରେ ସେ ସବୁ ପହଞ୍ଚିଲା ଆଗରୁ ଉଭାନ୍ ହୋଇଯାଉଥିଲା । ଖାତା କଲମରେ ସୀମିତ ରହିଯାଇଥିଲା ସବୁ ଦେଣନେଣ ।
ପ୍ରଥମେ ପ୍ରଥମେ ଏସବୁ ବୁଝି ପାରୁନଥିଲା ରେଣୁକା । ତା' ପିଲାମୁଣ୍ଡରେ ପଶୁନଥିଲା ତାଙ୍କର ଆଶ୍ରମରେ ଚୋରାରେ ଚାଲିଥିବା ଏଇ କୁତ୍ସିତ ଷଡ଼ଯନ୍ତ୍ର ସବୁ । ବାବାଙ୍କ ଦେହାନ୍ତ ପରେ କିଛି କିଛି ପରିବର୍ତ୍ତନ ଲକ୍ଷ୍ୟକରି ପାରୁଥିଲା ସେ ହେଲେ ସେସବୁ ବୁଝିବାର ଶକ୍ତି ନଥିଲା ତା'ର । ତାଙ୍କର ଆଶ୍ରମର ପ୍ରତ୍ୟେକ କୋଠରୀରେ ତିନୋଟି କରି ତିନିଥାକିଆ ଖଟିଆ ପଡିଥାଏ । ପ୍ରତ୍ୟେକ ଖଟିଆରେ ଉପର ତଳ ହୋଇ ତିନିଜଣ ଲେଖାଏଁ ଝିଅ ଶୁଅନ୍ତି । ବଡ ଝିଅ ମାନେ ତଳ ଥାକରେ ଆଉ ସାନ ଝିଅ ମାନେ ଉପର ଥାକ ମାନଙ୍କରେ ଶୁଅନ୍ତି । ସେଦିନ ତଳ ଥାକରେ ମୀରା ନାନୀ, ରୀତା ନାନୀ , ସର ନାନୀ ଆଉ ଉପରେ ଥାକରେ ରେଣୁକାକୁ ମିଶାଇ ଆହୁରି ଛଅଜଣ ଝିଅ ଶୋଇଥିଲେ । ଅଧରାତିରେ କ'ଣ ଗୋଟିଏ ଶବ୍ଦ ଶୁଣି ନିଦ ଭାଙ୍ଗିଗଲା ରେଣୁକାର । ସେ ନିଦ ମଳ ମଳ ହୋଇ ଆଖି ଖୋଲି ଚାହିଁଲା ବେଳକୁ ନୂଆ ପରିଚାରିକା ମାଳତୀ ମାଉସୀ ସର ନାନୀକୁ ହାତକୁ ଧରି ଭିଡି ଭିଡି ନେଉଛି ଦୁଆର ମୁହଁ ଆଡକୁ, ସର ନାନୀ ଟାଣି ଓଟାରି ହୋଇ ନଯିବାକୁ ଚେଷ୍ଟା କରୁଛି । ସେ ବୁଝି ପାରୁନଥିଲା କାହିଁକି ଏତେ ରାତିରେ ସରନାନୀକୁ ତା'ର
ଅନିଚ୍ଛା ସତ୍ତ୍ୱେ ମଧ୍ୟ ମାଳତୀ ମାଉସୀ ଭିଡି ଭିଡି ବାହାରକୁ ନେଇ ଯାଉଛି କୁଆଡେ । ହଠାତ୍ ସେ ଦେଖିଲା ବାହାରେ ଠିଆ ହୋଇଛି ଆଶ୍ରମର ମାଳୀ ଧରଣୀ ଭାଇ । ମାଳତୀ ମାଉସୀ ତା'କୁ ଫିସ୍ ଫିସ୍ ହୋଇ କ'ଣ କହିଲା କେଜାଣି ସେ ମାଳତୀ ମାଉସୀ ହାତରୁ ଝିଙ୍କି ନେଇ ସରନାନୀକୁ ଶୂନ୍ୟେ ଶୂନ୍ୟେ ପିଠି ଉପରେ ପକାଇ ସେ ଅଫିସ୍ ଘର ଆଡକୁ ମୁହାଁଇଲା । କୌତୁହଳୀ ହୋଇ ରେଣୁକା ଧୀରେ ଧୀରେ ତାଙ୍କର ପଛେ ପଛେ ଚାଲିଲା । ଧରଣୀଭାଇ ବଡ ବଡ ପାହୁଲ ପକାଇ ଯାଇ ପହଞ୍ଚିଲା ଅଫିସ୍ ଘରକୁ ଲାଗି ଥିବା ବଡ ରୁମ୍ ଟିରେ । ସେଠି ଆଗରୁ ବସି ରହିଥିଲେ ଆଶ୍ରମର ଟ୍ରଷ୍ଟି ଦୁଇଜଣ । ଧୀମା ଧୀମା ଆଲୁଅରେ ସେମାନଙ୍କ ମୁହଁରେ ଫୁଟି ଉଠିଲା ପୈଶାଚିକ ହସ । ସାମନାରେ ଥୁଆ ହୋଇଥିବା ଗ୍ଲାସ୍ ରୁ ସେମାନେ କିଛି ପିଉଥିବାର ଲକ୍ଷ୍ୟ କଲା ରେଣୁକା ।
ଧରଣୀଭାଇ ସରନାନୀକୁ ସେଠାରେ ଛାଡି ଦେଇ କବାଟକୁ ବାହାରପଟୁ ବନ୍ଦ କରିଦେଲା ଏବଂ ନିଜେ ଆସି ଅଫିସ୍ ଦୁଆର ମୁହଁରେ ଠିଆ ହୋଇ ରହିଲା । ରେଣୁକା ସେମିତି ଠିଆ ହୋଇ ରହିଥିଲା ଅନ୍ଧାର ଭିତରେ । ମନରେ ସାହସ ହେଉନଥିଲା ରୁମ୍ କୁ ଫେରିଯିବାକୁ ସରନାନୀକୁ ଏମିତି ଏକୁଟିଆ ଛାଡି ଦେଇ। ଫର୍ଚ୍ଚା ହୋଇ ଆସୁଥିଲା, ଧରା ପଡିଗଲେ କ'ଣ ହେବ ସେଇ ଭୟରେ ଗୋଡ ଦୁଇଟା ଥରିବାକୁ ଆରମ୍ଭ କରିଥିଲେ । କିଛି ସମୟ ପରେ ରେଣୁକା ଦେଖିଲା ଧରଣୀଭାଇ ସେଇ ଘରୁ ବାହାରି ଆସିଲା ସରନାନୀକୁ ପୁଣି କାନ୍ଧରେ ପକାଇ । ସେମାନଙ୍କ ଶୋଇବା ଘରେ ଆଣି ଶୁଆଇ ଦେଇଗଲା ସରନାନୀକୁ ।
ସେ ଚାଲି ଯିବାପରେ ମାଳତୀ ମାଉସୀ ଆସି ଚଦରଟିଏ ଘୋଡାଇ ଦେଇଗଲା ସରନାନୀକୁ । ସେ ସେମିତି ମଲା ଭଳିଆ ପଡିଥାଏ । ଅଳ୍ପ ଆଲୁଅରେ ରେଣୁକା ଦେଖିଲା ସରନାନୀର ଫ୍ରକ୍ ସାରା ରକ୍ତ ଦାଗ । ତା ମୁହଁଟା କେମିତି ଗୋଟାଏ ଅବାଗିଆ ଦିଶୁଛି । ଟିକିଏ ପାଖକୁ ଯାଇ ତା' ନାକ ପାଖରେ ହାତ ରଖିଲା ସିଏ । ଅନୁଭବ କଲା ନିଶ୍ବାସ ପ୍ରଶ୍ବାସ ଚାଲିଛି । ସରନାନୀକୁ ହଲେଇ ହଲେଇ ଉଠାଇବା ଲାଗି ଚେଷ୍ଟା କଲା ସେ । ସରନାନୀକୁ ଯେତେ ହଲେଇଲେ ବି ସେ ଉଠିଲାନି । ଘର କୋଣରେ ରଖାଯାଇଥିବା ପାଣି ଜଗ୍ ରୁ ପାଣି ଆଣି ଛାଟିଲା ତା' ମୁହଁରେ । ତଥାପି ସେ ଉଠିଲାନି ଖାଲି ଆଖି ଖୋଲି ଟିକିଏ ଚାହିଁ ପୁଣି ଶୋଇପଡିଲା ।
ରେଣୁକା ବୁଝି ପାରୁନଥିଲା ସରନାନୀକୁ ଏମିତି ରକ୍ତାକ୍ତ କଲା ପରେ ବି ସେ ଉଁ ଚୁଁ ହେଉନି କାହିଁକି । ଧୀରେ ଧୀରେ ସେଇ ରୁମ୍ ର ଅନ୍ୟମାନେ ମଧ୍ୟ ଉଠିବା ଆରମ୍ଭ କରିଥିଲେ । ସାନ ମାନେ ସରନାନୀକୁ ଦେଖି ହାଉଳି ଖାଇ କାନ୍ଦି ଉଠିଲା ବେଳକୁ ବଡପିଲାମାନେ ତାଙ୍କ ପାଟିକୁ ଚାପି ଧରି ପାଟି କରନାହିଁ ବୋଲି ଶାସନ କରୁଥାଆନ୍ତି । କିଏ କାଳେ ଶୁଣି ପକାଇଲେ ବଡ ଅନର୍ଥ ହୋଇ ଯିବ ବୋଲି କହି ଘରର କବାଟକୁ କିଳି ପକାଉଥାଆନ୍ତି । ରେଣୁକା ବଡ ନାନୀ ମାନଙ୍କର ଏତାଦୃଶ ଆଚରଣ ଦେଖି ବିସ୍ମିତ ହୋଇଯାଇଥିଲା ।
ସେମାନଙ୍କୁ ସେ ଗତକାଲି ରାତିରେ ଦେଖିଥିବା ଘଟଣା ମାନ କହିବାରୁ ତା'ପାଟିକୁ ଜୋର୍ ରେ ଚାପି ଧରିଥିଲା ରୀତା ନାନୀ । ଆଖିରେ ଆଖିଏ ଲୁହ ଭରି ସେ କୁଣ୍ଢାଇ ପକାଇଥିଲା ରେଣୁକାକୁ । କହିଥିଲା '' ପାଟି ଖୋଲିଲେ ମରିଯିବୁ ଲୋ ରେଣୁ ! ତୁ ସିନା ଆଜି ସରନାନୀକୁ ଦେଖିଲୁ, ହେଲେ ବୁଢାବାବା ଗଲାଦିନୁ ଆମେ ସମସ୍ତେ ଏମିତି ଦିନେ ଦିନେ ମରୁଛୁ, ଫୁଲ ମାଉସୀ ଏସବୁକୁ ପ୍ରତିବାଦ କଲା ବୋଲି ସେମାନେ ତା'କୁ ତଣ୍ଟି ଚିପି ମାରି ଦେଲେ , ତା' ଶବକୁ ନେଇ ଆଶ୍ରମ ପଛପଟ ଜଙ୍ଗଲରେ ପୋତି ଦେଲେ । କହିଲେ ଫୁଲ ମାଉସୀ ଆଶ୍ରମରୁ ଟଙ୍କା ପଇସା ଚୋରି କରି କୁଆଡେ ପଳେଇ ଯାଇଛି । ସତକଥା ସମସ୍ତେ ଜାଣନ୍ତି ହେଲେ ସତ କହିବାର ଯୁ କାହାର ନାହିଁ । ଆମେ ତ ସହଜେ ନିରାଶ୍ରୟ , ଏ ଦୁନିଆଁରେ କିଏ ଅଛି ଆମ କଥା ଶୁଣିବାକୁ । ଏଠୁ ଯଦି ସେମାନେ ଆମକୁ ବାହାର କରି ଦେବେ ଆମେ ଯିବା କୁଆଡେ ? ଯେତେଦିନ ଯାଏ ସହି ହେବ ସହିବା ନହେଲେ ବିଷ ଖାଇ କି ଫାଶୀ ଲଗାଇ ମରିବା ସିନା ପାଟି ଖୋଲିବା ନାହିଁ । ତୁ ଯାହାବି ଦେଖିଛୁ ଶୁଣିଛୁ ସବୁ ଦୁଃସ୍ବପ୍ନ ଭାବି ଭୁଲିଯା । ତେବେ କେଜାଣି କିଛିଦିନ ବଞ୍ଚିଯିବୁ''।
ରୀତା ନାନୀର କଥା ଶୁଣି ଛାତି ଥରି ଉଠୁଥିଲା ରେଣୁକାର । ରହି ରହି ଫୁଲ ମାଉସୀର ମୁହଁଟା ଦିଶି ଯାଉଥିଲା ତା'କୁ । ହେତୁ ହେଲା ଦିନୁ ସେ ଫୁଲ ମାଉସୀକୁ ନିଜ ମାଆ ଭଳି ସ୍ନେହ କରୁଥିଲା । ଆହା ! କେତେ ନିଷ୍ଠୁର ଏଇ ଲୋକ ଗୁଡାକ ସତେ ! ଦେବୀ ଭଳିଆ ସ୍ତ୍ରୀ ଲୋକଟିକୁ ତଣ୍ଟି ଚିପି ମାରି ଦେଲେ ।
ରୀତା ନାନୀର କଥା ମାନି ସିନା ଚୁପ୍ ରହିଥିଲା ରେଣୁକା, ହେଲେ ତା'ଆଖିରୁ ନିଦ ଆଉ ପେଟରୁ ଭୋକ ହଜି ଯାଇଥିଲା । ଫୁଲ ମାଉସୀର ଆତ୍ମା ଯେମିତି ପ୍ରତି ମୁହୂର୍ତ୍ତରେ ତା'କୁ କହୁଥିଲା '' ତୁ ଏଠୁ ଚାଲିଯା' ଚାଲିଯା ନହେଲେ ଏମାନଙ୍କ ଭଳିଆ ତୁ ବି ଜିଅନ୍ତା ମରିବୁ ''। ଧୀରେ ଧୀରେ ନିଜକୁ ଟାଣ କରୁଥିଲା ରେଣୁକା । ମନେ ମନେ ସ୍ଥିର କରି ନେଇଥିଲା ଯେ ସେ ଏଇ ମୃତ୍ୟୁଯନ୍ତାରୁ ନିଶ୍ଚୟ ଦିନେ ବାହାରି ପଳେଇବ । ବାହାର ଦୁନିଆଁରେ ନିଶ୍ଚୟ ଜଣେ ତ କେହି ମିଳିବେ ଯିଏ ତା'ର କଥା ଶୁଣି ତା'କୁ ରକ୍ଷା କରିବେ । କେହିତ ଏଇ ଭଦ୍ର ମୁଖାପିନ୍ଧା ରାକ୍ଷସ ମାନଙ୍କ କବଳରୁ ଆଶ୍ରମର ଅନ୍ୟ ଅନ୍ତେବାସୀନୀ ମାନଙ୍କୁ ଉଦ୍ଧାର କରିବା ଲାଗି ଆଗେଇ ଆସିବେ । ତା'ର ଶେଷ ନିଶ୍ବାସ ଥିବା ଯାଏ ସେ ବଞ୍ଚିବା ଲାଗି ଲଢେଇ କରିବ । କଳେ ବଳେ କୌଶଳେ ସେ ଏଇ ଆଶ୍ରମରୁ ବାହାରି ଯିବାର ବାଟ ତିଆରି କରିବ । ସେ ସୁବିଧା ସୁଯୋଗକୁ ଅପେକ୍ଷା କରି ରହିଲା । ଆଉ ଦିନେ ସେ ସେଥିରେ ସଫଳ ହେଲା ମଧ୍ୟ ।
ସାରାରାତି ଆଖିବୁଜା ଦୌଡ଼ି ଦୌଡ଼ି ଭୋର୍ ବେଳକୁ ମୁଖ୍ୟ ସଡ଼କ ପାଖରେ ପହଞ୍ଚି ଯାଇଥିଲା ରେଣୁକା । ଆଗରୁ ଆସୁଥିବା ବସ୍ ଟିକୁ ଦେଖି ରାସ୍ତା ମଝିରେ ଛିଡ଼ା ହୋଇ ଦୁଇ ହାତ ଉପରକୁ ଟେକି ହଲାଇ ହଲାଇ ବସ୍ କୁ ଅଟକାଇବା ଲାଗି ଚେଷ୍ଟା କଲା । ଛୋଟ ଝିଅଟିକୁ ଏମିତି ଅବସ୍ଥାରେ ଦେଖି କିଛି ବିପଦରେ ପଡିଛି ଭାବି ବସ୍ ଚାଳକ ବସ୍ ଟି ଅଟକାଇଲେ ସେଠାରେ । ଧଇଁ ସଇଁ ହୋଇ ବସ୍ ରେ ଚଢ଼ିଗଲା ରେଣୁକା । କ'ଣ ହୋଇଛି ବୋଲି ଡ୍ରାଇଭର୍ ଜଣକ ତା'କୁ ପଚାରିବାରୁ କାନ୍ଦି କାନ୍ଦି ସବୁ କଥା କହିଥିଲା ସେ ଏବଂ ତା'କୁ ନେଇ ନିକଟରେ ଥିବା କୌଣସି ପୋଲିସ୍ ଷ୍ଟେସନରେ ଛାଡି ଦେବାଲାଗି ଅନୁରୋଧ କରିଥିଲା । ସଂଯୋଗ ବଶତଃ ସେଇ ବସ୍ ରେ ଯାତ୍ରା କରୁଥିଲେ ଗୋଟିଏ ପ୍ରମୁଖ ସମ୍ବାଦପତ୍ରର ଜଣେ ବରିଷ୍ଠ ସାମ୍ବାଦିକ । ଅନ୍ୟ ମାନଙ୍କ ସହିତ ସେ ମଧ୍ୟ ରେଣୁକାର ସବୁ କଥା ଶୁଣୁଥିଲେ । ନିଜର ପରିଚୟ ଦେଇ ସେ କହିଲେ ଯେ ସେ ରେଣୁକାର ଏମିତି ସାହସିକତା ଦେଖି ଖୁବ ଖୁସି ଏବଂ ଆଶ୍ରମର ସବୁ କେଳେଙ୍କାରୀକୁ ଲୋକଲୋଚନକୁ ଆଣିବା ଦିଗରେ ବିହିତ ପଦକ୍ଷେପ ନେବାକୁ ସେ ରେଣୁକାକୁ ସବୁମତେ ସାହାଯ୍ୟ କରିବେ । ସମସ୍ତ ଯାତ୍ରୀ ସେଥିରେ ଏକମତ ହୋଇଥିଲେ । ନିକଟସ୍ଥ ପୋଲିସ ଷ୍ଟେସନ ଆସିବା ମାତ୍ରକେ ରେଣୁକାକୁ ସାଙ୍ଗରେ ଧରି ଓହ୍ଲାଇ ଗଲେ ବରିଷ୍ଠ ସାମ୍ବାଦିକ ଜଣକ । ନିଜର ପରିଚୟ ଦେଇ ଆଶ୍ରମର କାର୍ଯ୍ୟକର୍ତ୍ତା ମାନଙ୍କ ବିରୁଦ୍ଧରେ ଏତାଲାଟିଏ ଦେଇ ରେଣୁକାକୁ ଧରି ତୁରନ୍ତ ଗଲେ ତାଙ୍କ ସମ୍ବାଦପତ୍ରର ସମ୍ପାଦକଙ୍କ ପାଖକୁ । ଏମର୍ଜେନ୍ସି ନିଉଜ୍ ଆଇଟମ୍ ରେ ଛପା ଯାଇଥିଲା ବାବା ରାମଦାସଙ୍କ ବାଳିକା ଆଶ୍ରମର ଯୌନ କେଳେଙ୍କାରୀ ସବୁ ପ୍ରମୁଖ ସମ୍ବାଦପତ୍ର ମାନଙ୍କରେ । ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଥିଲା ଆଶ୍ରମର ଦୁର୍ନୀତି । ସବୁ ସ୍ତରରେ ପ୍ରବଳ ପ୍ରତିବାଦ ହୋଇ ହଇଚଇ ସୃଷ୍ଟି ହୋଇଥିଲା । ସରକାରୀ ଅର୍ଡରରେ ପୋଲିସ୍ ଗିରଫ କରିଥିଲା ଆଶ୍ରମର ପରିଚାଳନା କମିଟିର ସଦସ୍ୟ ମାନଙ୍କୁ ଏବଂ ସବିଶେଷ ତଦନ୍ତ କରିବା ଲାଗି ଆଦେଶ ଦେଇଥିଲେ ସରକାର ।