Quotes New

Audio

Forum

Read

Contests

Language


Write

Sign in
Wohoo!,
Dear user,
ସାନୁ - ତୁମରି ପରି ଛୋଟ ପିଲାଟିଏ
ସାନୁ - ତୁମରି ପରି ଛୋଟ ପିଲାଟିଏ
★★★★★

© Dharitri Mallick

Children Inspirational

8 Minutes   14.6K    30


Content Ranking

ତୁମରି ଭଳି ଗୋଟେ ଛୋଟ ପିଲାଟେ ଥିଲା । ନାଁଟି ତାର "ସାନୁ" । ବୟସ ମାତ୍ର ବାର ବର୍ଷ । ସେ ଷ୍ଟାଣ୍ଡର୍ଡ - ୬ରେ ପଢ଼େ । ଏମିତି ଗୋଟେ ବି ଦିନ ନାହିଁ ଯେଉଁ ଦିନ ସେ ସ୍କୁଲ ଯିବା ବନ୍ଦ କରିଥିବ । ଯେତେ ବର୍ଷା ହେଉ, ଖରା ହେଉ, ଅବା ଶୀତ ,ସାନୁ ସ୍କୁଲ ଯିବା ବନ୍ଦ କରେ ନାହିଁ । ସେ ସ୍କୁଲ ଯିବାକୁ ଭଲ ପାଏ । ଭଲ ମଧ୍ୟ ପଢେ । କ୍ଲାସରେ ପ୍ରଥମ ପାଞ୍ଚ ଜଣ ଷ୍ଟୁଡେଣ୍ଟ ମାନଙ୍କ ଭିତରେ ପୋଜିସନ ରଖେ ।

ସବୁ ପିଲା ସ୍କୁଲରେ ପହଂଚିବା ପୁର୍ବରୁ ସେ ପହଞ୍ଚିଯାଏ । ଆଉ ସ୍କୁଲ ଛୁଟି ହେଲା ପରେ ଯେତେବେଳେ ସବୁ ପିଲା ପଳେଇଥିବେ, ସେ କ୍ଲାସରୁମର ସବୁ ଝରକା, କବାଟ, ଲାଇଟ, ପଙ୍ଖା ବନ୍ଦ କରିକି ଆସେ ଆଉ ଅଳ୍ପ ଡେରି ହୁଏ ଘରେ ପହଞ୍ଚିବା ପାଇଁ ।ଏ ସବୁ କାମ ତାକୁ କେହି କହି ନ ଥିଲେ ବି ସେ ନିଜ ମନକୁ କରେ । ସ୍କୁଲରେ ସବୁ ଶିକ୍ଷକ ଆଉ ଶିକ୍ଷୟତ୍ରୀ ମାନଙ୍କୁ ସେ ଶ୍ରଦ୍ଧା କରେ । ସ୍କୁଲ ଟିଚର ମାନଙ୍କର କିଛି କିଛି କାମ ମଧ୍ୟ କରିଦିଏ ସ୍ୱଇଚ୍ଛାରେ । ସାଙ୍ଗ ମାନଙ୍କ ସାଙ୍ଗରେ ବହୁତ ଖେଳେ, ସମସ୍ତଙ୍କୁ ସାହାଯ୍ୟ କରେ, ସମସ୍ତଙ୍କ ସାଙ୍ଗରେ ସେ ବହୁତ ଶୀଘ୍ର ମିଶି ଯାଏ । ଯେଉଁ ଦିନ ସ୍କୁଲରେ ପ୍ୟାରେଣ୍ଟସ ମିଟିଂ ଥାଏ ସେଦିନ ମଧ୍ୟ ପିଲାମାନଙ୍କର ବାପା ମାଆ ମାନଙ୍କୁ ଯଥା ସ୍ଥାନରେ ବସେଇବା, ସେମାନଙ୍କ ଠାରୁ ରେଜିଷ୍ଟରରେ ମଧ୍ୟ ସିଗନେଚର ନେବା କାମରେ ସାହାଯ୍ୟ କରେ । କ୍ଲାସରେ ଯାହା ନ ବୁଝି ପାରେ ନିର୍ଭୀକ ଭାବରେ ସେ ଟିଚର ମାନଙ୍କୁ ପଚାରି ଦିଏ । ସାଧାରଣ ଜ୍ଞାନ ତାର ଅନ୍ୟ ପିଲାଙ୍କ ଠାରୁ ମଧ୍ୟ ଭଲ । ତା ପାଖରେ କିଛିଟା ବାକ ଚାତୁରୀ ଗୁଣ ମଧ୍ୟ ଅଛି । ନିଜେ ହସେ ଓ ଅନ୍ୟକୁ ବି ହସାଏ । ଅନ୍ୟକୁ ସଙ୍ଗେ ସଙ୍ଗେ ନିଜର କରିପାରିବା ଗୁଣ ଥିବା ହେତୁ ତାକୁ ସ୍କୁଲରେ ବଡ ପିଲା, ଛୋଟ ପିଲା, ଟିଚର ସମସ୍ତେ ଭଲ ପାଆନ୍ତି ।

କିନ୍ତୁ ଘରେ ଭାରି ଚଗଲାମୀ କରେ । ବେଶି ସମୟ ପଢିବାକୁ ଭଲ ପାଏନି । ଘରେ ରହିଲେ ଖାଲି ଟିଭିରେ କାର୍ଟୁନ ପ୍ରୋଗ୍ରାମ ଦେଖିବା ପାଇଁ ଜିଦ୍ଦି କରିବ, ତା ପାପା ମାମାକୁ ଦେଖେଇ ଦେବନି ଟିଭି । ସବୁ ଘରେ ମାଆ ଆଉ ବାପା ମାନେ ଛୋଟ ପିଲାଙ୍କ ପଛରେ ଗୋଡେଇ ଗୋଡେଇ ନିଦରୁ ଉଠାଇ ସ୍କୁଲ ଯିବା ପାଇଁ ରେଡି କରାନ୍ତି ହେଲେ ସାନୁ ସକାଳୁ ଉଠି ପଡି ନିଜର ସବୁ କାମ ସାରିଦେଇ ତାର ପାପାକୁ ଉଠାଏ ଜଲଦି ନେଇ ସ୍କୁଲରେ ଛାଡ଼ିଦେବା ପାଇଁ । ହେଲେ ସାନୁର ପାପା ଟିକେ ଅଳସୁଆ , ଡେରିରେ ଉଠିବେ । ଟିକେ ଡେରି ହେଇଗଲେ ସାନୁ ତା ପାପାକୁ ଭାରି ବିରକ୍ତ ହୁଏ । ସାନୁର ମାମା କିନ୍ତୁ ଭାରି ସମୟାନୁବର୍ତ୍ତୀ, ସମସ୍ତଙ୍କ ଆଗରୁ ଉଠି ନିତ୍ୟକର୍ମ ସାରି ସକାଳୁ ସମସ୍ତଙ୍କ ପାଇଁ ଟିଫିନ ତିଆରି କରିଦେଇ ଥାଏ । ସାନୁ ତରବର ହୋଇ ଜଲଦି ଟିଫିନ ଖାଇ ଦେଇ ବାହାରିପଡେ ସ୍କୁଲ ଯିବାକୁ ।ଯେବେ ସାନୁର ପାପା ସ୍କୁଲ ନେଇ ପାରନ୍ତିନି ସେଦିନ ସାନୁର ମାମା ନେଇକି ଛାଡିକି ଆସନ୍ତି ଆଉ ସ୍କୁଲରୁ ନେଇକି ମଧ୍ୟ ଆସନ୍ତି ।

ଯେଉଁ ଦିନ ସାନୁର ମାମା ପାପାଙ୍କର କିଛି ଜରୁରୀ କାମ ଥାଏ ଅବା ଦେହ ଖରାପ ଥାଏ ସେଦିନ ଯଦି ମନା ବି କରିବେ ସାନୁ ଆଜି ସ୍କୁଲ ଯାଆନା ତଥାପି ସେ ଯେମିତି ବି ହେଉ ଜିଦ୍ଦି କରି ବୁଦ୍ଧି ଖଟେଇ କୌଶଳ କରି ଯିବ ହିଁ ଯିବ ।

ଛୋଟ ପିଲାଟି ବେଳୁ ସାନୁ ପଶୁ ପକ୍ଷୀ, ଜୀବଜନ୍ତୁ କୁ ଭାରି ଭଲ ପାଏ, ସ୍ନେହ କରେ ଆଉ ତାଙ୍କର କିଛି ଅସୁବିଧା ହେଲେ ଚିନ୍ତା ବି କରେ । ଛୋଟ ଛୋଟ ବୁଲା କୁକୁର ମାନଙ୍କୁ, କୁନି କୁନି କୁକୁର ଛୁଆଙ୍କୁ ବିଭିର୍ଣ୍ଣ ପ୍ରକାର ନାଁ ଦେଇଥାଏ, ଖାଇବାକୁ ଦିଏ, ଘରେ ଯାହା ଭଲ ଖାଦ୍ୟ ଥାଏ ତାକୁ ନେଇ ସେମାନଙ୍କୁ ଖାଇବାକୁ ଦେଇଦେବ । ଏମିତିକି ବଡ଼ ବଡ଼ ବିସ୍କୁଟ ଡବା ଗୋଟେ ଦୁଇ ଦିନରେ ସରେଇ ଦେଇଥିବ । ସେ କୁକୁର ଛୁଆ , ବିଲେଇ ଛୁଆଙ୍କୁ ଗେଲ କରିବ । ତାଙ୍କ ସାଙ୍ଗରେ ସେ ଏତେ ସାଙ୍ଗ ହେଇ ଯାଇଥାଏ ଯେ ସେ କୁକୁର ମାନେ ସାନୁକୁ ଦେଖିଲେ ଭାରି ଖୁସି ହୁଅନ୍ତି, ତା ପଛରେ ଗୋଡେଇ ଗୋଡେଇ ଆସନ୍ତି , ସାନୁ କଥା ମାନନ୍ତି, ଯୁଆଡେ ଥିଲେ ବି ସାନୁ ଯଦି ତାଙ୍କ ନାଁ ଧରି ଡାକିବ ସେ କୁକୁର ମାନେ ଦୌଡ଼ିକି ଦୁଆର ପାଖକୁ ଆସିଯିବେ । କେତେଟା କୁକୁର ରାତିରେ ତାଙ୍କର ଘର ମଧ୍ୟ ଜଗନ୍ତି ।ଆଉ କେତେକ କି ଦିନରେ କି ରାତିରେ ସାନୁ ଘର ଚାରି ପଟେ ବୁଲନ୍ତି ।

ଏମିତି ଦିନେ ସାନୁ ଘରକୁ ଗୋଟେ ବଡ ସାପ ପଶିବାକୁ ଚେଷ୍ଟା କରୁଥିବା ବେଳେ କୁକୁର ବହୁତ ବଡ଼ ପାଟିରେ ଭୁକି ଭୁକି ତାକୁ ଭଗେଇ ଦେଲା । ଘର ଭିତରକୁ ଜମାରୁ ପସେଇ ଦେଲାନି । ଆଉ ଘର ଲୋକଙ୍କ ର କିଛି ବି ଅନିଷ୍ଟ ହେଲା ନାହିଁ । ସେ ଗୋଟେ ମୋଟା ଅଖା ରଖିଥାଏ ସେମାନଙ୍କ ଶୋଇବା ପାଇଁ । ବୁଲା କୁକୁର ହେଲେ ମଧ୍ୟ ସେମାନେ ଏତେ ପୋଷା ହେଇ ଯାଇଥାନ୍ତି ଯେ କେବେ ବି ଘରର ପାଚେରୀ ଭିତରେ ଝାଡା କରିବା କି ଅସନା ମଧ୍ୟ କରନ୍ତି ନାହିଁ । ସନ୍ଧ୍ୟା ହେବା ପୂର୍ବରୁ ଗୋଟେ ପୋଷା କୁକୁର ଡଗି ଆସିକି ଗେଟ ପାଖରେ ଛିଡ଼ା ହେଇକି ରହିବ ଆଉ ଗେଟ ଖୋଲିଦେଲେ ଭିତରକୁ ଆସିବ । ରାତି ହେଲେ ନିଜେ ଡଗି ତାର ସେଇ ଅଖା ବିଛଣାକୁ ଟାଣି ଆଣି ଶୋଇବ । ରାତିରେ ପ୍ରାୟ ସମୟରେ ଡଗିକୁ ରୁଟି କ୍ଷୀର ଖାଇବାକୁ ଦିଆଯାଏ । ଯେବେ ବର୍ଷା ପବନ ଆଉ ଶୀତ ହୁଏ ସାନୁ ତାର ପୁରୁଣା ଶାର୍ଟକୁ ନେଇ ଡଗିକୁ ଘୋଡେଇ ଦିଏ ।

ସେମିତି ଗାଈ, ଶଣ୍ଢ ମାନଙ୍କୁ ବି ସାନୁ ଖାଇବାକୁ ଦିଏ ,ପାଣି ବି ପିଇବାକୁ ଦିଏ ଆଉ ତାଙ୍କର ମଧ୍ୟ କେତେ ନାଁ ଦେଇଛି । ସାନୁର ମାମା ଗାଈ, ଷଣ୍ଢ ମାନଙ୍କୁ ପ୍ରତିଦିନ ପ୍ରଥମ ଭାତ,ଡାଲି, ତରକାରି, ଶାଗ, ପେଜ ନେଇକି ପୂଜା କରି ଖାଇବାକୁ ଦିଅନ୍ତି । ରନ୍ଧା ହେଇଥିବା ପ୍ରଥମ ଭାତ ଗାଈ ଆଉ ଚଢେଇ, କାଉ ମାନଙ୍କୁ ଦିଅନ୍ତି । ସାନୁ ଆଉ ତା’ ମାମା ଗାଈ ଶଣ୍ଢଙ୍କୁ ଏତେ ଭଲ ପାଆନ୍ତି ଯେ ସେମାନେ ତାଙ୍କର କବାଟ ସାମନାରେ ସୁନା ପିଲା ଭଳି ଛିଡା ହୋଇ ରହିବେ ଖାଇବାକୁ । କେହି ବି ଗାଈ ଶଣ୍ଢ ତାଙ୍କୁ ମାରନ୍ତି ନାହିଁ । ଗାଈ ମାନେ ମଧ୍ୟ ସାନୁ ଆଉ ତା ମାମାକୁ କୁଣ୍ଢେଇ ପକେଇବା ଭଳି ଗେଲ ହୁଅନ୍ତି । ଗାଈ ଷଣ୍ଢର ଯଦି କିଛି ଖଣ୍ଡିଆ ଖାବରା ହୋଇ ଯାଇଥାଏ ସେମାନେ ପଶୁ ଡାକ୍ତର ସହିତ ପରାମର୍ଶ କରି ଔଷଧ ମଧ୍ୟ ଲଗେଇ ଦିଅନ୍ତି । ଏ ଦୃଶ୍ୟ ସବୁ ଦେଖିଲେ ବହୁତ ଖୁସି ଆନଂଦ ଲାଗେ । ମନକୁ ଶାନ୍ତି ଲାଗେ ।

ସାନୁ କେତେ ଗୁଡିଏ ଧଳା ପାରା କିଣିକି ଘରେ ବଡ ପଞ୍ଜୁରିରେ ରଖି ତାଙ୍କର ଯତ୍ନ ନିଏ, ତାଙ୍କୁ ଖାଇବାକୁ ଦିଏ, ନିଜେ ଗାଧେଇ ମଧ୍ୟ ଦିଏ । ପାରା ମାନଙ୍କ ସହ ତାର ଏତେ ଘନିଷ୍ଠତା ବଢି ଗଲା ଯେ ତାଙ୍କୁ ଟିକିଏ ସମୟ ନ ଦେଖିଲେ ସେ ରହି ପାରେନି । ଦିନ ରାତି ତାଙ୍କରି କଥା, ତାଙ୍କରି ସ୍ୱର କରିବା, ତାଙ୍କ ସହିତ ବସି ତାଙ୍କ ସାଙ୍ଗରେ କଥା ବି ହେବ, ତାଙ୍କରି ସାଙ୍ଗରେ ଖେଳିବାରେ ସମୟ ନଷ୍ଟ କରିଦିଏ । ଏମିତିକି ରାତିରେ ସେ ପାରାଙ୍କର ସ୍ବପ୍ନ ଦେଖେ । ଅଳ୍ପ ସମୟ ମଧ୍ୟରେ ଛୋଟ ଛୋଟ ପାରା ଗୁଡିକ ଗୋଲ ମୋଟଲ ହେଇ ଭାରି ସୁନ୍ଦରିଆ ଆଉ ଗୁଲଗୁଲିଆ ଦେଖାହେଲେ । ଅଳ୍ପ ମାସ ଭିତରେ ସେମାନେ ଯେତେବେଳେ ବଡ ହେଇଗଲେ, ସେତେବେଳେ ତା’ ମାମା ଓ ଅନ୍ୟମାନେ କହିଲେ ଏବେ ପାରା ଗୁଡିକୁ ସବୁ ପଞ୍ଜୁରି ଖୋଲିଦେଇ ଉଡାଇ ଦେବାକୁ , ହେଲେ ସାନୁ କାହା କଥା ଶୁଣିଲାନି। ତାର ମାମା ବହୁତ ବୁଝେଇଲା ଏବେ ପାରାଙ୍କୁ ଖୋଲା ଆକାଶରେ ଉଡିବାକୁ ଦେ, ସେମାନଙ୍କୁ ଏବେ ଏ ପଞ୍ଜୁରି ଭିତରେ ରଖେନା , ତାଙ୍କୁ ଅଣ ନିଶ୍ୱାସୀ ଲାଗୁଛି, ତାଙ୍କୁ ତାଙ୍କର ଡେଣା ସାହାଯ୍ୟରେ ଉଡିବାକୁ ଦେ । ତଥାପି ସାନୁ ସେମାନଙ୍କୁ ଜମାରୁ ନିଜ ପାଖରୁ ଦୂର କରିବାକୁ ଚାହୁଁ ନ ଥିଲା କି ସେମାନଙ୍କୁ ଉଡିବା ପାଇଁ ଛାଡିଲା ନାହିଁ ।ସବୁଦିନ ସ୍କୁଲରୁ ଫେରିଲା ମାତ୍ରକେ ଆଗ ସ୍କୁଲବ୍ୟାଗ ପକେଇଦେଇ ପାରା ମାନଙ୍କ ପାଖକୁ ଦୌଡିଯିବ ଦେଖିବାକୁ ।କେତେ ସମୟ ସେମାନଙ୍କ ସାଙ୍ଗରେ ଗେଲ ହେବ,ତାଙ୍କୁ ଚଢେଇ ଦାନା ନେଇକି ଖାଇବାକୁ ଦେବ ଆଉ ଶେଷରେ ଯାଇ ନିଜେ ଭାତ ଖାଇବ । କିଛି ଦିନ ପରେ ପାରା ମାନଙ୍କର ବ୍ୟବହାରରେ ଅନେକ ପରିବର୍ତନ ଦେଖା ଦେଲା । ସେମାନଙ୍କର ଦେହ ଟିକେ ଅସୁସ୍ଥ ରହିଲା, ବହୁତ ପର ସବୁ ଝଡିଲା, ଆଉ ସେମାନଙ୍କ ପାଖରୁ ବି ଗନ୍ଧ ଆସିଲା । ସାନୁର ମନ ବହୁତ ଖରାପ ହେଲା । ତା ପରେ ସେ ତା ପାପା ସାଙ୍ଗରେ ଗଲା ସେଇ ଚଢେଇ ଦୋକାନକୁ ଯେଉଁଠୁ ସେ ପାରା କିଣିକି ଆଣିଥିଲା ।ଦୋକାନୀ ସବୁ ଶୁଣି କିଛି ଔଷଧ ଦେଲା ଆଉ କହିଲା କିଛି ଦିନ ଭିତରେ ଭଲ ହେଇଯିବ ।ପାରାଙ୍କୁ ତାଙ୍କର ଚଢେଇ ଦାନାରେ ଔଷଧ ମିସେଇକି ଦେଲା ।କିଛି ଦିନ ହଳଦୀ ପାଣିରେ ପାରାଙ୍କୁ ଗାଧେଇ ଦେଲା ।ଆହୁରି ଅଧିକ ସେମାନଙ୍କର ଯତ୍ନ ନେଲା । କିଛି ସପ୍ତାହରେ ପାରା ମାନଙ୍କର ଦେହ ଠିକଠାକ ହୋଇଗଲା । ସାନୁ ଏ ସବୁ ଦେଖି ବହୁତ ଖୁସି ହେଲା ଆଉ ଆନନ୍ଦ ପାଇଲା । ହେଲେ ସାନୁ ଯେତେବେଳେ ପାରା ପାଖକୁ ଗଲା ଆଗ ଭଳି ଗେଲ କରିବାକୁ ଆଉ ପଞ୍ଜୁରି ଭିତରେ ହାତ ପସେଇଲା ମାନେ ପାରା ଗୁଡିକ ଖାଲି ତା ହାତକୁ ଖୁମ୍ପିଲେ, ପାରା ମାନେ ଅତି ଚିଡଚିଡା ମଧ୍ୟ ହୋଇ ଯାଇଥିଲେ । ଆଗ ଭଳି କିନ୍ତୁ ପାରା ମାନେ ସାନୁ ସହିତ ମିଶିଲେ ନାହିଁ କି ଖୁସି ବି ହେଲେ ନାହିଁ ।ସାନୁ ଏମିତି ପାରା ମାନଙ୍କର ବିଚିତ୍ର ବ୍ୟବହାରରେ ବହୁତ ମନ ଦୁଃଖ କଲା ଆଉ ପାରା ମାନେ ଏମିତି କାହିଁକି ହେଉଛନ୍ତି ସେ ବୁଝି ପାରିଲା ନାହିଁ । ଏ ସବୁ ବିଷୟରେ ତାର ମାମାକୁ ପଚାରିଲା ଆଉ କାରଣ କଣ ଜାଣିବାକୁ ଚାହିଁଲା । ମାମା ତାକୁ ଖୁବ ସୁନ୍ଦର ଭାବରେ ବୁଝେଇ ଦେଲେ ଯେ ପାରା ମାନେ ସବୁ ବଡ ହୋଇଗଲେଣି, ଛୋଟ ଥିଲେ ତୁ ତାର ଯତ୍ନ ନେଉଥିଲୁ, ଖାଇବାକୁ ଦେଉଥିଲୁ, ହେଲେ ଏବେ ସେମାନେ ମୁକ୍ତ ଆକାଶରେ ଉଡିବାକୁ ଚାହୁଁଛନ୍ତି, ସେମାନଙ୍କର ଶରୀର ବି ବଢି ଗଲାଣି, ସେମାନେ ନ ଉଡ଼ିଲେ ତାଙ୍କର ଏକ୍ସରସାଇଜ ହେଇପାରୁନି, ଗୋଟେ ପଞ୍ଜୁରିରେ ରହି ରହି ସେମାନେ ଅତି ବିରକ୍ତ ହେଇଗଲେଣି, ତାଙ୍କର ଗୋଡ ଦେହ ସବୁ ବିନ୍ଧୁଛି, ସେମାନେ ବାହାର ଦୁନିଆ ନିଜେ ଉଡି ଉଡି ଦେଖିବାକୁ ଚାହୁଁଛନ୍ତି, ଅନ୍ୟ ପାରା ଚଢେଇ ମାନଙ୍କ ସାଙ୍ଗରେ ସାଙ୍ଗ ହେବାକୁ ଚାହୁଁଛନ୍ତି , ବୁଲିବାକୁ ଚାହୁଁଛନ୍ତି । ସେମାନେ ମୁକ୍ତ ଆଉ ସ୍ୱାଧୀନ ହୋଇ ବଂଚିବାକୁ ଚାହୁଁଛନ୍ତି । ହେଲେ ତୁ ତାଙ୍କୁ ଗୋଟେ ଯାଗାରେ ପଞ୍ଜୁରି ଭିତରେ ବନ୍ଦୀ କରି ରଖିଛୁ ।ସେମାନଙ୍କ ମୂଳ ଧର୍ମ, ମୂଳ କର୍ମ ଆଉ ମୂଳ ସ୍ଵଭାବ ହେଉଛି ଉଡିବା, ତାଙ୍କୁ ଉଡିବାକୁ ଦେ । ସାନୁ କହିଲା ଯେ ମାମା ମୁଁ ତାଙ୍କୁ ବହୁତ ଭଲ ପାଉଛି, ତାଙ୍କ ବିନା ମୋତେ କିଛି ବି ଭଲ ଲାଗୁନି, ମୁଁ ତାଙ୍କ ବିନା ରହି ପାରିବିନି । ତାଙ୍କୁ ଯଦି ମୁଁ ଉଡେଇଦେବି ଆକାଶରେ ତା ହେଲେ ସେମାନେ ମୋ ପାଖକୁ ଆଉ ଆସିବେନି । ସେମାନେ ମୋତେ ଭୁଲି ଯିବେ । ନା ତୁ ଯଦି ତାଙ୍କୁ ପ୍ରକୃତରେ ଭଲ ପାଇଥିବୁ ତେବେ ସେମାନେ ଭୁଲିବେନି ତୋତେ । ସେମାନେ ଦିନେ ଯେମିତି ହେଲେ ବି ତୋତେ ଦେଖା କରିବାକୁ ଆସିବେ । ମାମା କଥା ସବୁ ଶୁଣି ସାନୁ କଷ୍ଟ ମନରେ ପଞ୍ଜୁରି ର ଦ୍ୱାରା ଖୋଲିଦେଲା, ତା ପରେ ସବୁ ପାରା ଗୋଟିକ ପରେ ଗୋଟିଏ ଖୁସି ମନରେ ଫୁର କିନା ଉଡିଗଲେ । ସାନୁ ସେମିତି ତାଙ୍କର ଉଡିବାକୁ ଦେଖୁଥାଏ ।ବହୁତ ଦିନ ପର୍ଯ୍ୟନ୍ତ ପାରା ମାନଙ୍କର ଆବସେନ୍ସ ସାନୁକୁ ଦୁଃଖ ଦେଉଥାଏ । ଏମିତି ୨୦/୨୫ ଦିନ ଗଲା ପରେ ପାରା ମାନେ ସାନୁ ପାଖକୁ ଆସିଲେ ସକାଳୁ ସକାଳୁ ଯେତେବେଳେ ସେମାନଙ୍କୁ ସାନୁ ନିଜର ବାଲ୍କୋନି ପାଖରେ ଦେଖିଲା ସେତେବେଳେ ତାର ଖୁସିର ସୀମା ରହିଲା ନାହିଁ । ସେମାନଙ୍କୁ ଧରିବା ପାଇଁ ହାତ ବଢ଼େଇଲା , ସେତେବେଳେ ପାରା ନିଜେ ତା ହାତ ଉପରେ ଆସିକି ବସିଲେ, କାନ୍ଧ ଉପରେ ମଧ୍ୟ ବସିଲେ ଏ ଘଟଣା ସାନୁକୁ ଏତେ ଆନନ୍ଦ ଖୁସି ଦେଲା ଯେ ସେ କଣ କରିବ ଜାଣି ପାରିଲା ନାହିଁ । ଯେତେବେଳେ ବହୁତ ପୁରୁଣା ସାଙ୍ଗ ସହିତ ଭେଟ ହେଇଗଲେ ଯେମିତି ଲାଗେ ସାନୁ କୁ ମଧ୍ୟ ସେଇଭଳି ଅନୁଭୂତି ହେଲା । ସଂଗେ ସଂଗେ ମାମା ପାଖକୁ ଦୌଡ଼ି ଯାଇ କହିଲା ମାମା ପାରା ପୁଣି ମୋ ପାଖକୁ ଆସିଛନ୍ତି । ଦେଖିଲ ! ସେମାନେ ବି ମୋତେ ବହୁତ ଭଲ ପାଉଥିଲେ । ମାମା କହିଲେ ହଁ ଠିକ କହିଛୁ ସାନୁ । ସାନୁ ପାଖକୁ ପାରା ଫେରି ଆସିଥିଲେ ବି ସେ ଆଉ ତାଙ୍କୁ ପିଞ୍ଜରାରେ ବନ୍ଦୀ କରି ରଖିଲା ନାହିଁ । ନିଜ ହାତରେ ତାଙ୍କୁ ଉପରକୁ ଉଡେଇଦେଲା । ପାରା ମାନଙ୍କୁ ଖୁସିରେ ଉଡ଼ିବାର ଦେଖି ସାନୁ ବି ବହୁତ ଖୁସୀ ହୁଏ । ଯେତେବେଳେ ପାରା ମାନେ ଆସନ୍ତି ସେ ତାଙ୍କୁ ଗହମ ଚାଉଳ ଖାଇବାକୁ ଦିଏ, ପାଣି ପିଇବାର ବି ବ୍ୟବସ୍ଥା କରିଥାଏ । ସାନୁ ସେଦିନ ବୁଝିପାରିଲା ଯେ ପ୍ରକୃତରେ ଯିଏ ଯାହାକୁ ଭଲ ପାଏ ସେ ତାକୁ ବନ୍ଦୀ କରି ରଖେନି, ତାକୁ ସ୍ୱାଧୀନ ଆଉ ମୁକ୍ତ କରିଦିଏ । ମୁକ୍ତିରେ ହିଁ ଖୁସୀ ଓ ଆନନ୍ଦ। ଅନ୍ୟର ଖୁସି ଆଉ ଆନନ୍ଦ ମନକୁ ବେଶୀ ଖୁସି ଦିଏ । ସାନୁର ଏହି ଜୀବଜନ୍ତୁ ଙ୍କୁ ଭଲ ପାଇବା ଓ ଦୟା ଭାବନା ବଡ ଲୋକ ମାନଙ୍କୁ ମଧ୍ୟ ଅନେକ କିଛି ଶିଖେଇ ଦିଏ । ଯେଉଁ ବଡ଼ ଲୋକ ମାନେ ଆଉ ପଡ଼ିଶା ଘର ଲୋକେ ପଶୁ ମାନଙ୍କୁ ବିରକ୍ତ ହେଉଥିଲେ, ଘୃଣା କରୁଥିଲେ, ଘଉଡେଇ ଦେଉଥିଲେ, ବାଡିରେ ପିଟୁ ଥିଲେ, ସେମାନେ ବି ଧୀରେ ଧୀରେ ଗାଈ, କୁକୁର, ଚଢେଇ ମାନଙ୍କୁ ଖାଇବାକୁ ଦେବା ଆରମ୍ଭ କରିଦେଲେ । ସେମାନଙ୍କ ମନରେ ବି ପଶୁ ମାନଙ୍କ ପ୍ରତି ସଦଭାବନା ଜାଗ୍ରତ ହେଲା ।

ଆଜିର ସମୟରେ ଯେଉଁଠି ମଣିଷ ମାନେ ପରସ୍ପରକୁ ବୁଝି ପାରୁ ନାହାନ୍ତି, ନିଜ ନିଜ ଭିତରେ କଳି, ଝଗଡା, ମାରପିଟ କରୁଛନ୍ତି, ନିଷ୍ଟୁର ବ୍ୟବହାର କରୁଛନ୍ତି, ଅସହିଷ୍ଣୁ ହେଉଛନ୍ତି, ବଣ ଜଙ୍ଗଲ, ପାହାଡ, ଝରଣା,ପ୍ରକୃତିର ମାଧୁର୍ଯ୍ୟକୁ ନଷ୍ଟ କରି ଚାଲିଛନ୍ତି, ଜୀବଜନ୍ତୁଙ୍କୁ ହଇରାଣ କରି ମାରି ଦେଉଛନ୍ତି । ସେଠି ସାନୁ ଭଳି ଛୋଟ ଛୁଆର ଭଲ ପାଇବା, ସ୍ନେହ, ଦୟା, କରୁଣା ଆଉ ବୁଝିବାର ଶକ୍ତି ଆମ ମାନଙ୍କୁ ଏବଂ ଏଇ ସମାଜକୁ ଶିଖେଇ ଦେଲା ଯେ ଭଲ ପାଇବା ପାଇଁ ଆଉ ଅନ୍ୟକୁ ବୁଝିବା ପାଇଁ ଭାଷା ର ଆବଶ୍ୟକ ନାହିଁ କି ଯାହାକୁ ଆମେ ଭଲ ପାଉ ତାକୁ ବନ୍ଦୀ କରି ରଖିବାର ପ୍ରୟୋଜନ ହିଁ ନାହିଁ । ପଶୁ ହେଇକି ବି ଯଦି ମଣିଷର ଭଲ ପାଇବା,ଦୟା କରୁଣାର ଭାବନା ବୁଝିପାରୁଛି, ମଣିଷକୁ ମାରୁନି ତା ହେଲେ ଆମେ ମଣିଷ ହେଇକି ବି କାହିଁକି ମଣିଷକୁ ବୁଝି ପାରୁନୁ ? ମଣିଷ କାହିଁକି ମଣିଷକୁ ମାରୁଛି ? ସଦାବେଳେ ସାନୁର ମନରେ ଆଜିବି ଏହି ପ୍ରଶ୍ନ ଘୁରି ବୁଲୁଛି ।

© ଧରିତ୍ରୀ ମଲ୍ଲିକ , ଭୁବନେଶ୍ୱର

ସାନୁ ବୟସ ସ୍କୁଲ

Rate the content


Originality
Flow
Language
Cover design

Comments

Post

Some text some message..