Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Laxman Kumar Behera

Others Tragedy

3  

Laxman Kumar Behera

Others Tragedy

ଲାଞ୍ଚ

ଲାଞ୍ଚ

3 mins
7.4K


ଗାଁରେ ମୋର ସ୍ମୃତି ଅଛି । ମୋ ପିଲା ଦିନ କଟିଛି । ଅଜସ୍ର ଭଲପାଇବା ସେଇଠୁ ପାଇଛି । କେମିତି ତା'କୁ ଆଜି ଭୁଲିଯିବି ? କ୍ଷଣିକ ସୁଖ ଆଉ କିଛି ଧନ ପାଇଁ । ମୋ ଗାଁଆକୁ ମୁଁ କେବେବି ତ୍ୟାଗ କରି ତୁମ ଗାଁଆରେ ଯାଇ ଘର ଜ୍ଵାଇଁ ହୋଇ ରହି ପାରିବିନି । ମୋ ଗାଁଆ ଲୋକେ କ'ଣ କହିବେ ! କହିଲ ?

ମୋ କଥା ଶୁଣି ଭୋ କିନା କାନ୍ଦି ଉଠିଲା ଦେବସ୍ମିତା । କହିଲା, "ତୁମେ ଆମ ଘରେ ରହିଲେ ଅସୁବିଧା କ'ଣ ଅଛି" ? ତୁମ ଗାଁଆରେ ନିଜର ଭଲ ଘରଟିଏ ତମର ନାହିଁ । ନା ଜମି ଅଛି ନା କିଛି ଭଲ ରୋଜଗାର । ପର ପାଖରେ ହଳିଆ ରହି ଖଟୁଛ । ତୁମ ମାଲିକର ଯେଉଁ ଖରାପ ନଜର, ଛି ଛି ଛି କହିବାକୁ ବି ଲାଜ ଲାଗୁଛି । ମୋତେ ଏସବୁ ଜମା ଭଲ ଲାଗୁନି । ତୁମ ଗାଁଆ ପଞ୍ଚାୟତର ଗ୍ରାମ ସେବକ ଆଉ ସରପଞ୍ଚଙ୍କୁ ତ କେବେ ଯାଇ ଅନୁରୋଧ କରିଲ ନାହିଁ ଘର ଖଣ୍ଡିଏ ପାଇଁ । ଏତେ ଗରିବ ହେଲେ ବି ତୁମେ କେବେ ରାସନ୍ କାର୍ଡଟିଏ ପାଇଲ । କୁହ ତ ! ଯେଉଁ ଘରେ ମୋତେ ରଖୁଛ ସେଇ ଘରଟି ଆଉ କ'ଣ ଘର ହେଇକି ଅଛି । ପଲିଥିନ୍ ଟାଣିଛ ପରା । ନା କେବେ ତମେ ନିଜ ନାଆଁରେ ଘରଡିହ କରିପାରିଲ । ମୋ ଛୁଆପିଲା ହେଲେ କେଉଁଠାରେ ରହିବେ, ଖାଇବେ କ'ଣ ?

ବାହାଘର ପାଞ୍ଚ ବର୍ଷ ବିତିଯିବା ପରେ ମଧ୍ୟ ମୋ କୋଳରେ ତମେ କେବେ ପିଲାଟିଏ ଦେଇପାରିଲ ? ମୋତେ ଅନ୍ୟର ମୂଲ ଲାଗିବାକୁ ପଡୁଛି । ମୋ ବାପ ଘରେ ମୁଁ ଭଲରେ ଥିଲି । କାମ ବେର୍ହେ କେବେ ମୋ ବାପା-ମାଆ କରାଇନଥିଲେ । ମୋ ଶାଶୁ ଶ୍ଵଶୁର ବଞ୍ଚିଥିଲାବେଳେ ଯେମିତି ପରର ମୂଲ ଲାଗୁଥିଲେ, ତୁମେ ଆଜି ଠିକ୍ ସେମିତି ଅନ୍ୟର ମୂଲ ଲାଗି ବଞ୍ଚୁଛ ।

ମୋ ଦ୍ବାରା ଏସବୁ ହେବନି ତମର ଯାହା ଇଚ୍ଛା ତାହା କର । ମୁଁ ଆଉ ଏଠି ରହି ପାରିବିନି । ମୁଁ ମୋ ବାପ ଘରକୁ ଚାଲିଲି । ତୁମେ ଡାକି ଗଲେ ମଧ୍ୟ କେବେବି ଆସିବିନି । ଯେଉଁ ଦିନ ତମର ଗାଁ ମୋହ ଛାଡିବ ସେବେ ଆସିବ ମୋ ବାପ ଘରକୁ, ଘର ଜ୍ଵାଇଁ ହୋଇ । ସେଇଠି ଆନନ୍ଦରେ ରହିବା ।

ସେଦିନ ଦେବସ୍ମିତା ସିନା ରାଘବକୁ ଏସବୁ ଶୁଣାଇଲା, ହେଲେ; ରାଘବର ତଣ୍ଟି ଶୁଖି ଯାଇଥିଲା ଏସବୁ ଶୁଣି । ପାଟି ତା'ର ଅଠା ହେଇ ଯାଇଥିଲା । ଆଖିର ଲୁହ ଆସି ଗାଲ ବାରମ୍ବାର ଭିଜେଇ ଦେଉଥିଲା । କୋହରେ ଫାଟି ପଡୁଥିଲା ସେ । ଦେବସ୍ମିତାକୁ ପଦୁଟିଏ ବି କିଛି ପାଟି ଫିଟେଇ କହି ପାରି ନଥିଲା ।

ବାପ ଘରକୁ ଆସିବା ସମୟରେ ଦେବସ୍ମିତା ବାଟ ସାରା ସବୁକିଛି ସରିଗଲା ଭାବି କାନ୍ଦି କାନ୍ଦି ଆସୁଥିଲା । ଆଉ ନିଜକୁ ନିଜେ ପ୍ରଶ୍ନ କରୁଥିଲା - ସେଦିନ ଯଦି ପଞ୍ଚାୟତର ଅଧିକାରୀମାନେ ଲାଞ୍ଚ ମାଗି ନଥାନ୍ତେ ଘର ଖଣ୍ଡିଏ ପାଇଁ ସେ ଆଜି କ'ଣ ନିଜ ସ୍ଵାମୀଙ୍କ ଠାରୁ ଦୂରକୁ ଚାଲି ଆସିଥାନ୍ତା ! କେବେ ନୁହେଁ । ରାସନ୍ କାର୍ଡ ପାଇଁ ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ଅନେକ ଥର ତ ଆବେଦନ କରିଥିଲି ମୁଁ ନିଜେ, ଆଜି ମୋ ସ୍ଵାମୀଙ୍କୁ କେମିତି ଦୋଷ ଦେଲି । ରାଜସ୍ଵ ଅଧିକାରୀଙ୍କ ପାଖକୁ ଆଉ ତହସିଲଦାରଙ୍କ ପାଖକୁ ତ ମିଶିକି ଯାଇଥିଲୁ ଦୁହେଁ । ହେଲେ ଆଜିଯାଏଁ ତ କିଛି ହେଲାନି । ନା ନା ମୋ ସ୍ଵାମୀଙ୍କର କିଛି ଭୁଲ୍ ନାହିଁ । ଏମିତି ଭାବି ଭାବି ପୁଣି ନିଜ ଘରକୁ ଫେରି ଆସିଲା ଦେବସ୍ମିତା । ମୋ ସ୍ଵାମୀଙ୍କୁ ମୁଁ କ୍ଷମା ମାଗିବି । ମୋତେ କ୍ଷମା ନକଲେ ଗୋଡ ଧରି ଭୁଲ୍ ମାଗିବି .... ଏମିତି ଅନେକ କଥା ଭାବି ଭାବି ଆସୁଥାଏ ।

ଯେତେବେଳେ ନିଜ ଘର ସାମ୍ନାକୁ ପହଞ୍ଚି ଦେଖେ ତ ଦାଣ୍ଡ ବାରଣ୍ଡାରେ ଲୋକଙ୍କ ଭିଡ ଜମିଥିଲା । ଲୋକମାନେ ନିରବ ଥିଲେ, କାହାରି ପାଟିରୁ କିଛି ଶବ୍ଦ ବାହାରୁ ନଥିଲା । ଦେବସ୍ମିତା ଯେଉଁ ସ୍ଵପ୍ନ ନେଇ ଅଧବାଟରୁ ଫେରି ଆସିଥିଲା, ତା'ର ସବୁ ସ୍ଵପ୍ନ ଆଜି ମାଟିରେ ମିଶି ଯାଇଛି । ଦେଖିଲା ରାଘବ ଗାଢ ନିଦ୍ରାରେ ଶୋଇଛି । ଆଖିରୁ ଥପ୍ ଥପ୍ ଝରିପଡିଲା ଲୁହ ସବୁ । ଟିକିଏ ଭୁଲ୍ ବୁଝାମଣାରୁ ତା'ର ଶଙ୍ଖା - ସିନ୍ଦୂର ହଜାଇଦେଲା । ସେଦିନ ଦେବସ୍ମିତା ସବୁ ଦିନ ପାଇଁ ରାଘବକୁ ଦୂରକୁ ବହୁତ ଦୂରକୁ ପଠାଇଦେଲା ଯେ' କେବେ ଡାକିଲେ ବି ସେ ଜମା ଶୁଣିଲା ନାହିଁ ।

ରାଘବ ଦୁନିଆରୁ ହଜିଯିବା ପରେ ସେ ବିଧବା ଭତ୍ତା ପାଉଛି, ଭଲ ଛାତ ଘରଟିଏ ପାଇଛି, ରାସନ୍ କାର୍ଡ ପାଇଛି, ହେଲେ; ତା'ର ସ୍ମୃତି, ସୁନ୍ଦର ଅତୀତ ଆଉ ରାଘବକୁ ସେ ସବୁ ଦିନ ପାଇଁ ତା'ର ଯୌବନ ବାଟରେ ହଜେଇଦେଲା ।

ଲକ୍ଷ୍ମଣ କୁମାର ବେହେରା (ଯତି)

କବି କୁଟୀର ,ଦଣ୍ଡାସିଂହା, ବାରକୋଟ ,ଦେବଗଡ (ଓଡିଶା)


Rate this content
Log in