Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Chinmayee Barik

Drama Inspirational Others

3  

Chinmayee Barik

Drama Inspirational Others

ମୋତେ ଦଣ୍ଡ ଦିଆଯାଉ

ମୋତେ ଦଣ୍ଡ ଦିଆଯାଉ

6 mins
14.5K


ଗାଁ ମାଷ୍ଟ୍ରେ ହରିଶ୍ଚନ୍ଦ୍ର ଧଳ ବସିଛନ୍ତି ମୁଣ୍ଡ ପାତି ।ଆଜି ତାଙ୍କର ନିଶାପ ହେବ ।ସରକାରୀ ଉପର ଅଧିକାରୀ ବି ଆସି ସାରିଲେଣି ଆଉ ବିଦ୍ୟାଳୟରେ ଅନେକ ଅଭିଭାବକ ବି ରୁଣ୍ଡ ହୋଇଛନ୍ତି ।ଆଗକୁ କଣ ହେବ କେହି ଜାଣି ନାହାଁନ୍ତି ହେଲେ ବିଚରା ଶିକ୍ଷକଙ୍କୁ ନିଜର ପକ୍ଷ ଥୋଇବାକୁ ଗୋଟିଏ ସୁଯୋଗ ଦିଆଯିବ ବୋଲି ଗୁଣୁ ଗୁଣୁ ହୋଇ ଶୁଣାଯାଉଛି ।

ଶିକ୍ଷକ ଜଣକ ଆଖିରୁ ଚଷମା କାଢି ଟିକେ ଦେଖିନେଲେ ବିଦ୍ୟାଳୟର ସବୁ ପରିସର । ନିଜେ ହାତରେ ଲଗେଇଥିବା କନିଅର ଗଛ,କଦଳୀ ବାଡି, ଶାଗ ପଟାଳି...ଆମ୍ବଗଛ ସହ ସରସର ହେଉଥିବା ପାଣି ଗଡିଆଟିକୁ ।ଗଣ୍ଠି ମାରିନେଇଥିବା ଆଙ୍ଗୁଳିକୁ ଟିକେ ଆଉଁଷି ପକେଇଲେ ।ଏଇ ବିଦ୍ୟାଳୟରେ ସେ ଦଶବର୍ଷ ହେଲା ଝାଳନାଳ ହୋଇ ଚଲାଇ ଆସୁଛନ୍ତି ।ଚାକର ବେଣୁ ଗୋଟିଏ କଣରେ ଠିଆ ହୋଇଛି ମୁଣ୍ଡ ପୋତି ।ଏଇ ବେଣୁ ତ ସୁଖଦୁଃଖର ସାଥୀ ।

କଲମ ନେଇ ଶେଷ ଥର ଲାଗି ରେଜିଷ୍ଟର ରେ ନିଜ ନାମ ଲେଖି ଉପସ୍ଥିତି ଜଣାଇଦେଲେ ।ମୁଣ୍ଡରୁ ଗମଗମ ଝାଳ ।କଲର ପାଖରେ ଛିଣ୍ଡି ଯାଇଥିବା ସାର୍ଟଟାକୁ ପଛକୁ ସନ୍ତର୍ପଣରେ ଟାଣି ଠିଆ ହେଲେ ।ବେଣୁ କହିଲା ...ସାର୍ ଆପଣ ଯାଆନ୍ତୁନି ବାହାରକୁ ।ବାହାରେ ଖୁବ୍ ଗହଳି ।

ହରିଶ୍ଚନ୍ଦ୍ର ହସିଲେ ...କହିଲେ ଶିକ୍ଷକ ଯଦି ଡରିବେ ତେବେ ଆଗକୁ କଣ ହେବ ବେଣୁ?ମୋତେ ଯିବାକୁ ହେବ ।ଘୋରି ଯାଇ ଅଧାଚନ୍ଦ୍ର ହୋଇଥିବା ଚପଲଟିକୁ ପାଦରେ ପୁରାଇ କୋଠରୀ ବାହାରକୁ ଗଲେ ।

ତାଙ୍କୁ ଦେଖିଲା ମାତ୍ରେ ଚାରିଆଡେ ଗୁଣଗୁଣୁ ହୋଇ ଗୁଞରଣଟେ ଖେଳିଗଲା ।

ଶିକ୍ଷା ବିଭାଗର ଉପର ଦୁଇ ଅଧିକାରୀ ତାଙ୍କୁ କଟମଟ ହୋଇ ଚାହିଁଥିଲେ ।ତାଙ୍କୁ ଗୋଟିଏ ଚେୟାରରେ ବସିବାକୁ କହି ସେମାନେ ଗୋଟିଏ ସାହେବ ଆଦବ କାଏଦାରେ ସେମାନେ ବସିଲେ ।ଗାଁର ସବୁ ଅଭିଭାବକ ମାନେ ଆଁ କରି ଅନାଇଥିଲେ ଆଗାମୀ ନିଷ୍ପତ୍ତିକୁ ।ଛାତ୍ରଛାତ୍ରୀ ମାନେ ବି ସେଇଠି ଠୁଳ ହୋଇଥିଲେ ।

ମିଷ୍ଟର ହରିଶ୍ଚନ୍ଦ୍ର ଧଳ...ଆପଣ ଜାଣନ୍ତି ଆପଣଙ୍କ ନାମରେ କ’ଣ କମ୍ପ୍ଲେନ୍ ଆସିଛି ? ଆପଣ ପିଲାମାନଙ୍କୁ ନିର୍ଘାତିଆ ମାଡ ମାରି ପିଠିରେ ନୋଳା ପକେଇ ଦେଇଛନ୍ତି ଆଉ ଚମ୍ପା ନାମ୍ନୀ ଝିଅକୁ ଅଶ୍ଳୀଳ ବ୍ୟବହାର କରିବାର ପିଲାମାନେ ଦେଖିଛନ୍ତି ।ଆପଣ ଜାଣନ୍ତି ଏହାର ପରିଣାମ କଣ?ପିଲାଙ୍କୁ ମାରିବା ଆଉ ଅଶ୍ଳୀଳ ଆଚରଣ ବେନିୟମ ଅଟେ ବୋଲି ଜାଣି ନାହାଁନ୍ତି??ଆପଣଙ୍କୁ ଚାକିରୀରୁ ସସ୍ପେଣ୍ଡ କରାଯିବ ।ନିଜ ତରଫରୁ ଯଦି କିଛି ସଫେଇ ଦବାର ଅଛି ତେବେ କହି ପାରନ୍ତି ।ଆମେ ଶୁଣିଲା ପରେ ଯାହା ନିଷ୍ପତ୍ତି ନେବୁ ।ଏତକ କହି ଉତ୍ତର ଅପେକ୍ଷାରେ ରହିଲେ ଉଚ୍ଚ ପଦସ୍ଥ ଅଧିକାରୀ ।

ଗୋଟିଏ ଅସହାୟତା ଘାରି ବସୁଥିଲା ଶିକ୍ଷକ ଜଣଙ୍କୁ ।ଶିକ୍ଷା ଦେଉଥିବା ମଣିଷର ଆଜି ପୁଣି ବିଚାର ଚାଲିଛି ସାରା ସଭାରେ ।କିନ୍ତୁ ସେ ନିଜକୁ ସଜାଡି ନେଲେ କିଛି କହିବାକୁ ।ଆଜି ନ କହିଲେ ପୁଣି କେବେ କିଛି କହି ପାରିବେନି ।ଏଇଟା ହିଁ ବୋଧେ ତାଙ୍କର ଶେଷ କଥା ହେବ ।

-------*****------******---------

ମାଷ୍ଟର ହରିଶ୍ଚନ୍ଦ୍ର କହିଲେ ....ଏ ଦୁଇଟି ଗାଁରେ କେବଳ ଏଇ ଗୋଟିଏ ସରକାରୀ ସ୍କୁଲ୍ ।ଧନୀ ଘର ପିଲା ମାନେ ଗାଡିରେ ବୁହା ହୋଇ ଯାଆନ୍ତି ଦଶ କିଲୋମିଟର ଦୂରରେ ଥିବା ପ୍ରାଇଭେଟ୍ ସ୍କୁଲକୁ ।ପିଲାଙ୍କ ସଂଖ୍ୟା ବି କମ୍ ।କିନ୍ତୁ ଯେଉଁ କିଛି ବାକି ରହିଲେ ଗରିବା ମୁରିବା ଲୋକ ତାଙ୍କ ପିଲା ସବୁ ଏଇଠି ପଢନ୍ତି ।ଏମାନଙ୍କୁ ଯୋଗାଡ କରିବାକୁ ମୋତେ ବି ଘର ଘର ବୁଲିବାକୁ ପଡେ ।ବୁଝାଇବାକୁ ପଡେ ଶିକ୍ଷା ବିନା ଗତି ନାହିଁ ବୋଲି ।ବହୁତ କଷ୍ଟରେ ସେମାନେ ବୋଧେ ମୋ ବିକଳ ପଣ ଦେଖି ସ୍କୁଲ୍ କୁ ଆସନ୍ତି ।ଏବେ ମୋଟାମୋଟି ପିଲା ସଂଖ୍ୟା ଶହେ ପଞ୍ଚାଅଶୀ ହେବେ ।ସ୍କୁଲ୍ ରେ କେବଳ ମାତ୍ର ମୁଁ ଗୋଟିଏ ଶିକ୍ଷକ ।ପ୍ରଥମରୁ ପଞ୍ଚମ ଯାଏଁ ସବୁ ମୋତେ ବୁଝିବାକୁ ପଡେ ।କେତେ ଥର ଲିଖିତ ଅଭିଯୋଗ କରିଛି ଆଉ ଜଣେ ଶିକ୍ଷକଙ୍କର ଆବଶ୍ୟକତା ରହିଛି ହେଲେ ଶିକ୍ଷା ବିଭାଗ ଶୁଣି ନାହାଁନ୍ତି ।ରାନ୍ଧୁଣିଆ ବେଣୁକୁ ନେଇ ମୋ ସ୍କୁଲ୍ କାମ ଚଳାଏ ।

ଆଜିକାଲି ପିଲା ଆଉ ପିଲା ହୋଇ ନାହାଁନ୍ତି ।ସବୁ ଓଳିଆରୁ ଗଜା ।କେବଳ ସଭ୍ୟତା କୁ ଛାଡି ।କିଛି ଭୂଲ୍ ଦେଖିଲେ ଶିକ୍ଷକ ବା କଣ କରିପାରିବ?କେବଳ ଗାଳି ତ?ମାଡ ମାରିବାର ଅଧିକାର ସରକାର ଛଡାଇ ନେଇଛନ୍ତି ।ଗାଳିକୁ ପଚାରେ କିଏ?ଗୋଟିଏ କାନରେ ପୁରେଇ ଆର କାନରେ ବାହାରି ଯାଏ ।

ଘରୁ ପଖାଳ ତୋରାଣୀ ମୁଠାଏ ଖାଇ ତିନି କିଲୋମିଟର ସାଇକଲ୍ ପେଲି ମୁଁ ଆସେ ସ୍କୁଲକୁ ।ପାଠ ପଢାଇବାଠୁ ଖାତା ଚେକ୍ କରିବା...ଠିକ୍ ସମୟରେ ଖାଇବା ଦେବା ସହ ସବୁ ରେକର୍ଡ ପତ୍ର ତଦାରଖ କରିବା ବି ଏକା ମୋର କାମ ।ବର୍ଷକରେ ଦୁଇ ମାସ ଚାଷ ସମୟରେ ପିଲା ସ୍କୁଲ୍ ଆସିବେନି ।ତେଣୁ ସେ ଦୁଇ ମାସର ପାଠ ଆଗୁଆ ବି ପଢେଇବି ।କୋଉ ପିଲାର ଖାତା କଲମ ନାହିଁ ବି ବୁଝିବି ।କିଛି ପିଲାଙ୍କ ଦେହ ଖରାପ ହେଲେ ତାଙ୍କର ଔଷଧ ପତ୍ର ଆଣିବା ଦାୟିତ୍ୱ ବି ମୋର ଯଦିଓ ତାଙ୍କ ଘର ଲୋକ ମୋତେ ଏ ବାବଦରେ ପଇସା ଦେଇ ଦିଅନ୍ତି ।ଏହା ଭିତରେ ବି ମୋତେ ନୈତିକ ଶିକ୍ଷା ଦେବାକୁ ପଡେ ପିଲାଙ୍କୁ କାରଣ ମୁଁ ଏ ଗାଁର ଛୁଆ ।ଭାବେ କାଳେ ମୋର କିଛି ଅବଦାନରେ ପିଲା ମଣିଷ ହୋଇଯିବେ ବୋଲି।

-----******--------******----

ଦୁଇ ଚାରିଦିନ ହେଲା ଗୋଟିଏ ଖବର ପଢି ମୁଣ୍ଡ କାମ କରୁନି ।ଟିଭି..ପେପର୍...ନେଟ୍ ସବୁ ଆଡେ ସେଇ ବଳତ୍କାରର ଖବର ।ମେସେଜ୍ ଉପରେ ମେସେଜ୍ ।ଜଣେ ସୁନ୍ଦର ସୃଷ୍ଟିକୁ ଅପେକ୍ଷା କରିଥିବା ଶିକ୍ଷକ ଆଖିରେ ଦେଖା ଯାଏ ଏକ ଧ୍ୱଂସର ପୃଥିବୀ ।ଭାରୀ ଦାରୁଣ.....

ମୁଠାଏ ପଖାଳ ଖାଇ ତରବରରେ ବାହାରିଲି ସ୍କୁଲ୍ କୁ ।ସାଇକେଲର କଁ କଁ ଆବାଜ୍ ସହ ମୋ ଛାତି ଭିତରେ ବି କିଛି ଗୋଟିଏ କୁଁ କୁଁ ହୋଇ କାନ୍ଦୁଥିଲା ....ମନେ ପଡୁଥିଲା ପ୍ରଥମେ ଆଠ...ତା ପରେ ନଅ...ତା ପରେ ଚାରି...ତାପରେ?ମୋ ସାଇକଲରେ ଧଡାସ୍ କରି ବ୍ରେକ୍ ମାରିଲି ।ସେଇଠୁ ବୁଲେଇ ଝାଳନାଳ ହୋଇ ଘରମୁହାଁ ହେଲି ।ଦାଣ୍ଡ ପିଣ୍ଡାରେ ଖେଳୁଛନ୍ତି ମୋ ଦୁଇ ଜାଆଁଳା ଝିଅ ବିନା ଜାମା ରେ ।ସାମ୍ନାରେ କିଛି ମୁହଁ ବୋଲା ଆତ୍ମିୟ ଖେଳୁଛନ୍ତି ତାସ୍ ...ମୁହଁରେ ବିଡି ଟାଣି ।ମୋ ଭିତରେ ଭୟ ଜାଗି ଉଠିଲା ।ସାଙ୍ଗେ ସାଙ୍ଗେ ଝିଅଙ୍କୁ ନେଇ ଘର ଭିତରେ ପୁରେଇ କବାଟ ଆଉ ଜେଇ ଆଣିଲି ।

ଶୀଘ୍ର ପହଞ୍ଚିବାକୁ ଥିଲା ସ୍କୁଲ୍ ରେ ।ପିଲାମାନେ ମୋତେ ଅପେକ୍ଷା କରିଥିବେ ।ଜଲଦି ଜଲଦି ପେଡାଲ୍ ମାରିଲି ।

ସ୍କୁଲ୍ ରେ ଦେଖିଲି ମୋର ଆସିବା ଡେରି ଦେଖି ଅଧିକାଂଶ ପିଲା ପାଖ ଘର ବଗିଚା ରେ ପିଜୁଳି ଆଉ କାକୁଡି ଚୋରି କରି ଖାଇବାରେ ବ୍ୟସ୍ତ ।ଏହା କିଛି ନୂଆ କଥା ନ ଥିଲା ।ଅନେକ ଥର ଦେଖିଛି ..ଧମକାଇଲା ପରେ ସବୁ ଫେରନ୍ତି ।ହେଲେ ସେଦିନ ମୋତେ ଏକଥା କାହିଁକି ଅସହ୍ୟ ହେଲା ।ଜୋର୍ ରେ ଚିଲ୍ଲେଇଲି..ପିଲା ଛାନିଆ ହୋଇ ଦୌଡି ଚାଲି ଆସିଲେ ।

ଅଫିସ୍ ରୁମକୁ ପଶୁ ପଶୁ ଦେଖିଲି ପଞ୍ଚମ ଶ୍ରେଣୀର ଝିଅ ଚମ୍ପା ନଇଁ ପଡି କ’ଣ ଲେଖୁଛି ।ପିଠି ତାର ଖୋଲା ।ଜାମାରେ ଗୋଟିଏ ବି ବୋତାମ ନାହିଁ ।ତା ଆଡକୁ ଅନେକ ଛୁଆଙ୍କର ନିରୀହ ଚାହାଣୀ ବି ଲାଖି ରହିଛି ।ଛୁଆଙ୍କର ନିରୀହ ଚାହାଣୀରେ ମୋତେ କ୍ରୁରତା ଦେଖା ଗଲା ।

ଚମ୍ପାକୁ ଅଫିସ୍ ଭିତରକୁ ଡାକି ବହେ ଶୋଧିଲି ।ସବୁଠୁ ଭଲ ପଢୁଥିବା ଚମ୍ପା ଆଖି ଛଳ ଛଳ କରି ତଳକୁ ମୁହଁ କରି ଠିଆ ହୋଇଥିଲା ।ମୁଁ ଜାଣେ ତା ମା’ ବାର ଘରେ ଦୁଃଖ ଧନ୍ଦା କରି ଝିଅକୁ ପଢାଉଛି ।ଝିଅଟିର ମନ ବି ସବୁବେଳେ ପଢାରେ ।ହୁଏତ ବୋତାମଟିଏ ନାହିଁ ତା ପିଠି ଲାଗି ତାଙ୍କ ଘରେ ...ତଥାପି ସେ ପଢିବାକୁ ଆସିଛି ...ଏତକ ଭୁଲିଗଲି ମୁଁ ।ଜୋରରେ କହିଲି ଯଦି ଜାମା ନାହିଁ ପଢିବାକୁ ଆଉ ଆସିବୁନି ।ଘରେ ରନ୍ଧାବଢା କର ବରଂ ଭଲ ।ଝିଅଟି କାନ୍ଦୁଥିଲା ...ମୁଁ ତାକୁ ଘୋଷାରି ଆଣି ତା ଜାମାକୁ ଟାଣିଟୁଣି ସେଥିରେ ଆଲପିନ୍ ଲଗେଇବାର ଅସଫଳ ଚେଷ୍ଟା କରୁଥିଲି ।ଏହାକୁ କିଛି ଛୁଆ ଦୂରରୁ ଦେଖି ପାରି ଥିଲେ ।

ତରବର ହୋଇ କ୍ଲାସକୁ ଗଲି ।ସେଠାରେ ଜୋର ଜୋରରେ ପଢାଇଲି ।ତା ପରେ ପୂର୍ବ ଦିନର ପାଠ ବିଷୟରେ ଖାତା ଚେକ୍ କରିବାକୁ ମାଗିଲି ।ହେଲେ ଶେଷ ଧାଡିର କିଛି ପିଲା ହସା ହସି ହେଉଥିଲେ ।ପଞ୍ଚମ ଶ୍ରେଣୀର ପିଲା ନିଜକୁ ଖୁବ୍ ବଡ ଭାବନ୍ତି ।ସେମାନଙ୍କୁ ଦେଖି ଆଉ କିଛି ଝିଅ ଓ ପୁଅ ବି ଅନ୍ୟମନସ୍କ ।ଅନ୍ୟ ଦିନରେ ବି ଏମିତି ହୁଏ ।ହେଲେ ସେଦିନ କୌତୁହଳ ବଶତଃ ମୁଁ ତାର ଖୋଜ ଖବର ନେଲି ।ମୋ ଭିତରେ ଏଇଆ ଥାଏ ଯେ ଏତେ କଷ୍ଟ କରି ପଢାଉଛି ହେଲେ ଏମାନେ ଟିକେ ବି ଶୁଣୁ ନାହାଁନ୍ତି ।ଶେଷ ଧାଡି ପିଲାଙ୍କ ଝୁଲା ଚେକ୍ କଲି ।ଯାହା ଦେଖିଲି ମୋ ମୁଣ୍ଡ ଝାଇଁ ଝାଇଁ ମାରିଲା ।ଗୋଟିଏ ଅଶ୍ଲୀଳ ଛବି ଥିବା ପୁସ୍ତକ ।ସେଥିଲାଗି ଏତେ ଅନ୍ୟମନସ୍କତା ??

ମୋ ଗୋଡରୁ ମୁଣ୍ଡ ଯାଏ ସବୁ ଥରି ଉଠିଲା ।ମୁଁ ପାଗଳ ପ୍ରାୟ ହୋଇଗଲି ।ମୋ ଆଖି ଆଗରେ ସାରା ଗାଁର ପିଲା ସବୁ ଚୋର...ଲମ୍ପଟ ....ବଳତ୍କାରୀ ଦେଖା ଗଲେ ।ମୁଁ ନିଜକୁ ଆଉ ସମ୍ଭାଳି ପାରିଲିନି ।ଏତେ ରାମାୟଣ...ମହାଭାରତ ଗପ କିଛି ଫରକ୍ ପକେଇନି ତାଙ୍କୁ ?ମୋର ସବୁ ପରିଶ୍ରମ ବୃଥା??ଏ କଥା ଆଜି ନୁହେଁ କେବେଠୁ ହେଉଛି । ଆଜି ସିନା ଦେଖିଲି ?ମୋ ଗୋଡ ଆପେ ଆପେ ଚାଲିଲା କନିଅର ଗଛ ପାଖକୁ ।ମୋ ହାତ ଭାଙ୍ଗି ଆଣିଲା ଗୋଛାଏ ବାଡି । ଆଉ ତା ପରେ ଅର୍ଘାତିଆ ପିଟି ପକେଇଲି ସେ ନୀରିହ ପିଲାଙ୍କୁ ଗୋଟେ ପାଗଳ ପରି ।ମୋ ଆଖିରୁ ନିଆଁ ଖସୁଥାଏ ଯେମିତି......

----******---******-------******-----

ଏ ଥିଲା ସେ ଦିନର ଘଟଣାବଳୀ ।ଯେଉଁଥିଲାଗି ଅଭିଭାବକ ମାନେ ମୋ ନାଁରେ କମ୍ପ୍ଲେନ୍ କରିଛନ୍ତି ପିଲାଙ୍କୁ ଅଶ୍ଳୀଳ ଆଚରଣ କରିଛି ଆଉ ମାଡ ମାରିଛି ବୋଲି ।

ସେଦିନ ମୁଁ ଭୂଲି ଯାଇଥିଲି ମୁଁ ଗ୍ରାଣ୍ଟ ପାଇ ନଥିବା ଗୋଟିଏ ଶିକ୍ଷକ ।ମୋ ଚିରା ସାର୍ଟ ତଳେ ଗୋଟିଏ ଭୋକିଲା ପେଟ ଅଛି ଆଉ ମୋ ଶିରାଳ ହାତ ଉପରେ ଆଉ ଛଅଟି ପେଟ ନିର୍ଭର କରେ ।ଗାଁର ଶହେ ପଞ୍ଚାଅଶୀ ପିଲାଙ୍କର ଭବିଷ୍ୟତ ମୋ ଉପରେ ।ମୋ ଗାଳି ଆକଟ ତାଙ୍କୁ କିଛି ଫରକ୍ ପକାଏନି ଏକଥା ବି ଜାଣେ ।ମୋ ଚାକିରି ଚାଲିଗଲେ ମୋ ପରିବାର ଠିଆ ଠିଆ ଓପାସରେ ରହିବେ ଏକଥା ବି ଭୂଲି ଯାଇଥିଲି ।ହଁ ସେଦିନ ମୁଁ ସବୁ ଦିନ ଭଳି ପିଲାଙ୍କ ପିଜୁଳି ଚୋରି...ଚମ୍ପାର ଖୋଲା ପିଠି ...ଆଉ ଅଶ୍ଳୀଳ ବହିର ରହସ୍ୟକୁ ଅଣ ଦେଖା କରି ପାରି ଥାଆନ୍ତି ।ନିଜେ ବଞ୍ଚିଲେ ବାପର ନାଁ ଭାବି ଚୁପ୍ ବି ରହି ପାରି ଥାଆନ୍ତି ।ପିଲାମାନେ ଭବିଷ୍ୟତରେ ଚୋର କି ବଳତ୍କାରୀ ହେବେ ଏକଥା ବି ଭାବି ନ ଥିଲେ ବି ଭଲ ହୋଇ ଥାଆନ୍ତା ।ଚମ୍ପାକୁ ଦୁଇଟି ଜାମା କିଣି ଦେବାର ସାମର୍ଥ୍ୟ ବି ନ ଥିଲା ମୋର । ଦଶବର୍ଷ ଏଇ ସ୍କୁଲରେ କାମ କରୁଛି ।ବାଡି ବଗିଚା ଫଳେଇଛି ।ସ୍କୁଲ୍ ଘରେ ଖରା ତାତି ହୁଏ ବୋଲି ଗଛ ମୂଳେ ପିଲାଙ୍କୁ ପଢେଇଛି । ପିଲାମାନଙ୍କୁ ଖୁବ୍ ନିଜର ଭାବିଛି ।ହେଲେ ସେଦିନ ମୋତେ ଯେମିତି ଲାଗିଲା ଆଜି ଯଦି ନ ବାଡେଇବି ତେବେ ହୁଏତ ସମସ୍ତେ ଚୋର ଚାମୁଣ୍ଡା ହୋଇଯିବେ ।ମୁଁ ନିଜର ଭାରସାମ୍ୟ ହରାଇ ବସିଥିଲି....

ଏବେ ଯାହା ଆପଣଙ୍କର ଇଛା...ଯାହା ଦଣ୍ଡ ଦେବେ ମୁଁ ନେବି ....

ହରିଶ୍ଚନ୍ଦ୍ର ସାର୍ ଏତିକି କହି ଦୀର୍ଘ ନିଃଶ୍ଵାସ ନେଲେ ।

ଉପରିସ୍ଥ ଅଧିକାରୀ ସବୁ ଘଟଣା ଶୁଣିଲା ପରେ ସବୁ ପିଲାଙ୍କ ଅଭିଭାବକଙ୍କ ମୁହଁକୁ ଚାହିଁଲେ ।ସମସ୍ତେ ମୁହଁ ତଳକୁ କରି ବସିଥିଲେ ।

ସେମାନେ କିଛି କହିବା ଆଗରୁ କିଛି ପିଲା ନିଜେ ଉଠି ଯାଇ ହରିଶ୍ଚନ୍ଦ୍ର ସାରଙ୍କ ଗୋଡ ଧରି ପକେଇଲେ ।କାନ୍ଦି କାନ୍ଦି କହିଲେ ଆମର ଭୂଲ ହୋଇ ଯାଇଛି ସାର୍ ।ଆପଣ ଆମକୁ ଛାଡି ଯାଆନ୍ତୁନି...ଆପଣ ଯାହା କହିବେ ଆମେ ସବୁ ମାନିବୁ ।ଚମ୍ପା ସେମାନଙ୍କ ଆଡେଇ ଦେଇ ଆଗକୁ ଆସି କହିଲା ସାର୍ ..ମୁଁ ଆଜି ବୋତାମ ଲଗା ଜାମା ପିନ୍ଧି ଆସିଛି....

ତା କଥା ଶୁଣି ହରିଶ୍ଚନ୍ଦ୍ର ସାର୍ ଧଡାସ୍ କରି ଉଠି ଚାଲିଗଲେ ଆମ୍ଵଗଛ ମୂଳକୁ ।ତାଙ୍କୁ ଗୋପନରେ ଅନେକ କାନ୍ଦିବାର ଥିଲା ନିଜ ଅସହାୟତାକୁ ନେଇ....


Rate this content
Log in

Similar oriya story from Drama