Quotes New

Audio

Forum

Read

Contests

Language


Write

Sign in
Wohoo!,
Dear user,
ଶେଷ ଇଚ୍ଛା
ଶେଷ ଇଚ୍ଛା
★★★★★

© Soumya Shubhadarshinee

Tragedy

7 Minutes   286    7


Content Ranking

ମଣିଷର ଇଚ୍ଛାମାନେ ଚିରସ୍ରୋତା ନଦୀ ଭଳି , ଚିରହରିତ ବନ ଭଳି । କେବେ ପରିସମାପ୍ତି ନଥାଏ । କେବେ ମୋକ୍ଷ ନଥାଏ !

★★★★★★

ବହୁରାଷ୍ଟ୍ରିୟ ଅନୁଷ୍ଠାନ ଗୁଡିକ ପ୍ରଚୁର ଦରମା ଦେବା ସହ ପ୍ରଚୁର ଶୋଷଣ ମଧ୍ୟ କରନ୍ତି । ମଣିଷକୁ ଗଧ ଭଳିଆ ବ୍ୟବହାର କରିବା ସେଗୁଡିକର ମୂଳ ଲକ୍ଷ । ହଁ ବଡ଼ ଚାକଚକ୍ୟ ରହିଥାଏ ସେଇ ସଂସ୍ଥା ଗୁଡିକ ଭିତରେ କିନ୍ତୁ ସେଇ ମାୟା ମୁଲକରେ ଯେ କେଡେ ଭୟଙ୍କର ଜାଲ ବିଛା ଯାଇଥାଏ ବିଚରା କର୍ମଚାରୀ କେବଳ ବୁଝେ । ହଜାରେ ଏକ ଉପାୟରେ ସେ କେମିତି ଲୁଣ୍ଠିତ ହେଉଛି ତା' ବ୍ୟତୀତ ଦ୍ଵିତୀୟ କେହି ବୁଝିବା ଅସମ୍ଭବ ।

ଛୁଟି ଦରଖାସ୍ତ ଦେଇ ଏମିତି ଚିନ୍ତାରେ ଅଂଶୁ । ସେ ଯେବେ ଚାକିରୀ କଲା ବାଙ୍ଗାଲୋରରେ କେଡେ ଆନନ୍ଦ ହେଇଥିଲେ ସଭିଏଁ । ସତେକି ସ୍ୱର୍ଗ ସୁଖର ଠିକଣା ମିଳିଛି । ବୋଉ ଖୁସିରେ ଗାଁ ଦେଉଳରେ ଛୋଟ ଭୋଜିର ଆୟୋଜନ କରିଥିଲା ପରିବାରର ଲୋକଙ୍କୁ ନେଇ । ସେ ବି ବଡ଼ ନିଶ୍ଚିନ୍ତ ହେଇଯାଇଥିଲା ନିଜ ଭବିଷ୍ୟତକୁ ନେଇ । କିନ୍ତୁ ପରବର୍ତ୍ତୀ ସମୟରେ ହୃଦବୋଧ ହେଲା କେତେ ପରିଶ୍ରମ ପଡୁଛି ଆଉ କେତେ ଚିନ୍ତା ଘାରୁଛି । 'ଟାର୍ଗେଟ' ଶବ୍ଦର ଭୟାବହତା କେମିତି ମଣିଷକୁ ଅବସାଦଗ୍ରସ୍ତ କରିବାକୁ ପର୍ଯ୍ୟାପ୍ତ ସେତକ ଅନୁଭବ କରୁଥିଲା ବିଚରା । ସବୁଠୁ ବଡ଼ ସମସ୍ୟା ଥିଲା ଛୁଟି । ଜମାରୁ କେହି ରାଜି ହୁଅନ୍ତି ନାହିଁ ଅତ୍ୟାବଶ୍ୟକ ସମୟରେ ତୁରନ୍ତ ଛୁଟି ଦେବାକୁ । ଛୁଟି ନୁହେଁ ତ ଯେମିତି କାହାର ହାର୍ଟ କି କିଡ୍ନୀ ମାଗୁଛି କେହି । ଏମିତି କୁନ୍ଥୁ କୁନ୍ଥୁ ଯେ ମୁଣ୍ଡ ଗୁଣ୍ଡ ହେଇଯାଏ ।

ମୂଳ କଥା ହେଲା ଅନୁରୋଧ କରିବା ବସ୍ କୁ ଛୁଟି ପାଇଁ । ସେଇଟା ହାଡ଼ଜଳା ମୁହଁ କରି ସତରେ ମୁଡ୍ ବିଗାଡି ଦିଏ । ଦୁଇ ଚାରି ପଦ ଶୁଣାଏ ଆଉ ଦରମା ମଧ୍ୟ ପ୍ରଭାବିତ ହୁଏ ।

ହେଲେ ଅଂଶୁର ଏଇ ଅସହାୟତା ଘର ଲୋକେ ବୁଝିବାକୁ ନାରାଜ । ଆରେ ସେ କଣ ଫ୍ରି ଅଛି ଯେ ମନଇଚ୍ଛା ଯୁଆଡେ ନାହିଁ ସିଆଡେ ପଳେଇବ । ବୋଉର କିନ୍ତୁ ସବୁବେଳେ କିଛି ନା କିଛି ଅନୁରୋଧ । "ବାପାରେ ଦୁଇଦିନ ପାଇଁ ଆସିବୁ ଅମକ ନାହିଁ ସମକ କାମ ଅଛି । ବାପାଙ୍କର ବୟସ ହେଲାଣି ଏକୁଟିଆ ମଣିଷ ହଇରାଣ ହେଇଯିବେ । "

ବୋଉର ଅନୁରୋଧ ବଡ଼ ଇମୋସନଲ୍ କରିବ ଆଉ ଅଂଶୁ ବେଯାଏ ବ୍ୟସ୍ତତା ଭିତରେ ସନ୍ତୁଳି ହେବ । କେବେ କେମିତି ଛୁଟି ନେବ ଆଉ କେବେ କେବେ ବାଧ୍ୟ ହେଇ ବିରକ୍ତ ହେବ ଆଉ ଯିବନି । କୋଉ ପାଖ ବାଟ ହେଇଛି ସକାଳୁ ଯାଇ ସନ୍ଧ୍ୟାରେ ଆସିହେବ । ତଥାପି ସେମିତି ମଧ୍ୟ କରୁଛି ଫ୍ଲାଇଟ ରେ ଅଧିକ ପଇସା ଦେଇ ସଙ୍ଗେ ସଙ୍ଗେ ଟିକେଟ କରି ଆସୁଛି । ହେଲେ ସବୁବେଳେ କଣ ସମ୍ଭବ ? ଆଉ ମାର୍ଚ୍ଚ ମାସରେ ଏକଦମ ଅସମ୍ଭବ ! ଇୟର୍ ଏଣ୍ଡିଂ ଯେମିତି ଗୋଟେ ଯୁଦ୍ଧକାଳୀନ ପରିସ୍ଥିତି ,ହଲିବାକୁ ତର ନାହିଁ ।

ଆଉ ସେତିକିବେଳେ ବୋଉର କାନ୍ଦ , '' ବାପାରେ ଗୟାରେ ଅସ୍ଥି ବିସର୍ଜନ କରିବାକୁ ହେବ ଜେଜେଙ୍କର । ବୁଢା ପଣ୍ଡିତ ଗଣନା କରି କହିଛନ୍ତି ଏଇଟା ୨୫ ତମ ଶ୍ରାଦ୍ଧ ଆଉ ଅସ୍ଥି ରଖିଲେ ମୋକ୍ଷ ହେବେନି ଜେଜେ । ତୁ ଆସ ବାପାଙ୍କ ସହ ଯିବୁ । ଏକୁଟିଆ ଡାଇବେଟିସ ରୋଗୀ ଯିବାଟା ସମ୍ଭବ ନୁହେଁ । ଜେଜୀ ବଡ଼ ବିକଳ ହେଉଛି ଅସ୍ଥି ବିସର୍ଜନ ପାଇଁ । ''

ଅଂଶୁ ଭାବୁଛି , ଏସବୁ ବେକାର ପରମ୍ପରା କିଏ ବନେଇଲା । ଗୟାରେ ବିଧି ବିଧାନ ପୂର୍ବକ ପିଣ୍ଡଦାନ କଲେ ସ୍ୱର୍ଗରେ ଥିବା ପିତୃପୁରୁଷ ବ୍ରହ୍ମଲୋକ ପ୍ରାପ୍ତ ହୋଇଥାନ୍ତି । ଗୟା ଧାମର ଅକ୍ଷୟ ବଟ ନିକଟରେ ପିତୃକୁଳ ଲାଗି ଶ୍ରାଦ୍ଧ ଦେଲେ ଉଭୟ ପିତୃକୁଳ ଓ ମାତୃକୁଳ ମୋକ୍ଷ ହୋଇଥାନ୍ତି । ଏସବୁ କଣ ସତ ? ମୋକ୍ଷ ବୋଲି କ'ଣ କିଛି ଥାଏ ? ମଣିଷ ମରିଯିବାର ଘଟଣା କେବଳ ସତ୍ୟ ଆଉ କିଛି କି ମାନେ ରଖେ ? ଏଇ ଯେଉଁ ପ୍ଲେନ ଦୁର୍ଘଟଣାରେ ମଣିଷଙ୍କ ଦେହ ଧୁଳି ହେଇଯାଉଛି , ବୋମା ବିସ୍ଫୋରଣରେ ଦେହର କାଣିଚାଏ ମଧ୍ୟ ମିଳୁନି , ସମୁଦ୍ରରେ ରୋଜ୍ ମଣିଷ ନିଖୋଜ ହେଉଛନ୍ତି , ସେଗୁଡିକ କ'ଣ ଅମୋକ୍ଷ ହେଇ ବୁଲୁଛନ୍ତି ? କଳ୍ପନା ଚାୱଲା ଭଳି ମହାନ ମଣିଷବି ତେବେ ଅମୋକ୍ଷ ? ବିଲକୁଲ କିଛି ଅର୍ଥ ନାହିଁ ଏଇ ଭାବନାର । ମୋକ୍ଷ ପ୍ରାପ୍ତି ପାଇଁ ସତକର୍ମ କରିବା ଜରୁରୀ ବୋଲି ବୁଦ୍ଧ କହିଛନ୍ତି , ଏଇ ଗୟାରେ ଅସ୍ଥି ବିସର୍ଜନ ଆମର ନିଜସ୍ୱ ସହଜ ବାଟ ମୋକ୍ଷ ଭଳି ଦୁର୍ମୂଲ୍ୟ ବସ୍ତୁ ପାଇବାକୁ । କିନ୍ତୁ ବିଶ୍ୱାସ କରୁଛି ଜେଜୀ , ବାପା , ବୋଉ ସଭିଏଁ । ସେ ମନା କରିବା ବଡ଼ ଅମାନବିକ ହେବ ! ହେଲେ ମାର୍ଚ୍ଚ ମାସରେ ଛୁଟି ଓଃ !

***********

ବହୁତ କଷ୍ଟରେ ଛୁଟି ମିଳିଲା ଆଉ ଅଂଶୁ ଉଡି ଆସିଲା ଘରକୁ । ଜମା ଦୁଇଦିନ ସମୟ ,ସେ ଦୁହେଁ ସାଥୀହେଇ ଯିବେ , ପିଣ୍ଡଦାନ କର୍ମ ସମାପ୍ତ କରିବେ ଆଉ ତା' ପରେ ସେ ଗୟାରୁ ସିଧା ଫେରିବ ବାଙ୍ଗାଲୋର ଆଉ ବାପା ଓଡ଼ିଶା । ଆଉ କିଛି ଉପାୟ ନାହିଁ । ସେ ବାପାଙ୍କୁ ନେଇ ଘରେ ଛାଡ଼ି ଯିବା ସମ୍ଭବ ନୁହେଁ ।

ହଉ ଚଳିବ ଏମିତି ପ୍ରୋଗ୍ରାମ , ବାପା ଫେରିବେ ଏକା । ଅଂଶୁ ମୁଖ୍ୟ କାମଟି କରିଦେଉ ସାଥିରେ ରହି । ବାପା ଆଉ ବୋଉ ଖୁସି ହେଲେ । କିନ୍ତୁ ଜେଜୀ ବଡ଼ ଦୁଃଖି ହେଇଗଲା ।

ଅଂଶୁ ବଡ଼ ବିବ୍ରତ ହେଇ ପଚାରିଲା ,

-'' ଆରେ ତୋ ଇଚ୍ଛା ତ ପୂରଣ କରୁଛୁ ଆମେ ପୁଣି ଦୁଃଖ କାହିଁକି ? ''

--'' ମୁଁ ଯିବି ତୁମ ସହ ତାଙ୍କ ଶେଷ ଦର୍ଶନ କରିବାକୁ ।''

--'' ତୋ ମୁଣ୍ଡ ଖରାପ ନା' କ'ଣ ତୁ ଚାଲି ପାରୁନୁ , ତୋ ଖାଇବା ପିଇବା , ଓଷଦ , ଇଂଜେକସନ , ଏସବୁ ଭିତରେ ତୁ ଯିବୁ ତା' ପୁଣି ଫ୍ଲାଇଟ ରେ !''

--'' ନେଇଯାଅରେ ମୋତେ ଟିକେ । ବାଟରେ ମୋ ଜୀବ ଘଟ ଛାଡିଦେଲେ ସେଇଠି ଦାହ କରିଆସିବ ।''

--'' ପ୍ଲିଜ ମା' ତୁ ଏମିତି କୁନି ପିଲା ପରି ହୋନା , ଆମକୁ ଭଲରେ ଭଲରେ ବିଦା କର । ''

--'' ନାଇଁ ମୁଁ ଯିବି ନହେଲେ ମୋତେ ମୁକ୍ତି ନାହିଁ । ଅମୋକ୍ଷ ହେଇଯିବ ମୋ ଆତ୍ମା। ''

ମୁଣ୍ଡ ପିଟି ଦେବାକୁ ମନ ହେଉଥିଲା ଅଂଶୁର । ଭୟଙ୍କର ଆଣ୍ଠୁ ଗଣ୍ଠି ବାତ ଯୋଗୁଁ ଜମା ଚାଲୁନି ଜେଜୀ , ପୁଣି ହାଇ ବ୍ଲଡ଼ ପ୍ରେସର ଯୋଗୁଁ ଫ୍ଲାଇଟ୍ ରେ ଉଡିବା ଅସମ୍ଭବ । ଏମିତି ରୋଗିଣୀ ମଣିଷକୁ କିଏ ସାଥିରେ ନେବ ? ତା' ପାଖରେ ନିଜ କଥା ବୁଝିବାକୁ ତର ନାହିଁ , ବାପା ପୁଣି ଡାଇବେଟିସ ଲୋକ ତାଙ୍କ ଇନ୍ସୁଲିନ୍ ଇଂଜେକସନ କଥା ବୁଝିବାର ଅଛି । ତା' ପାରେ ପୁଣି ଜେଜୀ । ନା' ହବନାହିଁ ଜମାରୁ ହେବ ନାହିଁ ଅସମ୍ଭବ !

ଏମିତି ଗୋଟେ ଅପୁରଣୀୟ ଇଚ୍ଛାଟାଏ କାହିଁକି ଜେଜୀର ?? ଅବଶ୍ୟ ଜେଜୀ କ'ଣ ଭାବୁଛି କହିବା ବଡ଼କଷ୍ଟ । ଜେଜେଙ୍କ ସହ ସେ ଭିନ୍ନ ସମ୍ପର୍କରେ ବନ୍ଧା । ଯେବେ ଜେଜେ ଚାଲିଗଲେ ପଥର ଭଳି ସ୍ଥାଣୁ ହେଇଯାଇଥିଲା ଜେଜୀ । ଅନେକ ଦିନ ଯାଏଁ ଗୋଟେ ମାନସିକ ନିରୂପଦ୍ରବ ଭାବ ଭିତରେ ବୁଡି ଯାଇଥିଲା । ପାଗଳ ଭଳି ହେଇ ଯାଇଥିଲା ତା' ସ୍ଥିତି । ବାପା କୁହନ୍ତି , '' ସେ ସମୟ ମୋ ଜୀବନର ସବୁଠୁ ଦୁଃଖଦ ଥିଲା । ବାପାଙ୍କର ସାହସ ହଜିଗଲା ଆଉ ମା'ର ଶ୍ରଦ୍ଧା ମଧ୍ୟ । ବଡ଼ ଯନ୍ତ୍ରଣା ପାଇଥିଲି ମୁଁ ।''

ସତରେ ବହୁଦିନ ଲାଗିଥିଲା ଜେଜୀକୁ ପ୍ରକୃତିସ୍ଥ ହେବାକୁ । ଆଉ ବିଗତ ପଚିଶ ବର୍ଷର ଜୀବନ ସେଇ ଅସ୍ଥି ସହ କାଟି ଥିଲା ଜେଜୀ । ସେଇଟି ରୋଜ୍ ପୂଜା କରୁଥିଲା ଆଉ ଘଣ୍ଟା ଘଣ୍ଟା ଧରି ସେଇ ପୂଜା ଘରେ ରହୁଥିଲା । ସମ୍ପୂର୍ଣ୍ଣ ସନ୍ୟାସିନୀ ଭଳି ଜୀବନ ବିତୁଥିଲା ଜେଜୀର ଆଉ ସେଇ ଠାକୁର ଘର ଦୁଆର ମୁହଁରେ ଶୋଉ ଥିଲା ଜେଜେଙ୍କୁ ଜଗି । ଘର ଛାଡ଼ି କେବେ ଯାଇନଥିଲା ଖାସ କରି ସେଇ ଅସ୍ଥି ଟିକକ ପାଇଁ ।

କେବେ କିଛି କହିଲେ ଅଭିମାନ କରି କହୁଥିଲା , " ସେ ରାତିରେ ପାଣି ଖୋଜନ୍ତି ତ' ଏଇଠି ଥିଲେ ସିନା ଦେଇପାରିବି । ଭୋକ ସିନା ହୁଏନି ଶୋଷ ହୁଏ ଆତ୍ମାକୁ ହୁଁ !"

ଜେଜୀର ଭାବନାକୁ କେହି କେବେ ଆଘାତ କରୁ ନଥିଲେ । ହୁଏତ ବୁଝୁଥିଲେ ଜେଜୀର ମନ କଥା । ସେମିତି ଜେଜୀ ବହୁତ ଭଲ ଥିଲା ଅନ୍ୟ ସବୁ କାମରେ । ଅଂଶୁକୁ ଗପ କହିବାଠାରୁ ନେଇ ପୋଡ଼ ପିଠା କରିବା ଯାଏଁ ସବୁଥିରେ । କିନ୍ତୁ ଜେଜେଙ୍କ ଅସ୍ଥିକୁ ନେଇ ତା' ଭିତରର ଥିଲା ଟିକେ ପାଗଳାମି । ଆଜି ଯେବେ ସେଇ ଅସ୍ଥି ଟିକକ ସବୁଦିନ ପାଇଁ ଦୁରେଇ ଯିବାର ଅଛି ଜେଜୀକୁ କଷ୍ଟ ହେବା ସ୍ୱାଭାବିକ । କିନ୍ତୁ ତା' ବୋଲି କ'ଣ ଜେଜୀକୁ ନେଇ ଗୟା ଯିବା ସମ୍ଭବ ?....

ବହୁତ ଇଚ୍ଛା ଥିଲା ଜେଜୀର ତା' ଜୀଵ ଘଟ ଛାଡୁ ଆଉ ସେ ମଧ୍ୟ ଜେଜେଙ୍କ ସହ ଏକା ସାଙ୍ଗରେ ଗୟାରେ ବିସର୍ଜିତ ହେଉ । ସେମିତି କରିପାରିଲେ ପୁଣି ପର ଜନ୍ମରେ ଜେଜେଙ୍କ ସହ ଭେଟ ହେବାର ଆଶା ପୂରଣ ହେବ । ଖାସ ସେଇଥିପାଇଁ ପଚିଶ ବର୍ଷ ହେଲା ଅସ୍ଥି ବିସର୍ଜନ ହେଇନଥିଲା । କିନ୍ତୁ ପ୍ରଭୁ ବଡ଼ ଦାରୁଣ ହେଲେ , ବଡ଼ ନିଷ୍ଠୁର ହେଲେ । ଏଇ ଡାକ ଟିକକ ଶୁଣିଲେ ନାହିଁ । ଜେଜୀ ଖଟିଆ ଲଗା ହେଇ ପଡ଼ିଲା ସିନା ଜୀବ ଘଟ ଛାଡିଲା ନାହିଁ । ତେଣୁ ତା' ଏଇ ଆଶାଟି ଆଉ ପୂରଣ ହେବା ସମ୍ଭବ ନୁହେଁ ତେଣୁ ହୁଏତ ତା'ର ଇଚ୍ଛା ସେ ଟିକେ ଯାଇ ଦେଖିଆସନ୍ତା ଜେଜେଙ୍କୁ ଶେଷ ଥର ପାଇଁ ।

***************

ଗୋଟେ ଅବ୍ୟକ୍ତ ଯନ୍ତ୍ରଣାରେ ଜର୍ଜରିତ ହେଲା ଅଂଶୁର ମନ । କେମିତି ବିବେକ ବାଧା ଦେଲା ତାକୁ ଆଉ ବ୍ୟତିବ୍ୟସ୍ତ ଲାଗିଲା ବହୁତ । ଜେଜୀର ଅନୁରୋଧ କ'ଣ ଏମିତି ଏଡ଼େଇ ଦେବା ଉଚିତ ? ମନ ଆଉ ବିବେକ ଲଢୁ ଥିଲେ । ଜେଜୀମା' କୁ ସାଥିରେ ନେଇଯିବାକୁ ଇଚ୍ଛାଟିଏ ବଳବତୀ ହେଉଥିଲା ଭିତରେ ଭିତରେ । ଜେଜୀର ଆତ୍ମା ଅମୋକ୍ଷ ରହିଯିବ ନହେଲେ ! ଆଉ ଜେଜେ କ'ଣ ଜେଜୀକୁ ଏମିତି ଦୁଃଖ ଦେଇ ମୋକ୍ଷ ପାଇବେ ?.....

ଆମ ହିନ୍ଦୁ ପରମ୍ପରା ଯାହା ବେକାର ଲାଗୁଥିଲା ତାକୁ ଆଜି ବହୁତ ଆବେଗିକ ଲାଗୁଥିଲା । ଏଇ ଭାବନା ଗୁଡିକହିଁ ପରିବାର ଗଢିବାର ମୂଳ ବୋଲି ପ୍ରତ୍ୟୟ ହେଉଥିଲା । ବାହାଘର ଭଳି ସାମାଜିକ ସମ୍ପର୍କ ଏଇ ଆବେଗ ଉପରେ ତିଷ୍ଠି ରହିଥାଏ । ଆଜିର ସମୟରେ ଜେଜୀ ଭଳି ପ୍ରତିବଦ୍ଧତା ଆଉ ନାହିଁ ତେଣୁ ବିବାହ ଭଳି ସାମାଜିକ ଅନୁଷ୍ଠାନ ନିଜର ସ୍ଥାୟୀତ୍ୱ ହରେଇବାକୁ ଲାଗିଛି ।

ମଣିଷ ପ୍ରକୃତରେ ଆବେଗରେ ବନ୍ଧା । ଆବେଗ ବାସ୍ତବତାଠୁ ବହୁ ଦୂରରେ , କେବେ ବୁଝେନି ସମସ୍ୟାର ଦର୍ଘ୍ୟ ପ୍ରସ୍ଥ ! କିନ୍ତୁ ଆବେଗ ଜିତିଯାଏ ସବୁବେଳେ । ଅଂଶୁ ଜେଜୀ ସହ ସେମିତି ଆବେଗରେ ବନ୍ଧା । ସେମାନେ ଏକା ଚାଲିଯିବେ ଜେଜୀକୁ ଦୁଃଖ ଦେଇ କେମିତି । ବିଚାରୀ କେତେ କଷ୍ଟ ପାଇବ । ଅଂଶୁ ଭିତରେ ଥିଲା ପ୍ରବଳ ଅସ୍ଥିରତା । ଆଉ ଏଇ ମାନସିକ ଦ୍ଵିବିଧା ଭିତରୁ ନିଜକୁ ମୁକ୍ତ କରିବା ଥିଲା ବହୁତ ଜରୁରୀ ।

************

ଛୁଟି ଦରଖାସ୍ତ ଦେଇ ଛୁଟିର ସମୟ ସୀମା ବଢ଼େଇଲା ଅଂଶୁ । ଫ୍ଲାଇଟ ଟିକେଟ କ୍ୟାନ୍ସଲ କଲା ଆଉ ଗୋଟେ କାର୍ ଭଡା କରି ଗୟା ଯିବାର ବନ୍ଦୋବସ୍ତ କଲା । ଜଣେ ଟ୍ରେଣ୍ଡ ନର୍ସ ସାଥିରେ ନେଇ ଯିବାର ସୁବିଧା କଲା ଆଉ ଜେଜୀର ଆବଶ୍ୟକୀୟ ମେଡ଼ିକାଲ ଉପକରଣ ଗୁଡି ସାଥିରେ ନେବାର ମଧ୍ୟ ବନ୍ଦୋବସ୍ତ କଲା । ଅଂଶୁ ବାପା ଆଉ ବୋଉଙ୍କୁ ଜଣେଇଲା ଯେ ଜେଜୀକୁ ସେ ସାଥିରେ ନେଇ ଯିବାର ବନ୍ଦୋବସ୍ତ କରୁଛି । ତା' ଆତ୍ମାକୁ କଷ୍ଟ ଦେଇ ଜେଜେଙ୍କର ମୋକ୍ଷ ପ୍ରାପ୍ତି ସମ୍ଭବ ନୁହେଁ । ସେ ଯିବ ନିଶ୍ଚିତ ଯିବ । ତା' ପରେ ଦେଖିବା ଯାହା ହେବ ।

ଏ ପରିବର୍ତ୍ତନ ଦେଖି ଆଶ୍ଚର୍ଯ୍ୟ ହେଲେ ସଭିଏଁ କିନ୍ତୁ ଖୁବ୍ ତୃପ୍ତ ହେଲା ଜେଜୀ । ନିଜ ଶିରାଳ ହାତ ଦୁଇଟି ଅଂଶୁ ମଥାରେ ରଖି ଆଶୀର୍ବାଦ ଦେଲା । ତା'ର ଉଦାସ ଚେହେରା ଅପୂର୍ବ ଆନନ୍ଦରେ ଉଜ୍ଜ୍ୱଳ ଲାଗିଲା । ସଭିଙ୍କୁ ପାଖରେ ବସେଇ ଘଡ଼ିଏ ଗପ କଲା ଜେଜୀ । ତା' ମନର ଗପ , ଜେଜେଙ୍କ ଗପ ଆଉ ତା' ସୁଖଦ ଅତୀତର ଗପ । ଲାଗୁଥିଲା ଯେମିତି ଆଜି ପୁଣି ଥରେ ଜେଜେଙ୍କ ସ୍ମୃତି ସବୁ ସଜୀବ ହେଇଯାଇଛି । ଢେର୍ ରାତି ଯାଏଁ ଗପ କରି ଜେଜୀ ନିଜ ଛାତି ତଳେ ନିବୁଜ ଆବେଗ ସବୁ ନିଗାଡି ଦେଲା । ବୟସର ସାୟାହ୍ନରେ ବୋଧେ ଆଉ କିଛି ଇଚ୍ଛା ବାକି ନଥିଲା ଜିଜୀର । ସବୁ ପୂର୍ଣ୍ଣ ହେଇଯାଇଥିଲା ଗୟା ଯିବାର ନିଶ୍ଚିତ ହେବା ପରେ ।

*************

ସବୁଦିନ ସକାଳୁ ଉଠି ଯାଉଥିବା ଜେଜୀର ଆଜି ଭଳି ଦିନରେ ନିଦ ଭାଙ୍ଗିନି କେମିତି , ଆଶ୍ଚର୍ଯ୍ୟ ହେଉଥିଲା ଅଂଶୁ ! ସେ ନିଜେ ଗଲା ଜେଜୀକୁ ଉଠେଇବା ଲାଗି । କିନ୍ତୁ ତା' ରୁମ ରେ ପହଞ୍ଚି ସ୍ଥାଣୁ ହେଇଗଲା ଅଂଶୁର ପୃଥିବୀ ।

କେଜାଣି ଜେଜୀର ଶେଷ ଈଛାତକ ପୂର୍ଣ୍ଣ ହେବାର ଥିଲା , ନା' ଈଛା ସବୁ ଶେଷ ହୋଇଯାଇଥିଲା !....

ସୌମ୍ୟା ଶୁଭଦର୍ଶିନୀ

ଅଂଶୁ ଇୟର୍ ଏଣ୍ଡିଂ ଜେଜୀ

Rate the content


Originality
Flow
Language
Cover design

Comments

Post

Some text some message..