Quotes New

Audio

Forum

Read

Contests

Language


Write

Sign in
Wohoo!,
Dear user,
★ ପ୍ରବଚନ ★
★ ପ୍ରବଚନ ★
★★★★★

© Amiya Bej

Others

2 Minutes   13.8K    21


Content Ranking

(୧)

ଟିଭି ପରଦା ରେ,ବାବାଙ୍କୁ ଦେଖି ଟାଣିହୋଇଯାଏ ମନ। ମୁହଁରେ କେମିତି ଗୋଟେ ଈଶ୍ୱରୀୟ ଭାବ!

କି ଧୀରମଧୁର କଥାସବୁ। ମୋହିତ ହୋଇଯିବ ତତକ୍ଷଣାତ୍ ଜଣେ।ପଦେ କଥାରେ ଅଛି ବର୍ଷକ ସମସ୍ୟାର ସମାଧାନ।ରାମକଥା,କୄଷ୍ଣକଥା କହି ହସାଉଥିବେ ତ କନ୍ଦାଉଥିବେ।ଜୀବନର ଗୂଢ଼ କଥାସବୁ ଏଇ ବାଗରେ ସରଳକରି ବୁଝାଇ କହୁଥିବେ ଯେ, ଈର୍ଷା କ୍ରୋଧ କାମ ସବୁକୁ ଥୁଃ' କରିଦେବାକୁ ମନହେବ। ଶୁଣୁଥିବା ଲୋକ ଉଠି ଯାଇପାରିବନି।ତଟସ୍ଥ ହୋଇ ଚାହିଁ ରହିଥିବ।ବାବା କହି ଚାଲିଥିବେ।

(୨)

ଏ ସହରରେ ଧର୍ମପରାୟଣ ମାରୱାଡି ସମ୍ପ୍ରଦାୟ ଭର୍ତ୍ତି। ସେଇମାନଙ୍କ ସୌଜନ୍ୟରୁ ଏଥର ବାବାଙ୍କୁ ନେଇ ହେଉଛି ଗୋଟେ ଧର୍ମ ମହୋତ୍ସବ। ଏ ପାପୀ ନେତ୍ରରେ ସାକ୍ଷାତ ଈଶ୍ୱରଙ୍କୁ ଦେଖିପାରିବାର ମହାର୍ଘ ବେଳା।

ପ୍ରୀତି କିଛି କମ୍ ଧର୍ମ ରଙ୍କୁଣୀ ନୁହଁ। ଏ ସଂସ୍କାର ପାଇଛି ପିଲାଦିନୁ। ନିତି ପୂଜାପାଠ,ଓଷାବ୍ରତରେ ଆଦୌ ହେଳାନାହିଁ ତାର।

ବାବାଙ୍କ ଆଗମନରେ,ସେ ଉତ୍ସାହୀ ହୋଇପଡିବା ଅସ୍ୱାଭାବିକ ନୁହଁ। ଶରଣାପନ୍ନ ହେବା,ଆଶିର୍ବାଦ ଭିକ୍ଷା କରିବାର ଅପୂର୍ବ ସୁଯୋଗଟିଏ।

ସର୍ବଦା ଭିକ୍ଷା ଦେବା ଲୋକ,ଆଉ ନେବା ଲୋକ ଯୋଗ୍ୟ ହେବା ଉଚିତ।

ପ୍ରୀତି ତ ସର୍ବଦା ଈଶ୍ୱର ଅନୁଗାମିନୀ।

(୩)

ରଜତ କୁହନ୍ତି-

- ସତରେ ତୁମେ ଗୃହଲକ୍ଷ୍ଣୀ ।

- ଧେତ୍।

- ଆଜିର ଦିନରେ କେ'ଅଛି, ଯେ' ଘରପାଇଁ,ପରିବାର ପାଇଁ, ନିଜକୁ ଏମିତି ଘୋରି ପକାଉଛି? ବଦଳରେ ମୁଁ ଦେଖ,ତୁମକୁ ଭଲ କି ସୁଖସୁବିଧା ଟିକେ ଦେବାକୁ ଅକ୍ଷମ।

- ଏମିତି କୁହନି।ମୋ ପାଇଁ ମୋ ଘର ହେଲା ସ୍ୱର୍ଗ।

- ହଁ ଯେ', ଏଇ ମା'ର କାମଦାମ ପାଇଁ ଲୋକଟିଏ ରଖିନେଲେ ହୁଅନ୍ତା।

- ନା ନା। ମୋ ଠୁ ମୋ ଦାୟିତ୍ୱତକ ଛଡ଼ାଇବାକୁ ଭୁଲ୍ ରେ ବି ଚେଷ୍ଟା କରନି । ଶେଷ ବେଳାରେ ଅସହାୟ ଶାଶୁଙ୍କ ସେବାର ପୂଣ୍ୟ ତକ କେବଳ ମୁଁ ଭୋଗିବାକୁ ଚାହେଁ। ଏତେ କଲିଣି,ଆଉ ଅଳ୍ପ ଦିନ କେଇଟାକୁ ପଛେଇବି?

- ସତରେ ତୁମ ଆଗରେ ମୁଣ୍ଡ ନଇଁ ଯାଉଛି ପ୍ରୀତି।

- ଯା, ମ !

(୪)

ପାଞ୍ଚଟାରେ ପୋଗ୍ରାମ୍ ଆରମ୍ଭ। ଆଠଟା ଯାଏଁ । ରଜତ ଫେରିବେ ଯାଇ ନ'ଟାରେ। ଆରମ୍ଭରୁ ନ ଗଲେ କେଉଁ ପଛରେ ଯାଇ ବସିବାକୁ ହେବ। ପଛପଟିଆ ସବୁବେଳେ ଘୋ ଘା। ଶାନ୍ତି ମିଳିବନି।

ନେତ୍ର ପୁରାଇ ଥରୁଟିଏ ବାବାଙ୍କୁ ଦେଖିବାର,ଶୁଣିବାର ଅଛି ପ୍ରୀତିକୁ। ଏ ସୁଯୋଗ ଜୀବନରେ ଥରେଅଧେ ଆସେ।

ଏପଟେ ବୁଢ଼ୀ ଶୋଇଛନ୍ତି। ଛ'ଟାରେ ଔଷଧ। ଧରିଧାରି ପୁଣି ବାଥରୁମ କରାଇବାର ଅଛି। ଆଗତୁରା ଚେଷ୍ଟାକରି କିଛି ଲାଭନାହିଁ। ସବୁ ସମୟ ବିଗିଡ଼ି ଯିବ। ମହା ଧର୍ମସଂକଟ ।

ହଁ ମଁ! ଦିନଟିଏ ତ !

ସରିବାକୁ ଯାଉଥିବା ସମ୍ପର୍କରେ, ଏତେ ଧାର୍ଯ୍ୟ ନିୟମ ଗୋଟେ କଣ??

ସବୁ ଘର ତାଲାଦେଇ,ବୁଢ଼ୀ ଶୋଇଥିବା ବାଟଘର ଆଉଜେଇ, ଅଟୋ ଧରିଲା ପ୍ରୀତି ମନମୋହନ ପଡିଆକୁ।

(୫)

ଝୁଣା କର୍ପୂର ର ମହମହ ବାସ୍ନା। ଭକ୍ତଙ୍କ ସମୁଦ୍ର। ସତେକି କାଣିଚାଏ ସ୍ୱର୍ଗପୁର! ଭଗବତ୍ ପ୍ରେମ ରସରେ ସମସ୍ତେ ମସଗୁଲ। ଲାଗୁଛି, ହଁ! ଧର୍ମର ଆଦର ସବୁବେଳେ ଅଛି। ବାବା କହୁଛନ୍ତି-

- ଈଶ୍ୱର ସବୁସମୟରେ ସତ୍ତା ଧରି, ସଜୀବଙ୍କ ଦେହରେ ରହିଛନ୍ତି। ତୁଚ୍ଛା କାଠପଥର ଦେବଦେବୀଙ୍କୁ ପରିହାର କରି,ଏଇ ସଜୀବଙ୍କୁ ଶ୍ରଦ୍ଧା କର। ମାନବର ସେବା ହିଁ, ମାଧବର ସେବା। ମୂଢ଼ ମଣିଷ କିନ୍ତୁ ସର୍ବଦା ଦ୍ୱନ୍ଦ ଭିତରେ ରହି ପଥଭ୍ରଷ୍ଟ ହୁଏ....

ସେବାରୁ ମନେପଡିଲା ,ପ୍ରୀତିର ଶାଶୁଙ୍କ କଥା। ସେ କିଛି କମ୍ କରୁଛି କି? ନିଜ ଜନ୍ମକଲା ମା'କୁ ବି ଆଜିର ଝିଅମାନେ ଅଣଦେଖା କରିପକାଉଛନ୍ତି। ବିରକ୍ତ ହେଉଛନ୍ତି। ସେ ତ ବୋହୂ।

ମୁଣ୍ଡିଆଟେ ମାରି ଫେରୁଫେରୁ ଆଠଟା।

(୬)

ଏ କ'ଣ?

ବୁଢ଼ୀ କାମ ସାରିଦେଇଛି ! ବିଛଣାରେ?

ଓଃ! ଭାରି ଅସହ୍ୟ ଏସବୁ। ଥଣ୍ଡା ଦିନଟାରେ ମଇଳା ସଫାସଫି?

ସେ ବି ଗୋଟେ ମଣିଷ। ଚାକରାଣୀ ତ ନୁହେଁ। ଦାୟିତ୍ୱ ନେବାର ଗୋଟେ ପରିମାଣ ଅଛି। ସବୁବେଳେ କଣ ଜଗି ରହିହେବ କି ? ପୂଣ୍ୟ ଟିକେ କମେଇବାକୁ କଣ ମଣିଷ ଏତେ ସରି ହେବ?

ଏଇ ଏବେ ଏବେ , ପ୍ରବଚନ ଶୁଣି ବିଶୋଧିତ ହୋଇଥିବା ଚିତ୍ତରେ ପିତ୍ତ ଚଢିଗଲା ପ୍ରୀତିର।

ତାକୁ ଗୃହଲକ୍ଷ୍ଣୀ ଭାବୁଥିବା, ରଜତ ଫେରୁଫେରୁ ଆଉରି ଘଣ୍ଟାଏ।

ପକ୍ଷାଘାତ ବୁଢ଼ୀ ତ ନିଜ କଷ୍ଟ ମୁହଁଖୋଲି କହିବାକୁ ବି ଅକ୍ଷମ .....।।।

★ ଅମିୟ ବେଜ୍ ★

ଧର୍ମ ଦାୟିତ୍ୱ ସେବା

Rate the content


Originality
Flow
Language
Cover design

Comments

Post

Some text some message..