Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Dr Jagatabandhu Mohapatra

Others

5.0  

Dr Jagatabandhu Mohapatra

Others

ପାପୀ ପ୍ରେମିକ

ପାପୀ ପ୍ରେମିକ

4 mins
14.4K


ଦୂରନ୍ତ ଦିଗ୍ ବଳୟରେ ସୂର୍ଯ୍ୟ ଦେବ ଲୁଚି ଯାଉଥିଲେ, କିଛି ସମୟ ପରେ ପୃଥିବୀ ପୃଷ୍ଠରେ ଅନ୍ଧକାର ରାଜତ୍ଵ କରିବ I ରାଜଧାନୀର ଗୋଟିଏ ପାର୍କର ଘାସ ଗାଲିଚା ଉପରେ ବସି ରହିଥାଏ, ବିନୟ; ଦୃଷ୍ଟି ତା’ର ନିବଦ୍ଧ ଥାଏ, ଗୋଟିଏ ଫୁଲ ଗଛ ଉପରେ I ଆହା ! କି କରୁଣ ଦୃଶ୍ୟ; ପୋହଳା ଏଣ୍ଡୁଅଟିଏ ତା’ ପାଟିରେ ଚାପି ଧରିଛି, ଗୋଟିଏ କଙ୍କିକୁ I କଙ୍କି ଶରୀରର ଅଧାରୁ ଅଧିକ ଅଂଶ, ଗିଳି ସାରିଲାଣି ଏଣ୍ଡୁଅଟି I ଆଉ କିଛି ସମୟ ମଧ୍ୟରେ କଙ୍କିଟିକୁ ପୁରା ଗିଳିଦେବ, ସେ I କଙ୍କିଟିର ଜୀବନ ପ୍ରଦୀପ ଅସ୍ତମିତ ହେବାକୁ ବସିଲାଣି I

……………….

ଭାବାନ୍ତର ସୃଷ୍ଟି ହେଲା, ବିନୟ ମନରେ; ଚଳଚ୍ଚିତ୍ରର ରିଲ୍ ପରି ଗୋଟିଏ ଗୋଟିଏ ଦୃଶ୍ୟ ତା’ ଆଖି ଆଗରେ ନାଚି ଉଠିଲା I ସେ ବିନୟ........ବିନୟ ମହାନ୍ତି I ବଳଭଦ୍ର ମହାନ୍ତିଙ୍କର କନିଷ୍ଠ ପୁତ୍ର ବିନୟ , ତା’ ଉପରେ ଗୋଟିଏ ଭାଇ ଆଉ ଗୋଟିଏ ଭଉଣୀ I ବିନୟ ପିଲାଟି ଦିନରୁ ମା’ ଛେଉଣ୍ଡ I ବାପା ଜଣେ ଚାଷୀ ଆଉ ଭାଇ ଜଣେ ସ୍କୁଲ ଶିକ୍ଷକ I ଉଚ୍ଚଶିକ୍ଷା ପାଇଁ ରାଜଧାନୀକୁ ଆସିଥିଲା ; ବିନୟ I

ରାଜଧାନୀର ଏକ ନାମୀ ଦାମୀ କଲେଜର ଶେଷ ବର୍ଷ ସମାଜ ବିଜ୍ଞାନ ଛାତ୍ର, ବିନୟ I କଲେଜର ବକ୍ତୃତା ପ୍ରତିଯୋଗୀତା, ଅଭିନୟ , ପ୍ରବନ୍ଧ ସବୁଥିରେ ଅନ୍ୟ ଛାତ୍ର ମାନଙ୍କ ଠାରୁ ଆଗୁଆ I ମାତ୍ର ପାଞ୍ଚ ମାର୍କ ବ୍ୟବଧାନରେ ସେ ବିନୀତା ଠାରୁ ପଛରେ ରହି ଦ୍ଵିତୀୟ ସ୍ଥାନ ଅଧିକାର କରିଛି I ବିନୟ ମନରେ ସେଥିପାଇଁ ଗ୍ଳାନି ନାହିଁ କି କ୍ଷୋଭ ନାହିଁ ; କାରଣ ବିନୀତାକୁ ସେ ଭଲପାଏ, ସେ ତା’ର ପ୍ରେମିକା I ପରିବାର ଲୋକଙ୍କର ଆଶା ବିନୟ ଆଇ.ଏ .ଏସ ପାଇବ, ନଚେତ ଓ.ଏ.ଏସ, କିଛି ନ ହେଲେ ବ୍ୟାଙ୍କ ପି.ଓ. ତ ନିଶ୍ଚୟ I ଆଉ ଯଦି କିଛି ନ ପାଏ, ତା’ ହେଲେ ଅଧ୍ୟାପକ ଚାକିରି ତ କରିବ I

ଆରେ ଆରେ କଙ୍କିଟିକୁ ପୁରା ଗିଳି ସାରିଲାଣି, ସେ ଏଣ୍ଡୁଅଟି I ଚଳଚଞ୍ଚଳ ପ୍ରତିଭାବାନ ବିନୟ ମହାନ୍ତି ; ଆଜି ନିହାତି ନିଷ୍ପ୍ରଭ ଓ ନିଥର ପାଲଟି ଯାଇଛି I ହାଇପର ଟେନସନରେ ମୁଣ୍ଡଟା ତା’ର ପଥର ଲଦା ପରି ଓଜନ ଲାଗୁଛି I କ’ଣ ହେଲା ତା’ର! ଜୀବନର ଗତିପଥଟା ତା’ର କାହିଁକି କେଜାଣି ବଦଳିଗଲା, ହଠାତ୍ I ସାମାନ୍ୟ ଗୋଟିଏ ମୁହୂର୍ତ୍ତର ଭୁଲ ତାକୁ ଠେଲିଦେଲା, କାହିଁ କୋଉ ଅଥଳ ଦରିଆକୁ I ଭଗବାନଙ୍କ ଛଡା ତା’ର ଆଉ କେହି ସାହା ନାହିଁ କି ଭରସା ନାହିଁ I କାହିଁକି ! କାହିଁକି ! ଏମିତି ହେଲା ତା’ର ?

ସେ ଦିନର କଥା ତା’ର ଗୋଟି ଗୋଟି କରି ମନେ ପଡିଗଲା I ସେଦିନ ପ୍ରଣୟ କଥାରେ ପଡି ସେ ଯାଇଥିଲା, ଏକ ଫ୍ଳାଟ ଘରକୁ I ଭିତରକୁ ପଶି ଆସିଥିଲା, ଜଣେ ସୁନ୍ଦରୀ ତରୁଣୀ I ସ୍ମିତହାସ୍ୟ ଦେଇ ପାଖକୁ ଆସିଲା, ତରୁଣୀ ଜଣକ I ଆଉ ମଧୁର କଣ୍ଠରେ କହିଥିଲା, ଆରେ ଲାଜ କଣ? ଆସ ଏଇଠି ବସି ଗପିବା I ତରୁଣୀର ଗପିବାର ଶୈଳୀରେ ସେଦିନ ମନ୍ତ୍ରମୁଗ୍ଧ ହୋଇଯାଇଥିଲା, ବିନୟ I ବିନୟକୁ ଲାଗୁଥିଲା, ଯେପରି ତା’ର ଶିରା ପ୍ରଶିରାରେ ଲେଲିହାନ ଅଗ୍ନିଶିଖା ; କିଛି ସମୟ ପରେ ସେ ଅଗ୍ନିଶିଖା ନିର୍ବାପିତ ହୋଇସାରିଥିଲା, ବିନୟ ଅନୁଭବ କଲା I

ବିନୟର ହୃଦୟକୁ ଅନୁତାପର ଗ୍ଳାନି କଷ୍ଟ ଦେଉଥିଲା, ବାରମ୍ବାର I ନା, ସେ ଏହି ବିଷୟରେ କାହାକୁ କହିପାରୁଥିଲା କି ସହି ପାରୁଥିଲା I ସେଦିନ ଠାରୁ ସେ ଛଟପଟ ହେଉଥିଲା, ଜଳ ବିହୀନ ଗୋଟେ ମୀନ ପରି I ବିନୀତାକୁ ଦେଖା କରିବା ମଧ୍ୟ ବନ୍ଦ କରିଦେଇଥିଲା ସେ; କାରଣ ନିଜକୁ ଏକ ପାପୀ ବୋଲି ମନେକରୁଥିଲା I

ସମୟ ଆଗେଇ ଚାଲିଥାଏ ,ତା ବାଟରେ ଆଗକୁ ଆଗକୁ I କିଛି ଦିନ ପରେ ବିନୟକୁ ଜ୍ଵର ହେଲା I ଜ୍ଵର ସାଙ୍ଗରେ ଥଣ୍ଡା ,କାସ ଓ ମଝିରେ ମଝିରେ ତରଳ ଝାଡା ମଧ୍ୟ ହେଲା I ଖାଦ୍ୟ ଖାଇବାର ସ୍ପୃହା ମଧ୍ୟ କମିଗଲା I ଡାକ୍ତରଙ୍କୁ ଦେଖାକରି, ସବୁ କଥା କହିଦେଇଥିଲା ତାଙ୍କୁ I ଡାକ୍ତର ତା’ର ପରୀକ୍ଷା କରିବା ସହିତ ରକ୍ତ ପରୀକ୍ଷା ନିମନ୍ତେ ପରାମର୍ଶ ଦେଲେ I

ରକ୍ତ ପରୀକ୍ଷାର ରିପୋର୍ଟ ଡାକ୍ତରଙ୍କ ମୁହଁରୁ ଶୁଣି ବିନୟର ଦେହ ଥରି ଉଠିଲା I ଡାକ୍ତର କହିଲେ, ତାକୁ ଏଡସ ହୋଇଛି I ଅସୁରକ୍ଷିତ ଯୌନସମ୍ପର୍କ ହିଁ କାରଣ ; ତେଣୁ ଏ.ଆର.ଟି ସେଣ୍ଟରରେ ତା’ ନା ରେଜିଷ୍ଟ୍ରି କରି ତାକୁ ବଞ୍ଚିଥିବା ଯାଏ, ନିୟମିତ ଔଷଧ ଖାଇବାକୁ ପଡିବ I ବିନୟ ତାହା ହିଁ କଲା I ଔଷଧ ଖାଇ ଡାକ୍ତରଙ୍କ ତତ୍ତ୍ଵାବଧାନରେ ରହିଲା I ଡାଃ ଦାସଙ୍କ ବିଶ୍ଵାସ ସେ ଭାଙ୍ଗିଲାନି, କି ଆତ୍ମହତ୍ୟା କଲାନି I

ତାକୁ ସେଦିନ ବହୁତ କଷ୍ଟ ଲାଗିଥିଲା, ଯେବେ ଜାଣିଲା, ପ୍ରଣୟ ବିନୀତାକୁ ମନେ ମନେ ଭଲ ପାଉଥିଲା, ତା' ରାସ୍ତାରୁ ସବୁ ଦିନ ପାଇଁ ହଟେଇବା ପାଇଁ ପ୍ରଣୟର ଏହା ଥିଲା, ଏକ ବିଧିବଦ୍ଧ ଯୋଜନା I ମଦରେ ନିଶା ବଟିକା ଓ ଯୌନ ଉତ୍ତେଜକ ଔଷଧ ଦେଇ ଜାଣିଶୁଣି ଏଚ.ଆଇ. ଭି ପଜିଟିଭ ମୀନାକୁ ଆଣି ଏମିତି ଏକ ଷଡଯନ୍ତ୍ର ରଚିଥିଲା, ସେ I

ବିନୀତା କେତେଥର ଖବର ପଠେଇଛି ,ଫୋନ କରିଛି ,କିନ୍ତୁ ସବୁ ଥର ତାକୁ ନିରାଶ ହେବାକୁ ପଡିଛି I ଆଉ ଯୋଉ ଦିନ ସେ ଗଣ ବଳାତ୍କାରରେ ପୀଡ଼ିତା ରଶ୍ମୀକୁ ବିବାହ କଲା ଓ ତା’ ଗର୍ଭରେ ବଢୁଥିବା ସନ୍ତାନକୁ ପିତୃତ୍ଵର ପରିଚୟ ଦେଲା , ସେଦିନ ବିନୀତା ଆଗରେ ସେ ଜଣେ ପ୍ରତାରକ ଓ ପାପୀ ହୋଇଯାଇଥିଲା I

ପ୍ରକୃତ ସତ୍ୟ ଏହା ଯେ , ବିନୀତାକୁ ତା’ ଠାରୁ ଦୂରେଇବା ଓ ଆତ୍ମହତ୍ୟା କରୁଥିବା ରଶ୍ମିକୁ ବଞ୍ଚେଇବା, ଥିଲା ତା’ର ଉଦ୍ଦେଶ୍ୟ; ସେ ଓ ରଶ୍ମୀ ସଂସାର ଆଗରେ ସିନା ସ୍ଵାମୀ , ସ୍ତ୍ରୀ ; କିନ୍ତୁ ବାସ୍ତବରେ ସେମାନେ ଭାଇ ଭଉଣୀ ପରି ଚଳନ୍ତି , ଏ କଥା କେହି ଜାଣନ୍ତି ନାହିଁ I

ପ୍ରଣୟ, ବିନୟକୁ ବିନୀତା ଆଖିରେ ତଳକୁ ଖସେଇବାକୁ ମୀନା ଆଉ ବିନୟର ଫଟୋ ମଧ୍ୟ ବିନୀତାକୁ ପଠେଇ ଦେଇଥିଲା, ଏ କଥା ସୁମିଠାରୁ ସେ ଜାଣିଲା ପରେ ବନ୍ଧୁତା ଶବ୍ଦ ଉପରୁ ବିନୟର ଭରସା ତୁଟି ଯାଇଥିଲା I ଗୋଟିଏ ଦୁଃଖ ତାକୁ ବାରମ୍ବାର ଆଘାତ ଦେଉଥିଲା, କେତେ କଷ୍ଟ ହୋଇଥିବ, ବିନୀତାଙ୍କୁ !! ଭରସା ଆଉ ବିଶ୍ଵାସ ରଖିବାରେ ସେ ଆଜି ଅସମର୍ଥ I

ବିନୀତା ଜଣେ ବ୍ୟାଙ୍କ ପି.ଓ.ଙ୍କୁ ବାହାହୋଇ ଭଲରେ ଅଛି I ବିନୟ ସେଥିପାଇଁ ବହୁତ ଖୁସି I ବିନୀତା ଆଗରେ ସେ ଆଜି ପାପୀ ; ଏହିଭଳି ପାପୀ ହୋଇ ସାରା ଜୀବନ ରହିବାରେ ହିଁ ତା’ର ଆନନ୍ଦ, କାରଣ ତା’ର ଇଚ୍ଛା ବିନୀତା ଖୁସିରେ ରହୁ I ତା’ର ସୁଖର ସଂସାରରେ କିଛି ବି ବାଧା ନ ଆସୁ , ବିନୟ ବୁଝିଛି , ପାଇବାଟା ପ୍ରେମର ଶେଷ ; ଆଉ ନ ପାଇବାଟା ପ୍ରେମର ଆରମ୍ଭ I ବିନୀତାର ସ୍ମୃତିକୁ ନେଇ ଏବେ ବି ସେ ତା’ର ପ୍ରେମିକ I ପାପୀ ପ୍ରେମିକ.......... I

ପାର୍କର ଆଲୋକ ଗୁଡିକ ଜଳି ଉଠିଲା I ତା’ର ଆଉ ଗୋଟିଏ କାମ ବାକି ରହିଯାଇଛି I ମନରେ ଯଥେଷ୍ଟ ଆଶା ଓ ଭରସା, ପୂର୍ବର ସେହି ଚରିତ୍ରବାନ, ପ୍ରତିଭାବାନ ଚଳଚଞ୍ଚଳ ବିନୟ ମହାନ୍ତିକୁ ବର୍ତ୍ତମାନ ବ୍ୟକ୍ତି କେନ୍ଦ୍ରିକ ସ୍ତରରୁ ଉଠି ସାମାଜିକ ସ୍ତରରେ କିଛି କରିବାକୁ ପଡିବ I ଏ ସମାଜକୁ ଶିକ୍ଷା ଦେବ, ବାର୍ତ୍ତା ଦେବ ଯେ, ସତେଚନତା ଏଡ଼ସ ନିୟନ୍ତ୍ରଣରେ ମୁଖ୍ୟ ଅସ୍ତ୍ର, ସତର୍କତା ଓ ସଂଯମତା ଏଡ଼ସ ବିରୁଦ୍ଧରେ ଲଢିବାର ଶକ୍ତି I ସେ କଦାପି ଚାହେଁନି, ତା’ ପରି ଆଉ ଜଣେ ପାପୀ ପ୍ରେମିକର ସୃଷ୍ଟି ହେଉ ବୋଲି I

ହଠାତ୍ ପାଖରେ ଥିବା ଠାକୁରଙ୍କ ମନ୍ଦିରରୁ ଘଣ୍ଟ ଘଣ୍ଟାର ଧ୍ୱନି ପ୍ରତିଧ୍ଵନିତ କଲା, ତା’ର କର୍ଣ୍ଣଗୁହରକୁ I ସେ ପ୍ରକୃସ୍ଥିତ ହୋଇ ଉଠିଲା I ସନ୍ଧ୍ୟା ଆଳତି ଆରମ୍ଭ ହେଲା, ବୋଧେ !

ଠାକୁରଙ୍କ ଉଦ୍ଦେଶ୍ୟରେ ହାତଯୋଡି ଛିଡା ହେଲା , ସେ I ଯେମିତି ତା’ର ଏ ଶେଷ କାମଟିକୁ ଅନୁମୋଦନ ମିଳିଗଲା I

·ଡାଃ ଜଗତବଂଧୁ ମହାପାତ୍ର

ଗ୍ରାମ - ଅଠରାଙ୍ଗ, ପୋଷ୍ଟ - ଗଡ଼ମାଣୀତୀର, ଭାୟା- ବେଗୁନିଆ, ଜିଲ୍ଲା – ଖୋର୍ଦ୍ଧା


Rate this content
Log in