Quotes New

Audio

Forum

Read

Contests

Language


Write

Sign in
Wohoo!,
Dear user,
ଜୀବନ ସଂଗ୍ରାମ
ଜୀବନ ସଂଗ୍ରାମ
★★★★★

© srutakirti Tripathy

Tragedy

3 Minutes   324    10


Content Ranking

ବନ୍ୟା ଆସି ମୂଳପୋଛ କରିଦେଲା ଶହ ଶହ ଗାଁ ଗଣ୍ଡା, ସହର । ଉଜାଡି ଦେଇଗଲା ସହସ୍ର ଲୋକଙ୍କ ସଂସାର । ସେ ସିନା ଫୁଲେଇ ହୋଇ ଆସି ତାର ରାଗ ଶାନ୍ତ କରି ଚାଲିଗଲା, ହେଲେ ସାଙ୍ଗରେ ନେଇଗଲା ଅନେକଙ୍କର ଘରଦ୍ୱାର, ଧନଜୀବନ ଓ ତା ସହିତ ସେମାଙ୍କର ସୁଖ ଓ ଶାନ୍ତି । ପ୍ରକୃତରେ ମଣିଷ ନିଜକୁ ସାନ୍ତ୍ୱନା ଦେଇପାରେ । ସେଥିପାଇଁ ବଂଚିବା ସକାଶେ ସଂଗ୍ରାମ ଜାରି ରଖେ । ଯେତେ ଦୁଃଖ, ଝଡ ଝଞ୍ଜା ଆସୁନା କାହିଁକି ଜୀବନ ଜିଇଁବା ପାଇଁ ବିକଳ ହୁଏ । ଆଉ କିଛି ପାଖରେ ନ ଥିଲେ ନାଇଁ ଜୀବନଟା ତ ଅଛି, ବଞ୍ଚିବାକୁ ତ ହବ ।

ଵନ୍ୟପ୍ଲାଵିତ ଅଞ୍ଚଳ ଗୁଡିକରେ କ୍ଷୁଧାର୍ତ୍ତ, ବାସହୀନ, ଅସହାୟ ଲୋକଙ୍କ ପାଇଁ ରିଲିଫ ବଣ୍ଟା ଚାଲିଥାଏ । ରିଲିଫକେନ୍ଦ୍ରରେ ସର୍ବହରା ଲୋକଗୁଡିକ ଧାଡି ଲଗାଇ ଖାଇବା ଆଶାରେ ଠେଲାପେଲା ହଉଥାନ୍ତି । ସମସ୍ତେ ଜାଣନ୍ତି ଏକାଠି ହେଲେ ଆରମ୍ଭ, ମିଳିମିଶି ରହିଲେ ଉନ୍ନତି ଏବଂ ଯେ କୌଣସି ସମସ୍ୟା ର ସମାଧାନ ର ସୂତ୍ର ମିଳିପାରିବ ; ହେଲେ ଉଦର ଜ୍ୱାଳା ଆଗରେ ସବୁ ଫିକା ପଡ଼ିଯାଏ । କେମିତି ନିଜେ ବେଶୀ ଭାଗ ଖାଦ୍ୟ ନେଇ ନିଜର ଓ ନିଜ ପରିବାରର ର ଭୋକ କୁ ପ୍ରଥମେ ଶାନ୍ତ କରିବେ ସେହି ପ୍ରତିଯୋଗିତା ରେ ସମସ୍ତେ ଲାଗିପଡିଥାନ୍ତି ।

ସବୁଦିନ ପରି ଆଜି ମଧ୍ୟ ବୃଦ୍ଧାଜଣକ କିଛି ପାଇବା ଆଶାରେ ଆସିଥିଲା, ହେଲେ ତା ପାଳି ଆସିଲା ବେଳକୁ ପୁଣିଥରେ ସବୁ ଶେଷ ହୋଇଗଲା । ଗତ ଚାରିଦିନ ହେଲା ତା ସହ ଏମିତି ହୋଇଚାଲିଛି । ନିରାଶ ମନରେ ଫେରିଯାଉଥିବାବେଳେ ସେ ଦେଖିଲା, କାହାର ଖାଦ୍ୟ ପୁଡ଼ିଆଟିଏ ତଳେ ପଡିଛି । ବୋଧହୁଏ ଧସ୍ତାଧସ୍ତି ରେ କାହା ଅଣ୍ଟି ରୁ ଖସିପଡିଥିଲା । ଚାତକ ଭଳି ଚାହିଁବସିଥିବା ଆଖି ଦୁଇଟି ସାଙ୍ଗେ ସାଙ୍ଗେ ଆଦେଶ ଦେଲା କତରାଲଗା ବୃଦ୍ଧ ଶିରାଳ ହାତ ଦୁଇଟାକୁ ଖାଦ୍ୟ ପୁଡ଼ିଆଟି ଉପରେ ଝାମ୍ପ ପକେଇବା ପାଇଁ । ତାକୁ ପାଇବା ପରେ ବୁଢ଼ୀଟିର ମୁଖମଣ୍ଡଳରେ ଖେଳିଗଲା ଏକ ଯୁଦ୍ଧ ଜୟ କରିବାର ପରମତୃପ୍ତି । ପୁଡ଼ିଆଟି କୁ ଖୋଲି ସର୍ବଗିଳ। ଙ୍କ ଭଳି ଚାରି ଗ୍ରାସ ରେ ଖାଦ୍ୟତକ ଶେଷ କରିଦେଇଥାନ୍ତା ସେ । ହେଲେ ବିବେକ ତାର ବାଧା ଦେଲା ;ଯେତେବେଳେ ସେ ଦେଖିଲା ଛୋଟ ପିଲାଟିଏ ଲୋଭାତୁର ହୋଇ ତା ଆଡକୁ ଅପଲକ ନୟନରେ ଅନେଇଛି ।

ଚାରି କି ପାଞ୍ଚବର୍ଷ ର ପିଲାଟିଏ, ଖଣ୍ଡେ ଚିରା ହାଫ ପ୍ୟାଣ୍ଟ ପିନ୍ଧିଚି । ଶରୀର ତାର ଯେମିତି ହାଡ ଉପରେ ଚମ ର ଛାଉଣି । ଦୁଃଖ, ଅସହାୟତା ଓ ଅଭାବ ସବୁ ଏକାବେଳେକେ ଯେମିତି ତାର କାୟା କୁ ମାଡ଼ିବସିଛନ୍ତି ।ଏକମାତ୍ର ଇପସିତ ବସ୍ତୁ ଟି ଯେମିତି ଖାଦ୍ୟ ଓ କେବଳ ଖାଦ୍ୟ ତା ପାଇଁ । ବୁଢ଼ୀ ଟି ପ୍ରଥମେ ବିରକ୍ତିରେ ପିଲାଟି ଆଡକୁ ଅନେଇଲା । ଏତେ ଦିନ ପରେ ସେ ଟିକେ ପେଟପୁରା ଖାଇବାକୁ ପାଇଥିଲା ତାର ଜମା ଇଚ୍ଛା ନ ଥାଏ କାହା ସହିତ ଭଗବାଣ୍ଟା କରିବା ପାଇଁ । ହେଲେ ଯେତେ ହେଲେ ନାରୀ ତ ! ମମତା, କରୁଣା, ବାତ୍ସଲ୍ୟ ତାର ପରିଚୟ । ପିଲାଟିକୁ ଅଣଦେଖା କରି ବୁଢ଼ୀ ଖାଦ୍ୟ ପାଟି କୁ ନେଇପାରିଲା ନି । ତା ଲୋଚାକୋଚା ମୁହଁ ରେ ଖେଳିଗଲା ଚେନାଏ ହସ । ସେହି ହସ ରେ ଆମନ୍ତ୍ରଣ ଥିଲା, ଖାଦ୍ୟ କୁ ବାଣ୍ଟିବାର ସମର୍ଥନ ଥିଲା । ଗୁଣ୍ଡ। ଟି କୁ ତଳେ ରଖିଦେଇ ସେଇ ଅଇଁଠା ହାତରେ ଠାରି ପିଲାଟିକୁ ପାଖକୁ ଡାକିଲା । କୌଣସି ନିକଟ ସମ୍ପର୍କୀୟ ଭଳି ନିଜେ ଗୁଣ୍ଡା ଗୁଣ୍ଡା କରି ପୁରା ପୁଡ଼ିଆଟା ଯାକ ଖାଦ୍ୟ ସେ ଛୁଆଟିକୁ ଖୁଆଇଦେଲା । ପିଲାଟି ଖୁସିରେ ଖାଇବା ତକ ଉଦରସ୍ଥ କରି ଦୌଡ଼ିଗଲା ପୁଣିଥରେ ରିଲିଫ କେନ୍ଦ୍ର ଆଡକୁ ।

ସନ୍ଧ୍ୟାରେ ପୁଣିଥରେ ଖାଦ୍ୟ ବଣ୍ଟନ ହେଲା । ପିଲାଟି ଦ୍ବିପହରୁ ଜଗିକି ସେଇଠି ସେମିତି ବସିଥାଏ । ଧାଡି ର ସବା ଆଗରେ ଛିଡା ହୋଇ କୌଣସି ମତେ ଲୁଚେଇ ଦୁଇଟି ଖାଦ୍ୟ ପୁଡିଆ ଆଣିବାକୁ ସକ୍ଷମ ହୋଇଗଲା । ଖୁସିରେ ଆତୁର ହୋଇ ଖୋଜିବୁଲିଲା ବୁଢ଼ୀ କୁ । । ଯେଉଁଠି ବୁଢ଼ୀ ତାକୁ ଖୁଏଇ ଦେଇଥିଲା ସେଠିକୁ ଯାଇ ଦେଖିଲା, ବୁଢ଼ୀ ଗୋଟିଏ ପଥର କୁ ଆଉଜି ଶୋଇପଡିଛି । ତାକୁ ହଲେଇ ହଲେଇ ଉଠେଇବାକୁ ଚେଷ୍ଟା କଲା ପିଲାଟି । ତା ଆଖିରେ ଥାଏ ଗୋଟିଏ ଚମକ । ସତେକି କିଛି ମୂଲ୍ୟବାନ ବସ୍ତୁ ସେ ପାଇଛି ଯେମିତି ! " ଦେଖ ମୁଁ ଆମ ଦୁଇ ଜଣଙ୍କ ପାଇଁ ଖାଇବା ଆଣିଛି । ତୁ ଆଉ ଜମା ଭୋକିଲା ରହିବୁନି । ଆସ ଆସ ମୁଁ ତୋତେ ଖୁଏଇ ଦଉଛି ।" ହେଲେ ପିଲାଟିର ଶବ୍ଦ ସବୁ ଶୂନ୍ୟରେ ମିଳେଇଗଲା । ବୁଢ଼ୀ ଶୋଇପଡିଥିଲା ଚିରନିଦ୍ରାରେ । କୋଳରେ ତାର ସକାଳର ଅଇଁଠାପତ୍ର ଟି ସେମିତି ଜାକି ହୋଇ ରହିଥିଲା ଶାଢ଼ୀ ର କାନି ପଣତ ଭିତରେ । ପିଲାଟି ହାତରୁ ଖସିପଡିଲା ଖାଦ୍ୟ ପୁଡିଆ ଦିଟା ଯାକ ।

ପିଲାଟି ଏତେ ସଂଗ୍ରାମ କରି ଆଣିଥିବା ଖାଦ୍ୟ ଟିକକ କୁ ଖାଇବା, ଜୀବନ ସଂଗ୍ରାମ ରେ ହାରିଯାଇଥିବା ବୁଢ଼ୀ ପକ୍ଷେ ଆଉ ସମ୍ଭବ ନ ଥିଲା ।

ସୃତକିର୍ତ୍ତୀ ତ୍ରିପାଠୀୀ

ବନ୍ୟା ସଂଗ୍ରାମ ସମାଧାନ

Rate the content


Originality
Flow
Language
Cover design

Comments

Post

Some text some message..