Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

SIPRA NAMTA

Tragedy

3  

SIPRA NAMTA

Tragedy

ବାପା ର ହୃଦୟ

ବାପା ର ହୃଦୟ

8 mins
438


-"ତୁମେ ବାପ ହେଇଛ .....ଶଳା ....ବାପ ପଣିଆ ଦେଖେଉଛ......ଏମିତି ଜୀବନ ...କହିବ ୟାକୁ ...ମରିବ ସବୁ ମରିବ ଗୋଟେ ଗୋଟେ ହୋଇ ମରିବ ....।"

ଟଳି ଟଳି ଘର ଭିତରକୁ ପଶିଲା ସୁଶାନ୍ତ ।

ନର୍କ ବୋଲି ଯାହାକୁକୁହାଯାଏ ସେଇଟା ବୋଧେ ସୁଶାନ୍ତ ଭୋଗୁଥିଲା ।କାରଣ ଯୋଉ ଝିଅକୁ ସେ ଭଲପାଇଥିଲା କୌଣସି କାରଣ ବଶତଃ ( ମନାନ୍ତର କି ମତାନ୍ତର ପାଇଁ ହେଉନା କାହିଁକି ) ବିବାହ ହୋଇ ପାରି ନ ଥିଲା । ପରେ ପରେ ସେରମା ମାଉସୀଙ୍କ ହାବୁଡ଼ରେ ପଡିଲା ।ରମା ମାଉସୀ ବିଧବା ।ଚାରି ପାଞ୍ଚ ଜଣ ଛୁଆଙ୍କ ଭିତରେ ଘାଣ୍ଟି ହୁଅନ୍ତି । ଗୋଟିଏ ବୋଲି ଝିଅର ବାହାଘର ପାଇଁ ଅର୍ଥର ଆବଶ୍ୟକତା ପଡୁଥାଏ ।ସୁଶାନ୍ତ ପାଇଁ ଗୋଟେ ପ୍ରସ୍ତାବ ଦେଇଥିଲେ ସେ ତାଙ୍କ ଘରେ ।ଗୁଡାଏ ଜିନିଷ ପତ୍ର ଦେବ ...ଭାର ଥୁର କେଉଁଥିରେ ବି କମତି ହେବ ନାହିଁ ..।ବୋଲି ଆଶ୍ୱାସନା ଦେଇ ସୁଶାନ୍ତ ମନକୁ ମୋହିତ କରାନ୍ତି । ସୁଶାନ୍ତ ବି ସ୍ବପ୍ନ ଦେଖିବାକୁ ଲାଗୁଥାଏ ,ଗାଡି ମୋଟର ,ସୁନା ଗହଣା ,ଚାରିଆଡେ ପୁରନ୍ତା ପୁରନ୍ତା ଭାଵ ଆଉ ସେସବୁ ଦେଖି ଆତ୍ମୀୟ ସ୍ଵଜନ ,ଜ୍ଞାତି ବନ୍ଧୁ ,ସାଙ୍ଗ ସାଥୀ ସବୁ ଈର୍ଷ୍ୟା ପରାୟଣ ହେଉଛନ୍ତି । ଅତଏବ କାହାରି କଥା ନ ଶୁଣି ,ନ ମାନି ସେଇ ଝିଅକୁ ବିବାହ ହେବାର ନିଷ୍ପତ୍ତିକୁ ଘର ଲୋକେ ଅଶାନ୍ତିର ସହିତ ମାନି ନିଅନ୍ତି ।

ବିବାହର କେଇଟା ମାସ ଭଲରେ ଭଲରେ ଚାଲିଯିବା ପରେ ସୁଶାନ୍ତର ସ୍ତ୍ରୀ ପାଗଳୀ ବୋଲି ଘରେ କାମ କରୁଥିବା ମାନୀ ପ୍ରଥମେ ପ୍ରଚାର କଲା ।କାରଣ ଘର ଲୋକଙ୍କ ବିରୁଦ୍ଧରେ ତା'ପାଖରେ ହିଁ ସୁଶାନ୍ତର ସ୍ତ୍ରୀ ପ୍ରଥମେ କହିବାକୁ ଆରମ୍ଭ କରିଥିଲା ।

--"ତୁମ ଶ୍ୱଶୁର ...ଏ ବାବା..... ଦେବତା ପରିଲୋକ ତୁମକୁ ବାନ୍ଧି କରି ପିଟିଛନ୍ତି ? । ହାୟରେ କପାଳ ,ତୁମ ବଡ ଯାଆ ତୁମ ଆଗରୁ ଚାରିବର୍ଷ ହେଲାଣି ଆସିଲେଣି ପରା !! ରାମ ....ରାମ ଭାଇ ....ମଣିଷ କାହା ହାବୁଡ଼ରେ ପଡ଼ିଲା କେଜାଣି । "

ପୁଣି କିଛି ମନେ ପକାଇ କହେ -" ଆଗୋ ବୋହୂ ,ତୁମ ମୁଣ୍ଡ ଠିକ୍ ଅଛି ତ ...ନା ସେଇ ଛାତ ରୁ ଖସିପଡିଥିଲ ବୋଲି ସେଇ ଦୋଷ ଟା ତୁମର ଅଛି ।ସେଇଥିପାଇଁ କାହାକୁ କଣ କହୁଛ ଭୁଲି ଯାଉଛ ,ମନେ ପଡୁନି ...।"

ହଁ ,କଥା ଟା ଏକଦମ ଠିକ୍ ଥିଲା ।ସୁଶାନ୍ତର ସ୍ତ୍ରୀ ପିଲାବେଳେ ଘର ଛାତ ରୁ ଖସି ପଡି ଯାଇଥିଲା ।ମୁଣ୍ଡରେ ଆଘାତ ମଧ୍ଯ ପାଇଥିଲା । କିନ୍ତୁ ସେତେବେଳେ କାହା ପାଖରେ କେମିତି ଅଧିକା ପଇସା ଦେଇ କୋଉଠି ଦେଖେଇବା ପାଇଁ ନ ଯାଇ ସ୍ଥାନୀୟ ଡାକ୍ତରଙ୍କୁ ଦେଖାଇଥିଲେ ସୁଶାନ୍ତର ଶ୍ବଶୁର ।ଔଷଧ ଖାଇ ଟିକେ ସୁସ୍ଥ ହୋଇଥିଲା ସେ ।ତା ପରେ ଅନ୍ୟ ଘଟଣା ଯାହା ବି କିଛି ଲୋକଙ୍କ ପାଖରୁ ଶୁଣିବାକୁ ମିଳିଥାନ୍ତା ସୁଶାନ୍ତର ଘର ଲୋକେ ତାଙ୍କ ଗାଁକୁ ନ ଯାଇ ଝିଅର ମାମୁଁ ଘରେ ଯାଇ ଝିଅ ଦେଖା ଚାହଁ କରିଆସିଥିଲେ ।ତେଣୁ ଏସବୁ କଥା ପରେ ଜଣାପଡିଲା ।

ସ୍ତ୍ରୀର ବ୍ୟବହାର ଯୋଗୁଁ ସୁଶାନ୍ତ ଧୀରେ ଧୀରେ ମଦ୍ୟ ପାନ କରିବାକୁ ଆରମ୍ଭ କରେ ଆଉ ତାର ବିଫଳତା ପାଇଁ ବାପାକୁ ଦାୟୀ କରେ । କାରଣ ବିବାହରେରମା ମାଉସୀ ଯେପରି ସ୍ବପ୍ନ ଦେଖାଇଥିଲେ ତା'ର କଣିଚାଏ ମଧ୍ୟ ସେ ପାଇ ନ ଥିଲା ।

ଓଲଟି ବିବାହ ପରେ ଶଳା ତା ଠାରୁ କୋଡିଏ ହଜାର ଟଙ୍କା ଧାର ମାଗିଥିଲା ।ସେ ଦିନ ଠାରୁ ସେ ଜାଣିଗଲା ତା ଶ୍ୱଶୁର ଘର ଅବସ୍ଥା । ଭାବିଥିଲା କଣ ? ହେଲା କଣ ? ଏଣେ ସ୍ତ୍ରୀର ଉଦ୍ଧତ ପଣିଆ ଦିନକୁ ଦିନ ସୀମା ଟପିଯାଏ ।ସମସ୍ତଙ୍କୁ ଗାଳି ଫଜିତ କରିବାରେ ସମୟ ଯାଏ । ସୁଶାନ୍ତ କାମକୁ ବାହାରି ଗଲା ପରେ ତାକୁ ଘର ଲୋକେ ଗାଳି ଦିଅନ୍ତି ବୋଲି ସୁଶାନ୍ତକୁ ସଫେଇ ଦିଏ ଏବଂ ସୁଶାନ୍ତ ମଧ୍ୟ ତା କଥାକୁ ଅନ୍ଧ ପରି ବିଶ୍ୱାସ କରେ ଆଉ ସବୁ କଥା ଶୁଣିବା ପରେ ସମସ୍ତଙ୍କୁ ଗାଳି କରେ ।

ଏମିତି ପରିବାର ଲୋକଙ୍କୁ ଗାଳି କରିବା ତା'ର ଏକ ଅଭ୍ୟାସରେ ପଡିଯାଇଥାଏ ।

ସୁଶାନ୍ତର ସ୍ତ୍ରୀର ବଚାଳତା ଦେଖି ତା ବାପା ତାକୁ ଭିନ୍ନେ କରିଦେଇଥାନ୍ତି ।ସୁଶାନ୍ତ ନିଜେ ମଧ୍ୟ ବଦମିଜାଜ ସ୍ଵଭାବର ଓ ସ୍ତ୍ରୀ କଥାକୁ କେତେବେଳେ ଭଲ ତ କେତେବେଳେ ଖରାପ ଅର୍ଥ କରେ କିନ୍ତୁ ସ୍ତ୍ରୀକୁ ନେଇ ଭିନ୍ନେରହେ ଓ ବାପା ,ଭାଇକୁ କଥା କଥା କେ ଗାଳି କରେ ଓ ତା ସାଙ୍ଗକୁ ଅର୍ଥାଭାବ ହେଲେ ବାପାକୁ ପଇସା ମାଗେ । କାରଣ ଦୁଇ ତିନିଟା ଚାକିରୀ ବି ସେ ଛାଡି ସାରିଥାଏ । ଶେଷରେ ଗୋଟେ ବେସରକାରୀ ଅନୁଷ୍ଠାନରେ ଚାକିରୀରେ ପାଏ । ଏଣେ ଝଗଡା କରି ଅଧା ଘର ଭାଗ ନେଇଥାଏ ।ଘର ଭଡା ରୁ ମଧ୍ୟ କିଛି ପଇସା ଆସୁଥାଏ । କିନ୍ତୁ ଖର୍ଚ୍ଚର ଭାର ବଢୁଥାଏ ।ପୁଅର କଲେଜ ପଢାରେ ଓ ସ୍ତ୍ରୀର ବିଭିନ୍ନ ରୋଗ ଇତ୍ୟାଦିରେ ଖର୍ଚ୍ଚ ବୃଦ୍ଧି ହେଉଥାଏ ।ବାପାଙ୍କ ପେନସନକୁ ଟାର୍ଗେଟ କରି ନାନାଦି ଆକ୍ଷେପ କରେ ସୁଶାନ୍ତ ବଡ ଭାଇ ପ୍ରତି ।କିନ୍ତୁ ଘର ତିଆରି ତଥା ଅନ୍ୟାନ୍ୟ ମରାମତି କରିବାକୁ ଅନେକ କରଜ କରିଥାନ୍ତି ବାପା ।ସେଇୟା ଶୁଝିବାକୁ ତାଙ୍କୁ ଦୀର୍ଘଦିନ ଲାଗିଯାଏ ।ତେଣୁ ସେ ପୁଅକୁ ବୁଝାନ୍ତି ଯେ ,ତାଙ୍କର ଖାଇବା ଖର୍ଚ୍ଚ , ଔଷଧ ଇତ୍ୟାଦି ,ଦାନ ଦକ୍ଷିଣା ,ବନ୍ଧୁ ସଂଖୋଳିବା ,ଜ୍ଞାତିକୁଟୁମ୍ବରେ ଅନେକ ଖର୍ଚ୍ଚ ହେଉଛି ,ସେସବୁ ତ କେହି ବୁଝୁନାହାନ୍ତି , ସେଗୁଡିକ ତାଙ୍କୁ ହିଁ ବୁଝିବାକୁ ପଡୁଛି ।ତେଣୁ ପଇସା ଆଉ ବଳକା କେଉଁଠିରହିଲା ? ଏ କଥା ଶୁଣିବା ପରେ ସୁଶାନ୍ତ ଉତ୍କ୍ଷିପ୍ତ ହୋଇପଡେ କିନ୍ତୁ କିଛି କରିପାରେ ନାହିଁ ।ଏପଟେ ସ୍ତ୍ରୀର କଟୁକ୍ତି ବଢି ବଢି ଚାଲେ ।

ଟଙ୍କା ପଇସାରେ ଅଭାବ ବଢି ଗଲେ ତା ପରିବାରରେ ଝଗଡା ବଢିଯାଏ ,ଆଉ ଶେଷରେ ପରିବାର ଉପରେ ଘୋର କଟୁକ୍ତି ବର୍ଷଣ ହୁଏ ।ବଡ ପୁଅକୁ ସବୁ ପଇସା ଦେଉଛି ବୋଲି ବାପକୁ କଟୁକ୍ତି କରେ ।କିଛି ବୁଝେନା ଯେ ,ବାପା ଜଣେ ପଦସ୍ଥ ଅଫିସର ରୂପେ ଅବସର ନେଇଥିଲେ ,ଭାଇ ଜଣେ ଲୋକପ୍ରିୟ ମେଡିକାଲ ପ୍ରାକ୍ଟିସନର ।ସେମାନଙ୍କର ପ୍ରେଷ୍ଟିଜ ଅଛି ଓ ତା'ର ବାକ୍ୟ ବାଣରେ ପରିବାରର ବଦନାମ ହେଉଛି ।ସେ କଥା ସେ ବୁଝିବାକୁ ଚାହେଁନା ।ତେଣୁ ମଦ ପିଇ ଦେଲେ ସେ କାହାରି ହୁଏନା ।

ଏମିତି ବିତିଯାଉଥିବା ଦିନ ଭିତରେ ସ୍ତ୍ରୀର ଅଚାନକ ବେମାର ବାହାରିଲା । ଭୀଷଣ କଷ୍ଟ ପାଇଲା ସେ ।ସେ ଦିନ ଗୁଡିକ ଅତି ଅସହ୍ୟ ହେଉଥାଏ ସୁଶାନ୍ତକୁ ଏବଂ ଘର ଲୋକଙ୍କ ଭିତରେ ବି ଏକ ଅସହିଷ୍ଣୁ ଭାଵ ଚାପି ହୋଇରହିଥାଏ ।ଅନ୍ୟ କିଛି ବାଟ ନ ପାଇ ଅଧ ରାତିରେ କବାଟ ବାଡେଇଲା ବାପା କୋଠରୀର ।

ଭୋ, ଭୋ କାନ୍ଦି ପକେଇଲା ସେ ।ଏ ବୟସରେ ଦିନେ ଭଲ କଥା କହି ନ ଥିବା ପୁଅ ,ଦିନେ ଖାଇବା କଥା ବୁଝି ନଥିବା ପୁଅ କିମ୍ବା ଶାନ୍ତିରେ ଦିନେ ବାପ ଶୋଇଲେ କି ନାହିଁ ବୁଝି ନ ଥିବା ପୁଅ ଆଜି ତା ନିଜ ସ୍ୱାର୍ଥ ପାଇଁ ଅଧ ରାତିରେ ଆସି ବାପର ନିଦ ଖରାପ କରୁଥାଏ ।ତଥାପି ବାପା ଖୁବ ଧୈର୍ଯ୍ୟର ସହିତ ତାକୁ ବୁଝାଇ ସୁଝାଇ ପଠେଇ ଦିଅନ୍ତି ।

ରାତି ଟି କୌଣସି ପ୍ରକାର ବିତିଯାଏ ।ସକାଳୁ ସକାଳୁ ସୁଶାନ୍ତ ଓ ତା ସ୍ତ୍ରୀର ପାଟି ଶୁଭେ ।ପାଟି ତ ନୁହେଁ ଏକରକମ ଚିତ୍କାର କରୁଥାଏ ତା ସ୍ତ୍ରୀ ।ଅସହ୍ୟ ହେଉଥାଏ ତାର ବାକ୍ୟ ବାଣ ।

ହୁଏତ ସେଥିପାଇଁ ସୁଶାନ୍ତ ପାଟି କରୁଛି । ବାପା ପୁଣି ଧୀରେ ଧୀରେ ସେପଟକୁ ଯାଇ ବୁଝାନ୍ତି ଅଯଥା ପାଟି ହୁରି ନ କରିବା ପାଇଁ ।ବାପାଙ୍କୁ ଦେଖି ତା ସ୍ତ୍ରୀ ଆହୁରି ପ୍ରଚଣ୍ଡ କ୍ରୋଧରେ ଅଗ୍ନିଶର୍ମା ହୁଏ ଏବଂ ଯାହା ଇଛା ତାହା କହେ ।ନିଜ କର୍ମକୁ ନିନ୍ଦି ସେପଟ ରୁ ଚାଲିଆସନ୍ତି ବାପା ।ସୁଶାନ୍ତ ବାପା ପାଖକୁ ଆସି କାନ୍ଦେ ...।

- "ଏତେ ବେଇମାନ ଲୋକ ଗୁଡାକ କିଛି ବୁଝୁ ନାହାନ୍ତି ।ମୁଁ କଣ ନ କରୁଛି ତା ପାଇଁ ...।ଦେହରେ ତ ହଜାରେ ବେମାରୀ।

ଏ ପଟେ ଦେହର ଖର୍ଚ୍ଚ ତ ସେ ପଟେ ପାଠରେ ଖର୍ଚ୍ଚ ।

ବାପା ,ତୁମେ ମୋତେ ବାଡ଼ି ଜାଗା ରୁ କିଛି ଦେଇ ଦିଅ ମୁଁ ବିକ୍ରୀ କରିବି ।"

--"ତୁ ଶେଷରେ ଜାଗା ବିକ୍ରୀ କରିବୁ ? ଗୋଟେ ଦୀର୍ଘଶ୍ଵାସ

ଛାଡିଲେ ,"ତୋ ମାଆ କେତେ କଷ୍ଟ କରି ସେ ବାଡ଼ିଖଣ୍ଡକ କରିଥିଲା ।........(.କିଛି ସମୟ ନୀରବରହି )ହଉ .....

ତୋ ଇଛା ,ଯାହା କରିବା କଥା କର ।

ଶେଷରେ ବାଡି ଜାଗାର ପଟ୍ଟା ପାଉତି ସୁଶାନ୍ତକୁ ଦେଇଦେଇଥାନ୍ତି ବାପା , ବଡ ପୁଅର ନାହିଁ ନାହିଁ କରିବା ସତ୍ତ୍ୱେ । ଯାହା ହେଲେ ବି ପୁଅ ଟା ,ଜନ୍ମ କରିଛନ୍ତି, ଦରକାର ବେଳେ ସମ୍ପତ୍ତି କାମରେ ଲାଗିବନି ତ କେତେବେଳେ ଲାଗିବ ? ସୁଶାନ୍ତ ନାମରେ ଯେତିକି ଥିଲା ସେତିକି ଜାଗାର କାଗଜପତ୍ର ଦେଇଛନ୍ତି ସେ ।ତେଣୁ କାହାରି କିଛି ଅସୁବିଧା ନାହିଁ । ହେଲେ ସେତକ ବି ହେଲା ନାହିଁ ।ଗରାଖ ଯୁଟିବା ପର୍ଯ୍ୟନ୍ତ ଆର୍ଥିକ ସ୍ଥିତିକୁ ସମ୍ଭାଳିବା ପାଇଁ ବାପାଙ୍କୁ ପୁଣି ମାଆର ବେଶ ଓଜନଦାର କାନ ଫୁଲ ଝାଲେକୁ ଦେବାକୁ ପଡେ ।

ବାପା କାହାରି ପରାମର୍ଶକୁ ଅପେକ୍ଷା କରୁ ନ ଥାନ୍ତି ।ବେଳେ ବେଳେ ସେପଟକୁ ଯାଇ ବୁଲିଆସନ୍ତି ।ସୁଶାନ୍ତ ଖାଇଛି ନା ନାହିଁ ବୁଝିଆସନ୍ତି । କିନ୍ତୁ ସୁଶାନ୍ତର ଚରମ ପରିସ୍ଥିତି ସେଦିନହେଲା ,ଯେଉଁଦିନ ତା ସ୍ତ୍ରୀ ତାକୁ ଘର ଭିତରକୁ ପଶିବାକୁ ଦେଲା ନାହିଁ ।ଭୀଷଣ ଥଣ୍ଡା ଜାଡରେ ଦେହ ହାତ ପାଣି ହୋଇଯାଉଥିଲା ବେଳେ ସୁଶାନ୍ତ ଘର ବାହାର ବାରଣ୍ଡାରେ କେବଳ ପେଣ୍ଟ ସାର୍ଟ ଟି ପିନ୍ଧି ପଡିରହିବାକୁ ବାଧ୍ୟ ହେଲା ।ଡାକି ଡାକି ଦୁଆର ପାଖରୁ ଝରକା ଯାଏଁ ବୋଧେ ପଚାଶ ଡାକ ଡାକି ସାରିଥାଏ କିନ୍ତୁ ତା ସ୍ତ୍ରୀ ତାକୁ ନିଜ ଘରୁ ବାହାରେରଖିଦେଲା ।ଶେଷରେ ଉପାୟ ନ ପାଇ ଗୋଡ ପୋଛା ବସ୍ତା ଟିକୁ ତଳେ ପକାଇ ବସିଥାଏ ସୁଶାନ୍ତ ।ରାତି ଅଧରେକୁଆଡେ ଯିବ ? ଭାରି ଲାଜ କଥା ...ପରିବାର ଲୋକେ ଦେଖିଲେ କଣ କହିବେ ? ଯୋଉ ସ୍ତ୍ରୀକୁ ମୁଣ୍ଡରେ ବସାଇ ଘର ଲୋକଙ୍କୁ ପର କରିଥିଲା ସେଇ ସ୍ତ୍ରୀ ଆଜି ତାକୁ ଘରୁ ବାହାର କରିଦେଇଛି । ଛିଃ ....। ପକେଟ ରୁ ଛୋଟିଆ ବୋତଲ ଟିଏ ବାହାର କରି ପାଟିରେ ଦେଲା ।ବର୍ତ୍ତମାନ ପରିସ୍ଥିତିରେ ଏଇଟା ବେଶ ସାହାଯ୍ୟ କରିବ ।ଭାଗ୍ୟକୁ ପକେଟରେରଖିଥଲା ବୋଲି । ଅଧା ବୋତଲ ଖାଲି କରିଦେଲା ସେ ।ଆଃ ...କାନ୍ଥକୁ ଆଉଜି ବସିଲା ଏଥର ଜାକିଜୁକି ହୋଇ ।କେତେବେଳେକୁଙ୍କୁଡ଼ି କାଙ୍କୁଡ଼ି ହୋଇ ଶୋଇଯାଇଛି ।

ସେତିକିରେ ତା ଦୁର୍ଭାଗ୍ୟ ସରିଲାନି ।ପର ଦିନ ମଧ୍ୟ ତାକୁ ସେମିତି ହଇରାଣ ହେବାକୁ ପଡିଲା ।ପୁଅକୁ ଆଣି ଯେତେ ଡକାଡାକି କଲେ ମଧ୍ୟ ସ୍ତ୍ରୀ କବାଟ ଖୋଲିଲା ନାହିଁ ବାପ ପୁଅ ଦୁହେଁ ହୋଟେଲରେ ଖାଇଲେ ।ପୁଅକୁ ହଷ୍ଟେଲରେ ଛାଡିଦେଇ ସୁଶାନ୍ତ ଆସିଲା ପରେ ବାରଣ୍ଡାରେ ବସିଥାଏ ।କଣ କରିବ କିଛି ବୁଝିପାରୁନଥାଏ ।ସେଇ ସମୟରେ ବାପା ଆସି ତାକୁ ଭଲ ମନ୍ଦ କଥା ବୁଝିଲେ ।ସୁଶାନ୍ତ ଭୋ ..ଭୋ ...କାନ୍ଦି

ବାପାକୁ କହିଲା --ବାପା ,ତୁମେ ଯାଅ ।ସେ ( ତା ସ୍ତ୍ରୀ ) ବର୍ତ୍ତମାନ ବହୁତ ଭୟଙ୍କର ହୋଇଯାଇଛି ।ସେ କାହା କଥା ଶୁଣୁନି ।ମୁଁ ମୋ କର୍ମର ଫଳ ଭୋଗୁଛି ।ତୁମେ ଏ ପଟକୁ ଆସିଲେ ,ସେ ଯଦି ଦେଖିବ କେତେବେଳେ କଣ କରିବ କିଛି ଠିକ୍ ନାହିଁ ।

ବାପା ତାକୁ ଅବ୍ୟବହୃତ ହେଉଥିବା କୋଠରୀର ଚାବିକାଠି ଦେଇ କହିଲେ ---- "ତୁ କାଲି ସାରା ରାତି ବାହାରେ ଶୋଇଲୁ ,ତୋ ଦେହ ଖରାପ ହବନି ? ଯା ,ସେଇ ରୁମରେ ଖଟ ଅଛି ,ଗୋଟେ କମ୍ବଳ ଦେଉଛି ମଶା ଧୂପ ଦେଉଛି ,ସେଇଠି ବସା ଉଠା କର ।

ମୋ ଭାଗ୍ୟରେ ବି ସୁଖ ନାହିଁ ।ସୁଖ ଥିଲେ କଣ ଏଇୟା ଦେଖିବାକୁ ମିଳନ୍ତା ,"ଏ କଥା ବିଡ଼ ବିଡ଼ କରି କହି ନିଜ କର୍ମକୁ ନିନ୍ଦି ଧୀରେ ଧୀରେ ଚାଲିଗଲେ ।

ଯେତେ ଅନ୍ୟାୟ ଅଧର୍ମ କଲେ ମଧ୍ୟ ନିଜ ସନ୍ତାନର ଦୁଃଖ ପଡିଲେ ବାପା ମାଆର ହୃଦୟ ଦୟାରେ ତରଳି ଯାଏ ।ମାଆ ତ ନାହିଁ ।ବ୍ରଜ ବାବୁ ସୁଶାନ୍ତର ବାପା ଆସି ଠିଆ ହେଲେ ବନିତା ଦେବୀଙ୍କ ଫୋଟୋ ପାଖରେ ---"କଣ କରିବିକୁହ ,? ସେ ଯେତିକି ଅପମାନ କରିଛି ,କରୁଛି ..ତା'ର ଦୁଇଗୁଣ ଦୁଃଖ ଭୋଗୁଛି ।ବାପ ଟା ମୁଁ .....ବୟସ ଭାରରେ ନଇଁ ଗଲିଣି ।ଏବେ ଆଉ କିଛି କରିବାର ନାହିଁ ।ତୁମେ ଛାଡି ଯାଇଥିବା ଛୁଆଙ୍କୁ ମୁଁ ଠିକ୍ ଭାବେରଖିପାରିଲିନି ବୋଲି ମୋର ବହୁତ କ୍ଷୋଭ ଆସୁଛି ବନି .....କିନ୍ତୁ ପୁରୁଷ ଟିଏ ନା ,ସେଇଥିପାଇଁ ବୋଧହୁଏ ମୋ ଭିତରେ ଏଇ ଅସହାୟତା ।ଠିକ୍ ସେମିତି ଆମ ପୁଅର ଵି ସେଇ ଅସହାୟତା ।ସେ କୋଉ ପଟେ ହୋଇ ପାରୁନି ।ମୋତେ ଭାରି ଲଜ୍ଜା ଲାଗିଲାଣି ବନି .....ଆଉ ....କେତେଦିନ ଏମିତି ମୋତେ ଭୋଗିବାକୁ ପଡିବ କେଜାଣି ...? ଆଉ ପାରୁନି ମୁଁ ...ଭଗବାନ କରନ୍ତୁ ଆଉ କେହି ବାପ ଏ ପ୍ରକାର ନିର୍ଯ୍ୟାତନା ନ ଭୋଗନ୍ତୁ "।

......କହି ଲଥ କିନା ବସି ପଡିଲେ ସେଠି । ଆଖିରୁ ଧାର ଧାର ହୋଇ ଲୁହ ବୋହି ଯାଉଥାଏ ।ବିଗତ ଦିନର ଅନେକ ସ୍ମୃତି ଭାସିଯାଉଥାଏ ତାଙ୍କ ଆଖିରେ ।ଯେତେ ଯାହା ହେଉ ପଛେ ବାପାର ହୃଦୟ କି ...ନା .....ସନ୍ତାନର ସୁଖ ହିଁ ସବୁବେଳେ

ତାଙ୍କର କାମ୍ୟ .........।

**********

ସିପ୍ରା ନାମତା ,ନମ୍ରତା

ବାରିପଦା

୮୨୪୯୮୫୦୧୬୮।


Rate this content
Log in

Similar oriya story from Tragedy