Bhubanananda Adhikari

Inspirational


2  

Bhubanananda Adhikari

Inspirational


ଇଏ କୋଉ ଜଗନ୍ନାଥ

ଇଏ କୋଉ ଜଗନ୍ନାଥ

3 mins 7.5K 3 mins 7.5K

ଇଏ କୋଉ ଜଗନ୍ନାଥ (ଭୁବନାନନ୍ଦ ଅଧିକାରୀ)

ଆଜି ସପରିବାର ଥାଏ ମୁଁ ମର୍ତ୍ତ୍ୟ ବୈକୁଣ୍ଠ ମହିମାମୟ ଶ୍ରୀକ୍ଷେତ୍ର ଭୂମିରେ। ସେଇ ଚକା ଆଖି ତ ବାଇ କରିଛି ନା। କୌଣସି ମାନସିକ ରଖି ତାକୁ ଦେଖିବା ବା ତା ପାଖକୁ ଯିବା ବୃଥା ମ। ସେ ଡାକିଲେ ହିଁ ଯିଏ ତା ପାଖକୁ ଯାଏ। ବସିଲା ଜାଗାରୁ ଉଠିକି ଯାଏ। ସକାଳୁ ସକାଳୁ ପହଞ୍ଚିଗଲୁ ସମସ୍ତେ ବଡଦାଣ୍ଡ ରେ। ଚାଲି ଚାଲି ଜଗାକୁ ସୁମରି ସୁମରି ନୀଳଚକ୍ର କୁ ଦଣ୍ଡବତ ହେଇହେଇ ଆଗେ ମୁଣ୍ଡିଆ ମାରିଲୁ ସିଂହଦ୍ଵାର ଉପରେ ବିରାଜିତା ସାଗର ତନୟା ମା ଲକ୍ଷ୍ମୀ ଙ୍କୁ। ଜଗା କୁ ଦେଖିବାକୁ ମନରେ ଉତ୍କଣ୍ଠାର ସାଗର ଯେମିତି କୂଳ ଡେଇଁ ଆସୁଥାଏ।

ସିଂହଦ୍ଵାର ପାଖରୁ ପରିବାର ଯାକ ବିଛାଡି ହେଇଗଲୁ। ମୋ ପାଖ ରେ ଖାଲି ଥିଲା ମାଆ। ହାତ ଧରାଧରି ହେଇ ମା ପୁଅ ମନ୍ଦିର ଭିତରକୁ ପ୍ରବେଶ କଲୁ। କି ଭିଡ଼ ରେ ବାପା। ଆଖିପାଉନି । କି ଅପୂର୍ବ ସଂଯୋଗ ଦେଖୁନ। ଏପଟେ ଜନ ସମୁଦ୍ର, ସେପଟେ ଅସଂଖ୍ୟ ଜନ ମାନସ ରେ ଭକ୍ତି ର ସମୁଦ୍ର। ସେଠି ସମସ୍ତେ ଓଦା। ଟାଇଁ ଟାଇଁ ଖରା ଝାଳକୁ କିଏ ଖାତିର କରେ ହୋ।

ମା ପୁଅ କଣ କରିବୁ ଭାବି ଭାବି ଆଗ ପଟେ ପଶିବାକୁ ଉଦ୍ୟମ କଲୁ। ଏତେ ଲୋକ , ସବୁ ଯେମିତି ସ୍ଥାଣୁ। ଜଣକୁ ପଚାରିବାରୁ କହିଲା ପହଡ଼ ପଡିଛି, ଆଉ ୧୦ ମିନିଟ। ମା କୁ କହିଲି ଟିକେ ଭିଡ଼ ଭିତରେ ଠିଆ ହେଇଯିବା, ଭଲରେ ପାଖରୁ ଦର୍ଶନ କରିବା। ଯେତେ ଭିଡ଼, ହଉ ପଛେ ଅଣନିଶ୍ୱାସୀ ଲାଗୁଥିଲେ ବି ମା ରାଜି ହେଲା। ୧୦ ମିନିଟ ଗଲା, ୨୦ ମିନିଟ ଗଲା। ୪୫ ମିନିଟ ଗଲା। ଆମର ଦେହର ଅବସ୍ଥା କଥା ନକହିବା ଭଲ। ପହଡ଼ ଫିଟୁନି। ଶରୀର ରେ ଆଉ ପ୍ରାଣ ନାଇଁ। ଖାଲି ଆଖି ଦୁଇଟା ବିକଳ ରେ ଚାହିଁଛି ଦେଖିବ ବୋଲି ସେଇ ନାଟୁଆ ଚକାନୟନ କୁ। ଭିଡ଼ ବଢି ବଢି ଚାଲିଥାଏ, ତଥାପି ପହଡ଼ ଫିଟୁନି। ମନେ ମନେ ଜଗା କୁ କହିଲି, ଯଦି ଏଇଆ କରିବାର ଥିଲା, ଡାକୁଥିଲୁ କାହିଁକି? ଏତେ ଲୋକ ଙ୍କୁ ଡାକିଚୁ ଆଜି, କାଇଁ ଏତେ ହଇରାଣ କରୁଚୁ? ଏଇଆ ଭାବି ମା କୁ ଚାହିଁଦେଲାବେଳକୁ ମା ଆଖି ବୁଜିଛି ଆଉ ତା ଦେହ ଟା ପୁରା ପବନ ରେ ହଲୁଛି, ଆଉ ଟିକିଏ ସମୟ ପରେ ବୋଧେ ଚେତା ଶୁନ୍ୟ ହେଇଯିବ। ମା କୁ ଧରି ରାଗ ରେ ଗର ଗର ହେଇ ଭିଡ଼ ଭିତରୁ ବାହାରି ଆସିଲି, ଯାଇ ସେ ଗରୁଡ଼ ସ୍ତମ୍ଭ ପାଖ ପଙ୍ଖା ପାଖରେ ଠିଆ ହେଇ ଅପେକ୍ଷା କଲୁ ମା ପୁଅ ପହଡ଼ ଫିଟିବାକୁ। ସତେରେ ଭାରି ରାଗ ଲାଗୁଥିଲା ଜଗନ୍ନାଥ ଉପରେ।

ଏଇଭଳିଆ ପରିବେଶ ରେ ହଠାତ ନଜର ପଡିଲା ଗୋଟାଏ ଘଟଣା ଉପରେ। ଗରୁଡ଼ ସ୍ତମ୍ଭ ର ଟିକେ ଆଗକୁ ଥିବା ବାଡ଼ାରେ ଜଣେ ଭଦ୍ର ମହିଳା ତାଙ୍କ ନବଜାତ ଶିଶୁକୁ ଟିକେ ବସେଇଦେଲେ। ଆହା, କି ଗୁଲୁଗୁଲିଆ ଛୁଆଟା , ଗରମ ରେ ଏ ଜନ ସମୁଦ୍ର ରେ ଯେମିତି ହନ୍ତସନ୍ତ ହେଇଯାଉଥାଏ। ତଥାପି ହସୁଥାଏ। ଆଖିଦୁଇଟା ଗୋଲିଆ ଗୋଲିଆ , କାଳିଆ କୁଟୁ କୁଟୁ ଛୁଆ ଟା। ହାତ ଗୋଡ଼ ଭଲରେ ଚାଲିନି। ଗୋଟାଏ କି ଦୁଇମାସ ହବ ଛୁଆ କୁ। ଯେତେ ଲୋକ ଦେଖୁଛି, ସେତେ ହସୁଛି।

ମୋ ସୃଜନଶୀଳ ମନରେ ଆଉ ଏକ ନବ ଭାବନା ର ଉଦ୍ରେକ ହେଲା। ମତେ ଲାଗିଲା ସେ ଶିଶୁ ଯେମିତି ମତେ କହୁଛି,

ଜଗନ୍ନାଥ ଜଗନ୍ନାଥ ବୋଲି କଣ ଏତେ ବ୍ୟାକୁଳ ହେଇ ଅନେଇଛୁ? ମତେ ଦେଖ। ମୋ ଦେହ ବି କଳା, ମୋ ଆଖି ବି ଗୋଲ। ମୁଁ ବି ଅବିଚଳିତ ହେଇ ହସୁଛି, ମୋ ହାତ ଗୋଡ଼ ବି ଚାଲିନି ମ। ଆଉ ଦେଖ ମତେ। ସଂସାର ର ସବୁ ମୋହ ମାୟା ଜଞ୍ଜାଳ ରୁ ମୁଁ ତ ମୁକ୍ତ। ନା ମୁଁ କାହାକୁ କିଛି ଦିଏ , ନା ମୁଁ କାହାଠୁ ନିଏ।ମୁଁ ଜାଣିନି ମୋ ବନ୍ଧୁ ଭାଇ ସହୋଦର। ମୁଁ ତ ଜଗନ୍ନାଥ। ଆଉ ପହଡ଼ ଖୋଲିବାକୁ ଅନେଇଛୁ କଣ? ମତେ ଦେଖ। ତୁ ବି ମୋ ଭଳିଆ ଦିନେ ଜଗନ୍ନାଥ ଥିଲୁ, ସମସ୍ତେ ଦିନେ ଜଗନ୍ନାଥ ଥିଲେ। ସଂସାର ମାୟାରେ ଛନ୍ଦିହେଇ ଈଶ୍ୱର ରୁ ପାଲଟିଯାଇଛନ୍ତି ମଣିଷ।

ଠିକ ଏଇ କଥା ଭାବୁ ଭାବୁ ଜୟ ଜଗନ୍ନାଥ ବୋଲି ଭକ୍ତ ସମୁଦ୍ର ର ସମୁହ ଚିତ୍କାର ରେ ପୁଣି ଫେରିଆସିଲି ମୁଁ ବାସ୍ତବ ଦୁନିଆ କୁ। ଦେଖିଲି ପହଡ଼ ଖୋଲିଯାଇଛି। ଜଗାକୁ ଦେଖି ଫେରିଲି ସିନା, ମନରେ ରହିଗଲା ସେ ଛୁଆର ହସ ହସ ମୁହଁ। ମନରେ ରହିଗଲା ସେ *ଛୁଆ ଜଗନ୍ନାଥ* ମତେ ଦେଇଥିବା ଶିକ୍ଷାକୁ। ମୁଣ୍ଡିଆ ମାରିଲି ରତ୍ନ ସିଂହାସନ ରେ ବସିଥିବା ଦାରୁଦିଅଁ କୁ ଆଉ ମନେ ମନେ ସହସ୍ର ମୁଣ୍ଡିଆ ମାରିଲି ସେ ନିଷ୍ପାପ ଶିଶୁ ହୃଦୟକୁ, ସେ ଛୁଆ ଜଗନ୍ନାଥକୁ।

ଆଜି ମୁଁ ଗର୍ବରେ କହିବି ଶ୍ରୀମନ୍ଦିରରେ ମୁଁ ଦୁଇଟା ଜଗନ୍ନାଥ ଦେଖିଛି।

ଧନ୍ୟ ତମେ ମହାପ୍ରଭୁ। ଧନ୍ୟ ତମ ମହିମା।


Rate this content
Originality
Flow
Language
Cover Design