Quotes New

Audio

Forum

Read

Contests

Language


Write

Sign in
Wohoo!,
Dear user,
ସୁନାଝର୍.ଅଜଣାସହରରୁ ଅନ୍ଧାରିମୁଲକ
ସୁନାଝର୍.ଅଜଣାସହରରୁ ଅନ୍ଧାରିମୁଲକ
★★★★★

© Shiba Charan Mahapatra

Inspirational

5 Minutes   333    42


Content Ranking

ସୁନାଝର୍...ଅଜଣା ସହରରୁ ଅନ୍ଧାରି ମୁଲକ

ଭ୍ରମଣ କାହାଣୀ

ସବୁଦିନ ପରି ସେଦିନ ମଧ୍ୟ ଭୋର ଚାରିଟାରୁ ମୋର ନିଦ ଭାଙ୍ଗିଗଲା । ମୁଁ ନିତ୍ୟକର୍ମ ସାରି ଚୁପ୍ ଚାପ୍ ବସିଗଲି ମୋ ସାଧନାର କ୍ଷେତ ଉପରେ । ଭାବନାର ବିହନ ବୁଣି ସଙ୍ଗେ ସଙ୍ଗେ କେଇ ବିଡାରଙ୍ଗ ବେରଙ୍ଗର କବିତା ଫସଲ ମଧ୍ୟ ଅମଳ କରିନେଲି । ଇଣ୍ଟରନେଟ୍ ମାଧ୍ୟମରେ କିଛି ହୃଦୟର ନିକଟତର ବନ୍ଧୁ ମାନଙ୍କ ସହିତ ପ୍ରଭାତର ସ୍ୱାଗତ ପର୍ବ ଆଦାନ ପ୍ରଦାନ ପରେ ଡ୍ୟୁଟି ରେ ବାହାରିଗଲି ।ଉପ-ଜିଲ୍ଲାପାଳଙ୍କ ସରକାରୀ ଦପ୍ତର ରେ ପହଞ୍ଚି ଜାଣିବାକୁ ପାଇଲି କି ସାରା ଦିନର ପରିକ୍ରମା କେବଳ ନିପଟ ମଫସଲ ଅଞ୍ଚଳରେ ରହିଛି । ଗାଆଁ ନାଆଁ ଶୁଣି ନିଜକୁ ନିଜ ଭିତରେ ହଜେଇ ଦେଲି । ଭାବନା ରାଜ୍ୟରେ ଥରେ ବୁଲି ଆସିଲି ମୋ ଗାଆଁର ନଇ -ନାଳ- ବଣଭୂଇଁ- ଆମ୍ବ ତୋଟା- ଠାକୁର ଘର ମଠ- ମନ୍ଦିର- ଗଣେଶ ଅଜା ଆଖୁ କିଆରୀ- କିଆ ଗହୀର- ତୁଳସୀ ଗୁଡା ବନ୍ଧ ସବୁ..। ସତରେ ବହୁତ ଦିନ ପରେ ଗାଁ ଅଞ୍ଚଳ ବୁଲିବି କେତେ ଖୁସିର କଥା । ଅବଶ୍ୟ ସେଇଟା ମୋ ନିଜ ଗାଁ ନୁହେଁ ତଥାପି ସେଇ ଗାଁ ମାନଙ୍କ ଭିତରେ ତ ମୋ ଗାଆଁ କୁ ଖୋଜି ପାଇଯିବି । ଗାଆଁ ଆଉ ମାଆ ଏ ଦୁହେଁ କେବେ ବି ପର ନୁହଁ , ସେ ଯାହାର ହୁଅନ୍ତୁ ନା କାହିଁକି ସବୁବେଳେ ନିଜର ।

ଠିକ୍ ସମୟରେ ବୋଲେରେ ଗାଡି ଯୋଗେ ଆମେ ବାଂଶପାଳ ତହସିଲଦାର ସାର୍ ଙ୍କ ସହିତ ସେହି ଅଞ୍ଚଳର ସୁନାଝର, ଲତା,ଟଣ୍ଟଡିହ ଇତ୍ୟାଦି ଅଞ୍ଚଳ ଅଭିମୁଖେ ବାହାରିଗଲୁ । କେନ୍ଦୁଝର ସହରର ପ୍ରଥମ ପାହଚ ଓହ୍ଲାଇ ଆସୁ ଆସୁ ଦକ୍ଷିଣ ପାର୍ଶ୍ବରେ ପ୍ରକୃତିର ସୌନ୍ଦର୍ଯ୍ୟ ଭରା ଲଣନା ସାନ ଘାଗରା ଜଳପ୍ରପାତ ଆମ ସମସ୍ତଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରୁଥାଏ । ତାର ଗୁରୁ ଗମ୍ଭୀର ଘର୍ଘର ଗର୍ଜନ ମୋତେ ଦେଖି ଯେମିତି ଥମି ଯାଉଥିଲା କି..?? ସେ ସୁମଧୁର କଣ୍ଠରେ କଳ କଳ ନାଦରେ ହାତ ଠାରି ମୋତେ କହୁଥିଲା -"ହେ ମୋର ପ୍ରିୟ ପୁତ୍ର, ଖାଲି ଥରୁଟିଏ ଅବଶ ଶରୀର ରୁ ବ୍ୟସ୍ତତାର ଜଞ୍ଜିର ଖୋଲି ଦେଇ ମୋ କୋଳରେ ମୁଣ୍ଡ ଥାପି ଶୋଇଯା ..

ତୋ ଦେହର ସମସ୍ତ କ୍ଳାନ୍ତିକୁ ମୋ ଝରଣାର ସୁଶୀତଳ ଜଳରାଶି ପଣତରେ ପୋଛିଦେଇ ମୋ ଅଗଣାର କୁନିକୁନି ପୁଷ୍ପ ମେଳରେ ତୋତେ ବୁଲେଇବି ...

ପବନ ଝୁଲଣାରେ ଝୁଲେଇବି..ମୋର ଆତ୍ମଜ ନୀଳହ୍ରଦ ରେ ତୋତେ ନୈକା ବିହାର କରେଇବି ...

ସମାଜ ଆଉ ଶତାବ୍ଦୀର ବିବର୍ତ୍ତନ ଆଗରୁ ମୁଁ ଚାହିଁରହିଛି ତୋ ଆସିବା ପଥକୁ , ତୋତେ ଧରିବାକୁ ନୁହଁ ବରଂ ଧରାଦେବା ପାଇଁ ...

ମୁଁ ଜାଣେ ତୁ ଧରିବାକୁ ଖୁବ୍ ଭଲ ପାଉ ...ଆରେ ଆ '..ଖାଲି ଥରୁଟିଏ ପାଇଁ ଆ'..ମୁଁ ତୋ ପାଇଁ ପ୍ରଜାପତି ଟିଏ ହେଇଯିବି ...ତୁ ମୋତେ ଧରି ମୋ ଡେଣା ରୁରଙ୍ଗ ଚୋରି କରିନେବୁ ..."

" ନା.." ଏସନ ବି କର୍ତ୍ତବ୍ୟର ଜଞ୍ଜିର ମୋ ମନ ପାଦ କୁ ଜାବୁଡି ଧରି ଆଗକୁ ଅଗ୍ରସର ହେବାକୁ ନିର୍ଦ୍ଦେଶ ଦେଲା । ବିମର୍ଶ ବଦନରେ ବିଦାୟ ସଙ୍କେତ ଦେଇ ଗାଡି ଆଗକୁ ଆଗକୁ ବଢି ଚାଲିଥାଏ । ରାସ୍ତା ଧାରେ ଧାରେ ସବୁଜିମା ଭରା ପାହାଡର ଛାତି ଚିରିଦେଇ ସଡକ ପ୍ରଶସ୍ତିକରଣର ପ୍ରସ୍ତୁତି ଜୋରଦାର ଚାଲିଥାଏ । ମୁଁ ବୁଝିପାରୁ ନଥିଲି ଏତେ ସବୁ ଉନ୍ନତିକରଣ କେଉଁ ଖୁସି କେଉଁ ସୁଖ ପାଇଁ ଚାଲିଛି ?

ଶୁଆକାଠି ଠାରୁ କୁଆଁର ଦେଇ ଆମେ ଧିରେ ଧିରେ ଜଙ୍ଗଲ ରାସ୍ତା ରେ ପାଦ ଥାପିଲୁ । ପାହାଡ ତଳ ଦେଶରୁ ଆମ ଗାଡି ସର୍ପିଳ ଭଙ୍ଗିରର ଆବଡା ଖାବଡା କଚ୍ଚା ଅଣ ଓସାରିଆ ରାସ୍ତା ଦେଇ ପାହାଡ ଉପର କୁ ଉଠିବାର ପ୍ରୟାସ ଜାରିରଖିଥାଏ ।ରାସ୍ତା ଉପରେ ଝୁଲି ପଡିଥିବା ଶାଳ ଗଛର ପେନ୍ଥା ପେନ୍ଥା ଶାଳଫୁଲର ମହକ ସହିତ ବିଭିନ୍ନ ପ୍ରଜାତିରରଙ୍ଗ ବେରଙ୍ଗ କଅଁଳ ପତ୍ର ସବୁ ଭିନ୍ନ ଏକ ନନ୍ଦନ ବନର ଭ୍ରମ ସୃଷ୍ଟି କରୁଥାଏ । ସତରେ ପାହାଡ ମୁଲକ ରେ ଜୀବନ କୁ ଅପୂର୍ବ ଶାନ୍ତି ମିଳେ ,ସତ କହିବାକୁ ଗଲେ ଏଇ ପାହାଡ , ପର୍ବତ , ନଦୀ , ଝରଣା , ଭିନ୍ନ ଭିନ୍ନ ପକ୍ଷୀ ମାନଙ୍କର ମଧୂର ଗୁଞ୍ଜରଣ ଭିତରେ ଯେମିତି ଏକ ମଧୂର ଆକର୍ଷଣକାରୀ ଶକ୍ତି ଲୁଚିରହିଛି ।

ନା ଏଠି ସହରୀ ଜୀବନର କୋଳାହଳମୟ ପରିବେଶ, ନା ପ୍ରଦୂଷଣଭରା ପାଣି - ପବନ । ଏଠି ଖାଲି ମୁକ୍ତ ପବନ- ମୁକ୍ତ ଗଗନ ସାଥେ ମୁକ୍ତ ହୋଇଉଠେ ମଣିଷର ମନ..

ଖୁବ୍ ମୁକ୍ତ ବି ଏ ଜଙ୍ଗଲୀ ଜୀବନ ...ଛନ୍ଦହୀନ ବନ୍ଧହୀନ ..

ରାସ୍ତାର ଭୌଗଳିକ ମାନଚିତ୍ର ଦେଖି ଠିକ୍ ବୁଝି ହେଉଥିଲା କି ସେ ଅଞ୍ଚଳରେ ସରକାର ଶବ୍ଦର ଯଥାର୍ଥତା ପ୍ରତିପାଦିତ ହୁଏନାହିଁ । ଉନ୍ନତି କହିଲେ ସେମାନେ କିଛି ଜାଣନ୍ତି ନି । ସେମିତି ଅଞ୍ଚଳ କୁ କେଉଁ ସରକାର ଅବା ପ୍ରଶାସନ ପହଞ୍ଚିବ ?

ମନ ଭିତରେ ଯେତିକି ଉତ୍କଣ୍ଠା ବଢିଥିଲା ବାସ୍ତବତା ଆଗରେ ତାହା ଯେମିତି ଧିରେ ଧିରେ ମଉଳି ଆସୁଥିଲା । ମଣିଷ ମାନଙ୍କର ନିତ୍ୟ ଆବଶ୍ୟକ ସୁବିଧା ସୁଯୋଗ ରୁ ବଞ୍ଚିତ ଅବସ୍ଥାକୁ ନିଜ ଭାବନା ରେ ନେଇ ହୃଦୟଙ୍ଗମ କରିବା ପରେ ନିଜକୁ ନିଜେ ଧିକ୍କାର କରି କହୁଥିଲି-"ହେଃ ..ମୁଁ କଣ ଜାଣିବି ଗାଁର ଦୁଃଖ ?"

ଯଦିଓ ମୁଁ ବି ଗାଆଁ ରେ ବଢିଛି ହେଲେ ଏମିତି ନିପଟ ମଫସଲ ଅଞ୍ଚଳକୁ ମୋ ଜୀବନ ରେ ଆଗରୁ କେବେ ଦେଖି ନ ଥିଲି ।ବହୁତ ବାଟବଣା ହେବା ପରେ ମୋ ଭାବନାର ଅନ୍ତ ହେଲା..ସେଇ ସ୍ୱପ୍ନର ଗାଁ ମାନଙ୍କ ଭିତରୁ ଏକ ଗାଁ "ସୁନାଝର " ରେ ପହଞ୍ଚି ।

ଧୂ ଧୂ ଖରା ବେଳଟାରେ ମଇଳା , ଅସନା , ଚିରା ଫଟା ହାପ୍ ପ୍ୟାଣ୍ଟ ପିନ୍ଧା କେତେକ ଛୁଆ ଆମ ଗାଡି ଦେଖି ଯିଏ ଯୁଆଡେ ଦୌଡି ପଳେଇଗଲେ । କିଛି ପୁରୁଷ ଆଉ ସ୍ତ୍ରୀ ଏକାଠି ବସି କେଜାଣି କଣ ସବୁ ଗପୁ ଥାଆନ୍ତି । ଆମେ ଗାଡି ରୋକି ସ୍କୁଲ କେଉଁଠି ବୋଲି ପଚାରିବାରୁ ଜଣେ ମଧ୍ୟ ବୟସ୍କ ବ୍ୟକ୍ତି ପାହାଡର ଅନ୍ୟ ଏକ ଦିଗକୁ ହାତ ବଢେଇ କହିଲା-"ହା...ଇ...ଟା.." ।

ତା କଥା ଶୁଣି ଲାଗୁଥିଲା ଯେମିତି ଆମେ ଭୁଲ୍ ଯାଗା କୁ ଚାଲି ଆସିଲୁ କି..?? ପୁଣି ଆମ ଗାଡି ଆଗକୁ ମାଡି ଚାଲିଲା..

ଗାଁର ଶେଷ କେଉଁଠି ଆରମ୍ଭ କେଉଁଠି ଜାଣିବା ଏତେ ସହଜ ନଥିଲା । ହଠାତ୍ ଦୂର ରୁ ଦେଖାଗଲା ଅନାମଧେୟ ପୁରୁଣା ଭଙ୍ଗା ପକ୍କା ଘର ଟିଏ । ତାର ଅବହେଳିତ ବାଡବତା ଦେଖି ବୁଝିଗଲୁ ସେଇଟା ହିଁ ସରକାରୀ ପ୍ରାଥମିକ ବିଦ୍ୟାଳୟ ..

ନା କିଛି ଫଳକ..ନା ଅଛି ଫାଟକ..ବାସ୍ ବିଦ୍ୟାଳୟ ସେମିତି ପଡିରହିଛି ...ସେଇ ଗାଁର ବାସିନ୍ଦା ମାନଙ୍କ ପରି । କିଛି ସ୍ତ୍ରୀ ଲୋକ ବିଦ୍ୟାଳୟ ବାରଣ୍ଡାରେ ବସି ଥାଆନ୍ତି , ଆଉ କିଛି କାଖରେ ଛୋଟ ଲଙ୍ଗଳା ଛୁଆ ଧରି ଏଣେ ତେଣେ ଚାଲବୁଲ୍ କରୁଥାଆନ୍ତି । ବିଦ୍ୟାଳୟ ପରିସର ଭିତରକୁ ଯାଇ ଶିକ୍ଷକ ମାନଙ୍କ ବିଷୟରେ ପଚାରି ବୁଝିଲୁ ,ସେମାନେ ଯାହା କହିଲେ ତାହା ଥିଲା ଯନ୍ତ୍ରଣା ଦାୟକ ।

ଦୁଇ ଜଣ ଶିକ୍ଷକ କେବେ କେଉଁ ଦିନ ଆସି ସଙ୍ଗେ ସଙ୍ଗେ ଚାଲି ଯାଆନ୍ତି । କେହି ବି କେବେ ରୁହନ୍ତି ନି । ଗାଆଁ ରେ ପିଇବାକୁ ପାଣି ନାହିଁ । ପାହାଡ ତଳି ଚୁଆ ହିଁ ପାଣିର ସାହା ଭରସା ।ବିଜୁଳି ଆଲୁଅ ଗାଁ ପାଇଁ ସାତ ସପନ ।ଭଲ ରାସ୍ତା ଟିଏ ନାହିଁ ।ସ୍ୱାସ୍ଥ୍ୟ ବ୍ୟବସ୍ଥା ନକହିବା ଭଲ ।

ସେମାନେ ଯେମିତି ଆମକୁ ଭଗବାନ ବୋଲି ଭାବି ସବୁକିଛି ଅଳି କରି ଅଭିଯୋଗ ବଖାଣି ଚାଲିଥାନ୍ତି ଏତେ ସବୁ ଶୁଣି ଧୈର୍ଯ୍ୟ ଧରିବାର ସାହସ ମୋର ନଥିଲା..।ମୁଁ ଗାଡି ପାଖକୁ ଚାଲି ଆସିଲି ।କିଛି ସମୟ ପରେ ଆମ ଗାଡି ଅନ୍ୟ ଏକ ବିଦ୍ୟାଳୟ ଅଭିମୁଖେ ଯାତ୍ରା ଆରମ୍ଭ କଲା ।

ସେ ଯାଗା ଛାଡି ମୋ ଶରୀର ଚାଲି ଆସିଥିଲା ସତ କିନ୍ତୁ ମନ..ସେ ଯେମିତି ସେଇଠି ବାନ୍ଧି ହେଇରହିଯାଇଥିଲା ।କେତେ ପ୍ରଶ୍ନବାଚୀ ସୃଷ୍ଟି ହେଉଥିଲା ମୋ ଭିତରେ..।

ସତରେ କଣ ଆମେ ଏବେବି ସ୍ୱାଧୀନ ? ସତରେ କଣ ସରକାର ଆଉ ପ୍ରଶାସନ ଏମାନଙ୍କ ପାଖରେ ପହଞ୍ଚି ଏମାନଙ୍କ ପାଇଁ କାମ କରନ୍ତି ? ଏମାନଙ୍କର କଣ ମୌଳିକ ଅଧିକାର ପାଇବାର ହକ୍କ ନାହିଁ ?

ତେବେ କଣ ପାଇଁ ବିଂଶ ଶତାବ୍ଦୀ ରେ ଯୁଗ ସହିତ ତାଳ ଦେଇ ଚାଲୁ ଚାଲୁ ମଧ୍ୟ ଏମାନଙ୍କ ପାଖରେ ଶିକ୍ଷା- ସ୍ୱାସ୍ଥ୍ୟ- ଗମନାଗମନ- ପାନୀୟ ଜଳ ଯୋଗାଣ ପରି ମୌଳିକ ସୁରକ୍ଷା ଏଯାଏଁ ଅପହଞ୍ଚ ହୋଇରହି ଯାଇଛି ?

ନା ସେ ସହରର ଉଜ୍ଜଳ ଆଲୋକ ଏ ଅପାନ୍ତରା ଅଞ୍ଚଳର ମିଞ୍ଜି ମିଞ୍ଜି ଡିବି ଆଲୁଅ କୁ ଗିଳି ଦେଇ ଯାଉଛି ? ନା ଏ ସହର ଜାଣି ଜାଣି ଆଜି ବି ଅଜଣାରହିବାର ମିଛ ଅଭିନୟ କରୁଛି ?

ହୁଏତ ଉତ୍ତର ଆପଣଙ୍କ ପାଖରେ ଥାଇପାରେ ...

(ତା-09/04/2019ର ଅନୁଭୂତି)

×-×-×-×-×-×-×-×-×-×-×-×-×-×-×

ଉପ-ଜିଲ୍ଲାପାଳ ଗାଁ କୋଳାହଳମୟ

Rate the content


Originality
Flow
Language
Cover design

Comments

Post

Some text some message..