Quotes New

Audio

Forum

Read

Contests

Language


Write

Sign in
Wohoo!,
Dear user,
ଚୁଗୁଲା
ଚୁଗୁଲା
★★★★★

© Lopamudra Mishra

Tragedy

11 Minutes   14.8K    21


Content Ranking

💥ଚୁଗୁଲା💥🍃🍃

Date-1.10.2018

ସୋମବାର

*ଲୋପାମୁଦ୍ରା ମିଶ୍ର *

"ଆବେ ହେ ଚୁଗୁଲା ! ଏ ଶଳା ମାଙ୍କଡ଼ ଛୁଆ !କୋଉଠି ବେ ତୁ? ଶା ତୋତେ ମୁଁ ଚାରିଆଡେ ଖୋଜି ସାରିଲିଣି ତୁ ଏଇଠି ଠିଆ ହେଇ କୁକୁରଟା ସାଙ୍ଗେ ଖେଳୁଛୁ ! ରହ ତୋତେ ଆଜି ମଜ୍ଜା ଚଖାଉଛି l ମୁଁ ଦୁଇମିନିଟ ପାଇଁ ଟିକେ ବାହାରକୁ ଚାଲିଗଲେ ତୁ ଶା ଦୋକାନ ଛାଡ଼ି ପଳେଇଆସୁଛୁ l ଗରାଖମାନଙ୍କୁ ନଅଟକେଇ ଏଠି ମସ୍ତି କରୁଛୁ l କୁଆଡେ ଗଲା ସେ ପାଞ୍ଚଣ ଟା? ପିଟି ପିଟି ତୋ ଛାଲ ଯଦି ଆଜି ନବାହାର କରିଛି ମୋ ନାଁ ଦୁଃଖୀଶ୍ୟାମ ନୁହେଁ l"

ଦୁଃଖୀନନା ଚୁଗୁଲା ର ଚୁଟି କୁ ଧରି ତାକୁ ଘୋଷାରି ଘୋଷାରି ଦୋକାନ ପଛପଟୁ ଟାଣି ନେଇଆସିଲେ ଦୋକାନ ଆଗକୁ l ତା ପୁରୁଣା ମଇଳା ସାର୍ଟ ଟାକୁ ପିଠି ଉପରୁ ଉଠେଇ ଦେଇ ନିଜ ଶକ୍ତ କହୁଣୀ ରେ ସେହି ଫୁଙ୍ଗୁଳା ପିଠି ଉପରେ ଗାବୁ ଗାବୁ କରି ଖୁବ ଜୋରରେ ଦୁଇଥର କହୁଣୀ ମାଡ଼ ବସେଇଦେଲେ l ପ୍ରଥମ ମାଡ଼ଟାରେ ଯାହା ଚୁଗୁଲା ଗଁ କରି ଗୋଟେ ଶବ୍ଦ କରିଥିଲା l ତାପରେ ଆଉ ତା କାନ୍ଦ ଶୁଭିଲାନାହିଁ l ତଳେ ଦୁଲ କରି ପଡିଗଲା l କିଛି ସମୟ ପାଇଁ ଆଉ ଉଠି ପାରିଲାନି l ଦୁଃଖୀନନାଙ୍କର ଗ୍ରୋସରୀ ଓ ଭେରାଇଟ ଷ୍ଟୋର ରୁ ଦୁଇଟା ଗ୍ରାହକ ଫେରିଯାଇ ଅନ୍ୟ ଦୋକାନ ରୁ କିଣା କିଣି କରୁଛନ୍ତି l ରାଗଟା ତାଙ୍କର ପଞ୍ଚମ ରେ l ଚୁଗୁଲା ତଳେ ପଡିଛି l ଦୁଃଖୀଶ୍ୟାମ ରାଗରେ କୁଦି କୁଦି ଯାଇ ଆଉ ଦୁଇ ଗୋଇଠା ମାରିଲେ ତା ପଛ ଆଡୁ l

ବିଚରା ଚୁଗୁଲା ! କେହି ନାହିଁ ତାର ଏଠି, ତାକୁ ଟିକେ ତଳୁ ଉଠେଇ ଦେହଟାକୁ ଶ୍ରଦ୍ଧା ରେ ଆଉଁଶି ପକେଇବାକୁ l ମାଲିକ ର ଗାଳି ଶୁଣି ଖୁବ କଷ୍ଟରେ ଉଠିଲା ଚୁଗୁଲା l ପିଠି ସିଧା କରିପାରୁନି l ବଙ୍କେଇ ବଙ୍କେଇ ଚାଲିକରି ଦୋକାନ ଭିତରକୁ ଗଲା l ହାତରେ ଧରିଥିବା ଅଧା ଖଣ୍ଡିଆ ରୁଟି ଟାକୁ ଡଷ୍ଟବିନ ରେ ପକେଇଦେଲା l

--ରୁଟି କୋଉଠୁ ଆଣିଲୁ କିରେ ସେ କୁକୁରକୁ ଦୋଉଥିଲୁ?

--ମାଆ ସକାଳେ ଦେଇଥିଲେ ଚା'ରେ ଖାଇବାକୁ l

ଚୁଗୁଲା କାନ୍ଦୁ କାନ୍ଦୁ କହିଲା l

--ହଉ ହଉ ଏବେ ସେ କାନ୍ଦ ବୋବାଳୀ ବନ୍ଦ କର l କାମ ରେ ଟିକେ ମନ ଦେ l ସେ ଭୁଣ୍ଡା କୁକୁରଟାକୁ ଆଉ ଖବରଦାର କିଛି ଖାଇବାକୁ ଦେବୁନି l ସେ ବେଈମାନ ଏଠି ଖାଉଛି ଆଉ ଜଳିଆ ଦୋକାନ ଆଗରେ ଶୋଉଛି l ତୋର ତ ଦେଖୁଛି ସେ ଅସନା କୁକୁର ଟା ପ୍ରତି ଭାରି ପେରେମ ଉଛୁଳି ପଡୁଛି ! ଶଳା ତୁମେ ଦୁଇଟା ଯାକ ଗୋଟିଏ ଜାତିର l ରହ ମୁଁ ଲତା କୁ କହୁଛି କାଲିଠୁ ତୋ ସକାଳ ଚାଆ ରୁଟି ଖାଇବା ବନ୍ଦ କରିବ l

ଚୁଗୁଲା ଦଶ ବାର ବର୍ଷ ର ଅଭାଗା ଗରୀବ ପିଲା ଟିଏ l ଦୁଇ ବର୍ଷ ତଳେ ଆନ୍ଧ୍ରପ୍ରଦେଶରେ କୋଉ ଗୋଟେ ଫାକ୍ଟ୍ରି ରେ ଶ୍ରମିକ ଭାବେ କାମ କରୁଥିବା ବାପା ତାର ଘରକୁ ଚାଲିଆସିଲା ସାଙ୍ଗରେ ଭୟଙ୍କର ଏକ ଅଜଣା ରୋଗ କୁ ଧରି l ପଇସା କୋଉଡ଼ି ପାଖରେ ନଥିବାକୁ ରୋଗଟା ଭଲ ନହେଇ ଆହୁରି ବଢି ବଢି ଚାଲିଲା l ଶେଷରେ ରୋଗ ଯନ୍ତ୍ରଣା ସହି ନପାରି ଚୁଗୁଲା ର ବାପା ବସନ୍ତ ବେକରେ ଦଉଡି ଲଗେଇ ଆତ୍ମହତ୍ୟା କରିଦେଲା l ସାବିତ୍ରୀ, ଚୁଗୁଲା ର ବୋଉ ଟ୍ରଲିଵାଲା ସନା କୁ ବାହାହୋଇପଡିଲା l ସନା ସାବିତ୍ରୀ ସାଙ୍ଗରେ ଚୁଗୁଲା ର ତିନିବର୍ଷ ର କୁନି ଭଉଣୀ ଚଗିଲି କୁ ବି ନେଇଗଲା କିନ୍ତୁ ଚୁଗୁଲା କୁ ସେ ପୋଷି ପାରିବନି କହି ଏଇଠି ଦୁଃଖୀ ଦୋକାନ ରେ କାମ କରିବା ପାଇଁ ଛାଡିଦେଇଗଲା l ଚୁଗୁଲା ର ଯେତେବେଳେ ତା ବୋଉ କଥା ବହୁତ ବେଶୀ ମନେ ପଡ଼ିଯାଏ, ସେ ଲୁଚି ଲୁଚି ସନାଘର ବାଡ଼ି ପଟ ଦେଇ ଯାଇ ବୋଉ ଆଉ ଭଉଣୀ କୁ ଦେଖା କରି ଆସେ l ବୋଉ କୁ ଭାରି ନେହୁରା ହେଇ କହେ, "ବୋଉଲୋ ତୁ ଏ ବଦମାସ ସନା ଘରୁ ଆମ ପୁରୁଣା ଚାଳିଆ କୁ ପଳେଇଚାଲ l ମୁଁ ତତେ ଛାଡ଼ି ଦୁଃଖୀନନା ଘରେ ରହିପାରୁନି ଲୋ l ମତେ ସେ ବହୁତ ମାରୁଛନ୍ତି l ଦୋକାନ ବାରଣ୍ଡା ରେ ରାତିରେ ମୁଁ ଏକା ଶୋଉଛି l ବହୁତ ଡର ଲାଗୁଛି ଲୋ ବୋଉ l ମତେ ତୁ ତୋ ପାଖରେ ରଖ " l ଚୁଗୁଲା ବୋଉ କୁ କୁଣ୍ଢେଇ ଢେର କାନ୍ଦେ l ସାଵି ଵି କଣ କରିବ?ସନା କେବେ ଵି ଚୁଗୁଲା କୁ ସାଙ୍ଗରେ ରଖିବାକୁ ରାଜି ହେବନି l ଏକଥା ଖାଲି ଥରେ ପାଟିରେ କହିଦେଲେ ମାଡ଼ ମାରି ତା ପିଠି ପଠେଇ ଦେଉଛି l

ସନା କେବେ କୋଉଦିନ ଯଦି ଚୁଗୁଲାକୁ ନିଜ ଘରେ ସାଵି କାନି ତଳେ ଦେଖି ପକାଏ ସେଇଠାରୁ ତାକୁ ଠେଲି ଠେଲି ନେଇ ଦୁଆର ବନ୍ଧ ପାଖେ କଚାଡି ଦିଏ l ସାବି ଯେତେ ମନା କଲେ ଵି ଶୁଣେନି l ବିଧା ଗୋଇଠା କୋଡ଼ି ପକାଏ l "ଶଳା ବଜ୍ଜାତ ଟୋକା ! ତତେ କେତେ ଥର ମନା କରିଛି ଏଠିକି ଆଉ ଆସିବୁନି l ଭାରି ବୋଉ ସୁଆଗି ବାହାରି ପଡୁଛି ! ଆଉ ଯଦି ଦିନେ ତତେ ଏଠି ମୁଁ ଦେଖେ ଶା ତତେ ମାରି ମାରି ଶୁଖୁଆ କରିଦେବି l ବୁଝିଲୁ?", କହି ଚୁଗୁଲା ର ଡାଙ୍ଗ ପରି ନହକା ହାତକୁ ଟାଣି ଟାଣି ନେଇ ରାସ୍ତା ଉପରକୁ ଠେଲିଦେଇ ଆସେ l

ଏତେବଡ଼ ଦୁନିଆଁ ଟାରେ ନିଜର ହେଇ ଆଉ କେହି ନାହିଁ ଚୁଗୁଲା ପାଖରେ l ଏଇ କାଳିଆ କୁକୁର ଟା ଯେତେବେଳେ ଦୋକାନ ପାଖକୁ ଚାଲିଆସେ ଚୁଗୁଲା ତା ଶିଶୁ ସୁଲଭ ଗୁଣରେ ତା ସହ ଖେଳିବାକୁ ଚାହେଁ l ତାକୁ ଟିକେ ଆଉଁଶି ଦିଏ l ନିଜ ଭାଗରେ ମିଳିଥିବା ଭାତ ଡାଲି ରୁ ଅଳ୍ପ କିଛି ଲୁଚେଇ ରଖିଥାଏ କାଳିଆପାଇଁ l କୁକୁର କାଳିଆ କୁ ବାଦ ଦେଲେ ବାକି ସମସ୍ତେ ତା ଉପରକୁ ଅଯଥା ଭୁକନ୍ତି l

ଦୁଃଖୀନନା ର ତଳ ଘର ଟାରେ ବଖରେ ଦୋକାନ ଘର ଆଉ ବଖରେ ଗୋଦାମଘର l ଉପରେ ଦୁଃଖୀ ନିଜ ପରିବାର ସହ ରହନ୍ତି l ଚୁଗୁଲା ରାତିରେ ଦୋକାନ ବାରଣ୍ଡା ରେ ଦୁଇଟି ଲଙ୍ଗବେଞ୍ଚ କୁ ଯୋଡିକରି ଶୁଏ l ପ୍ରଥମେ ପ୍ରଥମେ ବୋଉ କଥା ମନେ ପକାଇ ରାତିରେ ତାକୁ ନିଦ ହେଉନଥିଲା l ଛୋଟପିଲା l କାନ୍ଦି କାନ୍ଦି ଥକିଗଲେ ଆପେ ଆଖି ଲାଗିଯାଏ l ଏବେ ଆଉ ବେଶୀ କାନ୍ଦେନାହିଁ l କୁକୁର କାଳିଆ ଏବେ ରାତିରେ ତାକୁ ଜଗି କରି ଶୁଏ l

ଦୁଃଖୀନନା ଙ୍କ ଏକମାତ୍ର ଶଳା 'ଲଳିତ' ଭଉଣୀ ଘରେ ରହି କଲେଜ ପାଠ ପଢିବାକୁ ଆସିଲା l ବାବୁଙ୍କର ଠାଣୀ ମାଣି ପୁରା ଲାଟସାହେବ ମାଫିକ l କଲେଜ ପାଠ ର ଧାର ଧାରି ନଥିବା ଦୁଃଖୀନନା ଙ୍କ ସ୍ତ୍ରୀ ଲତା ଙ୍କର ଗର୍ବ ଆଉ ଗୌରବ ତାଙ୍କ କଲେଜ ପଢୁଆ ଭାଈ ଲଳିତ l ଲଳିତ ବାବୁ ଟିକେ ସୌଖିନ ମିଞ୍ଜାସ ର l ପୋଷାକ ପିନ୍ଧା ଷ୍ଟାଇଲ ଠୁ ଆରମ୍ଭ କରି ଖାଇବା ପିଇବା ଏମିତିକି ମଟର ସାଇକେଲ ଚଲେଇବା ରେ ରୁଚିଟା ତାଙ୍କର ସମ୍ପୂର୍ଣ ନିଆରା l ଚୁଗୁଲା କୁ ଏବେ ଲଳିତବାବୁ ଙ୍କର ଵି କଥା ମାନି ଚାଲିବାକୁ ପଡେ, ନହେଲେ ବାବୁ ଖୁବ ଶୀଘ୍ର ରାଗିଯାଆନ୍ତି l

ଦୋକାନ ରୁ ଗୁଟଖା ଓ ସିଗାରେଟ ଲୁଚେଇ ଆଣି ଚୁଗୁଲା ଲଳିତ କୁ ଦିଏ l ଲୁଚେଇ ଆଣିବାକୁ କେବେ ମନା କଲେ ବାବୁ ଖପ୍ପା ହୋଇ ଦୁଇ ଚାରି ବିଧା ଚୁଗୁଲା ପିଠି ରେ ବସେଇ ଦିଅନ୍ତି l କେହି ପଚାରିଲେ କହନ୍ତି," ଏ ଚୋର ଚୁଗୁଲା ଗୁଟଖା ଲୁଚେଇ ଖାଉଥିଲା ମୁଁ ଦେଖିପକେଇଲି " l

ଚୁଗୁଲା ଗରାଖଙ୍କ ହାତକୁ ଜିନିଷ ବଢ଼େଇ ଦିଏ ଓ ଟଙ୍କା ଆଣି ଦୁଃଖୀନନା ହାତକୁ l ଦୁଃଖୀନନା ପାଞ୍ଚସହ ଟଙ୍କିଆ ନୋଟ ଗୁଡାକୁ ଭଲକି ପରଖି ନମ୍ବର କରି ରଖନ୍ତି l ହିସାବ କିତାବ ରେ ଟିକେ ଵି ଭୁଲ ହୁଏନି ତାଙ୍କର l

କାର୍ତ୍ତିକମାସ l ରାତି ପାହିବାକୁ ଆହୁରି ଦୁଇଘଡ଼ି ବାକି ଥାଏ, ଦୁଃଖୀ ବିଛଣାରୁ ଉଠି ତଳକୁ ଆସନ୍ତି ଓ ଦୋକାନ ବାରଣ୍ଡା ରେ କୁଙ୍କୁରି କାଙ୍କୁରି ହୋଇ ଶୋଇଥିବା ଚୁଗୁଲାକୁ ଉଠାନ୍ତି l ଚୁଗୁଲା ଆଖି ମଳି ମଳି ଉଠି ଦୋକାନଘର ଭିତର ବାହାର ଓ ଦୁଃଖୀ ଙ୍କ ଘର ଆଗ, ଚଉଁରା ଚାରିପାଖ ଭଲ କି ଧୁଆ ଧୋଇ କରି ପରିସ୍କାର, ନିର୍ମଳ କରିଦିଏ l ଦୁଃଖୀ ଓ ଲତା ଏହି ମାସଟିରେ ଖୁବ ସକାଳୁ ଉଠି ଗାଧୋଇ ପାଧୋଇ ପବିତ୍ର ହୋଇ ପୂଜା ଅର୍ଚନା କରନ୍ତି l ସାରା ବର୍ଷର ପାପକୁ ଧୋଇଧାଇ ସଫା କରି ପୂଣ୍ୟ ରେ ପରିଣତ କରିବାର ଏଇଟି ସୁବର୍ଣ୍ଣ ସୁଯୋଗ l

ସେଦିନ ଦୁଃଖୀ ଚୁଗୁଲାକୁ ଦୋକାନ ଜଗେଇ ଦେଇ ସପତ୍ନୀକେ ସକାଳୁ ସକାଳୁ ମନ୍ଦିର ବାହାରିଗଲେ l କାଳିଆ ଆସି ଦୋକାନ ଆଗରେ ପଇଁତରା ମାରିଲାଣି l ଚୁଗୁଲା ନିଜ ଭାଗରେ ପଡିଥିବା ରାତିର ବାସି ପୁରି ରୁ ଦୁଇଖଣ୍ଡ ପ୍ୟାଣ୍ଟ ରେ ଖୋସି ରଖିଥିଲା l ଦୋକାନ ରୁ ବାହାରି ଆସି କାଳିଆ କୁ ପୁରି ଖୁଆଇଲା l ଏତେ ସକାଳୁ କେହି ଜଣେ ମଧ୍ୟ ଗ୍ରାହକର ଦେଖାନାହିଁ l କାଳିଆ ମୁଣ୍ଡ ରେ ହାତ ମାରି ଚୁଗୁଲା ସାଉଁଳାଉଛି ପଛରୁ ଲଳିତ ଆସି ଧକ୍କା ଟେ ମାରିଲା l "ଆବେ ଦୋକାନ ଜଗିଛୁନା ଖେଳୁଛୁ ବେ?ଭାଈ ଆସନ୍ତୁ ତୋ କଥା ବିଚାର ହେବ l ",ଲଳିତ ଏତକ କହି ବାଇକ କାଢି କୁଆଡେ ପଳେଇଲା l

ଅଧଘଣ୍ଟା ଭିତରେ ଦୁଃଖୀ ଆସି ପହଞ୍ଚିଲେ l ସବୁଦିନ ପରି ଦୋକାନ ରେ ଧୂପ ଲଗାଇ ଠାକୁର ଙ୍କ ପାଖରେ ରଖିଲେ l ଆଉ ଗୋଟେ ଧୂପ କୁ ଧରି ମନେ ମନେ କଣ ସବୁ ପ୍ରାର୍ଥନା ଗୁଣୁ ଗୁଣୁ ହେଇ ତାଙ୍କ ଟଙ୍କା ବାକ୍ସ ପାଖକୁ ନେଇ ବୁଲେଇଲେ l ଆରେ ହାଁ!! ଏ କଣ?ବାକ୍ସ ରେ ତାଲା କାହିଁ? କୁମୁଡା ଟା ଉପର ଆଡୁ କଟା ହେଇଛି l ଦୁଃଖୀନନା ବିବ୍ରତ ହୋଇ ବାକ୍ସଟି ଖୋଲିପକେଇଲା ରୁ କିଛି ଖୁଚୁରା ପଇସା ଓ ଶହେ ଟଙ୍କିଆ ପଚାଶ ଟଙ୍କିଆ ନୋଟ ଚାରି ପାଞ୍ଚୋଟି କୁ ଛାଡ଼ିଦେଲେ ବାକି ସବୁ ନୋଟର ବିଡ଼ା ଗାୟବ l କାଲି ରାତିରେ ଦୁଃଖୀ ଗଣି ଗଣି ତିରିଶ ଟି ପାଞ୍ଚଶହ ଟଙ୍କିଆ ନୋଟ ନମ୍ବର କରି ଗୋଟେ ବିଡ଼ା କରି ରଖିଥିଲେ l କିଏ ଭାଙ୍ଗିଲା ଏ ବାକ୍ସ?ଦୁଃଖୀଙ୍କ ମୁଣ୍ଡ କାମ କରୁନି?

--ଚୁଗୁଲା !ଏ ଚୁଗୁଲା ! ରାତିରେ ଦୋକାନ ଚାବି ପକେଇ ଗଲା ପରେ କିଏ ଆସିଥିଲା?

--କେଇ ତ ନୁହେଁ ନନା !

--ସକାଳୁ?

--ମୁଁ ତ ଜଗିଛି l

--ତୁ ଶଳା ଜଗିଛୁ ତ ମୋ ଟଙ୍କା କିଏ ନେଲା? ଶଳା ଚୋର ଛୁଆ ! ମୋ ବାପ ଠିକ କହେ l "ଗରୀବଙ୍କୁ ନକରିବ ଦୟା, ଗରିବଙ୍କ ଅନୁକୋଟି ମାୟା "l ଗରୀବ ଛୁଆ ଭାବି ତତେ ଆଶ୍ରୟ ଦେଲି, ତୁ ମୋରି ଘରେ କଳାକନା ବୁଲେଇଲୁ !

ଦୁଃଖୀ ଉଠିଯାଇ ଚୁଗୁଲା ର ଚୁଟି କୁ ଧରି ବଡ ପାଟିରେ ଚିତ୍କାର କରି ଧମକେଇ ପଚାରୁଥାନ୍ତି, "କହ ଟଙ୍କାଟା କୋଉଠି ରଖିଲୁ? କହ ନହେଲେ ମାରି ମାରି ତୋ ପିଠି ରେ ଆଜି ଗାତ ଖୋଳି ଦେବି l କହ ଶୀଘ୍ର କୋଉଠି ରଖିଛୁ "l

ଚୁଗୁଲା ବିକଳ ରେ କାନ୍ଦି କାନ୍ଦି କହୁଥାଏ, "ମୁଁ କିଛି ଜାଣିନି ନନା l ମୁଁ ସତରେ କିଛି ଜାଣିନି l "

--ଜାଣିନୁ l ତୋ ଛଡା ଆଉ କେହି ନୁହେଁ l ରହ ମୁଁ ପୁଲିସ କୁ ଡାକୁଛି l ଟଙ୍କେ ଅଧେ ନୁହେଁ ଶା ତୁ ପନ୍ଦର ହଜାର କୁଆଡେ ଲୁଚେଇ ଦେଲୁ l

ଦୁଃଖୀନନାଙ୍କ ବଡପାଟି ଶୁଣି ଆଖପାଖରୁ ଗୁଡ଼ାଏ ଲୋକ ଆସି ଜମା ହେଇଗଲେଣି l ଲତା ଵି ଆସି ଦୋକାନ ପାଖରେ l

ଗର ଗର ହେଇ କହୁଥାନ୍ତି, "ମୁଁ ପ୍ରଥମରୁ କହୁଛି, ଏ ଛୁଆ ର ଚାହାଣୀ କହୁଛି ୟାର ମତି ଗତି ଭଲ ନୁହେଁ l ୟାକୁ ରଖନା l ତୁମେ କଣ ମୋ କଥା ଶୁଣିଲ? "

ଲୋକେ ନିଜ ନିଜ ଭିତରେ ନାନା କଥା କୁହା କୁହି ହେଉଥାନ୍ତା l କେହି କେହି କହୁଥାନ୍ତି ଚୁଗୁଲା ର ସ୍ଵର୍ଗବାସୀ ବାପଟା ଵି କୁଆଡେ ଗୋଟେ ମସ୍ତବଡ ଚୋର ଥିଲା l କିଏ ଜଣେ ପ୍ରସ୍ତାବ ଦେଲା, "ତା ଲୁଗା ପଟା ଜିନିଷ ପତ୍ର ଆଗ ତଲାଶ କର l ନିଶ୍ଚୟ ଏଇଠି କୋଉଠି ଲୁଚେଇ ଥିବ "l

ସଙ୍ଗେ ସଙ୍ଗେ ଚୁଗୁଲା ର ଜିନିଷ ତଲାଶୀ କରିବାକୁ ଦୁଇଜଣ ଆଗଭର ହୋଇ ଦୌଡି ଆସିଲେ l ଜିନିଷ କହିଲେ ଯାହା ହଳେ ମଇଳା ପ୍ୟାଣ୍ଟ ସାର୍ଟ ଦେହରେ ପିନ୍ଧିଛି ଆଉ ହଳେ ସାତ ସିଆଁ ସାର୍ଟ ପ୍ୟାଣ୍ଟ କାଲିଠୁ ଗାଧୋଇ ଦୋକାନ ପଛପାଖ ବାଡ଼ରେ ଶୁଖେଇଛି l ଆଉ ଗୋଟେ ଝୁଲା ବ୍ୟାଗ ଭିତରେ କିଛି ୟାଡୁ ସ୍ୟାଡୁ ଜିନିଷ ; ଯେମିତି କି ପୁରୁଣା ସାହିତ୍ୟ ଓ ଗଣିତ ବହି ଦୁଇଟି, ଗୋଟେ ଭଙ୍ଗା ପେନ, ମଳିଆ ପାନିଆ ଟେ, କେତୋଟି କାଚ ଟୁକୁଡା, ଭଙ୍ଗା ଖେଳନା ବନ୍ଧୁକ ଗୋଟେ, ଫାଟି ଯାଇଥିବା ଗୋଟେ ଛୋଟ ବଲ ଇତ୍ୟାଦି ଭର୍ତ୍ତି କରି ରଖିଛି l ସେହି ବ୍ୟାଗ ଟାକୁ ଜଳିଆ ଦୋକାନୀ ଝାଡ଼ି କି ତଳେ ପକେଇ ଦେଲା l ଚୁଗୁଲାର ଆବୁରୁ ଜାବୁରୁ ଜିନିଷ ଗୁଡ଼ା ଯାହା ତଳେ ଅଜାଡ଼ି ହୋଇ ପଡିଲା କିନ୍ତୁ କୋଉଠୁ ଵି ଟଙ୍କା କିଆ କଏନଟିଏ ମଧ୍ୟ ମିଳିଲା ନାହିଁ l

ଚୁଗୁଲା ଅପରାଧୀ ଟିଏ ପରି ମୁହଁ ତଳକୁ କରି ଠିଆ ହେଇଛି l ଅବୁଝା ଆଖିରୁ ତାର ବଡ ବଡ ଟୋପା ଲୁହ ଖସି ପଡୁଛି l ଯିଏ ଆସୁଛି ଦୁଇ ଖୁନ୍ଦା ମାରି "ଟଙ୍କା କୋଉଠି ରଖିଛୁ" ପଚାରୁଛି l

--'ଇଏ କଣ ଆଉ ଏତେଗୁଡାଏ ଟଙ୍କା ଏଠି ରଖିଥିବ? ତା ବୋଉକୁ ନେଇ ଦେଇଆସିଥିବ ନା l'

ଜଣେ କେହି ଦୁଃଖୀ କୁ ଲକ୍ଷ କରି କହିଲା l

ଏତେବେଳକୁ ଲଳିତ ଆସି ପହଞ୍ଚି ସାରିଥାଏ l ସବୁ ଶୁଣି ସେ ଵି ତାର ମନ୍ତବ୍ୟ ଦେଲା, " ଭାଈ ୟାକୁ ପଛୁଆ କରି ସେ ଗଛରେ ବାନ୍ଧି ପକାଅ l ପାହାର ଚାରିଟା ପିଠି ରେ ବସିଗଲେ ବଳେ ମାନିବ l"

ଚୁଗୁଲା ଦୋକାନ କଡ଼ ନିମ୍ବ ଗଛରେ ବନ୍ଧା ହେଇଛି l ଦୁଃଖୀ ତା ଗାଲକୁ ଶକ୍ତ ଚାପୁଡ଼ା ମାନ ମାରିଚାଲିଛନ୍ତି ଓ କହୁଛନ୍ତି, "କହ କୋଉଠି ରଖିଛୁ ଟଙ୍କା, ନହେଲେ ଏବେ ପୁଲିସ ଡାକିବି l"

ଲଳିତ ଵି ଆସି ଚୁଗୁଲା ଚୁଟି କୁ ଟାଣି ପକାଇ ସେହି କଥା ଦୋହରେଇଲା l

ବିଚରା ଛୋଟ ପିଲାଟି ଡରି ଡରି ଖାଲି କହୁଥାଏ, "ମତେ ଛାଡିଦିଅ l ମୁଁ କିଛି ଜାଣିନି l ମୋ ବୋଉ ପାଖରେ ମତେ ଛାଡ଼ିଦିଅ l ବୋଉ... ମରିଗଲି ଲୋ ବୋଉ.. ମତେ ଆଉ ମାରନାହିଁ l ଖୋଲ ମତେ..ଖୋଲ.. ଏଁ ଏଁ.. ବୋଉ.. ଉଁ ଉଁ.. ବୋଉ.. "

ଚୁଗୁଲାର ବୋଉ ଖବର ପାଇ ଆସିଲା l ସାଙ୍ଗରେ ସନା l

--"ଦେଖିଲୁ ସାବି ! ମୁଁ ଏଇଥି ପାଇଁ ୟାକୁ ଘରେ ପୁରାଏନାହିଁ l ବିଷ ଗଛରେ ବିଷ ନଫଳି ଆଉ କଣ ଅମୃତ ଫଳନ୍ତା l" ସନା ଦାନ୍ତ କଡ଼ମଡ଼ କରି କହିଲା l

ସାବିତ୍ରୀ କାନ୍ଦି କାନ୍ଦି ଦୁଃଖୀନନା ଗୋଡ଼କୁ ଜାବୁଡି ଧରି କହିଲା, "ନନା ! ଛୁଆ ଟାକୁ ଛାଡ଼ିଦିଅ l ପୁଲିସ ଫୁଲିସ ଜିମାରେ ତାକୁ ଦିଅନା l ମୋ ପୁଅ ଚୋରୀ କରିନଥିବ ନନା l ଛାଡିଦିଅ ତାକୁ l ମୁଁ ତାକୁ ଏଠୁ ନେଇଯିବି l ଦୟlକର ନନା l ଖୋଲିଦିଅ ତାକୁ "l

"ଟଙ୍କାଟା ଆଗ ଦିଅ ତାପରେ ଛାଡ଼ିବି l ତାକୁ ପଚାରେ ସେ କୋଉଠି ଲୁଚେଇ ରଖିଛି l ମୋ ଟଙ୍କା ନମିଳିଲେ ମୁଁ କାହାକୁ ଛାଡିବିନି l ତା ସହ ତତେ ଵି ପୁଲିସ ଜିମା ଦେବି l ତୁ ହିଁ ତୋ ପୁଅ କୁ ଶିଖେଇକି ଟଙ୍କା ଚୋରୀ କରେଇଛୁ l",ଦୁଃଖୀ ଚଢାଗଳା ରେ କହିଲା l

ଚୁଗୁଲା ଗଛରେ ବନ୍ଧା ହୋଇ ସେଇମିତି "ବୋଉ ଲୋ ବୋଉ ଲୋ " ହେଉଥାଏ l ତା ବୋଉକୁ ଵି ପୁଲିସ ବାନ୍ଧି ନେଇଯିବ ଶୁଣି ଖୁବ ଜୋରରେ ପାଟି କରି କହିଲା, " ନାଁ ନାଁ l ମୋ ବୋଉ ମତେ ଶିଖେଇନି l ମୁଁ ନିଜେ ଚୋରୀ କରିଛି l"

ସମସ୍ତେ ସ୍ତବ୍ଧ l ସାବିତ୍ରୀ ନିଜ କାନକୁ ବିଶ୍ୱାସ କରିପାରୁନି l ଦୁଃଖୀ ରାଗ ତମ ତମ ରେ ଖେଦି ଯାଇ 'ମେଞ୍ଚଡ ଟୋକା' କହି ପାଞ୍ଚଣଟାରେ କଷିକରି ପାହାର ଟିଏ ବସେଇ ଦେଲା ଚୁଗୁଲା ର ଦୁର୍ବଳ ଦେହରେ l

ଚୁଗୁଲା ଦେହରୁ ରଶି ଖୋଲିଦିଆଗଲା l ଯିଏ ଯେତେ କରି ପଚାରିଲେ ଵି ସଠିକ କରି କହୁନି ଟଙ୍କାଟା କୋଉଠି ରଖିଲା l ଏତେ ସକାଳୁ ସମସ୍ତଙ୍କ ଆଖିରେ ଧୂଳି ଢାଙ୍କି କୁଆଡେ ନେଇ ଲୁଚେଇ ଦେଲା ଏତେ ବଡ ନୋଟବିଡ଼ା ଟା !!

ଚୁଗୁଲା ବୋଉ ନିଜର ଏକମାତ୍ର ଅଳଙ୍କାର ସୁନା କାନଫୁଲ ହଳକ କାଢି ଦୁଃଖୀର ହାତ କୁ ବଢ଼େଇ ଦେଲା l ବେସ ବଡ କାନଫୁଲ ହଳେ l ଚୁଗୁଲା ର ଜେଜେମାଆ ବଞ୍ଚିଥିଲା ବେଳେ ସେତକ ସମ୍ପତ୍ତି ତାକୁ ଦେଇଯାଇଥିଲା l

ଦୁଃଖୀ କାନଫୁଲ ହଳକ କୁ ହାତରେ ଧରି ଏପଟ ସେପଟ କରି ପରଖି କହିଲା, "ଗ୍ରାମ ଟାଏ ଵି ସୁନା ନଥିବ ଏଥିରେ l ଟଙ୍କା ଦୁଇହଜାର ଖଣ୍ଡେ ହେବ କି ନାହିଁ l ହଉ ଏଇଟି ରହିଲା l ତୁ ଲେଖିଦେଇଯା ' ପଇସା ପାଇଲେ ଆଣି ମୋ ଜିମା ଦେବୁ ଆଉ ଏଇଟି ନେଇଯିବୁ l"

ଚୁଗୁଲା ତା ବୋଉ ସାଙ୍ଗରେ ପଳେଇଲା l ସେହି ଘଟଣାକୁ କିଛି ଦିନ ବିତିଗଲା l ହଠାତ ଦିନେ ରାତିରେ ଭାରତ ସରକାର ପାଞ୍ଚଶହ ଟଙ୍କିଆ ଓ ହଜାର ଟଙ୍କିଆ ନୋଟ କୁ ରଦ୍ଧ କରିଦେଲେ l ଦୁଃଖୀଙ୍କ ମୁଣ୍ଡରେ ଚଡକ ପଡିଲା l ସେ କୌଣସି ପ୍ରକାରେ ଗଚ୍ଛିତ ରଖିଥିବା ପଞ୍ଚଶ ହଜାରେ ଟଙ୍କିଆ ନୋଟ ସବୁକୁ ନେଇ ବ୍ୟାଙ୍କରେ ବଦଳ କରି ଆଣିଲେ l

ଲଳିତ ଦିନେ ହାତରେ ମୁଠାଏ ପାଞ୍ଚଶହ ଟଙ୍କିଆ ନୋଟ ଧରି ଦୁଃଖୀଙ୍କ ପାଖକୁ ଆସିଲା l "ଭାଈ ! ଏତକ ଟଙ୍କା ମୁଁ ସଞ୍ଚୟ କରିଥିଲି l ସବୁ ପଞ୍ଚଶ ଟଙ୍କିଆ l ଏବେ ଏ ଅଚଳ ଗୁଡାକୁ କଣ କରିବି? ତୁମେ ତ ବ୍ୟାଙ୍କ କୁ ଯାଉଛ ମୋତେ ଵି ବଦଳେଇକରି ଆଣିଦିଅ l"

ଦୁଃଖୀ କଣ ଗୋଟେ ହିସାବ ଲେଖୁ ଲେଖୁ କହିଲେ, "ହଉ ହଉ ସେଇଠି ରଖ l କେତେ ଅଛି? "

--ଆଠ ହାଜର ଅଛି l

ଲଳିତ ଏତକ କହି ସେଠାରୁ ଚାଲିଗଲା l

ଦୁଃଖୀ କାମସାରି ଟଙ୍କା ଗୁଡାକ ହାତରେ ଧରି ଗଣି ପକାଉଥିଲେ l କଣ ହେଲା କେଜାଣି ଡାକ ପକେଇଲେ, " ଲତା ଲତା ! ଦେଖିବ ଆସିଲ l ଆରେ ଜଲଦି ଆସ "l

--କାହିଁକି ଏଡ଼େ ପାଟିରେ ରଡ଼ିଟାଏ ଛାଡ଼ୁଛ ଯେ?

--ହେଇ ଦେଖ l

--କଣ ଏଇଟା?

--ମୁଁ ନିଜେ ଏ ଟଙ୍କାରେ ନମ୍ବର ପକେଇଥିଲି l ଦେଖ ମୋରି ଅକ୍ଷରରେ ଲେଖା ଅଛି ଅଣତିରିଶ l

--କଣ ହେଲା ସେଇଠୁ?

--ଏଇଟା ମୋର ଚୋରୀ ହେଇଥିବା ସେଇ ଟଙ୍କା l

--ହାଁ.. କୋଉଠୁ ପାଇଲ ଵା?

--ଲଳିତ ଦେଇଯାଇଛି ବଦଳ କରିବା ପାଇଁ l

--ଆଏଁ l କଣ ଯେ ତୁମେ କୁହ ! ମୋ ଭାଈ ଚୋର ନାଁ କଣ? ସେ ଟଙ୍କା କେତେ ହାତ ହେଇ ତା ପାଖକୁ ଆସିଥିବ l ତା ଛଡା କଣ ସେଇ ଯେଉଁ ମାଙ୍କଡ଼ ପରି ଟଙ୍କାରେ ଗାରେଇବା କାମଟା ଏକା ତୁମେ କର ନାଁ କଣ? ତୁମ ଛଡା ବହୁତ ମାଙ୍କଡ଼ ଅଛନ୍ତି l

--କିନ୍ତୁ ଲତା ସବୁ ଗୁଡାକ ଟଙ୍କାରେ ନମ୍ବର ଲେଖାଯାଇଛି l ମୁଁ ଯେମିତି ଲେଖେ l

--ହେ ଛାଡ ମ ସେ ବେକାର କଥା l ଭୁଲରେ ଲଳିତକୁ ଜେରା କରିବନି କହିଦେଉଛି l ଚୋରୀ କରିବା ଆମ ରକ୍ତରେ ନାହିଁ l ସେ ଟଙ୍କା ସେ କୋଉଠୁ ବଦଳେଇ କରି ଆଣିଥିବ l ଫାଲତୁ ସନ୍ଦେହ ସବୁ ତୁମର l ତୁମ ଟଙ୍କା ସେ ଚୁଗୁଲା ବୋଉ ଖାଇଲା l ମୁଁ ଵି ସେ କାନଫୁଲ ହଳକ ଆଉ ତାକୁ ଫେରେଇବିନି l

ଲତା ଚାଲିଯାଉଥିଲେ, ଦୁଃଖୀ ଦେଖିଲେ ଲତାଙ୍କ କାନରେ ଚୁଗୁଲା ବୋଉ ର ବଡ ବଡ କାନଫୁଲ ହଳକ ଚିକ ମିକ କରି ଝୁଲୁଛି l

ଶୀତ ଦିନ ସକାଳ l ଦୁଃଖୀ ଦୋକାନ ଖୋଲି ବସିଛନ୍ତି, ଚୁଗୁଲା ଟ୍ରଲି ଟେ ଟାଣି ଟାଣି ଗଲା l ଦେହରେ ଛିଡା ଚଦରଟେ, ପାଦରେ ଚପଲ ହଳେ ନାହିଁ l କାଠ ବୋଝେଇ ଟ୍ରଲି ଟାକୁ ନିଜର ସବୁ ଶକ୍ତି ଖଟେଇ ଚୁଗୁଲା ଘୋଷାରି ଘୋଷାରି ଆଗକୁ ନେଇଯାଉଛି l

**********ଲୋପାମୁଦ୍ରା ମିଶ୍ର ************

ମାଙ୍କଡ଼ ଚୁଗୁଲା ଗ୍ରାହକ

Rate the content


Originality
Flow
Language
Cover design

Comments

Post

Some text some message..