Quotes New

Audio

Forum

Read

Contests

Language


Write

Sign in
Wohoo!,
Dear user,
ଦୁଇଟି ପାର୍ଶ୍ଵ
ଦୁଇଟି ପାର୍ଶ୍ଵ
★★★★★

© Shibashis Padhee

6 Minutes   314    38


Content Ranking

“ ଲିସା ଉଠିଯା ଏତେବେଳୁ ସକାଳ ହେଲାଣି ” - ଶାଶୁଙ୍କ କର୍କଶ ସ୍ୱର କାନ ରେ ପଡୁ ପଡୁ ଲିସା ଭିଡିମୋଡି ହୋଇ ଝରକା ପଟେ ଦେଖିଲା ଆକାଶରୁ ଲାଳିମା ହଟିନି। ସୂର୍ଯ୍ୟ ବାହାରିବାକୁ ଆହୁରି ସମୟ ଅଛି ।କେଜାଣି ଶାଶୁଙ୍କୁ କେଉଁପଟୁ ସୂର୍ଯ୍ୟ ଦେଖାଦେଲେ । ବିରକ୍ତି ଲାଗିଲା ତାକୁ ।

ସେଦିନ କେମିତି ନିଦ ଭାଙ୍ଗି ଯାଇଥିଲା ।ନିଜ ପାଇଁ ଚା ତିଆରି କରୁଥିଲା ସେ ।ତା ଯିବା ଆସିବା ଶବ୍ଦ ପାଇ ଶାଶୁ କହିଥିଲେ- “ଏତେ ଜଲଦି କାହିଁ ଉଠିଗଲୁ ଲିସା, ବଡ଼ ପରିବାର ଥିଲେ ଅଲଗା କଥା ଆମ ଘରେ କି କାମ ଏତେ ସକାଳୁ ।”

ଭାରି ରାଗ ମାଡ଼େ ତାକୁ ଜଲଦି ଉଠିଲେ ବି ମୁସ୍କିଲ ଡେରି କଲେ ବି ମୁସ୍କିଲ ଖାଲି କହିବାର ଗୋଟିଏ ବାହାନା ଦରକାର ତାଙ୍କୁ । ଏଇତ ତାର ଆସିବା ଦୁଇ ମାସ ମାତ୍ର ହୋଇଛି କିନ୍ତୁ ଲାଗୁଛି ଯେମିତି ଦୁଇ ଯୁଗ ହେଲାଣି । ଦୀପକ ଆସୁ ଆସୁ ଆହୁରି ଚାରି ମାସ ।କେମିତି କଟିବ ଚିନ୍ତା କଲେ କେମିତି କେମିତି ଲାଗେ ।

ଆରମ୍ଭରୁ ଯୁଗ୍ମ ପରିବାର ପ୍ରତି ଗୋଟିଏ ଯେମିତି ଅରୁଚି ଥିଲା ତାର । ବାପା ମା ବି ସେଥିପାଇଁ ବହୁତ ଖୋଜା ଖୋଜି କରି ମନଲାଖି ଘର ପାଇଥିଲେ ।

ବାପା ମା’ ଗୋଟିଏ ଭଉଣୀ ସିମିକୁ ନେଇ ଦୀପକର ପରିବାର । ଦୀପକ ଅନ୍ୟ ସହର ରେ ଗୋଟିଏ କଲେଜର ଅଧ୍ୟାପକ ।ସୋମ୍ୟ ତଥା ସୁଦର୍ଶନ ଦୀପକଙ୍କୁ ସମସ୍ତେ ପ୍ରଥମ ଥରରେ ହିଁ ପସନ୍ଦ କରି ନେଇଥିଲେ । ବାହାଘର ପରେ ଆଠ ଦଶ ଦିନ ରହିଥିଲା ଲିସା । ସେତିକି ଦିନରେ ସେ ସମସ୍ତଙ୍କ ସ୍ଵଭାଵ ବିଷୟରେ କିଛି କିଛି ଜାଣି ଯାଇଥିଲା ।

ଶଶୁର ଗମ୍ଭୀର ତଥା ଅନ୍ତର୍ମୁଖୀ ବ୍ୟକ୍ତି ଥିଲେ ।କମ କଥା କୁହନ୍ତି କିନ୍ତୁ ତାଙ୍କଠୁ ବିପରୀତ ଶାଶୁ ସବୁବେଳେ ଅନର୍ଗଳ କଥା କହୁଥିଲେ । ନଣଦ ସିମି ଭାରି ହସକୁରି ତଥା ଖୋଲା ସ୍ଵଭାଵର ସୁନ୍ଦର ଝିଅଟିଏ ।ତା ସହ ତାର ସମବୟସ୍କ ବି ।

ଶାଶୁ ସବୁବେଳେ କିଛି ନା କିଛି କହିବା ପାଇଁ ବାହାନା ଖୋଜୁଥାନ୍ତି କିନ୍ତୁ ତାଙ୍କ କଥାକୁ କେହି ଗମ୍ଭୀରତାର ସହ ନେଉ ନଥିଲେ ।ଦଶ ଦିନ ପରେ ଦୀପକ ସହ ଅନ୍ୟ ସହରକୁ ଆସି ଯାଇଥିଲା ଲିସା ।

ଦୀପକର କଲେଜ ପାଖରେ ଏକ ଛୋଟ ତଥା ସୁନ୍ଦର ଘରେ ରହୁଥିଲେ ସେମାନେ ।ଅଳ୍ପ ଦିନରେ ନିଜ ଛୋଟ ସଂସାରକୁ ସୁନ୍ଦର ଭାବେ ସଜାଇ ଦେଇଥିଲା ଲିସା ¡ସେ ଦିନ ଭାରି ଖୁସି ରେ କଲେଜରୁ ଘରକୁ ଆସିଥିଲେ ଦୀପକ । ଲିସାକୁ କୁଣ୍ଡେଇ ପକେଇ କପୋଳରେ ଏକ ଗାଢ଼ ଚୁମ୍ବନ ଦେଇ କହିଥିଲେ

“ତୁମ ପାଦ ଆମ ଘର ପାଇଁ ବହୁତ ଶୁଭ ଆଣିଛି ଲିସା ଯେଉଁ ଫେଲୋସିପ ପାଇଁ ମୁଁ ଅନେକ ଦିନରୁ ଚେଷ୍ଟା କରୁଥିଲି ଏତେ ଦିନ ପରେ ମିଳିଯାଇଛି । ଛଅ ମାସ ପାଇଁ ଜର୍ମାନୀ ଯିବାକୁ ପଡିବ ମୋତେ । ତୁମେ ବି ମା’ ବାପା ସାଙ୍ଗରେ ଘରେ ରହିଯିବ ଛଅ ମାସ ତାଙ୍କର ବି ବୋହୁ ସହ ରହିବାର ଇଛା ପୁରା ହୋଇ ଯିବ ।“

ଯେମିତି ଆକାଶରୁ ଖସି ପଡୁଥିଲା ଲିସା ବହୁତ ଜିଦି କଲା ତାକୁ ବି ସାଙ୍ଗରେ ନେବା ପାଇଁ କିନ୍ତୁ ଦୀପକ କହିଥିଲେ- “ଆରେ ମୁଁ ହଷ୍ଟେଲ ରେ ରହିବି ତୁମେ ସେଠି ରହି ପାରିବନି ଛଅ ମାସର କଥା ତ ମୁଁ ଏଇ ଯିବି ଏଇ ଆସିବି ଜଣା ଯିବନି ଆଉ ମା’ର କଥା ଯଦି ଚିନ୍ତା କରୁଛ ସେ ଯାହା କହିଲେ ବି ଉତ୍ତର ଦେବନି ଖାଲି ହଁ ହା କହୁଥିବ ସେ ସିନା ସେମିତି ଜଣା ପଡ଼େ ଉପରେ ଧୀରେ ଧୀରେ ଜାଣିବ ସେ ଭିତରୁ ଭାରି ଭଲ ।“

ଶୀଘ୍ର ଶୀଘ୍ର କାଗଜ ପତ୍ର ଯୋଗାଡ଼ ଯନ୍ତ୍ର କରି ପ୍ୟାକିଂ ମାର୍କେଟିଙ୍ଗ ଇତ୍ୟାଦିରେ ମାସେ ଗଡ଼ିଗଲା ।ଦୀପକ ଲିସାକୁ ଘରେ ଛାଡି ଜର୍ମାନୀ ଚାଲିଗଲେ ।

କାନ୍ଥ ଘଣ୍ଟାରେ ଛଅଟି ଘଣ୍ଟି ବାଜିଲା ଭାବନା ରାଜ୍ୟରୁ ଫେରି ବାଥରୁମକୁ ପଶିଲା ଲିସା ।ଶୀଘ୍ର ନ ଗଲେ ପୁଣି ଶାଶୁଙ୍କୁ ଗୋଟିଏ ସୁଯୋଗ ମିଳିଯିବ ।ଅଧ ଘଣ୍ଟା ପରେ ରୋଷେଇକୁ ଯାଇ ଅଟା ଚଟକୀ ବାରେ ଲାଗିଥିଲା ଲିସା । ସିମି ଆସି କହିଲା

“ଭାଉଜ ଶୀଘ୍ର ଶୀଘ୍ର ମୋତେ ଜଳଖିଆ ଦିଅ ମୋର ଆଜି ପ୍ରଥମ ପିରିୟଡ଼ରେ ଯେମିତି ହେଲେ ପହଞ୍ଚିବାର ଅଛି ।”

ସିମି ଓ ଶଶୁର ଠିକ ଆଠଟା ରେ ସବୁଦିନ ଯାଆନ୍ତି ଘଡି ଦେଖିଲା ଲିସା ସାତଟା ହେଇଛି । ସେପଟୁ ଶାଶୁଙ୍କ ସ୍ୱର ଶୁଭିଲା- “ସେଥିପାଇଁ ତ ମୁଁ କହେ ଲିସା ଜଲଦି ଉଠିବା ଅଭ୍ୟାସ କର । ମୁଁ ତ ଆଣ୍ଠୁ ପାଇଁ ଉଠି ପାରୁନି । ଆମ ସମୟରେ ଆମେ ଶାଶୁଙ୍କ ଉଠିବା ଆଗରୁ ଉଠି ସବୁକାମ କରି ଦେଉଥିଲୁ ଦିନେ ବି କଥା ଶୁଣିନୁ ।”

“ହଁ ସକାଳୁ ସକାଳୁ ଭାଷଣ ଆରମ୍ଭ ଏଵେ ତ ସାତଟା ହୋଇଛି ସିମି ତ ଆଉ ଘଣ୍ଟେ ପରେ ଯିବ ଯେତେବେଳେ ଦେଖିଲେ ଖାଲି ବକର ବକର ହେଉଛ “ସେ ପଟୁ କହୁଥିଲେ ଶଶୁର ।

“ଆରେ ମୁଁ କଣ ଖରାପ କହୁଛି କି ମୁଣ୍ଡରେ ଚଢାଅ ସିମିକୁ ତ ଆଗରୁ ଚଢେଇଛ ଏଵେ ଲିସାକୁ ବି ଚଢାଅ ।“

ଆଉ କେହି ଉତ୍ତର ଦେଉ ନ ଥିଲେ ରୋଷେଇ ଘରେ ଥାଇ ହସୁଥିଲା ଲିସା । ଶାଶୁ କାହାକୁ ଛାଡ଼ନ୍ତିନି ସିମି କଲେଜରୁ ଫେରିବା ଯଦି ଡେରି କଲେ ସେ ବି ଶୁଣେ ।

ସେ ଦିନ ପଡୋଶୀ ଘରର ଲତା ମାଉସୀ ବୁଲି ବାକୁ ଆସିଥିଲେ ।ଶାଶୁଙ୍କ ଭାରି ପ୍ରିୟ ସେ ।ବାହାର କୋଠରୀରେ ଶାଶୁ ସହିତ ବସି ଖୁସି ଗପ କରୁଥିଲେ ସେମାନେ ।ଲିସା ତାଙ୍କ ପାଇଁ ସରବତ କରୁଥିଲା ।ସରବତକୁ ଗ୍ଲାସରେ ଢ଼ାଳିବା ବେଳେ ହାତ ବାଜି ଗୋଟିଏ ଗ୍ଲାସ ଭାଙ୍ଗିଗଲା । କାଚ ଭାଙ୍ଗିବା ଶବ୍ଦ ଶୁଣି ପାଟି କରି ଉଠିଲେ ଶାଶୁ

“ଆରେ ଦେଖିକି ଲିସା ଆଜିକାଲି ଦରଦାମ ଯାହା ହେଲାଣି କେତେ କିଣୁଥିବ ମଣିଷ ଏଠିକାର ଜିନିଷ ପତ୍ରକୁ ବି ନିଜର ଭାବ ।“

ଅପମାନରେ ଜର୍ଜରିତ ହୋଇଗଲା ଲିସା ।ଯାହା ତ ଆଗରୁ କହୁଥିଲେ ଘରେ ।ଏଵେ ବାହାର ଲୋକଙ୍କ ସାମ୍ନାରେ ବି ଏ ପ୍ରକାର କଥା । ଆଉ ସହି ହେବନି । ସହିବାର ବି ଗୋଟିଏ ସୀମା ଅଛି । କେତେବେଳେ ଲୁଣ ଟିକିଏ ପାଇଁ ତ କେତେବେଳେ ଚା ପାଇଁ ପୁଣି କେତେବେଳେ ତରକାରୀ ପାଇଁ । ସବୁବେଳେ ଯାହାହେଲେ ବାହାନା ଖୋଜି ଶାଶୁ ଯେଉଁ ହାଡ଼ଭେଦୀ କଥା ସବୁ କହୁଛନ୍ତି ସେ ଆଉ ସହି ପାରିବନି ।

ରାତିରେ ଖଟରେ ଶୋଇ ଶୋଇ ଚିନ୍ତା କରୁଥିଲା ସେ ।ସକାଳୁ ଦୀପକଙ୍କୁ ଫୋନ କରି ଭାଇକୁ ଡକାଇ ମା ପାଖକୁ ଚାଲିଯିବ ।ଦୀପକ ଫେରିବା ପର୍ଯନ୍ତ ସେଇଠି ରହିବ ସେ ।ଆଉ ଏ ନିଷ୍ପତି ବଦଳେଇବ ନି ଦୀପକ ଯାହା ବୁଝେଇଲେ ବି ।ଟିକିଏ ହାଲୁକା ଲାଗୁଥିଲା ।

“ଲିସା ଉଠିଯା ସକାଳ ହେଲାଣି “ଡାକ ରେ ସକାଳ ହୋଇଥିଲା ଲିସା ର ।ଘଡି କୁ ଦେଖିଲା ସକାଳ ସାଢେ ପାଞ୍ଚ ଟା ।ଉଠିବାକୁ ଚେଷ୍ଟା କଲା ସେ କିନ୍ତୁ ଉଠି ପାରିଲାନି ମୁଣ୍ଡ ଟା ବୁଲାଇ ଦେଉଥାଏ ।ଭାରି ଦୁର୍ବଳ ଲାଗୁଥାଏ ।ମୁଣ୍ଡ କୁ ଧରି ବସି ପଡିଲା ସେ ।ଶାଶୁ ସେପଟୁ ପୁଣି ଡ଼ାକୁଥାନ୍ତି ।

“ମା ଉଠୁଛି ଟିକିଏ ଭଲ ଲାଗୁନି “ବଡ଼ କଷ୍ଟରେ ଉତ୍ତର ଦେଲା ସେ ।

ସାଙ୍ଗେ ସାଙ୍ଗେ ତା ରୁମକୁ ଚାଲି ଆସିଲେ ଶାଶୁ ମୁଣ୍ଡକୁ ଛୁଇଁ ଦେଖିଲେ ଓ କହିଲେ

“ବାପାରେ ଏତେ ତତୁଛି, ତୋ ମୁଣ୍ଡ ତ ତ ଛୁଇଁ ହେଉନି କେବେଠୁ ଏମିତି ଲାଗୁଛି ମୋତେ ତ କହିନୁ ।”

ଶଶୁରଙ୍କୁ ପାଟି କଲେ ସେ - “ହେଇଟି ଶୁଣୁଛ ଉଠିକି ଗାଡି କାଢ଼ । ଲିସାକୁ ହସ୍ପିଟାଲ ନେବା ।”

ଘଣ୍ଟେ ଭିତରେ ସବୁ ପ୍ରକାର ପରୀକ୍ଷା କରି ଡାକ୍ତର କହିଲେ- “ଟିକିଏ ମୁଣ୍ଡରେ ଓଦା କନା ଦେବେ ଜର କମିବା ଔଷଧ ଦେଇ ଦେଇଛି ଆଉ ଏ ଅବସ୍ଥାରେ ତ ଅନ୍ୟ ଔଷଧ ଦେଇ ହେବନି । ଧୀରେ ଧୀରେ ଜର କମିଯିବ ।“

ଏ ଅବସ୍ଥା ମାନେ କଣ?? ଶାଶୁ ପଚାରୁଥିଲେ ।

“ଆରେ ଆପଣ ମାନେ ଜାଣି ନାହାନ୍ତି କି ଲିସା ଏଵେ ଦୁଇ ମାସ ର ଗର୍ଭବତୀ “ଖୁସି ହୋଇ କହୁଥିଲେ ଡାକ୍ତର ।

ଘରକୁ ଆସି ସିମିକୁ ରୋଷେଇ ସମ୍ଭାଳିବା ନିର୍ଦେଶ ଦେଲେ ଶାଶୁ ।ଲିସା ଖଟରେ ଶୋଇଥିଲା ।ମୁଣ୍ଡକୁ ଅଳ୍ପ ଅଳ୍ପ ଚିପି ଦେଉଥିଲେ ସେ ।ଭାରି ଆରାମ ଲାଗିଥିଲା ।ଦୁଃଖିତ ହୋଇ କହୁଥିଲେ ଶାଶୁ - “ଶାଶୁ କଣ ମା ନୁହେଁ କି ଲିସା ମୋତେ ଆଗରୁ ସିନା ଜଣାଇ ଥାନ୍ତୁ । ମୁଁ ଯେ ତତେ ସବୁ କାମ କରାଉଛି କେବେ ବି ପଚାରି ନାହିଁ କଣ ଖାଇବାକୁ ଇଛା ଲାଗୁଥିବ ତତେ ।”

“ହେଉ ଏଵେ ପଚାରି ଦେବ, ବହୁତ ସମୟ ଅଛି “ପାଖରେ ଥାଇ ସବୁଶୁଣୁଥିବା ଶଶୁର କହିଲେ ।

ଲିସାକୁ ଚାରି ପାଞ୍ଚ ଦିନର ଜ୍ୱର ଭିତରେ ତାର ଭାରି ଯତ୍ନ ନେଉଥିଲେ ସେ ।ପ୍ରତି ଦୁଇ ତିନି ଘଣ୍ଟା ରେ ଅଦା ତୁଳସୀ ଚା’ ଦେବା ସହ ନିଜେ ରାତିରେ ତା ସହ ହିଁ ଶୋଉ ଥିଲେ ।ତାକୁ ଖଟରୁ ଓଲ୍ଲାଇବାକୁ ଦେଇ ନ ଥିଲେ ସେ । ଏଵେ ତାଙ୍କର ସାରା ଆକ୍ରୋଶର ସାମ୍ନା କରୁଥିଲା ସିମି । ବିରକ୍ତ ହୋଇ କହୁଥିଲା

“ମା ତୁମେ ଏମିତି ସବୁ କଥା ରେ କହିଲେ ମୁଁ ରାନ୍ଧି ପାରିବିନି ।“

ଆଜି ଶାଶୁଙ୍କ ଅପର ପାର୍ଶ୍ଵ କୁ ଚିନ୍ତା କରୁଥିଲା ଲିସା ।ତା ପ୍ରତି ଶାଶୁଙ୍କ ଏତେ ସ୍ନେହ ଶ୍ରଦ୍ଧା ଓ ଯତ୍ନ ଦେଖି ବିସ୍ମିତ ହେଉଥିଲା ଲିସା ।ଆଜିଯାଏ ସେ ଏଇ ଗୁଣକୁ ନ ଦେଖି ତାଙ୍କ କଥା ପାଇଁ ଖାଲି ରାଗୁଥିଲା ସେ ।ଜର ଛାଡି ଯାଇଥିଲା କିନ୍ତୁ ତାକୁ କୌଣସି କାମ କରିବାକୁ ଦେଉ ନ ଥିଲେ ସେ ।କାଳେ ଜର ଲେଉଟିଯିବ ବୋଲି ।

ଲତା ମାଉସୀ ତାକୁ ଦେଖିବାକୁ ଆସିଥିଲେ ତା ସହ କଥା ହୋଇ ଆରଘରେ ଶାଶୁଙ୍କ ସହ କଥା ହେଉଥିଲେ ସେ ।ଲିସା ଶୁଣି ପାରୁଥିଲା ସେ କହୁଥିଲେ

“ଆଜିକାଲି ଝିଅ ମାନେ ସୁକୁମାରିଆ ହେଇ ଗଲେଣି ଆମ ବେଳେ ଆମେ ଏଇ ଅବସ୍ଥାରେ କେତେ କାମ କରୁଥିଲୁ ।କେବେ ତ ଜର ଟିକିଏ ବି ହେଉ ନଥିଲା ।”

ପୁଣି ଟିକିଏ ଧୀର ସ୍ୱର ରେ କହିଲେ - “ସତ ଜର ହୋଇଛି କି ଏମିତି ବାହାନା କରି ସୋଇଛି ଆଜିକାଲି ବୋହୁ ମାନେ ଏମିତିକା ।“

ଶୁଣି କି ରାଗି ଗଲେ ଶାଶୁ ଲିସା ଶୁଣୁଥିଲା ସେ କହିଲେ- “ ହେଲା ହେଲା ବହୁତ କହିଲୁ ତୁ । ତତେ ସବୁ ବାହାନା ଲାଗେ । ତୁ ତ କେବେ ତୋ ବୋହୁ ମାନଙ୍କ ଦୁଃଖ କଷ୍ଟ କୁ ବୁଝିଲୁ ନାହିଁ ।ସେମାନେ ବି ହାଡ଼ମାନ୍ସ ରେ ତିଆରି । ମୁଁ ତ ସିମି ଆଉ ଲିସା ଭିତରେ ଫରକ ଦେଖେନି କେବେ । ତୁ ବି ସେମିତି କଲେ ତୋ ଘରର ସବୁ ଅଶାନ୍ତି ଦୂର ହୋଇ ଯିବ ।

“କାହିଁକି ରାଗୁଛ ନାନୀ କଣ ଟିକିଏ କହିଦେଲି ଯେ କେତେ କଥା କହୁଛ “ମାଉସୀ ଟିକିଏ ଖୋସାମତ କରି କହିଲେ

“ନା ନା ଆଜି କହିଦେଲୁ ଆଉ ଦିନେ କହିବୁନି “ଶାଶୁଙ୍କ ଆକ୍ରୋଶ କମି ନ ଥିଲା ଏବେଯାଏଁ ।

ଭାରି ଭଲ ଲାଗୁଥିଲା ଲିସାକୁ ।ଶାଶୁଙ୍କ ବ୍ୟକ୍ତିତ୍ୱର କରୁଣାମୟୀ ଓ ମମତାମୟୀ ପାର୍ଶ୍ଵକୁ ଅନୁଭବ କରୁଥିଲା ସେ ।ମା’ ଘର ଯିବାର ବିଚାରକୁ କେତେବେଳୁ ମନରୁ ଉପାଡି ଫିଙ୍ଗି ସାରିଥିଲା ସେ ।

ଶିବାଶିଷ ପାଢ଼ୀ

ପାର୍ଶ୍ଵ ଲିସା ଝରକା

Rate the content


Originality
Flow
Language
Cover design

Comments

Post

Some text some message..