pratap nayak

Others


2  

pratap nayak

Others


ଝରା ଫୁଲର ମହକ

ଝରା ଫୁଲର ମହକ

5 mins 7.6K 5 mins 7.6K

ତୁମେ ଦେଇଥିବା ସ୍ନେହ ଟିକକ ସରୁ କପଡାରେ ପାଦରୁ ମୁଣ୍ଡ ଯାଏ ଗୁଡେଇ ରଖିଛି ସିକାରେ ଥିବା ମାଟି ଆଟିକାରେ ଘୋଡେଇଛି ବି ସରା ତା ଉପରେ । ଲେଖିଦେଇଥିଲି ମଲାଟରେ,ତା ଉପରେ ଅଙ୍କାବଙ୍କା ଅକ୍ଷରରେ ମୋ ନାଁ ଏକ ଗୋଲ ଭିତରେ....... ।

ବିଲେଇ କାଳେ ସିକା ଛିଡେଇବ । ଆଟିକା ,ସରା ଚୁନା ହବ ତଳେ ପଡି,ଜତନ କରି ଓରାରେ ସିକାକୁ ଓପରେଇକି ବାନ୍ଧିଛି । ପଚାରିଲେ କହୁଛି ବରଷ ବର୍ଷରୁ ଘରଚଟିଆ ପାଇଁ ଅମୁଆଁ ଆଟିକା ରଖାହେଇଛି,କାହାର ଜୁ ନାହିଁ ହାତମାରି ଦେଖିବ,ମୋର ତ ନାହିଁ ତୁମର ଆସିବ କେମିତି ?

ଅସମାହିତ ମାନସାଙ୍କ ସେମିତି ଥାଉ ହାତପାହାନ୍ତାରୁ ଟିକିଏ ଉପରେ । ଜଡେଇ ରଖିଥାଉ ସ୍ନେହ ଟିକକ ତା ଅନ୍ଧାରି ମୂଲକ ପେଟ ଭିତରେ........ ।

ଛୁଆ ବଡ ହେଲେଣି ,ତୁମର ବି । ମୋ ପିଲା ମୁହଁରେ ତୁମ ମୁହଁ ତ ଜଳଜଳ ଦିଶେ ତୁମ ପିଲାରେ ବି ମୋ ମୁହଁ । ଏମିତି କାହିଁକି ହୁଏ ଭାବନାରେ .....??

ବଡପୁଅ ମୋର ରୋଜଗାର କଲାଣି । କହୁଛି ମାଟିଘର ଭାଙ୍ଗୀ କୋଠା ତୋଳିବ,ତୋଳୁ କୋଠା, ସେମାନଙ୍କ ସମୟ ସେମାନେ ରହିବେ ମୁଁ ମନା କରିବାକୁ କିଏ ?

ଭାରିଜା ମୋର ,ଭଲପାଏ ମୋତେ କେତେରୁ କେତେ । ମୋ ପଛରେ ଛାଇ ପରି ଲାଗିଥାଏ ,କୋଉଠି ଯେମିତି ଉଣା ହବନି କାଣିଚାଏ ମୋ ବର୍ତ୍ତମାନ ସମୟ ଅବହେଳାରେ ଆମ ଘରେ କି ତାଙ୍କ ଘରେ...... ।

ତାର ସେହି ଗୋଟିଏ କଥାରେ ମନଉଣା । କଣ ଅଛି ସିକାରେ ସେହି ଆଟିକା ଭିତରେ ସରା ଘୋଡାହେଇ । ମନ ଉଣା କରେ ବେଳେ ବେଳେ ଅଭିମାନ କରେ କଜିଆ ବି କରେ ତା ପାଇଁ । ମୁଁ ତ ତରଳେନା । ପାଖରେ ଶୋଇ ସାକୁଲେଇ ହୁଏ,ମୋ ମନ ବଦଳେଇବାକୁ ତା କଥାରେ ଆପ୍ରାଣ ଚେଷ୍ଠା କରେ । କହେ ପୁଣି ସେ ଯାଣିଛି ନିଶ୍ଚୟ ବିଫଳ ହେବ ସେଥିରେ । ତା'ପରେ ସେ ଶେଷରେ ବହୁତ ଖୁସି ହୁଏ । ମୋ ନବଦଳିବା ତାର ବି ଏକ ଗର୍ବ । ମୋ ପୌରୁଷତା ହାରମାନେନା ବୋଲି କୁଣ୍ଢେମୋଟ ମନ ତାର । ଗର୍ବିତ ସେ ମୋ ପରି ଗେରସ୍ତ ପାଇ ।

ଜୀବନର ପ୍ରୌଢତାରେ ଭଂଗାହେଲା ଚାଳଘର । ମୁଁ କିନ୍ତୁ ଅନୁମତି ଦେଲି ସେ ସିକାକୁ କେହି ଓରାରୁ ଆଣିବେନି । ଯଦି ଆଣିବ ଯଣେ ....ମୋ ଭାରିଜା.... ।

ଉତ୍ତର ବୟସରେ ଆଉ କଣ ସେ ସରାଗ ଅଛି ଯାହା କଂଚା ବୟସରେ ଗୁମୁରୋଉ ଥାଏ ମନରେ ହୃଦରେ ପ୍ରାଣରେ ଆତ୍ମାରେ..... ।

ମନାକରୁଥିଲା ମାନ ବି ମାରିଲା ନ ଆଣିବା ପାଇଁ ସିଏ ଯିଦ୍ ବି କଲା ,ସବୁଥର ପରି ତାକୁ ହାରିବାକୁ ପଡିଲା ମୋ ପୌରୁଷତ୍ୱ ଆଗରେ ।

ସିଡି ଲଗେଇଲା ସାନପୁଅ । ଛଅ ଫଳିଆ ସିଡିରେ ଚଢି ଆଣ୍ଠିଏ ବହଳ ଧୁଳି ମିଶା ଓରାରୁ ସିକା ଖୋଲିଲା ସିଏ । ଅାଗ୍ରହ .....କଳା ନେଞ୍ଜରା ବୂଢୀଆଣି ଜାଲ ,ଘୋଡଣୀ ସରା ଉପରେ ସିକାର ତିନିଟା ରଶିକି ଏକ ଛିଟିକିଣି ଚାପି ରଖିଛି । ସରୁ ଆଂଗୁଳି କଳା ହେଲା ,ସଫାହେଲା ବୁଡିଆଣି ଜାଲ ,ଛିଟିକିଣି ଉଠିଲା ଉପରକୁ ସରାଟେକା ହେଇ କଅଁଳ ଆଂଗୁଳି ବୁଲିଗଲା ମାଟିଆଟିକା ଭିତର ସାରା ।

କାହିଁ କିଛିତ ନାହିଁ । ଶୁନ୍ୟ .....ଶୁନ୍ୟ...... ମହାଶୁନ୍ୟ ବିରାଜୁଛି ଆଟିକା ଭିତରେ.... ହେଲେ ମୋ ସ୍ନେହ ମୋ ଅଂକା ବଂକା ନାଁ....... ।

ଅନେଇଲା ମୋ ମୁହଁକୁ ଲକ୍ଷ୍ୟକଲା ମୋ ଜକେଇଥିବା ଲୁହ ଦୁଇ ଆଖିରେ । ତାର ବି ସମଦଶା ମୋ ଆଖିରେ ଆଖି ମିଶେଇ ବହିଗଲା ଗଂଗାଯମୁନା ଦୁଇଧାର ତା ଗଣ୍ଡସ୍ଥଳ ଦେଇ.... ।

ଅବିଶ୍ୱାସର ଦରଜା ଖୋଲିଲା ବିଶ୍ୱାସକୁ ଜଉ ଘରେ ରଖି.....ସନ୍ତାପିହେଲା ମତେ ଅବିଶ୍ୱାସ କରିଥିବା ଲଜ୍ଜାକୁ ଦୁରେଇ ପାରୁନି ନିଜଠୁଁ ।

କାହିଁକି ପ୍ରହେଳିକାରେ ମୁଁ ରଖିଥିଲି ତା ଉତ୍ତର ତାର ଦରକାର ନଥିଲା ଆଉ...... । ପୁଅ ବୋହୁରେ ଘର ତାର.....

ଅସଜ ହଉଥିଲା ଘରେ ସେ ନିଜେ ନିଜେ । ମୋ ପାନରୁ ଚୁନ ଖସୁନଥିବା ସଂସାର ଆଉ ମୋର ହୋଇନଥିଲା । ମୁରବୀ ପଣିଆ ମାଟିରେ ମିଶିସାରିଥିଲା ମୋର । ସମୁଦି ସମୁଦିଆଣିର ଉର୍ଜାରେ ଝଲସୁଥିଲା ମୋ ଘର । ମୁଁ ତ ବୁଝାମଣା କରିସାରିଥିଲି ମୋ ନିଜ ଭିତରେ ସିଏ କିନ୍ତୁ ପାରୁନଥିଲା ନିଜକୁ ବୁଝେଇ । ସୀମା ଟପିଗଲା ଯୋଉଦିନ, ମୋ ଶୋଇବା ଘର କୋଣରେ ଆଇଜିଥିବା ସିକାମିଶା ଆଟିକା ସରା ଉପରେ ନଜର ପଡିଲା ବୋହୁର...... ।

ନାକଟେକା ମାଟିପାତ୍ର ମୁହଁ ମୋଡି ବୋହୁ ଫୋପାଡିବା ପ୍ରୟାସରେ .....ପୁଅ ବି ଧମକେଇଲା ମାଆକୁ । ପଡିଲା ରୋଗରେ ,ଉଠିଲାନି ଆଉ ସିଏ ଚାଲିବଲା ଦୁର ରାଇଜକୁ ..... ।

ଅଫେରା ସେ ବାଟ କେବଳ ଯାଇହୁଏ ସିନା ହେଲେ ଫେରିବାର କେହି .....କେବେତ ଦେଖିନାହାଁନ୍ତି ।

ପୁଅବୋହୁ କଥାହେଲେ ଆରଘରେ । ଶେଷ ଠିକଣା ଯଦି ଅନାଥାଶ୍ରମ ଯଦି ଜରାଶ୍ରମ ଯିଏ ଅଟକେଇବା ଲୋକ ସିଏ ତ ନାହିଁ ତେବେ ବୁଝାମଣାର ଆଉ ଏକ ଫର୍ଦ ଯୋଡିନେଲା ନିଜ ଭିତରେ....ସ୍ମୃତି ବିଜଡିତ କିଛିତ ନାହିଁ । ନଜର ପଡିଲା କୋଣରେ ସରା ଆଟିକା ଆଉ କଳା ମଚ୍ ମଚ୍ ସିକା ହସିଦେଲା .....ତାରୁଣ୍ୟ ମନର ଚିତ୍ତ ବିନୋଦୀୟା ଅଭୁଲା ମୁହୂର୍ତ୍ତ ସାଇତା ତା'ରି ଭିତରେ ......ପୁଣି ନିଇତି ଅଳି ଲଗେଇ ଥିବା ଭାରିଜା ତାର ଆବିଷ୍କାର କରିବାର ଥିଲା ମୋ ପୁରୁଣା ଦିନର ମହକ ଟାପରେଇବାର ଅବିଶ୍ୱାସ ଗଳିରେ ରଖିଥାନ୍ତା ମତେ ,ସିଏ ବି ଅହ୍ୟ ସୁଲକ୍ଷଣୀ ହେଇଗଲା ତା ପାଚିଲା ଜୀବନେ । ଏବେ ଖୋଜାଯାଉ ନିଆରା ଠିକଣା ..... । ବେକାରିଆ ସାନପୁଅର ଶକ୍ତି କାହିଁ ମାପିବ ଦୁନିଆଁ । ରଖିବ ବାପକୁ........ ।

ବୋହୁ ଧରିଥିଲା ସକାଳୁ ଅଦିନିଆଁ ଚା କପ୍ ପାଖେ ପାଖେ ପୁଅ । କାହିଁ ମନେପଡୁନିତ ସେ ଭାରିଜାକୁ ନେଇ କେବେ ସଂଭାଷଣ କରିଛି ନିଜ ବାପକୁ ଏମିତି । ବାର୍ଦ୍ଧକ୍ୟରେ ବାନପ୍ରସ୍ଥ । ପୁଅ ବୋହୁର ନୁଖୁରା ମୁହଁ ସୁଖିଲା ହସ ପ୍ରାୟୋଜିତ ଉପସ୍ଥାପନାକୁ ଅପେକ୍ଷା ନକରି ଘର ଛାଡିବା ସ୍ୱଇଚ୍ଛାରେ ଜଣାଇ ଦିଆଗଲା ସେମାନଙ୍କୁ....

କି ସୁନ୍ଦର ଅଭିନୟ ....କୁମ୍ଭୀର କାନ୍ଦଣା ପ୍ରତ୍ୟୟ ସୃଷ୍ଟି କରୁନଥିଲା ଭାବନା ରାଜ୍ୟରେ.....

ଗାଡିରେ ବସିଲା ସିକା ଆଟିକା ସରା ଆଉ ପାଷାଣ ହୃଦୟ ବାର୍ଦ୍ଧକ୍ୟ...... ।

ଜରାଶ୍ରମରେ ଗୋଟିଏ ରାତ୍ରୀର ବୟସ,ସକାଳକୁ ଚିକ୍ ଚିକ୍ ଖରା ଚାଳିଆ ତପସ୍ୟାରତ କୂଟୀର ହସକୁରା ଫୁଲ ଗଛ ଅଦୂରରେ ବଢିଲା ଝିଅ ପରି ଝଟକୁଥିବା ପରିବା ବଗିଚା କୁଅମୂଳ ତମ୍ବାପାତ୍ର ପାଣି ସତେକି ମରଣୋତ୍ତର ବୈକୁଣ୍ଠଭୂବନ ।

ପଦାକୁ ବୁଲି ଆସି ଶୁଂଘିବାର ଆଭିପ୍ସା ପୁଳାପୁଳା ମଳୟ ପବନ । ଜୀବନକୁ ଯୌବନ ସମ ଉପଭୋଗ କରାଯାଇ ପାରେ..... ।

ତୁଳସୀ ଚଉଁରା ପଛପଟେ କୁଣ୍ଡେ ପାଣିରେ ମାଜୁଥିବା ଠାକୁର ବାସନ ଧରିଥିବା ହାତରୁ ଚକ୍ ଚକ୍ କରୁଥିଲା ରୁପା ଖଡୁ ଅଧାଓଢଣାରେ .... ପହଁରିଗଲା ମନ ପବନେ ପବନେ ଆପେ ଆପେ ହଳଦିରଂଗ ସୋରିଷ କିଆରିରେ ମଳୟ ପହଁରିଲା ପରି.... ।

ଆଚମ୍ବିତ ହଉନିତ ସିଏ ଲୋଳିତ ଚର୍ମ ପତଳା ଶରୀର ପିତୁଳିଆ ତମ୍ବା ରଂଗ ଆଣ୍ଠେଇ ପଡିଥିବା ଅଣ୍ଟାପରି ପିଠି । ରୂପରେ ଅରୂପ ନା ଅରୂପରେ ରୂପ । ଜୀବନର ସାୟାହ୍ନରେ ନଇସେପାରିର କନକଗୋରିର ଅଦ୍ଭୁତ ମିଳନ । ମୁଁ ତ ଚିହ୍ନିଦେଲି ହେଲେ ଦୋ ଦୋ ଚିହ୍ନାରେ ଚିକ୍ ମିକ୍ ସକାଳ ପାଲଟିଲା ନିଛକ ପ୍ରେମୀ ଯୁଗଳଙ୍କ ସମୁଦ୍ର କୁଳିଆ ଝାଉଁବଣର ମହୁଆ ଲୀଳାକ୍ଷେତ୍ରର ସଂଗମ ସ୍ଥଳ । ହାତଧରି ଟାଣି ଟାଣି ନେଲି ,ସିଏ କିଛି ବୁଝିବା ପୂର୍ବରୁ । ଦେଖେଇଲି ତାର ସେହି ଶେଷ ସନ୍ତକ ଆଟିକା ସିକା ଆଉ ସରା ।

ବାର୍ଦ୍ଧକ୍ୟ ଚଖ୍ୟୁ ଯୁଗଳ ଝଲସି ଗଲା ତାର ଆଉଁସି ପକେଇଲା ତା ଆଟିକା ସିକା ଆଉ ସରା । ସେହି କଳାବୋଳା ହାତରେ ଆଉଁସିଗଲା ମୋ ମୁହଁ ଗାଲ ଓଠ ପିଠି । ମୋଡା ମୋଡା ଟାକୁଆ ଗାଲର ଦାଗ ଭିତରକୁ ପଶିଥିବା ଆଖି ଧଡରା ପିଠି ,ସେଥିରେ ତାର ଯାଏଆସେ କେତେ ? ମନଖୋଲି ଉଲ୍ଲସିତ ହେଲା ଯେମିତି ଜୀବନର ସବୁ ସୁଖ ମିଳିଥିଲା ତାରେ ।

ଉଣା କଲି ମନ କାହିଁ ଆଟିକା ଭିତର ଟୁଆଁଟୁଇଁକି ତ ଖୋଜୁନାହିଁ ସିଏ....ଚୋର ପରି ଧୀରେ ଧୀରେ ତା କାନକୁ କଷ୍ଠ ନହେଉ କହିଦେଲି ହଜେଇଛି ମାଟିର ପିତୁଳା ଯା ଦଣ୍ଡ ଦେ ମତେ ସବୁ ସହିନେବି.। ଓଠରେ ହାତ ଦେଇ ପାଟିଚୁପ୍ କଲା ମୋର । ଯେମିତି ପିଲାଦିନେ କରୁଥିଲା ମତେ ଚୁପ୍ । ମୁଁ କିନ୍ତୁ ତା ଚୁଟିକୁ ଧରିନି ଆଗେ ଧରୁ ଥିଲି ଯେମିତି ।

ହାତ ଧରି ଟାଣି ଟାଣି ନେଲା ମୋତେ ତା ରହିବା ଘରକୁ ଖୋଲିଲା ତୁରୁଂଗ ଅବାକ ହେଲି ସେହି ସରୁ ଲୁଗା ପଡିଛିତ କଳା ସେମିତି ଗୁଡା ହେଇଛି ସ୍ନେହ ପାଦରୁ ମୁଣ୍ଡ ଯାଏ ଅଙ୍କାବଙ୍କା ଅକ୍ଷରରେ ମୋ ନାଁ ଏକ ଗୋଲ ଭିତରେ ଝାପ୍ସା ଯଣା ପଡେ । ଖୋଲିବା ପାଳି ମୋର ......

ସେଇ ଟୁଆଁଟୁଇଁ ଭାଇଭଉଣୀ ବଦଳିଛନ୍ତି ଦେହରେ ରଂଗରେ ମନରେ ହୃଦରେ ଯେମିତି ମୁଁ ଆଉ ସିଏ...... ।

କହିଥିଲା ସିଏ ନିଶ୍ଚୟ କଟିବ ସମୟ ହେଇ ହାତ ଧରାଧରି......

ଝରକା ସେପଟେ ଖେଳୁଥିଲେ ଦୁଇଟି ଗୋଲାପ ଗୋଟିଏ ଡାଳରେ କଣ୍ଟା ଡେମ୍ଫ ଡାଳ ପତ୍ର..... ଅମାନିଆଁ ପବନ ସଜୋଉଥିଲା ଆଜି ସୁନ୍ଦରରୁ ଆହୁରି ସୁନ୍ଦର ଏକା ସଂଗେ ଝଡିବେ କାଲିକି..... ।

ତ୍ରତାପ ନାୟକ

୭୦୦୭୦୫୪୨୮୨


Rate this content
Originality
Flow
Language
Cover Design