ସନ୍ଦେଶ
ସନ୍ଦେଶ
ଲେଖିକା - ରୋଜା ପଣ୍ଡା
ପ୍ରତ୍ୟେକ ମନୁଷ୍ୟର କିଛି ନା କିଛି ଲୋଭ ଥାଏ । କାହାର ଖାଦ୍ୟ ପ୍ରତି ଲୋଭ, କାହାର ନୂଆ ନୂଆ ପୋଷାକ ପ୍ରତି ଲୋଭ , କାହାର ଟଙ୍କା ପଇସା ପ୍ରତି ଲୋଭ ତ ପୁଣି କାହାର ସୁନା ରୁପା ପ୍ରତି ଲୋଭ ।
ମୁଁ ବି ଗୋଟେ ମଣିଷ । ମୁଁ ବା ସେଥିରୁ ବାଦ ଯାଇଥାନ୍ତି କେମିତି ? ମୋର ମଧ୍ୟ ଲୋଭ ଅଛି ଗୋଟେ ଖାଇବା ଜିନିଷ ପ୍ରତି, ଜାହାର ନାମ "ସନ୍ଦେଶ" ।
ସନ୍ଦେଶ ହେଉଛି ଗାଈ କ୍ଷୀରରୁ ପ୍ରସ୍ତୁତ ଏକ ଧଳା ରଙ୍ଗର ମିଠା ଜାତୀୟ ଖାଦ୍ୟ ପଦାର୍ଥ । ଏହା ବିଭିନ୍ନ ଆକୃତିର ବଜାରରେ ମିଳେ । ଖୁବ ସ୍ୱାଦ ଲାଗେ ମତେ । ଘରେ ମୋ ପାଇଁ କିଏ ସନ୍ଦେଶ ଟିଏ ଆଣିଦେଲେ ମୁଁ ଖୁସିରେ ନାଚିଯାଏ ।
ଆରେ ହଁ ସନ୍ଦେଶ କଥାରୁ ମନେ ପଡ଼ିଲା - " ମିସ୍ " । ମାନେ ମୋ ସ୍ୱାମୀଙ୍କର ସ୍କୁଲ ବେଳର ଅତି ପ୍ରିୟ " ମିସ୍ " । ମିସ୍ ଙ୍କ ବିଷୟରେ ବହୁତ କିଛି ଶୁଣିଥିଲି ମୋ ସ୍ୱାମୀଙ୍କ ମୁହଁରୁ । ମୋ ସ୍ୱାମୀ ତାଙ୍କର ବହୁତ ପ୍ରଶଂସା କରନ୍ତି । ବହୁତ ସଂମାନ କରନ୍ତି । ମୋ ସ୍ୱାମୀଙ୍କୁ ମଧ୍ୟ ମିସ୍ ବହୁତ ଭଲ ପାଆନ୍ତି । ନିଜ ପୁଅ ଠାରୁ ବି ଅଧିକା ସ୍ନେହ କରନ୍ତି । ସେ ମୋ ସ୍ୱାମୀଙ୍କୁ ନିଜର ଛାତ୍ର ନୁହେଁ ନିଜ ପରିବାରର ଜଣେ ସଦସ୍ୟ ତଥା ନିଜର ପୁଅ ଭଳି ଆଦର କରନ୍ତି । ମୋ ସ୍ୱାମୀ ଆଜି ଯେଉଁ ପଦବୀରେ ଅଛନ୍ତି ତାହାପାଇଁ ମିସ୍ ଙ୍କର ଭୂମିକା ଅତୁଳନୀୟ । ମୋ ସ୍ୱାମୀଙ୍କ ସହିତ ମୁଁ ବହୁତ ଥର ମିସ୍ ଙ୍କ ଘରକୁ ଯାଇଛି ।
ପ୍ରଥମଥର ଯେବେ ମିସ୍ ଙ୍କ ଘରକୁ ଯାଇଥିଲି ମୁଁ ଟିକେ ଡରୁଥିଲି ମିସ୍ ଙ୍କ ସହିତ କଥାବାର୍ତ୍ତା ହେବାପାଇଁ । ତାଙ୍କ ସହିତ ଠିକରେ କଥା ହେଇପାରୁନଥିଲି ଭୟରେ । ହେଲେ ଧୀରେ ଧୀରେ ତାଙ୍କ ଭିତରେ ଜଣେ ମାଆ ଙ୍କୁ ଦେଖିପାରିଲି । ଜଣେ ନିଃସ୍ୱାର୍ଥପର ମାଆର ସ୍ନେହକୁ ଅନୁଭବ କରିପାରିଲି । ତାପରେ ଯେତେଥର ତାଙ୍କ ଘରକୁ ଯାଇଛି ମୁଁ ନିଜକୁ ବହୁତ ଭାଗ୍ୟବାନ ମନେକରିଛି । ନିଜ ବୋହୁ ପରି ସେ ମତେ ତାଙ୍କ ରୋଷେଇ ଘରକୁ ପସିବାକୁ ଅନୁମତି ଦିଅନ୍ତି । ନିଜ ଘର ଭାବି ନିଜ ଇଛା ଅନୁଯାୟୀ ଖାଦ୍ୟ ପଦାର୍ଥ ତାଙ୍କ ଫ୍ରିଜ୍ ରୁ କାଢି ଖାଇବାପାଇଁ ମତେ ଆଦେଶ ଦିଅନ୍ତି । ମୋର ଭଲ ମନ୍ଦ ପଚାରି ବୁଝନ୍ତି ।
ତାଙ୍କ ବୟସ ପ୍ରାୟ ୬୦ ଟପିଲାଣି ହେଲେ ଆଜିବି ତାଙ୍କ ମୁହଁର ଚମକରେ ମାତୃତ୍ବର ସ୍ନେହ ଝଲସି ଉଠୁଛି ।
ମୋ ସ୍ୱାମୀ ପେସାରେ ଜଣେ ଡାକ୍ତର । ମିସ୍ ଙ୍କର ଦେହ ଖରାପ ଶୁଣିଲେ ସେ ସଙ୍ଗେ ସଙ୍ଗେ ମିସ୍ ଙ୍କ ଘରକୁ ଯାଆନ୍ତି ତାଙ୍କୁ ଚିକିତ୍ସା କରିବାପାଇଁ । ହେଲେ ଆଜି ବହୁତ ଦିନ ପରେ ମିସ୍ ନିଜେ ହସ୍ପିଟାଲ ଆସିଥିଲେ ନିଜ ଦେହ ସମସ୍ୟାକୁ ନେଇ , କିନ୍ତୁ ସାଙ୍ଗରେ ଆଣିଥିଲେ ଗୋଟେ ସନ୍ଦେଶ ପ୍ୟାକେଟ । ମୋ ସ୍ୱାମୀଙ୍କ ହାତକୁ ପ୍ୟାକେଟ ଟି ବଢାଇଦେଲେ । ମୋ ସ୍ୱାମୀ କଥା ଛଳରେ ମତେ ସନ୍ଦେଶ ଭଲଲାଗେ ବୋଲି ମିସ୍ ଙ୍କୁ କହିଲେ । ମିସ୍ ଉତ୍ତର ଦେଲେ ଏହି ପ୍ୟାକେଟ ଭିତରେ ସନ୍ଦେଶ ହିଁ ଅଛି ।
ସନ୍ଧ୍ୟାରେ ମୋ ସ୍ୱାମୀ ଆଉ ମୁଁ ଘରକୁ ଫେରୁଥିବା ସମୟରେ ମୋ ସ୍ୱାମୀ ନିଜ ବ୍ୟାଗ ରେ ସନ୍ଦେଶ ଅଛି ବୋଲି କହିଲେ । ମୁଁ ସଙ୍ଗେ ସଙ୍ଗେ ସେଇ ରାସ୍ତାରେ ସନ୍ଦେଶ ପ୍ୟାକେଟ ଟିକୁ ଖୋଲି ଗୋଟିଏ ସନ୍ଦେଶ ଉଠାଇନେଇ ଖାଇଦେଲି ଏବଂ ଖୁବ ଖୁସି ହେଲି । ପରମୁହୂର୍ତରେ ଭାବିଲି ଏ କଣ ମାଆର ସ୍ନେହ ? ମତେ ସନ୍ଦେଶ ଏତେ ଭଲଲାଗେ ବୋଲି ମୁଁ କିମ୍ବା ମୋ ସ୍ୱାମୀ କେବେ ମିସ୍ ଙ୍କୁ ଜଣାଇନାହୁଁ । କେବଳ ପୂର୍ବଦିନ ରାତିରେ ଘରେଥିବା ଶେଷ ସନ୍ଦେଶ ଖଣ୍ଡଟିକୁ ବାଣ୍ଟି ଖାଇଥିଲୁ । ପରଦିନ ଆଉ ଏକ ପ୍ୟାକେଟ ସନ୍ଦେଶ ବଜାରରୁ କିଣି ଆଣିବୁ ବୋଲି କଥାବାର୍ତ୍ତା ହେଇଥିଲୁ ।
ହେଲେ ଏ କଣ ଆମେ ବଜାରରୁ ସନ୍ଦେଶ କିଣିବା ପରିବର୍ତ୍ତେ ମିସ୍ ଆଣି ସନ୍ଦେଶ ପ୍ୟାକେଟ ଟିଏ ଦେଲେ ।
ଯେତେ ଦୂରରେ ଥିଲେ ମଧ୍ୟ ମନକଥା ନକହି ବି ବୁଝିପାରୁଥିବା ଲୋକ ଜଣକ ହେଉଛନ୍ତି ମାଆ .....
ପିଲାଙ୍କ ଖୁସିରେ ଖୁସି ହେଉଥିବା ଲୋକ ବି ମାଆ.....
ପିଲାଙ୍କ ମନକଥା ନକହିବା ପୂର୍ବରୁ ବୁଝିପାରୁଥିବା ଲୋକ ବି ମାଆ.......
ଆଜି ବହୁତ ଦିନ ପରେ ମାଆ ର ସ୍ନେହକୁ ଅନୁଭବ କରିପାରିଲି,ସନ୍ଦେଶ ଲୋଭରେ ନୁହେଁ ବରଂ ମିସ୍ ମୋ ମନକଥା ଜାଣିପାରିଥିବାରୁ ।
ନକହିବା ପୂର୍ବରୁ ବିଲକୁଲ ମାଆ ପରି ପ୍ରିୟ ଜିନିଷ ଆଣି ହାତରେ ଧରେଇ ଦେଇଥିବାରୁ ।
ମୋ ପିଲାଦିନକୁ ଆଉଥରେ ମନେ ପକାଇ ଦେଇଥିବାରୁ ।
ନିଜ ହୃଦୟ ଭିତରେ ମତେ ସ୍ଥାନ ଦେଇଥିବାରୁ ଆଉ ମାଆର ପ୍ରକୃତ ନିଃସ୍ୱାର୍ଥପର ରୂପ ଦେଖାଇ ଥିବାରୁ ।
ଶେଷରେ ମୋ ହୃଦୟରେ ମାଆର ଆସନରେ ବସିଥିବାରୁ ।
ମିସ୍ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ମୋର ମାଆ ହେଇଥିବାରୁ ।
ପୂର୍ଣ୍ଣାନନ୍ଦ ଭବନ,ନେତାଜୀ ନଗର,ମଧୁପାଟଣା, କଟକ